Unknown

 

 

 

 

 

 

 

 

 

 

 

 

ମା ନିଷାଦ

ଶ୍ରୀ ଚିତ୍ତରଞ୍ଜନ ଦାସ

 

ଲେଖକର ପୃଷ୍ଠା

 

‘ମା ନିଷାଦ’ ଏକ ସ୍ଵତନ୍ତ୍ର ଗ୍ରନ୍ଥ ନୁହେଁ, ଏକ ସଂକଳନ । ସଂକଳନର ଯାବତୀୟ ଅପୂର୍ଣ୍ଣତା ଏଥିରେ ରହିଛି । ବିଷୟବସ୍ତୁର ପୁନରାବୃତ୍ତି ଅନେକ ସ୍ଥାନରେ ରହିଛି । ଏଥିରେ ସନ୍ନିବେଶିତ ପ୍ରବନ୍ଧଗୁଡ଼ିକ ବିଭିନ୍ନ ଅବସରରେ ଲେଖା ହୋଇଥିଲେ ମଧ୍ୟ ବର୍ତ୍ତମାନର କ୍ରମଟିରେ ସେଥିରେ ଏକ ଆପାତ ଶ୍ରେଣୀବିଭାଗ କରିବାର ଉଦ୍ୟମ କରାଯାଇଛି ।

 

ଏହି ସଂକଳନଟି ପ୍ରଥମେ ଅଧ୍ୟାପକ ବନ୍ଧୁ ଡକ୍ଟର ଶ୍ରୀ କ୍ଷେତ୍ରବାସୀ ନାୟକଙ୍କ ପାଖରେ କୃତଜ୍ଞ ରହିବ । ସେଇ ଏଥିରେ ଘଟକ ପରି କାର୍ଯ୍ୟ କରିଛନ୍ତି । ପୁସ୍ତକ ଭଣ୍ଡାରର ପ୍ରକାଶକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଦାସ ଆଗ୍ରହ ପ୍ରକାଶ କରି ଯେଉଁ ବଦାନ୍ୟତା ଦେଖାଇଛନ୍ତି, ତାହା ଏହି ସବୁ ମହରଗର ଯୁଗରେ ସାଧାରଣତଃ ଦେଖାନଯିବାର ହିଁ କଥା । ମୋର ପ୍ରଣାମ ଜଣାଉଛି ।

 

ଓଡ଼ିଆରେ ଖଣ୍ଡେ ବହି ବାହାରିବା ଲେଖକ ପକ୍ଷରେ ଏକ ଭାଗ୍ୟର କଥା । ପୁଣି, ରାଜଆଶ୍ରିତ ନ ହୋଇଥିବା ଜଣେ ଲେଖକ ପକ୍ଷରେ ମହାଭାଗ୍ୟର କଥା ।

 

ଶ୍ରଦ୍ଧେୟ ବନ୍ଧୁ ଅଧ୍ୟାପକ କ୍ଷେତ୍ରବାସୀ ନାୟକ ପ୍ରକାଶକ ନିତ୍ୟାନନ୍ଦ ବାବୁଙ୍କ ସହିତ ମୋତେ ଭେଟାଇଦେଇ ଏହି ମହାଭାଗ୍ୟଟି ସମ୍ଭବ ହେବାରେ ଘଟକ ପରି କାର୍ଯ୍ୟ କରିଛନ୍ତି । ଦୁଇଜଣଙ୍କର ଆଗ୍ରହ ଓ ଉଦାରତାକୁ ମୁଁ ପ୍ରଣାମ ଜଣାଉଛି ।

 

“ମା ନିଷାଦ”ର ପ୍ରବନ୍ଧଗୁଡ଼ିକ ବିଭିନ୍ନ ସମୟରେ କେତୋଟି ପତ୍ରିକା ଏବଂ ସଂକଳନରେ ପ୍ରକାଶିତ ହୋଇଥିଲା । ଏହି ଅବସରରେ ସଂପୃକ୍ତ ସମ୍ପାଦକମାନଙ୍କୁ କୃତଜ୍ଞତା ଜଣାଉଛି ।

 

ଆଉ କ’ଣ ଲେଖିବି ?

 

ଇତି

 

ଭୁବନେଶ୍ଵର

ଚିତ୍ତରଞ୍ଜନ ଦାସ

୪ । ୪ । ୭୭

 

Image

 

ସୂଚୀପତ୍ର

 

୧.

ସାହିତ୍ୟ

୨.

ସାହିତ୍ୟ-ଭୂମି

୩.

ମନୁଷ୍ୟ, ସାହିତ୍ୟ ଓ ସମାଜ

୪.

ସାଂପ୍ରତିକ ସାହିତ୍ୟର ଭୂମିକା ଓ ଭବିଷ୍ୟତ

୫.

କାବ୍ୟଶାସ୍ତ୍ର-ବିନୋଦେନ

୬.

ସାହିତ୍ୟ ଚେତନାରେ ନବତରଙ୍ଗ

୭.

ସମୀକ୍ଷାର ଏଦେଶୀୟ ବ୍ୟାକରଣ

୮.

ଦଶହରାର ଚିଠି

୯.

ଉତ୍ସ-ନିରୂପଣର ରୋଗ

୧୦.

ସର୍ବଭାରତୀୟ ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟର ସମସ୍ୟା

୧୧.

ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା

୧୨.

ପ୍ରବନ୍ଧ, ଆଲୋଚନା ଓ ସମାଲୋଚନା

୧୩.

ସ୍ଵାଧୀନତା-ପର ଓଡ଼ିଆ ସାହିତ୍ୟ

Image

 

ସାହିତ୍ୟ

 

ସାହିତ୍ୟ ଭଲ ଲାଗେ, ସାହିତ୍ୟ ଆନନ୍ଦ ଦିଏ; ସାହିତ୍ୟ ଗୌରବର ଅନୁଭୂତି ଆଣି ଦିଏ, ହୃଦୟକୁ ସ୍ପର୍ଶ କରେ, ହୃଦୟ ମଧ୍ୟରୁ ଓ ହୃଦୟ ମଧ୍ୟକୁ ବାଟ ଫିଟାଇଦିଏ; ସାହିତ୍ୟ ବାଡ଼ ଭାଙ୍ଗିଦିଏ, ଗାର ଡିଆଁଇ ଦେଇଯାଏ, ସମ୍ମିଳିତ କରିଦିଏ, ଏଇଠି ଅମରତ୍ଵର ଆସ୍ଵାଦ ଦେଇଯାଏ, ଗୋଟାଏ ଗୋଟାଏ ମୁହୂର୍ତ୍ତକୁ ବିଗତ, ବର୍ତ୍ତମାନ ତଥା ଅନାଗତ ଆହୁରି କେତେକେତେ ମୁହୂର୍ତ୍ତ ସହିତ ଏକାଠି କରି ଗୁନ୍ଥି ଦେଇଯାଏ । ଗୋଟାଏ ପ୍ରାଣକୁ ନେଇ ଆହୁରି କେତେକେତେ ପ୍ରାଣ ସହିତ ଛୁଆଁଇ ଆଣେ, ଘଡ଼ି ଘଡ଼ିକର ଅନୁରାଗ ଭିତରେ ଏକ ସମଗ୍ର ଜୀବନାନୁରାଗ ଓ ଅନୁରାଗ ମୂଳ ଜୀବନ-ରୀତିର ବ୍ୟଞ୍ଜନା ଆଣି ଦେଇଯାଏ । ମାତ୍ର ସେହି ସାହିତ୍ୟକୁ ତଥାପି ବର୍ଣ୍ଣନା କରି ହୁଏ ନାହିଁ; ବୁଝି ହୁଏ, କିନ୍ତୁ ବୁଝାଇ ହୁଏନାହିଁ । ତଥାପି ସାହିତ୍ୟକୁ ବର୍ଣ୍ଣନା କରିବାର ଚେଷ୍ଟା କରାଯାଏ, ସାହିତ୍ୟର ଜାତି, ପ୍ରକୃତି ଓ ଗତିକୁ ନିରୂପିତ କରି ଦିଆଯାଏ, ନାନା ସୂତ୍ରରେ ସାହିତ୍ୟକୁ ଦୁହିଁ ସୂତ୍ରବଦ୍ଧ କରି ଦେଖାଇ ଦେବାର କଷ୍ଟକରଣା ମଧ୍ୟ କରାଯାଏ । ସାହିତ୍ୟର ଇତିହାସ ଲେଖାଯାଏ, ପ୍ରେରଣାର ଅର୍ଥାତ୍ ଭାବଭରଣାର ଉତ୍ସଗୁଡ଼ିକର ନିରୂପଣ କରି ଦିଆଯାଏ । ଏ ସାହିତ୍ୟ ଓ ସେ ସାହିତ୍ୟ ବୋଲି କୁହାଯାଏ, ସାହିତ୍ୟକୁ ସାହିତ୍ୟ ସହିତ ତୁଳନା କରାଯାଏ, ସାହିତ୍ୟର କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରଣବାଦର ଆରୋପ କରାଯାଏ । ସାହିତ୍ୟ ଭିତରେ ଯୁଗର ନିର୍ଣ୍ଣୟ କରାଯାଏ, ଯୁଗନ୍ଧରମାନଙ୍କୁ ଯୁଗସମ୍ଭୂତ ବୋଲି ପ୍ରତିପାଦିତ କରି ଦେଖାଇବାର କେତେ ପ୍ରୟାସ କରାଯାଏ । ପ୍ରାଚୀନ, ଆଧୁନିକ ଏବଂ ଅଦ୍ୟତନର ଭେଦ କରାଯାଏ । ଗଦ୍ୟ ଆଉ ପଦ୍ୟ ଭିତରେ ପାତର ଅନ୍ତର କରାଯାଏ; ଗୋଟାକର ପକ୍ଷ ନେଇ ଗଦଗଦ ହୋଇ ହୁଏ, ପୁଣି ଆଉ ଗୋଟାକର ବିପକ୍ଷରେ ଯୁଦ୍ଧ ମଧ୍ୟ ଲଢ଼ାଯାଏ ।

 

ସାହିତ୍ୟ ବଜାରକୁ ବଣିଆ ମଧ୍ୟ ଆସନ୍ତି, ସାହିତ୍ୟ ମଧ୍ୟରେ ଖାଣ୍ଟି ଓ ଭେଲର କଷଟି କରନ୍ତି । ଦୃଷ୍ଟି ଏବଂ ରୁଚିର ଭେଦ ଓ ବୈଚିତ୍ର୍ୟ ଅନୁସାରେ ଏହିପରି ଭାବରେ ସାହିତ୍ୟ ଭିତରେ ବି କେତେକେତେ ବାଦର ସୃଷ୍ଟି ହୁଏ, କେତେପ୍ରକାର ଭେଦବସେ, କେତେମନ୍ତେ ପାଚେରୀ ଠିଆହୁଏ-। ସାହିତ୍ୟର ଇଲାକା ଭିତରକୁ ଭୌଗୋଳିକମାନେ ମଧ୍ୟ ଆସନ୍ତି । କେତେପ୍ରକାର ଭାବାତିଶଯ୍ୟ ଅଥବା ଭାଗବତ ଆତୁରତା ବା ଅସାମର୍ଥ୍ୟଦ୍ଵାରା ପ୍ରେରିତ ବା ବାରିତ ହୋଇ ସେମାନେ ସାହିତ୍ୟ ମଧ୍ୟରେ ଦେଶୀ ଓ ବିଦେଶୀର ବିଭାଗ କରନ୍ତି; ଏହିପରି ଭାବରେ ସାହିତ୍ୟ ଭିତରେ ଆପଣାର କ୍ଷେତ ବା ଚକଟାକୁ ଜାତୀୟ ସାହିତ୍ୟ ବୋଲି କୁହାଯାଏ, ପୁଣି କେତେବେଳେ ଆହୁରି ଅଧିକ ମମତାସକ୍ତ ଭାବରେ ସେଇଥିରୁ ପ୍ରାନ୍ତୀୟ ସାହିତ୍ୟ ଓ ସ୍ଥାନୀୟ ସାହିତ୍ୟର ବି ବିଚାର କରାଯାଏ-। ଗୋଟାଏ ପ୍ରାନ୍ତରେ ବି ପୂର୍ବ, ପଶ୍ଚିମ, ଦକ୍ଷିଣ ଓ ଉତ୍ତରର ଭିଆଣ ହୁଏ; ଗୋଟାଏ ଓଡ଼ିଶାରେ କଳିଙ୍ଗ, କୋଶଳର ଆଉ ଉତ୍କଳର ଶ୍ରେଣୀ ବିଭାଗ ହୁଏ, ଉପପ୍ରାନ୍ତୀୟତାର ସ୍ଵ-ବିଲଟି ମଧ୍ୟରେ ସାହିତ୍ୟର ଯାବତୀୟ ପ୍ରେରଣାକୁ ଫାଶ ଦେଇ ଛନ୍ଦି ରଖିବାର ବରାଦ କରାଯାଏ । ଏସବୁ ସର୍ବତ୍ର ହୁଏ, ପରମ ଆଗ୍ରହରେ ହୁଏ ଏବଂ ଏସବୁକୁ ନେଇ ତତ୍ପର ରହିଥିବାବେଳେ ସାହିତ୍ୟର ସବୁଯାକ ସିଦ୍ଧି ସତେଅବା ଏକାବେଳେକେ କରଗତ ହୋଇ ଆସିବାପରି ମନେହୁଏ ସତ, ତଥାପି ସାହିତ୍ୟକୁ ବୁଝାଇ ହୁଏ ନାହିଁ । ସାହିତ୍ୟର ବର୍ଣ୍ଣନା କରିବାକୁ ବସିଲେ ବର୍ଣ୍ଣନା ପାଏନାହିଁ, ସାହିତ୍ୟକୁ ଅନୁଭବ କରିବାକୁ ବସିଲେ ଆପଣା ଭିତରେ ସତେଅବା ଥାନ ନଧରିଲା ପରି ମନେହୁଏ । ଅନେକ କଥା କହିସାରିବା ପରେ ମଧ୍ୟ ତଥାପି ସବୁ କଥା କହି ହୁଏ ନାହିଁ, ଅନୁଭବ କରିବାର ଅନେକ ସାମର୍ଥ୍ୟ ରହିଥିଲେ ମଧ୍ୟ ତଥାପି ଆହୁରି ଅନେକକିଛି ଅନନୁଭୂତ ହୋଇ ରହି ଯାଇଥାଏ, ଉଚ୍ଚାଟ କରିବାରେ ଲାଗିଥାଏ, ଆଭାସ ଦେଇ ଯାଉଥାଏ । ବୁଦ୍ଧି ହଟିଆସେ ତଥାପି ସବୁ କଥା କୁହା ହୋଇପାରେ ନାହିଁ । ମଣିଷର ସାହିତ୍ୟ, ମଣିଷର ଜୀବନ ଭିତରେ ତାହା କେବଳ ଗୋଟିଏ ଅଂଶ ବା କେବଳ ଗୋଟିଏ ଦିଗ; ତଥାପି ଏହି ଅଂଶଟି ସତେ ଯେପରି ତା’ର ଅନ୍ୟାନ୍ୟ ଯାବତୀୟ ଅଂଶ ସହିତ ଏକାଠି ଗଅଁଠା ହୋଇ ରହିଥାଏ, ଯେକୌଣସି ଦିଗକୁ ମୁହଁ କରି ଯେଉଁଆଡ଼େ ବିଚରଣ କରୁଥିଲେ ମଧ୍ୟ ସତେଯେପରି ସେଠାରେ ମଧ୍ୟ ସାହିତ୍ୟ ଆମର ସାଙ୍ଗରେ ଥାଏ, ଆମ ସହିତ ଅଙ୍ଗାଙ୍ଗୀ ଭାବରେ ରହିଥାଏ ।

 

ଏହି ସାହିତ୍ୟର ବୟସ କେତେ ? ସାହିତ୍ୟର ଜନ୍ମପତ୍ର ନିରୂପଣ କରୁଥିବା ଇତିହାସକାରମାନେ ଏହି ବିଦ୍ୟାଟିରେ ଆପଣାର ପାରଙ୍ଗମତା ଦେଖାଇବାକୁ ଯାଇ କେତେ ଭଳି ସାଧନ, ସରଞ୍ଜାମ ଓ ବିଜ୍ଞାନର ସାହାଯ୍ୟ ଗ୍ରହଣ କରିଥାନ୍ତି । ସେମାନେ ଭାଷାବିଜ୍ଞାନ ବଖାଣି ବସନ୍ତି, ଧ୍ଵନିତତ୍ତ୍ଵର ପସରା ବାଢ଼ି ଦିଅନ୍ତି, ନୃତତ୍ତ୍ଵବିଜ୍ଞାନ, ସମାଜବିଜ୍ଞାନ ଏବଂ ପ୍ରତୀକ-ଶାସ୍ତ୍ରରୁ ଖିଅ ନେଇ ସାହିତ୍ୟର ବୟସ କଳିବାକୁ ଅଗ୍ରସର ହୋଇଥାନ୍ତି । କିଏ ଶିଳାଲେଖର ନଜିର ଦିଏ, କିଏ ତାମ୍ରପତ୍ରର ନଜିର ଦିଏ, ପୁଣି ଆଉ କିଏ ଲୋକତୁଣ୍ଡ, ଲୋକାଚାର ଏବଂ ଲୋକବେଭାରରୁ ନାନା ପ୍ରମାଣ ଆଣି ଖଞ୍ଜି ଦିଏ । ଏହିଭଳି ତୁଳନାତ୍ମକ ଅଧ୍ୟୟନମାନ କରି ଗୋଟାଏ ସାହିତ୍ୟକୁ ଆଉ ଗୋଟାଏ ସାହିତ୍ୟଠାରୁ ଅଧିକ ପୁରୁଣା ବୋଲି ଦେଖାଇବାକୁ ଚେଷ୍ଟା କରାଯାଏ, ପ୍ରାଚ୍ୟକୁ ପାଶ୍ଚାତ୍ୟର ପୁରୋଗାମୀ ବୋଲି ଘୋଷଣା କରାଯାଏ, ଆପଣାଟାକୁ ଅନ୍ୟଟାଠାରୁ ଅଧିକ ପ୍ରପୁଷ୍ଟ ବୋଲି ପ୍ରତିପାଦିତ କରାଯାଏ । ମାତ୍ର ଏହି କଥାଟିକୁ ଅବଶ୍ୟ ସ୍ଵୀକାର କରିବାକୁ ପଡ଼ିବ ଯେ କୌଣସି ଏକ ନିର୍ଦ୍ଦିଷ୍ଟ ସମାଜରେ ଏକ ଲିଖିତ ଭାଷାର ଅବରୋପଣ ସମ୍ଭବ ହେବାର ଅନେକ ପୂର୍ବରୁ ସେହି ସମାଜରେ ବାସ କରୁଥିବା ମନୁଷ୍ୟମାନଙ୍କ ମଧ୍ୟରେ ଏକ କଥିତ ଭାଷା ଅବଶ୍ୟ ରହିଥିଲା, ଅର୍ଥାତ୍ ସେମାନଙ୍କର ସମାଜରେ ଏକ ଲିଖିତ ସାହିତ୍ୟ ସମ୍ଭବ ହେବା ପୂର୍ବରୁ ଏକ ଅଲିଖିତ ସାହିତ୍ୟ ମଧ୍ୟ ନିଶ୍ଚୟ ରହିଥିଲା । ଏହି ସାହିତ୍ୟ ଲୋକମୁଖରେ ରହିଥିଲା, ଦୈନନ୍ଦିନ କର୍ମକଷଣର ଅଖ୍ୟାତ ମୁହୂର୍ତ୍ତଗୁଡ଼ିକରେ ରହିଥିଲା, ପ୍ରତିଦିନର ଦୁଃଖସୁଖ ତଥା ହଜାଇବା ଓ ପାଇବାର ଅକୀର୍ତ୍ତିତ କେତେକେତେ ସମ୍ବନ୍ଧଗୁଡ଼ିକରେ ରହିଥିଲା । ସେଗୁଡ଼ିକୁ ଲିପିବଦ୍ଧକରି ରଖିବାର କୌଣସି ଉଦ୍ୟମ ହେଉନଥିଲା ସତ, ମାତ୍ର ସେଗୁଡ଼ିକ ତଥାପି ରହିଥିଲା । ଅର୍ଥାତ୍, ଏହି ସଂସାରରେ ମନନସମର୍ଥ ମଣିଷ ଯେତିକି ବୁଢ଼ା, ତା’ର ସାହିତ୍ୟ ମଧ୍ୟ ପ୍ରକୃତରେ ସେତିକି ବୁଢ଼ା; ମଣିଷର ହୃଦୟ ଯେତିକି ପୁରୁଣା, ତା’ର ସାହିତ୍ୟବୃତ୍ତି ବା ସାହିତ୍ୟ-ବାସନା ମଧ୍ୟ ସେତିକି ପୁରୁଣା ।

 

ପ୍ରାଚୀନ ମିଶରର ଯେଉଁ ଯୁଗରେ ଇତିହାସପ୍ରସିଦ୍ଧ ପିରାମିଡ଼ଗୁଡ଼ିକର ନିର୍ମାଣ ହେଉଥିଲା, ସେତେବେଳେ ଲିଖିତ ସାହିତ୍ୟ କହିଲେ ମିଶରର ରାଜା ଅର୍ଥାତ୍ ଫାରାଓମାନଙ୍କ ଲାଗି ଲେଖାହୋଇ ସେହିମାନଙ୍କଦ୍ଵାରା ସଞ୍ଚିତ ହୋଇ ରହିଥିବା ସାହିତ୍ୟକୁ ବୁଝାଉଥିଲା । ଏହି ସାହିତ୍ୟ ପଥର ଉପରେ ନାନାବିଧ ଅନୁଚିତ୍ରଣର ଭାଷାରେ ଖୋଦିତ ହୋଇ ରହୁଥିଲା ଅଥବା ପାପିରସ୍ ଉପରେ ଲେଖା ହୋଇ ରହୁଥିଲା । ରାଜା କୋଉଠି କେତେଟା ରାଜ୍ୟ ଜୟ କଲେ; କେତେଟା ମୁଣ୍ଡକୁ ସେ ଭୁଲୁଣ୍ଠିତ କଲେ, କାହାକୁ କେତେ ଦାନ କଲେ, ବଂଶର ଦେବତା ସୂର୍ଯ୍ୟଦେବଙ୍କ ଲାଗି ସେ କେତେ ବଡ଼ ମନ୍ଦିର ତୋଳାଇଲେ ବା ତାଙ୍କର ତୁଷ୍ଟିଭାଜନ ହେବାଲାଗି କେତେ ଆଡ଼ମ୍ବରରେ କେତେ ଭୋଗ ବାଢ଼ିଲେ, ସେସବୁଥିରେ ପ୍ରଧାନତଃ ଏହିଗୁଡ଼ାକ ହିଁ ଖୋଦିତ ବା ଲିଖିତ ହୋଇ ରହୁଥିଲା । ମଣିଷର ଅନୁଭବ, ଅନ୍ତରଙ୍ଗତା, ଧୃଷ୍ଟତା ତଥା ଅନ୍ତର୍ଗତ ଦୁଃସାହସିକତା ବିଷୟରେ ସେ ସବୁଥିରେ କେବେହେଲେ ବିଶେଷ କିଛି ନ ଥିଲା, ହୁଏତ ଆଦୌ କିଛିହେଲେ ନଥିଲା । ଏଗୁଡ଼ାକରେ ସାହିତ୍ୟ ଅପେକ୍ଷା ଇତିହାସ ହିଁ ଅଧିକ ପରିମାଣରେ ରହିଥିଲା, ସତ୍ୟ ଅପେକ୍ଷା ତଥ୍ୟହିଁ ଅଧିକ ରହିଥିଲା । ଆପଣାର ପୂର୍ବପୁରୁଷମାନଙ୍କ ଲାଗି ପିରାମିଡ଼ ଓ ମନ୍ଦିରମାନ ଗଢ଼ିବା ସକାଶେ ମିଶରର ପ୍ରତାପୀ ରାଜାମାନେ ସେତେବେଳେ ହିବ୍ରୁ ଶ୍ରମିକମାନଙ୍କୁ ନିଯୁକ୍ତ କରୁଥିଲେ । ଏହି ଶ୍ରମିକମାନେ ରାଜପରାକ୍ରମର ବିଶାଳ ମନ୍ଦିରଗୁଡ଼ାକୁ ଗଢ଼ିବା ପାଇଁ ବେଠି ଖଟିବାକୁ ଆସିଥିଲେ । ଏମାନଙ୍କ ମଧ୍ୟରେ ଯୁଦ୍ଧରୁ ଧରାହୋଇ ଆସିଥିବା କେତେକେତେ ବନ୍ଦୀ ମଧ୍ୟ ରହିଥିଲେ । ସେମାନେ କେବଳ ବେଠି ଖଟୁଥିଲେ, କୂର୍ମହୋଇ ପଥର ବୋହୁଥିଲେ, ଖାଲି ପଶୁପରି ଆଦେଶ ପାଳନ କରୁଥିଲେ । ସେମାନେ ଅର୍ଦ୍ଧାଶନରେ ରହୁଥିଲେ, ଆଦେଶକୁ କାର୍ଯ୍ୟକାରୀ କରିବାରେ କୌଣସି ବ୍ୟତିକ୍ରମ ଘଟିଲେ କଠୋର ଶାସ୍ତି ମଧ୍ୟ ପାଉଥିଲେ । ଆପଣା ପରାକ୍ରମର ସନ୍ତକ ରଖିବାଲାଗି ପ୍ରବଳ ରାଜା ଯେତେ ଯେଉଁଠି କୀର୍ତ୍ତିଟିଏ ଗଢ଼ି ରଖିବାର ଅଭିଳାଷ କରିଥାଏ, ସେଠାରେ ମଣିଷକୁ ଠିକ୍ ଏହିପରି ଭାବରେ ହିଁ ଅବଜ୍ଞା କରାଯାଏ । ସେ ଯୁଗରେ ମଧ୍ୟ ତାହାହିଁ ହେଉଥିଲା । ପିରାମିଡ଼ ଚଢ଼ୁଥିବା ଶ୍ରମିକମାନେ ଦିନପରେ ଦିନ ନାନାଭଳି ନିର୍ମମତା ଓ ଦୌରାତ୍ମ୍ୟର ସମ୍ମୁଖୀନ ହେଉଥିଲେ । ଉପବାସରେ ରହି ମଧ୍ୟ କାମ ଖଟିବାକୁ ବାଧ୍ୟ ହେଉଥିଲେ । ଉତ୍ପୀଡ଼ନଗୁଡ଼ାକ ଏକାନ୍ତ ଅସହ୍ୟ ହୋଇ ପଡ଼ିବାବେଳେ ସେମାନେ ଧର୍ମଘଟ ବି କରୁଥିଲେ । ପ୍ରାୟ ପ୍ରତ୍ୟେକ ମାସରେ ଧର୍ମଘଟ ସତେଅବା ଏକ ନିୟମରେ ପରିଣତ ହୋଇ ଯାଇଥିଲା । ଧର୍ମଘଟ ସମୟରେ ଶ୍ରମିକମାନଙ୍କର କୌଣସି କାମ ନଥିଲା, ପେଟରେ ଭୋକ ମଧ୍ୟ ଛଟପଟ କରୁଥିଲା । କାମ ନକଲେ ସେମାନଙ୍କୁ କିଏ କାହିଁକି ଖାଇବାକୁ ଦେବ ? ସେତିକିବେଳେ ଆପଣାର ଦୁଃସହ ପ୍ରହରଗୁଡ଼ିକୁ ଅତିବାହିତ କରୁଥିବା ସମୟରେ ସେମାନେ ଦୀର୍ଘ ସମୟ ଧରି ଗୀତ ବୋଲୁଥିଲେ । ସେହିମାନଙ୍କ ମଧ୍ୟରୁ ହିଁ କେହି ଜଣେ ଏହିସବୁ ଗୀତର ରଚନାକରି ଦେଉଥିଲା । ଏହି ଗୀତଗୁଡ଼ିକରେ ସେଠି ବେଠି ଖଟୁଥିବା ଶ୍ରମିକମାନଙ୍କର ଦୁଃଖ-କାହାଣୀର ବର୍ଣ୍ଣନା ରହିଥିଲା । ଗୀତଗୁଡ଼ିକ ଯାଇ ଦୂରସ୍ଥ ପ୍ରାସାଦରେ ବାସ କରୁଥିବା ଫାରାଓଙ୍କ କାନରେ ବାଜିବ, ସେ ସେମାନଙ୍କର ଦୁଃଖ ବୁଝିବେ, ଶୁଣିବେ ଓ ସେଗୁଡ଼ିକର ପ୍ରତିକାର କରିବେ, ଅନେକ ସମୟରେ ମନରେ ଏହିଭଳି ଏକ ଆଶା ରଖି ସେମାନେ ଗୀତଗୁଡ଼ିକୁ ବୋଲୁଥିଲେ । କର୍ତ୍ତାମାନଙ୍କର ଦୁରାତ୍ମାତାର ପ୍ରତିବାଦକରି ଓ ପ୍ରବଳର ପ୍ରବଳତାକୁ ଅବଜ୍ଞା ଜଣାଇ ମଧ୍ୟ ଅନେକ ସମୟରେ ଗୀତ ରଚନା କରାଯାଉଥିଲା ଓ ବୋଲା ଯାଉଥିଲା । ଦୁଃଖରୁ ନିଷ୍କୃତି ପାଇବାଲାଗି ଛଟପଟ ହେଉଥିବା ଦୁଃଖପୀଡ଼ିତ ମଣିଷର ଏହି କାରୁଣ୍ୟ ଓ କ୍ରୋଧକୁ ଆମେ ସାହିତ୍ୟ ବୋଲି କହିବା କି ନାହିଁ ? ଏଗୁଡ଼ିକୁ ସାହିତ୍ୟ ନକହି ସେହି ମିଶର ଦେଶରେ ରାଜମାନଙ୍କର କୀର୍ତ୍ତିକଳାପଗୁଡ଼ାକୁ ଲିପିବଦ୍ଧ କରି ରଖିଥିବା ପଥର ବା ପୋଥିଗୁଡ଼ାକୁ କ’ଣ ଅଧିକ ଯୁକ୍ତିର ସହିତ ସାହିତ୍ୟ ବୋଲି କୁହାଯାଇ ପାରିବ ?

 

ସଂଗୃହୀତ ଫିନିଶ୍ ମହାକାବ୍ୟ Kalevala ହେଉଛି ଅଲିଖିତ ସାହିତ୍ୟର ଆଉ ଗୋଟିଏ ବଳିଷ୍ଠ ଉଦାହରଣ । କଲେୱାଲା କାବ୍ୟଟି ପ୍ରକୃତରେ ଠିକ୍ କେବେ ରଚିତ ହୋଇଥିଲା, ସେକଥା କେହି କହିପାରିବ ନାହିଁ । ଠିକ୍ କେଉଁ କବି ଏହି କାବ୍ୟଟିର ରଚନା କରିଥିଲେ, ସେକଥା ମଧ୍ୟ କେହି କହିପାରିବ ନାହିଁ । ମାତ୍ର ମଧ୍ୟ ଫିନ୍‌ଲାଣ୍ଡର ଲୋକମୁଖରେ ବହୁ ଶତାବ୍ଦୀରୁ ଏହି କାବ୍ୟର ପଂକ୍ତିଗୁଡ଼ିକ ପ୍ରସାରିତ ହୋଇ ରହିଥିଲା, ଗୀତ ହୋଇ ଆସୁଥିଲା । ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସେହି ଅଞ୍ଚଳକୁ ଜଣେ ଡାକ୍ତର ରୂପେ ନିଯୁକ୍ତ ହୋଇ ଆସିଥିବା Elias Loennrot ପ୍ରଥମେ ଏହିସବୁ ପଦଗୁଡ଼ିକୁ ସଂଗ୍ରହ କରିବାକୁ ଆରମ୍ଭ କଲେ । ୧୮୪୫ ବେଳକୁ ସେ ଏହିପରି ପ୍ରାୟ ତେଇଶି ହଜାର ଧାଡ଼ି ବା ପଦ ସଂଗ୍ରହକରି ସାରିଥିଲେ । ସେ ସେଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ଘଟଣାସୂଚକ ପୂର୍ବାପର ସମ୍ବନ୍ଧ ରହିଛି, ଗୋଟିଏ କଥାବସ୍ତୁର କାବ୍ୟ-ରୂପ ବର୍ଣ୍ଣନା ସକାଶେ ହିଁ ଯେ ସେହି ପଦଗୁଡ଼ିକର ଅତୀତରେ କେବେ ରଚନା କରାଯାଇଛି, ସେ ଏକଥା ଆବିଷ୍କାର କରି ପାରିଥିଲେ । କାଲେଓ୍ୱାଲା ମହାକାବ୍ୟ ଅର୍ଥାତ୍ ଫିନିଶ୍ ଜୀବନର ସେହି ବିଚ୍ଛୁରିତ ପ୍ରାଚୀନ ମହାକାବ୍ୟଟିର ପୁନରୁଦ୍ଧାର ହେଲା । ଗତ ପ୍ରାୟ ଦେଢ଼ଶହ ବର୍ଷ ଭିତରେ ସେହି କାବ୍ୟ ଫିନଲାଣ୍ଡର ସାହିତ୍ୟକୁ ପ୍ରେରଣା ଦେଇଛି, ଲୋକ-ସଂସ୍କୃତିକୁ ପ୍ରେରଣା ଦେଇ ଆସିଛି, ଫିନିଶ୍ କଳା ତଥା ସଙ୍ଗୀତକୁ ମଧ୍ୟ କେତେ ପ୍ରେରଣାତ୍ମକ ଉପାଦାନ ଯୋଗାଇ ଦେଇଛି । ଅଲିଖିତ ଅଥଚ ଏପରି ପରିବ୍ୟାପ୍ତ ଭାବରେ ଯେ ଏକ ସୁନିବଦ୍ଧ ମହାକାବ୍ୟ ଶତାବ୍ଦୀ ଶତାବ୍ଦୀ ଧରି ଲେକମୁଖରେ ଜୀବନ୍ତ ରହି ଗଡ଼ି ଆସିପାରେ, କାଲେଓ୍ୱାଲା କାବ୍ୟକୁ ଆମେ ତାହାର ଏକ ଅନନ୍ୟ ଦୃଷ୍ଟାନ୍ତ ବୋଲି କହିପାରିବ। ଅର୍ଥାତ୍, ମନୁଷ୍ୟର ଲଖିତ ସାହିତ୍ୟ ହିଁ ମନୁଷ୍ୟର ସର୍ବପ୍ରାଚୀନ ସାହିତ୍ୟ କଦାପି ନୁହେଁ । ମନୁଷ୍ୟର ଲଖିତ ଭାଷା କଦାପି ତା’ର ସାହିତ୍ୟ-ବୃତ୍ତିକୁ ବା ସାହିତ୍ୟକୁ ଜନ୍ମ ଦେଇନାହିଁ । ମନୁଷ୍ୟର ଜୀବନ ହିଁ ଚିରକାଳ ତା’ର ସାହିତ୍ୟର ଜନନୀ ହୋଇ ରହିଛି, ମନୁଷ୍ୟହୃଦୟର ପ୍ରକାଶେଚ୍ଛା ତା’ ସାହଯ୍ୟର ସର୍ବମୂଳ ଉତ୍ସ ହୋଇ ରହିଆସିଛି । ସେହି ଉତ୍ସ ସବୁ ଯୁଗରେ ରହିଛି, ସକଳ ସମାଜରେ ରହିଛି, ମାନବସମ୍ବନ୍ଧର ଯାବତୀୟ ପରିଧି ଭିତରେ ରହିଛି । ଯୁଗର ଅଗ୍ରଗତି ଅନୁସାରେ ସାହିତ୍ୟ ନାନାବିଧ ନୂତନ ଶାଖାରେ ମୁକୁଳିତ ହୋଇ ଉଠିଛି ଓ ନାନା ଅଙ୍ଗ ରଥା ଉପାଙ୍ଗର ଆଭରଣ ପିନ୍ଧି ବିସ୍ତାର ଲାଭ କରିଛି ସତ, ମାତ୍ର ଯାବତୀୟ କ୍ଷେତ୍ରରେ ତାହା ମନୁଷ୍ୟ-ଜୀବନରୁ ହିଁ ଉତ୍ସାରିତ ହୋଇ ଆସିଛି । ଅନେକ ସମୟରେ ନାନାପ୍ରକାର ଅତ୍ୟୁଲ୍ଲାସ ଓ ଅତ୍ୟାଗ୍ରହିତାଦ୍ୱାରା ସହଜପ୍ରେରିତ ହୋଇ ଆମେ ସାହିତ୍ୟର ଉତ୍ସକୁ ଅନ୍ୟତ୍ର ନିରୂପଣ କରିବାକୁ କେତେ ଚେଷ୍ଟା କରିଥାଉ । ଆପଣାର ସାହିତ୍ୟକୁ ଆମେ ଦେବ-ସାହିତ୍ୟର ଆଖ୍ୟା ଦେଉଥାଉ । ଆମରି ଭୂମିଟାକୁ ସାହିତ୍ୟର ଆଦିଭୂମି ବୋଲି କହି ଆମେ କେତେ ବିଶେଷ ପୁଲକ ଲାଭ କରିବାର ଆଗ୍ରହ ଦେଖାଇଥାଉ । ଆମର ଆଦିଶାସ୍ତ୍ରଟି ଖୋଦ୍ ଭଗବାନଙ୍କ ମୁଖରୁ ନିଃସୃତ ହୋଇଛି ବୋଲି ଦାବିକରି ଆମେ ସତେ ଅବା ପ୍ରତିଯୋଗିତାର କେଉଁ ସଭାରେ ଆପଣାକୁ ସବା ଉପର ଗ୍ୟାଲେରିରେ ନେଇ ବସାଇ ଦେବାକୁ ମନ କରିଥାଉ । ଅମୁକ ଦେଶର ମାଟି, ପାଣି, ପବନ, ପ୍ରକୃତି ଅଥବା ଇତିହାସ ହିଁ ଅମୁକ କବିଙ୍କୁ କିମ୍ବା ସାହିତ୍ୟକାରଙ୍କୁ ସାହିତ୍ୟ କରିବାଲଗି ଅସଲ ପ୍ରେରଣାଟିକୁ ଯୋଗାଇ ଦେଇଥିଲା ବୋଲି ଆମେ ଭାରି ଉତ୍ସାହରେ ସିଦ୍ଧାନ୍ତମାନ ଗଢ଼ି ଥୋଇ ଦେଇଥାଉ । ତଥାପି ସ୍ମରଣ ରଖିବାକୁ ପଡ଼ିବ ଯେ ସାହିତ୍ୟର ଅସଲ ପ୍ରେରଣା ଏହି ମଣିଷ ଭିତରେ ରହିଛି; ଯେଉଁ ଜୀବନଟି ମଧ୍ୟରେ ସେ ସ୍ଵୟଂ ଆତଯାତ ହେଉଛି ଏବଂ ଯେଉଁ ଜୀବନଟିକୁ ସେ ଆତଯାତ କରାଉଛି, ଘଷୁଛି, ମାଜୁଛି ଓ ନୂତନକରି ଗଢ଼ିବାର ଅଭିଳାଷ କରୁଛି, ସେହି ଜୀବନରେ ହିଁ ସାହିତ୍ୟର ସର୍ବମୂଳ ପ୍ରେରଣା ନିହିତ ହୋଇ ରହିଛି । ପାରିପାର୍ଶ୍ୱ, ପ୍ରାକୃତି, ପାଣି ଓ ପବନ– ଏସବୁ ସେହି ପ୍ରେରଣାର ପରିପ୍ରକାଶିତ ଓ ଅଭିବ୍ୟକ୍ତ ହେବାରେ ସହାୟକ ଅଥକା ବାଧକ ହୋଇପାରୁଛି ସତ, ମାତ୍ର ତାହାକୁ ଏଡ଼ିଦେଇ ସ୍ୱୟଂ କଦାପି ତା’ର ସ୍ଥାନଟିକୁ ଯାଇ ମାଡ଼ି ବସୁନାହିଁ-।]

 

ମନୁଷ୍ୟର ଏହି ଅସଲ ପ୍ରେରଣାଟିକୁ ଆମେ ପ୍ରକୃତରେ କେଉଁ ପ୍ରେରଣା ବୋଲି କହିବା-? ମନୁଷ୍ୟର ଜୀବନରେ ସର୍ବଦା ନାନାପ୍ରକାର ପ୍ରେରଣା କାର୍ଯ୍ୟ କରିବାରେ ଲାଗିଛି, ହୁଏତ ଯୁଗପତ୍‍ ଭାବରେ ହିଁ ସକଳ ପ୍ରେରଣା କାର୍ଯ୍ୟ କରିବାରେ ଲାଗିଛନ୍ତି । ସେହି ପ୍ରେରଣାଗୁଡ଼ିକ ମନୁଷ୍ୟକୁ ଏକାବେଳେକେ ନାନା ଭୂମିରେ ଅର୍ଥାତ୍ ନାନା ସ୍ତରରେ ପ୍ରେରିତ କରି ରଖିଛନ୍ତି-। ସ୍ତରଭେଦ ଅନୁସାରେ ସେହି ଗୋଟିଏ ମଣିଷ ଭିତରେ ଦେହର ପ୍ରେରଣାମାନ କାର୍ଯ୍ୟ କରୁଛି, ପ୍ରାଣଗତ ପ୍ରେରଣା କାର୍ଯ୍ୟ କରୁଛି, ମନୋମୟ ପ୍ରେରଣା କାର୍ଯ୍ୟ କରୁଛି, ଏବଂ ଏଗୁଡ଼ିକ ଅପେକ୍ଷା ଅଧିକ ଉତ୍ତୋଳିତ ତଥା ଆହୁରି ଅଧିକ ଗଭୀର ହୋଇ ରହିଥ‌ିବା ପ୍ରେରଣାମାନ ମଧ୍ୟ କାର୍ଯ୍ୟ କରୁଛି-। ଏହି ଯାବତୀୟ ପ୍ରେରଣା ଆମ ପ୍ରତ୍ୟେକଙ୍କ ମଧ୍ୟରେ ଅନ୍ତର୍ନିହିତ ହୋଇରହିଛି, ମଣିଷ ମାତ୍ରକେ ସବୁରି ଭିତରେ ରହିଛି । ଯାହାର ଜୀବନରେ ଅର୍ଥାତ୍ ଯାହାର ଅନୁରାଗ-କ୍ଷେତ୍ରରେ ଯେତିକିଟି ଦୁଆର ଖୋଲିପାରୁଛି ବା ଯାହାର ଆକୁତି ଯେତିକିଯାଏ ହାତ ବଢ଼ାଇ ପାରୁଛି, ତାହାର ପ୍ରେରଣା ମଧ୍ୟ ସେତିକି ଦୂର ଯାଏ ସଞ୍ଚରି ପାରୁଛି । ଉପନିଷଦର ଭାଷାରେ ଏହି ସବୁ ସ୍ତରକୁ ଗୋଟି ଗୋଟି କରି ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନୋମୟ କୋଷ, ବିଜ୍ଞାନମୟ କୋଷ ଏବଂ ଆନନ୍ଦମୟ କୋଷ ବୋଲି କୁହାଯାଇଛି । ଆମ ପ୍ରତ୍ୟେକଙ୍କର ଜୀବନ ଅନ୍ନରୁ ଆନନ୍ଦଯାଏ ପ୍ରସାରିତ ହୋଇରହିଛି । ଆମ ପ୍ରତ୍ୟେକଙ୍କ ମଧ୍ୟରେ ଅନ୍ନରୁ ଆନନ୍ଦଯାଏ ସବୁଟି ଲାଗି ପ୍ରେରଣା ରହିଛି । ଆମ ଭିତରେ ଯେତେବେଳେ ଯେଉଁ ଦ୍ୱାରଟି ଖୋଲୁଛି, ଆମର ଜୀବନ-ପ୍ରେରଣା ସେହି ଦ୍ୱାରଟି ଦେଇ ଆପଣାକୁ ଅଭିବ୍ୟକ୍ତ କରି ଦେଉଛି; ଯାହା ଭିତରେ ଯେଉଁ ପ୍ରେରଣାଟି ସର୍ବପ୍ରଧାନ ହୋଇରହିଛି, ସେଇଟି ହିଁ ତା ଜୀବନ ତଥା ବ୍ୟକ୍ତିତ୍ଵର ସମଗ୍ର ଅଭିବ୍ୟକ୍ତିଟିକୁ ରୂପ ଦେଉଛି-। ଯିଏ ଅନ୍ନମୟକୁ ଆବୋରି ରହିଛି, ଆନନ୍ଦମୟ ପର୍ଯ୍ୟନ୍ତ ତାର ଅନ୍ୟ ଯାବତୀୟ ଭୂମି ମଧ୍ୟ କାର୍ଯ୍ୟତଃ ସେହି ଅନ୍ନମୟଟିଦ୍ଵାରା ହିଁ ନିୟନ୍ତ୍ରିତ ହେଉଛି । ଆନନ୍ଦ ହିଁ ଯାହାର ବଞ୍ଚିବାର ସର୍ବମୁଖ୍ୟ ଭୂମି ଏବଂ ପ୍ରେରଣା ହୋଇପାରିଛି, ତାହାର ଅନ୍ନମୟଟାରେ ମଧ୍ୟ ଆନନ୍ଦମୟ ଉକୁଟି ଉଠିପାରୁଛି । ଆମେ ସମସ୍ତେ ଆପଣାର ଅନ୍ତରତମ ଗଭୀର ମଧ୍ୟରେ ସେହି ଅନ୍ତରଙ୍ଗତମ ଆନନ୍ଦମୟକୁ ହିଁ ଖୋଜିବାରେ ଲାଗିଛୁ, ତାହାରି ଲାଗି ପିପାସିତ ହୋଇ ରହିଛୁ, ଉପନିଷଦର ଭାଷାରେ କହି ବସିଲେ ‘ସର୍ବସାତ୍ ଅନ୍ତରତରଂ ଯତ୍ ଅୟଂ ଆତ୍ମା’ଟି ସକାଶେ ହିଁ ଆକାଙ୍‌କ୍ଷିତ ଏବଂ ପ୍ରେରିତ ହୋଇରହିଛୁ । ମାତ୍ର ନାନା କାରଣରୁ ସେହି ଗଭୀରତମ ସ୍ତରରେ ଆପଣାର ଆକୃତିଟିକୁ ଅନୁଭବ କରିବା ଲାଗି ଆମେ ଅନେକ ସମୟରେ ଅସମର୍ଥ ହୋଇ ପଡ଼ୁଛୁ । ଏହି କାରଣ ଆମ ଆପଣା ଭିତରେ ରହିଛି, ଆମ ବାହାରେ ବି ରହିଛି, ଆମର ଆପଣା ଆତିଶୟଟିରେ ରହିଛି, ଆମ ପରିବେଶରେ ମଧ୍ୟ ରହିଛି । ଏହିସବୁ ବାଧା ବା ଅନ୍ତରାୟ ହେତୁ ହିଁ ଆମର ଅସଲ ପରିଚୟଟି ଆମ ଲାଗି ବାରିତ ହୋଇ ରହିଯାଉଛି, ଆମ ଲାଗି ବିସ୍ମୃତ ହୋଇ ରହିଛି, ଅନନୁଭୂତ ଓ ଅନୁପଲବ୍‍ଧ ହୋଇ ରହିଛି ।

 

‘ମନୁଷ୍ୟ ହେଉଛି ଜଣେ ସ୍ରଷ୍ଟା–ଏହାହିଁ ମନୁଷ୍ୟର ସର୍ବଶ୍ରେଷ୍ଠ ପରିଚୟ’–ଆପଣାର ଏକ ସାହିତ୍ୟ ପ୍ରବନ୍ଧରେ କବିଗୁରୁ ରବୀନ୍ଦ୍ରନାଥ ଏହି କଥା କହିଛନ୍ତି । ମନୁଷ୍ୟର ସୃଷ୍ଟିଶୀଳତା ଏବଂ ସୃଷ୍ଟି-କ୍ଷମତା ହେଉଛି ତା’ର ଅସଲ ପ୍ରକୃତି, ଏହି ସୃଷ୍ଟି କରିବାର ପ୍ରାରଣାଟି ହେଉଛି ତା’ର ଅସଲ ପ୍ରେରଣା । ତା’ର ଯାବତୀୟ ପ୍ରେରଣା ମଧ୍ୟରେ ଏହି ପ୍ରେରଣାଟି ହିଁ ପରମ ଉତ୍‌ପ୍ରେରକ ରୂପେ କାର୍ଯ୍ୟକରି ଆସୁଛି । ଭଗବାନ ହେଉଛନ୍ତି ଏହି ଜଗତର ସ୍ରଷ୍ଟା–ମଣିଷ ନାନାଭାବେ ନାନା ଭାଷାରେ ଏହି ସତ୍ୟଟିର ଘୋଷଣା କରିଛି । ଠିକ୍ ସେହିପରି ସେ ନିଜକୁ ମଧ୍ୟ ଏଠାରେ ଏକ ସ୍ରଷ୍ଟାରୂପେ ଅବତୀର୍ଣ୍ଣ କରାଇପାରିବା ଲାଗି ସତତ ବାଟ ଖୋଜୁଛି । ସ୍ରଷ୍ଟାରୂପେ ଅବତୀର୍ଣ୍ଣ ହେବା–ଅର୍ଥାତ୍ ଆପଣାକୁ ସାର୍ଥକ ଭାବରେ ଅଭିବ୍ୟକ୍ତ ଓ ପ୍ରକାଶିତ କରିଦେଇ ପାରିବା । ଆତ୍ମ-ଆବିଷ୍କାର, ଆତ୍ମ-ଉଦ୍‌ଘାଟନ, ଆତ୍ମ-ପ୍ରସାରଣ, ଆତ୍ମ-ପରିଚୟ ଏବଂ ଏପରିକି ଆଧୁନିକ ମନୋବିଜ୍ଞାନର self-Actualizationକୁ ମଧ୍ୟ ଆମେ ଏଠାରେ ସମବାଚୀ ଏବଂ ସମାନଧର୍ମୀ ଗୋଟିଏ ଗୋଟିଏ ଶବ୍ଦ ବୋଲି ଗ୍ରହଣ କରିନେଇ ପାରିବା । ଜଣେ ଜଣେ ମଣିଷ ହିସାବରେ ଆମେ ଏଠାରେ ଯାହାକିଛି କରୁଛୁ, କେବଳ ଆପଣାକୁ ପୂର୍ଣ୍ଣରୂପେ ଅଭିବ୍ୟକ୍ତ କରିଦେଇ ପାରିବାକୁ ହିଁ ତାହା କରୁଛୁ । ଆମେ ଯାହାକିଛି ଚାହୁଁଛୁ, କେବଳ ଆପଣାକୁ ସୁନ୍ଦର ଓ ସୁମନୋନୀତ ଭାବରେ ପ୍ରକାଶିତ କରିପାରିବାକୁ ହିଁ ତାହା ଚାହୁଁଛୁ, ଯାହାକିଛି ଲୋଡ଼ୁଛୁ, ତାହାରି ମଧ୍ୟରେ କେବଳ ଆପଣାର ହିଁ ସମ୍ଭାବ୍ୟତମ ପରିଚିତ ଅର୍ଥାତ୍ ଅଭିବ୍ୟକ୍ତିଟିକୁ ହିଁ ଲୋଡ଼ୁଛୁ । କେତେ ସ୍ତରରେ ଲୋଡ଼ୁଛୁ, କ୍ଷୁଦ୍ର ତଥା ବୃହତ୍ କେତେକେତେ ଆୟତନରେ ଲୋଡ଼ୁଛୁ, କେତେପ୍ରକାର ଡୋର ବାନ୍ଧିବା ଭିତରେ ଏବଂ କେତେପ୍ରକାର ବିମୋଚନ ଭିତରେ ମଧ୍ୟ ଆମେ ତାହାକୁ ହିଁ ଲୋଡ଼ୁଛୁ । ଆମର ଏହି ଲୋଡ଼ିବାଟି ହେଉଛି ଆମର ସ୍ଵଧର୍ମସିଦ୍ଧ ଲୋଡ଼ିବା । ଏହି ଲୋଡ଼ିବା, ଅର୍ଥାତ୍ ଆପଣାକୁ ପ୍ରକାଶିତ ଏବଂ ଅଭିବ୍ୟକ୍ତ କରିବାର ଏହି ମୂଳସ୍ଥ ଅଭିଳାଷଟିରୁ ହିଁ ମଣିଷର ଜ୍ଞାନ ବାହାରିଛି, ବିଜ୍ଞାନ ବାହାରିଛି, ତା’ର ସମାଜ ଓ ଯାବତୀୟ ସାହଚର୍ଯ୍ୟବୃତ୍ତି ବାହାରିଛି, ତା’ର ଧର୍ମ ବାହାରିଛି, ତା’ର ଆଧ୍ୟାତ୍ମିକ ସକଳ ବିଚରଣାର ଉନ୍ମେଷ ଓ ଉଦୟ ହୋଇଛି ଏବଂ ତା’ର ଏହି ଆକୁତିଟି ହିଁ ସାହିତ୍ୟକୁ ମଧ୍ୟ ଜନ୍ମ ଦେଇଛି । ସ୍ରଷ୍ଟା ମଣିଷର ନାନା ସୃଷ୍ଟି ମଧ୍ୟରୁ ତା’ର ସାହିତ୍ୟକୁ ମଧ୍ୟ ଆମେ ତା’ର ଏକ ଅନ୍ୟତମ ସୃଷ୍ଟି ବୋଲି ଜାଣିବା, ମନ୍ୟୁଷର ସୃଷ୍ଟି-ଅଭିଳାଷୀ ନାନା ଆକାଙ୍‌କ୍ଷା ମଧ୍ୟରୁ ଆମେ ସାହିତ୍ୟକୁ ମଧ୍ୟ ତା’ର ଏକ ଅନ୍ୟତମ ଆକାଙ୍‌କ୍ଷା ବୋଲି ଜାଣିବା । ଏହି ଅଭିବ୍ୟକ୍ତି-ପଥରେ ଆପଣାଙ୍କୁ ଅଗ୍ରସର କରାଇ ନେବା ସଙ୍ଗେ ସଙ୍ଗେ ମନୁଷ୍ୟ ଅଶ୍ରାନ୍ତ ଭାବରେ ତଥାପି ଆହୁରି ଅଧିକ ଅଭିବ୍ୟକ୍ତି କି ମନା କରି ଆସିଛି, ଆପଣାକୁ କ୍ରମପ୍ରସାରିତ କରିବାର ପର୍ଯ୍ୟାୟଗୁଡ଼ିକ ଦେଇ ଅଗ୍ରସର ହେଉ ହେଉ ସେ ତଥାପି ଆହୁରି ଅଧିକ ସଂପ୍ରସାରଣ କାମନା କରିଛି, ଆହୁରି ଅଧିକ ସମ୍ମିଳନର କାମନା କରିଛି । ସେ କେବେହେଲେ ଅଟକି ଯାଇନାହିଁ, କେଉଁଠି ହେଲେ ବି ଅଟକି ଯାଇନାହିଁ; ଉପଲବ୍‌ଧ ଅଳପଟି ମଧ୍ୟରୁ ସେ ସତତ ତଥାପି ଅନୁପଲବ୍‌ଧ ଭୂମାଟିର ଉଦ୍ଦେଶ୍ୟରେ ଆପଣାକୁ ଧାବିତ କରି ନେଇଛି, କ୍ରମୋନ୍ମୋଚିତ କରି ନେଇଛି । ଆପଣାକୁ ସେ ପରସ୍ତ ପରସ୍ତ କରି ଖୋଲି ଦେବାକୁ ଇଚ୍ଛା କରିଛି, ପରସ୍ତ ପରସ୍ତ କରି ଆପଣା ମଧ୍ୟକୁ ପ୍ରବେଶ କରିବାର ଅନୁରାଗ ରଖି ଆସିଛି; ପରସ୍ତ ପରସ୍ତ ହୋଇ ସବୁଟି ସହିତ ଓ ସବୁରି ସହିତ ସମ୍ମିଳିତ ହେବାଲାଗି ଧାଇଁ ଯାଇଛି । ତା’ର ମନ ବିତ୍ତରେ ବୁଝିନାହିଁ; ବିତ୍ତରେ ହୁଏତ କ୍ଷଣକ ସକାଶେ ଭୁଲିଯାଇଛି ସତ, ମାତ୍ର ତଥାପି ଭୁଲିନାହିଁ । ମଣିଷର ମନ କ୍ଷମତାରେ ବୁଝିନାହିଁ, ସମ୍ପତ୍ତିରେ ବୁଝିନାହିଁ, ସମ୍ମାନ ଓ ଆସନରେ ମଧ୍ୟ ବୁଝିନାହିଁ । ଆପଣାର ଏକ ଅବୁଝା ଆତ୍ମାକୁ ନେଇ ଆପଣା ଲାଗି ସେ ଆହୁରି ପ୍ରକାଶ ଲୋଡ଼ିଛି, ଆହୁରି ଉନ୍ମୋଚନ ଲୋଡ଼ିଛି, ଆହୁରି ଆଲୋକ ଲାଗି ପ୍ରାର୍ଥନା କରିଛି । ଭାରତୀୟ ମଧ୍ୟଯୁଗର ସେହି ଅନୁରାଗୀ ସନ୍ଥ-ହୃଦୟ ପରି ସେ ‘ଗୈବକୋ ରୂପ ଦେ, ମୌନକୋ ଭାଷ ଦେ, ବାଣୀ ଦେ ବାଣୀ ଦେ, ଦେ ଦେ ପ୍ରକାଶ ଦେ’ ବୋଲି ଚିତ୍କାର କରି ଉଠିଛି, ଜର୍ମାନ୍ ମହାକବି Goethe ଙ୍କ ପରି ‘Mehr Licht, Mehr Licht’ ବୋଲି ଆବେଦନ ଜଣାଇଛି । ସନ୍ଥ ରଜ୍ଜବଙ୍କ ଭାଷାରେ, ଯେଉଁ ମଣିଷ ତା’ର ଜୀବନରେ କିଛି ହେଲେ ସୃଷ୍ଟି କରିନାହିଁ, ଅର୍ଥାତ୍ ଆପଣାକୁ ପ୍ରକାଶିତ, ଉନ୍ମୋଚିତ ଓ ବିତରିତ କରିଦେବାର କୌଣସି ବାଟ ପାଇନାହିଁ, ଏହି ସଂସାରରେ ତା’ର ଏବେ ମଧ୍ୟ ଜନ୍ମ ହୋଇନାହିଁ ।

 

ଗତ ଶତାବ୍ଦୀର ଡେନିଶ୍ ଲେଖକ ଓ ଦାର୍ଶନିକ କିଅର୍କ ଗୋରୁ (Soeren Kirkegaard) ମନୁଷ୍ୟକୁ ଏକ ସମନ୍ଵୟ ବା ମିଳନ-ଭୂମି ବୋଲି କଳ୍ପନା କରିଛନ୍ତି । ବର୍ତ୍ତମାନ ଯୁଗର ଆମର ଏହି ବଡ଼ ପୃଥିବୀର ବୋଧ ଏବଂ ବୋଧିକୁ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ଆଲୋଡ଼ିତ କରି ଦେଇଥିବା ସାନା ଡେନ୍‌ମାର୍କର କିଅର୍କ ଗୋର୍ ମନୁଷ୍ୟକୁ ଶାନ୍ତ ଓ ଅନନ୍ତ ମଧ୍ୟରେ ଏକ ସମନ୍ଵୟ-ଭୂମି ଅର୍ଥାତ୍ ସମ୍ମିଳନକାରୀ ଗୋଟିଏ ସୋପାନ ବୋଲି ଘୋଷଣା କରିଛନ୍ତି-। ମଣିଷ ହେଉଛି କାଳସ୍ଥ ଏବଂ କାଳାତୀତ ମଧ୍ୟରେ ଏଇ ସମନ୍ୱୟ, ପରମ ମୁକ୍ତିକୁ ଏକାଠି ଗଅଁଠାଇ ରଖି ପାରିବାର ଅଧିକାର ରଖିଥିବା ଗୋଟିଏ ସୂତ୍ର । ଗୋଟାଏ ପ୍ରକାର ଆଖିରେ ଅନାଇ ଦେଲାବେଳକୁ ଆମର ଏହି ଜୀବନ ଆମକୁ ବଡ଼ କ୍ଷୁଦ୍ର ଓ ନଗଣ୍ୟ ବୋଲି ବୋଧ ହୋଇଥାଏ, ଅନନ୍ତ କାଳର ବୋଧ୍ୟସୀମାତୀତ ପ୍ରସାର ମଧ୍ୟରେ କାଳାଧୀନତାର କେବଳ ଏକ ଅନାବଶ୍ୟକ ଅଳୀକତା ପରି ବି ହୁଏତ ମନେ ହୋଇଥାଏ । ମାତ୍ର କେବଳ ସେତିକିକୁ ହିଁ ମାନିନେଲେ ଅଥବା କେବଳ ସେତିକି ଭିତରେ ଆପଣାକୁ ବାନ୍ଧି ରଖିଲେ କିଅର୍କ ଗୋର୍‍ଙ୍କ ମତରେ ତାହାକୁ ହିଁ କଦାପି ଜଣେ ପରିପୂର୍ଣ୍ଣ ମଣିଷପରି ଜୀବନ ବଞ୍ଚିବା ବୋଲି କୁହାଯାଇ ପାରିବନାହିଁ । ଯାହା କିଛି କାଳର ଅତୀତ ହୋଇରହିଛି, ତାହାକୁ ଏହି କାଳସ୍ଥତା ମଧ୍ୟକୁ ଅବତୀର୍ଣ୍ଣ କରାଇ ଆଣିବା, ଶାଶ୍ଵତକୁ ମଧ୍ୟ ଏହି ନଶ୍ଵର ବିନାଶଶୀଳ ଭୂମିରେ ବାସ୍ତବରୂପ ଦେବାର ପ୍ରୟାସକରି ଏହିଠାରେ ହିଁ ଅବିନାଶୀକୁ ଅନୁଭୂତ ଓ ଉପଲବ୍‌ଧ କରିବା, ଏହି ସାଧନାଟି ହେଉଛି ଯଥାର୍ଥ ମନୁଷ୍ୟର ସାଧନା, ଏହି ପ୍ରୟାସଟି ହେଉଛି ଯଥାର୍ଥ ମନୁଷ୍ୟର ପ୍ରୟାସ । ଏହାହିଁ ହେଉଛି ଯଥାର୍ଥ ମନୁଷ୍ୟର ଜୀବନ ବଞ୍ଚିବା-। ଏବଂ ଏହାକୁ ହିଁ ଆପଣାକୁ ଯଥାର୍ଥରୂପେ ଅଭିବ୍ୟକ୍ତ ଓ ପ୍ରକାଶିତ କରିଦେବା ବୋଲି ମଧ୍ୟ କୁହାଯାଇ ପାରିବ । ସମ୍ଭବତଃ ଏହିଭଳି ଏକ ଉଦ୍‌ବୋଧନ ଦେବାକୁ ଯାଇ ଶ୍ରୀ ଅରବିନ୍ଦ କଳା, କାବ୍ୟ ଓ ସାହିତ୍ୟକୁ ଅମୂର୍ତ୍ତ ଏବଂ ମୂର୍ତ୍ତ ମଧ୍ୟରେ ଗୋଟିଏ ଗୋଟିଏ ସ୍ଵଭାବସିଦ୍ଧ ସମନ୍ୱୟକାରୀ ଶକ୍ତି ବୋଲି କହିଛନ୍ତି, ପ୍ରାଣର ଏହି କ୍ଷେତ୍ରଟି ମଧ୍ୟରୁ ସକଳ ପ୍ରାଣର ପରମ ଅଧିଷ୍ଠାତାଙ୍କ ପର୍ଯ୍ୟନ୍ତ ବାଟ ପକାଇ ଦେଇଥିବା ଏକ ସେତୁ ବୋଲି ବର୍ଣ୍ଣନା କରିଛନ୍ତି । ଶ୍ରୀ ଅରବିନ୍ଦଙ୍କ ମତରେ ଯାବତୀୟ କଳା ଏବଂ କାବ୍ୟକୃତିର ସର୍ବଦା ଏକ ତାତ୍ପର୍ଯ୍ୟ ଓ ଏକ ଆଧ୍ୟାତ୍ମିକ କାର୍ଯ୍ୟ ଅବଶ୍ୟ ରହିଛି । କଳା ଓ ସାହିତ୍ୟ ମନୁଷ୍ୟକୁ ନିର୍ମଳ ଆନନ୍ଦର ଉପଲବ୍‌ଧି ମଧ୍ୟକୁ ବାଟ ଦେଖାଇ ନେଇଯିବ, ସେ ତାହାକୁ ସେଇଥିଲାଗି ପ୍ରେରିତ କରି ରଖିବ । କଳା ଏବଂ ସାହିତ୍ୟ ମନୁଷ୍ୟର ଜୀବନ ମଧ୍ୟରେ ସୌନ୍ଦର୍ଯ୍ୟର ଆହ୍ଵାନ ଆଣିଦେବ,–ସୌନ୍ଦର୍ଯ୍ୟ ଲାଗି ବ୍ୟାକୁଳତା ଆଣିଦେବ-। ଶ୍ରୀ ଅରବିନ୍ଦଙ୍କର ଏହି ବିଚାରଟିକୁ ସଂକ୍ଷେପରେ ଓ ସହଜ ଭାଷାରେ କହିଲେ, ମନୁଷ୍ୟକୁ ଶୁଦ୍ଧ ଆନନ୍ଦ ଦେବା ଓ ମନୁଷ୍ୟର ଜୀବନକୁ ସୁନ୍ଦର କରିପାରିବା ହିଁ ମନୁଷ୍ୟ ଅନୁଶୀଳନ କରୁଥିବା ଯାବତୀୟ କଳା, କାବ୍ୟ ତଥା ସାହିତ୍ୟର ସର୍ବମହତ୍ ତାତ୍ପର୍ଯ୍ୟ ଓ କାର୍ଯ୍ୟ ହୋଇ ରହିବ ।

 

ସାହିତ୍ୟ ହେଉଛି ଏକ ସେତୁ, ଅନ୍ତରଙ୍ଗ ସଂଯୋଗ ସ୍ଥାପନାର ଗୋଟିଏ ସାଧନ, କବିଗୁରୁ ରବୀନ୍ଦ୍ରନାଥଙ୍କର ସାହିତ୍ୟ-ବ୍ୟାଖ୍ୟାରୁ ମଧ୍ୟ ଆମେ ଏହିଭଳି ଏକ ଅନୁରୂପ ସତ୍ୟର ପ୍ରେରଣା ବେଶ୍ ପାଇପାରିବା । ରବୀନ୍ଦ୍ରନାଥଙ୍କ ଭାଷାରେ, ମନୁଷ୍ୟ ସହିତ ମନୁଷ୍ୟର, ଅତୀତ ସହିତ ବର୍ତ୍ତମାନର ତଥା ଦୂର ସହିତ ନିକଟର ଅତ୍ୟନ୍ତ ଅନ୍ତରଙ୍ଗ ଯୋଗସାଧନା ସାହିତ୍ୟ ବ୍ୟତୀତ ଆଉ ଅନ୍ୟ କୌଣସି ମାଧ୍ୟମଦ୍ଵାରା କଦାପି ସମ୍ଭବ ହେବନାହିଁ । ‘ସହିତ’ ଶବ୍ଦଟି ସହିତ ସାହିତ୍ୟର ଯେ ଏକ ବ୍ୟୁତ୍ପତ୍ତିଗତ ସମ୍ବନ୍ଧ ରହିଛି; ଏହି ବ୍ୟାଖ୍ୟାଟିରୁ ଆମକୁ ସେହି ସତ୍ୟଟିର ଉଦ୍‌ବୋଧନ ବେଶ୍ ମିଳିଯାଉଛି । ସାହିତ୍ୟର ମାଧ୍ୟମରେ ମନୁଷ୍ୟ ମନୁଷ୍ୟ ସହିତ ଆପଣାକୁ ସଂଯୁକ୍ତକରେ; ସାହିତ୍ୟଦ୍ଵାରା ହୃଦୟ ହୃଦୟର ନିକଟବର୍ତ୍ତୀ ହୁଏ, ଭାବ ଭାବର ଉଦ୍ରେକ କରେ, ଭାବ ସହିତ କଥା କହେ । ଜଣେ ସାହିତ୍ୟିକର ଚେତନା ଭିତରେ ଲକ୍ଷ ମଣିଷର ଅନ୍ତରକଥା ଏକ ନିବିଡ଼ ସଂବେଦନଶୀଳତାରେ ଉଦ୍‌ଭାସିତ ହୋଇଉଠେ । ସାହିତ୍ୟଦ୍ଵାରା ସମ୍ଭବ ହେଉଥିବା ମନୁଷ୍ୟ ସହିତ ମନୁଷ୍ୟର ଯୋଗ କୌଣସି ବାଡ଼ ମାନେନାହିଁ, ବିଭେଦକାରୀ କୌଣସି ଗାର ମାନେନାହିଁ, ଗୋଟିଏ ମନୁଷ୍ୟ ଭିତରେ ସତେ ଅବା ବିଶ୍ଵ-ମଣିଷ କଥା କହିଉଠେ, ଜଣକର ବେଦନା ଭିତରେ ସମସ୍ତ ବିଶ୍ଵର ବେଦନା ଅନୁକଂପିତ ହୋଇଉଠେ । ମନୁଷ୍ୟର ସୁଖ, ଦୁଃଖ, ଦହନ, ଦୈନ୍ୟ, କ୍ରୋଧ ତଥା କାମନାକୁ ସାହିତ୍ୟ ବିଶ୍ଵଜନୀନ କରିଦିଏ; ମନୁଷ୍ୟର ଆଶା, ଆକାଙ୍‌କ୍ଷା, ସ୍ଵପ୍ନ ତଥା ଶ୍ରଦ୍ଧାକୁ ଏକ ବିଶ୍ଵ ଆକୃତିରୂପେ ଉତ୍ତୋଳିତ କରିନିଏ । ଆତ୍ମା-ଆତ୍ମାକୁ ଚିହ୍ନିନିଏ, ସବୁ ମଣିଷ ଭିତରେ ଅପେକ୍ଷା କରି ବସିଥିବା ସହୋଦର ଏବଂ ସହଚାରୀ ହିଁ ଉଦ୍‌ଘାଟିତ ହୋଇଆସେ । ସମ୍ଭବତଃ ଏଇଥି ସକାଶେ ହିଁ ଯାବତୀୟ ଯଥାର୍ଥ ସାହିତ୍ୟକୁ ଆମେ ବିଶ୍ଵ ସାହିତ୍ୟ ବୋଲି ମଧ୍ୟ ଅବଶ୍ୟ କହିପାରିବା । ପୃଥିବୀର ଯେଉଁ କୋଣରେ ଯେଉଁ ଭାଷାରେ ସେହି ସାହିତ୍ୟ ଆପଣାକୁ ପ୍ରକଟ କରିଥାଉ ପଛକେ, ଆମେ ତା’ର ଆବେଦନଟିକୁ ସର୍ବଦା ଏକ ବିଶ୍ଵମୟ ଆବେଦନ ବୋଲି ଦାବି କରିପାରିବା । ଠିକ୍ ଏହିପରି ଭାବରେ ସାହିତ୍ୟ ଅତୀତ ସହିତ ବର୍ତ୍ତମାନକୁ ମଧ୍ୟ ଯୁକ୍ତକରି ଆଣେ । ବର୍ତ୍ତମାନର ଭୂମି ଉପରେ ଠିଆ ହୋଇ କବି ବା ସାହିତ୍ୟିକ ଅତୀତକୁ ଭବିଷ୍ୟତ ମଧ୍ୟକୁ ପ୍ରଲମ୍ବିତ କରି ଆଣିଥାଏ । ଅତୀତ ନୂତନ ବ୍ୟଞ୍ଜନାରେ ବର୍ତ୍ତମାନ ରୂପେ ଉକୁଟି ଉଠେ, ଅତୀତର କେତେକେତେ ସମ୍ପଦକୁ ତାହା ବର୍ତ୍ତମାନ ତଥା ଭବିଷ୍ୟ ସକାଶେ ଗୋଟିଏ ଗୋଟିଏ ପ୍ରେରଣା ରୂପେ ଆମ ସମ୍ମୁଖରେ ଆଣି ଉପସ୍ଥାପିତ କରିଦିଏ । ସାହିତ୍ୟ ଦୂରକୁ ଆଣି ନିକଟ ସହିତ ମିଳାଇଦିଏ । ଇତିହାସକୁ ସମସାମୟିକ କରେ, ଅନାଗତକୁ ବର୍ତ୍ତମାନର ଭୂମି ଉପରେ ଏକ ଉତ୍‌ପ୍ରେରକ ରୂପେ ଆଣି ଥୋଇଦିଏ । ଅର୍ଥାତ୍, ସମଗ୍ର ଭାବରେ କହିଲେ, ସକଳ ପ୍ରକାର ବ୍ୟବଧାନକୁ ବିଲୁପ୍ତ କରିଦେବାକୁ ହିଁ ସାହିତ୍ୟ କାମନା ରଖିଥାଏ । ମନୁଷ୍ୟ ମନୁଷ୍ୟ ମଧ୍ୟରେ ଧର୍ମତଃ କୌଣସି ବ୍ୟବଧାନ ରହିଛି ବୋଲି ମାନେନାହିଁ, ଅତୀତ ଓ ବର୍ତ୍ତମାନ ମଧ୍ୟରେ କୌଣସି ବ୍ୟବଧାନ ରହିଛି ବୋଲି ମାନେନାହିଁ, ଦୂର ଓ ନିକଟ ଭିତରେ ମଧ୍ୟ କୌଣସି ବ୍ୟବଧାନ ରହିଛି ବୋଲି ମାନେନାହିଁ । ଆମର ଅତ୍ୟନ୍ତ ଭଙ୍ଗୁର ସଂସ୍କାର ତଥା ସଂଶୟଗୁଡ଼ାକ ଏହିସବୁ କ୍ଷେତ୍ରରେ ଦୂରତାର ଯେଉଁ ପ୍ରତାରଣାଗୁଡ଼ାକୁ ଆରୋପିତ କରି ରଖିଥାଏ, ସାହିତ୍ୟ ସେହିଗୁଡ଼ାକୁ ହିଁ ଅସ୍ଵୀକାର କରେ । ବିଭେଦକ ଘୃଣାର ସ୍ଥାନରେ ସାହିତ୍ୟ ସଂଯୋଗକାରୀ ଶ୍ରଦ୍ଧାର ଅବତାରଣା କରାଏ । ହୃଦୟର ବିଚରଣ ଭୂମିରୁ ତାହା କ୍ଷଣିକତାର ଯାବତୀୟ କୁସଂସ୍କାରକୁ ଦୂର କରିଦେବାର ଆକାଙ୍‌କ୍ଷା ରଖିଥାଏ । ଆମର ଦୁଷ୍ଟ ବୁଦ୍ଧି ଯେଉଁଗୁଡ଼ାକୁ ଭାଗ ଭାଗ କରି ପକାଇବାର ଫିସାଦ କରୁଥାଏ, ସାହିତ୍ୟର ଦୃଷ୍ଟି ତାହାକୁ ପୁଣି ଗୋଟିଏ ରଜ୍ଜୁରେ ଆଣି ଛନ୍ଦି ଦେଇଯାଏ । ପରସ୍ପରଠାରୁ ବିମୁଖ ଏବଂ ବିଲଗ ହୋଇ ରହିଥିବା ଭିନ୍ନ ଭିନ୍ନ କେତେ ସ୍ଵାର୍ଥକୁ ତାହା ଏକ ସର୍ବସମାବେଶକାରୀ ପରମସ୍ଵାର୍ଥ ବା ପରମାର୍ଥ ଭିତରେ ମିଳେଇ ଦେଇଯାଏ ।

 

ବୁଦ୍ଧଦେବଙ୍କର ଜୀବନୋପଦେଶରେ ବ୍ରହ୍ମବିହାର ବୋଲି ଗୋଟିଏ କଥା ରହଛି । ଆପଣାର ଗୋଟିଏ ମାତ୍ର ପୁତ୍ର ପ୍ରତି ମାଆର ଯେଉଁ ପ୍ରେମ ରହିଥାଏ, ସେହି ଅପରିମେୟ ପ୍ରେମଟିଦ୍ଵାରା ସମଗ୍ର ବିଶ୍ଵକୁ ଆପଣାର କରି ଦେଖିବାକୁ ହିଁ ବୁଦ୍ଧଦେବ ବ୍ରହ୍ମବିହାର ବୋଲି କହିଛନ୍ତି-। ସାହିତ୍ୟରେ ଯଥାର୍ଥ ବିହାର ବା ବିଚରଣକୁ ମଧ୍ୟ ଆମେ ସେହିଭଳି ଏକ ବ୍ରହ୍ମବିହାର ବୋଲି କହିପାରିବା । ପ୍ରାୟ ଏକ ଅନୁରୂପ ଅର୍ଥରେ ହିଁ ‘ସାହିତ୍ୟ-ଦର୍ପଣ’ ଗ୍ରନ୍ଥର ରଚୟିତା କାବ୍ୟଜନିତ ଆନନ୍ଦ ଅର୍ଥାତ୍ କାବ୍ୟାନନ୍ଦକୁ ବ୍ରାହ୍ମାସ୍ଵାଦସହୋଦର ବୋଲି ବର୍ଣ୍ଣନା କରିଛନ୍ତି । ଯେଉଁ ପ୍ରେମ ସେତୁ ପକାଇ ଜାଣେ, ତାହା ଯଥାର୍ଥରେ ସର୍ବତ୍ର ବିଚରଣ କରିପାରେ । ଯେଉଁ ଦୃଷ୍ଟି ସେତୁ ପକାଇ ଜାଣେ, ତାହା ଯଥାର୍ଥରେ ସର୍ବତ୍ର ପ୍ରବେଶ କରିପାରେ । ଯେଉଁ ସମ୍ବେଦନା ସେତୁ ପକାଇ ଜାଣେ ତାହା ଜଗତ ସଂସାରର ଯାବତୀୟ ବେଦନା ସହିତ ମଧ୍ୟ ସାହିତ୍ୟ ଆପଣାକୁ ଏକଯୁକ୍ତ କରି ରଖିପାରେ, ସମଗ୍ର ଜଗତର ଅନାଗତ ଅଥଚ ଆକାଙ୍‌କ୍ଷିତ ଭବିଷ୍ୟଟିର ସ୍ଵପ୍ନ ମଧ୍ୟରେ ତାହା ଆପଣାର ସ୍ଵପ୍ନକୁ ଏକଠୁଳ କରି ରଖିପାରେ । ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇ ସାହିତ୍ୟସାଧନା ଏକ ମନ୍ତ୍ରର ସାଧନାରେ ପରିଣତ ହୋଇଯାଏ, ସାହିତ୍ୟର ଅନୁଶୀଳନ ଆମ ସମଗ୍ର ଜୀବନର ଏକ ସାଧନାନୁଶୀଳନକୁ ରୁପାନ୍ତରିତ ହୋଇଯାଏ । ସେତେବେଳେ ସାହିତ୍ୟର ମାଧ୍ୟମରେ ଆପଣାର ଜୀବନଟିକୁ ଏକ ମହାଜୀବନ ମଧ୍ୟକୁ ଉତ୍ତୋଳିତ କରିନେବାର ଉଦ୍‌ବୋଧନ ହିଁ ଆମ ସାହିତ୍ୟର ଉଦ୍‌ବୋଧନ ରୂପେ ଆବିର୍ଭୂତ ହେବାକୁ ଆରମ୍ଭ କରେ । ଅର୍ଥାତ୍; ଆହୁରି ଅଧିକ ଯଥାର୍ଥ ଭାବରେ କହିଲେ, ଆମ ଜୀବନର ଆରୋହକ୍ରମଟିରେ ଚେତନାର ସିଡ଼ିଟି ଧରି ଆମେ ଯେତିକି ଯେତିକି ଉପରକୁ ଉଠିବାକୁ ସମର୍ଥ ହେଉ, ଆମେ ଆପଣାକୁ ଯେତିକି ଅଧିକ ପରିମାଣରେ ସମ୍ପ୍ରସାରିତ ଓ ପରିବ୍ୟାପ୍ତ କରି ଦେଇପାରୁ, ଆମର ସେହି ଉତ୍ତୋଳନ ହିଁ ଆମ ସାହିତ୍ୟର ମଧ୍ୟଦେଇ ସେତିକି ଅଧିକ ଯଥାର୍ଥ ଭାବରେ କୁସୁମିତ ହୋଇଉଠେ । ଅର୍ଥାତ୍ ସାହିତ୍ୟର ପଥରେ ଅଧିକ ଉପରକୁ ଉଠିପାରିବାକୁ ହେଲେ, ମହତ୍ତର ସାହିତ୍ୟ-ସୃଜନର ଭାଜନ ହେବାକୁ ହେଲେ, ଆମକୁ ସ୍ଵ-ଚେତନାରେ ମଧ୍ୟ ଏକ ପରିବର୍ତ୍ତନ ଏବଂ ରୂପାନ୍ତର ଘଟାଇବାର ସାମର୍ଥ୍ୟ ଅର୍ଜନ କରିବାକୁ ପଡ଼େ । ଆପଣାର ଚେତନା-ଭୂମିଟିକୁ ରୂପାନ୍ତରିତ କରିଦେବାକୁ ହୁଏ । ସେତିକିବେଳେ ଯାଇ ଆମର ସାହିତ୍ୟ ଓ ଆମ ଜୀବନ ମଧ୍ୟରେ ସେହି ଗୋଟିଏ ପ୍ରେରଣା ହିଁ କାର୍ଯ୍ୟ କରିବା ସମ୍ଭବ ହୋଇଯାଏ, ଆମର ସାହିତ୍ୟ ଓ ଆମଜୀବନ ମଧ୍ୟରେ ସେତେବେଳେ ଆଉ କୌଣସି ଦ୍ଵନ୍ଦ୍ଵ ରହେନାହିଁ । ଆମ ସାହିତ୍ୟ ଆମ ଜୀବନର ଦର୍ପଣ ହୋଇ ରହେ ଏବଂ ଆମର ଜୀବନ ମଧ୍ୟ ଆମ ସାହିତ୍ୟର ଏକ ଦର୍ପଣପରି କାର୍ଯ୍ୟ କରୁଥାଏ । ସେତେବେଳେ ଆମର ସାହିତ୍ୟ ଆମ ବାହ୍ୟଜୀବନର ଏକ ଅଳଙ୍କାରମାତ୍ର ହୋଇ ରହେନାହିଁ, ତାହା ଆମ ଜୀବନଗତ ଅନ୍ତରାରୋହଣର ଅନ୍ତରଙ୍ଗ କଥାଗୁଡ଼ିକୁ ହିଁ ପ୍ରକାଶ କରିବାର ଏକ ଆଲୋକିତ ମାଧ୍ୟମରେ ପରିଣତ ହୋଇଯାଏ, ଆମକୁ ସର୍ବଜୀବନର ଅନ୍ତରଙ୍ଗତା ମଧ୍ୟକୁ ବହନକରି ନେଇଯିବା ଲାଗି ତାହା ଉତ୍‌ପ୍ରେରକ ପରି କାର୍ଯ୍ୟକରେ ।

 

ସାହିତ୍ୟ ତଥା ଜୀବନର କ୍ରମୋତ୍ତରଣରେ ଆମେ ଏହିସବୁକୁ ସତ୍ୟ ବୋଲି ଗ୍ରହଣ କରିବାପାଇଁ ଅବଶ୍ୟ ଯୋଗ୍ୟ ହେବା ସତ, ମାତ୍ର ଏକଥା ମଧ୍ୟ ସତ ଯେ ଆମ ଅନେକଙ୍କର ଜୀବନରେ ଆମେ ଅନେକ ସମୟରେ ସେହି ସତ୍ୟଟିର ଅନେକ ଦୂରବର୍ତ୍ତୀ ହୋଇ ରହିଯାଉ । ଅର୍ଥାତ୍ ଆମ ଅନେକଙ୍କ ଜୀବନରେ ଆମେ ସାହିତ୍ୟକୁ ଆତ୍ମ-ଉତ୍ତୋଳନର ଏକମାର୍ଗ ବା ମାଧ୍ୟମ ରୂପେ ଗ୍ରହଣ କରିବାଲାଗି ଆଦୌ ପ୍ରସ୍ତୁତ ହୋଇପାରି ନଥାଉ ଏବଂ ଆମ ଜୀବନଟାକୁ ମଧ୍ୟ ଆମେ ଏକ ଉତ୍ତୋଳନମାର୍ଗ ରୂପେ ଆଦୌ ଗ୍ରହଣ କରିନଥାଉ । ଆମ ଭିତରେ ଏପରି ଅନେକ ସାହିତ୍ୟିକ ସର୍ବଦା ରହିଥାନ୍ତି, ଯେଉଁମାନଙ୍କର ଜୀବନ ଆଉ ସାହିତ୍ୟ ମଧ୍ୟରେ କେଉଁଠି ହେଲେ କୌଣସି ସମଞ୍ଜସତା ନଥାଏ, ଯେଉଁମାନଙ୍କର ସାହିତ୍ୟ ସେମାନଙ୍କର ଜୀବନ ବିଷୟରେ ଆମକୁ ଆଦୌ କୌଣସି ସତ୍ୟପରିଚୟ ଦେଇପାରେ ନାହିଁ । ସେମାନଙ୍କର ସାହିତ୍ୟ ଆମ ଲାଗି ସେମାନଙ୍କର ଜୀବନ ଭିତରକୁ ଆଦୌ କୌଣସି ଦ୍ଵାର ଖୋଲିଦେଇ ପାରେନାହିଁ, ତେଣୁ ଆମ ନିଜ ଭିତରକୁ ମଧ୍ୟ ତାହା ସେପରି କୌଣସି ଦ୍ଵାର, ଖୋଲିଦେବାର ସେତେ ବେଶୀ ଶକ୍ତି ଅଥବା ସମ୍ଭାବନା ରଖି ନଥାଏ । ସେମାନଙ୍କର ସାହିତ୍ୟ ସେମାନଙ୍କର ଜୀବନ ଲାଗି ଆଦୌ କୌଣସି ପ୍ରକାରର ଉତ୍ତୋଳକର କାର୍ଯ୍ୟ କରିପାରେ ନାହିଁ; ତାହା ବରଂ ଅନେକ ପରିମାଣରେ ଏକ ଆଚ୍ଛାଦନର ହିଁ କାର୍ଯ୍ୟକରେ, ଏକ ଆବରଣପରି ହୋଇ ରହିଥାଏ, ସାହିତ୍ୟର ବହିଃସଜ୍ଜାଟାଦ୍ଵାରା ତାହା ଅସଲ ଜୀବନଟିର ଅନେକ କିଛିକୁ ଘୋଡ଼ାଇ ରଖିବାର ଫିକର କରୁଥାଏ । ଆମ ଭିତରେ ଏପରି ଅନେକ ବ୍ୟକ୍ତି ସବୁବେଳେ ରହିଥାନ୍ତି, ଯେଉଁମାନଙ୍କର ଜୀବନରେ କି ଆଗକୁ ଯିବାର ଅର୍ଥାତ୍ ସୋପାନ ଉଠିବାର ଆଦୌ କୌଣସି ପ୍ରେରଣା ନଥାଏ । ଆପଣାକୁ ପରସ୍ତ ପରସ୍ତ କରି ଉନ୍ମୋଚିତ ହୋଇ ଯାଉଥିବା ଫୁଲଟିପରି ଅଥବା ପାହାଚ ପାହାଚ ହୋଇ ଉଠି ଯାଉଥିବା ଜଣେ ଯାତ୍ରୀପରି କଳ୍ପନା କରିବାକୁ ମଧ୍ୟ ସେମାନେ ସତତ ଭୟ କରିବାରେ ହିଁ ଲାଗିଥାନ୍ତି । ସେମାନେ ବି ଅନେକ ସମୟରେ ସାହିତ୍ୟ ଲେଖନ୍ତି ଓ ସାହିତ୍ୟ ପଢ଼ନ୍ତି; ମାତ୍ର ସାହିତ୍ୟର ଅସଲ ପ୍ରାଣନାଳୀଟିଦ୍ଵାରା ସେମାନେ କେବେହେଲେ ଲାଭବାନ୍ ହୋଇପାରନ୍ତି ନାହିଁ, ସାହିତ୍ୟର ଅସଲ ଆତ୍ମାଟିଦ୍ଵାରା ଆଦୌ ଆତ୍ମବନ୍ତ ହୋଇପାରନ୍ତି ନାହିଁ । ସେମାନେ ଜୀବନଧାରଣ କରିଥାନ୍ତି ସତ, ମାତ୍ର ଜୀବନକୁ ବଞ୍ଚି ପାରନ୍ତିନାହିଁ; ସେମାନେ ନାନା ପ୍ରକାରେ ଆପଣାକୁ ଜୀବନ ସହିତ ସଂଲଗ୍ନକରି ରଖିଥାନ୍ତି, ସତ ମାତ୍ର ଜୀବନର ଯଥାର୍ଥ ଆସ୍ଵାଦନା କରିପାରନ୍ତି ନାହିଁ । ସେମାନେ ପଥ ଚାଲି ପାରନ୍ତିନାହିଁ;–ଜୀବନଟାକୁ ଗୋଟାଏ ଜଞ୍ଜାଳରେ ପରିଣତ କରି ରଖିଥାନ୍ତି, ସାହିତ୍ୟଟାକୁ ମଧ୍ୟ ସେହିପରି ଗୋଟାଏ ଜଞ୍ଜାଳ ବା ପ୍ରୟୋଜନୀୟ ଅଗତ୍ୟାଶ୍ରମ ପରି ଭାବୁଥାନ୍ତି । ସେମାନେ କୌଣସି ସୃଷ୍ଟି କରିପାରନ୍ତି ନାହିଁ, ଶଗଡ଼େ ବହି ଲେଖିଲେ ମଧ୍ୟ ତଥାପି ସେଇ ବନ୍ଧ୍ୟା ହୋଇ ପଡ଼ିଥାନ୍ତି । କୌଣସି ପ୍ରକାର ଅନ୍ତଃପ୍ରେରିତ ଓ ସୃଜନଶୀଳ ଆଖି ନେଇ ସେମାନେ ଏହି ସୃଷ୍ଟି ବା କୌଣସି ସୃଷ୍ଟିକୁ ଦେଖିବାଲାଗି ଆଦୌ ସମର୍ଥ ହୁଅନ୍ତି ନାହିଁ । ସେମାନେ ଡୋର ଲଗାଇ ପାରନ୍ତିନାହିଁ, ଅଯୁକ୍ତ ହୋଇ ରହିଯାନ୍ତି; ସାହିତ୍ୟର ଯାବତୀୟ ଭାର ସମ୍ଭାରକୁ ବହନକରି ରହିଥିଲେ ମଧ୍ୟ ତଥାପି ବଡ଼ ଅସାହିତ୍ୟିକ ଓ ଅବର୍ଜିଆ ହୋଇ ରହନ୍ତି । ଏଠି ଅଶେଷ ଆୟୋଜନ ଭିତରେ ଜୀବନଧରି ରହିଥିଲେ ମଧ୍ୟ ତଥାପି ଜୀବନକୁ ବଞ୍ଚି ପାରନ୍ତିନାହିଁ, କେବଳ ଛଟପଟ ହୋଇ ରହିଥାନ୍ତି ।

 

ଗୋଟିଏ ପ୍ରସଙ୍ଗରେ କିଅର୍କଗୋର୍ ଠିକ୍ ଏହିଭଳି ଏକ ବିଡ଼ମ୍ବନାର ଚର୍ଚ୍ଚା କରିଛନ୍ତି । ଆପଣାର ସ୍ଵଭାବ-ସୁଲଭ ବ୍ୟଙ୍ଗାତ୍ମକତା ଅଥଚ ବିଶ୍ଳେଷଣାତ୍ମକତା ଦେଇ ସେ ତାଙ୍କର ଡାଏରିରେ ଲେଖିଛନ୍ତି : ଜଣେ କବି ହେବା ପ୍ରକୃତରେ କ’ଣ ବୁଝାଏ, କବି ହେବାକୁ ହେଲେ ପ୍ରକୃତରେ କ’ଣ କରିବାକୁ ହୁଏ ? “କବି ହେବାକୁ ହେଲେ ଆପଣାର ବ୍ୟକ୍ତିଗତ ଜୀବନଟାକୁ ଅର୍ଥାତ୍ ଆପଣାର ପ୍ରକୃତ ଓ ବାସ୍ତବ ଜୀବନଟାକୁ ଆପଣାର କାବ୍ୟସୃଷ୍ଟିଗତ ଜୀବନଠାରୁ ଏକାବେଳେକେ ଅଲଗାକରି ଗୋଟାଏ ଅନ୍ୟ ପାଖରେ ବା ଅନ୍ୟ ଥାକରେ ନେଇ ରଖିଦେବାକୁ ହୁଏ । ତାହାର ଅର୍ଥ ହେଉଛି ଯେ କେବଳ କଳ୍ପନା ଦେଇ ତିଆରି ହୋଇଥିବା ସ୍ଵପ୍ନରାଜ୍ୟଟି ଭିତରେ ହିଁ ଯାବତୀୟ ଆଦର୍ଶ ସହିତ ଆପଣାର ଯାହାକିଛି ସମ୍ବନ୍ଧ ରଖିବାକୁ ହୁଏ, ଯାହା ଫଳରେ କି ଆପଣ ବ୍ୟକ୍ତିଗତ ଜୀବନର ସଂସାରଟି ଆପଣାର ସାହିତ୍ୟ-ରସାଣିତ ଜୀବନ ଓ ସଂସାରଟିର ଅଳ୍ପ ବା ବହୁତ ପରିମାଣରେ ପ୍ରାୟ ଗୋଟାଏ ବ୍ୟଙ୍ଗ ବା ବିଦ୍ରୂପ ପରି ହୋଇ ରହିଥାଏ । ଏପରି ଜଣେ ସାହିତ୍ୟିକ ସାହିତ୍ୟ କଲାବେଳେ କେତେନା କେତେ ଆଦର୍ଶକୁ ସତେ ଅବା ଆପଣା ଦେହରେ ଗୁଡ଼ାଇ ହୋଇ ବସିଥାଏ, ଆଦର୍ଶଗୁଡ଼ାକୁ କେଡ଼େ ସୁଶୋଭନ କରି ଟଙ୍ଗାଇ ମୁଣ୍ଡାଇ ରଖିଥାଏ, ମାତ୍ର ଆପଣାର ବ୍ୟକ୍ତିଗତ ଜୀବନରେ ସେଗୁଡ଼ାକୁ ଗୋଟାସୁଦ୍ଧା ଅସ୍ଵୀକାର କରୁଥାଏ, ସେଗୁଡ଼ାକର ପାଖ ସୁଦ୍ଧା ମାଡ଼ୁନଥାଏ ।’’ ଏହି କାଟର କବି ବା ସାହିତ୍ୟକାରମାନଙ୍କୁ କିଅର୍କଗୋର ‘ବିଶ୍ଵାସଘାତକ’ ବୋଲି କହିଛନ୍ତି, ଅବିଶ୍ଵାସୀ ବୋଲି କହିଛନ୍ତି, ଠିକ୍ ସେମିତି ପୁରାତନ ଏଥେନ୍‍ସ ନଗରୀରେ ସକ୍ରେଟିସ୍ ମଧ୍ୟ କବିମାନଙ୍କୁ ବିଶ୍ଵାସଘାତକ ଓ ଅବିଶ୍ଵାସୀ ବୋଲି କହିଥିଲେ । ଏଭଳି କବିମାନଙ୍କର ଧନ୍ଦାକୁ କିଅର୍କଗୋର୍ ପାଦ୍ରୀମାନଙ୍କର ଧନ୍ଦା ସହିତ ତୁଳନା କରିଛନ୍ତି, ଦର୍ଶନ ଅଧ୍ୟାପକମାନଙ୍କର ଧନ୍ଦା ସହିତ ବି ତୁଳନା କରିଛନ୍ତି । ଧର୍ମର କଥାଗୁଡ଼ାକୁ ପାଦ୍ରୀ ଆଗରୁ ମୁଖସ୍ଥ କରି ରଖିଥାଏ; ସେ ଆଗରୁ ଯେଉଁସବୁ କଥାକୁ ପଇଟାଇ ରଖିଥାଏ, ଗୀର୍ଜାର ଆସ୍ଥାନ ଉପରୁ ଧର୍ମମଣ୍ଡଳୀକୁ ଉପଦେଶ ଦେଲାବେଳେ ସେ ସେହିଗୁଡ଼ାକୁ ହିଁ ପରିପୂର୍ଣ୍ଣ ନିପୁଣତା ସହିତ ଗାଇ ଦେଇ ଚାଲିଯାଏ । ସିଏ ଯେଉଁସବୁ କଥା କହୁଛି ବା ଯାହାର କଥା କହୁଛି, ତାହାର ବା ସେସବୁର ଆଦୌ କୌଣସି ପ୍ରେରଣା ତା’ର ଆପଣା ଭିତରକୁ ଭେଦି ପାରିଛି କି ନାହିଁ, ସେ ତୁଣ୍ଡରେ ଗାଇ ଯାଉଥିବା ଆଦର୍ଶଗୁଡ଼ାକ ତା’ ଆପଣା ଜୀବନର ଆଚରଣରେ କେତେଦୂର ପ୍ରତିଫଳିତ ହୋଇପାରିଛି କି ନାହିଁ, ଏହି କ୍ଷେତ୍ରରେ ସେହି କଥାଟିର ଆଦୌ କୌଣସି ଅପେକ୍ଷା ନଥାଏ । ପାଦ୍ରୀର ଆପଣା ଜୀବନଟା ତା’ର ଦୈନନ୍ଦିନ ଧର୍ମଧନ୍ଦାଟାଠାରୁ ଯୋଜନ ଯୋଜନ ଦୂରରେ ପଡ଼ି ରହିଥାଏ । ଦର୍ଶନ ଶାସ୍ତ୍ରର ଅଧ୍ୟାପନା କରୁଥିବା ଅଧ୍ୟାପକ ବେଳକୁ ମଧ୍ୟ ପ୍ରାୟ ଠିକ୍ ସେହିଭଳି । କେତେକେତେ ଶାସ୍ତ୍ର ପଢ଼ି ଅଧ୍ୟାପକ ପଣ୍ଡିତ ବନିଥାଏ, ପ୍ରବୀଣ ବନିଥାଏ; ଶାସ୍ତ୍ରର କଥାଗୁଡ଼ାକୁ ସେ ଆପଣାର ଅଧ୍ୟାପନା ସମୟରେ ଅନର୍ଗଳ ଗାଳି ଦେଇଯାଏ । ସେହି କଥାଗୁଡ଼ିକ ତା’ର ଆପଣା ଜୀବନରେ ପ୍ରକୃତରେ କୌଣସି ପରିବର୍ତ୍ତନ ବା ଅନ୍ତତଃ କୌଣସି ଉଦ୍‌ବେଳନ ସୃଷ୍ଟି କରିଛନ୍ତି କି ନାହିଁ, ଏହି କ୍ଷେତ୍ରରେ ସେ କଥାଟିର ଆଦୌ କୌଣସି ଅପେକ୍ଷା ନଥାଏ । ଅର୍ଥାତ୍ ଅଧ୍ୟାପକ ଭିତରେ ରହିଥିବା ପ୍ରକୃତ ମଣିଷଟି ସହିତ ଅଧ୍ୟାପକର ମୁହଁରେ କେଡ଼େ ଉତ୍‌ଫୁଲ୍ଲ ଚିତ୍ତରେ ପଣ୍ଡିତାଇ କରି ଯାଉଥିବା ମଣିଷଟିର ହୁଏତ ଆଦୌ ଏତେ ଟିକିଏ ହେଲେ ବି ସମ୍ବନ୍ଧ ନଥାଇପାରେ । ପୋଷାକୀଟା ସହିତ ଆଠପହରୀର ହୁଏତ ଆଦୌ ଏତେ ଟିକିଏ ହେଲେ ମୁହଁ ଦେଖାଦେଖି ନଥାଇପାରେ । ଠିକ୍ ସେହିପରି ଜଣେ କବି ବା ସାହିତ୍ୟିକ ମଧ୍ୟ ଆପଣା ଜୀବନ-ବ୍ୟାପାରରେ ଏହିପରି ଦୁଇଫାଳ ହୋଇ ବେଶ୍ ରହିଯାଇ ପାରେ, ବିଭାଜିତ ଓ ବିଶ୍ଵାସହୀନ ହୋଇ ରହି ଯାଇପାରେ । କିଅର୍କଗୋର୍ ପୁଣି କହିଛନ୍ତି: “ଆପଣାର ବ୍ୟକ୍ତିଗତ ଜୀବନରେ ମଧ୍ୟ ଯିଏ ଆପଣାର ଆଦର୍ଶଟି ସହିତ ଖିଅ ଲଗାଇ ରଖିଥାଏ, କେବଳ ତାହାରି ଜୀବନ ହିଁ ସତ୍ୟମୟ ହୋଇ ରହିଥାଏ, ସେହି ଜୀବନ ସତ୍ୟସାକ୍ଷୀମୟ ଏକ ଜୀବନ ହୋଇ ପାରିବାର ଯୋଗ୍ୟତା ରଖିଥାଏ । ଏପରି ଜୀବନର ଦୃଷ୍ଟାନ୍ତ ଅନେକ ଦିନରୁ ବିଲୁପ୍ତ ପ୍ରାୟ ହୋଇଯିବାରେ ଲାଗିଛି । ତାହାର ସ୍ଥାନାପନ୍ନ ବର୍ତ୍ତମାନ ପାଦ୍ରୀ ଦର୍ଶନ-ଅଧ୍ୟାପକ ଏବଂ କବି ଓ ସାହିତ୍ୟକାରମାନେ ହିଁ ସତ୍ୟର ସଚ୍ଚା ଉପାସକ ଏବଂ ପରିଚାରକ ଭାବରେ ଆସନ ମାଡ଼ି ବସିବାକୁ ଆସିବାରେ ଲାଗିଲେଣି । ଅବଶ୍ୟ ଏହାଦ୍ଵାରା ସେମାନଙ୍କର ନିଜର କେତେ ନା କେତେଭଳି ପରିଚର୍ଯ୍ୟା ହୋଇପାରୁଛି ସତ, ମାତ୍ର ସତ୍ୟର କଦାପି କୌଣସି ପରିଚର୍ଯ୍ୟା ହେଉନାହିଁ ।’’

 

ତେଣୁ ସାହିତ୍ୟରେ ଖାଲି ଆଗ୍ରହ ରଖିଲେ ହୁଏନାହିଁ, ସାହିତ୍ୟକୁ ଗୋଟାଏ ସଉକପରି ବ୍ୟବହାର କଲେ ହୁଏନାହିଁ; ସାହିତ୍ୟରେ ପଶିବାକୁ ହୁଏ, ଜୁଆ ହେବାକୁ ହୁଏ । ସାହିତ୍ୟକୁ ତଥା ଜୀବନକୁ ସ୍ଵଧର୍ମରୂପେ ଗ୍ରହଣ କରିନେବାକୁ ହୁଏ । ଅର୍ଥାତ୍ ଯୁକ୍ତ ହେବାକୁ ହିଁ ଧର୍ମ ବୋଲି ମାନି ନେବାକୁ ହୁଏ, ସୃଜନାଶୀଳତାକୁ ଏବଂ ଜୀବନାଗ୍ରହକୁ ଧର୍ମ ବୋଲି ମାନି ନେବାକୁ ହୁଏ । ଜୀବନକୁ ପ୍ରଧାନତଃ ଗୋଟାଏ ସଉକ ବୋଲି ମାନୁଥିଲେ ଜୀବନରେ ଖାଲି ଅବସନ୍ନତା ହିଁ ସାର ହୁଏ, ଅବସାଦ ବ୍ୟତୀତ ଜୀବନରୁ ଆଉ କୌଣସି ଉପଲବ୍‌ଧ ସମ୍ଭବ ହୁଏନାହିଁ । ଠିକ୍ ସେହିପରି ଯିଏ ସାହିତ୍ୟକୁ ପ୍ରଧାନତଃ ଗୋଟାଏ ସଉକରୂପେ ଗ୍ରହଣ କରିଥିବ, ତାକୁ ମଧ୍ୟ ମୂଳତଃ ଅବସାଦ ହିଁ ଭୋଗିବାକୁ ପଡ଼ିବ, ସବୁ ଥାଇ ମଧ୍ୟ ତଥାପି ଅବସନ୍ନତାର ହିଁ ଗୀତଗୁଡ଼ାକୁ ଗାଇବାକୁ ପଡ଼ିବ । ମଣିଷର ସାହିତ୍ୟ ଧର୍ମତଃ ମଣିଷର ହୋଇ ରହିବ, ମଣିଷ ସକାଶେ ହିଁ ଉଦ୍ଦିଷ୍ଟ ହୋଇ ରହିବ । ଆମ ଭିତରୁ ଯେଉଁମାନେ ସାହିତ୍ୟିକ ହୋଇ ସାହିତ୍ୟ ଲେଖିବେ, ଅର୍ଥାତ୍ କବିତା କରିବେ, ଉପନ୍ୟାସ କରିବେ କିମ୍ବା ନାଟକ ଲେଖିବେ, ସେମାନେ ମଧ୍ୟ ଯେ ଏହି ସଂସାରରେ ଜଣେ ଜଣେ ମଣିଷ, ସେମାନଙ୍କୁ ଏହି ସତ୍ୟଟିକୁ ଆପଣା ଅନୁଧାବନର ସର୍ବମୂଳତଃ ସତ୍ୟ ବୋଲି ଗ୍ରହଣ କରିବାକୁ ପଡ଼ିବ । ତେଣୁ ରୁଷିଲେ ଚଳିବ ନାହିଁ, ବିଳାପ କରି ବସିଲେ ବି ଚଳିବ ନାହିଁ, କୌଣସି ପ୍ରକାର ଆଳଙ୍କାରିକ ସ୍ଵଗତଚାରଣାରେ ସ୍ଵନିର୍ମିତ କୌଣସି ଗମ୍ଭୀର ଭିତରକୁ ପଳାଇଗଲେ ବି ଚଳିବ ନାହିଁ । ଏହାଦ୍ଵାରା କେବଳ ଅବକ୍ଷୟର ହିଁ ଅଭିଷେକ ହେବାରେ ଲାଗିଥିବ, ସାହିତ୍ୟ ନାମରେ ସେହି ଅବକ୍ଷୟଟାକୁ ନେଇ ପଂକ୍ତିଭୋଜନମାନ ବସୁଥିବ; ଏବଂ ତେଣେ ମଣିଷ ମୁହଁ ଲୁଚାଇ ବସିଥିବ, ଜୀବନ ଜ୍ୟୋତିହୀନ ଓ ନିଷ୍ପ୍ରଭ ହୋଇ ଯାଉଥିବ । ତେଣୁ ଜୀବନର ସମ୍ମୁଖୀନ ହେବାକୁ ପଡ଼ିବ, ଜୀବନଆଡ଼କୁ ସିଧାକରି ଅନାଇବାର ଯୋଗ୍ୟତା ହାସଲ କରିବାକୁ ପଡ଼ିବ, ଜୀବନର ଯାବତୀୟ ସମ୍ଭାବନା ଲାଗି ଅଦମ୍ୟ ଶ୍ରଦ୍ଧା ରଖିବାକୁ ପଡ଼ିବ, ଜୀବନର ଶିବିରରେ ହିଁ ଅନ୍ତର୍ଭୁକ୍ତ ହୋଇ ରହିବାକୁ ପଡ଼ିବ । ଆଧୁନିକତା ନାମରେ ଏବେ ଅନେକ କ୍ଷେତ୍ରରେ ଅବସନ୍ନତାକୁ ହିଁ ଏକପ୍ରକାର ସ୍ଵୈରାଚାରୀ ପ୍ରଶ୍ରୟ ଦିଆଯାଉଛି, ବାଜା ବଜାଇ ଅବସନ୍ନତାର ପ୍ରଶସ୍ତି ଗାନ କରାହେଉଛି । ତଥାପି ତାହା ଆମର ଏହି ଆଧୁନିକ ଅର୍ଥାତ୍ ଉପସ୍ଥିତ ଜଗତଟିର ସମସ୍ୟାଗୁଡ଼ିକ ଲାଗି ଆଦୌ କୌଣସି ଉତ୍ତର ଯୋଗାଇ ପାରୁନାହିଁ, ଆମର ଏହି ଜଗତଟି ଲାଗି ତାହା କୌଣସି ବାଟର ସନ୍ଧାନ ଦେଇପାରୁନାହିଁ । ଏହି ଶତାବ୍ଦୀର ପ୍ରଥମାର୍ଦ୍ଧରେ ବିଶ୍ଵସାହିତ୍ୟରେ ଏକ ନୂତନ ଆଲୋଡ଼ନ ଏବଂ ଅଭିଳାଷ ଆଣି ଦେଇଥିବା ଫରାସୀ ସାହିତ୍ୟିକ ରୋମାଁ ରୋଲାଁ ତାଙ୍କର ପ୍ରାୟ ସର୍ବଶେଷ ରଚନା ‘I will not rest’ ଗ୍ରନ୍ଥଟିରେ ଜୀବନ ଲାଗି ତଥା ମନୁଷ୍ୟର ସମଗ୍ର ସଂସାର ତଥା ସମ୍ଭାବନାଟି ଲାଗି ଯେଉଁ ଆନ୍ତରିକତା ପ୍ରକଟ କରିଛନ୍ତି, ଯେଉଁ ଶ୍ରଦ୍ଧାଦୀପ୍ତ ସମର୍ପଣରେ ଉଦ୍‌ବୋଧନ ଆଣି ଦେଇଛନ୍ତି, ଏକଥା ସତ ଯେ ଏଯୁଗର ଅନେକ ଲେଖକ ଓ ସାହିତ୍ୟିକଙ୍କ ମଧ୍ୟରେ ଆମକୁ ସେହି ଆନ୍ତରିକତା ଓ ସମର୍ପଣଭାବ କଦାପି ଦେଖିବାକୁ ମିଳିବ ନାହିଁ । ମାତ୍ର କଦାପି ଏହି ଯୁଗଟାଯାକ ଆଦୌ କେଉଁଠି ହେଲେ ହୃଦୟ ନାହିଁ ବା ଆନ୍ତରିକତା ନାହିଁ ବୋଲି କ’ଣ କବି ଓ ସାହିତ୍ୟିକ, ଦରଦୀ ଓ ଦ୍ରଷ୍ଟା ମଧ୍ୟ ତାହାରି ଭିତରେ ଯାଇ ସାମିଲ ହୋଇଯିବ ଓ ତାହାକୁ ନେଇ ଏଠି ସାହିତ୍ୟିକତା-ସମାରୋହର ଭାଣ କରିବାରେ ଲାଗିଥିବ ? ତେବେ ଆମକୁ ଆଗାମୀର କଥା କହିବ କିଏ, ଆଗାମୀର ସ୍ଵପ୍ନ ଦେଖିବ କିଏ, ଅନ୍ତରଭେଦ କରିବ କିଏ, ବାଟ ଚାଲିବାର ଉଦ୍‌ବୋଧନ ବା ଦେବ କିଏ ? କବି ଆପେ ଋଷି ବସିଲେ ମଣିଷର ଗୀତ ଗାଇବ କିଏ, କବି ଆପେ ଖଣ୍ଡଖଣ୍ଡ ହୋଇ ସେହି ଖଣ୍ଡଖଣ୍ଡ ହୋଇଯିବାର ମହୋତ୍ସବ ଗାଇବାରେ ବିସ୍ମରି ରହିଲେ ଏଠି ଜୀବନକୁ ଯୋଡ଼ିବ କିଏ, ମଣିଷକୁ ମଣିଷ ସହିତ ମିଳାଇ ପାରିବ କିଏ, ସମ୍ଭାବ୍ୟକୁ ସମ୍ଭତ କରିହେବ ବୋଲି ଆମକୁ ଭରସା ଦେବ କିଏ ? କବିଗୁରୁ ରବୀନ୍ଦ୍ରନାଥ ଆଉ ଗୋଟିଏ ଜାଗାରେ ଆମକୁ ପ୍ରତ୍ୟେକ କବି ଓ ସାହିତ୍ୟିକର, ପ୍ରତ୍ୟେକ ଦରଦୀ ଓ ଦ୍ରଷ୍ଟାର ସେହି ଭରସାବାଣୀ ହିଁ ଶୁଣାଇଛନ୍ତି : “ଏକ ନୂତନ ଅଶାର ଯୁଗ ଦରକାର । ତାହା ଏପରି ଏକ ଅଶାର ଯୁଗ, ଯେତେବେଳେ କି ମନୁଷ୍ୟ ଆପଣାର ଆଦୌ କୌଣସି ସୀମା ହିଁ ଦେଖିବାକୁ ପାଏନାହିଁ, ସେ ସବୁକିଛିକୁ ସମ୍ଭବ ବୋଲି ଅନୁଭବ କରେ । ଏବଂ ସବୁକିଛିକୁ ସମ୍ଭବ ବୋଲି ଅନୁଭବ କରିବା ମାତ୍ରେ ହିଁ ଯେଉଁ ବଳ ଉପଗତ ହୋଇଆସେ, ତାହାରିଦ୍ଵାରା ହିଁ ଅସାଧ୍ୟ ସାଧ୍ୟ ହୁଏ ଓ ଯାହା ପାଖରେ ଯେତେ ଶକ୍ତି ରହିଛି, ତାହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟ କରିବାକୁ ଲାଗେ ।’’

 

ମଣିଷ କହିଲେ ଆମେ ପ୍ରକୃତରେ କ’ଣ ବୋଲି ବୁଝିବା ? ଭାରତୀୟ ଶାସ୍ତ୍ର ପ୍ରତ୍ୟେକ ମନୁଷ୍ୟ ଭିତରେ ଭଗବାନ ବିରାଜିତ ରହିଛନ୍ତି ବୋଲି ଘୋଷଣା କରିଛି । ‘ଅହଂ ବ୍ରହ୍ମାସ୍ମି’ ବୋଲି ଘୋଷଣା କରିଛି । ଶାସ୍ତ୍ରଗତ ଧର୍ମରେ ତାହା ଏହି ଘୋଷାଣାଟି କରିଛି ସତ, ମାତ୍ର ଧର୍ମକୁ ଜୀବନର କ୍ଷେତ୍ରରେ ପ୍ରୟୋଗ କରିବାର କ୍ଷେତ୍ରରେ ଭାରତୀୟ ଧର୍ମ ଓ ସଂସ୍କୃତି ମନୁଷ୍ୟକୁ ଗୋଡ଼ିପଥରଠାରୁ ମଧ୍ୟ ହୀନ କରି ରଖିଛି । ମନୁଷ୍ୟକୁ ଏତେ ବେଶୀ ହୀନ ଓ ହେୟ ବୋଲି ଆଚରଣ କରାଯାଇ ଥିବାର ଓ କରାଯାଉ ଥିବାର ଏପରି ଗୋଟିଏ ନିର୍ମମ ଦୃଷ୍ଟାନ୍ତ ଆମକୁ ପୃଥିବୀର ଅନ୍ୟ କୌଣସି ସଂସ୍କୃତିରେ ହୁଏତ ଦେଖିବାକୁ ହିଁ ମିଳିବ ନାହିଁ । ଯାହା ଭିତରେ ବ୍ରହ୍ମ ରହିଛି; ସିଏ କଦାପି ଭାଗ୍ୟ ଆଦରି ରହେ ନାହିଁ; ଭାରତୀୟ ମଣିଷ ଅଧିକାଂଶ କ୍ଷେତ୍ରରେ ବସ୍ତୁତଃ ଭାଗ୍ୟକୁ ହିଁ ଆଦରି ରହିଛି । ମଣିଷ ସ୍ଵୟଂ ଯେ ଆପଣା ଭାଗ୍ୟର ଅଧିକାରୀ ହୋଇପାରେ, ସଂସ୍କାରବଶ ହୋଇ ସେ ସେହି ବିଶ୍ଵାସଟିକୁ ମଧ୍ୟ କ୍ରମେ ହରାଇ ବସିଛି । ତାମସିକ ଜଡ଼ତାକୁ ସହିଷ୍ଣୁତା ବୋଲି ଭ୍ରମ କରିଛି, ରାଜସିକ ଉଗ୍ରତାକୁ ତେଜ ଓ ବୀର୍ଯ୍ୟ ବୋଲି ଭ୍ରମ କରିଛି । ଖାଲି ଭାରତର ସାହିତ୍ୟ ନୁହେଁ, ପୃଥିବୀର ସାହିତ୍ୟ ଯୁଗେ ଯୁଗେ ମନୁଷ୍ୟ ବିଷୟରେ କେତେ କ'ଣ ଗାଇଛି, କେତେ ପ୍ରକାରେ ଉଲ୍ଲସିତ ହୋଇଛି । କାବ୍ୟିକ କେତେ ଚାତୁରୀରେ କବିମାନେ ମଣିଷ ମୁଣ୍ଡରେ କେତେ କୁଙ୍କୁମ ବୋଳିଛନ୍ତି, କେତେ କୁସୁମ ଚଢ଼ାଇଛନ୍ତି । ମାତ୍ର ଯୁଗେ ଯୁଗେ ଆମ ସଂସାରରେ ଏହି ମଣିଷ ହିଁ ସବୁଠାରୁ ଅଧିକ ହୀନମାନ ହୋଇ ରହିଛି, ତିମିର ପିଇ ପଡ଼ିରହିଛି । ମଣିଷ ମଣିଷ ଉପରେ ଘୋଡ଼ା ଚଢ଼ିଛି, ମଣିଷ ମଣିଷର ଉପେକ୍ଷା କରିଛି, ମଣିଷ ମଣିଷକୁ ଗୋଡ଼ ତଳେ ଦଳିଦେଇ ଆପେ ଆଗକୁ ମାଡ଼ିଯିବାକୁ ଜୀବନର ଦର୍ପ ବୋଲି ମନେ କରିଛି । ଯୁଗ ଯୁଗ ଧରି ଗଢ଼ି ଆସିଥିବା ଆମ ସାହିତ୍ୟର ରୀତିରେ ଏଇଟା ହିଁ ଆମ ସମସ୍ତଙ୍କର ଏକ ଲଜ୍ଜାକର ଚରମ ଅତୀତ ହୋଇ ରହିଛି । ସଂସାରର ସାହିତ୍ୟ ଆଉ କେତେ ଦିନ ଯାଏ ଏହି ଅତୀତଟାକୁ ଆବୋରି ରହିଥିବ, ମନୁଷ୍ୟର ସଂସାରରେ ଏହିଭଳି ଏକ ବିଡ଼ମ୍ବନାକୁ ସାର୍ବଭୌମ କରି ରଖିବାରେ ପକ୍ଷ ହୋଇ ରହିଥିବ ? ମନୁଷ୍ୟ କହିଲେ ତାହା କେତେ ଦିନ ଯାଏ କେବଳ ଏକ abstraction ବା ଏକ ଅମୂର୍ତ୍ତ କଳ୍ପନାକୁ ହିଁ ବୁଝୁଥିବ ଏବଂ ଏଣେ ଏହି ସଂସାର ଭିତରେ କଞ୍ଚା ନିଦା ମଣିଷଗୁଡ଼ାଙ୍କୁ ଅସ୍ଵୀକାର କରିବାରେ ଲାଗିଥିବ ? ଆମ ସାହିତ୍ୟ ଆଉ କେତେ ଦିନ ଯାଏ କେବଳ ସାଆନ୍ତମାନଙ୍କର ଖାଇ ସଆନ୍ତମାନଙ୍କର ହିଁ ଗାଉଥିବ ? ଏହି ସଂସାରରେ, ଅର୍ଥାତ୍ ଆମର ବିଂଶ ଶତାବ୍ଦୀର ଏହି ଐଶ୍ଵର୍ଯ୍ୟ ତଥା ସାମର୍ଥ୍ୟରେ ଭରପୁର ହୋଇ ରହିଥିବା ସଂସାରରେ ଅଧେ ମଣିଷ ତଥାପି ଉପାସ ରହୁଥିବେ, ଅଧେ ପିଲା ଇସ୍କୁଲକୁ ଯାଇ ପାରୁନଥିବେ, ଜାତି, ବର୍ଣ୍ଣ, ବାଦ ଓ ଧର୍ମର ନାନା ଘୃଣାମନ୍ତ୍ର ଜାପାଇ ମଣିଷକୁ କେତେ ପ୍ରକାରର ଭୟ, ତ୍ରାସ ଏବଂ ନିର୍ଭରଶୀଳତାଦ୍ଵାରା ମଣ କରାଯାଇ ରଖା ହୋଇଥିବ,–ଏଗୁଡ଼ାକ କ'ଣ ଖାଲି ରାଜନୀତିର ସମସ୍ୟା ବିଂଶ ଶତାବ୍ଦୀରେ ସାହିତ୍ୟର କ'ଣ ଏଥିଲାଗି ଆଦୌ କିଛି ହେଲେ କହିବାକୁ ନାହିଁ ? ପୃଥିବୀର ପ୍ରତ୍ୟେକ ସାହିତ୍ୟକୁ ଆଜି ଆପଣା ପାଖରେ ଏହି ପ୍ରଶ୍ନଟିର ଜବାବ ମାଗିବାକୁ ପଡ଼ିବ । ପଳାଇଗଲେ ମୋଟେ ଚଳିବ ନାହିଁ, ସଭା ଓ ତତ୍ତୁଲ୍ୟ ଯାବତୀୟ ଆପ୍ୟାୟନ ଭିତରେ ଛନ୍ଦ, ଶୈଳୀ ଓ semantics ନେଇ ମାତିରହିଲେ ବି ଆଦୌ ଚଳିବ ନାହିଁ । ମଣିଷ କହିଲେ ସେ ପ୍ରକୃତରେ କ'ଣ ବୁଝୁଛି ପ୍ରତ୍ୟେକ ସାହିତ୍ୟିକକୁ ଆଗ ଏଇଟି ବିଷୟରେ ସୁନିଶ୍ଚିତ ଓ ସୁସ୍ପଷ୍ଟ ହେବାକୁ ପଡ଼ିବ । ଆଧୁନିକ ଜଗତର ଅଧେ ମଣିଷଙ୍କୁ ଅଲୋଡ଼ା ଓ ଅଗଣା ରଖି ଆମ ସାହିତ୍ୟରେ କୌଣସି ପ୍ରକାର ଆଧୁନିକତା କେବେହେଲେ ମୁହଁ ଦେଖାଇ ପାରିବ ନାହିଁ । ମଣିଷକୁ ସ୍ଵୀକାର ନକଲେ ଆମ ଆଧୁନିକ ସାହିତ୍ୟ ତାହାର ଯାବତୀୟ ଚାତୁରୀ ଏବଂ ବାବୁଗିରି ସତ୍ତ୍ୱେ ତଥାପି ଆପଣାର ଟିପ ଥୟ କରି ରଖିବାଲାଗି କଦାପି ଭୂଇଁ ଟିକିଏ ପାଇବ ନାହିଁ । ଯେଉଁ ସମାଜରେ ଅଧିକରୁ ଅଧିକ ମଣିଷ ଅକିଞ୍ଚନ ଓ ମ୍ଳେଚ୍ଛ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି, ସେହି ସମାଜ ଓ ସେହି ସଂସାରଲାଗି ଯାବତୀୟ ପ୍ରକାରର ବାବୁଗିରି କେବଳ ଏକ କଳଙ୍କ ହୋଇ ହିଁ ରହିବ ଏବଂ ସାହିତ୍ୟ ନାମରେ ବାବୁମାନେ ଭିଆଇ ରଖିଥିବା ଯାବତୀୟ 'ସୌଖିନ୍ ମଜଦୁରି' ମଧ୍ୟ ସେହିଭଳି ଏକ କଳଙ୍କହୋଇ ରହିଥିବ । ଏକ ଅନାବଶ୍ୟକତା ହୋଇ ରହିଥିବ ।

 

ତେଣୁ ମଣିଷ କହିଲେ ଆମ ସଂସାରରେ ବାସ କରୁଥିବା କୋଟି କୋଟି ମଣିଷଙ୍କୁ ହିଁ ବୁଝାଇବ । ଶାସ୍ତ୍ରରେ, କାବ୍ୟରେ, ଦର୍ଶନରେ ଏବଂ ଚିଦ୍‌ବିଳାସରେ ଭାସି ଗଲାବେଳେ କ୍ଷଣମୁକ୍ତ ବ୍ୟୋମଚାରୀ କେତେଜଣ ମଣିଷ ମଣିଷକୁ ନେଇ କାଳେ କାଳେ ଯେଉଁ ବାୟବୀୟ ଭୂମିଚ୍ୟୁତ କଳ୍ପନାମାନ କରି ଆସିଛନ୍ତି, ସେହିଗୁଡ଼ାକୁ ହିଁ ମଣିଷର ସଂଜ୍ଞା ବୋଲି ବୁଝୁଥିବା ପର୍ଯ୍ୟନ୍ତ ଆମେ ଆମ ନିଜକୁ କେବଳ ଭୁରୁଡ଼ାଇ ରଖିଥିବା, ଆମର ଯୁଗଟାକୁ ମଧ୍ୟ ଏକାବେଳକେ ଭଣ୍ଡୁର କରି ରଖିଥିବା । ମଣିଷ କହିଲେ ଆମରି ଚାରିପାଖରେ ଜୀବନ ଧାରଣ କରି ରହିଥିବା ସବୁ ମଣିଷଙ୍କୁ ହିଁ ବୁଝାଇବ । ମଣିଷ,–ଅର୍ଥାତ୍ ମଣିଷର ସଂସାର, ମଣିଷର ରାଷ୍ଟ୍ର, ମଣିଷର ସମାଜ ଓ ମଣିଷର ଭବିଷ୍ୟ । ଏସବୁକୁ ଆମକୁ ସବୁ ମଣିଷର ଅନୁକୂଳ କରି ଗଢ଼ିବାକୁ ପଡ଼ିବ । ମଣିଷ ମଣିଷ ଭିତରେ ରହିଥିବା ସମ୍ବନ୍ଧଗୁଡ଼ାକରେ ଅତ୍ୟାବଶ୍ୟକ ହୋଇ ପଡ଼ିଥିବା ସକଳ ପରିବର୍ତ୍ତନ ଆଣିବାକୁ ପଡ଼ିବ । ଦାୟିତ୍ଵ–ସଚେତନ ପ୍ରତ୍ୟେକ ସାହିତ୍ୟ ଏଥିରେ ଆପଣାର ଅଂଶଟିକୁ ଅବଶ୍ୟ ଗ୍ରହଣ କରିବ । ସିଏ ମଣିଷର ହିଁ ଦର୍ଶନ କରି ଜାଣିବ । କ୍ଷମତାର ବର୍ବର ବିଧାନକୁ ଦୂର କରି ମନୁଷ୍ୟକୁ ସର୍ବଦା ନିୟାମକ ରୂପେ ପ୍ରତିଷ୍ଠିତ କରିବାରେ ସାହିତ୍ୟକୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଭୂମିକା ଗ୍ରହଣ କରିବାକୁ ପଡ଼ିବ ।

 

ସାହିତ୍ୟର କ୍ଷେତ୍ରରେ ଥୋକେ ସାହିତ୍ୟ ଲେଖନ୍ତି, ଆଉ ଥୋକେ ସାହିତ୍ୟକୁ ଦେଖନ୍ତି; ଅର୍ଥାତ୍ ସାହିତ୍ୟର ମୂଲ୍ୟକଳନା କରନ୍ତି, ସାହିତ୍ୟର ବିବେଚନା ଓ ସମୀକ୍ଷା କରନ୍ତି । ଆମ ଭାଷାରେ ଏହାକୁ ସାହିତ୍ୟର ସମାଲୋଚନା କରିବା ବୋଲି କୁହାଯାଏ । ପୂର୍ବକାଳରେ ମୂଳଗ୍ରନ୍ଥମାନଙ୍କର ଟୀକା ଲେଖା ଯାଉଥିଲା, ନାନପ୍ରକାର ନାନାବିଧ ତତ୍ପର୍ଯ୍ୟର ବ୍ୟଞ୍ଜନା ବାଢ଼ି ଭାଷ୍ୟମାନ ଲେଖା ଯାଉଥିଲା । ଅନେକ ସମୟରେ ଏହି ଟୀକା ଓ ଭାଷ୍ୟଗୁଡ଼ିକ ପାଣ୍ଡିତ୍ୟ ଓ ପରିପାଟୀପଟୁତାରେ ମୂଳଗ୍ରନ୍ଥକୁ ମଧ୍ୟ ବଳି ଯାଉଥିଲା । ମାତ୍ର ସାହିତ୍ୟର ସମାଲୋଚନା କହିଲେ ଏବେ ଆମେ ସାଧାରଣତଃ ଯାହା ବୁଝିଥାଉଁ, ତାହାକୁ କେବଳ ଜଣେ ଟୀକାକାର ଅଥବା ଭାଷ୍ୟକାରର କାର୍ଯ୍ୟ ବୋଲି ଆଦୌ କୁହାଯାଇପାରିବ ନାହିଁ । ଏବେ ସାହିତ୍ୟ-ସମାଲୋଚନା ଆମ ସାହିତ୍ୟରେ ଅର୍ଥାତ୍ ପୃଥିବୀର ଯେ କୌଣସି ସାହିତ୍ୟରେ ଏକ ଅନ୍ୟତମ ସୃଷ୍ଟିଶୀଳ ଅଙ୍ଗରୂପେ ପ୍ରତିଷ୍ଠିତ ହୋଇ ସାରିଲାଣି । ସାହିତ୍ୟର ନାନା ବିଭାଗପରି ସାହିତ୍ୟ-ସମାଲୋଚନା ମଧ୍ୟ ସାହିତ୍ୟର ଏକ କଳାବନ୍ତ ବିଭାଗ ରୂପେ ସ୍ଵୀକୃତ ହୋଇ ସାରିଲାଣି । ସାହିତ୍ୟର ସମାଲୋଚନା କିପରି ହେବା ବା ନହେବା ଉଚିତ, କିଏ ଏହି ସମାଲୋଚନା କରିପାରିବା ଉଚିତ ଅର୍ଥାତ୍ ସାହିତ୍ୟ-ସମାଲୋଚକର ପ୍ରକୃତରେ ଯେଉଁସବୁ ଯୋଗ୍ୟତା ରହିବା ଉଚିତ ଓ ଅଯୋଗ୍ୟତା ନରହିବା ଉଚିତ, ସେହିସବୁ ବିଷୟରେ କାଳକ୍ରମେ କେତେ ଦୃଷ୍ଟିକୋଣ, ମତ ବା ମତବାଦମାନ ବାହାରିଲାଣି-। ବୈଜ୍ଞାନିକ ବିଶ୍ଳେଷଣଦ୍ଵାରା ସବୁକିଛିକୁ ପରଖି ଦେଖିବାର ଆଧୁନିକ ଫେଶନଟି ଚାଲୁ ହୋଇଯିବା ପରେ ଏବେ ସାହିତ୍ୟକୁ ମଧ୍ୟ ସତେ ଅବା ଏକ ବିଜ୍ଞାନ ପରି ଓଲଟାଇ ପାଲଟାଇ ଉଖାରି ଶିରା କାଢ଼ି ଦେଖିବାର ଆଗ୍ରହ ମଧ୍ୟ ବେଶ୍ ପ୍ରକାଶ ପାଇଲାଣି । ଯେ କୌଣସି ବିଷୟର ସମାଲୋଚନା ପରି ସାହିତ୍ୟ-ସମାଲୋଚନାର କ୍ଷେତ୍ରରେ ମଧ୍ୟ ନିର୍ଣ୍ଣାୟକ ଦୃଷ୍ଟିକୋଣଟି ଯେ ବୈଜ୍ଞାନିକ ଅର୍ଥାତ୍ ଏକଦେଶୀୟତାମୁକ୍ତ ହେବା ଉଚିତ, ସେ କଥାରେ କେହି କଦାପି ଆପତ୍ତି କରିବେ ନାହିଁ । ମାତ୍ର ତା'ବୋଲି ଜଡ଼ ପ୍ରକୃତିରେ ଅଧ୍ୟୟନ ବେଳେ ବିଭାଜନ ଓ ଶ୍ରେଣୀ-ନିର୍ଣ୍ଣୟର ଯେଉଁ କେତେଟା ନିୟମକୁ ଅନମନୀୟ ଭାବରେ ଏକ ବୈଜ୍ଞାନିକ ପଦ୍ଧତି ବୋଲି ମାନି ନିଆଯାଏ, ସାହିତ୍ୟର ସମାଲୋଚନାରେ ସେଗୁଡ଼ିକୁ କଦାପି ଯଥେଷ୍ଟ ବୋଲି କୁହାଯାଇ ପାରିବ ନାହିଁ-। ସେଗୁଡ଼ିକୁ ଏହି କ୍ଷେତ୍ରରେ ଆଦୌ ସାଧନା ବୋଲି ବି କୁହାଯାଇ ପାରିବ ନାହିଁ । ସାହିତ୍ୟକୁ ଅବଲୋକନ କରିବାର ରୀତିଟିକୁ ଆମେ କଦାପି ଏକ ଯାନ୍ତ୍ରିକ ଅବଲୋକନ ରୀତି ବୋଲି କହିପାରିବା ନାହିଁ, ହୃଦଯନ୍ତ୍ରକୁ ଦେଖିବାର ରୀତିଟିକୁ ନେଇ ଆମେ କଦାପି ହୃଦୟକୁ ଦେଖିବାର ଅନ୍ୟ କ୍ଷେତ୍ରଟିରେ ମଡ଼ାଇଦେଇ ପାରିବା ନାହିଁ । କାରଣ କେବଳ ହୃଦୟ ଦେଇ ହିଁ ହୃଦୟକୁ ପରଖିବାକୁ ହୁଏ, ସହୃଦୟତାଦ୍ଵାରା ହିଁ ଅନ୍ୟର ସମୀପବର୍ତ୍ତୀ ହେବାକୁ ହୁଏ, ତେବେ ଯାଇ କଳ୍ପନା କରିହୁଏ, ସହୃଦୟତା ରହିଥିଲେ ଅକଳନାର ମଧ୍ୟ କଳନା କରିହୁଏ । 'ପାଖେ ନବସିଲେ ମନ ନ ରସିଲେ କରିନୋହେ ସରି ଅର୍ଥ',–ଭକ୍ତକବି ଭୀମଭୋଇଙ୍କର 'ସ୍ତୁତି ଚିନ୍ତାମଣି’ରେ ଏହିପରି ଗୋଟିଏ ପଦର ଉଲ୍ଲେଖ ରହିଛି । ଯଥାର୍ଥ ତାତ୍ପର୍ଯ୍ୟଟିକୁ ପାଇବାକୁ ବା ଅନୁଭବ କରି ପାରିବାକୁ ହେଲେ ପାଖରେ ଯାଇ ବସିବାକୁ ହୁଏ, ମନକୁ ରସାଇବାକୁ ହୁଏ । ଅର୍ଥାତ୍ କବିପ୍ରାଣରେ ଏତେ ଟିକିଏ ଉପାଦାନକୁ ମଧ୍ୟ ସ୍ଵୟଂ ଆପଣା ମଧ୍ୟରେ ବହନ କରିନଥିଲେ କବିତା ଭିତରକୁ ଆଦୌ ଗମି ହୁଏନାହିଁ, ସାହିତ୍ୟର ଆଖି ନଥିଲେ ସାହିତ୍ୟକୁ କଦାପି ଦେଖି ହୁଏନାହିଁ । ସୂତ୍ର ଦେଇ, ଯୁକ୍ତି ଦେଇ ଓ ମସ୍ତିଷ୍କ ଦେଇ ସାହିତ୍ୟ ଉପରେ ପାଣ୍ଡିତ୍ୟ ନାମରେ କେତେଭଳି ଦୌରାତ୍ମ୍ୟ କରିହୁଏ ସତ, ମାତ୍ର ତଥାପି ସାହିତ୍ୟର ମୂଲ୍ୟାଙ୍କନ କରି ହୁଏ ନାହିଁ, ସାହିତ୍ୟଦ୍ଵାରା ଉପକୃତ ହୋଇ ହୁଏନାହିଁ ।

 

ସାହିତ୍ୟକୁ କଳନା କରିବା ପାଇଁ ଓ ପରଖି ଦେଖିବା ପାଇଁ ଯୁଗେ ଯୁଗେ କେତେ ସୂତ୍ରର ବଖାଣ ହୋଇ ଆସିଛି, କେତେ ପ୍ରକାର ଆନୁଷଙ୍ଗିକତାର ସୂଚନା ଦିଆଯାଇଛି, ଆମର ଏ ଯୁଗରେ ମଧ୍ୟ ସେ ଦିଗରେ କିଛି କମ୍ କର୍ଷଣ ହୋଇ ନାହିଁ । ସାହିତ୍ୟର ସମାଲୋଚନାକୁ କେହି କେହି ବିଜ୍ଞ ବ୍ୟକ୍ତି Politics of literature ବୋଲି କହିଛନ୍ତି, ସମାଲୋଚନାକୁ ମଧ୍ୟ କେହି କେହି a botanist of minds ବୋଲି କହିଛନ୍ତି । ତୁଲ୍ୟ ଓ ଅତୁଲ୍ୟ ବିଭିନ୍ନ ତଥ୍ୟ ସଂଗ୍ରହକରି ବଟାନିଷ୍ଟ୍ ତା'ର ସାମଗ୍ରୀଗୁଡ଼ିକୁ ଶ୍ରେଣୀବିଭାଗ କରି ଦେଖାଇଦିଏ, ଜାତି ବା ବଂଶର ନିରୂପଣ କରିଦିଏ, ଶ୍ରେଣୀବଦ୍ଧ କରି ରଖିଦିଏ । ଫରାସୀର ଆଉ ଜଣେ ସମୀକ୍ଷକ ସାହିତ୍ୟର ଯଥାର୍ଥ ମୂଲ୍ୟ–କଳନା ସକାଶେ race, milieu ଓ moment ଏହି ତିନୋଟି କଥାକୁ ସର୍ବଦା ସ୍ମରଣ ରଖିବା ଉଚିତ ବୋଲି ଆମକୁ ପରାମର୍ଶ ଦେଇଛନ୍ତି । ଏହି ତିନୋଟିଯାକ ମାନଦଣ୍ଡ ଉପରେ ଆଲୋଚ୍ୟ କବି ବା ଲେଖକଙ୍କର ସ୍ଥାନଟିକୁ ନିର୍ଣ୍ଣିତ କରି ଥୋଇଦେଲେ ସମାଲୋଚକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ସେମାନେ ଆମକୁ ସତେ ଅବା କେତେ ଭରସା ଦେଇଛନ୍ତି । ସାହିତ୍ୟ-ସମାଲୋଚନାର ଆଧୁନିକ ପର୍ଯ୍ୟାୟରେ ଏହା ମଧ୍ୟରେ ନୂଆ ନୂଆ କେତେ ଜ୍ଞାନ ଓ ବିଜ୍ଞାନକୁ ଆଣି ଭର୍ତ୍ତି କରାଯାଇଛି । ଏଥିରେ ମନୋବିଜ୍ଞାନ ପଶିଛି, ସମାଜବିଜ୍ଞାନ ପଶିଛି, ନୃତତ୍ତ୍ଵ-ବିଜ୍ଞାନ ମଧ୍ୟ ପଶିଛି । ପ୍ରତ୍ୟେକ ସମାଜର ସାହିତ୍ୟ ଏବଂ ସଂସ୍କୃତି ସେହି ସମାଜକୁ ନିୟନ୍ତ୍ରିତ କରୁଥିବା ଅର୍ଥନୈତିକ ସମ୍ବନ୍ଧ ଓ ଅର୍ଥନୈତିକ ବ୍ୟବସ୍ଥାଟିଦ୍ଵାରା ଗୋଟାସୁଦ୍ଧା ନିର୍ଣ୍ଣିତ ହୁଏ ବୋଲି କାର୍ଲମାର୍କ୍‌ସ କେବେହେଲେ ନ କହିଥିଲେ ମଧ୍ୟ ମାର୍କସବାଦୀମାନେ ସେହି କଥାଟିକୁ ସତେ ଅବା ଏକ ଅମୋଘ ସତ୍ୟ ବୋଲି ଘୋଷଣା କରିବାକୁ ଅନେକ ସମୟରେ ଭାରି ଉତ୍ସାହ ଦେଖାଇଛନ୍ତି । ଭାରତବର୍ଷରେ ଗାନ୍ଧୀ-ଅର୍ଥବାଦୀମାନେ ମଧ୍ୟ ବେଳେବେଳେ ସେହିପରି ଏକ ଆଗ୍ରହର ଗ୍ରାସରେ ପଡ଼ି ସାହିତ୍ୟର ଚର୍ଚ୍ଚା କରିବାକୁ ମନ ବଳାଇଛନ୍ତି । ଏଗୁଡ଼ିକରୁ ଆମେ କେଉଁଟିକୁ ହେଲେ ଅବାନ୍ତର ବୋଲି କହି ଉଡ଼ାଇ ଦେବା ନାହିଁ ସତ, ମାତ୍ର ତଥାପି କେବଳ ଏତିକିଦ୍ଵାରା ଯେ ସାହିତ୍ୟର ଏକ ବିକଳାଙ୍ଗ ସମାଲୋଚକ ବା ସମ୍ପୂର୍ଣ୍ଣ ସମୀକ୍ଷା ସମ୍ଭବ ହୋଇଯିବ, ଆମେ ସେ କଥାଟି ମଧ୍ୟ କେବେହେଲେ କହିପାରିବା ନାହିଁ । ସାହିତ୍ୟର ସମାଲୋଚନରେ ଏଇ ସବୁଗୁଡ଼ିକୁ ଆମେ ଗୋଟିଏ ଗୋଟିଏ ସହାୟକ ସାଧନ ରୂପେ ଅବଶ୍ୟ ଗ୍ରହଣ କରିବା, ମାତ୍ର ଏହିଗୁଡ଼ିକଦ୍ଵାରା ପ୍ରଧାବିତ ହୋଇ ଆମେ କୌଣସି ସାହିତ୍ୟ ବା ସାହିତ୍ୟିକ ଉପରେ କେବେହେଲେ କୌଣସି ଏକ ନିର୍ଦ୍ଦିଷ୍ଟ ମାର୍କାକୁ ନେଇ ଲଦି ଦେଇ ପାରିବାନାହିଁ, କୌଣସି ସାହିତ୍ୟକୁ ଆମେ କୌଣସି ପ୍ରକାର ମାର୍କା ଭିତରେ କିଳି ରଖି ପାରିବା ନାହିଁ । ସାହିତ୍ୟର ସମାଲୋଚନାରେ ଆମକୁ ଆଲୋଚ୍ୟ ସାହିତ୍ୟ ବା ସାହିତ୍ୟିକଙ୍କର ସ୍ଵକୀୟ ଦୃଷ୍ଟିଟିକୁ ଠଉରାଇ ନେଇ ପାରିବାର ଯୋଗ୍ୟତା ହାସଲ କରିବାକୁ ପଡ଼ିବ । ପ୍ରତ୍ୟେକ ସ୍ରଷ୍ଟା ଯେଉଁଠି ଏ ଶ୍ରେଣୀର ବା ସେ ଶ୍ରେଣୀରେ ହୋଇ ମଧ୍ୟ ତଥାପି ମର୍ମତଃ କୌଣସି ଶ୍ରେଣୀର ନୁହଁନ୍ତି, ସେ ଯେଉଁଠାରେ ଆପଣାର ଅନନ୍ୟତାରେ ହିଁ ପ୍ରତିଭାତ ହୋଇ ଠିଆ ହୋଇଛନ୍ତି, ଆମକୁ ସେହି ଉତ୍ସଟି ପର୍ଯ୍ୟନ୍ତ ଅଧିଗମି ପାରିବାକୁ ହେବ, ପ୍ରତ୍ୟେକ ସୃଷ୍ଟି ଭିତରେ ରହିଥିବା ସ୍ରଷ୍ଟାର ସେହି ଅନନ୍ୟ ଆଖିଟିକୁ ଆମକୁ ଚିହ୍ନି ନେଇ ପାରିବାକୁ ହେବ, ଚିହ୍ନାଇ ଦେଇ ପାରିବାକୁ ହେବ । ମାତ୍ର ଯେଉଁ କ୍ଷେତ୍ରରେ ସମାଲୋଚକର ନିଜ ପାଖରେ ଆଖି ବୋଲି ଆଦୌ କୌଣସି ପଦାର୍ଥ ହିଁ ନଥିବ, ସେଠି ସେ ଆଉ କାହାର ଆଖିକୁ ଚିହ୍ନି ନେଇ ପାରିବାର ସାହସ ମଧ୍ୟ କରିବ କୁଆଡ଼ୁ, ଶ୍ରଦ୍ଧା ମଧ୍ୟ ରଖିବ କାହିଁକି ? ଆପଣାର ସୃଜନାତ୍ମକତା ହିଁ ସମୀକ୍ଷକକୁ ଯାବତୀୟ ସୃଷ୍ଟିକଳନାଆଡ଼କୁ ଅସଲ ବାଟଟି ବତାଇ ଦେଇ ପାରିବ, ଆମକୁ ସାହିତ୍ୟାୟାନ ହେବାର ପ୍ରକୃତ ରୀତିଟିକୁ ଦେଇଯିବ । ତେଣୁ ସାହିତ୍ୟର ସମାଲୋଚନାକୁ ଆମେ କେବଳ ଏକ ଶ୍ରେଣୀ ନିରୂପଣ ଅଥବା ଜାତିନିର୍ଣ୍ଣୟର ପ୍ରସଙ୍ଗ ବୋଲି କଦାପି ଭାବିବା ନାହିଁ ଏକ ନୂତନ ଆବିଷ୍କାରର ଆକାଙ୍‌କ୍ଷା ନେଇ ଆମେ ତାହାର ସମୀପବର୍ତ୍ତୀ ହେବା, ଆମେ ଏକ ନୂତନ ଦ୍ଵାରୋଦ୍‌ଘାଟନ ଲାଗି ମନ ରଖିଥିବା ।

 

ପ୍ରବନ୍ଧରେ ଆଲୋଚିତ ହୋଇଥିବା ବିଚାରଗୁଡ଼ିକର ଖିଅକୁ ବର୍ତ୍ତମାନ ଆମେ ସଂକ୍ଷେପରେ ଏକାଠି ସଜାଡ଼ି ଆଣିବାକୁ ଚେଷ୍ଟା କରିବା । ଏହି ପ୍ରବନ୍ଧଟିର ବକ୍ତବ୍ୟ ହେଉଛି ଯେ ସାହିତ୍ୟ ପ୍ରୋପାଗାଣ୍ଡା ନୁହେଁ ପଳାୟନ ନୁହେଁ, ବିନୋଦନ, ମଣ୍ଡନ ବା ଅଳଙ୍କାର ବି ନୁହେଁ । ସାହିତ୍ୟ ଜାତିର ନୁହେଁ କି ଦେଶର ନୁହେଁ, ସାହିତ୍ୟ ରାଷ୍ଟ୍ରର ନୁହେଁ, ଉତ୍କଳର ନୁହେଁ, କଳିଙ୍ଗର ନୁହେଁ କିମ୍ବା କୋଶଳର ନୁହେଁ । ସାହିତ୍ୟ ହେଉଛି ଏକ ଆକାଙ୍‌କ୍ଷା, ଏକ ଅଭୀପ୍‌ସା, ଏକ ଉପଲବ୍‌ଧି । ସାହିତ୍ୟ ଏକ ବିମୋଚନ, ଏକ ଗ୍ରନ୍ଥିମୋଚନ, ଏକ ଅନାବରଣ, ଏକ ଆରୋହଣ ।

 

ସାହିତ୍ୟ ମଧ୍ୟ ଏକ ସ୍ଵପ୍ନ । ସାହିତ୍ୟକାର ସ୍ଵପ୍ନ ଦେଖେ, ସେ ପୂର୍ଣ୍ଣ ସଚେତନ ହୋଇ ସ୍ଵପ୍ନ ଦେଖେ, ଆପଣାର ଚେତନାକୁ ସଂପ୍ରସାରିତ କରିଦେଇ ସେ କେତେକେତେ ଅନୁପଲବ୍‌ଧକୁ ଉପଲବ୍‌ଧ କରି ଆଣିବାର ସ୍ଵପ୍ନ ଦେଖେ । ସାହିତ୍ୟର ସ୍ଵପ୍ନ ହେଉଛି ମଣିଷ ପରି ମଣିଷ ହେବାର ସ୍ଵପ୍ନ, ଜଣେ ମଣିଷ ପରି ସବୁ ମଣିଷଙ୍କ ସହିତ ଅର୍ଥାତ୍ ସମଗ୍ର ଜୀବନଟି ସହିତ ସମ୍ମିଳିତ ହେବାର ଏକ ସ୍ଵପ୍ନ । ସାହିତ୍ୟ ହେଉଛି ଦୁର୍ଗମ ଗିରିକୁ ଆରୋହଣ କରିବାର ଏକ ସ୍ଵପ୍ନ; ଦେବତା ପରି ଅହର୍ନିଶ କେବଳ ଅମୃତ ଭୁଞ୍ଜିବାର ହିଁ ଏକ ଅଳସ ବିଳାସ କଦାପି ନୁହେଁ । ସାହିତ୍ୟ ଏକ ଆହ୍ଵାନ, ଏକ ଅସନ୍ତୋଷ, ଏକ ଈଶ୍ଵରୀୟ ଅସନ୍ତୋଷ ।

 

ସେହି ଆହ୍ଵାନର ଜବାବ ଦେଇ ପାରିବାକୁ ହୁଏ । ସେହି ଆହ୍ଵାନର ଘୋଷଣାଟିକୁ ସଂପ୍ରସାରିତ କରିଦେବାକୁ ହୁଏ । ସେହି ଆହ୍ଵାନଟିର ସମ୍ମୁଖୀନ ହେବାଲାଗି ଏକାଠି ବାଟ ଚାଲିବାକୁ ହୁଏ ଏବଂ ଋକ୍‌ବେଦର ଭାଷାରେ ବାଟ ଚାଲିବାର ଏହି ମନ୍ତ୍ରଟିକୁ ଉଚ୍ଚାରଣ କରି କରି ଆଗକୁ ଯିବାକୁ ହୁଏ । ପଶ୍ୟେମାନୁ ସୂର୍ଯ୍ୟଂ ଉଚ୍ଚରନ୍ତଂ–“ଆମେ ସର୍ବଦା ଉଦୟ ହୋଇ ଆସୁଥିବା ଆକାଶଚାରୀ ଏହି ସୂର୍ଯ୍ୟର ହିଁ ପ୍ରତ୍ୟକ୍ଷ କରୁଥାଉ !’

 

୩ । ୯ । ୭୯

[‘ସାହିତ୍ୟ’–କଳିଙ୍ଗ ସାହିତ୍ୟ ସମାଜ, ବ୍ରହ୍ମପୁର,୧୯୭୪]

Image

 

Unknown

ସାହିତ୍ୟ-ଭୂମି

 

ଏ ଜୀବନ ଯାହାଦ୍ୱାରା ବଞ୍ଚେ, ତାକୁ ଶାସ୍ତ୍ରରେ ଅନ୍ନ ବୋଲି କୁହାଯାଇଚି; ଏବଂ ଏ ଜୀବନ ଯାହାଲାଗି ବଞ୍ଚେ, ତାକୁ ଶାସ୍ତ୍ରରେ ଆନନ୍ଦ ବୋଲି କୁହାଯାଇଚି । ଏଠାରେ ଅନ୍ନ କହିଲେ ଆମେ କେବଳ ପ୍ରତ୍ୟହ ଖାଉଥିବା ଖାଦ୍ୟପଦାର୍ଥକୁ ହିଁ ବୁଝାଏ ନାହିଁ । ଠିକ୍ ସେହିପରି ଆନନ୍ଦ କହିଲେ ମଧ୍ୟ ଆମର ଜୀବନଟାକୁ ଅନେକ ଓ ବହୁଳ ବିଳାସମୟତାଦ୍ଵାରା ଭରି ରଖିଥିବା ଏକ ଆରାମସର୍ବସ୍ଵ ଲାସ୍ୟକୁ ମଧ୍ୟ ବୁଝାଏନାହିଁ । ଅନ୍ନ ହେଉଛି ଏକ ଆବଶ୍ୟକତା, ଆନନ୍ଦ ହେଉଛି ଏକ ଆକାଂକ୍ଷା । ପ୍ରତ୍ୟେକ ମଣିଷ ଦୁଇଟିଯାକ ସହିତ ବଞ୍ଚେ, ଦୁଇଟିଯାକକୁ ନେଇ ବଞ୍ଚେ । ମଣିଷ ପରି ବଞ୍ଚିବାକୁ ହେଲେ ଅନ୍ନ ଯେମିତି ଲୋଡ଼ା ହୁଏ, ଆନନ୍ଦର ବି ସେମିତି ଲୋଡ଼ା ହୁଏ । ଗୋଟିଏ ଆରଟି ଲାଗି ବାଟ ଫିଟାଇଦିଏ । ଯିଏ ଅନ୍ନକୁ ଆନନ୍ଦରେ ଏକ ସ୍ଥାନାପନ୍ନ ବୋଲି ବିଚାରୁଥାଏ, ଅର୍ଥାତ୍ ଅନ୍ନ ବଢ଼ିଲେ ହିଁ ଆନନ୍ଦ ଅବଶ୍ୟ ବଢ଼ିବ ବୋଲି ଭିଆଣ କରୁଥାଏ, ସିଏ ବିଚାରା ତା’ର ସକଳ ଆଡ଼ମ୍ବର ସତ୍ତ୍ୱେ ସେହି ଅନ୍ନର ସୀମା ଭିତରେ ହିଁ ଛନ୍ଦି ହୋଇ ରହେ । ସିଏ ଆନନ୍ଦକୁ ଚିହ୍ନି ପାରେନାହିଁ, ଅର୍ଥାତ୍ ଆପଣାର ଯଥାର୍ଥ ଆକାଂକ୍ଷାଟିକୁ ସେ ଆବିଷ୍କାର କରି ପାରେନାହିଁ । ତା’ର ଅନୁଭୂତି ଏବଂ ତା’ର ଚେତନା କେବଳ ତା’ର ଆପଣାକୃତ ଇହବାଡ଼ଗୁଡ଼ାକ ଭିତରେ ଅବରୁଦ୍ଧ ହୋଇ ରହେ । ଗୁଣେ ଜାଗାରେ ଦଶଗୁଣ ଆବଶ୍ୟକତା ବଢ଼େ ଓ ଆବଶ୍ୟକତା ମେଣ୍ଟିବାରେ ଲାଗିଥାଏ ସତ, ମାତ୍ର ତଥାପି ଭିତରକୁ ଦୁଆର ଖୋଲେନାହିଁ; ଉପରକୁ ହାତ ବଢ଼ାଇବା ଲାଗି କେବେ ହେଲେ ସାହସ ହୁଏନାହିଁ ।

 

ମଣିଷ ଭିତରେ ରହିଥିବା ଏହି ଆନନ୍ଦର ସ୍ୱରୂପ କ’ଣ, ଅର୍ଥାତ୍ ଏହି ଆକାଙ୍‌କ୍ଷାଟିର ସ୍ୱରୂପ କ’ଣ ? ଏହି ଆକାଙ୍‌କ୍ଷା ହେଉଛି, ସୃଷ୍ଟି କରିବାର ଆକାଙ୍‌କ୍ଷା । ଆପଣାର ବୋଲି ଯାହାକିଛି ଅଛି, ସବୁଟିକୁ ପୁଞ୍ଜି ପରି ବ୍ୟବହାର କରି ସେଥିରୁ ସୁନ୍ଦର ଓ ସାର୍ଥକ କରି କିଛି ସୃଷ୍ଟି କରିବାର ଆକାଙ୍‌କ୍ଷା । ଆପଣାର ବୋଲି ଯାହା କିଛି ରହିଛି, ସବୁଟିକୁ ସତେଅବା ଗୋଟିଏ ବୀଜରେ ପରିଣତ କରିଦେଇ ସେଥିରୁ ଗଛଟିଏ ହୋଇ ବାହାରିବାର ଆକାଙ୍‌କ୍ଷା । କିଛି ହୋଇ ଫୁଟିବାର ଓ ଫଳିବାର ଆକାଂକ୍ଷା । ଏହି ଆକାଙ୍‌କ୍ଷା ଯଥାର୍ଥ ଆତ୍ମପରିଚୟର ଆକାଙ୍‌କ୍ଷା, ତେଣୁ ଯଥାର୍ଥ ବିଶ୍ଵପରିଚୟର ଆକାଙ୍‌କ୍ଷା,–ଆପଣା ସୃଜନଗୁଡ଼ିକର ମାଧ୍ୟମରେ ଏଭଳି ଏକ ଏକାତ୍ମକତା ଅର୍ଜନ କରିବାର ଆକାଙ୍‌କ୍ଷା, ଯାହାକି ସବୁଟି ସହିତ ଏକାଠି ହେବାର ବାଟ ବଢ଼ାଇଦେବା ସଙ୍ଗେ ସଙ୍ଗେ ଆମକୁ ଆପଣା ସହିତ ବି ଏକାତ୍ମ ହେବାର ଅଧିକାର ଦେଇଯାଏ । ଏହି ଆକାଙ୍‌କ୍ଷାଦ୍ଵାରା ମଣିଷ ତା’ର ଅସଲ ଡୋରଗୁଡ଼ିକୁ ଚିହ୍ନେ । ତେଣୁ ଅସଲ ଭ୍ରମଗୁଡ଼ିକୁ ଅତିକ୍ରମ କରିପାରିବା ପାଇଁ ସେ ଏକ ସହଜ ଶକ୍ତି ହାସଲ କରିଥାଏ । ଏହି ଡୋରଗୁଡ଼ିକ ହିଁ ଆମକୁ ଆମ ଜୀବନର ଅସଲ ପ୍ରେରଣାସ୍ଥାନଗୁଡ଼ିକ ସହିତ ନେଇ ଯୁକ୍ତ କରିଦିଏ । ହୁଏତ ଏହି ଦୃଷ୍ଟିରୁ ହିଁ ମଣିଷ ମନର ଗତି ଓ ରୀତିକୁ ସମଗ୍ର ଭାବରେ ଚିହ୍ନି ପାରିଥିବା ଆଧ୍ୟାତ୍ମଶାସ୍ତ୍ରରେ ଜୀବନକୁ ଯୋଗ ବୋଲି କୁହାଯାଇଛି । ଏହି ଯୋଗ କଳି ହୋଇ ବସିବାର ଦୁର୍ଯୋଗ ନୁହେଁ, ଏହା ହେଉଛି ଆପଣାକୁ ପ୍ରସାରିତ କରିଦେଇ ସେହି ପ୍ରସାର ମଧ୍ୟରେ ହିଁ ଆପଣାକୁ ପୁନରାବିଷ୍କାର କରି ବାହାରିବାର ଅଧିକାର । ଭିତରେ ଯେଉଁ ଆକାଙ୍‌କ୍ଷା ରହିଥିଲେ ଆମେ ଏହି ଅଧିକାରଟିଆଡ଼କୁ ମନ ବଳାଉ, ଆମେ ସମସ୍ତେ ଅର୍ଥାତ୍ ମଣିଷ ମାତ୍ରକେ ଆମେ ସମସ୍ତେ ସେହି ଆକାଙ୍‌କ୍ଷା ନେଇ ଜନ୍ମ ହୋଇଚୁ । ଆମେ ସମସ୍ତେ ଯଥାର୍ଥତଃ କାହାରି ଲାଗି ବଞ୍ଚିଚୁ । ତାହାରି ଯୋଗ୍ୟ ହେବାର ପ୍ରୟାସକ୍ଷେତ୍ରରେ ଆମକୁ ସଚରାଚର ଯେଉଁ ଅତିପ୍ରାଥମିକ ଆବଶ୍ୟକତାଗୁଡ଼ିକର ପୂରଣ କରିବାକୁ ପଡ଼ିଥାଏ, ତାହାହିଁ ଅନ୍ନ । ତେଣୁ ଅନ୍ନ ଆଉ ଆନନ୍ଦ ଭିତରେ ଦୁହିଁଙ୍କୁ ସତେଅବା ଗୋଟିଏ ପରିପୂର୍ଣ୍ଣତାର ଶ୍ରେୟ ମଧ୍ୟରେ ଖଞ୍ଜି ଦେଇଥିବା ପରି ଏଠି ଆମ ଜୀବନର ସିଡ଼ି ଏଠୁ ସେଯାଏ ପଡ଼ି ରହିଚି । ଏବଂ ସେଇଥିଲାଗି ଆମ ଶାସ୍ତ୍ରରେ ଅନ୍ନ ଓ ଆନନ୍ଦ ଉଭୟକୁ ବ୍ରହ୍ମ ବୋଲି କୁହାଯାଇଚି । ଅନ୍ନ ବିହୁନେ ହଂସର ହାନି ହୁଏ ବୋଲି ଚେତାଇ ଦିଆଯାଇଚି । ଏଇଟି ହେଲେ ସେଇଟି ଆପେ ଆପେ ହୋଇଯାଏ ନାହିଁ, ଏଇଟି ବଢ଼ିଲେ ସେଇଟି ମଧ୍ୟ ଆପେଆପେ ବଢ଼ିଯାଏ ନାହିଁ ; ଏଇଠୁ ଆରମ୍ଭ କରିବାକୁ ହୁଏ, ସେଇଟି ଲାଗି ବାସନା ରଖିବାକୁ ହୁଏ । ଏଇଠୁ ପାଦ ପକାଇବାକୁ ହୁଏ, ସେ ଯାଏ ଆରୋହଣ କରିବାର ଅଭିକ୍ରମ ରଖିବାକୁ ହୁଏ । ଯିଏ ଦୁଇଟିଯାକ କରିପାରେ, ତା’ର ଅନ୍ନ ସାର୍ଥକ ହୁଏ, ଆକାଂକ୍ଷାରେ ଫଳ ଫଳେ ଓ ସେ ଆନନ୍ଦର ଅଧିକାରୀ ହୁଏ । ସେଇ ବଞ୍ଚିରହେ, କାରଣ ସେ ବଞ୍ଚିବା ପରି ବଞ୍ଚି ରହେ ।

 

ଗୋଟାଏ ପାଖରେ ଅନ୍ନ, ଆଉ ଗୋଟାଏ ପାଖରେ ଆନନ୍ଦ; ଏବଂ ଦୁହିଁଙ୍କୁ ଏକାଠି ଆବୋରି ଧରି ଏଠି ଜୀବନକୁ ନେଇ ଯେତେ ଯେଉଁଠି ଯେତେ ପ୍ରକାର ସମ୍ବନ୍ଧର ଖିଅ ଲଗାଇ ଦିଆହୋଇ ଥାଏ, ତାହାକୁ ଆମେ ଆମର ସମାଜ ବୋଲି କହିବା । ଆମର ସମାଜ ତା’ଭିତରେ ବାସ କରୁଥିବା ଆମ ପ୍ରତ୍ୟେକଙ୍କର ଆବଶ୍ୟକତା ଓ ଆକାଙ୍‌କ୍ଷା ସହିତ ହିଁ ଆତଯାତ ହେଉଥାଏ । ଆମକୁ ପରସ୍ପର ସହିତ କେତେମନ୍ତେ ଗଁଠାଇ ଦେଇଥାଏ, କେତେ ଭଳି ଶାସନ ଓ ସଂହିତା ଭିତରେ ବାନ୍ଧି ରଖିଥାଏ । ଏହି ସମାଜରେ ହିଁ ଆମକୁ ନେଇ କେତେ ପ୍ରକାର ଆଦର୍ଶ ଓ ଅଣଆଦର୍ଶର ପରିପାକ ହେବାରେ ଲାଗିଥାଏ; କେତେ ଗଢ଼ା ହେଉଥାଏ, କେତେ ଭଙ୍ଗା ହେଉଥାଏ । ସବୁ ମଣିଷଙ୍କର ଆବଶ୍ୟକତା ପୂରିବ ସେଥିଲାଗି ସମାଜ ଭିତରେ କେତେଭଳି ବ୍ୟବସ୍ଥାର ପ୍ରଚଳନ ଓ ପ୍ରୟୋଗ ହେଉଥାଏ । କୌଣସି କାରଣରୁ ବ୍ୟବସ୍ଥାରୁ ଅବ୍ୟବସ୍ଥା ଉପୁଜିଲେ ତାହାକୁ ଭାଙ୍ଗି ନୂତନ ବ୍ୟବସ୍ଥାର ବରାଦ ବି ହେଉଥାଏ । ସବୁ ମଣିଷଙ୍କର ଆକାଂକ୍ଷାକୁ ସ୍ଵୀକାର କରି ସେହି ଉଦ୍ଦେଶ୍ୟରେ ସମସ୍ତଙ୍କର ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ହିଁ ଯେକୌଣସି ସୁସ୍ଥ ସମାଜର ଆକାଂକ୍ଷା ହୋଇ ରହିଥାଏ । ମାତ୍ର ସବୁ ସମୟରେ ଓ ସବୁ ସମାଜରେ ଏହିଭଳି ଏକ ସୁସ୍ଥତା ଲାଗି ହୁଏତ ଏକ ସ୍ଵାଭାବିକ ବାତାବରଣ ବି ତିଆରି ହୋଇ ନଥାଏ । ମଣିଷକୁ ମଣିଷ ଭୟ ବି କରେ; ମଣିଷ ମଣିଷଠାରୁ ଦୂରଛଡ଼ାହୋଇ ରହିବାକୁ ସତେଅବା ନିରାପଦ ସଂସାରଧର୍ମ ବୋଲି ଗ୍ରହଣ କରି ନେଇଥାଏ; ମଣିଷ ମାତ୍ରକେ ସମସ୍ତେ ଆପଣାର ଆକାଂକ୍ଷାଗୁଡ଼ିକୁ ଚିହ୍ନିବାକୁ ବାହାରିଲେ ହୁଏତ ଆପଣା ଆକାଂକ୍ଷାଗୁଡ଼ିକର ଆଉ କୌଣସି ବିଶେଷ ତାତ୍ପର୍ଯ୍ୟ କିମ୍ବା ବୈଶିଷ୍ଟ୍ୟ ରହିବ ନାହିଁ ବୋଲି ଅନେକ ଶଙ୍କା ମଧ୍ୟ କରୁଥାନ୍ତି । ସମସ୍ତଙ୍କର ଆବଶ୍ୟକତା ପୂରଣ ହୋଇଗଲେଖ ଆପଣାର ଅତିରିକ୍ତ ଅଭାବବୋଧଗୁଡ଼ାକ ଲାଗି ହୁଏତ ଆଉ ପର୍ଯ୍ୟାପ୍ତ ରସଦ ମିଳିବ ନାହିଁ ବୋଲି ଅନେକ ପ୍ରମାଦ ଗଣୁଥାନ୍ତି । ସେତିକିବେଳେ ସମାଜ ଭିତରେ ଅସୁସ୍ଥତା ପ୍ରବେଶ କରିବାକୁ ଆରମ୍ଭ କରେ । ସେତେବେଳେ ସାମାଜିକତା ଅପେକ୍ଷା ସାମାଜିକ କ୍ଷମତା ଅଧିକ କଦର ପାଏ ; ଯିଏ ଯେତେ କ୍ଷମତା ଆତ୍ମସାତ୍ କରିପାରେ, ସିଏ ସେତେ ବଳବାନ୍ ହୋଇ ରହେ । ସେତେବେଳେ ସେହି ସମାଜର କେବଳ ଅନ୍ନନୀତ ବା ଅର୍ଥନୀତି ନୁହେଁ, ଯାବତୀୟ ନୀତି ଓ ସଂସ୍କୃତି ମୂଳତଃ ବଳବାନ୍ ମଣିଷର ସେବା ଖଟିବାରେ ଆଣି ଲଗାଯାନ୍ତି । ଭଗବାନଗୁଡ଼ାକ ବଳବାନର ରଇତ ହୋଇ ରହନ୍ତି । ଦେଶ, ଜାତି, ପ୍ରୀତି ବା ପ୍ରଗତି କହିଲେ ସେତେବେଳେ କେବଳ ବଳବାନ୍‌ର ହିଁ ଭଳିଭଳି ସମ୍ପତ୍ତି ବା ସମ୍ପନ୍ନତାକୁ ବୁଝାଏ । ଅହମିକାର ବେକରେ ଫୁଲମାଳ ଲମ୍ବାଇ ଦିଆଯାଏ । ପୂଜ୍ୟପୂଜାର ଥାଳ ଧରି ଯାବତୀୟ ଅପୂଜା ଓ ଅବିଧିର ଗାଆଣ ଓ ବଜାଣ ହୁଏ । ତା’ଦ୍ଵାରା ସମାଜ ଅଥବା ବ୍ୟକ୍ତି କାହାରି କଲ୍ୟାଣ ହୁଏନାହିଁ, ଦୁହିଙ୍କର ଅର୍ଗଳ ବନ୍ଦ ହୋଇ ରହିଥାଏ । ଅର୍ଥ ବା ଅନ୍ନର ଭଣ୍ଡାର ଭର୍ତ୍ତି ହୁଏ, ମାତ୍ର ତା’ଦ୍ଵାରା କୌଣସି ସାର୍ଥକତା ମିଳେ ନାହିଁ । ଅନ୍ନ ସତେଅବା ଅନ୍ନବାନ ବା ଅର୍ଥବାନ୍‌ର ଗୋଡ଼ରେ ଢିଙ୍କିଆ ହୋଇ ପଡ଼ି ରହେ, ସିଏ ଆଗକୁ ଯିବାଲାଗି ମନକଲା ମାତ୍ରକେ ତାକୁ ଏଇଠି ଛନ୍ଦି ରଖିବାକୁ ଚାହୁଁଥାଏ । ଆନନ୍ଦ ଲାଭର ତ ପ୍ରଶ୍ନହିଁ ଉଠୁନାହିଁ । ମଣିଷ ମଣିଷ ପାଖରୁ ଆପଣାକୁ କିଳି ରଖିବାକୁ ଇଚ୍ଛା କରୁଥିବା ପର୍ଯ୍ୟନ୍ତ ଆନନ୍ଦ ବା ଆସିବା କୁଆଡ଼ୁ ? ତେଣୁ ଆନନ୍ଦର ଅଭାବଟାକୁ ଭୁଲି ରହିବାକୁ ମଣିଷ କ୍ରମେ ଆନନ୍ଦର ସଂଜ୍ଞାକୁ ହିଁ ବଦଳାଇ ଦିଏ । ଆନନ୍ଦ କହିଲେ ତେଣିକି ସେ ତାମସାକୁ ହିଁ ବୁଝେ । ନିଜେ କିଛି ହେବନାହିଁ ବା ହେବାକୁ ଇଚ୍ଛା କରିବ ନାହିଁ, ସାହସ ଘରେ କୋଲପ ପକାଇ ଦେବ, ଖାଲି ଜମା କରିବାରେ ଲାଗିଥିବ, ଅନ୍ୟ ଅନେକଙ୍କୁ ସେମାନଙ୍କର ଅନ୍ନରୁ ବଞ୍ଚିତ କରି ମଧ୍ୟ ଆପଣାର ଅନ୍ନ ଅଢ଼ାଟିକୁ ଋଦ୍ଧିମନ୍ତ କରି ରଖିବାରେ ଲାଗିଥିବ, ଅନ୍ୟ ଅନେକଙ୍କ ତୁଳନାରେ ଆପଣା ପାଖରେ ଅଧିକ ଗଚ୍ଛିତ ହୋଇ ରହିଚି ବୋଲି ଗର୍ବ ଅନୁଭବ କରୁଥିବ ଓ ଆପଣା ଭିତରେ ସତେ ଅବା କେଉଁ ଉପେକ୍ଷିତ କଣରେ ସେହି ଅନ୍ୟମାନଙ୍କୁ ଈର୍ଷା କରିବାରେ ଲାଗିଥିବ:–ଆମେ ଏହିଗୁଡ଼ାକୁ ହିଁ ତାମସା ବୋଲି କହିବା । ଏହିପରି ଏକ ପରିବେଶରେ ମଣିଷ ଯାହା କିଛି କରିବ, ତାହାର ପରିଣାମ କେବଳ ତାମ୍‌ସା ହିଁ ହେବ । ଆନନ୍ଦବର୍ଜିତ ହୋଇ ରହିଥିବ, ଅନ୍ନ ଅପାତ୍ରସ୍ଥ ହୋଇ ରହିଥିବ, କୌଣସି ପ୍ରକାର ସାର୍ଥକତା ଲାଗି ତହା ବାଟ କଢ଼ାଇ ପାରିବ ନାହିଁ ।

 

ଏହିଭଳି ଏକ ଅରୀତିକୁ ରୀତି ବୋଲି ମାନିନେଇ ଯେତେବେଳେ ସମାଜ ଚାଲେ, ଅର୍ଥାତ୍ ଯେତେବେଳେ କେତେଜଣଙ୍କର ଆରମରେ ଚାଲିବାକୁ ହିଁ ସମାଜରେ ସଭିଙ୍କର ଚାଲିବା ବୋଲି ପ୍ରଚାର କରାଯାଏ, ସମାଜନୀତିର କ୍ଷେତ୍ରରେ ଆମେ ସେତେବେଳେ ଏହିଭଳି ଏକ ବିଚିତ୍ର ଯୁକ୍ତି ଶୁଣିବାକୁ ପାଇଥାଉ । ଆମ ଭୋକକୁ ମାରିଦେବାର ପରାମର୍ଶ ଦେଇ ସେତେବେଳେ କୁହାଯାଏ : ସମସ୍ତେ ଅନ୍ନ ଭୁଞ୍ଜିବେ ଓ ସମସ୍ତେ ଆନନ୍ଦର ଅଧିକାରୀ ହୋଇ ରହିବେ, ଏଗୁଡ଼ାକ ହେଉଛି ଖାଲି ଆଦର୍ଶ କଥା । ସମସ୍ତଙ୍କର ଆବଶ୍ୟକତା ମେଣ୍ଟିବା ସକାଶେ ସମାଜରେ ଏକ ଉପଯୁକ୍ତ ଆଧାର ତିଆରି ହୋଇ ରହିବ, ଯେପରିକି ସମସ୍ତେ ମଣିଷ ପରି ଆପଣାର କ୍ରମପ୍ରସାରିତ ଆକାଂକ୍ଷାଗୁଡ଼ିକୁ ଚିହ୍ନି ସୋପାନକୁ ସୋପାନ ବାଟ ଚଢ଼ି ଆଗକୁ ଯାଇ ପାରିବେ,–ଏଗୁଡ଼ାକ ଭାରି ଭଲ କଥା ଓ ଏଗୁଡ଼ାକ ହୋଇପାରିଲେ ଆମର ଏହି ସଂସାର ଅବଶ୍ୟ ସ୍ଵର୍ଗ ପାଲଟି ଯାଆନ୍ତା । ମାତ୍ର ଏଠି ତାହା କଦାପି ସମ୍ଭବ ନୁହେଁ । ତେଣୁ ବାସ୍ତବ ଖାରା କଥାଟା ହେଉଚି ଯେ କେତେକଙ୍କୁ ଅନ୍ନସୀମା ଭିତରେ ଆବଦ୍ଧ ହୋଇ ରହିବାକୁ ହିଁ ପଡ଼ିବ ଅର୍ଥାତ୍ ଅନ୍ନଗତ ସନ୍ତପ୍ତତା ଭିତରେ ଘାଣ୍ଟି ହେବାଟାକୁ ହିଁ ଆପଣାର ଦାୟଭାଗ ରୂପେ ସ୍ଵୀକାର କରିନେବାକୁ ପଡ଼ିବ, ଯେପରିକି ଆଉ କେତେଜଣ ଆନନ୍ଦ ଭୋଗ କରି ପାରିବେ । ସେମାନେ ଆନନ୍ଦ ଭୁଞ୍ଜିବେ, ଆନନ୍ଦରେ ବିହରଣ କରିବେ ଓ ଆନନ୍ଦର କ୍ଷମତାପ୍ରାପ୍ତ ଭଣ୍ଡାରରକ୍ଷକ ହୋଇ ରହିଥିବେ । ଯୁଗ ଯୁଗ ଧରି ଆମ ସଂସାରରେ କେବଳ ଏହାହିଁ ଚାଲି ଆସିଚି ଓ ସବୁଦିନ ଲାଗି କେବଳ ଏତିକି ଚାଲିବା ଉଚିତ ବୋଲି ସେମାନେ ଏଡ଼େ ପାଟିକରି କହିଥାନ୍ତି । କେତେକ ବଳି ପଡ଼ିବେ, ତେବେଯାଇ କେତେକ ଭୋଗ ପାଇପାରିବେ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି । ସତେ ଅବା ଆପଣାର ବାସ୍ତବ ବିଜ୍ଞତାଗୁଡ଼ାକୁ ପ୍ରମାଣ କରି ଦେଖାଇ ଦେବାକୁ ସେମାନେ କହିଥାନ୍ତି ଯେ ଏପର୍ଯ୍ୟନ୍ତ ଆମ ଜଗତର ଯାବତୀୟ କଳା, ସଂସ୍କୃତି, ସାହିତ୍ୟ ଓ ବିଜ୍ଞାନ କେବଳ କେତେଜଣଙ୍କର ପ୍ରୟାସଦ୍ଵାରା ହିଁ ବିକଶିତ ହୋଇ ଆସିଚି । ସେଗୁଡ଼ାକ ସବୁବେଳେ ସେହି କେତେଜଣଙ୍କୁ ହିଁ ବୁଝାଇଚି । ତେଣୁ ଯାବତଚନ୍ଦ୍ରାର୍କ ଗୋଟିଏ ପାଖରେ କେତେଜଣ ଗଧ ପରି ଖାଲି ଖଟିବେ ଏବଂ ଆପଣାର ଭାଗ୍ୟକୁ କାମୁଡ଼ି ଶୋଇ ରହିଥିବେ ଏବଂ ଅନ୍ୟପାଖରେ ଆଉକେତେକ ଜୀବନର ସୂକ୍ଷ୍ମତର ଉଦ୍ୟାନମାନଙ୍କରେ ବିଚରଣ କରୁଥିବେ । ଯେଡ଼େ ପଟୁତା ଓ ପରିପାଟୀ ସହିତ କୁହାଗଲେ ମଧ୍ୟ ଏଗୁଡ଼ାକ ହେଉଚି ସିଆଣିଆ ଅମଣିଷର କଥା, ମଣିଷର ଆକାଂକ୍ଷାକୁ ହୃଦୟରେ ଧରି ବଞ୍ଚି ରହିବାକୁ ଇଚ୍ଛା କରୁଥିବା ମଣିଷର କଥା ନୁହେଁ । ଜୀବନ ଓ ଜୀବନବାଚୀ ଯାବତୀୟ ପଣ୍ୟକୁ ଖାଲି ସମ୍ପତ୍ତି ପରି ଭୁଞ୍ଜିବା ଲାଗି ଆଗଭର ହୋଇ ରହିଥିବା ମଣିଷର କଥା, ମଣିଷର ଆରୋହଣ କାମନା କରୁଥିବା ମଣିଷର କଥା ନୁହେଁ; ଏବଂ ଯେଉଁ ସମାଜରେ ଏଭଳି ମଣିଷ ପରାକ୍ରମଶାଳୀ ହୋଇ ରହନ୍ତି ଏବଂ ଯେଉଁ ସମାଜକୁ ନେଇ ପୁଲକିତ ବଢ଼ାଇ କରିବାରେ ଲାଗିଥାନ୍ତି, ତାହା ପ୍ରକୃତରେ ମଣିଷଲାଗି ସମାଜ ନୁହେଁ । ସମାଜର ନାଆଁ ଦେଇ ବସା ଯାଇଥିବା ଏକ ଆଡ଼ମ୍ବରମୟ ଇହସନ୍ତାପ ।

 

ସାହିତ୍ୟ କହିଲେ ମଣିଷର ଜୀବନରେ ଯାହା ବୁଝାଏ, ତାହା ହେଉଛି ମୂଳତଃ ଏହି ସମାଜର ସୃଷ୍ଟି । ସମାଜ ହେଉଛି ସେହି ମାଟି, ଯାହାଉପରେ କି ମଣିଷର ସାହିତ୍ୟ ଫୁଲଟିଏ ପରି ଫୁଟିଉଠେ । ସମାଜ ହେଉଚି ସେହି ବଗିଚା, ଯେଉଁଠି ମଣିଷର ସାହିତ୍ୟ ଫୁଲଟିଏ ହୋଇ ଫୁଟିଉଠେ । ସାହିତ୍ୟକୁ ଆମେ ଆମଭିତରେ ରହିଥିବା ଅନ୍ତର୍ମଣିଷର ସାଧନା ବୋଲି କହିବା ସତ, ମାତ୍ର ଏହି ସାଧନା ସକାଶେ ତଥାପି ସମାଜର ମାଟି ଲୋଡ଼ା ହୁଏ । ଯିଏ ଆପଣା ସହିତ ନିବିଡ଼ ହୋଇ ବାସ କରିବାକୁ ଚାହେଁ ଏବଂ ସେହି ନିବିଡ଼ତାରୁ କିଛିନା କିଛି ସୃଷ୍ଟି କରିବାକୁ ଚାହେଁ, ତାକୁ ସବୁରି ସହିତ ମଧ୍ୟ ନିବିଡ଼ ଭାବରେ ବାସ କରି ଶିଖିବାକୁ ହୁଏ । ଆପଣା ସହିତ ବାସ କରିବାର ନାଆଁରେ ଅବଶ୍ୟ ଅନେକେ ଏକପ୍ରକାର ଅନ୍ତଃକାରାବାସର ବରଣ କରିଥାନ୍ତି । ସେଇଠୁ ଥାଇ ସେମାନେ ସତେଅବା ଉନ୍ନତ୍ତବତ୍‍ ଅଥବା ବିଷଣ୍ଣବତ୍ ଯାହାସବୁ ଉଦ୍‌ଗାର କରନ୍ତି, ତାହାକୁ ହିଁ ସାହିତ୍ୟ ବୋଲି ସ୍ଵୀକୃତି ମିଳୁ ବୋଲି ଜିଦ୍‍କରି କହିଥାନ୍ତି । ପୃଥିବୀର କଳା ତଥା ସାହିତ୍ୟର ଇତିହାସରେ ଆମେ ଏହିଭଳି ଏକଜିଦିଆ କାରାବାସବାଦର ଏକାଧିକ ଦୃଷ୍ଟାନ୍ତ ଓ ଏକାଧିକ ପର୍ଯ୍ୟାୟ ଦେଖିବାକୁ ପାଇବା । ଏଗୁଡ଼ିକର ଅଧ୍ୟୟନ କରିବା ଲାଗି ଯେକୌଣସି ସମୀକ୍ଷକର ଅବଶ୍ୟ ଆଗ୍ରହ ରହିଥିବା ଉଚିତ; ମାତ୍ର ଯେଉଁ ସାହିତ୍ୟ ଫୁଟି ଉଠିବାର ଆକାଂକ୍ଷାରୁ ପ୍ରସୂତ ହୋଇଥାଏ, ଏହାକୁ ସେଭଳି ସାହିତ୍ୟର ଅନ୍ତର୍ଭୂକ୍ତ କରିବା କଦାପି ସମୀଚୀନ ହେବନାହିଁ । ତେଣୁ ସାହିତ୍ୟ ହେଉଚି, ସମାଜର ଧନ, ପୁଣି ଏହା ସମାଜର ଦର୍ପଣ । ସାମାଜିକ ଅର୍ଥାତ୍ ମାନବିକ ଏକାତ୍ମକତାର କ୍ଷେତ୍ରରେ ଜଣେ ପ୍ରକୃତରେ କେତେଦୂର ଅଧିଗମି ପାରିଚି, କେଉଁଯାଏ ଖବର ରଖିଚି ଅଥବା କେଉଁଠି ପହଞ୍ଚିବାର ବାସନ ରଖି କେଉଁଠି ଯାଇ ବଣା ହୋଇ ପଶି ଯାଇଛି, ତାର ସାହିତ୍ୟ ରଚନାରୁ ଆମେ ସେସବୁର ନାନା ସୂଚନା ପାଇଥାଉ ଏବଂ ସେଇଥିରୁ ଆମେ ସେହି ସାହିତ୍ୟିକର ଆକାଂକ୍ଷା ତଥା ଆରୋହଣଗତ ସ୍ଥିତିଟିର ବି କିଛି କଳନା କରିପାରୁ । ଠିକ୍ ଏହିଭଳି ଏକ ରୀତିରେ ସାହିତ୍ୟିକ ପରି ସାହିତ୍ୟପାଠର ବି କଳନା କରା ଯାଇପାରେ । ଯେଉଁ ପାଠକ ଆପଣା ସାମାଜିକ ଓ ମାନବିକ ଏକାତ୍ମକତାର କ୍ଷେତ୍ରରେ ଯେଉଁ ସ୍ତରରେ ବିଚରଣ କରୁଥାଏ, ସିଏ ଠିକ୍ ସେହିଭଳି ସାହିତ୍ୟକୁ ଖୋଜିବାରେ ଲାଗିଥାଏ । କୌଣସି ସମାଜ ତାର ସାହିତ୍ୟକୁ ଉପଯୁକ୍ତ ସମ୍ମାନ ଦେଉ ବୋଲି ଅନେକ ସମୟରେ ଆମର ଏଠି ଭାରି ଅଭିଯୋଗମାନେ ଶୁଣିବାକୁ ମିଳିଥାଏ । ଆପଣାକୁ ସାହିତ୍ୟିକ–ଗୋତ୍ରଭୁକ୍ତ ବୋଲି ଧରିନେଇ ଯେଉଁମାନେ ସମାଜରେ ଉପରବରଡ଼ାର ସମ୍ମାନ କାମନା କରୁଥାନ୍ତି, ସାଧାରଣତଃ ସେମାନେ ହିଁ ଏହିଭଳି ଅଭିଯୋଗ କରିଥାଆନ୍ତି କିମ୍ବା ଅନ୍ୟଦ୍ଵାରା କରାଇଥାଆନ୍ତି । ମାତ୍ର ପ୍ରତ୍ୟେକ ସାହିତ୍ୟିକର ଯେ ସମାଜକୁ ଉପଯୁକ୍ତ ସମ୍ମାନ ଦେବାର ଏକ କର୍ତ୍ତବ୍ୟ ରହିଚି, ଅସମ୍ମାନିତ ମଣିଷର ହୋଇ ତାକୁ ଉତ୍ତୋଳିତ କରି ଧରିବାର ଏକ ଦାୟିତ୍ଵ ରହିଚି, ଆମର ଏଠାରେ ସେହି ବିଷୟରେ ବେଶୀ କିଛି ଶୁଣାଯାଏ ନାହିଁ । ହୃଦୟ ନଥିବା ବ୍ୟକ୍ତିମାନେ ଅନେକ ସମୟରେ ଏଇଟାକୁ ରାଜନୀତି ଭିତରର କଥା ବୋଲି କହିଥାନ୍ତି ଓ ସାହିତ୍ୟ ଏସବୁ କର୍ଦ୍ଦମରୁ ଦୂରରେ ରହିବା ଉଚିତ ବୋଲି ହିତବାଣୀ ଶୁଣାଇଥାନ୍ତି । ମାନବିକ ଭୂମିଉପରେ ଏମାନେ ନିଜେ ଅସ୍ପୃଶ୍ୟ ହୋଇ ରହିଥାନ୍ତି । ଆପଣା ଭିତରର ମଣିଷଟି ପାଖର ମଧ୍ୟ ଏମାନେ ଅସ୍ପୃଶ୍ୟ ହୋଇ ରହିଥାନ୍ତି ଏବଂ ଏମାନେ ସାହିତ୍ୟ ବୋଲି ଯାହାସବୁ ଲେଖନ୍ତି, ତାହା ଗାଡ଼ି ଗାଡ଼ି କିମ୍ବା ଭାଡ଼ି ଭାଡ଼ି ହେଲେ ମଧ୍ୟ ତାହାଦ୍ୱାରା କୌଣସି ଯଥାର୍ଥ ଦ୍ଵାରର ଉନ୍ମୋଚନ ସମ୍ଭବ ହୋଇ ପାରେନାହିଁ । ତାହା ଆଖିକୁ ଜଳକା କରିଦିଏ ସତ, ଭଣ୍ଡାଇ ବା ଭୁଲାଇନିଏ ସତ, ମାତ୍ର ଆମର ଅସଲ ଆକାଂକ୍ଷାଗୁଡ଼ାକୁ ତାହା ଆଦୌ ଉଖାରି ପାରେନାହିଁ ।

 

ଅନ୍ନ ସହିତ ଯେ ଆନନ୍ଦର ଏକ ଅନ୍ତରଙ୍ଗ ସମ୍ପର୍କ ରହିଛି,–ଆମର କଳା, ସାହିତ୍ୟ, ସଂସ୍କୃତି ଓ ନୀତି ଅନୀତିର କ୍ଷେତ୍ରଗୁଡ଼ିକ ଯେ ଆମ ସମାଜଦ୍ଵାରା ନିୟତ ପ୍ରଭାବିତ ହେଉଛି,–ଆଧୁନିକ ଚେତନାର ଦୁଇଜଣ ପୁରୋଗାମୀ ପ୍ରତିନିଧି ଆମକୁ ସେହି ବିଷୟରେ ସଚେତନ କରି ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗତ ଶତାବ୍ଦୀର ଇଉରୋପରେ ମନୀଷୀ କାର୍ଲ୍‍ମାର୍କସ୍‍ ଓ ଆମ ଏହି ଶତାବ୍ଦୀର ବିଶ୍ଵରେ ତଥା ଭାରତବର୍ଷରେ ମହାତ୍ମା ମୋହନଦାସ ଗାନ୍ଧୀ । ବାଦୀମାନେ ଯାହା ସଚରାଚର କରିଥାନ୍ତି, ମାର୍କ୍‌ସ୍‌ବାଦୀ ଓ ଗାନ୍ଧୀବାଦୀମାନେ ମଧ୍ୟ ସେହିଭଳି ମାର୍କସ୍ ଓ ଗାନ୍ଧୀଙ୍କର ବିଚାରରେ ନାନପ୍ରକାର ଅତିଶୟତା ଓ ପ୍ରମତ୍ତତା ଭର୍ତ୍ତି କରି ସେଗୁଡ଼ିକୁ ବିକୃତ କରି ପକାଇଚନ୍ତି; ତଥାପି ବିଚାରଟିର ମୂଳ ଆବେଦନଟି ଆଦୌ ମ୍ଳାନ ହୋଇ ଯାଇନାହିଁ । ପ୍ରାୟ ଶହେବର୍ଷ ତଳେ ମାର୍କସ୍ ଅତ୍ୟନ୍ତ ସରଳ ଭାଷାରେ ଆମକୁ ଏହି କଥାଟି ବୁଝାଇ ଦେଇଚନ୍ତି । ତାଙ୍କ ଯୁକ୍ତିଗୁଡ଼ିକର ଅନୁସରଣ କରି କହିଲେ,–ମଣିଷ ଯେ ତା’ର ଆପଣା ହାତରେ ଇତିହାସ ଗଢ଼େ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ କିମ୍ବା ପ୍ରତିବାଦ କରିବାକୁ କିଛି ନାହିଁ । ମାତ୍ର ଇତିହାସ ଗଢ଼ିବା ଲାଗି ସମର୍ଥ ହେବା ପୂର୍ବରୁ ମଣିଷକୁ ପ୍ରଥମେ ଜୀବନ ଧରି ବଞ୍ଚିବାକୁ ପଡ଼ିବ, ଅର୍ଥାତ୍ ବଞ୍ଚି ରହିବାର ସମର୍ଥ ହେବାକୁ ପଡ଼ିବ । ଏଇଟି ହେଉଚି ସକଳ ମନୁଷ୍ୟଜୀବନର ମୂଳକଥା-। ତେଣୁ ମନୁଷ୍ୟ ଯେଉଁ ଇତିହାସ ଗଢ଼ିବ ବୋଲି କୁହାଯାଉଚି, ସେଇଟିର ବି ମୂଳକଥା । ମଣିଷର ଜୀବନ କହିଲେ ସର୍ବଦା ନାନା କ୍ଷେତ୍ରରେ ନାନା ପ୍ରୟାସ ଓ ନାନା ଅନୁଧାବନକୁ ବୁଝାଏ ସତ, ମାତ୍ର ସର୍ବପ୍ରଥମେ ଖାଇପିଇ ବଞ୍ଚି ରହିବାକୁ ବୁଝାଏ, ବାସଯୋଗ୍ୟ ଖଣ୍ଡେ ଘରକୁ ବୁଝାଏ, ଦେହ ଘୋଡ଼ାଇବାର ବସ୍ତ୍ରକୁ ବୁଝାଏ ଓ ଏହିଭଳି ଆହୁରି ବହୁବିଧ ପ୍ରାଥମିକ ଆବଶ୍ୟକତାର ପୂରଣକୁ ବୁଝାଏ । ତେଣୁ ଏହି ଜୀବନର ଯାଥୋଚିତ ନିର୍ବାହ ଲାଗି ଯଥେଷ୍ଟ ସାମର୍ଥ୍ୟ ଲାଭ କରିବା ହେଉଚି ଇତିହାସର ସର୍ବମୂଳ ପ୍ରୟାସ ଓ ସର୍ବମୂଳ ଅନୁଧାବନ । ଏହାହିଁ ସକଳ ଇତିହାସର ମୂଳଭିତ୍ତି ଏବଂ ହଜାର ହଜାର ବର୍ଷ ଧରି ମନୁଷ୍ୟ ପ୍ରତି ମୁହୂର୍ତ୍ତରେ ଏହାର ପରିପୂରଣରେ ଲାଗି ରହିଚି ଜୀବନଧାରଣ କରି ରହିବାର ଏହି ସର୍ବପ୍ରଥମ ଧନ୍ଦାଟିରେ ବ୍ୟାପୃତ ରହି ଆସିଚି-। ଆପଣାର ଇତିହାସ ବ୍ୟାଖ୍ୟାରେ କାର୍ଲ୍‌ମାର୍କସ୍‌ ଏହାକୁ ହିଁ ଆପଣାର ସର୍ବମୂଳ ଅନୁମାନବାକ୍ୟ ବୋଲି ମାନିଚନ୍ତି । ଏହି ସତ୍ୟଟିକୁ ତାହାର ସକଳ ତାତ୍ପର୍ଯ୍ୟ ଦେଇ ସ୍ଵୀକାର କରିବାକୁ ସେ ଅତ୍ୟାବଶ୍ୟକ ବୋଲି କହିଚନ୍ତି । ଆମର ଯାବତୀୟ ଇତିହାସ ଗଢ଼ିବାରେ ସେ ଏହି ସତ୍ୟଟିର ବିଭିନ୍ନ ନିହିତାର୍ଥଗୁଡ଼ିକୁ ଯଥୋଚିତ ମହତ୍ତ୍ଵ ଦେଇ ମାନି ନେବାଲାଗି ଆମକୁ ସଚେତନ କରି ଦେଇଚନ୍ତି-

 

ଅର୍ଥାତ୍ ସବୁ ମଣିଷଙ୍କର ପେଟ ପୂରିବ, ସମସ୍ତଙ୍କୁ ବାସ ମିଳିବ, ଦେହ ଘୋଡ଼ାଇବାର ବସ୍ତ୍ର ମିଳିବ ଓ ମଣିଷ ପରି ବଞ୍ଚିରହିବା ଲାଗି ଏହି ଭୂମିରେ ଯାହା କିଛିର ପ୍ରୟୋଜନ ରହିଚି, ସେଗୁଡ଼ିକର ପୂରଣ ହେବ । ତେବେ ଯାଇ ସମାଜ ଭଳି ଗଢ଼ାହୋଇ ପାରିବ ଏବଂ ଏହିପରି ଏକ ସମାଜରେ ହିଁ ପ୍ରତ୍ୟକ ମଣିଷ ମଣିଷର ଆକାଂକ୍ଷା ନେଇ ବଞ୍ଚି ରହିବାର ଏକ ଯଥାର୍ଥ ଅବସର ପାଇ ପାରିବେ ଏବଂ ସେହି ସମାଜରେ ଯେଉଁ ଇତିହାସ ଗଢ଼ା ହେବ, ତାହା ଦାସତ୍ଵର ଇତିହାସ ନହୋଇ ମଣିଷର ଇତିହାସ ହେବ । ମାଲିକ ବନାମ ଭୃତ୍ୟର ଭ୍ରାନ୍ତି ଓ ଉଦଭ୍ରାନ୍ତିପୂର୍ଣ୍ଣ ଜୀବନଦ୍ଵନ୍ଦ୍ଵଗୁଡ଼ାକ ନ ବୁଝାଇ ସେତେବେଳେ ଇତିହାସ ଯଥାର୍ଥ ଜୀବନର, ଯଥାର୍ଥ ମଣିଷର କାହାଣୀ ହୋଇ ପାରିବ । ମାର୍କ୍‌ସ୍‌ ଅନ୍ନକୁ କେବଳ ପ୍ରାଥମିକ ଆବଶ୍ୟକତା ରୂପେ ମାନିଚନ୍ତି, ଏହାକୁ କଦାପି ଏକମାତ୍ର କିମ୍ବା ସମଗ୍ର ଆବଶ୍ୟକତା ବୋଲି କହିନାହାନ୍ତି । ଅନ୍ନର ଆବଶ୍ୟକତା ପରି ମଣିଷ ଜୀବନର ପରିପୂର୍ତ୍ତି ଓ ପୂର୍ଣ୍ଣପୂର୍ତ୍ତି ଲାଗି ଆହୁରି ଅନ୍ୟାନ୍ୟ ଓ ଅନ୍ୟସ୍ତରର ଯେଉଁ ଆବଶ୍ୟକତାମାନ ରହିଚି ଅନ୍ନମୟ ଜୀବନର ନିୟାମକ ସୂତ୍ରଗୁଡ଼ିକୁ ଅନ୍ଵେଷଣ କରି ବାହାରିଥିବା କାର୍ଲ୍‌ମାର୍କ୍‌ସ୍‌ ସେଗୁଡ଼ିକର ସୂଚନା ଦେବାକୁ ଆଦୌ ଭୁଲି ନାହାନ୍ତି । ପ୍ରଥମେ ଆବଶ୍ୟକତାଟିକୁ ପ୍ରଥମେ ହିଁ ମେଣ୍ଟାଇବାକୁ ପଡ଼ିବ, ପ୍ରଥମ ଗାରଟିକୁ ପ୍ରଥମେ ଡେଇଁବାକୁ ପଡ଼ିବ, ମାର୍କସ କେବଳ ଏହି କଥାଟି ଉପରେ ଯାହା ଅତ୍ୟନ୍ତ ଜୋର ଦେଇ କହିଚନ୍ତି । ପ୍ରଥମ ଗାରଟିକୁ ପ୍ରଥମେ ଡେଇଁବାକୁ ପଡ଼ିବ, ଅର୍ଥାତ୍ ଯେକୌଣସି ସୁସ୍ଥ ବା ସୁସ୍ଥତାଭିଳାଷୀ ସମାଜରେ ସମସ୍ତଙ୍କ ପାଖରେ ଏଇ ଗାରଟିକୁ ଡେଇଁବାର ସାମର୍ଥ୍ୟ ମହଜୁଦ ରହିଥିବ । ଅନ୍ନର ବିତରଣ ସଭାରେ ସମସ୍ତଙ୍କ ଲାଗି ସ୍ଥାନ ରହିଥିବ, ମୂଳତଃ ମଣିଷ ହିସାବରେ ସମସ୍ତଙ୍କୁ ସ୍ଵୀକୃତି ମିଳୁଥିବ । ଅନ୍ନଗତ ଆବଶ୍ୟକତାଗୁଡ଼ିକର ମେଣ୍ଟାଣ ହୋଇ ସାରିଲେ ତା’ପରେ ମନୁଷ୍ୟର ଅଭାବମାନ ଅନ୍ୟସ୍ତରକୁ ଉତ୍ତୋଳିତ ହୋଇଯିବ, ତା’ର ଅସନ୍ତୋଷମାନ ଅନ୍ୟସ୍ତରକୁ ଚରିଯାଇ ପାରିବ । ମାର୍କ୍‌ସ୍‌ କହିଛନ୍ତି, ପ୍ରଥମ ଆବଶ୍ୟକତାଟିର ତୃଷ୍ଟିବିଧାନ ହୋଇଗଲେ ସେହି ତୃଷ୍ଟି ତଥା ସେହି ତୃଷ୍ଟିକୁ ସମ୍ଭବ କରାଇଥିବା ସମାଜବ୍ୟବସ୍ଥା ମନୁଷ୍ୟ ଭିତରେ ନୂତନ ଅନ୍ୟ ଆବଶ୍ୟକତାଗୁଡ଼ିକୁ ଆଣି ଜନ୍ମଦେବ, ତା’ଭିତରେ ନୂତନ ଅନ୍ୟ ଅଭାବବୋଧ ଜାଗ୍ରତ କରାଇବ । ନୂତନ ଆବଶ୍ୟକତାଗୁଡ଼ିକୁ ଉତ୍ପନ୍ନ କରିବା ହେଉଚି ଇତିହାସ ଗଢ଼ାହେବା ଦିଗରେ ପ୍ରଥମ କାର୍ଯ୍ୟକାରୀ ପଦକ୍ଷେପ, ଏବଂ ଏହି ପ୍ରାଥମିକ ଆବଶ୍ୟକତାଗୁଡ଼ିକର ପରିପୂରଣ ପରେ ଯାଇ ଯଥାର୍ଥ ଇତିହାସର ଏହି ପଦକ୍ଷେପ ଆରମ୍ଭ ହୋଇ ପାରିବ । [Die deutsche Ideologie,୧୮୪୫–୪୬]

 

ବର୍ତ୍ତମାନ ଏଠି ଆମ ଦେଶରେ ଆମେ ବ୍ୟବସ୍ଥା ବୋଲି କହି ଯେଉଁ ସମାଜଟିକୁ ଚଳାଉଛୁ, ଅର୍ଥାତ୍ ଯେଉଁ ସମାଜଟି ମଧ୍ୟରେ ଆମ ନିଜେ ଚଳୁଚୁ, କାର୍ଲ୍‌ମାର୍କ୍‌ସ୍ ତାହାକୁ ଏକ ଶୋଷଣମୂଳ ସମାଜ ବୋଲି କହିଥାନ୍ତେ । ତାଙ୍କ ସମୟର ଇଉରୋପୀୟ ସମାଜରେ ପ୍ରାୟ ଏହିଭଳି ଏକ ଅବ୍ୟବସ୍ଥା ଚାଲିଥିଲା । ଏହି ଅବ୍ୟବସ୍ଥାଟି ଅନୁସାରେ ଚିତ୍ତକୁ ହିଁ ମଣିଷଠାରୁ ଅଧିକ ଉଚ୍ଚସ୍ଥାନ ଦିଆଯାଏ । ବିତ୍ତଲାଭ ଓ ବିତ୍ତବୃଦ୍ଧିକୁ ଶ୍ରେୟ ବୋଲି ମାନି ନିଆଯାଏ । ବିତ୍ତରୁ କ୍ଷମତା ଆସେ ଏବଂ ବିତ୍ତଶାଳୀ କ୍ଷମତାପନ୍ନମାନେ ଆପଣାର ବିତ୍ତ ଓ କ୍ଷମତାକୁ ଆହୁରି ପ୍ରଚଣ୍ଡ କରି ରଖିବା ସକାଶେ ଅନ୍ୟ ମଣିଷମାନଙ୍କୁ ପଣ୍ୟ ଭଳି ବ୍ୟବହାର କରନ୍ତି, ସେମାନଙ୍କୁ ଛେଳିମେଣ୍ଢା ପରି ଚରାନ୍ତି । ଏମାନଙ୍କର ପ୍ରାଥମିକ ଅର୍ଥାତ୍ ଅନ୍ନଗତ ଆବଶ୍ୟକତାଗୁଡ଼ିକ ପୂରଣ ହୋଇ ନଥାଏ, ତେଣୁ ସେଇଟିକୁ ଅତିକ୍ରମ କରି ଯିବା ପରେ ସେମାନେ ଯେଉଁ ନୂତନ ଅନ୍ୟ ଆବଶ୍ୟକତାଗୁଡ଼ିକୁ ହୁଏତ ଅନୁଭବ କରି ପାରିଥାନ୍ତେ ଓ ମଣିଷର ଆକାଂକ୍ଷା ନେଇ ବାଟ ଚାଲିଥାଆନ୍ତେ, ସେଗୁଡ଼ାକ ସେମାନଙ୍କ ଲାଗି ସ୍ଵପ୍ନ ହୋଇ ରହେ । ଏହି ବ୍ୟବସ୍ଥାର ମୂଳରେ ମଣିଷର ମଣିଷକୁ ଶୋଷଣ କରିବାଟାହିଁ ମନ୍ତ୍ର ହୋଇ ରହିଥାଏ । ଏଥିରେ ମଣିଷ ମଣିଷଠାରୁ ଦୂରଛଡ଼ା ହୋଇ ରହେ । ତେଣୁ ଜୀବନଠାରୁ ବି ଦୂରଛଡ଼ା ହୋଇ ରହେ । ଯେଉଁ ଆନନ୍ଦର ଘର ସଭିଙ୍କୁ ନେଇ ଗଢ଼ା ହୋଇଥାନ୍ତି, ତାହାକୁ କେବଳ ଆପଣାଲାଗି ଗଢ଼ି ଅନ୍ୟ ଅନେକଙ୍କୁ ସେଥିରୁ ତିରସ୍କୃତ କରି ରଖିବା ଦ୍ଵାରା ତଥାକଥିତ ସମ୍ପନ୍ନମାନେ ମଧ୍ୟ ଅମଣିଷ ହୋଇ ରହନ୍ତି । ସମ୍ପନ୍ନ ଓ ଅସମ୍ପନ୍ନ ଉଭୟେ ଜୀବନ ସହିତ ଖିଅ ହଜାଇ ବସନ୍ତି । ସବୁ ଥାଇ ତଥାପି କିଛି ନଥିଲା ପରି ମନେହୁଏ । ଲକ୍ଷ୍ମୀ ଭର୍ତ୍ତି ହୋଇ ରହିଥିଲେ ମଧ୍ୟ ତଥାପି ବଡ଼ ଅଲକ୍ଷଣା ପରି ଲାଗେ । କାର୍ଲ୍‌ମାର୍କସ୍‌ଙ୍କ ମତରେ ଯେଉଁ ସମାଜରେ ମଣିଷ ଉପରେ ଧନର ପ୍ରତିପତ୍ତି ଜାହିର ହୋଇ ରହେ, ସେଠାରେ ଥିଲାବାଲା ଓ ନଥିଲାବାଲା ଉଭୟେ ଯଥାର୍ଥ ଜୀବନରୁ ବଞ୍ଚିତ ହୋଇ ରହନ୍ତି । ଅବଶ୍ୟ ଥିଲାବାଲା ଏହିଭଳି ଏକ ବ୍ୟବସ୍ଥା ଭିତରେ ଉପରକୁ ଦେଖିବାକୁ ବେଶ୍ ତୃପ୍ତ ଓ ତୃଷ୍ଟ ହୋଇ ରହିଥିବାପରି ଅନୁଭବ କରୁଥାଏ । ଉପରେ ସେ ହାସଲ କରିଥିବା କ୍ଷମତା ତାକୁ ଭିତରେ ଖାଇ ଗୋଡ଼ାଉଥିବା ଆତ୍ମବଞ୍ଚନା ଓ ତଜ୍ଜନିତ ଅସନ୍ତୋଷଟାକୁ ଦେହସୁହା କରିନେବାରେ ଅର୍ଥାତ୍ ସେବିଷୟରେ ବିସ୍ତୃତ ହୋଇ ରହିବାରେ ଭାରି ସାହାଯ୍ୟ କରେ । ତାର ସମ୍ପନ୍ନତା, ତା’ର କ୍ଷମତା ଓ ତା’ର ପ୍ରତିଷ୍ଠା ତା’ର ମନଭିତରେ ସେ ଏହିଭଳି ରହି ବେଶ୍ ଭଲ ଅଛି ଓ ମଣିଷପରି ରହିଚି ବୋଲି ଏକ ଭ୍ରମ ସୃଷ୍ଟି କରିଥାଏ, ତାକୁ ଶୁଆଇ ରଖିଥାଏ । ମାତ୍ର ଯାହାର ଏସବୁ ନଥାଏ, ଯିଏ ଆପଣାର ଅନ୍ନଗତ ଆବଶ୍ୟକତାର ବାଡ଼ଟିକୁ ମଧ୍ୟ ଡେଇଁ ପାରିନଥାଏ ଓ ମଣିଷଜନ୍ମ ପାଇ ମଧ୍ୟ ଗଧ ପରି ଘାଣ୍ଟି ହେଉଥାଏ, ଏହି ଅବସ୍ଥାଜନିତ ଅସନ୍ତୋଷଦ୍ଵାରା ସିଏ ସତେଅବା ପେଷିହୋଇ ଯିବାପରି ଅନୁଭବ କରୁଥାଏ । ଆପଣାର ନାନା ଅକିଞ୍ଚନତା ଓ ଅସମର୍ଥତା ତାକୁ ଖାଇ ଗୋଡ଼ାଉଥାଏ ଏବଂ ଏକ ଆମାନୁଷିକ ଓ ହୃଦୟହୀନ ବାସ୍ତବତା ମଧ୍ୟରେ ସେ ସତେଅବା ଛଟପଟ ହେବାରେ ଲାଗିଥାଏ । ହେଗେଲ୍‌ଙ୍କର ଭାଷା ଉଦ୍ଧାର କରି ମାର୍କ୍‌ସ୍ ଏହାକୁ “ଜୀବନର ସର୍ବମୁଖୀ ଅବମାନନା ମଧ୍ୟରେ ସେହି ଅବମାନନା ବିରୁଦ୍ଧରେ ଅନ୍ତରାତ୍ମାର ଆର୍ତ୍ତନାଦ ଓ ବିଦ୍ରୋହ ବୋଲି କହିଛନ୍ତି । ଭିତରେ ମଣିଷ ବିକଶି ବାହାରିବାକୁ ଚିତ୍କାର କରୁଥାଏ । ଅସମ୍ପନ୍ନ ଓ ଅନ୍ନବଞ୍ଚିତ ମଣିଷ ଆପଣାର ବିବେକ ଦେଇ ଆପଣାକୁ ଦେଖିଲାବେଳେ ସେକଥା ଅବଶ୍ୟ ଅନୁଭବ କରୁଥାଏ । ମାତ୍ର ଦ୍ଵାରୋଦ୍‌ଘାଟନ କରାଇବା ଲାଗି ତା’ପାଖରେ କୌଣସି ଶକ୍ତି ନଥାଏ । ଆପଣାର ନିରୁଦ୍ଧ ମନୁଷ୍ୟତ୍ଵ ଓ ତାହାକୁ ସିଧା ଅସ୍ଵୀକାର କରୁଥିବା ବାହାରର ଅବମାନନାପୂର୍ଣ୍ଣ ବ୍ୟବସ୍ଥା ଭିତରେ ସିଏ ପ୍ରତି ପଦରେ ଯେଉଁ ଏକାନ୍ତବିରୋଧରେ ସମ୍ମୁଖୀନ ହୁଏ, ତାହାରି ବିରୁଦ୍ଧରେ ତାର ଅନ୍ତରାତ୍ମା ବିଦ୍ରୋହ କରି ଉଠେ । [Die heilige Familie, ୧୮୪୫ ]

 

ଯେଉଁ ସମାଜରେ ଶୋଷଣକୁ ହିଁ ଭିତ୍ତି କରି ମଣିଷ ମଣିଷର ସମ୍ବନ୍ଧମାନ ନିରୂପିତ ହେଉଥାଏ, ଯେଉଁଠି ମଣିଷକୁ ହତାଦର କରି କ୍ଷମତା ଆସନ ଓ ପ୍ରତିପତ୍ତିର ପୂଜା ହେଉଥାଏ, ସେଠି ସାହିତ୍ୟ ମଧ୍ୟ ଅଧିକାଂଶ ସମୟରେ ସେହି କ୍ଷମତା ପାଖରେ ମୁଣ୍ଡ ନୁଆଇଁ ପଡ଼ିଥାଏ, ସେହି ଶୋଷଣକୁ ସତ୍ୟ ବୋଲି ମାନି ନେଇଥାଏ ଏବଂ ସେହି ସାହିତ୍ୟର ପରିବେଷଣ କରୁଥିବା ସାହିତ୍ୟିକମାନେ ମଧ୍ୟ ପ୍ରାୟ କ୍ଷମତାର ପିଣ୍ଡାତଳେ ତିରଣ କାମୁଡ଼ି ପଡ଼ିଥାନ୍ତି । ସମାଜରେ ବାସ କରୁଥିବା ଅନେକ ମଣିଷ ସାହିତ୍ୟକ୍ଷେତ୍ରରୁ ବର୍ଜିତ ଓ ବହିଷ୍କୃତ ହୋଇ ରହିଥାନ୍ତି । ସେତେବେଳେ ସାଧାରଣତଃ ସମ୍ପନ୍ନ ଲୋକଙ୍କ ପାଇଁ ହିଁ ସାହିତ୍ୟ ଲେଖାଯାଏ । ସେହି ସମାଜରେ ଗୋଷ୍ଠୀ ଗୋଷ୍ଠୀ ଓ ସ୍ଵାର୍ଥ ସ୍ଵାର୍ଥ ମଧ୍ୟରେ କେତେପ୍ରକାର ଦୁର୍ଲଙ୍ଘ୍ୟ ବାଡ଼ ପଡ଼ିଥିଲା ପରି ସାହିତ୍ୟ ମଧ୍ୟ ଆପଣାକୁ ସତେଅବା ବାଡ଼ ଘେରାଇ ରଖିଥାଏ । ସାହିତ୍ୟିକମାନେ ଗୋଟାଏ ଅଲଗା ଜାତି ହୋଇ ରହିଥାନ୍ତି-। ସେମାନେ ପରସ୍ପର ଆପ୍ୟାୟନ କରୁଥାନ୍ତି; ବକ୍ତା ସେଇମାନେ ହୁଅନ୍ତି, ଶ୍ରୋତା ବି ସେଇମାନେ ହୁଅନ୍ତି । ପରସ୍ପର ଚାଟୁଗାନ କରନ୍ତି, ପରସ୍ପରର ଗୋଡ଼ରେ ରଣପା ପିନ୍ଧାଇ ଦିଅନ୍ତି ଓ ପରସ୍ପରର ପ୍ରତିଭା-ସନ୍ଦର୍ଶନରେ ବିଗଳିତ ହେଉଥାନ୍ତି । ବାସ୍ତବ ସତ୍ୟ ବୋଲି କହି ସେମାନେ ନିଜ ନିଜର ରଚନାରେ ଯେଉଁସବୁ ବେଶ ଓ ଚରିତ୍ରର ଅବତରଣ କରାନ୍ତି, ସେଗୁଡ଼ାକ ପ୍ରକୃତରେ କେଉଁଠି ହେଲେ ନଥାଏ । କାହାର ଲାଳସା-ନିର୍ଯ୍ୟାଚିତ ଅନ୍ତଃପୁରରେ ସେଗୁଡ଼ାକ ସତେଅବା ନାନା ଚାତୁରୀରେ ଗୋଟିଏ ଗୋଟିଏ କଣ୍ଢେଇ ପରି ସଜହୋଇ ରହିଥାନ୍ତି, ଏକ କଳ୍ପିତ ଓ ସଜ୍ଜିତ ଜୀବନର ପଲଙ୍କ ଉପରେ ସତେଅବା ଐନ୍ଦ୍ରଜାଲିକ କେତେ କସରତ କରୁଥାନ୍ତି ଓ ପାଠକକୁ ଏକ ଇନ୍ଦ୍ରଜାଲଦ୍ଵାରା ବଶୀଭୂତ କରି ତାକୁ ଆକାଶକୁ ଉଡ଼ାଇ ନେବାରେ ଓ ପୁଣି ଆଣି ଭୂତଳ ଉପରେ କଚାଡ଼ି ଦେବାରେ ଲାଗିଥାନ୍ତି । ସେଗୁଡ଼ାକ ପଢ଼ିଲାବେଳେ ସତେଅବା ସ୍ଵପ୍ନରେ ଚାଲୁଥିବା ପରି ଲାଗୁଥାଏ ଏବଂ ବାସ୍ତବର ସମ୍ମୁଖୀନ ହେବାକୁ ଇଚ୍ଛା କରୁ ନଥିବା ଧୈର୍ଯ୍ୟହୀନ ଭୟାଳୁମାନଙ୍କୁ ଏହି ସ୍ଵପ୍ନ ଚାଲିବା ଭାରି ସୁହାଏ । ଏଭଳି ଏକ ସମାଜରେ ସାହିତ୍ୟିକମାନେ ଆପଣାର ଅଲଗା ଗୋଷ୍ଠୀ ଗଢ଼ନ୍ତି, ସେମାନେ ଦୂରରୁ ଥାଇ ଅନ୍ୟ ମଣିଷଙ୍କୁ ଦେଖୁଥାନ୍ତି; ଫଟୋଗ୍ରାଫର୍‍ ଫଟୋ ନେଉଥିବା ମଣିଷଗୁଡ଼ାଙ୍କୁ ଯେମିତି ଦୂରରୁ ଥାଇ ଦେଖୁଥାଏ ଓ ମୁହଁ ହଲାଉଥାଏ, ପ୍ରାୟ ସେହିପରି-। ସେମାନେ ଅନ୍ୟ ମଣିଷଙ୍କଠାରୁ ସମ୍ମାନ ଦାବି କରନ୍ତି , ସ୍ଵୀକୃତି ଦାବି କରନ୍ତି; ଯେଉଁ ଜାତି ତା’ର ସାହିତ୍ୟିକକୁ ଉଚିତ ସମ୍ମାନ ଦେଇ ଜାଣେ, ସେହି ଜାତି ହିଁ ବଡ଼ ହୁଏ ବୋଲି କହିବାରେ ଲାଗିଥାନ୍ତି-। ସେମାନେ ମଣିଷକୁ ନେଇ ସାହିତ୍ୟ ଲେଖନ୍ତି, ମଣିଷର ଭାଗ୍ୟହୀନତା ଆଉ ଦୀନତାରେ ଦୂରରୁ ଥାଇ ବାହୁନନ୍ତି, ସେଗୁଡ଼ାକ ପ୍ରତି କରୁଣା ଦେଖାଉ ଥାଆନ୍ତି; ମାତ୍ର ଏକ ଅପମାନମୟ ପରିବେଶ ଭିତରେ ମଉଳି ଯିବାକୁ ବାଧ୍ୟ ହେଉଥିବା ମଣିଷ ଭିତରେ ତଥାପି ଅପେକ୍ଷା କରି ବସିଥିବା ମଣିଷଟାକୁ ସେମାନେ ଆପଣା ସାଥିକୁ ଡାକି ଆଣି ପାରନ୍ତି ନାହିଁ । କାରଣ ସେଇଥିରୁ ହିଁ ସବୁ ପ୍ରମାଦ ଆସି ପହଞ୍ଚେ ସମାଜ ଓ ଜୀବନକୁ ନୂଆ କରି ଗଢ଼ିବାଲାଗି ସାହସର ସୂତ୍ରପାତ ହୁଏ-। ଯୁଗ ବଦଳିଯାଏ, ଓ ତେଣୁ ଯୁଗର ମଞ୍ଚଉପରେ କ୍ଷମତାରେ ବସି ଗୋଷ୍ଠୀ ବାନ୍ଧି ବୀରର ଅଭିନୟ କରୁଥିବା ଅମଣିଷମାନେ ବି ଓଲଟି ପଡ଼ନ୍ତି, ସେମାନଙ୍କୁ ମଣିଷ ହେବାର ଆହ୍ଵାନଟିର ସମ୍ମୁଖୀନ ହେବାକୁ ହୁଏ । ସାହିତ୍ୟ ଓ ସାହିତ୍ୟିକ ଯେତେବେଳେ ସ୍ଥିତାବସ୍ଥାକୁ ଧରି ପଡ଼ି ରହିଥାନ୍ତି, ସେତିକିବେଳେ ହିଁ ଏହିପରି ନିରାପଦ ସାହିତ୍ୟର ସୃଷ୍ଟି କରାଯାଏ-। ରସିକମାନଙ୍କର ସଭାରେ କେବଳ ରସର ବିତରଣ କରାଯାଏ । ଜୀବନକୁ ବୁଡ଼ାଇଦେବା ସକାଶେ ଭଳି ଭଳି ରଙ୍ଗର ଭିଆଣ ହୁଏ । ସାହିତ୍ୟିକ ସୃଷ୍ଟି ସତେଅବା ଏକ ତାମସାରେ ପରିଣତ ହୁଏ ଏବଂ ଏହି ତାମସାରେ ସମ୍ମିଳିତ ହେବାଲାଗି ଶ୍ରୋତା ଓ ବକ୍ତା ଉଭୟଙ୍କ ଖାଲି ନିପୁଣ ଭାବରେ ଅଭିନୟ କରି ଶିଖିବାକୁ ହୁଏ ।

 

ଜୀବନାକାଂକ୍ଷାର ଏକ ଅନ୍ୟତମ ଦ୍ୟୋତକରୂପେ କାର୍ଯ୍ୟ ନ କରୁଥିବାବେଳେ ସାହିତ୍ୟ ପ୍ରଧାନତଃ ଏକ ଅବସରବିନୋଦନରେ ପରିଣତ ହୁଏ । ତାହା ସବୁ ମଣିଷଙ୍କର ସମ୍ପଦ ହେବାର ଓ ତେଣୁ ସମଗ୍ର ଜୀବନ ଲାଗି ଏକ ସମ୍ପଦ ହୋଇ ରହିବାର ସ୍ପର୍ଦ୍ଧା କରି ପାରେନାହିଁ ଏବଂ ଫଳରେ କର୍ମଜଞ୍ଜାଳଗ୍ରସ୍ତ କେତେଜଣଙ୍କର ଅଳସ ପ୍ରହରରେ ସାହିତ୍ୟ ଚିତ୍ତବିନୋଦନର ସାମଗ୍ରୀ ହୋଇ ରହେ । କର୍ମମୟ ଜଞ୍ଜାଳ ଓ କର୍ମହୀନ ଅବସର;–ଜୀବନଟା ସତେ ଯେପରି ଏହିଭଳି ଦୁଇବାଣ୍ଟ ହୋଇଯାଏ । ସମଗ୍ର ଜୀବନ ଉପରେ ସାହିତ୍ୟର ଆଉ କୌଣସି ଅଧିକାର ରହେ ନାହିଁ, ସାହିତ୍ୟଲାଗି ମଧ୍ୟ ଆଉ ସମଗ୍ର ଜୀବନର କୌଣସି ଆକାଂକ୍ଷା ରହେନାହିଁ । ଦିନଯାକ ମେଣ୍ଢା ହୋଇ ରାତିକୁ ଭେଣ୍ଡା ହେବା ସେତେବେଳେ ଭାରି ସୁଆଦିଆ ଲାଗେ, ଭାରି ଆରମ ଦିଏ ଓ ଭାରି ଦେହସୁହା ହୋଇଯାଏ । ଏ ପାଖର କଷଣକୁ ଭୁଲିବାଲାଗି ସେପାଖରେ ସାହିତ୍ୟର ମହୁରି ଆଉ ପେଁକାଳି ଧରି ବାହାରିବା ସତେଅବା ରୀତି ହୋଇଯାଏ । ଏପାଖଟା ସହିତ ସେପାଖଟାର ଆଉ କୌଣସି ସଙ୍ଗତି ରହେ ନାହିଁ । ସାଆନ୍ତାଣୀଙ୍କ ପାଖରେ ସାଆନ୍ତ ହୋଇ ଉସମାନ୍‌ତରା ପାଖରେ ରସିକ ହେବାଟା ବେଶ୍ ଚଳାଇହୁଏ, ବେଶ୍ ଚମତ୍କାର ଲାଗେ । ଆଗେ ଏହିପରି ରୀତିରେ ଆଠପ୍ରହରର ରାଜା ପୋଷାକୀ ଉତ୍ସାହର ଲାଙ୍ଗୁଳ ଧରି ସାହିତ୍ୟ ଲେଖୁଥିଲେ ଓ ଲେଖାଉଥିଲେ । ଏବେ ମଧ୍ୟ ପ୍ରାୟ ସେହି ନିରାପଦ ଶୃଙ୍ଖଳାଟିକୁ ରକ୍ଷାକରି ଅନେକ ସ୍ଥଳରେ ମନ୍ତ୍ରୀମାନେ ସାହିତ୍ୟ କରନ୍ତି; ହାକିମ ସାହିତ୍ୟ କରନ୍ତି, ଓକିଲ ଓ ଅଧ୍ୟାପକ ବି ସାହିତ୍ୟ କରନ୍ତି । ମନ୍ତ୍ରୀ ଆପଣା ହୃଦଗତ ଲାଳସାରେ କ୍ଷେତ୍ରରେ ମନ୍ତ୍ରୀ ହୋଇ ରହିବାକୁ ହିଁ ପରମଭାଗ୍ୟ ମଣୁଥାନ୍ତି ଏବଂ ତେଣେ ସାହିତ୍ୟ କରୁଥାନ୍ତି । ହାକିମ ହାକିମ ହୋଇ ରହିଥାଏ, ହାକିମ ହୋଇ ରହିବାକୁ ହିଁ ସର୍ବୋତ୍ତମ ବୋଲି ଅନୁଭବ କରୁଥାଏ ଏବଂ ତେଣେ ଅବସର ଦେଖି ସାହିତ୍ୟ କରେ, ସାହିତ୍ୟର ଦାଣ୍ଡରେ ତୁଣ୍ଡ ବଜାଇବାକୁ ପାଏ । ତା’ର ହାକିମି ସହିତ ତା’ର ସାହିତ୍ୟିକତାର କୌଣସି ସମ୍ପର୍କ ନଥାଏ । ଆପଣାର ଜୀବନରେ ସିଏ କେବଳ ହାକିମଟାଏ ହେଲା ଅନ୍ଧକାରମୟ ସମାଜର ଅନ୍ଧକାରଗୁଡ଼ାକୁ ଚାଲୁ ରଖିବାକୁ କେବଳ ହାକିମି କଲା, ମାତ୍ର ମଣିଷ ହୋଇ ପାରିଲାନାହିଁ ବା ମଣିଷ ସହିତ ମଣିଷ ହୋଇ ବସି ପାରିଲା ନାହିଁ –ହୁଏତ ଅନ୍ତର୍ଗତ ଏଭଳି ଗୋଟାଏ ଦୈନ୍ୟ ଭିତରୁ ଘଡ଼ିଏ ଶାନ୍ତିଲାଭ କରିବାକୁ ସେ ସାହିତ୍ୟ କରେ । ଅବସର ଗ୍ରହଣ କରି ସାରିବା ପରେ ପୂର୍ଣ୍ଣ ସମୟ ଦେଇ ସାହିତ୍ୟ କରିବାକୁ ମନ ରଖିଥାଏ । ଓକିଲ ଓକିଲ ହୋଇ ରହିଥାଏ, ଏକ ଅନ୍ୟାୟାଶ୍ରିତ ସମାଜର ଅବିଧାନଗୁଡ଼ାକୁ ବଜାୟ ରଖିବାରେ ଆପଣାର କରାମତି ଦେଖାଇ ସେ ଧନବାନ ହୁଏ, ଯଶସ୍ଵୀ ହୁଏ; ତଥାପି ସାହିତ୍ୟ କରେ । ଅଧ୍ୟାପକ ବି ସାହିତ୍ୟ କରେ ! ଆପେ ଅଧ୍ୟାପନାର ଯୋଗ୍ୟ ହୋଇ ପାରିଲାନାହିଁ ଅଥବା ଯେଉଁଠାରୁ ଜଣେ ସମର୍ଥ ଅଧ୍ୟାପକ ବୋଲି ତା’ର ପ୍ରଥମେ ସ୍ଵୀକୃତି ପାଇବା କଥା, ନାନା କାରଣରୁ ସେଠି ସେ ତାହା ପାଇ ପାରିଲାନାହିଁ ବୋଲି ଯେଉଁ ଗ୍ଳାନିକୁ ସେ ଆପଣା ଭିତରେ ତୁଣ୍ଡଝାଳ କରି ରଖିବାକୁ ବାଧ୍ୟ ହେଉଥାଏ; ହୁଏତ ସେହି ଗ୍ଳାନିଟା ଉପରେ ଚିକଣ ମାଟି ଲେଶି ରଖିବାଲାଗି ସେ ସାହିତ୍ୟ କରେ । ଏମାନେ ସମସ୍ତେ ଦୁଇ ପତ୍ନୀ ଧରି ଗୋଟିଏ ଘରେ ବାସ କରୁଥିବା ପତିର ଦଶା ଭୋଗ କରିବାରେ ଲାଗିଥାନ୍ତି । ଏଇଟାକୁ କି ସେଇଟାକୁ ଛାଡ଼ିବା ତ ଦୂରର କଥା, ସେମାନେ କୌଣସି ଏକ ଖିଅ ଦେଇ ଏଇଟା ସହିତ ସେଇଟାକୁ ହୁଏତ ଗଆଁଠାଇ ବି ପାରନ୍ତି ନାହିଁ । ସେମାନେ ଆପଣା ଭିତରେ ଗୋଟାସୁଦ୍ଧା ଦୁଇଫାଳ ହୋଇ ବସିଥାନ୍ତି, ଦୁଇଫାଳ ହେବଟାକୁ ହିଁ ଜୀବନ ବୋଲି ମାନି ନେଇଥାନ୍ତି ଏବଂ ଏକ ଅଭୁଲା ଅନୁବ୍ୟଞ୍ଜନାର ପୁଟ ଲଗାଇ ଦେଇ ସେମାନଙ୍କର ଏହି ଅନାଚରଣଟାକୁ ଅନେକ ସମୟରେ ସାହିତ୍ୟ-ସାଧନା ବୋଲି କୁହାଯାଏ । ଏଭଳି ସାହିତ୍ୟର ଲେଖିଲାବାଲା ଯେମିତି, ଏହାକୁ ପଢ଼ିଲାବାଲା ମଧ୍ୟ ସେମିତି । ଯେଉଁ ପାଠକ ଜୀବନକୁ ମୂଳତଃ ଏକ କଷଣପୂର୍ଣ୍ଣ ନୀରସ ଘୋଷାଡ଼ି ହେବ ବୋଲି ମଣୁଥାଏ, ଏଥିରୁ ମଝିରେ ମଝିରେ ଦଣ୍ଡେ ଦୁଇଦଣ୍ଡ ସକାଶେ ପରିତ୍ରାଣ ଲୋଡ଼ୁଥାଏ, ସିଏ ଠିକ୍ ଏହିଭଳି ସାହିତ୍ୟଲାଗି ରୁଚି ରଖେ, ଏହିଭଳି ସାହିତ୍ୟରେ ଗୋଟାସୁଦ୍ଧା ଆହ୍ଲାଦିତ ହୋଇ ପଡ଼ିଲାପରି ମନେ ହେଉଥାଏ । ମାତ୍ର ସାହିତ୍ୟର ମଧ୍ୟ ଦେଇ ଯିଏ ଅପଣାଲାଗି ବାଟ ଖୋଜୁଥାଏ, ନିଜେ ନିଜେ ବାଟରେ ଚାଲିବାର ଆକାଂକ୍ଷା ରଖିଥାଏ, ଯିଏ ଆପଣାର ଉଦୟ ଲୋଡ଼ୁଥାଏ, ଏଭଳି ସାହିତ୍ୟ ତାକୁ କୌଣସି ଆକର୍ଷଣ ଯୋଗାଇ ଦେଇ ପାରେ ନାହିଁ ।

 

ଏହିପରି ଏକ ଦ୍ୱିଖଣ୍ଡିତତାକୁ ନେଇ ଘାଣ୍ଟି ହେଉଥିବା ସମୟରେ ଅନେକ ସାହିତ୍ୟ ରଚନାକୁ କାଳିସୀ ଲାଗିବା ସହିତ ତୁଳନା କରିଥାନ୍ତି । ସେମାନଙ୍କର ଅନୁଭବ ଅନୁସାରେ, ଯେମିତି କାଳିସୀ ଲାଗେ, ସାହିତ୍ୟ ମଧ୍ୟ କୁଆଡ଼େ ସେହିପରି ଲାଗେ । ସ୍ଵାଭାବିକ ବୈଚିତ୍ର୍ୟହୀନ ଜୀବନରେ ହଠାତ୍ ବେଳେବେଳେ ଯେପରି ଏକ ଅସ୍ଵାଭାବିକ ବୈଚିତ୍ର୍ୟ ସୃଷ୍ଟି କରି କାଳିସୀ ଧରେ, ଠିକ୍ ସେହିପରି ଏକ ବୈଚିତ୍ର୍ୟନିରପେକ୍ଷ ଜୀବନରେ ହଠାତ୍ ଏକ ଉଦ୍ଦାମତାର ଅବତାରଣା କରି ସାହିତ୍ୟର ନିଶା ଲାଗେ । ସେତେବେଳେ ଆପଣା କଳ୍ପନାର ଗହୀରଟାରେ ସତେଅବା ଷଣ୍ଢ ହୋଇ ବୁଲୁଥିବା ପରି ମନେହୁଏ, ଆପଣା କଳ୍ପନାର ପଟାଳିଟା ଉପରେ ହିରୋ ହୋଇ ନାଚିବାକୁ ମନେହୁଏ । ମନକଲା ମାତ୍ରକେ କବିତା ଲେଖି ହୋଇଯାଏ, ମନକଲା ମାତ୍ରକେ ପତ୍ରିକା ବାହାରେ, ମନକଲା ମାତ୍ରକେ ନୂଆ ଗୋଷ୍ଠୀ ଗଢ଼ାହୁଏ, ନୂଆ ବନ୍ତ ବନ୍ଧାହୋଇ ସମ୍ମିଳନୀ ବସେ । ସେତେବେଳେ ତୁଣ୍ଡରୁ ଯାହା ବାହାରେ, ସେଗୁଡ଼ାକୁ କାଳିସୀ ପାଟିରୁ ବାହାରୁଥିବା ଗରଳଗୁଡ଼ାକ ପରି ଏକ ସତ୍ୟ ବୋଲି ମାନି ନେବାକୁ ହୋଇଥାଏ । କାଳିସୀ ଛାଡ଼ିଗଲେ ଗରଳ ଶୁଖିଯାଏ, କଥା ସରିଯାଏ, ସୁନାପୁଅ ପରି ଆପଣାର ପଞ୍ଜୁରିଟିକୁ ଫେରି ଆସିବାକୁ ହୁଏ । ମାତ୍ର ଯାହା ଲିପିବଦ୍ଧ ହୋଇ ରହିଥାଏ, ତାହା ସାହିତ୍ୟ ହୋଇ ରହିଯାଏ । ସିଦ୍ଧାନ୍ତଟି ବଡ଼ ଚମତ୍କାର; ଏବଂ ଯେଉଁମାନେ ପ୍ରକୃତରେ ଏହିଭଳି ଅନୁଭୂତି ମଧ୍ୟ ଦେଇ ଗତି କରୁଥିବେ, ଗୁମ୍ଫାଭିତରେ ପଶି ଗୁମ୍ଫାଭିତରୁ ବାହାରୁଥିବେ, ସେମାନଙ୍କୁ ବି ଏହି ପ୍ରକ୍ରିୟାଟି ନିଶ୍ଚୟ ଭାରି ଚମତ୍କାର ଲାଗୁଥିବ । ମାତ୍ର ଏହା ପଛରେ ଯେ ଏକ ଚରମ ପରାଭବସ୍ଵୀକାର ଓ ତଜ୍ଜନିତ ଏକ କର୍କଶ ନୈରାଶ୍ୟର ଦୟନୀୟତା ଲୁକ୍‌କାୟିତ ହୋଇ ରହିଛି, ଆପଣାକୁ ଉଖାରି ଦେଖିଲେ ଯାଇ ସେକଥା ହୃଦୟଙ୍ଗମ କରିହୁଏ । ଜୀବନ ଯେମିତି ଅଛି ସେମିତି ଥିବ, ଜୀବନର ଢମକରି ବହୁବିଧ ମୃତ୍ୟୁର ମାଡ଼ଗୁଡ଼ାକ ଯେମିତି ଉପରେ ଆସି ବାଜୁଛି, ଠିକ୍ ସେମିତି ବାଜୁଥିବ; ସମାଜ ନାମରେ ଏହିସବୁ କପଟ ସମାରୋହ ଯେମିତି ଚାଲିଚି, ସବୁଗୁଡ଼ାକ ଠିକ୍ ସେମିତି ଚାଲିଥିବ । ଅଥଚ ଫୁରସତ ସମୟରେ ଏକ କ୍ରୂର ଜୀବନକର୍ତ୍ତାଠାରୁ ଘଡ଼ିଏ ଦଣ୍ଡେ ଛୁଟି ନେଇ କାଳିସୀ ହେବାଲାଗି ଦଉଡ଼ିଯାଇ ହେଉଥିବ; ଜୀବନ ଓ ସୃଜନର ଏହିଭଳି ଏକ କଳ୍ପନା ଏକ ଚରମ ପରାଭବଜର୍ଜର କଳ୍ପନା ବ୍ୟତୀତ ଆଉ କ’ଣ ହୋଇପାରେ ? ଆପଣା ପାଖରେ ଗୋଟାସୁଦ୍ଧା ହାରମାନିଯାଇ ନଥିଲେ, ପ୍ରତିଷ୍ଠିତ ଅସାମାଜିକତାଗୁଡ଼ାକ ପାଖରେ ଗୋଟାସୁଦ୍ଧା ମୁଣ୍ଡ ବିକି ଦେଇ ନଥିଲେ ଆପଣାର ସୃଜନାକାଂକ୍ଷାଗୁଡ଼ାକୁ କାଳିସୀ ଲାଗିବା ସହିତ କିଏ ସମତୁଲ ବୋଲି ଭାବିବ ? ଯଥାର୍ଥ ସୃଜନ ହେଉଚି ଏକ ସ୍ଵାଧୀନ ଓ ପରିମୁକ୍ତ ଅର୍ଥାତ୍ ପୂର୍ଣ୍ଣଯୁକ୍ତ ଚେତନାର ଧର୍ମ, ଜଣେ ସ୍ଵାଧୀନ ଓ ଆକାଂକ୍ଷାବାନ୍ ମନୁଷ୍ୟର କାରବାର । ତେଣୁ ଦାସ ପରି ଜୀବନଟାକୁ ଯେମିତି ଅଛି ସେମିତି ମାନିନେଇ, କେବଳ ଘଡ଼ିଏ ବା ଦଣ୍ଡେ ପଘାରୁ ମୁକୁଳି ଯିଏ ସାହିତ୍ୟ ସୃଷ୍ଟି କରିବାକୁ ବାହାରିବ, ସିଏ କେବଳ ଆପଣାର ଅବଦମିତ ବିକୃତି ଓ ଗ୍ଳାନିଗୁଡ଼ାକୁ ଉଦ୍‌ଗାରିବା ବ୍ୟତୀତ ସାହିତ୍ୟ ନାମରେ ଆମକୁ ଆଉ କ’ଣ ଦେଇ ପାରିବ ? କେବଳ ତାର ଅନ୍ତଃପ୍ରାଣଗତ ରକ୍ତସ୍ରାବଗୁଡ଼ାକୁ ଛାଡ଼ିଦେଲେ, ତାର ସାଥୀ ହୋଇ ତା ସାଙ୍ଗରେ ଗଲେ ଆମେ ଆଉ ତା’ଠାରେ କଣ ଦେଖିବାକୁ ପାଇ ପାରିବା ?

 

ଯଦି ଆମ ସମୟରେ ମଣିଷ ମଣିଷ ପରି ବଞ୍ଚିବାର ସୁଯୋଗ ପାଉଥାନ୍ତା, ତେବେ ସେତେବେଳେ ଆମ ସାହିତ୍ୟର ଗୁଣାତ୍ମକ ରୂପ ପ୍ରକୃତରେ କିପରି ହୁଅନ୍ତା ? ଜଣେ ମଣିଷ ହିସାବରେ ପ୍ରତ୍ୟେକ ମଣିଷର ଅଭ୍ୟୁଦୟ ଯଦି ଆମ ସମାଜର ଗୌରବମୟ ଧ୍ୟେୟ ହୋଇ ପାରନ୍ତା, ତେବେ ସେଠି ଆମ ସାହିତ୍ୟର କିପରି କ’ଣ ଭୂମିକା ହୁଅନ୍ତା ? ଯଦି ମଣିଷ ମୂଳତଃ ମଣିଷର ସମ୍ମାନରେ ହିଁ ପ୍ରତିଷ୍ଠିତ ହୋଇ ପାରନ୍ତା, ଯଦି ମଣିଷର ଜାତି, କୁଳ, ଧନ, କ୍ଷମତା ଓ ସେ ଅଧିକାର କରି ବସିଥିବା ପଦରୁ ତାକୁ ଚିହ୍ନିବାକୁ ଯାଇ ତା’ର ଭିତରେ ରହିଥିବା ମଣିଷଟାକୁ ଫିଙ୍ଗି ଦିଆନଯାନ୍ତା, ତେବେ ସେହି ସମାଜରେ ଆମର ସାହିତ୍ୟ ଆମକୁ ମୂଳତଃ କ’ଣ ପାଇଁ ରସଦ ଯୋଗାଇ ଦେଇ ପାରନ୍ତା ? ଏ ସବୁର ଉତ୍ତର ପାଇବାଲାଗି କେବଳ ଆପଣାର ଶୁଭମତ ସମ୍ଭାବ୍ୟ ଆକାଂକ୍ଷାଗୁଡ଼ାକୁ ହିଁ ସଚେତନ ଭାବରେ ସାଙ୍ଗରେ ଧରି ଆଗକୁ ଦୃଷ୍ଟି ନିକ୍ଷେପ କରିବା ବ୍ୟତୀତ ହୁଏତ ଆଉ ଅନ୍ୟ ଉପାୟ ନାହିଁ । ତଥାପି କୁହାଯାଇ ପାରିବ ସେ ସେତେବେଳର ସାହିତ୍ୟ ଆଉ ବର୍ଗାୟିତ ଛୋଟ ଛୋଟ ସ୍ପର୍ଶକାତର ଗମ୍ଭୀରି ଭିତରେ ଆପଣାକୁ କିଳି ନରଖି ସମଗ୍ର ଜୀବନସଭାରେ ଯାଇ ବସି ପାରିବାର ମହିମା ଅର୍ଜନ କରିବ । ଜୀବନରୁ ପଳାଇ ଯିବାର ଅପପ୍ରେରଣା ଦେବନାହିଁ, ଜୀବନର ସମ୍ମୁଖୀନ ହେବ । ସେଥିରୁ ଭବ୍ୟତର କରି କିଛି ଗଢ଼ିପାରିବା ଲାଗି ସାହିତ୍ୟ ସେତେବେଳେ ସମାଜର ମଣିଷକୁ ଉଦ୍‌ବୋଧନ ଦେଇ ପାରିବ । ବର୍ତ୍ତମାନ ଅବଚେତନ କହିଲେ ଆମେ ଅତି ଯତନରେ କୋଇଠି କେଉଁ ସୁନାଅଡ଼ା ଭିତରେ ସାଇତି ରଖିଥିବା କେତେ କେତେ ଭୟଭୀତ ଓ ଅତୃପ୍ତିଗୁଡ଼ାକୁ ବୁଝାଉଚି । ଆମ ସମାଜରେ ମଣିଷ ଖୁସୀ ହୋଇ ଅନ୍ୟ ପ୍ରତ୍ୟକ ମଣିଷ ଲାଗି ସ୍ଥାନ ଛାଡ଼ିଦେଇ ପାରିଲେ ଏହି ଅବଚେତନର ତାତ୍ପର୍ଯ୍ୟ ହିଁ ବଦଳିଯିବ । ସେତେବେଳେ ତାହା ଆମରି ଭିତରେ ରହିଥିବା ବିଶ୍ଵଚେତନାକୁ ବୁଝାଇବ, ଆମଲାଗି ଏକ ଦ୍ରାବକ ପରି କାର୍ଯ୍ୟ କରିବ, ଆମ ଅନ୍ତର୍ଜଗତରେ ତଥା ବହିର୍ଜଗତରେ ତାହା କେତେ କେତେ ଗଣ୍ଠି ଫିଟାଇ ଦେଇ ପାରିବ । ସେତେବେଳେ ସୌନ୍ଦର୍ଯ୍ୟ କହିଲେ ଆହୁରି କେତେ କେତେ ବ୍ୟଞ୍ଜନାକୁ ବୁଝାଇବ । ପ୍ରେମ କହିଲେ କେବଳ ସମ୍ପତ୍ତିପରି ଆପଣାର ଲାଳସାଗୁଡ଼ାକୁ ହିଁ କୁଣ୍ଢାଇ ଧରିବାକୁ ବୁଝାଇବ ନାହିଁ । ଆମର ଅହଂସର୍ବସ୍ଵ ଅତିସଚେତନ କ୍ଷୁଦ୍ର ମନଟା ଏହି ସଂକୀର୍ଣ୍ଣ ସମାଜବେଢ଼ା ଭିତରେ ରହି ଅତ୍ୟନ୍ତ ଅଭ୍ୟସ୍ତ ଭାବରେ ସାରା ବିଶ୍ଵକୁ ଆଣି ଆପଣା ଅଭ୍ୟାସର ନୀଡ଼ଟା ଭିତରେ ହିଁ ଖୁନ୍ଦିଖାନ୍ଦି ଭର୍ତ୍ତି କରିବାର ଚେଷ୍ଟା କରୁଚି । ଆମ ସାହିତ୍ୟରେ ଅନେକ ସମୟରେ ତାହାକୁ ହିଁ ଆତ୍ମଗତ ହୋଇ ଚାଲିବା ବୋଲି କହି ବଡ଼ାଇ କରାଯାଇଚି । ସମାଜରେ ରହିଥିବା ଦୂରତା ଓ ଦୃଷ୍ଟତାଗୁଡ଼ାକ ଘୁଞ୍ଚିଗଲେ ଆମର ସାହିତ୍ୟିକ ଆପଣାକୁ ବିଶ୍ଵ ସହିତ ଏକନୀଡ଼ ବୋଲି ଅନୁଭବ କରିବ । ଏହି ସମ୍ପ୍ରସାରଣ ଲାଗି ତା’ର ସାହିତ୍ୟ ଆମ ସମସ୍ତଙ୍କୁ ସାହସ ଦେଇ ପାରିବ । ଏଭଳି ଏକ ପରିପ୍ରେକ୍ଷୀରେ ସ୍ଥିତି ଓ ଅସ୍ତିତ୍ଵ କହିଲେ ବର୍ତ୍ତମାନ ଏହାର ସ୍ଥିତିବାଦୀ କିମ୍ବା ଅସ୍ଥିତ୍ଵବାଦୀ କଦର୍ଥଠାରୁ ତାହା ଏକାବେଳକେ ଏକ ଭିନ୍ନ କଥାକୁ ବୁଝାଇବ,–ଏକ ଭିନ୍ନ ଆକାଂକ୍ଷାର ଆହ୍ଵାନ ଦେଇଯିବ । ମୃତ୍ୟୁ ଦେଇ ଜୀବନକୁ ବୁଝିବାର ଠିକ୍‌ରୀତି ନ ଆଚରି ଆମେ ସେତେବେଳେ ଜୀବନକୁ ସିଧା ଦେଖିବାର ଶ୍ରଦ୍ଧା ନେଇ ବାହାରି ପାରିବା ଓ ମୃତ୍ୟୁକୁ ମଧ୍ୟ ବହୁ ସମ୍ଭାବନାମୟ ଜୀବନକ୍ରମରେ ଏକ ପରିପୂରକ ବୋଲି ଅନୁଭବ କରି ପାରିବା ।

 

କୌଣସି ସମାଜରେ ଚଳୁଥିବା ଅର୍ଥବ୍ୟବସ୍ଥାଟିଦ୍ଵାରା ଯେ ସେହି ସମାଜର ଅନ୍ୟ ଯାବତୀୟ ବ୍ୟବସ୍ଥା ନିୟନ୍ତ୍ରିତ ହୋଇଥାଏ, ଏକଥା ମାର୍କସ୍‌ବାଦୀମାନେ କହନ୍ତି । ଅର୍ଥ ବା ଅନ୍ନ ହେଉଚି ଜୀବନର ସର୍ବପ୍ରଥମ ଆବଶ୍ୟକତା; ତେଣୁ କୌଣସି ସମାଜ ତାହାର ଅର୍ଥଗତ ଜୀବନଟିକୁ ଯେପରି ଭାବରେ ନିର୍ବାହିତ କରେ, ତାହାହିଁ ତା’ର ଅନ୍ୟ ସକଳ ଜୀବନର ପ୍ରକୃତିକୁ ମଧ୍ୟ ନିରୂପଣ କରିଥାଏ ବୋଲି ମାର୍କସ୍ କହିଥିଲେ । ଯେଉଁଠି କେବଳ କେତେକଙ୍କ ହାତରେ ଅଥବା ଗୋଟାଏ ଶ୍ରେଣୀ ହାତରେ ଆର୍ଥିକ କ୍ଷମତା ବା ସମର୍ଥତା ରହିଛି, ସେଠାରେ ସେହି ସମାଜର ଧର୍ମ, ସାହିତ୍ୟ, ସଂସ୍କୃତି, ନୀତି ତଥା ରାଜନୀତି ମଧ୍ୟ ସେହି କେତେକଙ୍କର ଅଥବା ସେହି ଶ୍ରେଣୀର ହାତମୁଠାରେ ରହିଛି । ଯେଉଁ ସମାଜରେ କେବଳ କେତେକଙ୍କର ପେଟ ପୂରୁଚି ଓ ଅନ୍ୟମାନଙ୍କୁ ସେମାନଙ୍କର ଅନ୍ନଗତ ଅଧିକାରଗୁଡ଼ିକରୁ ବଞ୍ଚିତ କରି ରଖାଯାଇଚି, ସେଠାରେ ସାହିତ୍ୟ ମଧ୍ୟ କେବଳ ଭୂରିଭୋଜୀର ରସଦ ହୋଇ ରହିଚି । ସେଠାରେ ସାହିତ୍ୟ ମଣିଷର ପ୍ରତିନିଧି ହୋଇ ମଣିଷର କଥା କହୁନାହିଁ, କେବଳ ଥିଲାବାଲାଙ୍କର ଅବସର-ବିନୋଦନ କରୁଚି । ସେଠି ସାହିତ୍ୟ ଶୋଷଣର ସାଧନ ହୋଇ ରହିଚି, ମଣିଷ ଉପରେ ଅଫିମ ପରି କାର୍ଯ୍ୟ କରୁଚି । ଏଇଟା ହେଉଚି ନିୟମ; ଏବଂ ଆମର ଏହି ସମାଜର ଅନେକ ସାହିତ୍ୟ ତଥା ସାହିତ୍ୟିକଙ୍କର ଅନ୍ତଃରହସ୍ୟଟିକୁ ଭେଦ କରି ପାରିବା ଲାଗି ଏହି ନିୟମ ଆମକୁ ନିଶ୍ଚୟ ଅନେକ ସାହାଯ୍ୟ କରି ପାରିବ । ତଥାପି ସବୁ ନିୟମର କ୍ଷେତ୍ର ପରି ଏଠାରେ ମଧ୍ୟ ବ୍ୟତିକ୍ରମ ଲାଗି ଏକ ସ୍ଥାନ ରହିଛି । ଏହି ବ୍ୟତିକ୍ରମଟି ଘଟିଥାଏ ବୋଲି ଯେକୌଣସି ସମାଜରେ ଓ ଯେକୌଣସି ଯୁଗରେ ମଧ୍ୟ ଅସଲ ଦ୍ଵାରୋନ୍ମୋଚନ କରି ଦେଲାଭଳି ସାହସୀ ସାହିତ୍ୟର ଆବିର୍ଭାବ ହୋଇଥାଏ, ସାହସୀ ସାହିତ୍ୟିକର ବି ଆବିର୍ଭାବ ହୋଇଥାଏ । ଆପଣାର ଆକାଂକ୍ଷା ଓ ଆକୃତିରେ ସେହି ସାହିତ୍ୟ ଆନନ୍ଦର ସୀମାକୁ ଛୁଇଁ ପାରିବାର ଅର୍ଥାତ୍ ଆନନ୍ଦର ସୀମାକୁ ହାତପାଆନ୍ତା ଯାଏ ଅବତୀର୍ଣ୍ଣ କରାଇ ଆଣିବାର ଯୋଗ୍ୟ ହୋଇଥାଏ । ସେହି ସାହିତ୍ୟ ଇହପରିବେଶଗତ ସକଳ ନିୟନ୍ତ୍ରଣବାଡ଼କୁ ଲଙ୍ଘି ଯିବାକୁ ସମର୍ଥ ହୁଏ । ତେଣୁ ଆପଣାର ଯୁଗ ତଥା ଆପଣାର ସମାଜ ଲାଗି ତାହା ସତେ ଅବା ଏକ ନୂତନ କ୍ଷିତିଜର ଆହ୍ଵାନକୁ ବହନ କରି ଆଣିଥାଏ । ମାତ୍ର ତାହା ହେଉଚି ଏକ ବ୍ୟତିକ୍ରମର କାହାଣୀ, ଏକ ଅନ୍ୟସ୍ତରର ଗ୍ରହଣଶୀଳତା ଓ ଅନ୍ୟସ୍ତରରେ ବାସନାର କାହାଣୀ । ସେହି ଗ୍ରହଣଶୀଳତା ସମାଜର ସୀମିତତାଗୁଡ଼ାକୁ ମାନେନାହିଁ, ସମାଜର ବୋଧ ଓ ଆକାଂକ୍ଷାଗତ ସୀମାଗୁଡ଼ାକୁ ତାହା ସମ୍ପ୍ରସାରିତ କରିଦେଇ ଯାଏ । ସେହି ବାସନା ସାହିତ୍ୟର ପାଠକମାନଙ୍କୁ ମଧ୍ୟ ନୂତନ ବାସନାର ସନ୍ଧାନ ଲାଗି ଉଦ୍‌ବୁଦ୍ଧ କରାଏ । ସେହିଭଳି ସାହିତ୍ୟ ନୂତନ ସମାଜର ସୃଷ୍ଟି କରେ, ନୂତନ ଯୁଗର ମୂଳଦୁଆ ପକାଏ, ନୂଆ ଅଭୀପ୍‌ସାର ଯୋଗ୍ୟ ହେବା ଲାଗି ମାଟି ପାଗ କରି ଶିଖାଏ । ଏହିଭଳି ଏକ ବ୍ୟତିକ୍ରମ ଖୋଜି ବାହାରିଥିବା ସମୟରେ ଆମ ଓଡ଼ିଆ ସାହିତ୍ୟରେ ସତେଅବା ଗଙ୍ଗାଧର ମେହେର ହିଁ ଆମର ସବାଆଗ ମନେ ପଡ଼ିଯାନ୍ତି !

 

୨୧ । ୩ । ୭୧

[‘ନବରବି’ ଦଶହରା ସଂଖ୍ୟା ,୧୯୭୨]

Image

 

ମନୁଷ୍ୟ, ସାହିତ୍ୟ ଓ ସମାଜ

 

‘ମନୁଷ୍ୟର ସମାଜରେ ସାହିତ୍ୟର ଭୂମିକା’ ବିଷୟଟି ଉପରେ ଏକ ଚମତ୍କାର ତାତ୍ତ୍ଵିକ ଓ ଆପତ୍‌ଶୂନ୍ୟ ପ୍ରବନ୍ଧ ବେଶ୍ ଲେଖା ଯାଇପାରେ । ସମାଜଶାସ୍ତ୍ର ଓ ସାହିତ୍ୟଶାସ୍ତ୍ର ଉଭୟରୁ ଉପାଦାନ ନେଇ ଏକ ଇତିହାସଭିତ୍ତିକ ଦୀର୍ଘାବୟବ ପ୍ରବନ୍ଧ ବେଶ୍ ଲେଖା ଯାଇପାରେ । ମନୁଷ୍ୟର ସମାଜ ସାହିତ୍ୟକୁ ତିଆରି କରୁଛି ଅଥବା ମନୁଷ୍ୟର ସାହିତ୍ୟ ହିଁ ସମାଜର ବିକାଶ ଓ ବିରଚନା ଲାଗି ପ୍ରେରଣା ଓ ଉପାଦାନ ଯୋଗାଇ ଦେଉଛି, ସେକଥାଟିକୁ ନେଇ ନାନା ମତ ସମ୍ବଳିତ ଏକ ତଥ୍ୟପୁଷ୍ଟ ଆଲୋଚନା ମଧ୍ୟ ବେଶ୍‌ ସମ୍ଭବ ହୋଇପାରେ; ଅର୍ଥାତ୍ ସମାଜବାଲା ଓ ସାହିତ୍ୟବାଲାଙ୍କ ଭିତରେ ଏକ ଅତି ଚମତ୍କାର ଓ ଭାବନାଦ୍ୟୋତକ ବିବାଦର ଅବତାରଣା ମଧ୍ୟ କରାଯାଇ ପାରେ । ଏହି ପ୍ରବନ୍ଧଟିରେ ଆମେ ସେସବୁ କଥା କରିବାକୁ ଯିବାନାହିଁ । ସାହିତ୍ୟର ଆଲୋଚନାକୁ ଯେ ସର୍ବଦା ଏକ ନିରାପଦ ଆଲୋଚନା ହୋଇ ରହିବାକୁ ପଡ଼ିବ, ତାହାର ଆଦୌ କୌଣସି କାରଣ ନାହିଁ । ଅର୍ଥାତ୍ ଆମେ କେବଳ ତତ୍ତ୍ଵପ୍ରବଣ ଅଥବା କେବଳ ଭାବପ୍ରବଣ ଏକ ଗଦ୍‌ଗଦତା ମଧ୍ୟରେ ହିଁ ଆମର ଯାବତୀୟ ଆଲୋକନ ତଥା ଅବଲୋକନକୁ ଯେ ନିଃଶେଷିତ କରିଦେବାକୁ ବାଧ୍ୟ ହେବା, ତାହାର ଆଦୌ କୌଣସି କାରଣ ନାହିଁ । ମଣିଷ ଏହି ସମାଜରେ ରହେ ମନୁଷ୍ୟ ତାର ସମାଜକୁ ଗଢ଼େ, ସମାଜ ମଧ୍ୟ ମଣିଷକୁ ଏକ ନିର୍ଦ୍ଦିଷ୍ଟ ଆଖିରେ ଦେଖିବାକୁ ଶିଖାଏ, ମଣିଷ ତା’ର ସାହିତ୍ୟରୁ ଆନନ୍ଦ ପାଏ, ଆପଣାର ସାହିତ୍ୟକୁ ସେ ଅନେକ ସମୟରେ ଆପଣାର ସମ୍ପଦ ବା ସମ୍ପତ୍ତି ବୋଲି ହିଁ ଭାବିଥାଏ, ସାହିତ୍ୟକୁ ଆପଣାର ଭୂଷଣ ବୋଲି କହେ ଏବଂ ତାହାକୁ ମୁଖ୍ୟତଃ ଏକ ଭୂଷଣ ରୂପେ ହିଁ ବ୍ୟବହାର କରେ, ଏଗୁଡ଼ାକ ସବୁ ସତ ଏବଂ ଏଗୁଡ଼ିକ ସମାଜ ଓ ସାହିତ୍ୟର ପାରସ୍ପରିକ ସମ୍ବନ୍ଧଗତ ଭୂମିରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ମତ ଓ ମତବାଦର ସୂଚନା ମଧ୍ୟ ଦେଇଥାନ୍ତି । ତଥାପି ସାହିତ୍ୟ ହେଉଛି ଏକ Confrontation:–ମନୁଷ୍ୟର ସମାଜ ମନୁଷ୍ୟଲାଗି ଯେପରି ଏକ Confrontation, ତାର ସାହିତ୍ୟ ମଧ୍ୟ ସେହିପରି ଏକ Confrontation: ପ୍ରଧାନତଃ ଏହି କଥାଟି ଅର୍ଥାତ୍ ଆଲୋଚନାର ଏହି ଦିଗଟି ହିଁ ବର୍ତ୍ତମାନ ପ୍ରବନ୍ଧଟିର ବିଷୟବସ୍ତୁ ହୋଇ ରହିବ ।

 

ଏହି ସଂସାରରେ ମନୁଷ୍ୟ କାହାର ସମ୍ମୁଖୀନ ହୁଏ ? ମନୁଷ୍ୟର ସାହିତ୍ୟ ମଧ୍ୟ ଏହି ସଂସାରରେ କାହାର ସମ୍ମୁଖୀନ ହୁଏ ? ମନୁଷ୍ୟ ଜୀବନର ସମ୍ମୁଖୀନ ହୁଏ; ଅର୍ଥାତ୍ ସେ ଆପଣାର ସମ୍ମୁଖୀନ ହୁଏ, ଯେଉଁମାନଙ୍କ ସହିତ ଏକାଠି ହୋଇ ରହି ସେ ଆପଣାକୁ ଉପଲବ୍‌ଧି କରିବା ସଙ୍ଗେ ସଙ୍ଗେ ଏଠି ଜୀବନର ଆସ୍ଵାଦନ ଲାଭ କରି ପାରିବାର ଅବସର ପାଉଛି, ତାହାରି ପରି ସେହି ସହଚାରୀ ଅନ୍ୟମାନଙ୍କର ସମ୍ମୁଖୀନ ହୁଏ, ସେମାନଙ୍କ ସହିତ ନାନା ସମ୍ବନ୍ଧର ଆୟତନ ମଧ୍ୟରେ ସେ ସେମାନଙ୍କର ସମ୍ମୁଖୀନ ହୁଏ । ଏହି ସମ୍ବନ୍ଧଗୁଡ଼ିକ ତା’ର ନିଜର ତିଆରି; ଅର୍ଥାତ୍ ପ୍ରତ୍ୟକ ମନୁଷ୍ୟଗୋଷ୍ଠୀ ତା’ର ଆପଣାର ସ୍ଵୀକୃତି ଅର୍ଥାତ୍ ଅଭିଳଷିତ ମୂଲ୍ୟ, ଅଭିପ୍ରାୟ ଅଥବା ସ୍ଵାର୍ଥଗୁଡ଼ିକର ଅନୁସାରେ ହିଁ ଏହି ସମ୍ବନ୍ଧଗୁଡ଼ିକର ରଚନା କରିଥାଏ । ପୁରୁଣା ମୂଲ୍ୟଗୁଡ଼ିକ ବଦଳିଗଲେ, ତାର ଅଭିପ୍ରାୟ ଏବଂ ସ୍ଵାର୍ଥଗୁଡ଼ିକର ବ୍ୟାପ୍ତି-ସ୍ତର ବଦଳିଗଲେ, ତା’ର ସମାଜଗତ ଏହି ସମ୍ବନ୍ଧଗୁଡ଼ିକ ମଧ୍ୟ ବଦଳି ଯାଇଥାଏ । ଅର୍ଥାତ୍ ସ୍ଵୀକୃତ ମୂଲ୍ୟଗୁଡ଼ିକ ବଦଳି ଯାଉଥିବା ସଙ୍ଗେ ସଙ୍ଗେ ଅଭିପ୍ରାୟ ଓ ସ୍ଵାର୍ଥଗୁଡ଼ାକ ବଦଳି ଯାଉଥାଏ, ଅଭିପ୍ରାୟ ଓ ସ୍ଵାର୍ଥଗୁଡ଼ାକ ବଦଳିଯିବା ସଙ୍ଗେ ସଙ୍ଗେ ମନୁଷ୍ୟ ମନୁଷ୍ୟ ଭିତରେ ରହିଥିବା ସମ୍ବନ୍ଧଗୁଡ଼ିକ ବଦଳିଯାଏ, ସମ୍ବନ୍ଧଗୁଡ଼ିକ ବଦଳିଯିବା ସଙ୍ଗେ ସଙ୍ଗେ ସମାଜ ବଦଳିଯାଏ, ଯୁଗ ବଦଳିଯାଏ । ଗୋଟାଏ ଗୋଟାଏ ଯୁଗର ବା ସମାଜରେ ମନୁଷ୍ୟ ମନୁଷ୍ୟକୁ ମନୁଷ୍ୟ ପରି ଦେଖେ, ସମଧର୍ମୀ ଓ ସହଚରୀ ପରି ଦେଖେ, ସମାଧିକାରୀ ପରି ଦେଖେ । କିନ୍ତୁ ଆଉ ଗୋଟାଏ ଗୋଟାଏ ସମାଜରେ,–ଏବଂ ବଡ଼ ଦୁର୍ଭାଗ୍ୟବଶତଃ ଆମର ଏହି ପୃଥିବୀରେ ଏଇଟା ହିଁ ଅଧିକତର ପରିମାଣରେ ବର୍ତ୍ତମାନ ରହିଛି, ମଣିଷ ଆଉଜଣେ ମଣିଷକୁ ଗୋଡ଼ି ବା ପଥର ପରି ଦେଖେ, ଲୋଷ୍ଟ୍ରବତ୍ ଦେଖେ । ସେତେବେଳେ କେତେକ ମଣିଷ ଅବଶିଷ୍ଟ ଅନେକଙ୍କ ଉପରେ ରାଜା ହୋଇ ବସନ୍ତି, ସେମାନଙ୍କୁ ଛେଳି ମେଣ୍ଢା ପରି ଚରାଇବାକୁ ହିଁ ରୀତି ବୋଲି ଆବୋରି ନେଇଥାନ୍ତି, ସେମାନଙ୍କର ଜୀବନକୁ ଗୁଣ୍ଡାକରି ସେଥିରେ ସଂସ୍କୃତି ଓ ସଭ୍ୟତାର ମସଲା ଦେଇ ଆପଣାଲାଗି ଉଚ୍ଚ ଇମାରତ୍‌ମାନ ତିଆରିକରି ରଖିଥାନ୍ତି । ସେତେବେଳେ ସେହି ଇମାରତବାସୀ ମଣିଷର ଆଖି ମଣିଷ ମାତ୍ରକେ ସମସ୍ତଙ୍କୁ ମଣିଷପରି ଦେଖି ପାରେନାହିଁ, ସବୁ ମଣିଷକୁ ନେଇ କୌଣସି ସ୍ଵପ୍ନ ଦେଖି ପାରେନାହିଁ, ସମସ୍ତଙ୍କ ସହିତ ସାମିଲ୍ ହେବାଲାଗି ସାହସ କରିପାରେ ନାହିଁ । ଜୀବନରୂପୀ ଏହି ଅଭିନୟରେ ସେ ଏକୁଟିଆ ନାୟକ ହୋଇ ରହିବାର ମୋଟା ବୁଦ୍ଧି ନେଇ ବାହାରିଥାଏ ଏବଂ ଆପଣା ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଆପଣାର ବାହକ ବା ପରିକର କରି ରଖିବାକୁ ହିଁ ଆବଶ୍ୟକ ବ୍ୟବସ୍ଥା ବୋଲି ମଣୁଥାଏ ଏବଂ କହିବା ବାହୁଲ୍ୟ, ତା’ଲାଗି ଏବଂ ତାର ବ୍ୟବସ୍ଥାଟି ଲାଗି ମଧ୍ୟ ଅନୁରୂପ ଓ ଅନୁକୂଳ ହୋଇ ଏକ ଇମାର୍‌ତି ସାହିତ୍ୟ ଗଢ଼ାହୁଏ; କାବ୍ୟ, କବିତା ଓ ଅନ୍ୟ ଯାବତୀୟ ସାହିତ୍ୟିକ କୃତିର ମୋହକ ଆଉ ମହକରେ ସେତେବେଳେ ଦାଣ୍ଡ ଫାଟିଯାଏ । ସେତେବେଳେ ମଧ୍ୟ ଗୁଣଗାନ ହୁଏ । ଆଧୁନିକତାର ବିପଣି ବସି ରାତି ରାତି ରସ ରନ୍ଧା ହେଉଥାଏ ଓ ରସର ପରିବେଷଣ ହେଉଥାଏ । ଜାତିର ଅଧିକାଂଶ ମଣିଷ ଜାତିଭିତରେ ଥାଇ ମଧ୍ୟ ତଥାପି ଅଜାତିଆ ହୋଇ ରହିଥିଲେ ବି ସେତେବେଳେ ସାହିତ୍ୟକୁ ନିର୍ମଳ ବିବେକର ସହିତ ଜାତୀୟ ସାହିତ୍ୟ ବୋଲି କୁହା ଯାଉଥାଏ । କିନ୍ତୁ ସେହି ସାହିତ୍ୟ ସେତେବେଳେ ମନୁଷ୍ୟର ସମ୍ମୁଖୀନ ହୋଇ ପାରେନାହିଁ । ତାହା ମନୁଷ୍ୟକୁ ଡରେ, ମନୁଷ୍ୟ ମନୁଷ୍ୟ ଭିତରେ ବାଡ଼ ପକାଇ ରଖିବାରେ ସହାୟକ ହୁଏ, ଜୀବନ ତଥା ସମ୍ବନ୍ଧ କ୍ଷେତ୍ରରେ ଏକ ଦୁଃଖଦ ବିଭେଦକ ପରି କାର୍ଯ୍ୟ କରୁଥାଏ ।

 

ମନୁଷ୍ୟ ଆପଣାର ସମୁଖୀନ ହୁଏ ବୋଲି କହିଲାବେଳେ ଆମେ ଏହାଦ୍ଵାରା ପ୍ରକୃତରେ କ’ଣ ବୁଝୁ ? ପ୍ରତ୍ୟେକ ମନୁଷ୍ୟ ଏହି ସଂସାରକୁ ଆସିବାବେଳେ ଅଜସ୍ର ସମ୍ଭାବନାର ଏକ ମୂର୍ତ୍ତିମାନ୍ ପ୍ରତିଶ୍ରୁତି ହୋଇ ଏଠାକୁ ଆସିଥାଏ । ତାର ଦେହ, ତାର ମନ ଓ ତାର ହୃଦୟକୁ ଅଧିକରୁ ଅଧିକ ସଂପ୍ରସାରିତ କରି ଆପଣା ଜୀବନର ଏହି ସମ୍ଭାବନାଗୁଡ଼ିକୁ ଆବିଷ୍କାର କରିବାଲାଗି ଓ ସେଗୁଡ଼ିକୁ ଉପଲବ୍‌ଧି ଜୀବନ-ସତ୍ୟରେ ପରିଣତ କରିବାଲାଗି ହିଁ ତା’ର ଜୀବନ ଏଠାକୁ ଉଦ୍ଦିଷ୍ଟ ହୋଇ ଆସିଥାଏ । ଆପଣା ସ୍ଵପ୍ନର ପରିପୂର୍ଣ୍ଣ ଉପଲବ୍‌ଧି କରି ଓ ଆପଣାର ସମ୍ଭାବ୍ୟ ବାଟଟିକୁ ପରିପୂର୍ଣ୍ଣ ଭାବରେ ଚାଲି ଆପଣାର ସମ୍ମୁଖୀନ ହେବା ଲାଗି ଉଦ୍ଦିଷ୍ଟ ହୋଇ ସେ ଏଠାକୁ ଆସିଥାଏ-। ଧର୍ମର ଭାଷାରେ କହିଲେ ଏଠାକୁ ସେ ଆତ୍ମୋପଲବ୍‌ଧ ସକାଶେ ଆସିଥାଏ । ଅର୍ଥାତ୍ ଆପଣାର ଆତ୍ମାଟି ମଧ୍ୟରେ ସକଳ ମନୁଷ୍ୟ, ସକଳ ଜୀବନ ଓ ସକଳ ଜଗତ୍‌କୁ ଗତିଶୀଳ ଭାବରେ ଅନୁଭବ କରିବାକୁ ହିଁ ମନୁଷ୍ୟ ଏହି ଜଗତକୁ ଆସିଥାଏ । କେବଳ କେତେକ ମଣିଷ ଆସିନଥାନ୍ତି-। ସବୁ ମଣିଷ ଆସିଥାନ୍ତି, କେବଳ ଆମେ ଆସିନଥାଉ ଅନ୍ୟ ସମସ୍ତେ ବି ଆସିଥାନ୍ତି । କିନ୍ତୁ ଏଠାକୁ ଆସି ଯିଏ ଯେଉଁପରି ଏକ ପରିବେଶରେ ପଡ଼େ, ସେ ଠିକ୍ ସେହିପରି ଭାବରେ ଗଢ଼ିହେବାକୁ ବା ସଢ଼ିଯିବାକୁ ବାଧ୍ୟ ହୋଇଥାଏ । ଏହି ସମାଜ ଭିତରକୁ ଆସି କିଏ ଗୋରା ହୁଏ, କିଏ କଳା ହୁଏ, କିଏ ଓଡ଼ିଆ ହୁଏ, କିଏ ଆଦିବାସୀ ହୁଏ, କିଏ ଉତ୍ତମ ହୁଏ, ଅଧମ ହୁଏ । ସମ୍ଭାବନାମୟ ଜୀବନଟା ସତେଅବା ଗୋଟାସୁଦ୍ଧା ପୂର୍ବନିର୍ଦ୍ଧାରିତ ଭାଗ୍ୟରେ ପରିଣତ ହୋଇଯାଏ-। ଗୋଟାଏ ମଣିଷ ସଇସ ହୁଏ ଓ ଆଉ ଅନେକ ମଣିଷ ତା’ଲାଗି ଘୋଡ଼ାହୋଇ ରହନ୍ତି ଏବଂ ଅସଲ ମଣିଷ ଉପେକ୍ଷିତ ହୋଇ ରହେ । ଜୀବନର ଦାଣ୍ଡରେ ଆଉ ମଣିଷ ସହିତ ମଣିଷର ଭେଟ ହୁଏନାହିଁ-। ଆତ୍ମା ଅଲୋଡ଼ା ହୋଇ ପଡ଼ିରହେ । ସେତେବେଳେ କ୍ଷମତା ଲୋଡ଼ାହୁଏ, ପ୍ରତିପତ୍ତି ଲୋଡ଼ା ହୁଏ, ସଫଳତା ଲୋଡ଼ା ହୁଏ ଏବଂ ସମସ୍ତଙ୍କ ଭିତରେ ଅପେକ୍ଷାକରି ବସିଥିବା ମଣିଷ ଲାଜରା ହୋଇ ରହେ । ଅନେକଙ୍କୁ ଅଶିକ୍ଷିତ କରି ରଖି ଅଳପ କେତେଜଣ ଶିକ୍ଷିତ ହେବାର ଉଗ୍ରପଣ ଦେଖାନ୍ତି, ଆପଣାକୁ ଶିକ୍ଷିତ ବୋଲାନ୍ତି ଏବଂ ବର୍ବରତା ହିଁ ଶିକ୍ଷିତତାର ସ୍ଵୀକୃତି ଲାଭକରି ଆହୁରି ବର୍ବର ହେବାଲାଗି ପ୍ରୋତ୍ସାହନ ପାଉଥାଏ । ସେତେବେଳେ ଏହି ଶିକ୍ଷିତମାନେ ସାହିତ୍ୟ ବି କରନ୍ତି ଓ ସେହି ସାହିତ୍ୟରେ ନାନା ପରିଚ୍ଛଦ, ଭେକ ଓ ପରିପାଟୀ ତଳେ ବର୍ବରତାକୁ ହିଁ ପୁଷ୍ଟକରି ରଖିବାର ପ୍ରଚେଷ୍ଟାଟି ବଳବତ୍ତର ରହିଥାଏ । ସେତେବେଳେ ସାହିତ୍ୟକୁ ନେଇ ସଭା ହୁଏ, ଆପ୍ୟାୟନ ବି ହୁଏ । ମାତ୍ର ମନୁଷ୍ୟକୁ ଭୀରୁକରି ରଖିଥିବା ଏକ ପ୍ରଗଳଭ୍ ଦୁଷ୍ଟତା ହିଁ ସତେଅବା ସେତେବେଳେ ସବୁ ରସକୁ ଆତ୍ମସାତ୍ କରି ବସିଥାଏ । ମଣିଷର ଭାଗରେ ହୁଏତ ଆଦୌ କିଛି ହେଲେ ପଡ଼େନାହିଁ ।

 

ଅସଲ ସାହିତ୍ୟ ଆମକୁ ଯଥାର୍ଥ ଭାବରେ ଦେଖିବାର ଆଖି ଦେଇଯାଏ । ତାହା ଆମଭିତରେ ଏପରି ଏକ ଦ୍ଵାର ବା ଅନେକ ଦ୍ୱାରର ଉଦ୍‌ଘାଟନ କରିଦେଇ ଯାଏ, ଯାହାଦ୍ୱାରା କି ଆମେ ବାହ୍ୟାବରଣ ତାତ୍କାଳିକତାର ଯାବତୀୟ ଦୁଷ୍ଟତା ସତ୍ତ୍ୱେ ତଥାପି ଅନ୍ତରସ୍ଥ ଆତ୍ମାଟିକୁ ଠଉରାଇ ନେଇ ପାରିବାକୁ ଓ ତାହାରି ସଂସ୍ପର୍ଶ ଲାଭ କରିବାକୁ ସମର୍ଥ ହୋଇଥାଉ । ଅସଲ ସାହିତ୍ୟ ମନୁଷ୍ୟ ପାଖରେ ମନୁଷ୍ୟକୁ ହିଁ ଚିହ୍ନାଇ ଦେଇଯାଏ, ଆତ୍ମାପାଖରେ ଆତ୍ମାକୁ ହିଁ ବସାଇ ଦେଇଯାଏ । ଶ୍ରୀ ଅରବିନ୍ଦଙ୍କ ଭାଷାରେ ସକଳ କାବ୍ୟ ଓ ସକଳ ସାହିତ୍ୟରେ ଆତ୍ମା ହିଁ ସୃଷ୍ଟି କରେ, ଆତ୍ମା ହିଁ ଗ୍ରହଣ ତଥା ଆସ୍ଵାଦନ କରେ । ସାହିତ୍ୟିକର ବୁଦ୍ଧି ଓ ସାହିତ୍ୟିକର କଳ୍ପନାଶକ୍ତି କେବଳ ମାର୍ଗ ଆଣି ଯୋଗାଇଦିଏ, କେବଳ ସାଧନ ପରି କାର୍ଯ୍ୟ କରେ । ମାତ୍ର ଆତ୍ମା ହିଁ ସୃଷ୍ଟି କରେ । କିନ୍ତୁ ଯେଉଁ ସାହିତ୍ୟ ବା ସାହିତ୍ୟିକ ଆତ୍ମାର ସ୍ତରଗଭୀରଟି ଯାଏ ଆପଣାର ଅନୁରାଗକୁ ପ୍ରସାରିତ କରିଦେଇ ପାରେନାହିଁ, ଆପଣାଭିତରେ ମଧ୍ୟ ଯିଏ ଯଥେଷ୍ଟ ଗଭୀରକୁ ଯିବାର ସାହସ କରି ପାରେନାହିଁ, ମୁଖାଗୁଡ଼ାକୁ କାଢ଼ି ଫିଙ୍ଗିଦେଇ ପାରେନାହିଁ, ବିଚରା ତାହାକୁ ହିଁ ଏଇଠି ଏହି ସ୍ତରରେ ରହିଯିବାକୁ ପଡ଼େ । ଏହି ବୁଦ୍ଧିର ଟାଙ୍ଗରଟା ଉପରେ ଏବଂ କଳ୍ପନାର ଅଳସ କର୍ଦ୍ଦମ ଭିତରେ ତାକୁ ସାହିତ୍ୟର କସରତ କରିବାର ଅଳ୍ପତା ମଧ୍ୟରେ ବିସ୍ତୃତ ହୋଇ ରହିବାକୁ ପଡ଼େ । ସେଠି ଅନୁଭୂତି ନଥାଏ, କାରଣ ଯଥାର୍ଥ ଅନୁଭୂତି ଲାଗି ଯେଉଁ ଅନ୍ତର୍ଗତ ଉନ୍ମୁକ୍ତତା ଦରବାର, ସେଇଟି ସେଠାରେ ଅନୁପସ୍ଥିତ ରହିଥାଏ । ଅନୁଭୂତି ବିନା କାବ୍ୟ ହୁଏ, କବିତା ହୁଏ, ସାହିତ୍ୟ ହୁଏ, ଶୈଳୀଖଚିତ ଶଙ୍ଖମର୍ମରରେ ଆପଣା କୃତିକାରିଗରିର ପରିଚୟ ଦିଆଯାଏ । କୌଶଳ ହିଁ ଜାଣିଲେ କାବ୍ୟ ହୁଏ, ତେଣୁ ଆଦୌ କୌଣସି ଅନୁରାଗ ନଥିଲେ ମଧ୍ୟ କାବ୍ୟ ହୁଏ । ଅନୁରାଗ ନଥିଲେ ମଧ୍ୟ ସାହିତ୍ୟ ହୁଏ, ଅଳଙ୍କାରଦ୍ୱାରା ଅନୁରାଗର କାମଟିକୁ ବେଶ୍‍ ଚଳାଇନେଇ ହୁଏ, ଅର୍ଥାତ୍ ଅନୁରାଗ ନଥିବାର ଦୈନ୍ୟଟିକୁ ବେଶ୍ ଘୋଡ଼ାଇ ରଖିହୁଏ । ଏସବୁ କିଛି ହୁଏ ଏବଂ ସକଳ ପ୍ରକାର ଶାଳୀନତା ତଥା ସୌଜନ୍ୟ ସହିତ ହୁଏ । ମାତ୍ର ଅନୁରାଗ ନେଇ ସାହିତ୍ୟର ଆଖିରେ ଜୀବନକୁ ଏବଂ ମନୁଷ୍ୟକୁ ଖୋଜିବା ସକାଶେ ବାହାରିଥିବା ବ୍ୟକ୍ତିକୁ ସେହି କ୍ଷେତ୍ରରେ ମୈତ୍ରୀ ଉପନିଷଦର ଭାଷାରେ “ଅନୁଭୂତିଂ ବିନା ମୂଢ଼ୋ ବୃଥା ବ୍ରହ୍ମଣି ମୋଦତେ” ବୋଲି କହିବାକୁ ହିଁ ହୁଏ ଓ ସେଠାରୁ ସତ୍ଵର ବାହୁଡ଼ି ଆସିବାକୁ ପଡ଼ିଥାଏ ।

 

ଆତ୍ମା କହିଲେ ଅନେକ ଲୋକ ସାଧାରଣତଃ ସଂସାରଛଡ଼ା କୌଣସି ଅନ୍ୟଧର୍ମୀ ଏକ ବ୍ୟାପାରକୁ ବୁଝିଥାନ୍ତି । ଯେଉଁମାନେ ବ୍ରହ୍ମକୁ ସତ୍ୟ ବୋଲି ମାନି ଜଗତକୁ ଗୋଟାସୁଦ୍ଧା ମିଥ୍ୟା ବୋଲି ଏକ ପ୍ରତ୍ୟୟ ଜନ୍ମାଇବାର ଅଭିପ୍ରାୟ ରଖିଥାନ୍ତି , ସେମାନେ ଏଠି ଏହି ଜଗତ ଭିତରେ ଆତ୍ମାକୁ ଆଦୌ କୌଣସି ସ୍ଥାନ ଦେବାକୁ ରାଜି ହୁଅନ୍ତି ନାହିଁ । ଜଗତକୁ ସେଯାଏ ଉତ୍ତୋଳିତ କରି ନେବାକୁ ଅଥବା ଆତ୍ମାକୁ ଏଯାଏ ଅବତୀର୍ଣ୍ଣ କରାଇ ଆଣିବାକୁ ଅର୍ଥାତ୍ ଏହିଠାରେ ହିଁ ଆତ୍ମାର ଆବିଷ୍କାର କରିବାକୁ ସେମାନେ ଏକ ଦୁଃସାହସୀ ଅଦର୍ଶନ କହି ପ୍ରମାଦ ଗଣିଥାନ୍ତି । ଏହି ଜଗତରୁ ନିଷ୍କୃତି ଲଭିଲେ ଆଉ ଅନ୍ୟ କେଉଁଠି ଯାଇ ମୁକ୍ତି ସମ୍ଭବ ହେବ ବୋଲି ସେମାନେ ଜିଦ୍ ଧରି କହିଥାନ୍ତି । ଏହି ବ୍ୟବସ୍ଥାଟି ଅନୁସାରେ ଥୋକେ ଲୋକ ସନ୍ନ୍ୟାସୀ ହୁଅନ୍ତି, ବୈରାଗୀ ହୁଅନ୍ତି, ଧର୍ମଗୁରୁ ହୁଅନ୍ତି ଓ ଧର୍ମୋପଦେଶ ଦିଅନ୍ତି; କିନ୍ତୁ ସଂସାରଛଡ଼ା ହୁଅନ୍ତି, ସଂସାରଠାରୁ ପୂଜା ପାଆନ୍ତି-। ସେମାନେ ସଂସାରକୁ ଏକ ଯାତନା ବୋଲି ମଣନ୍ତି, ଅଥଚ ସଂସାରଦ୍ଵାରା ପ୍ରତିପାଳିତ ଓ ଅନୁଲାଳିତ ହୁଅନ୍ତି । ଏବଂ ଯେଉଁ ଅନେକ ଲୋକ ସଂସାରର ଭିତରେ ରହନ୍ତି ସେମାନେ ସାଂସାରିକ ଜୀବନରେ କ୍ଳେଶ ଖଟନ୍ତି, ଧର୍ମକାର୍ଯ୍ୟ କରନ୍ତି, ସନ୍ଥସେବା କରନ୍ତି ଓ ତାହାରିଦ୍ଵାରା ହିଁ ସଂସାର ଭିତରେ ଛନ୍ଦିହୋଇ ବହିଥିବାର ପାପର କ୍ଷୟ କରାଇବାର ଆଶା ପୋଷଣ କରିଥାନ୍ତି-। ଶରୀରସର୍ବସ୍ଵ ହୋଇ ସଂସାର ଚାଲେ, ଘୃଣାରେ ସଂସାର ଚାଲେ, ମଣିଷ ମଣିଷଠାରୁ ବହୁଦୂର କରି ରଖି ସଂସାର ଚାଲେ । ପ୍ରତ୍ୟେକ ମଣିଷ ଭିତରେ ଭଗବାନ ଅଛନ୍ତି ଅର୍ଥାତ୍ ନର ମଧ୍ୟରେ ନାରାୟଣ ରହିଚନ୍ତି ବୋଲି ଧର୍ମକଥାର ବଖାଣ ହେଉଥାଏ ସତ, ମାତ୍ର ସାଂସାରିକ ବାସ୍ତବ ଭିତରୁ ସେହି ଆଦର୍ଶଟିକୁ ବହିଷ୍କୃତ କରି ରଖା ଯାଇଥାଏ । ଏହିପରି ଭାବରେ ଏକ ବିଭାଜନଧର୍ମୀ ମାୟାରେ ପଡ଼ିଗଲେ ମଣିଷ କେବଳ ଯେ ଭଗବାନଙ୍କୁ ଭୁଲେ ତାହା ନୁହେ, ସେ ଆପଣାର ଅସଲ ପରିଚୟଟିକୁ ବି ଭୁଲିବସେ, ମଣିଷ ମଣିଷ ଭିତରେ ରହିଥିବା ଅସଲ ସମ୍ବନ୍ଧଟି ବିଷୟରେ ବାଉଳା ହୋଇ ରହେ । ବର୍ବରତା ହିଁ ପରିଣାମ ହୁଏ, ଧର୍ମ ଓ ଧାର୍ମିକତାର ଘଣ୍ଟ ବାଡ଼ିଆ ହୋଇ ଏହି ବର୍ବରତାକୁ ଯାବତ ପ୍ରକାରର ପ୍ରଶ୍ରୟ ଦିଆହୁଏ । ତେଣୁ ପ୍ରକୃତ କଥା ହଉଛି ଯେ ଆମେ ଜଗତକୁ ଛାଡ଼ି ଆଧ୍ୟାତ୍ମର କଳ୍ପନା କରି ପାରିବା ନାହିଁ, ଆଧ୍ୟାତ୍ମର ଉପଲବ୍‌ଧି କରି ପାରିବା ତ ଆହୁରି ଦୂରର କଥା । ଆମେ ନରକୁ ବାଦ୍ ଦେଇ ନାରାୟଣର କଳ୍ପନା ପାରିବାନାହିଁ । ତେଣୁ ସବୁ ମଣିଷ ଭିତରେ ନାରାୟଣର ସମ୍ଭାବନା ରହିଛି ବୋଲି ସ୍ଵୀକାର କରିନେବାକୁ ପଡ଼ିବ ଏବଂ ତାହାକୁ ହିଁ ଯାବତୀୟ ଧର୍ମ ତଥା ଧର୍ମ ସମ୍ଭାବନାର ମୂଳତମ ସତ୍ୟରୂପେ ଗ୍ରହଣ କରିବାକୁ ପଡ଼ିବ । ଏହିଭଳି ଏକ ସମ୍ଭାବନାକୁ ଜୀବନର ସନିର୍ବମ୍ନ ତଥା ସର୍ବୋତ୍ତମ ସତ୍ୟରୂପେ ଅନୁଭବ କରି ପାରିବାକୁ ଏକ ଯଥୋଚିତ ଅବସର ଯୋଗାଇଦେବା ହିଁ ଯେକୌଣସି ସମାଜ ବା ସାମାଜିକ ଜୀବନର ସର୍ବପ୍ରଥମ ଧ୍ୟେୟ ହୋଇ ରହିବ । ଆଧ୍ୟାତ୍ମଶକ୍ତି ବୃଦ୍ଧି ପାଇଲେ ଏଇଠି ଏହି ଜୀବନର ଶକ୍ତିମତ୍ତା ମଧ୍ୟ ସମୃଦ୍ଧି ଲାଭ କରିବ । ଏହି ଜୀବନକୁ ଉପେକ୍ଷିତ କରି ରଖି କୌଣସି ଅଧ୍ୟାତ୍ମ କଦାପି ଶକ୍ତିମନ୍ତ ହୋଇ ରହିପାରିବ ନାହିଁ । ତାହା ଅଫିମ ହୋଇ ରହିବ; ଅନେକ ମଣିଷଙ୍କୁ କେବଳ କର୍ମକଷଣ ସହ୍ୟ କରୁଥିବା ଗଧ ହୋଇ ରାହିବାଲାଗି ବାଧ୍ୟ କରୁଥିବା ସମାଜ ଭିତରେ କୌଣସି ମହାପୁରୁଷ କଦାପି ଅଧ୍ୟାତ୍ମର ପ୍ରତିଷ୍ଠା କରି ପାରିବ ନାହିଁ । ଏହିସବୁ ବିଫଳ ପ୍ରୟାସର ଦୃଷ୍ଟାନ୍ତ ଆମ ଇତିହାସରେ ଭରପୁର ହୋଇ ରହିଛି ଏବଂ ଏଇଥିପାଇଁ ହିଁ ମନୁଷ୍ୟର ଇତିହାସ ପ୍ରଧାନତଃ ଦାସତାର ଏକ ଇତିହାସ ହୋଇ ରହିଛି । ଦାସତା ହିଁ ନିୟମ ହୋଇ ରହିଛି, ଦାସତା ହିଁ ଭାଗ୍ୟ ହୋଇ ରହିଛି ।

 

ଯଥାର୍ଥ କାବ୍ୟ ଓ କଳା, ଅର୍ଥାତ୍ ଯଥାର୍ଥ ସାହିତ୍ୟ ଆଧ୍ୟାତ୍ମ ଓ ଇହଜଗତ ମଧ୍ୟରେ ଏକ ସେତୁପରି ହୋଇ ରହିବାର ଅଭିଳାଷ ରଖିବ ବୋଲି ଶ୍ରୀ ଅରବିନ୍ଦ କହିଛନ୍ତି । ଆମର ଆଦର୍ଶ ଓ ବାସ୍ତବ ମଧ୍ୟରେ ସାହିତ୍ୟ ଏକ ସେତୁ ହେଇ ରହିବ । ଅର୍ଥାତ୍ ଆଧ୍ୟାତ୍ମକୁ ଏଇଠି ଏଇ ଜଗତରେ ହିଁ ପ୍ରତିଷ୍ଠିତ କରିବାର ପ୍ରୟାସ ଓ ସାଧନାରେ ସାହିତ୍ୟ ସେତୁ ହୋଇ ରହିବ । ଆମ ଆଦର୍ଶକୁ ଆମର ବାସ୍ତବ ଜୀବନ ମଧ୍ୟକୁ ଓହ୍ଲାଇ ଆଣିବା ଲାଗି ହିଁ ସାହିତ୍ୟ ସେତୁ ହୋଇ ରହିବ । ଏଇ ଦୃଷ୍ଟିରୁ ମନୁଷ୍ୟକୁ ଜୀବନର ଶୁଦ୍ଧ ଆନନ୍ଦଟି ମଧ୍ୟକୁ ବିମୋଚିତ କରିଦେବା ଓ ତାହାର ଏହି ଜୀବନଟିକୁ ସୌନ୍ଦର୍ଯ୍ୟମୟ କରିବା, ଏହାହିଁ ସକଳ ସାହିତ୍ୟର ଧ୍ୟେୟ ହୋଇ ରହିବ । ସମ୍ଭବତଃ ଏହିପରି ଏକ ଅର୍ଥରେ ହିଁ ଶ୍ରୀ ଅରବିନ୍ଦ କବି ବା ସାହିତ୍ୟସ୍ରଷ୍ଟାକୁ ଋଷି ବୋଲି କହିଛନ୍ତି । ଦେବୀ ଭାଗବତରେ ମଧ୍ୟ “ନାଋଷି କୁରୁତେ କାବ୍ୟମ୍” ବୋଲି କୁହାଯାଇଛି । ଶଙ୍କରାଚାର୍ଯ୍ୟ କ୍ରାନ୍ତଦର୍ଶୀ’ ଅର୍ଥରେ ‘କବି’ ଶବ୍ଦର ବ୍ୟାଖ୍ୟା କରିଛନ୍ତି । ଏଠାରେ ଋଷି କହିଲେ କୌଣସି ଅରଣ୍ୟବାସୀ ବା ସଂସାର-ବିଚ୍ଛିନ୍ନ ଆଶ୍ରମବାସୀକୁ ଆଦୌ ବୁଝାଉ ନାହିଁ । ଯିଏ ଦେଖିପାରେ, ସିଏ ହେଉଛି ଋଷି । ଆମ ଅନେକଙ୍କ ପରି ଯିଏ ଖଣ୍ଡିତ ଭାବରେ ଦେଖେ, ବିଭକ୍ତ ଓ ତେଣୁ ବିମୂଢ଼ ଭାବରେ ଦେଖେ, ସିଏ କଦାପି ଋଷି ହୋଇପାରେ ନାହିଁ । ଯିଏ ସମ୍ପୂର୍ଣ୍ଣ ଓ ସମଗ୍ର ଭାବରେ ଦେଖେ, ସେଇ ଋଷି । ସକଳ ବାଡ଼ର ସ୍ଵାର୍ଥ-ସମର୍ଥିତ ନାନା ଆବଦ୍ଧତା ଓ ସଙ୍କୁଚିତତା ମଧ୍ୟରୁ ଆପଣାକୁ ଉତ୍‍କ୍ରାନ୍ତ କରିନେଇ ଯିଏ ସତ୍ୟକୁ ଦେଖିବାର ସାହସ କରିପାରେ ଅର୍ଥାତ୍ ଅନୁରାଗ ଦେଖାଇ ପାରେ, ସେଇ ହେଉଛି ଋଷି । ସାହିତ୍ୟର ଦୃଷ୍ଟି ହେଉଛି ଏହି ସମଗ୍ର ଦୃଷ୍ଟି । ଏହି ସମଗ୍ର ଦୃଷ୍ଟିରେ ଦେଖିଲେ ମର୍ତ୍ତ୍ୟ ଭିତରୁ ସ୍ଵର୍ଗ ବାଦ୍ ଯାଏ ନାହିଁ, ଅଧ୍ୟାୟ ଭିତରୁ ଐହିକ ବାଦ୍ ଯାଏନାହିଁ । ତାତ୍କାଳିକତା ଭିତରେ ଚିରନ୍ତରତା ମଧ୍ୟ କଦାପି ବଦ୍‍ ଯାଏନାହିଁ । କବିଗୁରୁ ରବୀନ୍ଦ୍ର ନାଥଙ୍କ ଭାଷାରେ କହିଲେ ଏହି କ୍ଷେତ୍ରରେ ବୈରାଗ୍ୟ କହିଲେ ବିଶ୍ୱଜଗତଠାରୁ ଆପଣାର ସମ୍ୱନ୍ଧକୁ ବିଚ୍ଛିନ୍ନ କରି ରଖିବାକୁ ବୁଝାଏନାହିଁ । ଠିକ୍ ଏହାର ବିପରୀତ କଥାଟିକୁ ହିଁ ବୁଝାଏ, ଅର୍ଥାତ୍ ସବୁଟି ସହିତ ଆପଣାର ସମ୍ବନ୍ଧଟିକୁ ପରିବ୍ୟାପ୍ତ କରି ରଖିବାକୁ ହିଁ ବୁଝାଏ । ଯଦି ଯୋଗ କହିଲେ ଯଥାର୍ଥ ଭାବରେ ଯୁକ୍ତ ହେବାକୁ ହିଁ ବୁଝାଏ, ତେବେ ଯଥାର୍ଥ ସାହିତ୍ୟକୁ ତାର ଆପଣା କ୍ଷେତ୍ରରେ ଆମେ ଏକ ଯୋଗ ବୋଲି ମଧ୍ୟ କହି ପାରିବା । ସାହିତ୍ୟକାର ଆପଣାକୁ ସମଗ୍ର ଜୀବନଟି ସହିତ ସଂଯୁକ୍ତ କରି ରଖେ, ମନୁଷ୍ୟ ମାତ୍ରକେ ସମସ୍ତଙ୍କ ସହିତ ସେ ସଂଯୁକ୍ତ ହୋଇପାରେ, ସବୁରି ଅନୁରାଗୀ ହୋଇ ରହେ, ସବୁ ଘରେ ପ୍ରବେଶ କରି ପାରିବାର ବାସନା ରଖିଥାଏ । ତେଣୁ ଯେଉଁଠାରେ ସମାଜରୂପୀ ଘରଟିକୁ ନାନାପ୍ରକାର କାତରତା ଓ ଅସହିଷ୍ଣୁତାଦ୍ଵାରା ଭାଗ ଭାଗକରି ରଖିଦିଆ ହୋଇଥାଏ, ସେଠି ପ୍ରକୃତ ସାହିତ୍ୟ ଆପଣାକୁ ପ୍ରକୃତରେ କୌଣସି ଘରେ ରହିଥିବା ପରି ଆଦୌ ଅନୁଭବ କରି ପାରେନାହିଁ । ସେ ଏଇଟିକୁ ଭାଙ୍ଗି ଆଉ ଗୋଟିଏ ଘର ଗଢ଼ିପାରିବା ଲାଗି ପ୍ରେରଣା ଦିଏ, ଆମ ସମସ୍ତଙ୍କର ପୁରୋଗାମୀ ରୂପେ ସେ ଆମକୁ ଏକ ନୂତନ ବିଧାନର ଉଦ୍‌ବୋଧନ ଦେଇଯାଏ । ଅତୀତରେ କେତେକେତେ ସାହିତ୍ୟ ଏହିପରି ପୁରୁଣାକୁ ଭାଙ୍ଗି ନୂତନର ସ୍ଥାପନା କରିବାଲାଗି ଉଦ୍‌ବୋଧନ ଦେଇଯାଇଛି, ଅସୁନ୍ଦରର ସ୍ଥାନରେ ସୁନ୍ଦରର ସ୍ଵପ୍ନ ଦେଖାଇବାର ଓ ସୁନ୍ଦରର ନିର୍ମାଣ କରିବାର ଉଦ୍‌ବୋଧନ ଦେଇ ଆସିଛି । ମଣିଷକୁ ବଳ ଦେଇଛି, ମଣିଷକୁ ଆଖି ଦେଇଛି, ମଣିଷକୁ ଅନୁରାଗ ଦେଇ ଯାଇଛି । ସାହିତ୍ୟ ନୂତନ ଧର୍ମର ବାହନ ହୋଇଛି, ନୂତନ ଅବଲୋକନର ବାହନ ହୋଇଛି ଏବଂ ଏକ ନୂତନ ତିତିକ୍ଷାର ବାହନ ହୋଇ ରହିଛି । ସେହି ସାହିତ୍ୟ ସବୁ ଯୁଗର ସାହିତ୍ୟ ହୋଇ ଏଯାଏ ବଞ୍ଚି ରହିଛି ଏବଂ ସେହି ସାହିତ୍ୟିକମାନେ ଆମର ଏହି ପୃଥିବୀର ତଥା ସମାଜରେ ବିବର୍ତ୍ତନରେ ନାୟକ ହୋଇ ରହିଛନ୍ତି । ଯୁଗର ବିବର୍ତ୍ତନରେ ନେତୃତ୍ଵ ନେଇଛନ୍ତି ।

 

ଆମ ସାହିତ୍ୟ ମନୁଷ୍ୟକୁ ପ୍ରକୃତରେ କିପରି ଦୃଷ୍ଟିରେ ଦେଖିବ ? କାହାରି କୃପାର ପାତ୍ର ହୋଇ କିମ୍ବା ଏହି ପୃଥିବୀରେ ଆଉକାହାର ଭାରବାହକ ହୋଇ ରହିବାଲାଗି କୌଣସି ମଣିଷ ଜଗତକୁ ଆସେନାହିଁ । ଆପଣା ଭିତରେ ଅନ୍ତର୍ନିହିତ ହୋଇ ରହିଥିବା ମହତ୍ତମ ଅର୍ଥାତ୍ ସମ୍ଭାବ୍ୟ ତମର ଉପଲବ୍‌ଧି କରିବାକୁ ହିଁ ସେ ଏଠାକୁ ଆସେ । ଆମର ସାହିତ୍ୟ ମଧ୍ୟ ମନୁଷ୍ୟକୁ ଠିକ୍ ସେହିପରି ଭାବରେ ହିଁ ଅନୁଭବ କରିବ । କବିତାରେ ଅନୁଭବ କରିବ, ଗଳ୍ପରେ ଅନୁଭବ କରିବ, ଉପନ୍ୟାସ ବା ନାଟକରେ ବି ଅନୁଭବ କରିବ । ଯେଉଁ ସମାଜରେ ନାନା କାରଣରୁ ମନୁଷ୍ୟକୁ ତାର ଏହି ଆସ୍ଥାନଟିରୁ ତଳକୁ ଖସାଇ ଅଣାଯାଇଛି, ସେଠାରେ ସାହିତ୍ୟ ତା’ର ପ୍ରତିବାଦ କରିବ । ସେହି ତଥାକଥିତ ବାସ୍ତବକୁ ସାହିତ୍ୟ ଅସ୍ଵୀକାର କରିବ । ବିକୃତିକୁ ବିକୃତ ବୋଲି କହିବ ଏବଂ ବ୍ୟାଧିତତାକୁ ବ୍ୟାଧିତତା ବୋଲି କହିବ । ଅର୍ଥାତ୍ ଯୁଗକୁ ଓ ସମାଜକୁ ସଜାଡ଼ିବାଲାଗି, ଅର୍ଥାତ୍ ତାକୁ ତାର ଯଥାର୍ଥ ଜୀବନମୂଳକୁ ଫେରାଇ ଆଣିବା ଲାଗି ସାହିତ୍ୟ ଅଭିଳାଷ ରଖିବ, ଦୁର୍ବଳ ମନୁଷ୍ୟକୁ ଆହୁରି ବଳ ଆଣିଦେବ, ଦୃଷ୍ଟି ଆଣିଦେବ । ତେବେଯାଇ ସେହି ସାହିତ୍ୟ ଏଇଠି ଏଇ ମଣିଷର ସଙ୍ଗୀ ହୋଇ ରହିପାରିବ । ଯାହା ଯେଉଁଠି ଯେତିକିରେ ବା ଯେପରି ଭାବରେ ରହିଛି, ସାହିତ୍ୟ ତାହାକୁ ହିଁ କଦାପି ବାସ୍ତବ ବୋଲି ମାନି ନେବନାହିଁ । ବନ୍ଦୀଶାଳାର ଜଗୁଆଳମାନେ ଯେଡ଼େ ବଡ଼ପାଟିରେ ସବୁ କିଛି ଠିକ୍ ରହିଛି ବୋଲି ହୁଙ୍କାରିବାରେ ଲାଗିଥିଲେ ମଧ୍ୟ ସାହିତ୍ୟିକ ବନ୍ଦୀଶାଳାକୁ ତଥାପି ଏକ ବନ୍ଦୀଶାଳା ବୋଲି ହିଁ ଚିହ୍ନାଇ ଦେବ, ଶୃଙ୍ଖଳମୋଚନର ଆମନ୍ତ୍ରଣ ଦେଇଯିବ, ଲୁହା ଓ ସୁନା ଉଭୟ ଶୃଙ୍ଖଳକୁ ଛିଣ୍ଡାଇ ଆସିବାଲାଗି ସାହିତ୍ୟ ଆମକୁ ଅନ୍ତଃଦୃଷ୍ଟି ଯୋଗାଇଦେବ । ତେଣୁ କେବଳ କେତେଜଣଙ୍କ ଲାଗି ଏକ ବିଳାସଦୀର୍ଘିକା ହୋଇ ରହିବାର ଅଭିଶାପରୁ ସାହିତ୍ୟ ଆପଣାକୁ ମୁକ୍ତକରି ରଖିବ, ଦରବାର ଛାଡ଼ି ଦାଣ୍ଡକୁ ବାହାରିବ । ବିବେକକୁ ବଧୀର ନକରି ତୀକ୍ଷ୍‌ଣ କରିବାର ସାମର୍ଥ୍ୟ ରଖିଥିବ । ସାହିତ୍ୟ ସକଳ ଜଡ଼ତ୍ଵର ଅପହରଣ କରିବ-। କେବଳ ଭାବୋତ୍ତେଜିତ କେତେଟା ବିଶେଷ ଆନୁଷ୍ଠାନିକ ମୁହୂର୍ତ୍ତରେ ନୁହେଁ, ଆମର ସକଳ ଜୀବନ-କ୍ଷେତ୍ରରେ ଅର୍ଥାତ୍ ସମସ୍ତଙ୍କ ସହିତ ସମ୍ମିଳିତ ହେବାର ସକଳ ଅବସରରେ ସାହିତ୍ୟ ଆମକୁ ଜଡ଼ତ୍ଵର ସକଳ ପାଶରୁ ମୁକ୍ତକରି ରଖିବ ।

 

ଯେଉଁ ସ୍ଵୀକୃତ ଅପସଂସ୍କାରଗୁଡ଼ାକୁ ଅଭ୍ୟାସବଶ ଭାବରେ ଆମେ ଏହି ଦେଶରେ ସମାଜ ବୋଲି ମାନି ନେଇଛୁ, ସେହି ସମାଜକୁ ଯଥାର୍ଥ ସାହିତ୍ୟ ପ୍ରକୃତରେ କିପରି ଆଖିରେ ଦେଖିବ ? ଉଦାହରଣ ଦେଇ କହିଲେ ଓଡ଼ିଶାର ସମାଜକୁ ଓଡ଼ିଶାର ସାହିତ୍ୟ, ଆମେ ଯାହାକୁ ଓଡ଼ିଆ ସାହିତ୍ୟ ବା ଆମ ସାହିତ୍ୟ ବୋଲି କହିଥାଉ, କିପରି ଆଖିରେ ଦେଖିବ ? ଓଡ଼ିଶାରେ ଆମେ ସମସ୍ତେ ଓଡ଼ିଆ, ଭାବପ୍ରବଣତାରେ ଭୁଲିଯାଇ କେଡ଼େ ଉତ୍ସାହିତ ଭାବରେ ଆମେ ଏଠି ବାସ କରୁଥିବା ସବୁ ମଣିଷଙ୍କୁ ଉତ୍କଳ-ଜନନୀର ସନ୍ତାନ ବୋଲି କହିଥାଉ । ମାତ୍ର ମଣିଷ ତଥା ସମାଜର ଦୃଷ୍ଟିରୁ ଥିର ହୋଇ ଦେଖିବାକୁ ଇଚ୍ଛା କଲେ ଆମେ ଏଠାରେ ପ୍ରକୃତରେ କ’ଣ ସବୁ ଦେଖିବାକୁ ପାଇବା ? ଗୋଟିଏ ପାଖରେ ଅଳପ ଅଥଚ ସମ୍ପନ୍ନମାନେ ରହିଛନ୍ତି; ସେମାନେ ଆପଣାର ଭାଗ୍ୟ ଗଢ଼ୁଛନ୍ତି, ଭାଗ୍ୟର ରଙ୍ଗଶାଳାରେ ପ୍ରତିଯୋଗିତାରେ ବାହାରିଛନ୍ତି; ସେଇମାନେ ଶିକ୍ଷାଲାଭ କରୁଛନ୍ତି, ଲକ୍ଷ୍ମୀଲାଭ କରୁଛନ୍ତି, ସେଇମାନେ ବାବୁ ହୋଇ ଏହି ଭୂମିଟିକୁ ଚଳାଉଛନ୍ତି । ସେମାନେ ଏଇଠି ଏହି ସମାଜ ଭିତରେ ରହିଛନ୍ତି ସତ, ମାତ୍ର ଏପରି ଏକ ସ୍ପର୍ଦ୍ଧାପୂର୍ଣ୍ଣ ଦୂରତା ଓ ଉଚ୍ଚତାରେ ଆପଣାକୁ ନେଇ ଅଧିଷ୍ଠିତ କରି ରଖିଛନ୍ତି ଯେ, ଆପାଣାକୁ ସତେଅବା ସମାଜ-ଅତିରିକ୍ତ ବୋଲି ଭାବିବାରେ ଲାଗିଛନ୍ତି । ଅର୍ଥାତ୍ ସେମାନେ ଏହି ସମାଜର କାନ୍ଧଉପରେ ଯାଇ ବସିଛନ୍ତି, ସମାଜଯାକ ସବୁକିଛି ସତେଅବା ସେଇମାନଙ୍କ ସକାଶେ ଚାଲୁଛି ଓ ଚାଲିବା ଉଚିତ ବୋଲି ସେମାନେ ଏକ ଦାମ୍ଭିକ ନିଷ୍ଠାର ସହିତ ବିଶ୍ଵାସ କରିବାରେ ଲାଗିଛନ୍ତି ଏବଂ ସମାଜର ଅନେକସଂଖ୍ୟକ ମଣିଷ ଏଠାରେ ସତେଅବା ସମାଜ ବହିର୍ଭୂତ ବା ସମାଜ ଭିତରୁ ବହିଷ୍କୃତ ହୋଇ ରହିଛନ୍ତି । ବାବୁମାନଙ୍କର ମଟର ଗାଡ଼ି ଯିବାପାଇଁ ଯେମିତି ରାସ୍ତାର ଦରକାର ହୋଇଥାଏ, ଅର୍ଥାତ୍ ଗୋଡ଼ି, ପଥର, ପିଚୁ ଓ କଂକ୍ରିଟ୍‌ର ଦରକାର ହୋଇଥାଏ, ହୁଏତ ଠିକ୍ ସେହିପରି ଭାବରେ ହିଁ ଏହି ଦେଶରେ ସେମାନଙ୍କର ଏକ ଆବଶ୍ୟକତା ରହିଛି । ଆମର ଏ ସମାଜରେ କ’ଣ ନାହିଁ ? ଧନ ଅଛି, ସମ୍ପଦ ଅଛି, ଜ୍ଞାନ ଅଛି, ବିଜ୍ଞାନ ଅଛି, ଆଦର୍ଶ ଅଛି, ନେତୃତ୍ଵ ଅଛି ଏବଂ ଭଗବାନ ବି ଅଛନ୍ତି । ଜୀବନକୁ କୋମଳରୁ କୋମଳତମ ଏବଂ ଉଗ୍ରରୁ ଉଗ୍ରତମ ଭାବରେ ଉପଭୋଗ କରିବାଲାଗି ଏଠି କେତେ ନା କେତେ ସାଜ ଓ ସରଞ୍ଜାମ ଭର୍ତ୍ତି ହୋଇ ରହିଛି । କିନ୍ତୁ ଏଇଟା ଏକଦମ୍ ସତ କଥା ଯେ ଏଗୁଡ଼ାକ ମାତ୍ର କେତେଜଣଙ୍କର ସମ୍ପତ୍ତି ହୋଇ ରହିଛି । ମନୁଷ୍ୟକୁ ଅଧିକ ଯଥାର୍ଥ ଭାବରେ ଜଣେ ମଣିଷରୂପେ ତିଆରି କରିବାକୁ ଏବଂ ଏହି ସମାଜକୁ ମଣିଷର ଜୀବନଯୋଗ୍ୟ ଏକ ସମାଜ ପରି ଗଢ଼ିବାକୁ ଏସବୁ ଆମର ଖୁବ୍ କମ୍ କାମରେ ଲାଗୁଛି । ତେଣୁ ମନୁଷ୍ୟର ସର୍ବୋତ୍ତମ ବିକାଶଲାଗି ଏସବୁ ଆଦୌ ପାବଚ୍ଛ ପରି କାମ କରି ପାରୁନାହିଁ । ମଣିଷକୁ ପରସ୍ପରର ନିକଟବର୍ତ୍ତୀ କରାଉନାହିଁ ମଣିଷଠାରୁ ମଣିଷର ମୁହଁ ମୋଡ଼ାଇ ନେବାଲାଗି ବରଂ ନାନା ପ୍ରରୋଚନା ଦେବାରେ ଲାଗିଛି । ଆମ ସମାଜରେ ଆମର ଧନ, ଆମର ବିଦ୍ୟାର୍ଜନ ଏବଂ ଆମର ହୃଦୟ ଆମର ଅନ୍ତଃପରିଚୟଟିର ଉଦ୍‍ଘାଟନରେ ହିଁ ଆମକୁ ସବୁଠାରୁ ଅଧିକ ସାହାଯ୍ୟ କରି ପାରୁଥାନ୍ତା । ମାତ୍ର ନାନା କାରଣରୁ ଏଗୁଡ଼ାକ ଆମଭିତରୁ ମାତ୍ର କେତେଜଣଙ୍କର ବଡ଼େଇଟାକୁ ବଢ଼ାଇବାରେ ହିଁ ସବୁଠାରୁ ଅଧିକ ସାହାଯ୍ୟ କରିବାରେ ଲାଗିଛି । ଜଣେ ମଣିଷ କହିଲେ ପ୍ରକୃତରେ ଯେଉଁ ବଡ଼ପଣକୁ ବୁଝାଉଥାନ୍ତା, ସେଥିରୁ ଆମ ସମସ୍ତଙ୍କୁ ବଡ଼ ସମ୍ମୋହିତ ଭାବରେ ବଞ୍ଚିତକରି ରଖିଛି । ତେଣୁ ଆମର ସାହିତ୍ୟ ମଧ୍ୟ ଅନେକ ସମୟରେ ବା ଅନେକାଂଶରେ ଆମ ବଡ଼େଇ ବଢ଼ାଇବାର ଏକ ଉପକରଣ ମାତ୍ର ହୋଇ ରହିଛି । ପ୍ରାଚୀନ ଗ୍ରୀକ୍ ସଂସ୍କୃତିରେ ସେମାନେ ଯାହାକୁ ‘hubris’ ବୋଲି କହୁଥିଲେ, ଏଠାରେ ବଡ଼େଇ କହିଲେ ଶବ୍ଦଟିକୁ ଆମେ ସେଇ ଅର୍ଥରେ ବୁଝିବାକୁ ଚେଷ୍ଟା କରିବା । ଜୀବନ ସହିତ ଯୁକ୍ତ ହେବାର ଅନୁରାଗରୁ ହିଁ ସାହିତ୍ୟିକ ସାହିତ୍ୟର ପ୍ରେରଣା ପାଇଥାଏ, ଜୀବନକୁ ଓ ଜୀବନଗତ ନାନା ସମ୍ବନ୍ଧକୁ ସୁନ୍ଦରତର ଓ ନୂତନତରକରି ଦେଖିବାର ଓ ଗଢ଼ିବାର ସରାଗରୁ ହିଁ ସାହିତ୍ୟିକ ସାହିତ୍ୟର ପ୍ରେରଣା ପାଇଥାଏ ଏବଂ ଏହି ଅନୁରାଗରୁ ହିଁ ସକଳପ୍ରକାର ସୃଷ୍ଟି ସମ୍ଭବ ହୁଏ । ମାତ୍ର ଆମର ଏହି ଅନୁରାଗହୀନ ସମାଜରେ ସାହିତ୍ୟ ଅନେକ ମଣିଷଙ୍କ ଉପରେ କେତେକଙ୍କର ବଡ଼େଇଟାକୁ ହିଁ ପ୍ରଦର୍ଶିତ ଓ ପ୍ରତିଷ୍ଠିତକରି ରଖିବାରେ ହୁଏତ ସବୁଠାରୁ ଅଧିକ ଉପାଦାନ ଯୋଗାଇ ଦେବାରେ ଲାଗିଛି । ସାହିତ୍ୟକୁ ସମ୍ପତ୍ତି କରି ରଖିବାକୁ ହିଁ ସାହିତ୍ୟର ଆଦର କରିବା ବୋଲି କୁହାଯାଉଛି । ଅହଙ୍କାର ବଢ଼ୁଛି, ମିଥ୍ୟାଭିମାନ ବଢୁଛି;–ଏବଂ ଆମର ସାହିତ୍ୟ ସତେଅବା ଏକ ସମ୍ମୋହକ ପରି ହୋଇ ଆମକୁ ଅନେକ ଅମାନୁଷିକତା ଓ ବର୍ବରତାରୁ ଭୁଲାଇ ରଖୁଛି । ପୋଷାକୀ କେତେଘଡ଼ି ଲାଗି ସାହିତ୍ୟ ଭିତରେ ବିଗଳିତ ହୋଇ ରହି ଆମେ ଜୀବନର ଆଠ ପହରଯାକ ବଡ଼ ଅସାହିତ୍ୟିକ ହୋଇ ରହିଛୁ ବଡ଼ ବର୍ବର ହୋଇ ରହିଛୁ, ବର୍ବରତାଟା ହିଁ ଜାରି ହୋଇ ରହିବାରେ ସହଯୋଗ କରିବାରେ ଲାଗିଛୁ, ବର୍ବରତାକୁ ମାନି ନେଉଛୁ । ଯାହା ହୋଇପାରନ୍ତା, ସେ ବିଷୟରେ ଭାବିବାକୁ ମଧ୍ୟ ଭୟ କରୁଛୁ ।

 

ଆମେ ଅତି ସରାଗରେ ଯାହାକୁ ଓଡ଼ିଆ ସାହିତ୍ୟ ବୋଲି କହୁଛୁ, ଓଡ଼ିଶା ଭିତରେ ବାସ କରୁଥିବା ସବୁ ମଣିଷଙ୍କ ଲାଗି କ’ଣ ତା’ର କୌଣସି କର୍ତ୍ତବ୍ୟ ନାହିଁ ? ଓଡ଼ିଶାର ସବୁ ଲୋକେ ମଣିଷ ପରି ଗଢ଼ି ହୁଅନ୍ତୁ, ମଣିଷର ସ୍ଵୀକାର ପାଆନ୍ତୁ ଓ ମଣିଷର ସମ୍ମାନିତ ଆଖିରେ ଆପଣାଆଡ଼କୁ ଅନାଇବା ଲାଗି ସମର୍ଥ ହୁଅନ୍ତୁ, ଏବିଷୟରେ ଏହି ଭୂଇଁର ସାହିତ୍ୟର କ’ଣ ଆଦୌ କିଛିହେଲେ କରିବାର ନାହିଁ ? ସମଗ୍ର ପୃଥିବୀରେ ଆଜି ମଣିଷ ଭିତରେ ଯେଉଁ ଦାସତ୍ଵମୋଚନ ଓ ନୂତନ ଅବଲୋକନର ଆକାଂକ୍ଷାଟି କ୍ରମେ ଉଦ୍‌ବେଳିତ ହୋଇ ଉଠିଲାଣି ସେହି ଆକାଂକ୍ଷାଟିକୁ ଓଡ଼ିଶା ଭିତରକୁ ପ୍ରବାହିତ କରାଇ ଆଣିବାର କାର୍ଯ୍ୟରେ କ’ଣ ଓଡ଼ିଆ ସାହିତ୍ୟର ଆଦୌ କୌଣସି ଭାଗ ନାହିଁ ? ଆମର ଏହି ଓଡ଼ିଶାରେ ଚାରିଭାଗରୁ ପ୍ରାୟ ଭାଗେ ମଣିଷଙ୍କୁ ଆମେ ଆଦିବାସୀ ବୋଲି କହି ଅଲଗାକରି ରଖିଛୁ । ସେହି ଆଦିବାସୀମାନଙ୍କୁ ଆମେ ପ୍ରକୃତରେ କିପରି ଆଖିରେ ଦେଖିଥାଉ, ଆମ ସାହିତ୍ୟ ବି ସେମାନଙ୍କୁ ପ୍ରକୃତରେ କିପରି ଆଖିରେ ଦେଖିଥାଏ, ଏବଂ ଆମର ବିବେକଭୂମିରେ ପ୍ରକୃତରେ କେଡ଼େ ଅବିବେକୀ ଭାବରେ ଆମେ ସେମାନଙ୍କୁ ଆପଣାଠାରୁ କେଡେ ଦୂରଛଡ଼ାକରି ରଖିନଥାଉ । ସେମାନେ ଗୋଟାଏ ବା ଦୁଇଟା ପୁରୁଷ ତଳେ ଯେମିତି ଥିଲେ, ବର୍ତ୍ତମାନ ପ୍ରାୟ ସେହିପରି ରହିଛନ୍ତି । ଆମେ ସେମାନଙ୍କୁ ଅନୁଗ୍ରହକରି ଯେତିକି ସ୍ଵୀକୃତି ଦେଉଛୁ, ସେମାନେ ଆପଣାକୁ ଠିକ୍ ସେହିଯାଏ ହିଁ ଆଣିବାକୁ ସାହସ କରି ପାରୁଛନ୍ତି ଓ କେବଳ ସେତିକି ଆୟତନକୁ ହିଁ ଜୀବନ ବୋଲି ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି । ଆମ ସାହିତ୍ୟରେ ସେମାନଙ୍କୁ ନେଇ ବି କେତେ କ’ଣ ଲେଖାଯାଉଛି, ଗଦ୍ ଗଦ୍ ଉଚ୍ଛ୍ଵାସପୂର୍ଣ୍ଣ ଭାବରେ ସେମାନଙ୍କର ତଥାକଥିତ ସରଳ ଓ ପ୍ରାକୃତିକ ଜୀବନ ବିଷୟରେ କେତେ ନା କେତେ ଚାଟୁବଚନର ଉଦ୍‌ଗାର ହେଉଛି । ଏବଂ ତେଣେ ଆମର ସମାଜ ସେମାନଙ୍କର ସର୍ବସ୍ଵ ଶୋଷଣ ଓ ଅପହରଣ କରିବାରେ ଲାଗିଛି, ଆମ ପୋଲିସ୍‌ମାନେ ବନ୍ଧୁକ ଦେଖାଇ ସେମାନଙ୍କୁ ଲୁଟି କରିବାରେ ଲାଗିଛନ୍ତି । ଆମ ସମସ୍ତଙ୍କର ଏହି ଗୋଟିଏ ଭୂଇଁରେ ଆମ କ୍ଷମତାଧାରୀମାନେ ସହସ୍ର ସହସ୍ର ଅସହାୟ ଓ ହତବଳ ମଣିଷଙ୍କ ଲାଗି ଆତଙ୍କ ହୋଇ ରହିଛନ୍ତି । ହୁଏତ ଯୋଉ ମଣିଷ ସାହିତ୍ୟ କରୁଛି, ସେହି ମଣିଷ ହିଁ ଲୁଟି କରିବାକୁ ଯାଉଛି । ଯୋଉ ମଣିଷ ଏଡ଼େ ପାଟିରେ ଓଡ଼ିଶାର ସାହିତ୍ୟିକ ଅଖଣ୍ଡ ଗୌରବ ବିଷୟରେ ଅନର୍ଗଳ ଲାଳିତ୍ୟ ସହିତ କେତେକଣ କହିଦେଇ ପାରୁଛି, ହୁଏତ ସେଇ ଏଠି ମଣିଷକୁ ମଣିଷଠାରୁ ଦୂର କରି ରଖିବାରେ ଓ ମଣିଷକୁ ମଣିଷ ଉପରେ ସଇସ କରି ବସାଇବାରେ ଏକ ପୂର୍ଣ୍ଣସମ୍ମତ ନିମିତ୍ତ ହୋଇ ରହିଛି; ଏହି ପ୍ରହସନ ଏଠାରେ ବେଶ୍ ଚାଲିଛି ଓ ବେଶ୍ ଜମିଛି । ଆମର ସାହିତ୍ୟ ଆମ ଚମଡ଼ାଟାର ହୁଏତ ଏତେ ଟିକିଏହେଲେ ତଳକୁ ଭେଦି ପାରୁନାହିଁ ।

 

ଅର୍ଥାତ୍ ଅନେକ ଦୃଷ୍ଟିରୁ ବିଚାର କଲେ, ଆମ ସାହିତ୍ୟ ଆମର ଏହି ବାସନା ଓ ଅବର୍ଜିଆ ଜୀବନାଚରଣ ଉପରେ ଗୋଟାଏ ପରସ୍ତ ଆଳଙ୍କାରିକତା ହେଇ ରହିଛି । ଆମର ପାଠ ବା ପାଠୁଆ ବେଶଟା ଯେମିତି ଆମ ଉପରେ ମୁଖ୍ୟତଃ ଗୋଟାଏ ଆଳଙ୍କାରିକତା ହୋଇ ରହିଛି, ଆମ ସାହିତ୍ୟ ମଧ୍ୟ ପ୍ରାୟ ସେହିପରି ଏକ ଆଳଙ୍କାରିକତା ହୋଇ ରହିଛି । ଆମେ କେତେ ଜଣ ମାତ୍ର ଏହି ସମାଜରେ ପାଠ ପଢ଼ିବାର ଯାବତୀୟ ସୁଯୋଗକୁ ଆତ୍ମସାତ୍ କରି ବସିଛୁ । ଆମ ପାଠପଢ଼ା ଆମର କୌଣସି କାମରେ ଲାଗୁନଥିଲେ ମଧ୍ୟ ଆମେ ତଥାପି ପାଠ ପଢ଼ିବାର ଏକ ମହାର୍ଘ ଆୟୋଜନ ଭିତରେ ଆପଣାକୁ ପରିପୂର୍ଣ୍ଣ ଚାତୁରୀରେ ମଣ୍ଡାଇ କରି ରହିଛୁ । ଆମର ରୁଚି ଗୋଟାସୁଦ୍ଧା ଅପାଠୁଆ ହୋଇ ରହୁଥିଲେ ମଧ୍ୟ ଓ ଆମର ଗୋଷ୍ଠୀଜୀବନରେ ଆମେସବୁ ବଡ଼ ଚମତ୍କାର ଭାବରେ ଚରମ ଆସାମାଜିକତାର ଗୋଟାଏ ଗୋଟାଏ ସନ୍ତକ ହୋଇ ରହି ଯାଉଥିଲେ ମଧ୍ୟ ଆମେ ତଥାପି ଏହି ଦେଶରେ ପାଠୁଆ ହୋଇ ରହିଛୁଁ । ଠିକ୍ ସେହିପରି ଆମ ସାହିତ୍ୟ ମଧ୍ୟ ଆମ ଜୀବନରେ ଏକ ଅନୁରାଗହୀନ ଅୟସପ୍ରାୟ ହୋଇ ରହିଛି । ଆମ ସାହିତ୍ୟକୁ ଆମେ ହିଁ ଲେଖୁଛୁ, ଆମେହିଁ ପଢ଼ୁଛୁ, ତାହାକୁ ଉପଭୋଗ କରି ଆମେ ହିଁ ହୃଷ୍ଟ ହେବାରେ ଲାଗିଛୁ ଓ ଆପଣାର ଏକ ସ୍ଵତନ୍ତ୍ର ଖୁଆଡ଼ ଭିତରେ ରହି ପରସ୍ପରର ପ୍ରଶସ୍ତି ଗାନକରିବାରେ ବି ଲାଗିଯାଇଛୁ । ଅତ୍ୟୁଲ୍ଲାସର ଗୋଟାଏ ଗୋଟାଏ ମୁହୂର୍ତ୍ତରେ ସତେଅବା ବଣା ହେଲାପରି ଆମେ ଏଇୟାକୁ ହିଁ ଆମର ଅର୍ଥାତ୍ ଆମ ଓଡ଼ିଶାର ସାହିତ୍ୟବୋଲି କହୁଛୁ, ଆମର ଏହି ଯାବତୀୟ ବିଳାସିତାକୁ ଉତ୍କଳ ଭାରତୀଙ୍କର ଅର୍ଚ୍ଚନାବେଦୀରେ ଦିଆଯାଉଥିବା ନୈବେଦ୍ୟ ବୋଲି କହି ବଡ଼େଇ କରୁଛୁ । ମାତ୍ର ଓଡ଼ିଶା ତଥା ଓଡ଼ିଶାର ମଣିଷ ଆମଠାରୁ ଅନେକ ଦୂରରେ ପଡ଼ିରହିଛି । ଆମେ ତାକୁ ଶୋଷଣ କରୁଛୁ, ତାକୁ ଆମେ ଲୁଟି କରୁଛୁ, ତାକୁ ଅନ୍ଧକରି ରଖିବାର ଧୃଷ୍ଟତା କରୁଥିବା ଏକ ସମାଜ–ଓ ଶାସନ-ବ୍ୟବସ୍ଥାରେ ଆମେ ସମସ୍ତେ ସକାମ ସହଯୋଗ କରିବାରେ ମାତି ରହିଛୁ । ଆମର ମନୋରଞ୍ଜନ ସକାଶେ ସାହିତ୍ୟର ବିପଣି ଚମତ୍କାର ଚାଲିଛି । ସାହିତ୍ୟ ଆମର ସେବାକାରୀ ହୋଇ ରହିଛି । ମାତ୍ର ସାହିତ୍ୟଲାଗି ଯେ ଯୋଗ୍ୟ ହେବାକୁ ହୁଏ, ନିଜକୁ ଗୋଟାଏ ଦୃଷ୍ଟି-ସ୍ତରରୁ ଆଉ ଗୋଟାଏ ଦୃଷ୍ଟି-ସ୍ତରକୁ ଉତ୍ତୋଳିତ କରି ନେବାକୁ ହୁଏ, ଆପଣାର ଚେତନାରେ ଯେ ଏକ ଅନୁରୂପ ସଂପ୍ରସାରଣ ଘଟାଇବାକୁ ହୁଏ ଏବଂ ଆପଣାର ସମାଜଆଡ଼କୁ ଅର୍ଥାତ୍ ଅନ୍ୟ ସବୁ ମଣିଷଙ୍କଆଡ଼କୁ ଯେ ଏକ ନୂତନ ଆଖିରେ ଚାହିଁ ଶିଖିବାକୁ ହୁଏ ଅର୍ଥାତ୍ ସେମାନଙ୍କ ସହିତ ଆପଣାର ସମ୍ବନ୍ଧକୁ ଏକ ନୂତନ ବ୍ୟଞ୍ଜନାରେ ଅନୁଭବ କରିବାକୁ ହୁଏ, ଏସବୁ ଭାବିବାଲାଗି ମଧ୍ୟ ସତେଯେପରି ଆଜି ଏତେଟିକିଏ ହେଲେ ପ୍ରୟୋଜନ ନାହିଁ । ଆମର ଗଣ୍ଠିଗୁଡ଼ାକ ପାରମ୍ପରିକ ଭାବରେ ଯେଉଁଠି ଯେପରି ଭାବରେ ପଡ଼ି ରହିଥିଲା, ସେଗୁଡ଼ାକ ଆଜି ମଧ୍ୟ ଠିକ୍ ସେଇଠି ସେହିପରି ଭାବରେ ହିଁ ପଡ଼ିରହିଛି । ଆମର ସାହିତ୍ୟ ଆମକୁ କୌଣସି ଗ୍ରନ୍ଥିମୋଚନର ଆହ୍ଵାନ ଦେଇ ଯାଉନାହିଁ, ଆମକୁ କୌଣସି ଆରୋହଣର ଯୋଗ୍ୟ କରି ପାରୁନାହିଁ । କେବଳ ଆମର ଏହି ସ୍ତରଟାରେ ଏହି ଗଣ୍ଠିଗୁଡ଼ାକ ଭିତରେ ହିଁ ଆମର ଆପ୍ୟାୟନ ଆର୍ଥାତ୍ ବିସ୍ମରଣ ଲାଗି ତାହା ଆମର ଏକ ତାତ୍କାଳିକ ସାଧନ ପରି କାର୍ଯ୍ୟକରୁଛି ।

 

ଆମ ନିଜର ଭୂଇଁଟି ସହିତ ଆମର କୌଣସି ଚେର ଲାଗି ନାହିଁ, ଆମ ସମାଜ ସହିତ ଆମର କୌଣସି ସମର୍ପଣଗତ ସମ୍ବନ୍ଧ ନାହିଁ କିମ୍ବା ସେଭଳି କୌଣସି ସମ୍ବନ୍ଧ-ସ୍ଥାପନ ଆମକୁ ଆଦୌ ନିରାପଦ ବୋଲି ମନେ ହେଉ ନାହିଁ । ମଣିଷକୁ ମଣିଷ ରୂପେ ସ୍ଵୀକାର କରି ତାକୁ ଆପଣା ହୃଦୟର ସମୀପରେ ନେଇ ବସାଇବା ସକାଶେ ମଧ୍ୟ ଆମ ଭିତରେ ଆଦୌ କୌଣସି ପ୍ରୟୋଜନ ଅନୁଭୂତ ହେଉନାହିଁ । ତେଣୁ ବାସ୍ତବ ଜୀବନ-ଦଉଡ଼ରେ ଆପଣାକୁ ଜଣେ ସଫଳ ଅବସରବାଦୀ ରୂପେ ପ୍ରସ୍ଥାପିତ କରି ରଖି ଆମ ସାହିତ୍ୟର ଭୂମିରେ ଆମେ ଅନେକ ସମୟରେ ଆନ୍ତର୍ଜାତିକ ଭଳି ଦିଶିବାର ଏକ ପ୍ରୀତି ତଥା ପ୍ରବୃତ୍ତି ମଧ୍ୟ ବେଶ୍ ଦେଖାଇବାରେ ଲାଗିଛୁ । ଭୂଇଁଛଡ଼ା ହୋଇ ରହିବାର ଅବିବେକକୁ ଆନ୍ତର୍ଜାତିକ ହେବାର ଏକ ଉଡ଼ା ସଉକରେ ପୁଟ ଦେଇ ରଖିବାର ଭାରି ଚେଷ୍ଟା କରୁଛୁ । ଇଂରାଜୀ ସାହିତ୍ୟ, ଆମେରିକାର ସାହିତ୍ୟ; ଫରାସୀ ସାହିତ୍ୟ ଓ ଏପରିକି ପ୍ରାଚୀନ ଗ୍ରୀକ୍ ଓ ଲାଟିନ୍ ସାହିତ୍ୟକୁ ମନ୍ଥି ସେଠୁ ଭାବ ଆଣି ଏଠି ଆମର ଆପଣା ଅଭାବାଗୁଡ଼ାକର କ୍ଷତିପୂରଣ ହୋଇଗଲା ବୋଲି ଭାବିବାଲାଗି ଆମେ ଅନେକ ଭାରି ଭଲ ପାଉଛୁ-। ଆମ ଦେଶର ଅନେକ ଡାକ୍ତର ଅନେକ ଇଞ୍ଜିନିଅର ଓ ଅନେକ ହାକିମ ଯେପରି ଏଠି ଥାଇ କେବଳ ସିଆଡ଼ର ସ୍ଵପ୍ନ ଦେଖି ଏଠି ଗୋଟା ସୁଦ୍ଧା ଖାଲି ଅବସାଦଗ୍ରସ୍ତ ହୋଇ ରହିଛନ୍ତି-। ଏଠି ଆପଣାର ଭୂମିଟିକୁ ଭୁଲି ରହିବାଲାଗି ଓ ଏଠି ଆପାଣାର ଖିଅଗୁଡ଼ିକୁ ଛିଣ୍ଡାଇ ପାରିବା ଲାଗି ସେମାନେ ସିଆଡ଼ର କେତେ ତଥ୍ୟ କେତେ କୌଶଳ ଓ କେତେକେତେ କାରିଗରୀକୁ ପଇଟାଇ ରଖିଛନ୍ତି । ଶ୍ରୀ ଅରବିନ୍ଦଙ୍କଠାରୁ ଶବ୍ଦର ଖିଅ ନେଇ ଆମେ ଏମାନଙ୍କୁ ହୁଏତ Studious Poets ବୋଲି ବେଶ୍ କହିପାରିବା । ଆମ ଦେଶରେ ସାହିତ୍ୟର କ୍ଷେତ୍ରରେ ଆଧୁନିକତା କହିଲେ ଚଳନ୍ତି ମୁଦ୍ରା ଅନୁସାରେ ଏବେ ପ୍ରଧାନତଃ ଏହିଭଳି Studious ସାହିତ୍ୟକାରମାନଙ୍କର ବୌଦ୍ଧିକ ଶ୍ରମଗୁଡ଼ାକୁ ହିଁ ବୁଝାଉଛି । ପ୍ରାୟ ସମଗ୍ର ପୃଥିବୀର ଆକାଂକ୍ଷାକୁ ଉଦ୍‌ବେଳିତ କରି ଯେଉଁ ଆଧୁନିକ ନୂତନ ଚେତନା ବର୍ତ୍ତମାନ ସର୍ବତ୍ର ମନୁଷ୍ୟକୁ ସଂକ୍ରମିତ କରିବାକୁ ଆରମ୍ଭ କଲାଣି, ସେଇଟି ସହିତ ଏମାନଙ୍କର ପ୍ରାୟ କୌଣସି ସମ୍ପର୍କ ନାହିଁ । ବରଂ ଜାଣତରେ ହେଉ ବା ଅଜାଣତରେ ହେଉ, ଏହିମାନେ ହିଁ ଆମ ଦେଶରେ ଅସଲ ଚେତନାର ସଂକ୍ରମଣ ଲାଗି ଗୋଟାଏ ପ୍ରକାରର ଅନ୍ତରାୟ ହୋଇ ରହିଛନ୍ତି । ଅବକ୍ଷୟକୁ ହିଁ ଭଳି ଭଳି ଅଳଙ୍କାର ପିନ୍ଧାଇ ସେମାନେ ସେଇଟାକୁ ସାହିତ୍ୟର ସର୍ବାଧୁନିକ ଆବେଦନ ବୋଲି ଜାହିର କରିବାର ଚେଷ୍ଟା କରୁଛନ୍ତି, ଏଠାରେ ଅନେକ ନୂଆ ନୂଆ ଉଦ୍‌ଭଟତାର ମଞ୍ଜି ପୋତିବାରେ ଲାଗିଛନ୍ତି । ଭୂଇଁକୁ ଫେରି ନ ଆସିବା ପର୍ଯ୍ୟନ୍ତ ଏମାନଙ୍କୁ ହୁଏତ ଏହି ଦଶା ହିଁ ଭୋଗିବାକୁ ପଡ଼ୁଥିବ । ସେମାନଙ୍କର ଚିତ୍ରକଳ୍ପମୟ କାରାଗାରର କାନ୍ଥଗୁଡ଼ାକୁ ଭାଙ୍ଗି ତା’ ଭିତରେ ଚାରିପାଖରେ ଆତଯାତ ହେଉଥିବା ଜୀଅନ୍ତା ମଣିଷର ଓ ଜୀଅନ୍ତା ଜୀବନର ନିଶ୍ଵାସ ଆସି ନବାଜିବା ପର୍ଯ୍ୟନ୍ତ ସେମାନଙ୍କୁ ଏଭଳି ଏକ ଦୁର୍ଗତି ଭିତରେ ହିଁ ଘାଣ୍ଟି ହୋଇ ରହିବାକୁ ପଡ଼ୁଥିବ, ଅର୍ଥାତ୍ ଏଠି ଆପଣା ଘରେ ଚିହ୍ନ ନ ଦେଇ ଅଲୋଡ଼ା ରହି ଆନ୍ତର୍ଜାତିକ ସ୍ଵୀକାର ଲାଭ କରିବାର ମାୟାମୃଗ ପଛରେ ବାଇଆ ହୋଇ ବୁଲିବାକୁ ପଡ଼ୁଥିବ-

 

ମୋଟ କଥା ହେଉଛି, ସମୁଦାୟ ସମାଜକୁ ଆମର ସମାଜ ବୋଲି ଗ୍ରହଣ ନ କରିଥିବା ପର୍ଯ୍ୟନ୍ତ ଓ ଆପଣାର ଭାଗବତ ଭୂମିରେ ସମୁଦାୟ ସମାଜଟି ଲାଗି ନିବେଦିତ ହୋଇ ରହି ନ ପାରିବା ପର୍ଯ୍ୟନ୍ତ ଆମର ସାହିତ୍ୟ କଦାପି ସାମାଜିକ ବା ସମାଜର ବୋଲାଇ ପାରିବ ନାହିଁ । ଆପଣାର ବର୍ତ୍ତମାନ ନିର୍ବାସନଟି ଭିତରୁ କଦାପି ବାହାରି ଆସି ପାରିବନାହିଁ । ମଣିଷକୁ ମଣିଷ ବୋଲି ଆଦରି ନା ନେବା ପର୍ଯ୍ୟନ୍ତ ଆମର ସାହିତ୍ୟ ମଣିଷ ପାଖରୁ ସବୁବେଳେ ଅଜାତିଆ ହୋଇ ରହିଥିବ । ତାହା ବାବୁମାନଙ୍କର ସାହିତ୍ୟ ହୋଇ ପାରିବ, ସମଜଭୀରୁ ସଙ୍କୁଚିତ ଜୀବନଲାଗି ଏକ ସୌଖିନ୍ କଣ୍ଢେଇ ହୋଇ ବେଶ୍ ରହିପାରିବ, ମାତ୍ର ସମାଜରେ ନୂତନ ଜୀବନ କିମ୍ବା ନୂତନ ବ୍ୟବସ୍ଥାର ପ୍ରେରଣା ଆଣି ଦେବାଲାଗି ତାହା ହୁଏତ କିଛିହେଲେ କରି ପାରିବ ନାହିଁ । ସମାଜର ପରିବର୍ତ୍ତନ ଆଣିବାପାଇଁ ଚେତନାର ଭୂମିରେ ପ୍ରଥମେ ଯେଉଁ ବିପ୍ଳବଟିକୁ ସଂଘଟିତ କରାଇବାକୁ ପଡ଼େ, ସେଇ ବିପ୍ଳବରେ ଏହି ତଥାକଥିତ ସାଆନ୍ତିଆ ସାହିତ୍ୟ ଆଦୌ କୌଣସି ଭାଗ ନେଇ ପାରିବନାହିଁ । ଏବଂ ଯେତେବେଳେ ନୂଆ ଆସି ପୁରୁଣାକୁ ଗ୍ରାସ କରିବାକୁ ବସିବ, ସେତେବେଳେ ଆମର ଏହି ତଥାକଥିତ ସାହିତ୍ୟ ମଧ୍ୟ ବଡ଼ ଅପ୍ରସ୍ତୁତ ଭାବରେ ତାହାରି ଗ୍ରାସରେ ହିଁ ପଡ଼ିଯିବ, ତାହାର ବନ୍ୟାରେ ବୁଡ଼ିଯିବ;–ଏବଂ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଅସମର୍ଥତାର ଏକ ବର୍ଣ୍ଣହୀନ ଓ ସୌନ୍ଦର୍ଯ୍ୟହୀନ କାହାଣୀ ହୋଇ ରହିବ ।

 

ମାତ୍ର ଇଚ୍ଛା କଲେ ଆମର ସାହିତ୍ୟ ସମାଜର ପରିବର୍ତ୍ତନରେ ମଧ୍ୟ ଏହା ସହାୟକ ପ୍ରେରଣାରୂପେ ଅବଶ୍ୟ କାର୍ଯ୍ୟ କରି ପାରିବ, ମନୁଷ୍ୟର ଚେତନାରେ ଏକ ନୂତନ ପ୍ରସାରଣ ଆଣିଦେବାରେ ଏକ ଶକ୍ତିଶାଳୀ ନିମିତ୍ତରୂପେ କାର୍ଯ୍ୟ କରି ପାରିବ । କିନ୍ତୁ ଆପଣାକୁ ଏହି ଶାବ୍ଦିକ କସରତ ଏବଂ ଅବକ୍ଷୟୀ ଦର୍ଶନକ୍ଲେଶ ଭିତରେ ଛନ୍ଦ ରଖିଥିବା ପର୍ଯ୍ୟନ୍ତ ସାହିତ୍ୟିକ ଆପଣାର ସାହିତ୍ୟକୁ କଦାପି ଏସବୁ କାର୍ଯ୍ୟରେ ଲଗାଇ ପାରିବନାହିଁ, ଆପଣାକୁ ଏହି ସ୍ଥିତାବସ୍ଥା ଅର୍ଥାତ୍ ସ୍ଵୀକୃତ ଅପବ୍ୟବସ୍ଥାଟି ସହିତ ଜଡ଼ାଇ ରଖିଥିବା ପର୍ଯ୍ୟନ୍ତ ସାହିତ୍ୟିକ କଦାପି ସେକଥା କରିପାରିବନାହିଁ । ଯୁଗକୁ ବଦଳାଇ ପାରିବାର ସାହିତ୍ୟ କଦାପି କ୍ଷମତାର ପକ୍ଷରେ ରହିବନାହିଁ, ତାହା ମନୁଷ୍ୟପଟେ ହିଁ ରହିବ । ସକଳ କ୍ଷମତାଦମ୍ଭ ଲାଗି ଅଙ୍କୁଶ ହୋଇ ରହିବ, କ୍ଷମତାର ତୋଷାମଦ କରିବ ନାହିଁ କିମ୍ବା କ୍ଷମାତାଧାରୀର କିଙ୍କର ହୋଇ ସେଥିରୁ କୌଣସି ଲାଭ ଉଠାଇବାର ଲୋଭ ରଖିବ ନାହିଁ । ଆମ ଦେଶରେ ସ୍ଵାଧୀନତା ପରେ ମନୁଷ୍ୟର ଚେତନା ଓ ଅଭୀପ୍‌ସାର କ୍ଷେତ୍ରରେ ଯେଉଁସବୁ ପରିବର୍ତ୍ତନ ଘଟିଛି ବା ଘଟୁଛି, ଏବଂ ଯେଉଁସବୁ ପରିବର୍ତ୍ତନ ଘଟିବାଲାଗି ପ୍ରତ୍ୟାଶିତ ହୋଇ ରହିଛି, ସେଥିପ୍ରତି ଆମ ସାହିତ୍ୟ ଏପର୍ଯ୍ୟନ୍ତ ପ୍ରଧାନତଃ ଏକପ୍ରକାର ଉଦାସୀନ ଓ ଅସଂପୃକ୍ତ ହୋଇ ରହିବାକୁ ଚେଷ୍ଟା କରି ଆସିଛି । ଅର୍ଥାତ୍ ତାହା ପ୍ରଧାନତଃ ନିରାପତା ହିଁ ଲୋଡ଼ିଛି ନିରାପଦ ଖ୍ୟାତି ଓ ନିରାପଦ ସ୍ଵୀକୃତି ଲୋଡ଼ି ଆସିଛି । ଏହି ଦେଶର ସମ୍ବନ୍ଧଗତ ବ୍ୟବସ୍ଥାରେ ଏକ ସତ୍ଵର ପରିବର୍ତ୍ତନ ଯେଉଁମାନଙ୍କ ଲାଗି ଏକ ଜୀବନମରଣର ସମସ୍ୟା ହୋଇ ରହି ଆସିଛି, ଆମ ଦେଶର ସାହିତ୍ୟିକ ସେମାନଙ୍କ ପାଖରେ ଆପଣାକୁ ମୁଖ୍ୟତଃ ଅସ୍ପୃଶ୍ୟ କରି ରଖିଆସିଛି । ଦେଶ ସ୍ଵାଧୀନ ହେବାର ପଚିଶିବର୍ଷ ପରେ ଆମ ଦେଶର କେତେକ ଲୋକ ସ୍ୱାଧୀନତାକୁ ଭୋଗ କରିବାକୁ ହିଁ ଆପଣାର ଅଭୀଷ୍ଟରୂପେ ଗ୍ରହଣ କରି ଆସିଥିବା ପରି ଆମ ଦେଶର କେତେକ ଲୋକ ସାହିତ୍ୟକୁ ମଧ୍ୟ ପ୍ରାୟ ଭୋଗ ହିଁ କରି ଆସିଛନ୍ତି । ସାହିତ୍ୟକୁ ଯେ ଦ୍ୱାରୋଦ୍‌ଘାଟନର ଏକ ସାଧନରୂପେ ବ୍ୟବହାର କରାଯାଇପାରେ, ଆଖି ଫିଟାଇ ଦେବାର ଏକ ଉତ୍‌ପ୍ରେରକ ରୂପେ ବ୍ୟବହାର କରାଯାଇପାରେ, ଆମ ଦେଶର ଭୋଗସ୍ଥ ସାହିତ୍ୟିକମାନେ ସେକଥାଟିକୁ ସତେଅବା ପାସୋରି ବସିଛନ୍ତି ବା ଭୁରୁଡ଼ାଇ ଦେବାର ଚେଷ୍ଟା କରୁଛନ୍ତି । ଏଠି ସେମାନଙ୍କର ନିଦ ଭାଙ୍ଗିବାକୁ କିଏ ଆସିବ, ଚେଇଁ ଶୋଇଥିବା ମଣିଷକୁ ଉଠାଇଦେବା ଲାଗି କିଏ ଆସିବ, ଲବଣ ଯଦି ତାର ଲବଣତ୍ଵଟିକୁ ହରାଇ ବସେ, ତେବେ ତାକୁ ପୁଣି କିଏ ଲବଣତ୍ଵ ଆଣିଦେବ ? ଏଯୁଗର ସକଳ ଅସନ୍ତୋଷ ଓ ଅତୃପ୍ତି ସେହିପରି ଏକ ନୂତନ ପ୍ରବର୍ତ୍ତକ ବା ପ୍ରବର୍ତ୍ତନ ଲାଗି ଅପେକ୍ଷା କରି ରହିଛି ।

 

୬ । ୨ । ୭୩

[୯ । ୨ । ୭୩ରେ ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର

 

କଲେଜର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ

 

ଉତ୍ସବରେ ପ୍ରଦତ୍ତ ଅଭିଭାଷଣ ]

Image

 

ସାଂପ୍ରତିକ ସାହିତ୍ୟର ଭୂମିକା ଓ ଭବିଷ୍ୟତ

 

ଜୀବନର ଅନ୍ୟତମ ଅଭିବ୍ୟକ୍ତି–କ୍ଷେତ୍ର ହିସାବରେ ସାହିତ୍ୟର ଏକ ଭୂମି ଅବଶ୍ୟ ରହିଛି ଏବଂ ତେଣୁ ଏକ ଭୂମିକା ମଧ୍ୟ ରହିଛି । ଠିକ୍ ଯେପରି ଧର୍ମର ଏକ ଭୂମି ରହିଛି, ଅର୍ଥନୀତି ବା ରାଜନୀତିର ଏକ ଭୂମି ରହିଛି ତଥା ଭୂମିକା ମଧ୍ୟ ରହିଛି, ସମାଜର ଏକ ଅନୁଷ୍ଠାନ ହିସାବରେ ପରିବାରର ଏକ ଭୂମି ରହିଛି ଏବଂ ଭୂମିକା ରହିଛି ।

 

ସାହିତ୍ୟର ଭୂମିଟିକୁ ସୁନିର୍ଦ୍ଦିଷ୍ଟ ଓ ସୁସ୍ପଷ୍ଟ ଭାବରେ ନିରୂପଣ କରି ନେଇ ପାରିଥିଲେ ସାହିତ୍ୟର ଭୂମିକାଟିକୁ ଠଉରାଇ ନେବା ବିଷୟରେ ଆଉ କଦାପି ଏତେ ସଂଶୟରେ ଆସି ପଡ଼ିବାକୁ ହୁଏ ନାହିଁ । ଆମେ ସମସ୍ତେ ଏହି ସଂସାରକୁ କାହିଁକି ଆସିଛେ, ଏଠି ଏକ ସମାଜର ମାଧ୍ୟମରେ ଏତେ ଏତେ ସମ୍ବନ୍ଧ କାହିଁକି ଗଢ଼ିଛେ ଏବଂ ଏହି ସଂସାର ଆମକୁ ନିମିତ୍ତ କରି ସମୁଦାୟ ମନୁଷ୍ୟ-ଜାତିକୁ କେଉଁଠାରୁ କେଉଁଯାଏ ନେଇ ଆସିଛି ଏବଂ ଏଠାରେ ପୁଣି ଆଉ କୁଆଡ଼େ ନେଇଯିବ ବୋଲି ଇଙ୍ଗିତ ଦେଉଛି ଓ ଆମ ସମସ୍ତଙ୍କୁ ମଧ୍ୟ ସାଥିରେ ଯିବାଲାଗି ଡାକୁଛି, ଏତିକି ବିଷୟରେ ଏକ ସ୍ପଷ୍ଟ ହୃଦ୍‌ବୋଧ ହୋଇଯିବା ପରେ, ଏହି ସଂସାରରେ ଆମର ଭୂମିକା କ’ଣ ହେବା ଉଚିତ ଓ ଆମ ଲାଗି ସମାଜର ମଧ୍ୟ କିପରି ଭୂମିକା ହେବା ଉଚିତ, ସେକଥା ଠଉରାଇ ନେବାଲାଗି ଆମକୁ ଆଉ ଖୁବ୍ ବେଶୀ ସଂଶୟରେ ପଡ଼ିବାକୁ ହୁଏ ନାହିଁ । ସଂସାର ବିଷୟରେ ଯୋଉ କଥା, ଏହି ସଂସାର ଭିତରେ ଓ ସଂସାରସ୍ଥ ଆମ ସମସ୍ତଙ୍କୁ ନେଇ କରା ଯାଉଥିବା ଏକ ଧନ୍ଦା ଆମ ସାହିତ୍ୟ ବିଷୟରେ ମଧ୍ୟ ମୂଳତଃ ଠିକ୍ ସେହି କଥା । ଆମେସବୁ ଏ ସାହିତ୍ୟ ଭିତରକୁ କାହିଁକି ଆସିଲୁ, ଆମେ କାହିଁକି ଏଇଟିକୁ ଆମ ନିଜ ସାହିତ୍ୟ ବୋଲି କହିଲୁ, ଏହି ସାହିତ୍ୟଟି ଆମ ଜୀବନର କେତେ ବେଶୀ ବା କେତେ କମ୍ ଅଞ୍ଚଳ ଅଧିକାର କରି ପାରିଛି ଓ କେତେ କମ୍ ବା କେତେ ବେଶୀ କ୍ଷେତ୍ରରେ ଆମଠାରୁ ତାହାର ଅବଶ୍ୟ ଏକ ଦାବି ରହିଛି ବୋଲି ଅନୁଭୂତ ହେଉଛି, ଆପଣା ଜୀବନର ବିଶ୍ଵାସ-ବୁଦ୍ଧିଟିଦ୍ଵାରା ଏଗୁଡ଼ିକୁ ଆଗ ଠଉରାଇ ନେଇ ପାରିଲେ, ଏହି ସାହିତ୍ୟଲାଗି ଆମର କେଉଁଭଳି ଭୂମିକା ହେବା ଦରକାର, ସେଇଟିକୁ ମଧ୍ୟ ଠଉରାଇ ନେବାକୁ ଆଉ କଦାପି ବାଉଳେଇ ହେବାକୁ ପଡ଼ିବ ନାହିଁ । ତତ୍ତ୍ଵ-ସିଦ୍ଧାନ୍ତର କୌଣସି ପ୍ରକାର ତାର୍କିକ ଫାଙ୍କି ଭିତରେ ଆଉ କଦାପି କୌଣସି ବାଡ଼ି ବୁଲାଇବାକୁ ପଡ଼ିବ ନାହିଁ । ଅର୍ଥାତ୍ ଗୋଟିଏ କଥାରେ କହିଲେ, ସାହିତ୍ୟରେ ଆମର ଭୂମିଟି ସ୍ଥିର ହୋଇଗଲେ ତାହା ସଙ୍ଗେ ସଙ୍ଗେ ସାହିତ୍ୟର ଭୂମିକାଟି ମଧ୍ୟ ଅତି ସହଜରେ ସ୍ଥିର ହୋଇ ଯାଉଥିବ ।

 

ସାହିତ୍ୟ ବ୍ୟକ୍ତିଗତ ନା ସାହିତ୍ୟ ସାମୂହିକ ? ଏଇଟି କ’ଣ ଆମଲାଗି ପ୍ରକୃତରେ ଏକ ପ୍ରଶ୍ନ ହୋଇ ରହିଛି ? ଆମ ପରିବାରଟିକୁ ଆମେ ବ୍ୟକ୍ତିଗତ ବୋଲି କହିବା ନା ସାମୂହିକ ବୋଲି କହିବା ? ଆମର ଧର୍ମକୁ ଆମେ ଏକାନ୍ତ ବ୍ୟକ୍ତିଗତ ବୋଲି କହିବା ନା ସାମୂହିକ ବୋଲି କହିବା ? ଆମ ଜୀବନର ଯାବତୀୟ ଏଷଣା ଏବଂ ଅନ୍ଵେଷଣକୁ ଆମେ ବ୍ୟକ୍ତିଗତ ବୋଲି କହିବା ନା ସାମୂହିକ ଓ ସାର୍ବଜନୀନ ବୋଲି କହିବା ? ଯେଉଁ ବଗିଚାଟି ମଧ୍ୟରେ ଫୁଲଟିଏ ଫୁଟି ଉଠିଲେ ଆମେ ତାହାକୁ ଏକ ଏକାନ୍ତ ବ୍ୟକ୍ତିଗତ ଘଟଣା ବୋଲି କହିବା ନା ଏକ ସାମୂହିକ ଅଲୋଡ଼ନ ଓ ସାର୍ବଜନୀନ ପ୍ରତ୍ୟାଶା ମୂର୍ତ୍ତିମନ୍ତ ହୋଇ ଉଠିବାର ଏକ ଘଟଣା ବୋଲି କହିବା ? କେଉଁଠି ଜଣେ ଅନ୍ଵେଷୀ ସାଧକ ଆପଣାର ଜୀବନରେ ମନ୍ତ୍ରଟିଏ ସିଦ୍ଧ କରି ପାରିଲେ ତାହାକୁ କ’ଣ ଆମେ ଏକାନ୍ତ ବ୍ୟକ୍ତିଗତ ଏକ ବେଉସା ଓ ବ୍ୟାପାର ବୋଲି କହିବା ? ଏସବୁ ପ୍ରଶ୍ନର ସବୁବେଳେ କେବଳ ଯେ ଗୋଟିଏ ମାତ୍ର ସତ୍ୟ ଉତ୍ତର ହେବ, ସେକଥା ମୋଟେ ନୁହେଁ । ଆମର ସଂସ୍କାର, ଆମର ସଂସାରଦେଖା ଓ ସଂସାରଚିହ୍ନା, ଆମର ବାସନା ଓ ଆମ ଜୀବନର ଯାବତୀୟ ଦୃଷ୍ଟିଗୁଡ଼ାକୁ ଆତଯାତ କରିବାରେ ଲାଗିଥିବା ଆମର ଭୟ ଏବଂ ଅଭୟଗୁଡ଼ାକ ଅନୁସାରେ ହିଁ ଏହି ପ୍ରଶ୍ନଟିର ଉତ୍ତର ଆମ ପ୍ରତ୍ୟେକଙ୍କ କ୍ଷେତ୍ରରେ ଭିନ୍ନ ହେବାକୁ ବାଧ୍ୟ ହେବ । ଆମର ସାହିତ୍ୟ ହେଉଛି ଏକାଧାରରେ ବ୍ୟକ୍ତିଗତ ଓ ସାମୂହିକ; ଏକାଧାରରେ ଅନ୍ତରଙ୍ଗ ଓ ସାର୍ବଜନୀନ । ସାର୍ବଜନୀନ ହେବା ଲାଗି ଏଥିରେ ବ୍ୟକ୍ତିଗତ ବନ୍ଧନୀ ଓ ବୈଚିତ୍ର୍ୟଗୁଡ଼ିକୁ ଆଦୌ ଉପେକ୍ଷା କରି ଆସିବାକୁ ପଡ଼େ ନାହିଁ କିମ୍ବା ବ୍ୟକ୍ତିଗତ ହୋଇ ପାରିବା ଲାଗି ସମ୍ରାଟ ଶାହଜାହାଁଙ୍କର ଦିୱାନ୍-ଇ-ଖାସ୍ ପରି କୌଣସି ସମ୍ବନ୍ଧଛିଣ୍ଡା ସଂସାରର ଲାଜକୁଳା ଗମ୍ଭୀରି ଭିତରେ କଦାପି କେବଳ ବ୍ୟକ୍ତିଗତ ଆତ୍ମପ୍ରବଣତା ଅଥବା ଆତ୍ମରତିଗୁଡ଼ାକର ପଲଙ୍କ ଗୋଡ଼ରେ ବନ୍ଧା ହୋଇ ରହିବାକୁ ମଧ୍ୟ ପଡ଼େ ନାହିଁ ।

 

ତେଣୁ ଆମେ ଯେ ସାହିତ୍ୟ ଭିତରକୁ ଆସିଛେ, ସାହିତ୍ୟ ଭିତରେ ଆପଣାକୁ ଚିହ୍ନା ଦେଇଛେ ବା ଚିହ୍ନା ପଡ଼ି ଯାଇଛେ, ଏହା ନିଶ୍ଚୟ ଏକ ବ୍ୟକ୍ତିଗତ ବ୍ୟାପାର ଏବଂ ତଥାପି ଏକ ବ୍ୟକ୍ତିଗତ ବ୍ୟାପାର ନୁହେଁ । ଅଳପ ଯେତେବେଳେ ବହୁ ବା ଭୂମା ମଧ୍ୟକୁ ସମ୍ପ୍ରସାରିତ ହୋଇ ଯିବାକୁ ଯାଏ, ଯେତେବେଳେ ସେ ଆପଣାକୁ ଅନେକ ରୂପ, ଅନେକ ରଙ୍ଗ, ଅନେକ ଦଳ ଓ ଅନେକ ଆକାଂକ୍ଷାରେ ପ୍ରକଟ କରି ଆଣିବାକୁ ଚାହେଁ, ଯେତେବେଳେ ଫୁଟିବାକୁ ମନ କରୁଥିବା କଢ଼ଟିଏ ସକଳ ଲଜ୍ଜା ଛାଡ଼ିଦେଇ ସତକୁସତ ଗୋଟିଏ ଫୁଲ ହୋଇ ଆପାଣାକୁ ଉନ୍ମୋଚିତ କରି ନେବାକୁ ବାହାରେ ଓ ପ୍ରକୃତରେ ଉନ୍ମୋଚିତ ହୋଇ ଉଠେ, ଯେତେବେଳେ ଆପଣାର ଗୋଟିଏ ମନର ଆନନ୍ଦ ଆପଣାର ଯଥାର୍ଥ ଠାବଟିକୁ ପାଇଗଲା ପରି ଉପନିଷଦର ଭାଷାରେ “କୋହ୍ୟେବାନ୍ୟାତ୍ ପ୍ରାଣାତ୍ ଯଦେଷ ଆକାଶ ଆନନ୍ଦ ନ ସ୍ୟାତ୍” ବୋଲି ଗାଇବାକୁ ଆରମ୍ଭ କରେ, ସେତିକିବେଳେ ହିଁ ଆମର ଉପନୟନ ହୋଇଯାଏ । ଆମକୁ ଆମର ମନ୍ତ୍ରଟି ମିଳିଯାଏ, ଆମ ଭିତରର ଅପେକ୍ଷମାଣା ଜନନୀ ସାହିତ୍ୟ-ସମ୍ଭବା ହୁଅନ୍ତା । ସେ ଅନେକସମ୍ଭବା ହୁଅନ୍ତି । ଏହି ସତ୍ୟଟିକୁ ଆମେ ପ୍ରତ୍ୟେକେ ଆପଣାର ଜୀବନରେ ସ୍ଵୟଂ ଅନୁଭବ କରିଥିବା । ତେଣୁ ପରସ୍ପର ପାଖରେ ଏଇଟିକୁ ଆଉ କଦାପି ବିସ୍ତାରି କହିବାକୁ ପଡ଼ିବ ନାହିଁ ।

 

ତା’ହେଲେ ଆମେ ଜାଣିବା ଯେ ଆମର ସାହିତ୍ୟ ଭୂମିଟି ହିଁ ଆମ ସାହିତ୍ୟିକ ଭୂମିକାଟିକୁ ଅର୍ଥାତ୍ ସାହିତ୍ୟ ମଧ୍ୟରେ ଆମର ଭୂମିକା ଏବଂ ଆମ ନିଜ ଜୀବନ ମଧ୍ୟରେ ସାହିତ୍ୟର ଭୂମିକାଟିକୁ ଅନେକ ପରିମାଣରେ ନିର୍ଣ୍ଣୟ କରି ଦେଉଥିବ । ଯାହାର ମନ ଯେଡ଼େ, ତାହାର ପ୍ରଭୁ ସେଡ଼େ ହେଲା ପରି ଆମେ ସାହିତ୍ୟକୁ ଆମ ଜୀବନରେ, ଆମର ବ୍ୟକ୍ତିଗତ ତଥା ସାମାଜିକ ଉଭୟ ଜୀବନରେ ଯେତିକି ବେଶୀ ବା ଯେତିକି କମ୍ ସ୍ଥାନ ଦେଇଥିବା, ଆମର ସାହିତ୍ୟିକ ଭୂମି ବା ଆମ ସାହିତ୍ୟର ଭୂମିକାଟି ଠିକ୍ ସେତିକି ବେଶୀ ବା ସେତିକି କମ୍ ହେବ । ଠିକ୍ ସେତିକି ଅଳପ ଅଥବା ଅଧିକ ଭୂଇଁକୁ ସ୍ପର୍ଶ କରିବ । ଏକ ଗୋଷ୍ଠୀ ହିସାବରେ ଓଡ଼ିଶାରେ ଆମେ ସମ୍ପ୍ରତି ସାହିତ୍ୟ ଲାଗି ଯେତିକି ଭୂମି ଛାଡ଼ି ଦେଇଥିବା ବା ଆମ ଜୀବନର ଯେତିକି କମ୍ ବା ଯେତିକି ଅଧିକ ଭୂମିକୁ ପ୍ରବେଶ କରିବା ଲାଗି ସାହିତ୍ୟକୁ ବାଟ ଛାଡ଼ି ଦେଇ ପାରିଥିବା, ଓଡ଼ିଆ ସାହିତ୍ୟର ସାମ୍ପ୍ରତିକ ଭୂମିକାଟି ଊଣା ଅଧିକେ ତାହାରି ଉପରେ ହିଁ ନିର୍ଭର କରିବ । ଆମ ସାହିତ୍ୟ-ବାସନାର ସଦର ଓ ମଫସଲଗୁଡ଼ାକ ଅନେକାଂଶରେ ତାହାରିଦ୍ଵାରା ହିଁ ନିର୍ଣ୍ଣିତ ହେବ ।

 

ଆମ ଜୀବନରେ ଆମର ସାହିତ୍ୟ ପ୍ରକୃତରେ କେତେ ଜାଗା ଅଧିକାର କରି ପାରିଛି, ଆମ ସଦନଟିରେ ଆମେ ସାହିତ୍ୟଲାଗି ପ୍ରକୃତରେ କେତେ ସ୍ଥାନ ଛାଡ଼ି ଦେଇ ପାରିଛୁ ଆମେ ଅକୃପଣ ଭାବରେ ଆପାଣାକୁ ଏହି ପ୍ରଶ୍ନଟି ପଚାରିବା ଏବଂ ପ୍ରଶ୍ନଟିର ସମାଧାନ ମଧ୍ୟ ସେଇ ଆପଣା ଭିତରେ ପାଇବା । ସବୁ ମଣିଷ ସାହିତ୍ୟିକ ହୁଅନ୍ତି ନାହିଁ, ଯେମିତି ସବୁ ମଣିଷ ସଂଗୀତଜ୍ଞ ହୋଇ ପାରନ୍ତି ନାହିଁ । ହୁଏତ ସମସ୍ତେ ପ୍ରଶୟୀ ହୋଇ ବାହାରାନ୍ତି, ମାତ୍ର ସମସ୍ତେ ପ୍ରଶୟ କରିବାର ଭାଜନ ହୋଇ ପାରନ୍ତି ନାହିଁ । ସବୁ ପଣ୍ଡିତ ସାହିତ୍ୟ କରି ପାରନ୍ତି ନାହିଁ, ଯେମିତି ଗାର୍ହସ୍ଥ୍ୟାଶ୍ରମକୁ ଆଦରିଥିବା ସବୁ ବ୍ୟକ୍ତି ଆଦୌ ଗୃହସ୍ଥ ହୋଇ ପାରନ୍ତି ନାହିଁ । ଗୋଟାଏ ବିଶେଷ ଦୃଷ୍ଟିକୁ ସ୍ଵକୀୟ ରଙ୍ଗରେ ବୋଲି ତାହାକୁ ହିଁ ଜୀବନର ଦୃଷ୍ଟିରେ ପରିଣତ କରି ପାରିଲେ ମଣିଷ ସାହିତ୍ୟିକ ହୁଏ । ତା’ପରେ ସାହିତ୍ୟ ସେହି ବ୍ୟକ୍ତିର ଭୋକ ଆଉ ଶୋଷରେ ରୂପାନ୍ତରିତ ହୋଇଯାଏ । ସାହିତ୍ୟରତି ହିଁ ତା’ ଜୀବନର ସର୍ବମୂଳ ରତି ଓ ତେଣୁ ସର୍ବମୂଳ ରୀତି ମଧ୍ୟ ହୋଇ ରହେ । ତା’ର ସାହିତ୍ୟ ଏକ ଦର୍ପଣରେ ପରିଣତ ହୋଇଯାଏ–ଆପଣାର ସବୁ କିଛିକୁ, ଅର୍ଥାତ୍ “ଆଣୋରଣୀୟାନ୍ ମହତୋ ମହୀୟାନ୍” ସବୁକିଛିକୁ ସିଏ ଏକ ସମଗ୍ର ଶ୍ରଦ୍ଧା-ସାଧନାର ମାଧ୍ୟମରେ ସେହି ଦର୍ପଣଟି ଉପରେ ଆଣି ଉକୁଟାଇ ବା ଉତୁରାଇ ଦେବାକୁ ହିଁ ଚେଷ୍ଟା କରୁଥାଏ । ସେହି ଚେଷ୍ଟାରେ ହିଁ ସେ ଧନ୍ୟ ହୁଏ, ସେହି ଚେଷ୍ଟା ହିଁ ତା’ର ଅଣ୍ଟିଟାକୁ ସର୍ବଦା ଭରପୂର କରି ରଖିଥାଏ ଏବଂ ସେହି କାରଣରୁ ହିଁ ସାହିତ୍ୟିକ କେବେହେଲେ ନିଃସ୍ଵ ହୁଏ ନାହିଁ, କେବେହେଲେ ସର୍ବସ୍ଵାନ୍ତ ହୋଇ ବସେ ନାହିଁ । ତା’ର ବିପଣିଟି କେବେହେଲେ ଭାଙ୍ଗେ ନାହିଁ । ବଣିଆର ବିପଣି ଭାଙ୍ଗେ, ଭୃତ୍ୟର ମାଲିକ ବଦଳେ, ବଳଦ ଏ ଖୁଣ୍ଟରୁ ଯାଇ ସେ ଖୁଣ୍ଟରେ ବନ୍ଧା ହୁଏ, ଏ ଯୁଗର ଭେଣ୍ଡିଆ ସେ ଯୁଗକୁ ବୁଢ଼ା ହୋଇଯାଏ; କିନ୍ତୁ ସାହିତ୍ୟିକକୁ କେବେହେଲେ ଏଭଳି କୌଣସି ପ୍ରମାଦ ଭୋଗିବାକୁ ପଡ଼େ ନାହିଁ ।

 

ସାହିତ୍ୟିକର ବିଶେଷ ଦୃଷ୍ଟିଟି ହେଉଛି ଏକ ରଚନାପ୍ରାଣ ଦୃଷ୍ଟି । ସାହିତ୍ୟିକ ଗଢ଼େ; ଯାହା ଅଛି, ତା’ଭିତରେ ଆପଣା ଭାବଟିକୁ ସଂଯୁକ୍ତ କରି ଦେଇ ସେ ସମଗ୍ର କରି କିଛି ଗଢ଼ିବାଲାଗି ସତତ ପ୍ରୟାସ କରିବାରେ ଲାଗିଥାଏ । ତା’ର ଏହି ଗଢ଼ିବାରେ କେବେହେଲେ ମୁଣ୍ଡି ମରା ହୁଏ ନାହିଁ । ତେଣୁ ତାକୁ କେବେହେଲେ ବାରଶହ ବଢ଼େଇଙ୍କର କଟାଳ ବି ସହିବାକୁ ହୁଏ ନାହିଁ । କଟାଳ କରିବାର ମଣିଷମାନେ ଅବଶ୍ୟ କଟାଳ କରୁଥାନ୍ତି, ତଥାପି ଗଢ଼ିବାର କାରିଗର ଗଢ଼ିବାରେ ହିଁ ଲାଗିଥାଏ, ଉତ୍ତୋଳିତ ଓ ଆତ୍ମଦୃଷ୍ଟି ହୋଇ ରହିଥାଏ । ଆପଣାର କାଠିଗୁଡ଼ାକୁ ଖଞ୍ଜି ସେ ଆକାଶକୁ ମାପିବାରେ ଲାଗିଥାଏ । ଭୂଇଁ ଆଉ ଆକାଶକୁ ଏକାଠି କରି ରୋଦସୀର ଭୟମୋଚନ କରିବାରେ ଲାଗିଥାଏ । ଅତୀତକୁ ବର୍ତ୍ତମାନ ସହିତ ଯୋଡ଼ି ବର୍ତ୍ତମାନକୁ ଦୃଢ଼ମୂଳ କରେ, ବର୍ତ୍ତମାନକୁ ଭବିଷ୍ୟତ ମଧ୍ୟକୁ ପ୍ରଲମ୍ବିତ କରି ସେ ଏକ ତୃତୀୟ ନୟନର ଅବତାରଣା କରୁଥାଏ । ଆଗତକୁ ଅନାଗତ ସହିତ ଯୋଡ଼େ, ଗୋଟିଏ କ୍ଷଣକୁ ସର୍ବକ୍ଷଣ ସହିତ ଯୋଡ଼େ । ଗୋଟିଏ ଫୁଲକୁ ଏ ପର୍ଯ୍ୟନ୍ତ ସଂସାରରେ ଫୁଟି ଆସିଥିବା ତଥା ଫୁଟିବା ଲାଗି ଅପେକ୍ଷା କରି ରହିଥିବା ସବୁ ଫୁଲଙ୍କ ସହିତ ଏକାଠି ଗୋଟିଏ ଅଭିବ୍ୟକ୍ତିରେ ଅନୁବ୍ୟଞ୍ଜିତ କରି ରଖେ । ମନୁଷ୍ୟ-ପଙ୍ଗୁକୁ କେତେ କେତେ ଗିରି ଲଂଘାଇ ଦେଇଯାଏ, କେତେ କେତେ ସ୍ଵପ୍ନ ଦେଖାଏ, କେତେ ଦୁଃସାହସ ଆଣିଦିଏ, କେତେ କଳ୍ପନାକୁ ମୂର୍ତ୍ତିମନ୍ତ କରାଏ, ଅସମ୍ଭବକୁ ବାସ୍ତବ କରାଇ ଆଣେ । ଆମକୁ ପାହାଚ ପରେ ପାହାଚ ଉଠାଇ ନେଇ ଆମ ଲାଗି କେତେ କେତେ ଅପହଞ୍ଚକୁ ହାତ ପାଆନ୍ତାକୁ ନେଇ ଆସେ । ସଂସାରର ସବୁ ବୁଢ଼ାତକ ଷଡ଼ଯନ୍ତ୍ର କଲା ପରି ଆମକୁ ଏହି ପିଣ୍ଡିଟା ଉପରେ ବା ଏହି ଗୋହରିଟି ଭିତରେ ଆୟତ୍ତ କରି ରଖିବାର ଅଳସଚର୍ଯ୍ୟା କରିବାରେ ଲାଗିଥାନ୍ତି ସିନା, ମାତ୍ର ସାହିତ୍ୟିକ ସେହି ସମସ୍ତଙ୍କୁ କୁଆଡ଼େ ଭୁତାଇ ଦେଇ ଆମକୁ ଆହୁରି କେତେ କୁଆଡ଼କୁ ନେଇ ଯିବାକୁ ଚାହେଁ । ଆମକୁ ଅର୍ଥାତ୍ ଜୀବନକୁ ସତେଅବା ଏକ ଅକ୍ଷୟ ରୂପ ଦେବା ଲାଗି ଶ୍ରଦ୍ଧାଶୀଳ ଓ ସଦାତତ୍ପର ହୋଇ ରହିଥାଏ । ଏହି ଜୀବନର ଯେ କେତେ କେତେ ଉଚ୍ଚତାମାନ ରହିଛି, ଆମେ ଧରି ପାରି ନ ଥିବା କେତେ କେତେ ଗଭୀରତା ମଧ୍ୟ ରହିଛି, ସାହିତ୍ୟିକ ଆମକୁ ଏଗୁଡ଼ିକର ପ୍ରସ୍ଥ ପରେ ପ୍ରସ୍ଥର ପରିଚୟ ଆଣି ଦିଏ, ଆମନ୍ତ୍ରଣ ଆଣି ଦିଏ, ଉଚ୍ଚାଟନ ଆଣି ଦିଏ; ବେଦର ଭାଷାରେ କହିଲେ ଆମକୁ “ସାନୋଃ ସାନୁଂ” ଅର୍ଥାତ୍ ଶୃଙ୍ଗରୁ ଶୃଙ୍ଗକୁ ଉଠାଇ ନେଇଯାଏ ।

 

ଭଲ ନ ପାଇଲେ ସାହିତ୍ୟ ହୁଏ ନାହିଁ, ଦଣ୍ଡେ ଅଟକି ନ ରହିଲେ ଭଲ ପାଇବା ହୁଏ ନାହିଁ ଏବଂ ଆପଣାର ଅଳପଟିକୁ ସର୍ବସାର ଏବଂ ଇହସର୍ବସ୍ଵ କରି ଧରିଥିବା ପର୍ଯ୍ୟନ୍ତ ମଣିଷ ଦଣ୍ଡେ ଅଟକି ଯିବା ପାଇଁ ବେଳ ବି ପାଏ ନାହିଁ । ଆଧୁନିକ ଅନେକ ମଣିଷ କୋଉଁଠି ଦଣ୍ଡେ ଅଟକି ଠିଆ ହୋଇ ଯିବାକୁ ସମ୍ଭବତଃ ଏକ ଅସମ୍ମାନ ବୋଲି ହିଁ ମନେ କରନ୍ତି । ମାତ୍ର ଆଧୁନିକ ହେଲେ ମଧ୍ୟ ସାହିତ୍ୟିକକୁ ତଥାପି ଅଟକି ଠିଆ ହୋଇ ପାରିବାର ବିଦ୍ୟାଟିକୁ ଆୟତ୍ତ କରିବାକୁ ପଡ଼ିଥାଏ । ସାହିତ୍ୟିକ ସଂସାରକୁ ଭଲପାଏ, ଏହି ଘରଟିକୁ ଭଲପାଏ, ଏହି ଉପବନ ଓ ଏହି ଅରଣ୍ୟଟିକୁ ମଧ୍ୟ ଭଲପାଏ । ଜୀବନଟାକୁ ଏକ ଉଦ୍ଦେଶ୍ୟହୀନ ଅରଣ୍ୟ ବୋଲି ମଣି ଅନେକ ଆଧୁନିକ ଆସହିଷ୍ଣୁ ହୁଏତ ଏଠାରୁ ଅନ୍ୟତ୍ର ଧାଇଁ ପଳାଇବାକୁ ରୁଷ୍ଟ ରବ କରିବାରେ ଲାଗିଥାନ୍ତି ସତ, ମାତ୍ର ସାହିତ୍ୟିକ ଏହି ଅରଣ୍ୟଟିକୁ ଅର୍ଥାତ୍ ଏହି ସମଗ୍ରଟିକୁ ହିଁ ତା’ର ଘର ବୋଲି ଆଦରି ନିଏ । ଏହି ଘରେ ସିଏ କେବେହେଲେ କୌଣସି ଅଧାକାନ୍ଥି ଉଠାଇ ଏ ପାଖରେ ପତ୍ନୀ ଓ ସେ ପାଖରେ ସପତ୍ନୀ ହୋଇ ରହିବାର ଧୃଷ୍ଟତା କଦାପି ଦେଖାଏ ନାହିଁ । ଅର୍ଥାତ୍, ପ୍ରକୃତିକୁ ଭଲ ପାଇବ ବୋଲି ସିଏ, ମଣିଷଠାରୁ ଛାଡ଼ି ପଳାଏ ନାହିଁ, ବହିଃପ୍ରକୃତିର ପ୍ରେମରେ ପଡ଼ି ଅନ୍ତଃପ୍ରକୃତିକୁ କଦାପି ଅବଜ୍ଞା କରେ ନାହିଁ । ବ୍ରହ୍ମଙ୍କୁ ଗୋଟା ସୁଦ୍ଧା ଧରିପାରିବ ବୋଲି ଜଗତକୁ ମିଥ୍ୟା ବୋଲି କହିବାର ଦମ୍ଭ କରେ ନାହିଁ । ସିଏ ଅବତରଣ ଚାହେଁ–ଏଇଠି ଏହି ଅନ୍ଧାର ଭିତରେ ଆଲୁଅର ଅବତରଣ ଚାହେଁ, ଅସତ୍ ଭିତରେ ସତ୍‍ର ଅବତରଣ ଚାହେ, ମୃତ୍ୟୁ ଭିତରେ ଅମୃତର ଅବତରଣ ଚାହେ । ସିଏ ସୌନ୍ଦର୍ଯ୍ୟର ଅବତରଣ ଚାହେଁ, ଦେବତ୍ଵର ଅବତରଣ ଚାହେଁ, ସ୍ଵର୍ଗର ମନ୍ଦାକିନୀକୁ ସେ ଏଇଠି ସରଗ ସୁତମାନଙ୍କର ଦହନମୟ ଉପତ୍ୟକାଗୁଡ଼ାକ ଉପରେ ଆଣି ବୁହାଇ ଦେବାକୁ ଚାହେଁ । ସେଇଥିଲାଗି ରଚନା କରେ, ସେଇଥିଲାଗି ସର୍ଜନା କରେ, ଭାଗୀରଥ ପରି ତପସ୍ୟା କରେ । ଜଣେ କୁମ୍ଭାର ଗଢ଼ିଥିବା ହାଣ୍ଡିରୁ ହିଁ ସମସ୍ତେ କୁମ୍ଭାରକୁ ଚିହ୍ନନ୍ତି ଓ ତା’ର ତାରିଫ କରନ୍ତି ସତ, ମାତ୍ର ଯୋଉ କୁମ୍ଭାର ତା’ର ମାଟିକୁ ଭଲ ନ ପାଇପାରେ, ପ୍ରାୟ ଏକ ଜନନୀର ବତ୍ସଳତା ସହିତ ମାଟିକୁ ବ୍ୟବହାର କରି ନ ଜାଣେ, ସିଏ ଯେ କେବେହେଲେ କୁମ୍ଭାର ହୋଇପାରେ ନାହିଁ, ଆମର ସାହିତ୍ୟ-ବିଦ୍ୟା ଆମକୁ ଅବଶ୍ୟ ଏହିଭଳି ଏକ ଅନ୍ତଃସତ୍ୟର ବାର୍ତ୍ତା ଦେଇ ଯାଇଥିବ ।

 

ତେଣୁ ଆମ ସାହିତ୍ୟ ଭୂମିଟା ହିଁ ଆମ ସାହିତ୍ୟର ଭୂମିକାକୁ ନିର୍ଣ୍ଣୟ କରିବ, ଆମ ସାଂପ୍ରତିକ ଭୂମି ହିଁ ସାଂପ୍ରତିକ ସାହିତ୍ୟର ଭୂମିକାଟିକୁ ନିର୍ଣ୍ଣୟ କରିବ ଏବଂ ଆମେ ନିଜେ ଆପଣାକୁ କଦାପି ଏହି ଭୂମିଟିର ବାହାରେ ବୋଲି କଳ୍ପନା କରି ପାରିବା ନାହିଁ । ଆମ ଜୀବନର ସମଗ୍ର ଶ୍ରଦ୍ଧା ଓ ସମଗ୍ର ଦୃଷ୍ଟିକୋଣଟି ଅନୁସାରେ ହିଁ ଆମେ ସମସ୍ତେ ଏହି ଭୂମିଟିର ଅନ୍ତର୍ଗତ ହୋଇ ରହିଥିବା ଓ ତାହାରି ଅନୁସାରେ ହିଁ ଏହି ଭୂମିକା ବା ସେହି ଭୂମିକାଟି ଗ୍ରହଣ କରୁଥିବା ଆମ ସମ୍ମୁଖରେ ଉପସ୍ଥିତ ଆହ୍ଵାନଗୁଡ଼ିକର ଯୋଗ୍ୟ ବା ଅଯୋଗ୍ୟ ହେବାରେ ଲାଗିଥିବା । ଆମେ ସମସ୍ତେ ଆମ ସାହିତ୍ୟର ଗୋଟିଏ ଗୋଟିଏ ଅଂଶ, ଆମେ ପ୍ରତ୍ୟେକେ ଆମେ ସୃଷ୍ଟି କରୁଥିବା ସାହିତ୍ୟ ଲାଗି ଦାୟୀ । ଅର୍ଥାତ୍ ଆମର ଆପଣା ଜୀବନର ଭୂମିଗୁଡ଼ାକ ହିଁ, ଆମର ଅନ୍ଵେଷଣ, ଆଲୋଡ଼ନ ତଥା ଅବଲୋକନଗୁଡ଼ାକ ହିଁ ଆମର ସାହିତ୍ୟ ମଧ୍ୟ ଦେଇ ଅଭିବ୍ୟକ୍ତ ହେବାରେ ଲାଗିଛି । ଆମେ ପ୍ରକୃତରେ ଓଡ଼ିଆ ସାହିତ୍ୟର ସେବା କରୁ ନାହୁଁ, ଓଡ଼ିଆ ଭାଷାରେ ଲେଖା ହେଉଥିବା ଏକ ସାହିତ୍ୟ ଜରିଆରେ ହିଁ ଆମେ କେବଳ ଆପଣାକୁ ଅଭିବ୍ୟକ୍ତ କରିବାରେ ଲାଗିଛୁ । ଆମର ସେବା ଲାଭ କରୁଛି ବୋଲି ଯେ ଓଡ଼ିଆ ଭାଷା ବା ଓଡ଼ିଆ ସାହିତ୍ୟ ଭାଗ୍ୟବାନ୍ ବା କୃତକୃତ୍ୟ ହେଉଛି, ସେକଥା ଆଦୌ ନୁହେଁ । ବରଂ ଆମର ଭାଗ୍ୟ ଯେ ଆପଣାକୁ ଅଭିବ୍ୟକ୍ତ କରି ପାରିବା ଲାଗି ଓଡ଼ିଆ ଭାଷାରେ ଏବଂ ଓଡ଼ିଆ ସାହିତ୍ୟର ମଧୁଶାଳା ଭିତରେ ଆମେ ଗୋଟିଏ ମାଧ୍ୟମ ପାଇ ପାରିଛୁ । ଆମେ ପ୍ରତ୍ୟେକେ ଆପଣା ଆପଣାର ଭୂମିଟିକୁ ବା ଭୂମିଗୁଡ଼ିକୁ ବହନ କରି ଏହି ମଧୁଶାଳାଟି ଭିତରେ ପ୍ରବେଶ କରୁଛୁ ଓ ସେହି ସାହିତ୍ୟଟିର ମଧ୍ୟଦେଇ ଆମର ଭୂମିକାଟି ନିର୍ଦ୍ଧାରିତ ଓ ଗଠିତ ହୋଇଯିବାରେ ଲାଗିଛି ।

 

ଆମ ଭିତରୁ କେହି କେହି ସାହିତ୍ୟକୁ ଏକ ଉନ୍ମୋଚନ ବୋଲି ଗ୍ରହଣ କରିଥାଇ ପାରନ୍ତି, ପୁଣି ଆଉ କେହି ଏକ ପଳାୟନ ଏବଂ ଆତ୍ମଗୋପନ ବୋଲି ମଧ୍ୟ ଗ୍ରହଣ କରିଥାଇ ପାରନ୍ତି । କେହି ଏକ ପବିତ୍ର ଆରାଧନା-ମନ୍ଦିର ବୋଲି ଗ୍ରହଣ କରିଥାଇ ପାରନ୍ତି । ପୁଣି ଆଉ କେହି ଆପଣାର ଅବକାଶ–ଭାରି ଜୀବନର ବିନୋଦ ଲାଗି ଆପଣାକୁ ପ୍ରଦତ୍ତ ହୋଇ ରହିଥିବା ଏକ ରାଞ୍ଚ୍ (Ranch) ବୋଲି ମଧ୍ୟ ଗ୍ରହଣ କରି ଥାଇ ପାରନ୍ତି । ସାହିତ୍ୟ ଆମ ଲାଗି ଏକ ସାଧନା-ଭୂଇଁ ହୋଇପାରେ, ଏକ କ୍ରୀଡ଼ା-ଭୂଇଁ ଅଥବା ଚରା-ଭୂଇଁ ମଧ୍ୟ ହୋଇପାରେ । ସାହିତ୍ୟ ଏକ ମନ୍ତ୍ର ହୋଇପାରେ ଏବଂ ଅନାବୃତ ହେବା ଲାଗି ଅପେକ୍ଷା କରି ରହିଥିବା ଆପଣା ଭିତରେ ଏକ ବହୁବ୍ୟାପ୍ତ ଶ୍ରଦ୍ଧାକ୍ଷେତ୍ର ପରି ମଧ୍ୟ ଆମକୁ ତା’ଆଡ଼କୁ ଆକର୍ଷିତ କରି ନେଇପାରେ; ଏବଂ ସାହିତ୍ୟ କେବଳ ଗୋଟାଏ ବୈଠକଖାନାରେ ମଧ୍ୟ ବେଶ୍ ପରିଣତ ହୋଇ ରହିପାରେ । ସାହିତ୍ୟ ଆମ ଭିତରେ ନୂଆ ନୂଆ ଭୋକର ସନ୍ଧାନ ଆଣି ଦେଇପାରେ, ନୂଆ ନୂଆ ଆହ୍ଵାନ ରୂପେ ଆମକୁ ନାନା ନୂତନ ସମର୍ଥତାର ନିମିତ୍ତ ରୂପେ ଗଢ଼ି ନେବାକୁ ଆସିପାରେ; ସାହିତ୍ୟ ଆମର ସବୁଯାକ ଭୋକକୁ ଭୁଲାଇ ବି ରଖିପାରେ । ଠିକ୍ ଧର୍ମ ପରି ଅବସ୍ଥାଚକ୍ରରେ ପଡ଼ି ସାହିତ୍ୟ ଆମ ଉପରେ ବଡ଼ ଚମତ୍କାର ଭାବରେ ଏକ ଅଫିମ ପରି ମଧ୍ୟ କାର୍ଯ୍ୟ କରିପାରେ । ସାହିତ୍ୟ ଆମଲାଗି ଆତ୍ମ-ଆବିଷ୍କାର ଏବଂ ଆତ୍ମ-ଉପଲବ୍‌ଧିର ଏକ ମହାସମୁଦ୍ର ହୋଇ ରହିପାରେ ଅଥବା କେବଳ ଶୈଳୀ ଅଣ୍ଡାଳି ନୂଆ ନୂଆ ବାଣ ମାରିବା ବ୍ୟତୀତ ତାହା ଆମକୁ ଆଦୌ ଆଉ କୌଣସି ଉଦ୍‌ବୋଧନ ମଧ୍ୟ ନ ଦେଇପାରେ । ଆମଲାଗି ତାହା କେବଳ ନୂଆ ନୂଆ ଫେଶନର ଅଳଙ୍କାର ଗଢ଼ିବାରେ ଏକ ବଣିଆ-ସାହି ମଧ୍ୟ ହୋଇପାରେ । ସାହିତ୍ୟ ଡୋର ବାନ୍ଧିପାରେ ଏବଂ ଆମକୁ ସାଙ୍ଗରେ ନେଇ ଆମର ଚତୁର୍ଦ୍ଦିଗରେ ଜୀବନ ଜୀବନ ମଧ୍ୟରେ ଯେଉଁ ଡୋରଗୁଡ଼ାକ ବନ୍ଧା ହୋଇ ରହିଛି, ସାହିତ୍ୟ ଆମକୁ ଗୋଟା ସୁଦ୍ଧା ସେହି କଥାଟିକୁ ଭୁଲାଇ ମଧ୍ୟ ଦେଇପାରେ । ଆମର ସାହିତ୍ୟ ଆମ ଜୀବନକୁ ଓ ଆମ ଅଭିପ୍ରାୟଗୁଡ଼ାକୁ ବଡ଼ ସୁଦୃଶ୍ୟ ଭାବରେ ଦୁଇଭାଗ ଅଥବା ବହୁଭାଗ ବି କରି ରଖିପାରେ, ବିଭିନ୍ନ ଅବସରରେ ମୁହଁ ଉପରେ ଲଗାଇ ସଂସାରକୁ ଭଣ୍ଡାଇବା ଲାଗି ତାହା ଆମକୁ ବିଶାଶହେ ପ୍ରକାରର ମୁଖା ଆଣି ଯୋଗାଇ ଦେଇପାରେ, ଅଥବା ଆମର ଅସଲ ସତ୍ୟ ଅର୍ଥାତ୍ ଅସଲ ଲୋକନଟିକୁ ଘୋଡ଼ାଇ ରଖିଥିବା ହିରଣ୍ମୟ ପାତ୍ରଟିକୁ କାଢ଼ି ଫୋପାଡ଼ି ଦେବା ଲାଗି ତାହା “ତତ୍ ତ୍ଵଂ ପୁଷନ୍ନପାଦୃଣୁ ସତ୍ୟଧର୍ମାୟ ଦୃଷ୍ଟୟେ” ବୋଲି କହିପାରିବା ସକାଶେ ଆମକୁ କ୍ରମପ୍ରସ୍ତୁତ କରି ଆଣିପାରେ । ସାହିତ୍ୟ ସଖ୍ୟ ଲୋଡ଼ିପାରେ, ଅବଜ୍ଞା ବି କରିପାରେ, ଉପେକ୍ଷା ବି କରିପାରେ; ମିତା ବସିପାରେ, ଈର୍ଷା ବି କରିପାରେ । ତାହା ଆମକୁ ଆମ ହୃଦୟର ଅଧିକ ନିକଟବର୍ତ୍ତୀ କରିପାରେ ଏବଂ ହୃଦୟ ପାଖରୁ ଉଡ଼ାଇ ନେଇ ତାହା ଆମକୁ ଗୋଟାସୁଦ୍ଧା ନିର୍ମମ କରି ମଧ୍ୟ ଗଢ଼ିପାରେ । ସାହିତ୍ୟ ସାଆନ୍ତମାନଙ୍କର ହୋଇପାରେ, ସର୍ବଜନଙ୍କର ବି ହୋଇପାରେ । ଆପଣାର ଚାରିପାଖରେ ଜାତି ବାରୁଥିବା ଗୋଟାଏ ପ୍ରାଚୀର ଛିଡ଼ା କରିଦେଇ ସାହିତ୍ୟ ଆପାଣାକୁ ଜାତୀୟ ସାହିତ୍ୟ ବୋଲି କହି ବଡ଼ାଇ କରିପାରେ ଓ କେତେ ଉଗ୍ରତା ଏବଂ କେଉଁଠି ହେଲେ ଆଦୌ କୌଣସି ଚେର ମଡ଼ାଇବାକୁ ଚେଷ୍ଟା ନକରି ବା ନାହି ନଲଗାଇ ତାହା ଆପଣାକୁ ଏକାବେଳେକେ ଆନ୍ତର୍ଜାତିକ ବୋଲି କହିବାର ଦୁଷ୍ଟ ପନ୍ଦାଟିକୁ ମଧ୍ୟ ବେଶ୍ ଆବୋରି ନେଇପାରେ । ଆମର ଭୂମିଟି ଅନୁସାରେ, ଅର୍ଥାତ୍ ଆମର ଅସଲ ଶ୍ରଦ୍ଧା ଓ ଅସଲ କାମନାଗୁଡ଼ିକର ଅନୁସାରେ ଆମର ସାହିତ୍ୟ ମଧ୍ୟ ଏହି ବିଚିତ୍ର ନାନାବିଧ ଭୂମିରେ ଆପଣାକୁ ଅବତୀର୍ଣ୍ଣ କରାଇପାରେ ଏବଂ ଏହିସବୁ ନାନାବିଧ ଭୂମିକାକୁ ମଧ୍ୟ ଗ୍ରହଣ କରିପାରେ ।

 

ତେଣୁ, ଗୋଟାଏ ଦୃଷ୍ଟିରୁ ବିଚାର କରି ଦେଖିଲେ ଆମର ସାହିତ୍ୟ ହେଉଛି ଆମ ନିଜରହିଁ ଗୋଟିଏ ମାପକାଠି, ଆମ ଆପଣାର ଗତିଶୀଳତା ଅଥବା ଜଡ଼ତାଗୁଡ଼ିକରହିଁ ଏକ ପ୍ରତିପାଦକ । ସାହିତ୍ୟ ଆମ ଆପଣାର ଉପଲବ୍‌ଧ ଗୁଡ଼ିକରହିଁ ଏକ ପରିମାପକ । ଜୀବନ ଭିତରକୁ ଆମେ କେତେ ବେଶୀ ବା କେତେ କମ୍ ଭେଦି ପାରୁଛି ଓ ଆପଣାକୁ ନେଇ ତା’ଭିତରେ କେତେଦୂର ଗମି ପାରିଛୁ, ଆମର ସାହିତ୍ୟ ପ୍ରାୟ ଗୋଟାସୁଦ୍ଧା ତାହାରି ପରିଚୟହିଁ ଦେଇଥାଏ, ଆମକୁ ନେଇ ଠିକ୍ ତଦନ୍ତରୂପେ ଏକ ଭୂମିକା ଗ୍ରହଣ କରେ । ତେଣୁ ଆମ ସାହିତ୍ୟ ସତେଅବା ବାହାରୁ ଆସି ଆମକୁ କଦାପି ସୁନ୍ଦର କରିଦେଇ ଯାଏ ନାହିଁ । ଆମ ଅନ୍ତଃଲୋକନର ରଙ୍ଗଗୁଡ଼ାକୁ ନେଇ ଆମେହିଁ ଆମେ ସୃଷ୍ଟି କରୁଥିବା ସାହିତ୍ୟ ଉପରେ ଲେଶି ଦେବାରେ ଲାଗିଥାଉ । ଆମର ତୃପ୍ତି ତଥା ଅତୃପ୍ତିଗୁଡ଼ାକଦ୍ଵାରା ସାହିତ୍ୟକୁ ଶ୍ରୀମନ୍ତ ଅଥବା ଶ୍ରୀହୀନ କରିବାରେ ଲାଗିଥାଉ । ତେଣୁ ଆମ ସାହିତ୍ୟଟାକୁ ଉପରକୁ ଟେକି ଦେଇ ଆମେ କଦାପି ତାହାରି ସହିତ ଆପଣାକୁ ମଧ୍ୟ ଉପରକୁ ଟେକି ନେବାର ଧୃଷ୍ଟତା ଦେଖାଇବା ନାହିଁ । ବରଂ ଆମର ସାହିତ୍ୟ ମାଧ୍ୟମରେ ଆମେ ଆପଣାକୁ ହିଁ କିଞ୍ଚିତ୍ କଳନା କରିବାକୁ ଚେଷ୍ଟା କରିବା । ଆମ ସାହିତ୍ୟ ନାମରେ ବର୍ତ୍ତମାନ ଯାହାସବୁ ହେଉଛି, ଅର୍ଥାତ୍ ଆମ ସାହିତ୍ୟକୁ ଏକ ଅବଲମ୍ବନ ରୂପେ ଧରି ଆମେ ବର୍ତ୍ତମାନ ଯାହାସବୁ କରୁଛୁ, ସେଇଥିରୁ ଆମେ କାଳର ଏହି ମୁହୂର୍ତ୍ତଟିରେ ଆମ ନିଜ ଭୂମିକାଟିକୁ କଳନା କରି ଦେଖିବାକୁ ଚେଷ୍ଟା କରିବା ଏବଂ ସାହିତ୍ୟର ସାଂପ୍ରତିକ ଭୂମିକାଟି ବଦଳୁ ଓ ଅନ୍ୟପ୍ରକାର ହେଉ ବୋଲି ଯଦି ଆମେ ପ୍ରକୃତରେ ଇଚ୍ଛା କରୁଥିବା, ତେବେ ଆଗ ଆପଣା ଆପଣାର ଭୂମିକାଗୁଡ଼ିକୁ ବଦଳାଇବା ଲାଗି ଚେଷ୍ଟା କରିବା ।

 

ମୁଁ ଭୟ କରୁଥିବି,–ଅର୍ଥାତ୍ ଯୁଗକୁ ଭୟ କରୁଥିବି, ଯୁଗାଧିପମାନଙ୍କୁ ଭୟ କରୁଥିବି ଓ ମୁଁ ବସିଥିବା ଆସନଟିରୁ କାଳେ କେବେ ଖସିଯିବି ବୋଲି ଭୟାକୂଳ ହୋଇ ରହିଥିବି,–ତେବେ ମୋ’ଦ୍ଵାରା ଲେଖା ହେଉଥିବା ସାହିତ୍ୟ ଏହି ସଂସାରରେ ଆଉ କାହାକୁ ଅଭୟ ଆଣି ଦେଇ ପାରିବ କିପରି ? ମୁଁ କ୍ଷମତାକୁ ଭଲ ପାଉଥିବି ଏକୁଟିଆ ହୋଇ ରହିବାକୁ ଭଲ ପାଉଥିବି, ସବୁରି ମେଳରେ ରହିଥିଲେ ମଧ୍ୟ ତଥାପି କେବଳ ଆପଣାର ପୂର୍ତ୍ତି ଓ ପୁଷ୍ଟିଗୁଡ଼ାକୁ ହିଁ ଲୋଡ଼ୁଥିବି, ତେବେ ମୋ’ଦ୍ଵାରା ଲିଖିତ କୌଣସି ଉଚ୍ଚାସମାଦୃତ ସାହିତ୍ୟ ମଧ୍ୟ ତଥାପି କେଉଁଠିହେଲେ କେଉଁ ହାରର ଉନ୍ମୋଚନ କରାଇ ପାରିବ ବା କିପରି ? କାହା ଦୁଆରେ ଯାଇ ବନ୍ଧୁ ବା ସୁହୃତ୍‍ ପରି ଠିଆ ହୋଇ ପାରିବ କିପରି ? ମୁଁ ମୋ’ ସାହିତ୍ୟକୁ ବିକି ପ୍ରଶସ୍ତି ଲୋଡ଼ୁଥିବି, ଆପଣାର କ୍ଷମତାଟାକୁ ଲଗୁଡ଼ ପରି ବ୍ୟବହାର କରି ଭୀରୁ ପ୍ରକାଶକ ଓ ଚାଟୁକାର ସଭା-ଆୟୋଜକମାନଙ୍କୁ ଏକାଠି କରି ମୁଁ ସାହିତ୍ୟର ମାହାଲରେ ଯଥେଚ୍ଛା ଜବରଦଖଲ କରି ଯିବାରେ ଲାଗିଥିବି, ତେବେ ମୋର ସାହିତ୍ୟ ଅନ୍ୟକୁ ସହଜ ବା ସ୍ଵାଭାବିକ ହେବାରେ ସାହାଯ୍ୟ କରି ପାରିବ କିପରି । ଜୀବନ କହିଲେ ଯେ ସବାଆଗ ସୃଜନ ଓ ସମର୍ପଣକୁ ବୁଝାଏ, ପାଠକସଭାରେ ତାହା ସେହି ଅନ୍ୟ ଆଗ୍ରହଟିକୁ ସୃଷ୍ଟି କରିପାରିବ କିପରି ? ମୋ’ର ଜୀବନସଭାରେ ନିତି ନାନାବିଧ କପଟତା ଓ ବକ୍ରତାର ଗହଳି ଲାଗି ରହିଥିବା ପର୍ଯ୍ୟନ୍ତ ତଥାପି ମୋ’ର ସାହିତ୍ୟଦ୍ଵାରା କେବଳ ସଳଖ ଜୀବନର ହିଁ ପରିବେଷଣ ହେଉ ବୋଲି ମୁଁ ଦାବି କରି ପାରିବି କିପରି ? ଆମ ସାହିତ୍ୟର ଭୂମିକାଗୁଡ଼ାକ ଆମ ସାହିତ୍ୟର ମାଧ୍ୟମରେ ଆପଣାକୁ ପରିଚିତ କରାଇବାକୁ ଆସୁଥିବା ଆମମାନଙ୍କର ହିଁ ଭୂମିକା ହେଲା ପରି ଆମ ସାହିତ୍ୟର ସମସ୍ୟାଗୁଡ଼ାକ ମଧ୍ୟ ଆମ ସାହିତ୍ୟ ମଧ୍ୟଦେଇ ଆପଣାକୁ ଅଭିବ୍ୟକ୍ତ କରାଇବା ଲାଗି ମନ ବାଲାଉଥିବା କେବଳ ଆମରିମାନଙ୍କ ସମସ୍ୟା ବ୍ୟତୀତ ଆଉ କିଛି ନୁହେଁ ।

 

ତେଣୁ ଆମେ ଯେଉଁମାନେ ସାହିତ୍ୟ ଲେଖୁଛେ, ସାହିତ୍ୟକୁ ହିଁ ସନ୍ତକ ଓ ଆରାଧନାର ପୁଷ୍ପ ବୋଲି ଗ୍ରହଣ କରିଛେ, ଆମେ ଆଗ ଆମର ଏହି ମୁହୂର୍ତ୍ତଟିରେ ଏହି ଯୁଗ ଓ ଏହି ସମାଜର ଯାବତୀୟ ଆହ୍ଵାନ ଏବଂ ଉଦବେଳନ ଉପରେ ଆପଣାର ଭୂମିକାଟିକୁ କଳନା କରିବାକୁ ଚେଷ୍ଟା କରିବା, ଏସବୁ ଭିତରେ ଆମେ ଆପଣାର ହୃଦୟଟିକୁ ଆଗ ଠାବ କରିବାକୁ ସମର୍ଥ ହେବା । ତା’ହେଲେ ଆମେ ଆମ ସାହିତ୍ୟର ଭୂମିକାଟିକୁ ମଧ୍ୟ ସମ୍ଭବତଃ ଯଥାର୍ଥ ଭାବରେ କଳନା କରି ନେଇ ପାରିବା ଏବଂ ତେଣୁ ତାହାର ଭବିଷ୍ୟତଟି ଉପରେ ମଧ୍ୟ ଯଥାର୍ଥ ଦୃଷ୍ଟିପାତ କରି ପାରିବା ।

ଆମ ସାହିତ୍ୟର ଭବିଷ୍ୟତ କ’ଣ ? ସାହିତ୍ୟର ହସ୍ତରେଖା ଦେଖି ଯେଉଁମାନେ ଗଣକ ହୋଇ ସାହିତ୍ୟର ଭବିଷ୍ୟତ ବିଷୟରେ ଖଡ଼ି ପକାଇବାକୁ ଯାଆନ୍ତି, ସେମାନେ ତା’ ପୂର୍ବରୁ ଆମ ସାହିତ୍ୟିକମାନଙ୍କର ହିଁ ହସ୍ତରେଖାଗୁଡ଼ିକୁ ଠଉରାଇ ପଢ଼ି ପାରିବା ଉଚିତ । ଗତ ଗୋଟାଏ ପୁରୁଷ ଧରି ଆମେ ଯେଉଁମାନେ ସାହିତ୍ୟ-କ୍ଷେତ୍ରରେ ରହି ସାହିତ୍ୟର ଆତଯାତ କରାଇ ଆସିଛୁ, ଏହି ଅବଧିଟାର ଗ୍ରହଯୋଟଗୁଡ଼ାକୁ ପରଖି ଦେଖିଲେ ଆମେ ଯେ ପ୍ରକୃତରେ ଆଉ ଅନ୍ୟ କୌଣସି ପ୍ରକାରର ହୋଇ ପାରିଥାନ୍ତୁ, ତାହା କଦାପି ଆଶା କରାଯାଇ ପାରିବ ନାହିଁ । ଏହି ଅବଧିର ସାହିତ୍ୟଟି ମଧ୍ୟରେ ଆମର ହୁଏତ କୌଣସି ଯୁଗ-ଦୃଷ୍ଟି ହିଁ ରହିଲା ନାହିଁ ,–ଯିଏ ଯୁଗକୁ ଗୋଟାସୁଦ୍ଧା ଖାଲି ଆପଣାର ଗର୍ଭ ଭିତରକୁ ପକାଇ ଦେବାର ହିଁ ଫିକର କରୁଥିବ, ତା’ମଧ୍ୟକୁ ଗୁଣି ଯୁଗ-ଦୃଷ୍ଟି କାହୁଁ ଆସିବ ? ଆମର ଜୀବନ-ଦୃଷ୍ଟି ଗୋଟାଏ ଆଡ଼େ ଗଲା ତ ଆମର ସାହିତ୍ୟ-ଦୃଷ୍ଟି ସେଇଟାକୁ ଭୁରୁଡ଼ାଇ ରଖିବା ଲାଗି ସମ୍ପୂର୍ଣ୍ଣ ଆଉ ଗୋଟାଏ ଆଡ଼କୁ ଯିବା ଲାଗି ଫନ୍ଦି କରିବାକୁ ଲାଗିଲା । ସାହିତ୍ୟରେ ଆମର ନେତୃତ୍ୱ କ୍ଷମତା କ୍ଷେତ୍ରରେ ନେତୃତ୍ୱଗୁଡ଼ାକର ପଦାଙ୍କ ଅନୁସରଣ କଲା । ଯେଉଁ ସାହିତ୍ୟ କ୍ଷମତାକୁ ଅସ୍ଵୀକାର କରେ, ମଣିଷକୁ ତା’ର ପାଟଅଙ୍ଗୀଗୁଡ଼ାକର ମାଧ୍ୟମରେ ନୁହେଁ, ମାତ୍ର ମଣିଷର ମୂଲ୍ୟ ଦେଇ ଚିହ୍ନିବାର ଅନୁରାଗ ରଖିଥାଏ, ସେହି ସାହିତ୍ୟ ସ୍ଵୟଂ ଦୀପ୍ତ ହୁଏ ଏବଂ ଭବିଷ୍ୟତକୁ ମଧ୍ୟ ଦୀପ୍ତ କରେ । ସାଂପ୍ରତିକ ଅସାମାଜିକତାଗୁଡ଼ାକ ମଧ୍ୟରେ କ୍ଷମତା-ଖଟୁଲିଗୁଡ଼ାକର ଗୌରବଗୁଡ଼ାକୁ ସ୍ମରଣ କରୁ କରୁ ଓ ସ୍ଵୟଂ କ୍ଷମତାଧୀଶମାନଙ୍କ ପରି ହେବାକୁ ସ୍ଵପ୍ନ ଦେଖୁ ଦେଖୁ ଆମେ ସାହିତ୍ୟିକମାନେ ମଧ୍ୟ ଅଧିକାଂଶତଃ ଯେଉଁ ସବୁ ଅନୁରାଗଗୁଡ଼ାକଦ୍ଵାରା ପ୍ରେରିତ ହୋଇ ଆସିଛୁ, ସେଗୁଡ଼ାକ ପ୍ରକୃତରେ ଆମକୁ ନା ଆଉ କାହାକୁ ଦୀପ୍ତ କରାଇ ପାରିଥାନ୍ତା ? ସ୍ଵାଧୀନତା ପରେ ଆମ ସାହିତ୍ୟ ପ୍ରଧାନତଃ ଭୋଗ-ଘରେ ହିଁ ଆବଦ୍ଧ ହୋଇ ରହିଗଲା ଯେଉଁମାନେ ତଥାପି ଭୋଗଘରଗୁଡ଼ାକର ବାହାରେ ରହିଲେ, ସେମାନଙ୍କୁ ଆମ ସଭାଗୁଡ଼ାକ ଭିତରକୁ ଆଦୌ ଡକାଗଲା ନାହିଁ; ରାଜା ପ୍ରତାପରୁଦ୍ରଙ୍କର ସଭାରୁ ଓଡ଼ିଶାର ସନ୍ଥ-ସାହିତ୍ୟିକମାନେ ବହିଷ୍କୃତ ହୋଇ ରହିଥିବା ପରି ଏମାନେ ମଧ୍ୟ ସାହିତ୍ୟିକ ଯାବତୀୟ ରାଜଦାଣ୍ଡରୁ ମନା ହୋଇ ରହିଲେ । ସ୍ଵାଧୀନତା–ପରବର୍ତ୍ତୀ ଭୋଗ ଏବଂ ଅବକ୍ଷୟର ଭୁରି ଭୁରି ନାନା ବିକ୍ଷେପର ଯୁଗରେ ସାହିତ୍ୟ ମଧ୍ୟ ଅନେକ ପରିମାଣରେ ସେହି ପକ୍ଷଟାର ହିଁ ପରିକର ହୋଇ ରହିଗଲା । ସାହିତ୍ୟ ପୋଷା ମାନି ରହିଲା, ପୁରୁଣା ସାମନ୍ତବାଦୀ ଜିଗରଗୁଡ଼ାକୁ ଜୀଆଇ ରଖିଲା; କାମନାକୁ ପ୍ରେମ ବୋଲି କହିଲା, ଉଦାସୀନତାକୁ ଦୁଃଖ ବୋଲି କହିଲା, ଗୋଟାଏ ଅତି ବ୍ୟାଧିତ ଅଧିକାରଲାଳସାକୁ ଭୋକ ବୋଲି କହିଲା । ଆମେ ପ୍ରାୟ ସମସ୍ତେ ଏହି ସ୍ଲୋଗାନଗୁଡ଼ାକୁ ଧରି ରାସ୍ତାକୁ ବାହାରି ଆସିଲୁ, ସଭାରେ ଆପ୍ୟାୟିତ ହେଲୁ, ପୁରସ୍କାର ପାଇଲୁ, ଏବଂ ଏସବୁଦ୍ଵାରା ଆମ ସାହିତ୍ୟର ଓ ଆମ ଜାତିର ଗୌରବ ବଢ଼ୁଛି ବୋଲି ସମସ୍ତଙ୍କୁ ବୁଝାଇ କହିବାର ଚେଷ୍ଟା କଲୁ ।

 

ଆମ ଏହିମାନଙ୍କର ଆଦୌ କୌଣସି ଭବିଷ୍ୟତ ନାହିଁ । ଖଣ୍ଡିଆଭୂତ ସହିତ ମହାପ୍ରତାପରେ ଉଡ଼ୁଥିବା ଶୁଖିଲା କୁଟାଗୁଡ଼ାକ ପରି ଖଣ୍ଡିଆଭୂତ ବସିଯିବା ସଙ୍ଗେ ସଙ୍ଗେ ଆମେ ମଧ୍ୟ କୁଆଡ଼େ ଅଦୃଶ୍ୟ ଓ ଅଲରା ହୋଇ ବସିଯିବା । ଯାହା ଜନ୍ମଲାଭ କରୁଛି, ଯେଉଁ ଅନୁରାଗଗୁଡ଼ାକ ଅନାଗତ ଲାଗି ଅକ୍ଷତ ରୂପେ ସଞ୍ଚିତ ହୋଇ ରହିଛି, ମାଣରେ ପଶି କ୍ଷେତକୁ ଯିବ ବୋଲି ସାଇତା ହୋଇ ରହିଛି, ସେଗୁଡ଼ିକ କ୍ଷେତକୁ ବାହାରିଲା ବେଳେ ଆମର ଆଉ କୌଣସି ଲୋଡ଼ା ପଡ଼ିବ ନାହିଁ । ବର୍ତ୍ତମାନ ଆମେ ରାଜା ହୋଇ ବସିଛେ, ମନ୍ତ୍ରୀ ହୋଇ ବସିଛେ, ବିଷ୍ଣୁ ଶର୍ମା ହୋଇ ବସିଛେ, ଚତୁର ସଫଳତାକାମୀ ହୋଇ ବସିଛେ ଏବଂ ସାହିତ୍ୟର ବର୍ଣ୍ଣିଳ ଆଚ୍ଛାଦନଟିଦ୍ଵାରା ଆମେ ଆମର ଏହିସବୁ ଭୂମିକାକୁ ବେଶ୍ ଘୋଡ଼ାଇ କରି ରଖି ପାରିଛେ । ସେତେବେଳେ ମଧ୍ୟ ଆମେ ହୁଏତ ଠିକ୍ ଏହିପରି ଭାବରେ ରାଜା ହୋଇ ବସିଥିବା, ରାଜସଭାରେ ଚତୁର ସୁଧୀ ହୋଇ ବସିଥିବା ଏବଂ ଏହିସବୁ ଭୂମିକାଗୁଡ଼ାକ ଦ୍ଵାରା ଆମ ସାହିତ୍ୟିକ ଭୂମିକାଟି ମଧ୍ୟ କୁଆଡ଼େ ଘୋଡ଼ାଇ ହୋଇ ରହିଯିବ । ଅର୍ଥାତ୍, ଆଗାମୀ ସାହିତ୍ୟ ଭିତରେ ଆମର ଆଦୌ କୌଣସି ଭବିଷ୍ୟତ ହିଁ ରହିବ ନାହିଁ । ଆମ ହାତରେ ଅଢ଼ା ରହିଥିଲା ବେଳେ ଆମେ ଯେପରି ବର୍ତ୍ତମାନଟିକୁ ବଡ଼ ଦୟନୀୟ ଭାବରେ ଲାଞ୍ଛିତ କରି ରଖିଲେ, ପ୍ରାୟ ତାହାରି ପରିଣାମ ସ୍ୱରୂପ ହିଁ ଆମେ ସକଳ ପ୍ରକାର ଭବିଷ୍ୟତରୁ ବଞ୍ଚିତ ହୋଇ ରହିଯିବା ।

 

ମାତ୍ର ସାହିତ୍ୟର ଭବିଷ୍ୟତ ଅବଶ୍ୟ ରହିବ । ଏ ଯୁଗର ସବୁ ଲଗାମଗୁଡ଼ାକୁ ଆପଣା ହାତରେ ଜାବୁଡ଼ି ରଖିଥିଲେ ମଧ୍ୟ ଆମେ ଯେପରି କେହି ହେଲେ ଯୁଗର ଭବିଷ୍ୟତଟିକୁ ଅଟକାଇ ରଖି ପାରିବା ନାହିଁ, ସେହିପରି ସାହିତ୍ୟର ସବୁଯାକ ଘରକୁ ବଡ଼ ଅସାହିତ୍ୟିକ କରି ରଖିଥିଲେ ମଧ୍ୟ ଆମେ ତଥାପି ସାହିତ୍ୟର ଭବିଷ୍ୟତକୁ କଦାପି ଆପଣାର ହାତମୁଠାଭିତରେ ରଖି ପାରିବା ନାହିଁ । ଯିଏ ବାହାରେ ଲଗାମଗୁଡ଼ାକୁ ଧରିଥାଏ, ସେଇ ଯେ ସବୁବେଳେ ଭବିଷ୍ୟତକୁ ଗଢ଼େ, ସେକଥା ଆଦୌ ନୁହେଁ । ଯିଏ ଲଗାମଗୁଡ଼ାକୁ ଧରିଥାଏ, ଯିଏ ସାହିତ୍ୟକୁ ନେଇ କ୍ଷମତାର ଫାଶରେ ବାନ୍ଧି ରଖିଥାଏ, ସିଏ ଓଲଟି ଭବିଷ୍ୟତଟାକୁ ଫଳିବାକୁ ନ ଦେବାରେ ହିଁ ସବୁଠାରୁ ଅଧିକ ସହାୟତା କରୁଥାଏ । ଯିଏ ଲଗାମଗୁଡ଼ାକ ମଧ୍ୟରେ ମୋଟେ ଧରାଦେଇ ନଥାଏ, ଯିଏ ଆପଣା ଘରେ ଆପଣାର ସାହିତ୍ୟଟି ସହିତ କ୍ଷମତାର ଆଦୌ କୌଣସି ସାଲିଶ୍ କରି ନଥାଏ, ଯିଏ ମୂଳତଃ ବିଶ୍ଵାସ ଓ ଭଲ ପାଇବାକୁ ହିଁ ଲୋଚନ ବୋଲି ମାନି ଜୀବନରେ ବାଟ ଚାଲୁଥାଏ, ସେଇ ଭବିଷ୍ୟତକୁ ସମ୍ଭବ କରି ଆଣେ । ଅକ୍ଷତ ଧରି ଅନୁକୂଳ କରି ଯିବାର ଭାଗ୍ୟଟି ତାହାରି ହୁଏ ।

 

ଭବିଷ୍ୟ ଅବଶ୍ୟ ରହିଛି । ସମଗ୍ର ମନୁଷ୍ୟଜାତିର ଯେପରି ଏକ ଭବିଷ୍ୟତ ରହିଛି, କ୍ଷମତା ଓ ଆତ୍ମମ୍ଭରିତାର ସକଳ ଦୌରାତ୍ମ୍ୟ ସତ୍ତ୍ୱେ ମନୁଷ୍ୟ-ଆକାଂକ୍ଷାର ବକ୍ରଟି ଯେପରି ନିଶ୍ଚିତ ଭାବରେ ଅଧିକରୁ ଅଧିକ ପରିପୂର୍ଣ୍ଣତା ଦିଗରେ ସର୍ବଦା ଗତି କରି ଆସିଛି; ଠିକ୍ ସେହିପରି ଆମ ସାହିତ୍ୟର ମଧ୍ୟ ଏକ ଭବିଷ୍ୟତ ରହିଛି । ଦୁର୍ଯୋଗଗୁଡ଼ାକୁ ଭିଆଇବାରେ ଯେଉଁମାନେ ସବୁଠାରୁ ଅଧିକ ପରିମାଣରେ ଏକ ନିମିତ୍ତ ରୂପେ କାର୍ଯ୍ୟ କରିଥାନ୍ତି, ସେହିମାନେ ହିଁ ଦୁର୍ଯୋଗ ଆସି ପହଞ୍ଚିଲା ବୋଲି ସବୁଠାରୁ ଅଧିକ ଚିତ୍କାର କରନ୍ତି । ମାତ୍ର ସେମାନଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଅବଶ୍ୟ ଥାଆନ୍ତି, ଯେଉଁମାନେ ଦୁର୍ଯୋଗକୁ ଏକ ଆହ୍ଵାନ ରୂପେ ଗ୍ରହଣ କରନ୍ତି । ସେମାନେ ସେହି ଆହ୍ଵାନର ସମ୍ମୁଖୀନ ହୁଅନ୍ତି । ରାତିର ଅନ୍ଧାର ଘୋଟି ରହିଥିଲେ ମଧ୍ୟ ସେମାନେ ନୂତନ ଭାଷାର କାବ୍ୟ ଲେଖନ୍ତି, ସେହିମାନେ ଭବିଷ୍ୟତ ଗଢ଼ନ୍ତି । ନୂଆ ମୂଲ୍ୟ ଦେଇ ଗଢ଼ନ୍ତି, ନୂଆ ଆଖି ଦେଇ ଗଢ଼ନ୍ତି, ନୂଆ ସଖ୍ୟ ଦେଇ ଗଢ଼ନ୍ତି । ସେହି ପୁରୁଣା ମଣିଷଟା ଭିତରେ ନୂଆ ଜିଦ୍‍ଗୁଡ଼ାକୁ କୁହୁଳାଇ ଆଣନ୍ତି । ସାହିତ୍ୟ ମଙ୍ଗଳାଚରଣ ଗାଏ । ନୂତନ ବିଶ୍ଵାସର ସଞ୍ଚାର ଆଣିଦିଏ । ନୂତନ ସମ୍ଭାବନାର ଦିଗଗୁଡ଼ିକୁ ଉନ୍ମୋଚିତ କରି ଆଣେ । ଏହି ଉନ୍ମୋଚନଗୁଡ଼ିକ ଲାଗି ଆମେ ଆପଣାକୁ ନିୟୋଜିତ କରି ପାରିବା କି ? ତେବେ ସାହିତ୍ୟ ସହିତ ଆମର ମଧ୍ୟ ଏକ ଭବିଷ୍ୟତ ଅବଶ୍ୟ ରହିବ ।

 

୧୪ । ୫ । ୭୫

[‘ନବରବି’, ଜୁଲାଇ, ୧୯୭୫ ]

Image

 

କାବ୍ୟଶାସ୍ତ୍ର–ବିନୋଦେନ

 

କାବ୍ୟ ଆଉ ଶାସ୍ତ୍ର ଯେ ପ୍ରକୃତରେ ଏକ ବିନୋଦ ବା ବିନୋଦନରେ ପରିଣତି ହୋଇପାରେ ଏଇଟା ହେଉଛି ଆମ ଶାସ୍ତ୍ରର କଥା । ଆମ ପରମ୍ପରାର କଥା, ଆମ ଯୁଗାଚରିତ ଜୀବନରୀତିର କଥା । କାବ୍ୟ ଆମର ବିନୋଦ ପାଇଁ, ଶାସ୍ତ୍ର ବି ଆମର ବିନୋଦ ପାଇଁ । ଏବଂ ଆମେ ପୁଣି କୋଉଥିପାଇଁ ? ତର୍କ ବା ବିବେକର ଗହନ ଭିତରେ ନ ହୁଡ଼ି ଏହି ପ୍ରଶ୍ନଟିର ମଧ୍ୟ ଏକ ସହଜ ଉତ୍ତର ଦିଆଯାଇ ପାରିବ ଯେ ଆମେ ସମସ୍ତେ ହେଉଛୁ ଏହି କାବ୍ୟ ଓ ଏହି ଶସ୍ତ୍ରଗୁଡ଼ାକୁ, ଆମଲାଗି ପ୍ରଦତ୍ତ ହୋଇ ରହିଥିବା ବିନୋଦନଗୁଡ଼ାକୁ ଉପଭୋଗ କରିପାରିବାପାଇଁ । ହୁଏତ ପୂରା ଜୀବନଟାଯାକ ବିନୋଦନ ସକାଶେ ନହୋଇ ଥାଇପାରେ । ମାତ୍ର ଆମର ଚଳଣି ଅନୁସାରେ ଅନ୍ୟ କୌଣସି ନୀଚତର ପଦାର୍ଥକୁ ବିନୋଦନର ସାମଗ୍ରୀରୂପେ ନ ଲୋଡ଼ି ଓ ସେଗୁଡ଼ାକର ଉପଭୋଗ କରେ, ତାକୁ ଅନ୍ୟମାନଙ୍କ ତୁଳନାରେ ଆମେ ଅଧିକ ବିବେକୀ ବୋଲି କହିଥାଉଁ । ସୁଧୀ ବା ପଣ୍ଡିତ ବୋଲି କହିଥାଉ । ଜଣେ ରାଜା ଦିନଯାକ ଯାହା ମନ ତାହା କରୁଥାଉ ପଛକେ ଅନ୍ତଃପୁରରେ, ମୃଗୟାକାଳରେ କିମ୍ବା ଦରବାରରେ ତା’ ଦିନମାନର ମୁହୂର୍ତ୍ତଗୁଡ଼ାକ ଯେଉଁଭଳି ରୀତି ଅଥବା ଅରୀତିରେ କଟି ଯାଉଥାଉ ପଛକେ, ସିଏ ଯଦି ରାତିରେ କାବ୍ୟଶାସ୍ତ୍ରର ବିନୋଦନରେ କାଳ କଟାଇ ପାରିଲେ, ତେବେ ଆମେ ସମସ୍ତେ ତାଙ୍କୁ ନିୟମତଃ ସାଧୁ ବୋଲି କହିଥାଉ, ତାଙ୍କୁ ଗୁଣୀ ଓ ଜ୍ଞାନପ୍ରେମୀ ବୋଲି କହି ନିଜେ ମଧ୍ୟ ଭାରି ହୃଷ୍ଟ ହୋଇ ଉଠିଥାଉ ।

 

କାବ୍ୟ ଆଉ ଶାସ୍ତ୍ରର ବିନୋଦନକାରୀ ଦିଗଟା କାଳକ୍ରମେ ମଣିଷର କଳନା-କ୍ଷେତ୍ରରେ ଏତେ ବେଶୀ ପ୍ରବଳ ହୋଇ ଉଠିଥିଲା ଯେ, ସମାଜର ପ୍ରତିଷ୍ଠାସମ୍ପନ୍ନ ମଣିଷମାନେ ପ୍ରଧାନତଃ ବିନୋଦନ ଲାଗି ହିଁ ସାହିତ୍ୟକୁ ଲୋଡ଼ୁଥିଲେ । ସଙ୍ଗୀତ, ନୃତ୍ୟ ଓ କାବ୍ୟ ସହିତ ସାହିତ୍ୟକୁ ମଧ୍ୟ ଶାସ୍ତ୍ରଗତ ସଂଜ୍ଞାଟି ଅନୁସାରେ ଦେବୀ ସରସ୍ଵତୀଙ୍କର ପ୍ରସାଦଲବ୍‌ଧ ଏକ ଅନ୍ୟତମ ରଙ୍ଗ ବୋଲି କୁହଯାଉଥିଲା । କବିତାକୁ ବନିତା ସହିତ ସମକଛ କରି ବର୍ଣ୍ଣନା କରାଯାଉଥିଲା ଏବଂ ଏକ ପୁରୁଷ-ପ୍ରତାଡ଼ିତ ସମାଜରେ ପୁରୁଷ କାବ୍ୟକାର, କାବ୍ୟଗୁଣୀମାନେ ସେହି ବର୍ଣ୍ଣନାଟିଦ୍ଵାରା ଭାରି ଆମୋଦିତ ଅନୁଭବ କରୁଥିଲେ । ଆଗେ ସାହିତ୍ୟିକମାନେ ରାଜାଦରବାରରେ ହିଁ ରହୁଥିଲେ, କବି ବା ପଣ୍ଡିତ କୌଣସି ଏକ ରାଜସଭାରେ ଆସି ବସିଲା ପରେ ଯାଇ ପ୍ରକୃତରେ କବି ବା ପଣ୍ଡିତ ବୋଲି ଶୋଭା ପାଉଥିଲା ବା ସ୍ଵୀକୃତ ହେଉଥିଲା । କବିତା ଲେଖି ରାଜମନର ତୋଷଣ କରୁଥିବା ଆଶ୍ରିତ ମଣିଷଟିକୁ ରାଜକୋଷରୁ ଅର୍ଥ ଦିଆଯାଉଥିଲା ରାଜାଙ୍କର ଆନନ୍ଦବର୍ଦ୍ଧନ କରୁଥିବାର ମୂଲ୍ୟସ୍ୱରୂପ ତାକୁ ଅନେକ ସମୟରେ ନିଷ୍କର ଜାଗିରି ମଧ୍ୟ ଦିଆଯାଉଥିଲା । ସେହି ଜାଗିରିଟିକୁ ପୁତ୍ରପୌତ୍ରାଦି କ୍ରମେ ଭୋଗ କରିବାଲାଗି କବି ହକଦାର ହୋଇ ରହୁଥିଲା ।

 

ଆମର ଏକକାଳେ ଆଉ ରାଜାମାନେ ନାହାନ୍ତି ସତ, ମାତ୍ର ରାଜାଙ୍କ ଅମଳର ସେହି ଭୋଗଖିଅ ମନଟା ଏବର ମନଟା ଉପରେ ସତେଅବା ରାଜା ହୋଇ ବସି ରହିଛି । ସାହିତ୍ୟର ବାଡ଼ି ଭିତରେ ଯାଇ ପଶୁ ନ ପଶୁଣୁ ଆମେ ଅନୁଗ୍ରହ ଲୋଡ଼ି ବୁଲୁଛୁ, ଅସରପି ଲୋଡ଼ି ବୁଲୁଛୁ, ଅନୁକମ୍ପା ଓ ଅବଲମ୍ବନ ଲୋଡ଼ି ବୁଲୁଛୁ । ଆଗକାଳର ଗୋଟାଏ ରଜା ଜାଗାରେ ଆମେ ଏବେ କେତେକେତେ ରାଜା ଓ କେତେକେତେ ଖାମିନ୍ଦଙ୍କର ପରିତୋଷଣ କରି ବୁଲୁଛୁ, କେତେ ପ୍ରକାରେ ସାଜି କେତେ ପ୍ରକାରେ ବରଷିବାର ମିହନ୍ତ କରିବାରେ ଲାଗିଛୁ । ଏବଂ ଆମକୁ ସ୍ଵୀକାର କରିବାକୁ ଯାଇ ଯେଉଁମାନେ ଆମକୁ ଅନୁଗ୍ରହ ଓ ଅନୁକମ୍ପା କରୁଛନ୍ତି, ଆମକୁ ଅସରପି ଆଣି ଦେଉଛନ୍ତି, ସେମାନେ ଆମେ ସବୁ ଜାତିର ଗୋଟାଏ ଗୋଟାଏ ଗୌରବ ବୋଲି ଆମେ ଡାକିଥିବା ସଭାମାନଙ୍କରେ ଉଚ୍ଚସ୍ଵରରେ କହିବାରେ ଲାଗିଛନ୍ତି, ଜୀବନର ଅନ୍ୟାନ୍ୟ ନାନା ବିନୋଦନ ମଧ୍ୟରେ ସେମାନେ ସାହିତ୍ୟ ସଭାରେ ବସିବା ଓ ସାହିତ୍ୟ ସମ୍ବନ୍ଧରେ କହିବାଟାକୁ ସତେଅବା ଏକ ଅନ୍ୟତମ ବିନୋଦନରୂପେ ଗ୍ରହଣ କରି ନେଇଛନ୍ତି । ମଣିଷର ଗୋଟାଏ ପେଟ ପୂରି ଆହୁରି ଦୁଇପେଟ ଲାଗି ବଳିଲେ ମଣିଷ ସାଧାରଣତଃ ବିନୋଦନଆଡ଼କୁ ମନ ବଳାଇଥାଏ । ପୁଣି ଯେଉଁ ସଂସାର ମଧ୍ୟରେ କେବଳ ଅଳ୍ପ କେତେଜଣଙ୍କର ହିଁ ପେଟ ପୂରେ ଏବଂ ଅନ୍ୟ ସମସ୍ତଙ୍କୁ ନିଉଛୁଣା କରି ରଖି କେବଳ କେତେଜଣଙ୍କର ଜୀବନଟା ହିଁ ବଳକାଦ୍ଵାରା ମଣ୍ଡିତ ହୋଇ ରହିଥାଏ, ସେହିଠାରେ ହିଁ ବିନୋଦନଗୁଡ଼ାକୁ ଯଥା ସମ୍ଭବ ଅଧିକ ଜାକଜମକରେ କରିବାପାଇଁ ବିନୋଦନ କରି ପାରୁଥିବା ଅଳପଙ୍କୁ ସମ୍ଭବତଃ ବିଶେଷ କରି ଅଧିକ ପ୍ରରୋଚନା ବା ଉନ୍ମାଦନା ମିଳିଥାଏ । ଏହିସବୁ ସଂସାରରେ ବା ସମାଜରେ ସାହିତ୍ୟ ନାମରେ ଛତି ବନ୍ଧାଯାଏ, ଆଲଟଚାମର ପକାଯାଏ, ରାତିରେ ଦିନଭଳି ଆଲୁଅ ଜଳେ ଏବଂ ରାତି ପାହିବାଯାଏ ସାହିତ୍ୟାଦିର ବିନୋଦନ ଚାଲିଥାଏ । ସେହିସବୁ ସଭାକୁ କେତେକେତେ ଗଜାନନ ଓ କେତେକେତେ ଲମ୍ବୋଦାର ଫେର ଲମ୍ବାଇ ଚତୁର୍ଭୁଜ ହୋଇ ଆସନ ମଣ୍ଡାଇବାକୁ ଆସନ୍ତି, କାବ୍ୟ ଓ ଶାସ୍ତ୍ର ଆଲୋଚନାଦ୍ଵାରା ଆପେ ବିନୋଦିତ ହୁଅନ୍ତି ଦେଶବାସୀ ଓ ସମ୍ବାଦପତ୍ର ଉଭୟଙ୍କୁ ମଧ୍ୟ ବିନୋଦିତ କରନ୍ତି ।

 

ଏବଂ ଅନେକ କ୍ଷେତ୍ରରେ ବିନୋଦନଟା ସେ ଗୋଟାଏ ବ୍ୟାଧିରେ ମଧ୍ୟ ପରିଣତ ହୋଇ ଯାଇପାରେ, ଜାତି ଓ ଜଗତର ଦ୍ଵାହି ଦେଇ ବିନୋଦନମତ୍ତ ହୋଇ ରହିଥିବା ସମୟରେ ଆମର ସେହି କଥାଟି ସହଜରେ ଆଦୌ ପ୍ରତ୍ୟୟ ହୋଇ ପାରେନାହିଁ । ଜାତି କହିଲେ ଯାହାକିଛି ବୁଝାଉ ବା ଆଦୌ କିଛି ହେଲେ ନ ବୁଝାଉ ପଛକେ, ଆମର ଯେକୌଣସି କର୍ମ ବା ଧନ୍ଦାରେ ଯଦି ଜାତୀୟ ଶବ୍ଦଟାକୁ କୌଣସି ପ୍ରକାରେ ଯୋଡ଼ି ଦିଆଯାଇପାରେ, ତେବେ ସେହି କର୍ମଟି ହୁଏତ ଗୋଟାଏ ନିତାନ୍ତ ଅନାବଶ୍ୟକ କର୍ମ ଅଥବା ଏପରିକି ଗୋଟାଏ ଅପକର୍ମ ହୋଇଥିଲେ ମଧ୍ୟ ସେଇଟା ଆମକୁ ସତେଅବା ଆଦୌ ନବାଧୁଥିଲା ପରି ମନେ ହୋଇଥାଏ । ସେତେବେଳେ ଯେକୌଣସି କର୍ମ ବା ଅପକର୍ମ ମଧ୍ୟ ପଦୋନ୍ନତି ଲାଭ କରି ଜାତୀୟ ଆବଶ୍ୟକତା ଅଥବା ସେବାର ଆଖ୍ୟା ବି ଲାଭକରେ ଓ ତେଣୁ ଆମକୁ ଆଉ ମୋଟେ ଗନ୍ଧାଏ ନାହିଁ । ଆମ ସାହିତ୍ୟଟା ଜାତୀୟତାର କୃତ୍ରିମତାପୂର୍ଣ୍ଣ ପର୍ଯ୍ୟାୟଟା ଭିତରକୁ ଆସି ସାହିତ୍ୟର ପ୍ରକୃତରେ କେତେ ପରିମାଣରେ କି ଲାଭ ହୋଇଛି ବା ନ ହୋଇଛି, ସେହି ବିଷୟରେ ହୁଏତ ନାନା ବିବାଦ ହୋଇପାରେ ସତ, ମାତ୍ର ଏହାଦ୍ଵାରା ଆମ ନିଜର ଯେ ବହୁଳ ଲାଭ ହୋଇଛି, ସେକଥାରେ ଆଦୌ କୌଣସି ସନ୍ଦେହନାହିଁ । ଆମ ନିଜର ବ୍ୟାଧିଗୁଡ଼ାକ ଆମକୁ ଆଉ ମୋଟେ ଗନ୍ଧାଉନାହିଁ, ଆମର ଅନ୍ଵେଷଣଭୀରୁ ଅନେକ ପ୍ରକାରର ମୋହ ଆମର ଆଖିଗୁଡ଼ାକୁ ଏପରି ଚଉକଷ କରି ରୁନ୍ଧି ପକାଇଛି ଯେ, ଆମ ଘରର ଖଣ୍ଡିଆ ଓ ଖପରାଗୁଡ଼ାକ ମଧ୍ୟ ଆମକୁ ସତେଅବା ସୁନା ରୂପା ପରି ଦେଖାଯାଉଛି । ଏବଂ ତମାମ ଜୀବନଟା ତୁଚ୍ଛା ବିନୋଦନ ଭଳି ଲାଗୁଛି, ଓ ଆମ ସାହିତ୍ୟ ମଧ୍ୟ ଏହି ବିନୋଦନଗୁଡ଼ାକୁ ଯଥାସମ୍ଭବ ଅଧିକ ରସାଳ କରି ଦେଖାଇବାର ଏକ ଧନ୍ଦାରେ ପରିଣତ ହୋଇଛି ।

 

ଜୀବନକୁ ଯେ ଜୀବନ ବୋଲି ନ ଲୋଡ଼ି ଆମେ ଅନେକ ସମୟରେ ବିନୋଦନ ରୂପେହିଁ ଲୋଡ଼ିବାକୁ ଯାଉ, ସେକଥାଟି ଆମେ ପ୍ରକୃତରେ କେତେବେଳେ କରୁ ? ଯିଏ ଜୀବନକୁ ଏକ ଆରୋହଣ ବୋଲି ଗ୍ରହଣ କରୁଥିବ, ଜୀବନର ପାହାଚଗୁଡ଼ାକୁ ଯିଏ ଏକ ଆହ୍ଵାନ ପରି ଗ୍ରହଣ କରୁଥିବ, ସିଏ ତାହାକୁ କେବେହେଲେ ଗୋଟାଏ ବିନୋଦନ ବୋଲି ଗ୍ରହଣ କରି ପାରିବନାହିଁ । ଜୀବନର ପଥରେ ମୋର ଆଜି ସକାଳେ ଯେଉଁଠି ନିଦ ଭାଙ୍ଗିଥିଲା, କାଲି ସକାଳେ ମଧ୍ୟ ଯଦି ଠିକ୍ ସେହିଠାରେ ହିଁ ନିଦ ଭାଙ୍ଗିଲା, ମୋର ସ୍ଥାୟୀ ଚାକିରି, ମୋର କୋଠାବାଡ଼ି, ମୋର ଧନ, ଜନ, ଗୋପ ଓ ଲକ୍ଷ୍ମୀଙ୍କ ପରି ମୋର ଜୀବନଟା ମଧ୍ୟ ଯଦି ଠିକ୍ ସେହିଭଳି ଏକ ସୁଦୃଢ଼ ଦୁର୍ଗ ଭିତରେ ସୁରକ୍ଷିତ ହୋଇ ରହିଗଲା, ତେବେ ଅନେକ ସମୟରେ ସେହି କ୍ଷେତ୍ରରେ ଜୀବନଟାକୁ ଏକ ବିନୋଦନ ବୋଲି ଅନୁଭବ କରିବା ବ୍ୟତୀତ ମୋର ହୁଏତ ଆଉ ଅନ୍ୟ ଉପାୟହିଁ ରହିବନାହିଁ । ମୋର ଆଉ କିଛି ହେଲେ କରିବାର ନାହିଁ, କାରଣ ଭଗବାନ ମୋତେ ସବୁକିଛି ଦେଇଛନ୍ତି । ପୁତ୍ର ଦେଇଛନ୍ତି, ଜାୟା ଦେଇଛନ୍ତି; ଗାଁରେ ପୈତୃକ ସୂତ୍ରରେ ଜମି ଦେଇଛନ୍ତି, ସହରରେ ଘର ଦେଇଛନ୍ତି, ଚାକିରି ଦେଇଛନ୍ତି ପଦବୀ ଦେଇଛନ୍ତି, ସମ୍ମାନ ଦେଇଛନ୍ତି ଓ ମର୍ଯ୍ୟାଦା ଦେଇଛନ୍ତି । ମୋତେ ଭଗବାନ ଅମୁକ ଦେଶରେ ଜନ୍ମ ଦେଇଛନ୍ତି; ଏ ଦେଶ ଭଳି ଦେଶ ପୃଥିବୀରେ ନାହିଁ ଅଥବା ଏହି ଜାତି ମଧ୍ୟ ପୃଥିବୀରେ ନାହିଁ । ମୋ ସାହିତ୍ୟ ଭଳି ରସାଳ, ପୃଥୁଳ ବା ବପୁମାନ୍ ସାହିତ୍ୟ ବା ଆଉ କେଉଁଠି ଅଛି ? ମୋର ସଂସ୍କୃତି ହେଉଛି ସମଗ୍ର ଜଗତକୁ ବାଟ ଦେଖାଇବାର ସଂସ୍କୃତି । ତେଣୁ ମୁଁ ସଂସ୍କୃତି ଲୋଡ଼ି ଆଉ ଜଗତ ଭିତରକୁ ଯିବି କୋଉଥି ଲାଗି ? ଆଉ ପାଞ୍ଚଟା ଯୁଗ ସହିତ, ପାଞ୍ଚଟା ଜଳବାୟୁ ସହିତ ଅଥବା ପାଞ୍ଚଟା ଅନ୍ୟ ଗବାକ୍ଷ ସହିତ ମୁଁ ଆଉ ସଖ୍ୟ କିମ୍ବା ସମ୍ବନ୍ଧ ଯୋଡ଼ି ବାହାରିବି କାହିଁକି ? ହଁ, ପ୍ରଚାରପାଇଁ ଯିବି, ଡଙ୍ଗା ବାଡ଼େଇ ମାଦଳ ପିଟି ମୋ’ ଆଡ଼କୁ ଆଉ ସମସ୍ତେ ଅନାଇ ଦେଖନ୍ତୁ ବୋଲି ବଜାଇ କହିବାକୁ ଯିବି ସିନା, ମାତ୍ର ସଖ୍ୟ ଲୋଡ଼ି କାହିଁକି ଯିବି ? ମୋ’ ଘରେ କେଉଁଠାରେ କ’ଣ ଅଭାବ ରହିଛି ଯେ ମୁଁ ଏଠାରୁ ବାହାରି ଅନ୍ୟ କାହାପାଖକୁ ଯିବି ? ଅମୃତ ପୁରାଣରେ ମୋ’ ଖଣ୍ଡମଣ୍ଡଳଟିର ପ୍ରତ୍ୟେକ ବାଲିକଣାକୁ ଯେତେବେଳେ ତୀର୍ଥଧୂଳି ବୋଲି କୁହାଯାଇଛି ଏବଂ ପ୍ରତ୍ୟେକ ବାଲିଗରଡ଼ାକୁ ଶାଳଗ୍ରାମ ବା ଏପରିକି ଶିବଲିଙ୍ଗ ବୋଲି ମଧ୍ୟ କୁହଯାଇଛି, ତେବେ ମୁଁ କାହିଁକି ଶ୍ରମ କରି ଆଉ କୁଆଡ଼କୁ ଯିବି, ଆଉ କୁଆଡ଼କୁ ମନ କରିବି, ଆଉକିଛି ହେବି ? ତେଣୁ ମୁଁ ଯୋଉଠି ଅଛି ସେଇଠି ରହି ଆତ୍ମବିନୋଦନ କରିବି, ଆତ୍ମରତି କରିବି, ଏଇଠି ଝୁଲିବି, ବାଆପାଣି ଖାଇ ଫୁଲୁଥିବି । ଯିଏ ଅଟକ ରହେ, ତାକୁ ସବୁକିଛି ଖାଲି ବିନୋଦନ ପରି ଲାଗୁଥାଏ । ଯିଏ ଭୁଲି ରହିବାକୁ ମନେକରେ, ସିଏ ଅନେକ ସମୟରେ ଆପଣାକୁ ଭୁରୁଡ଼ାଇ ଦେଇ ଉଶ୍ଵାସ ହୋଇଯିବାକୁ ବିନୋଦନର ଏକ ଫମ୍ପାସର ଭିତରେ ବିହରଣ କରିବା ଲାଗି ଯଥେଷ୍ଟ ପରିମାଣରେ ଉତ୍ତେଜିତ ହୋଇ ରହିଥାଏ । ମାତ୍ର ଯିଏ ବାଟ ଚାଲେ, ସିଏ ଜୀବନଟାକୁ ମୂଳତଃ ଏକ ପ୍ରେରଣା ବୋଲି ଗ୍ରହଣ କରେ । ଆପଣାର ଜାତୀୟତାକୁ ମଧ୍ୟ ସିଏ ଏହି ସମଗ୍ର ପ୍ରେରଣାଟି ମଧ୍ୟରେ ଗୋଟିଏ ପାହାଚ ବା ଗୋଟିଏ ଆଧାର ବୋଲି ଗ୍ରହଣ କରେ । ତା’ର ସାହିତ୍ୟକୁ ମଧ୍ୟ ସିଏ ପ୍ରେରଣାରୂପେ ଗ୍ରହଣ କରେ-। ସାହିତ୍ୟର ମାଧ୍ୟମରେ ସଖ୍ୟ ଲୋଡ଼େ, ସାହିତ୍ୟର ମାଧ୍ୟମରେହିଁ ନିମନ୍ତ୍ରଣ ଜଣାଏ, ନିମନ୍ତ୍ରିତ ହୋଇ ଯିବାକୁ ଚାହୁଁଥାଏ । ମୋ ଜାତିର ସାହିତ୍ୟ ଏଡେବଡ଼ ବୋଲି କହି ସିଏ ହାକୁଟି ମାରି ପେଟରେ ହାତ ବୁଲାଇ କଦାପି ବସି ପଡ଼େନାହିଁ । ଦାୟାଦରୂପେ ଲାଭ କରିଥିବା ସକଳ ସମ୍ପଦକୁ ସିଏ ଆଗ ନିଜସ୍ଵ ସମ୍ପଦରେ ପରିଣତ କରେ, ସେ ଯୋଗ୍ୟ ହୋଇ ଆପଣାର ଅତୀତଟିକୁ ବହନ କରିବାକୁ ଚେଷ୍ଟାକରେ ଓ ତା’ପରେ ଆପଣାରେ ସକଳ ଶ୍ରଦ୍ଧା ଓ ସକଳ ଖୁସି ଦେଇ ତାହାକୁ ନୂଆ ପତ୍ର ଓ ନୂଆ ଫୁଲରୂପେ ମୁକୁଳାଇଦିଏ, ତାକୁ ସେ ନୂଆ ବାସ କରି ଚହଟାଇଦିଏ । ସିଏ ଆଗକୁ ଯାଉଥିବା ପର୍ଯ୍ୟନ୍ତ ତାର ଗତି ମଧ୍ୟ ଆଗକୁ ଯାଉଥାଏ, ତା’ର ବାଟଟି ମଧ୍ୟ କ୍ରମେ ଅଧିକରୁ ଅଧିକ ପରିମାଣରେ ସର୍ବଜନର ଏକ ବାଟରେ ପରିଣତ ହେବାର ଯୋଗ୍ୟତା ଅର୍ଜନ କରୁଥାଏ-

 

ଯେତେବେଳେ ମଣିଷ ପଳାଇ ଯିବାକୁ ଚାହେଁ, ବର୍ତ୍ତମାନଟିକୁ ଛାଡ଼ି ଅର୍ଥାତ୍ ବର୍ତ୍ତମାନର ସମ୍ମୁଖୀନ ହୋଇ ନପାରି ଆଉ କୁଆଡ଼େ ଖସି ଚାଲିଯିବାକୁ ଇଚ୍ଛା କରୁଥାଏ, ବୋଧହୁଏ ସେତିକିବେଳେ ହିଁ ସିଏ ସବୁଠାରୁ ଅଧିକ ଆକୁଳ ଭାବରେ କୌଣସି ନା କୌଣସି ବିନୋଦନ ଭିତରେ ବୁଡ଼ି ରହିବାକୁ ମନ କରେ । ଅନେକ ଅଧ୍ୟାପକ ହୁଏତ ଅଧ୍ୟାପନାରୁ ଖସି ପଳାଇବାକୁ ବା ସେଥିରୁ ତ୍ରାହି ପାଇବାକୁ ଚାହୁଁଥାନ୍ତି, ତେଣୁ ଏକ ବିନୋଦନ ହିସାବରେ ଗବେଷଣା ଆରମ୍ଭ କରନ୍ତି-। ପଣ୍ଡିତ ବୋଲାନ୍ତି, ମାତ୍ର ଯେଉଁମାନଙ୍କ ସହିତ ଗଣ୍ଠି ପକାଇବା ଲାଗି ଓ ସଖ୍ୟ ବାନ୍ଧିବା ଲାଗି ସେମାନେ ଅଧ୍ୟାପକ ହୋଇ ଆସିଥାନ୍ତି; ସେମାନଙ୍କ ପାଖରୁହିଁ ଅନ୍ତରାଳ ହୋଇ ବୁଲୁଥାନ୍ତି, ସେମାନଙ୍କ ପାଖରେ ଲାଜରା ହୋଇ ବୁଲୁ ଥାଆନ୍ତି । ଏହିପରି ନାନା ଭାବରେ ଜୀବନଠାରୁ ମୁହଁ ଲୁଚାଇବାକୁ ହିଁ ଆମର ବିନୋଦନଗୁଡ଼ାକ ଅନେକ ସମୟରେ ଆମକୁ ଭାରି ସାହାଯ୍ୟ କରିଥାଏ । ଆମର ସାହିତ୍ୟ-ବିନୋଦନଗୁଡ଼ାକ ମଧ୍ୟ ଆମକୁ ଏଥିରେ ଭାରି ସାହାଯ୍ୟ କରିଥାଏ-। ଆମ ଦେଶ ସ୍ଵାଧୀନ ହେବାପରେ ଆମ ସାହିତ୍ୟ ଭିତରେ ବିନୋଦନ ଲୋଡ଼ିବାର ଉପଲକ୍ଷ୍ୟଗୁଡ଼ାକ ଅତିରିକ୍ତ ପରିମାଣରେ ଓ ବହୁଳ ମାତ୍ରାରେ ବୃଦ୍ଧି ଲାଭ କରିଛି କି ? ସ୍ଵାଧୀନତାକୁ ଭୋଗ କରିବାକୁ ଯାଇ ଆମ ସମସ୍ତଙ୍କ ଭିତରେ ଗୋଟାଏ ପ୍ରକାରର ଅସାଧ୍ୟ ଅଗ୍ନିମାନ୍ଦ୍ୟ ଆସି ପଶି ଯାଇଛି କି, ଯେଉଁଥିଲାଗି ଆମେ ସାହିତ୍ୟ ଭିତରେ ମଧ୍ୟ ପ୍ରଧାନତଃ ବିନୋଦନ ଲୋଡ଼ିବାକୁ ହିଁ ଧାଉଁଛୁ, ଭିତରର ଦୁଃଖକୁ ଭିତରେ ଲୁଚାଇ ରଖି ଉପରେ ସଭାଘରଗୁଡ଼ାକରେ ପରସ୍ପର ଆଡ଼କୁ ଅନାଇ ନିଲଠାଙ୍କ ପରି ଖାଲି ଦାନ୍ତ ନିକୁଟିବାରେ ଲାଗିଛୁ ? ସ୍ଵାଧୀନତା ପୂର୍ବରୁ ସାହିତ୍ୟର କ୍ଷେତ୍ରରେ ଯେଉଁମାନେ ସଂଗ୍ରାମୀରୂପେ ଅବତୀର୍ଣ୍ଣ ହୋଇଥିଲେ, ସେମାନେ କେଡ଼େ ସନ୍ତର୍ପଣର ସହିତ ଯେ ବିନୋଦନକାରୀ ସାଜି ସଭାରଞ୍ଜନ କରୁଛନ୍ତି, ତାହା ଦେଖିଲେ ପ୍ରକୃତରେ ବିଶ୍ଵାସ ହିଁ କରି ହେଉନାହିଁ ।

 

ବିନୋଦନ ଭୁଲି ହୋଇଯାଏ । ଅଫିମର ନିଶାଟା ଯେପରି ଭୁଲ ହୋଇଯାଏ, ରାତିର ଅପରଙ୍ଗଗୁଡ଼ାକ ଯେପରି ଦିନର ଉପସ୍ଥିତ ଆହ୍ଵାନଗୁଡ଼ାକର ହାବୁଡ଼ରେ ପଡ଼ି କୁଆଡ଼େ ପାଶୋର ଯାଏ, ବିନୋଦନ ମଧ୍ୟ ଠିକ୍ ସେହିପରି ଭୁଲି ହୋଇଯାଏ । ଜୟନ୍ତୀ ସଭାରେ ଶୁଣିଥିବା ବକ୍ତୁତାଗୁଡ଼ାକ ଘରକୁ ଯିବା ବାଟରେ ହିଁ ହୁଏତ ଭୁଲି ହୋଇଯାଏ । ଯଦି ତାହା ଭିତରେ ତଥାପି କିଛି ବାକି ରହିଥାଏ, ତେବେ ତତ୍ପରଦିନ ସମ୍ବାଦପତ୍ରରେ ତଦ୍‌ବିଷୟକ ସଚିତ୍ର ସମ୍ବାଦଗୁଡ଼ିକର ସନ୍ଦର୍ଶନରେ ହିଁ ତାହା ପୂରାପୂରି ପାସୋରି ହୋଇଯାଏ । ଜୟନ୍ତୀ ଆସେ ଜୟନ୍ତୀ ଯାଏ, ସେହିପରି ସାହିତ୍ୟିକ ବିନୋଦନଗୁଡ଼ାକ ମଧ୍ୟ ଆସେ ଓ ଯାଏ । ଏବଂ ଯିବା ସଙ୍ଗେ ସଙ୍ଗେ ତାହା ଆମ ଜୀବନଟାକୁ ମଧ୍ୟ ଭାରି ଘଷରା କରି ଦେଇଯାଏ, ଆମ ଗ୍ରହଣ-ଦ୍ଵାରଗୁଡ଼ାକୁ ତାହା ଭାରି କାଉଁଦା କରି ଦେଇଯାଏ । ଅଫିମର ନିଶା ଛାଡ଼ିଗଲା ପରେ ଅଫିମ ଖାଇଲାବାଲା ଯେମିତି କାଉଁଦା ଓ କାବୁ ହୋଇ ପଡ଼ିରହେ, ଠିକ୍ ସେମିତି । ଏବଂ ସେହି ମଣିଷଟାକୁ ଯିଏ ପାରେ ଅତି ଚମତ୍କାର ଭାବରେ କାବୁ କରି ରଖି ଦେଇପାରେ । ଯିଏ ପାରେ, ଆଙ୍କୁଶି ବଢ଼ାଇ ଘୋଷାରି ନେଇପାରେ, ପଇସା ଦେଇ କିଣି ମଧ୍ୟ ନେଇପାରେ ।

 

ପ୍ରେରଣା ପାସୋର ଯାଏ ନାହିଁ, ପ୍ରେରଣା ଆମ ଭିତରକୁ ଯାଏ, ଆମର ପ୍ରାଣରେହିଁ ପରିଣତ ହୁଏ । ଆମ ରକ୍ତ ମାଂସରେ ପରିଣତ ହୋଇଯାଏ । ଆମ ଗବାକ୍ଷଗୁଡ଼ାକୁ ସିଏ ଆହୁରି ଅଧିକ ପରିମାଣରେ ଜାଗ୍ରତ କରି ଦେଇଯାଏ । ଆମ ଆଖିଗୁଡ଼ାକରେ ଆହୁରି ଅଧିକ ଶ୍ରଦ୍ଧା ଆଣି ଭରିଦିଏ, ଆମ ହୃଦୟରେ ଆହୁରି ଅଧିକ ଆତ୍ମୀୟତା ଏବଂ ଅନ୍ତରଙ୍ଗତା ଭରି ଦେଇଯାଏ । ଜୀବନରେ ଯାହା ହୁଏ, ସାହିତ୍ୟରେ ମଧ୍ୟ ଠିକ୍ ତାହାହିଁ ହୁଏ । ଜୀବନକୁ ଯିଏ ପ୍ରଧାନତଃ ଏକ ବିନୋଦନ ବୋଲି ଗ୍ରହଣ କରିନେଇ ନଥାଏ, ସାହିତ୍ୟକୁ ମଧ୍ୟ ସିଏ କଦାପି ଏକ ବିନୋଦନ ବୋଲି ଗ୍ରହଣ କରି ପାରେ ନାହିଁ । ସାହିତ୍ୟର ଅଧିଷ୍ଠାତ୍ରୀ ଦେବୀଙ୍କୁ ସେ ‘ନିଃଶେଷଜାଡ଼୍ୟାପହା’ ବୋଲି ଗ୍ରହଣ କରେ, ଏବଂ ‘କୁନ୍ଦେନ୍ଦୁ ତୁଷାରହାରଧବଳ’ ତୁଳିତଳ୍ପ ବୋଲି ଗ୍ରହଣ କରି ତାହାରି ଉପରେ ଯାଇ ଶୋଇପଡ଼େ ନାହିଁ । ଜୀବନ ଓ ସାହିତ୍ୟକୁ ଧର୍ମତ ଏକ ପ୍ରେରଣା ବୋଲି ଗ୍ରହଣ କରିଥିବା ଓ ସେଗୁଡ଼ିକୁ ପ୍ରଧାନତଃ ଏକ ପ୍ରେରଣାରୂପେ ବଞ୍ଚି ପାରୁଥିବା ମଣିଷ ସାହିତ୍ୟ ବୋଲି ଯାହା କିଛି ସୃଷ୍ଟିକରେ, ତାହା ହୁଏତ ବିନୋଦନଲୋଭୀ ଅନେକଙ୍କର କର୍ଣ୍ଣ ତୁଷ୍ଟିକର ହୋଇ ପାରେ ନାହିଁ ସତ, ମାତ୍ର ତାହା ଘଟ ଘଟରେ ପ୍ରବେଶ କରି ଏକ ଉଦ୍‌ବେଳନର ସୃଷ୍ଟି କରେ, କେତେ କେତେ ଗଛରୁ ତାହା ପାଚିଲା ପତରଗୁଡ଼ାକୁ ହଲାଇ ଖସାଇ ଦେଇଯାଏ, ପଳାୟନର ଅନେକ ପଥ ଓ ଗହ୍ଵରକୁ ବନ୍ଦ କରି ରଖିବାରେ ତାହା ଅନେକ ସାହାଯ୍ୟ କରେ, ନିର୍ଭୀକ ଭାବରେହିଁ ସାହାଯ୍ୟ କରେ । ସେହି ସାହିତ୍ୟ କେବଳ ବ୍ୟକ୍ତିକୁ ନୁହେଁ, ଜାତିକୁ ମଧ୍ୟ ପ୍ରେରଣା ଦିଏ, ଜାତି ଆଗରେ ତାହା ନାନା ନୂତନ ଉନ୍ମୋଚନମାନ ଘଟାଇବାରେ ନିମିତ୍ତ ହୁଏ । ପ୍ରେରଣା କୁହୁଡ଼ି କାଟେ, ସମର୍ପଣ ନିମନ୍ତେ ପ୍ରସ୍ତୁତ କରେ । ବିନୋଦନର ସାହିତ୍ୟ ଜୀବନକୁ ଗୋଟାସୁଦ୍ଧା ରଙ୍ଗ ବୋଲି କହି ଫାଙ୍କି ଦେବାର ଚେଷ୍ଟା କରୁଥିବାବେଳେ ଅନ୍ୟଟି ଆମକୁ ସଖା ପରି ଆହ୍ଵାନ କରୁଥାଏ, ସତେ ଅବା ଆପଣାର ଘର ଭିତରକୁ ଡାକି ଆଣିଲା ପରି ଜୀବନ ମଧ୍ୟକୁ ଡାକି ନେଇଆସେ । ଆମର ଉପନୟନ ହୋଇଥାଏ-

 

ଆମେ ସାହିତ୍ୟ ମାଧ୍ୟମରେ ବିନୋଦନର ଦଧିଭାଣ୍ଡଗୁଡ଼ାକୁ ଭାଙ୍ଗିବାରେ ଲାଗିଥିବା ନା ଦ୍ଵାରୋଦ୍‌ଘାଟନ ଲାଗି ବାଟ କାଢ଼ି ନେଉଥିବା ? ଆମର ସାହିତ୍ୟ ଆମ ମନୋରଞ୍ଜନ କରିବାରେ ଲାଗିଥିବ ନା ଆମର ହୃଦୟକୁ ରଙ୍ଗାଇବାରେ ସହାୟତା କରିବ ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ହିଁ ସାହିତ୍ୟର ଧାଉଡ଼ି ଭିତରେ ଆମର କୁଳାଚାରଟିକୁ ନିର୍ଦ୍ଧାରିତ କରି ଦେଉଥିବ ।

 

୨୨ । ୭ । ୭୫

[ଜୀବନ-ରଙ୍ଗ, ଦଶମ ବାର୍ଷିକ ବିଶେଷଙ୍କ ୧୯୭୫]

Image

 

Unknown

ସାହିତ୍ୟ-ଚେତନାରେ ନବତରଙ୍ଗ

 

ସାହିତ୍ୟ-ଚେତନା ବୋଲି ତୁମ ଆମ ଭିତରେ ହୁଏତ ଗୋଟିଏ ସ୍ଵତନ୍ତ୍ର ଚେତନା କଦାପି ନଥାଇପାରେ, ତଥାପି ଏକଥା ମଧ୍ୟ କଦାପି କୁହାଯାଇପାରିବ ନାହିଁ ଯେ ଆମେ ଏକ ଅଚେତନାରୁ ମଧ୍ୟ ସାହିତ୍ୟର ରଚନା କରିପାରିବା । ସାହିତ୍ୟ ହେଉଛି ଏକ ସଚେତନ ଜୀବନର ଉଦ୍ୟମ, ସଖ୍ୟ ଲୋଡ଼ୁଥିବା ଏକ ଚେତନାର ଉଦ୍ୟମ ଏବଂ ଅତ୍ୟନ୍ତ ସଚେତନ ଭାବରେ ଆପଣାର ସୀମାଗୁଡ଼ିକର ସେପାଖକୁ ବାହାରିଯାଇ ଆପଣାକୁ ନୂଆ ନୂଆ କେତେ ସମ୍ବନ୍ଧରେ ଧନାଢ଼୍ୟ ଓ ସମ୍ପଦବାନ୍ କରିପାରିବାର ଏକ ଉଦ୍ୟମ ।

 

ଆଖିଟା ରହିଥିବାଯାଏ ଆମେ ସବୁବେଳେ ଦେଖିପାରୁ ସତ, ମାତ୍ର ତଥାପି ସାହିତ୍ୟର ଚେତନାଟି ଦେଇ ହିଁ ସବୁବେଳେ ସବୁ କଥା ଦେଖୁ ବୋଲି କଦାପି କୁହାଯାଇ ପାରିବ ନାହିଁ ଏବଂ ଆଖି ବୁଜିକରି ବସିଥିବାବେଳେ ମଧ୍ୟ ସାହିତ୍ୟ-ଚେତନାରେ ଆମେ ତଥାପି ଦେଖିବା ଲାଗି ସମର୍ଥ ହେଉ । କାନ ରହିଥିବାଯାଏ ଆମେ ସଂସାରରେ ସବୁ କଥା ଶୁଣିପାରୁ ସତ, ମାତ୍ର ସାହିତ୍ୟର ଚେତନାଟି ଦେଇ ଆମେ ସବୁବେଳେ ସବୁକଥା ଶୁଣିପାରୁ ବୋଲି କଦାପି କୁହଯାଇ ପାରିବ ନାହିଁ-। ହୃଦୟ ଥିଲେ ଆମେ ସବୁ କଥାକୁ ଅନୁଭବ କରିବାର ସାମର୍ଥ୍ୟଟିକୁ ଅବଶ୍ୟ ରଖିଥାଉ, ଆପଣାର ପ୍ରେମ ଅପ୍ରେମ, ଘୃଣା ଓ ଆଗ୍ରହଗୁଡ଼ାକୁ ନେଇ ଆମେ କେତେ ପ୍ରକାରେ ତାପଯୁକ୍ତ ହୋଇ ରହିଥାଉ, ଆବେଗ ଓ ଉଦବେଗର ରଣ-କ୍ଷେତ୍ରରେ କେତେ କେତେ ନଗର ଧ୍ଵଂସ କରି ଆସୁ, କେତେ କେତେ ଗ୍ରାମକୁ ଜଳାଇ ଭସ୍ମ କରି ଦେଉ ଓ କେତେ ବସତିକୁ ଉଜୁଡ଼ାଇ ଦେଇଥାଉ, ମାତ୍ର ତଥାପି ହୃଦୟଟା କାମ କରୁଥିଲେ ମଧ୍ୟ ସାହିତ୍ୟିକ ଚେତନାଟା ଯେ ଅବଶ୍ୟ କାମ କରୁଥିବ, ସେକଥା କଦାପି କୁହାଯାଇ ପାରିବ ନାହିଁ । ଏପରିକି ଆମେ ଯେଉଁମାନେ ତଥାକଥିତ ସାହିତ୍ୟିକ ବା ସାହିତ୍ୟକାର ବୋଲାଉ, ଅର୍ଥାତ୍ ଦିନରେ ମେଣ୍ଢା ହୋଇ ରାତିକୁ ଭେଣ୍ଡା ବନି ବାହାରୁ ଦିନଯାକ ନାନା ନିର୍ଭରଶୀଳତାର ସ୍ତନ୍ୟପୋଷିତ ସୁରକ୍ଷା ଭିତରେ ବନ୍ଧା ହୋଇ ରହି ରାତିକୁ କଲମ ଧରି, ‘ପୁରୁଷଂ ମହାନ୍ତଂ’ ହୋଇ ବସ ସେମାନଙ୍କର ସକଳ ସବୁସ୍ତରୀୟ ଚେତନାକୁ ମଧ୍ୟ କଦାପି ସାହିତ୍ୟ-ଚେତନା ବୋଲି କୁହାଯାଇ ପାରିବନାହିଁ । ଆମ ଆଧୁନିକ ସଂସାରଟା କୁଆଡ଼େ ଏମିତି ହୋଇପଡ଼ିଛି ଯେ, ସେଥିରେ ପ୍ରତ୍ୟେକ ପୁରୁଷକୁ ଏକାବେଳକେ ପନ୍ଦରଟା କରି ବେଶ୍ ପାଖରେ ରଖିବାକୁ ପଡ଼ୁଛି, ଏକାବେଳକେ ପନ୍ଦର ରକମର ଗଳିରେ ବିହାର କରିବାକୁ ପଡ଼ୁଛି,–ଆପଣାର ନିଜ କଲିଟା ଉପରେ ଆଉ ଗୋଟାଏ କଲି ଲଗାଇ ଅନ୍ତତଃ କିଛି ସମୟ ପାଇଁ ଅନ୍ୟ ପ୍ରକାର ଦିଶିବା ଲାଗି ଓ ତେଣୁ ସେହି ସମୟଟା ସକାଶେ ଆପଣାଠାରୁ ଫୁରସତ ମାଗି କିଞ୍ଚିତ ଲୁଚି ରହି ପାରିବାଲାଗି ଏକ ଅବସରକୁ ହାତରପାଞ୍ଚ କରି ରଖିବାକୁ ପଡ଼ୁଛି । ଏହି ଜୀବନର ଭାଣ୍ଡଟା ଉପରେ କେତେବେଳେ ନାନାସକ୍ତ ଜନ୍ଦା ପରି ମନ୍ଦା ବାନ୍ଧି ବୁଲିବାକୁ ପଡ଼ୁଛି ତ ଆଉ କେତେବେଳେ ଗୋଟାସୁଦ୍ଧା ଆପଣାର ଯନ୍ତାଟା ମଧ୍ୟରେ ଏକକ ଦର୍ପରେ ସତେଅବା ଯେଉଁ ଅବମାନିତ ଅର୍ଦ୍ଧଈଶ୍ଵର ପରି ଲାଙ୍ଗୁଳ କଚାଡ଼ିବାକୁ ପଡ଼ୁଛି ଏବଂ ଏଗୁଡ଼ାକ ମୋଟେ ଅଚେତନ ଭାବରେ ହେଉନାହିଁ କାରଣ ଏଗୁଡ଼ାକ କରିବା ଲାଗି ଆମରି ଇଚ୍ଛାରେ ସମାଜ ଆମକୁ ଅନୁଷଣ ମଣି କରିବାରେ ଲାଗିଛି । ତେଣୁ ଏଗୁଡ଼ାକ ମଧ୍ୟ ଆମ ଚେତନାର ଗୋଟାଏ ଗୋଟାଏ ବିଶେଷ ଅବସ୍ଥା, ଆମ ଚେତନାଶ୍ରୟର ଗୋଟାଏ ଗୋଟାଏ ବିଶେଷ ଗାଢ଼ । ମାତ୍ର ସେଗୁଡ଼ାକୁ ଆମର ସାହିତ୍ୟ-ଚେତନା ବୋଲି କିପରି କୁହାଯିବ ଏବଂ ଏଗୁଡ଼ାକୁ ଏକାବେଳକେ ଛାଡ଼ି ଏଗୁଡ଼ାକରୁ ଦୂରଛଡ଼ା ହୋଇ ଆମରି ଭିତରେ ଆମ ସାହିତ୍ୟ-ଚେତନା ସତେଅବା ଆଉ କେଉଁଠି ଅବସ୍ଥିତ ରହିଛି ବୋଲି ବା କିପରି କୁହାଯାଇ ପାରିବ ?

 

ଆମ ସାହିତ୍ୟ-ଚେତନାଟା ପ୍ରକୃତରେ ଠିକ୍ ଆମର ଚେତନା ସତ, ମାତ୍ର ତାହାକୁ ଆମ ଭିତରେ ଥିବା ଏକ ବିଲଗ, ସ୍ଵତନ୍ତ୍ର ଏବଂ ପୋଷାକୀ ବିଶେଷ ଚେତନା ବୋଲି କଦାପି କୁହାଯାଇ ପାରିବ ନାହିଁ । ଆମ ପୋଷାକଗୁଡ଼ାକ ଆମକୁ ହୁଏତ ଭାରି ମାନିପାରେ, ଏଗୁଡ଼ାକୁ ପିନ୍ଧ ଯେ ଆମେ ଏକ ବିଶେଷ ଭୂମିକାରେ ଅଭିନୟ କରିବାରେ ଲାଗିଛୁ, ତାହା ଆମ ବିଷୟରେ ଏହି ସତ୍ୟଟିକୁ ଆମ ଜୀବନର ଯାବତୀୟ କ୍ଷେତ୍ରରୁ ହୁଏତ ବଡ଼ ଚମତ୍କାର ଭାବରେ ଲୁକ୍‌କାୟିତ କରି ରଖି ଦେଇପାରେ, କିନ୍ତୁ ଏହି ସବୁକିଛି କହି ସାରିଲା ପରେ ମଧ୍ୟ ଆମ ପୋଷାକଟାକୁ କେବଳ ଅଙ୍ଗ ବେଢ଼ାଇ ରଖିଥିବା ଗୋଟାଏ ଖୋଳ ବୋଲି ହିଁ କୁହାଯିବ, ତାହାକୁ କଦାପି ଆମର ଅଙ୍ଗ ବୋଲି କୁହାଯାଇ ପାରିବ ନାହିଁ । ତେଣୁ ଆମର ପୋଷାକଟା ଯେପରି ଆମର ଅଙ୍ଗ ନୁହେଁ, କେବଳ ଆମର ଗୋଟାଏ ଖୋଳ ମାତ୍ର, ସେହିପରି ଆମର ସାହିତ୍ୟ-ଚେତନା କଦାପି ଆମର ଗୋଟିଏ ଖୋଳ ନୁହେଁ, ତାହା ହେଉଛି ଆମ ଜୀବନର ଏକ ସମଗ୍ର ରଙ୍ଗ, ତାହା ହେଉଛି ଆମର ଏକ ସମଗ୍ର ପରିଚୟ ।

 

ଆମ ପୁରୁଣା ପରମ୍ପରାଟି ଅନୁସାରେ ଆମେ ସାହିତ୍ୟକୁ ଯେପରି ଭାବରେ ବ୍ୟବହାର କରି ଆସିଛୁ, ଅର୍ଥାତ୍ ଆମେ ତାକୁ ଯେପରି ଭାବରେ କାମରେ ଲଗାଇ ଆସିଛୁ, ସେଥିରୁ ଆମ ସାହିତ୍ୟ ଆମର ଅସଲ ଚେତନାଟିକୁ ଲୁଚାଇ ରଖୁଥିବା ସତେଅବା ଗୋଟାଏ ମଣ୍ଡନ ବା ଗୋଟାଏ ଅଳଙ୍କାର ପରି ହିଁ ଅନେକ ସମୟରେ ମନେ ହୋଇଛି । ସେଥିଲାଗି ଆପଣା ଚେତନାର ଗଳିକନ୍ଦିରେ ଆମେ ଶୃଗାଳ ବା ଶାର୍ଦ୍ଦୂଳ ସଦୃଶ ଏଣେତେଣେ ଲୁଚି ବୁଲିବାରେ ଲାଗିଥିଲେ ମଧ୍ୟ ଆମର ସାହିତ୍ୟ ସତେଅବା ଆମର ସେହି ଅଚାତରଗୁଡ଼ାକୁ ଘୋଡ଼ାଇ ରଖିବାର ଗୋଟାଏ ପରଦାପରି ହିଁ ବ୍ୟବହୃତ ହୋଇଛି । ଆମର ମଦଖିଆଟା ଯେପରି ଆମର ସ୍ଵଗୃହଚରିତଗୁଡ଼ାକୁ ଆମଠାରୁ ଲୁଚାଇ ରଖିବାକୁ ଚେଷ୍ଟାକରେ, ଆମ ଗଳାରେ ବହଳ ହୋଇ ପଡ଼ିଥିବା ଧଣ୍ଡାମାଳଗୁଡ଼ାକ ଯେମିତି ଆମ ଦେହର ଚର୍ମବିକାରଗୁଡ଼ାକୁ ଲୁଚାଇ ରଖିବାର ପ୍ରୟାସ କରୁଥାଏ, ସେହିପରି ସାହିତ୍ୟର ମୁଖା ପିନ୍ଧି ଆମେ ଅନେକ ସମୟରେ ଆମର ଅସଲ ମୁହଁଗୁଡ଼ାକୁ ବେଶ୍ ଲୁଚାଇ ରଖିବା ଲାଗି ଚେଷ୍ଟା କରୁଥାଉ ଏବଂ ଆମ ସମାଜ ଭିତରେ ଯେମିତି ବଡ଼ ନିପୁଣ ଭାବରେ ଆମକୁ ଆମର କେତେକ’ଣ ଲୁଚାଇ ରଖିବା ଲାଗି ଏକ ସଫଳତା ମିଳି ଯାଇଥାଏ, ଆମ ସାହିତ୍ୟଦ୍ଵାରା ମଧ୍ୟ ଆପଣାକୁ ଲୁଚାଇ ରଖିବା ଲାଗି ଆମେ ଠିକ୍ ସେହିପରି ଏକ ସଫଳତା ଅର୍ଜନ ବି କରିଥାଉ । ଆମ ଭିତରେ ତେଣେ କେତେକ’ଣ କୁହୁଳିବାରେ ଲାଗିଥାଏ; ଲମ୍ପଟ କୁହୁଳୁଥାଏ, ଲୋଲୁପ କୁହୁଳୁଥାଏ, ଅଳପକୁ ମନକରି ଅଧିକାକୁ ଆବୋରି ଧରୁଥିବା ଭୀରୁ ବି କୁହୁଳୁଥାଏ, ଅଳପ ଦେଇ ଅଧିକ ମାରିଦେବାର ଅତିନିର୍ବୋଧଟା ବି ତାହାରି ଭିତରେ କୋଉଠି ଚାରିଚକା ମାଡ଼ିଦେଇ ବସିଥାଏ; ମାତ୍ର ତଥାପି ଏଣେ ଉପରେ ସାହିତ୍ୟ ବି ଚାଲିଥାଏ । ହୁଏତ ବଡ଼ ସଫଳ ଭାବରେ ଓ ବଡ଼ ଗମାତିଆ ହୋଇ ସାହିତ୍ୟ ଚାଲିଥାଏ । ବହି ଉପରେ ବହି ବାହାରୁଥାଏ, ଗୋଟାଏ ଉପଢ଼ୌକନ ପରେ ଆଉ ଗୋଟିଏ ଉପଢ଼ୌକନ ମିଳିବାରେ ଲାଗିଥାଏ । ଅମୁକ ସାହିତ୍ୟର ଅମୁକ ଯୁଗକୁ ଅଥବା ଅମୁକ ବିଭାଗଟାକୁ ଅମୁକ ସାହିତ୍ୟିକଙ୍କର ଦାନ ବିଷୟରେ ପୃଷ୍ଠାକୁ ପୃଷ୍ଠା ଅଜଡ଼ା ହେବାରେ ଲାଗିଥାଏ, ମାତ୍ର ତେଣେ ଭିତରେ କଅଁଳିଆ ପତରଗୁଡ଼ାକ ତଥାପି ଝାଉଁଳିକରି ରହିଥାନ୍ତି, ଜୀବନଟାଯାକ ତଥାପି କେବଳ ଏକ ଶୋକସ୍ମରଣର ଏକୁଟିଆ ଘର ପରି ବୋଧ ହେଉଥାଏ, ନିଜ ଭିତରେ ନିଜକୁ ତୁଚ୍ଛା ଆଣ୍ଠୁକୁଡ଼ା ପରି ହିଁ ଲାଗୁଥାଏ । ସଫଳତାଗୁଡ଼ାକ ଆମ ଜିଲ୍ଲା ବା ଅଞ୍ଚଳର ସାହିତ୍ୟ-ସମ୍ମିଳନୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଡେଇଁ ଡେଇଁ ଅଗ୍ରଗତି କରୁଥିବା ସମୟରେ ତେଣେ ନିଷ୍ଫଳତାଗୁଡ଼ାକ ମଧ୍ୟ ଆମ ଅସଲ ଦରବାରରେ ଆମ ଅସଲ ଆବେଦନଟିର ମୁହଁରେ ସତେଅବା କଳା ବୋଳି ଦେବାରେ ହିଁ ଲାଗିଥାନ୍ତି । ଆମର ଚେତନାଘରେ ଆମେ ସତେଅବା ଭାରି ଲାଜରା ହୋଇ ପଡ଼ି ରହିଥାଉ ।

 

ଆମ ସାହିତ୍ୟ ଆମ ଜୀବନ ଉପରେ କେବଳ ପୁଟ ମଡ଼ାଇ ରଖିଥିବା ଏକ ଆବରଣ ନୁହେଁ, ଆମକୁ ମନ୍ତୁରାଇ ବା ମୁଗ୍‌ଧ କରି ରଖିଥିବା କେବଳ ଏକ ମଣ୍ଡନ ଅଥବା ଅଳଙ୍କାର ନୁହେଁ–ଏହା ହେଉଛି ଆମ ଜୀବନର ସ୍ଵତଃ-ଉକୁଟ ରଙ୍ଗ, ଏହା ହେଉଛି ଆମ ଚେତନାର ହିଁ ଏକ ଅନ୍ୟତମ ପରିପ୍ରକାଶ । ଏହି କଥାଟା ଆଦୌ ଏକ ପୁରୁଣା କଥା ନୁହେଁ, ଅନ୍ତତଃ ସାହିତ୍ୟରେ ଆଦୌ ପୁରୁଣା କଥା: ନୁହେଁ; ଏହା ହେଉଛି ଆମର ଏହି ଯୁଗଟିର ଏକ ନୂତନ ଆବେଦନ, ଏକ ନୂତନ ତରଙ୍ଗ ।

 

ମଣିଷର ସଭ୍ୟତା, ମଣିଷର ଧର୍ମ, ମଣିଷର ଆଗ୍ରହ ଏବଂ ଆରାଧନାଗୁଡ଼ାକ ଯେତେଦିନ ଯାଏ ମଣିଷର ଜୀବନ ଉପରେ ମୁଖ୍ୟତଃ ଏକ ମଣ୍ଡଣି ହୋଇ ରହିଥିଲା । ସେପର୍ଯ୍ୟନ୍ତ ଆମର ଜୀବନ ଓ ଆମର ସାହିତ୍ୟ ମଧ୍ୟରେ ହୁଏତ କ୍ରୋଶ କ୍ରୋଶ ଅନ୍ତର ରହିଥିଲା । ଜୀବନକୁ ସାହିତ୍ୟ ସହିତ ଯୋଡ଼ିବାଲାଗି ସେତେବେଳେ ଖୁବ୍ ବେଶି ଚେଷ୍ଟା ହେଉନଥିଲା । ସାହିତ୍ୟକୁ ଏକ ସୂକ୍ଷ୍ମକଳା ବୋଲି କୁହାଯାଉଥିଲା ଏବଂ ଜୀବନକୁ ସେତେବେଳେ କ୍ରୂର ବାସ୍ତବ ବୋଲି କୁହାଯାଉଥିଲା । ଜୀବନରେ କେହି ଗୋଟିଏ ବୋଲି ପ୍ରିୟା ନଥାନ୍ତୁ ପଛକେ, ପ୍ରଥମ ମେଘର ଆଗମନରେ ମୋ ବିହୁନେ ମୋ’ ପ୍ରିୟା ବା ମୋ’ ବାଳା ତେଣେ ମେଘକୁ ଚାହିଁ ତାର କାନ୍ତ ବିଷୟରେ କ’ଣ ଭାବୁଥିବ ଏବଂ କାନ୍ତ କାହିଁକି ନଇଲେ ବୋଲି ମେଘକୁ କିପରି ଝିଙ୍ଗାସି କହୁଥିବ, ମୁଁ ସେତେବେଳେ ସେହି ବିଷୟରେ କେତେ ଟହଟହ ମହମହ କରି ସାହିତ୍ୟ ଲେଖିପାରୁଥିଲି ଓ ତାହାକୁ ରାଜାଙ୍କର ସଭାରେ ଲାଗିକରିଦେଇ ପାରିତୋଷିକ ଲାଭ କରିପାରୁଥିଲି । ସେତେବେଳେ ଆଦୌ ନାୟିକା ନଥାଇ ତଥାପି ନାୟିକା-ବିଚାରକୁ ସର୍ବପ୍ରଧାନ ସନ୍ଦର୍ଭ କରି ଶାସ୍ତ୍ର ଲେଖା ହେଉଥିଲା । ସାହିତ୍ୟ ଭିତରେ ଏହିଗୁଡ଼ାକୁ ହିଁ ସର୍ବସାର ଚର୍ବଣ ବୋଲି ଗ୍ରହଣ କରାଯାଉଥିଲା ଏବଂ ତେଣୁ ସାହିତ୍ୟର ଦାଣ୍ଡିଟା ଜୀବନଲାଗି ମନା ହୋଇ ରହିଥିଲା । ଜୀବନରେ ହିଁ ଗଦ୍ୟର ପ୍ରଚଳନ ହୁଏ, ତେଣୁ ପଦକୁ ପଦ ଓ ଅକ୍ଷରକୁ ଅକ୍ଷର ପକାଇ ପଦ୍ୟରେ କିଛି କୁଞ୍ଚକରି ସଜାଇ ବାଢ଼ିଦେବାକୁ ହିଁ ଏକଦା ସାହିତ୍ୟ ବୋଲି କୁହାଯାଉଥିଲା । ସେତେବେଳେ ଜୀବନର କଥା କହିବା ଲାଗି ସାହିତ୍ୟକୁ ସତରେ ଲାଜମାଡ଼ୁଥିଲା କି ? ଜୀବନର ଅଙ୍ଗେ ନିଭା ଦୁଃଖ ଓ ସୁଖଗୁଡ଼ାକୁ ସିଏ ଯେମିତି ଅନୁଭବ କରୁଛି, ଠିକ୍ ସେମିତି ନକହି ତାହାର ଏକ ଗୀତାଭିନୟଧର୍ମୀ ସଂସ୍କରଣକୁ ଆଣି ବାଢ଼ିଦେବାଦ୍ଵାରା ମଣିଷ ସେତେବେଳେ ଗୋଟାଏ ପ୍ରକାର ମିଛ ଆଶ୍ଵାସନା ବା ମିଛ ପରିତ୍ରାଣ ପାଇବାକୁ ଇଚ୍ଛା କରୁଥିଲା କି ?

 

ଜୀବନରେ ଯେମିତି ଲାଜର କୌଣସି ସ୍ଥାନ ନାହିଁ, ସାହିତ୍ୟରେ ମଧ୍ୟ ସେମିତି ଲାଜର କୌଣସି ସ୍ଥାନ ନାହିଁ । ଜୀବନ ଲୁଚାଇ ରଖିବାକୁ ନୁହେଁ, ଆପଣାର ଭାଗ୍ୟ ବୋଲି ଆପଣାର ପୁଟୁଳାଟିରେ ଗଣ୍ଠି କରି ବାନ୍ଧି ବାହାରେ ଘୁଙ୍ଗୁର ପିନ୍ଧି ପଟୁଲା ଲଗାଇ ନାଚିବାଟା ମଧ୍ୟ ଜୀବନ ନୁହେଁ । ଜୀବନ ହେଉଛି ବଞ୍ଚିବା ପାଇଁ, ଆପଣାର ଉପଲବ୍‌ଧ ପରିଧିଟିରେ ଅନୁପଲବ୍‌ଧ ଅଥଚ ଅଭିଳଷିତ ଆହୁରି ଅନେକ ସ୍ଵପ୍ନ ଦେଖିବା ପାଇଁ; ସେହି ପରିଧିଗୁଡ଼ିକୁ ଦିନେ ଆପଣା ଭିତରକୁ ଆବାହନ କରି ଆଣିବା ପାଇଁ ଓ ସେହିଗୁଡ଼ିକ ମଧ୍ୟକୁ ଆପଣାକୁ ସମ୍ପ୍ରସାରିତ କରି ନେବା ପାଇଁ । ଜୀବନ ଏକ ଆହ୍ଵାନ ଏବଂ ଏକ ଆମନ୍ତ୍ରଣ; ବଞ୍ଚିବା ମଧ୍ୟ ଏକ ଆହ୍ୱାନ ଏବଂ ଏକ ଆମନ୍ତ୍ରଣ ଏବଂ ଏହି ନୂତନ ବ୍ୟାଖ୍ୟାଟି ଅନୁସାରେ ଜୀବନ ମଧ୍ୟରେ ସାହିତ୍ୟ ବୋଲି ଯାହା କିଛି ରହିବ, ତାହା ମଧ୍ୟ ସେହିପରି ଏକ ଆହ୍ଵାନ ହୋଇ ରହିବ । ଅଜ୍ଞାତ ଲାଗି ଜ୍ଞାତର ଆହ୍ଵାନ ହୋଇ ରହିବ । ଅନୁପଲବ୍‍ଧ ଲାଗି ଉପଲବ୍‌ଧର ଆମନ୍ତ୍ରଣ ହୋଇ ରହିବ । ଆମେ ଯେତେବେଳେ ଆମର ଚେତନାଟିକୁ ଆମ ଜୀବନର ଏକ ସମଗ୍ର ସହଚର କରି ନେଇ ବାଟ ଚାଲି ଶିଖୁ, ଏହି ଚେତନାଟିକୁ ଦୁଇଭାଗ ଅବା ବହୁଭାଗ କରିଦେଇ ତାହାରି ଉଢ଼ୁଆଳରେ ଦ୍ଵିଖଣ୍ଡିତା ଅବା ବହୁ ଖଣ୍ଡ ହୋଇ ଜୀବନର ବୋଝ ବୋହିବାକୁ ଯେତେବେଳେ ଆମକୁ ପ୍ରକୃତରେ ଲଜ୍ଜାଲାଗେ, ଅସହ୍ୟ ଲାଗେ । ସେତେବେଳେ ଆମ ସାହିତ୍ୟର ଆଗ୍ରହଟା ମଧ୍ୟ ଆମ ଜୀବନର ଏକ ଅଙ୍ଗୀଭୂତ ଅଂଶ ହୋଇ ରହିବାକୁ ଆରମ୍ଭ କରେ । ତାହା ଆମ ଜୀବନର ଏକ ସମଗ୍ର ଅଙ୍ଗୀକାରରେ ପରିଣତ ହୋଇଯାଏ-। ସାହିତ୍ୟ ରଚନା କରିବାର ତଥା ସାହିତ୍ୟ ପଠନ କରିବାର ଦୁଇଟିଯାକ ଆଗ୍ରହ ହିଁ ସେତେବେଳେ ଆମ ଜୀବନାଗ୍ରହଟି ସହିତ ଅଭିନ୍ନ ହୋଇ ରହିଥାଏ । ଆମ ଆଗ୍ରହଗୁଡ଼ାକ ସେତେବେଳେ ଆରୋହଣ ଲୋଡ଼ୁଥାନ୍ତି, ଏକ ସର୍ବବ୍ୟାପୀ ଓ ସର୍ବାନୁଭୂତିର ଅନ୍ଵେଷଣ କରିବାରେ ଲାଗିଥାନ୍ତି, ଆମର ଅନୁନ୍ନୋଚିତ କେତେ କେତେ କକ୍ଷ ତଥା ଗବାକ୍ଷ ଲାଗି ସେମାନେ ଏକ ନବୋନ୍ନୋଚନର ମୁହୂର୍ତ୍ତଟିକୁ ବହନ କରି ଆଣନ୍ତି । ଆମ ଜୀବନରେ ସେତେବେଳେ ସତେଅବା ଏକ ନବତରଙ୍ଗ ଆସି ବାଜିବାକୁ ଆରମ୍ଭ କରେ । ଆମ ଚେତନାରେ ବାଜେ । ଆମର ସାହିତ୍ୟ ମଧ୍ୟ ସେହିଭଳି ଗୋଟିଏ ତରଙ୍ଗସ୍ପର୍ଶରେ ନବୀନ ହୋଇଯାଏ ।

 

ଏହି ନବତରଙ୍ଗର ସ୍ପର୍ଶଟି ଆସି ଆମ ଦେହରେ ବାଜିବା ମାତ୍ରକେ ମଣିଷଗୁଡ଼ାକ ଆମ ଆଖିକୁ ସତେ ଅବା ଜୀଅନ୍ତାପରି ଦିଶନ୍ତି । ମାଟି ଗୋଡ଼ଭଳି ମୋଟେ ଦିଶନ୍ତିନାହିଁ । ଆମର ଗଳ୍ପ, କବିତା ଅଥବା ନୂତନ ନାଟକରେ ଆମେ ବ୍ୟବହାର କରିବାକୁ ଯାଉଥିବା ପଣ୍ୟ ପରି ସେମାନେ ଆଦୌ ଦିଶନ୍ତିନାହିଁ । ସେତେବେଳେ ସଂସାରଟା ଯେଉଁଠି ଯେପରି ଅଛି, ତାହାକୁ ଠିକ୍ ସେହିପରି ଭାବରେ ସତେଅବା ଗୋଟାଏ ନିଷ୍ପ୍ରାଣ ଫଟୋଗ୍ରାଫ୍ ପରି ଦେଖାଇ ଦେବାଲାଗି ଆମେ ଆମ ସାହିତ୍ୟକୁ କେବଳ ଏକ ଉପଭୋଗ୍ୟ ଅଥବା ଉପଜୀବ୍ୟ ବସ୍ତୁରୂପେ ଆଉ କଦାପି ବ୍ୟବହାର କରି ପାରୁନାହିଁ । ଆମ ସାହିତ୍ୟ ସେତେବେଳେ ଆତ୍ମୀୟତା ଖୋଜିବୁଲେ, ଉଦାସୀନତା ବା ଉପେକ୍ଷାକୁ ତାହା ଏକ ପାପ ବୋଲି ଘୋଷଣା କରେ । ସାହିତ୍ୟ-ଚେତନାରେ ନବତରଙ୍ଗଟି ଆସି ବାଜି ପାରିଲେ ସାହିତ୍ୟ ଆଉ ବୟସର ଗୋଟାର ନିଶା ହୋଇ ରହେନାହିଁ, କେବଳ ଏକ ସଉକ ବା ସୌଖିନ ମଜ୍‌ଦୁରି ହୋଇ ଆଦୌ ରହେନାହିଁ । ସେତେବେଳେ ତାହା ଏକ ନୂତନ ଲୋଡ଼ିବାରେ ହିଁ ରୂପାନ୍ତରିତ ହୋଇଯାଏ । ସେହି ଲୋଡ଼ିବା କେବଳ ଲୋଡ଼ାଗୁଡ଼ାକୁ ସାଉଁଟି ଧରି ଅଲୋଡ଼ାଗୁଡ଼ାକୁ ଫିଙ୍ଗି ପଳାଇ ଯାଏନାହିଁ; ଗେଜେଟ୍ ଭିତରେ ନାଆଁଥିବା ଅଫିସରମାନେ ଯେପରି କେବଳ ସେହି ଗେଜେଟଟି ଭିତରେ ରହିଥିବା ଅନ୍ୟ ନାମଗୁଡ଼ିକୁ ହିଁ ପଇଟାଇ ରଖିଥାନ୍ତି, ଆପଣାର ସେହି ପଞ୍ଜିକାଟି ମଧ୍ୟରେ ହିଁ ପରସ୍ପର ସହିତ ସଙ୍ଗାତ, ବଉଳ, ସାର୍ ଏବଂ ସମ୍ବନ୍ଧୀ ବସି ସମ୍ବନ୍ଧମାନ ଯୋଡ଼ିଥାନ୍ତି, ସେତେବେଳେ ସାହିତ୍ୟ ଯେପରି କୌଣସି ଅରୀତି ଭିତରକୁ ଆଦୌ ମନ ବଳାଏ ନାହିଁ । ସାହିତ୍ୟ-ଚେତନାରେ ନବତରଙ୍ଗ ଆସି ବାଜିଲେ ସାହିତ୍ୟ ସତେଅବା ଏକ ଶ୍ରଦ୍ଧାରେ ପରିଣତ ହୋଇଯାଏ । ସେତେବେଳେ ସାହିତ୍ୟିକ ଆଉ ଜାତି ଭିତରେ ବାନ୍ଧି ହୋଇ ରହେନାହିଁ ଏହି ରୀତି ବା ସେହି ରୀତି ମଧ୍ୟରେ ବାନ୍ଧିହୋଇ ରହେନାହିଁ, ଏହି ରୀତି ବା ସେହି ରୀତି ମଧ୍ୟରେ ବାନ୍ଧିହୋଇ ରହେନାହିଁ, ଶୈଳୀଟାକୁ ପଇତା କରି ପିନ୍ଧି ପଂକ୍ତି ଭିତରେ ବଡ଼ସାନ ଠଉରାଇବାକୁ ଯାଏନାହିଁ, ସେତେବେଳେ ସ୍ୱୟଂ ସାହିତ୍ୟ ମଧ୍ୟ ଜୀବନ ଭିତରେ ଗୋଟାଏ ସ୍ୱତନ୍ତ୍ର ଏ ଘର ବା ସେ ଘର ହୋଇ ମୋଟେ ରହି ପାରେନାହିଁ ।

 

ସାହିତ୍ୟ-ଚେତନାର ଏହି ନବତରଙ୍ଗଟି ହେଉଛି ଏକ ଅତ୍ୟାଧୁନିକ ତରଙ୍ଗ । ଆମ ଏ ଯୁଗରେ ଏଇଟି କେବଳ ଗୋଟିଏ ଦେଶରେ ଆସୁନାହିଁ କିମ୍ବା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଭାଷାରେ ମଧ୍ୟ ଆସୁନାହିଁ । ଏହା ଏକ ବିଶ୍ଵବ୍ୟାପୀ ତରଙ୍ଗ-ବିକ୍ଷୋଭ ରୂପେ ଆସୁଛି, ଏକ ସମଗ୍ର ଆଲୋଡ଼ନ ରୂପେ ହିଁ ଆସୁଛି । ମଣିଷକୁ ଏହି ନୂତନ ତରଙ୍ଗର ସ୍ପର୍ଶଲାଭ କରିଥିବା ସାହିତ୍ୟ ଆଉ କୌଣସି ପ୍ରକାରେ ଖଣ୍ଡିତ କରି ଦେଖୁନାହିଁ, ମଣିଷକୁ ତାହା ସମଗ୍ର ଓ ସର୍ବଦେଶୀୟ କରି ଦେଖିବାକୁ ସାହସ କରୁଛି । ସେହି ମଣିଷ କଳା ହୋଇପାରେ, ଗୋରା ହୋଇପାରେ । ଯିଏ ଆମର ରିକ୍‌ସାବାଲା ବି ହୋଇପାରେ । ସେହି ମଣିଷ ପ୍ରକୃତରେ କ’ଣ ଚାହେଁ ? ସିଏ କଣ ଆର୍ଥିକ ପ୍ରଚୁରତା ଚାହେଁ, ରାଜନୀତିକ ଆସନ ଅଥବା ପଦ ଇଚ୍ଛା କରେ, ସିଏ କ’ଣ ତାର ଦୈହିକ ଏବଂ ପ୍ରାଣଗତ ବାସନାଗୁଡ଼ାକର ହିଁ ପୂର୍ଣ୍ଣ ପରିତର୍ପଣ ଚାହେଁ ? ମୁଁ ଯାହାକୁ ଭଲପାଏ, ସିଏ ମୋଠାରୁ ପ୍ରକୃତରେ କ’ଣ ଚାହେଁ ? ସିଏ କ’ଣ ମୋରି ଜ୍ଵରଗୁଡ଼ିକ ହାତରେ କେବଳ ଶର୍କରାରେ ତିଆରି ଏକ କଣ୍ଢେଇ ହୋଇ ରହିବାକୁ ଚାହେଁ, ଚଉଷଠି ବନ୍ଧରେ ଚଉଷଠି ବର୍ଗର ଅନ୍ନ ଏବଂ ବ୍ୟଞ୍ଜନ ଭୁଞ୍ଜିବାକୁ ହିଁ ଚାହେ ? ସିଏ କ’ଣ ମୋ’ ସମେତ ଏକାବେଳେକେ ଅନେକ ହାତୀଙ୍କର ପଦ୍ମବନ ପରି ବ୍ୟବହୃତ ହେବାକୁ ଚାହେଁ ? ମୋର ସହଧର୍ମିଣୀ ମୋ’ଠାରୁ କ’ଣ ଚାହାନ୍ତି ? ତାଙ୍କୁ ମୁଁ ଯେପରି ମୋ’ ଘରେ ସର୍ବାଳଂକୃତା ଦାସୀଟିଏ କରି ରଖିଛି, ମୋ’ କୁନା ଆଉ ଟୁନାଙ୍କର ମାଆ କରି ରଖିଛି, ମୁଁ ଘରକୁ ବୋହି ଆଣିଥିବା ଯାବତୀୟ ଯାନିଯୌତୁକର ସନ୍ତକ କରି ରଖିଛି; ସିଏ କ’ଣ ସତରେ ଠିକ୍ ସେଇଆ ଚାହାନ୍ତି ? ହଁ, ମୋ ସହଧର୍ମିଣୀଙ୍କ ସମେତ ଏମାନେ ଏଗୁଡ଼ାକ ସବୁକିଛି ଚାହାନ୍ତି, ବା ହୁଏତ ଏଗୁଡ଼ାକରୁ କିଛି ହେଲେ ଚାହାନ୍ତି ନାହିଁ । ଏହି ପ୍ରଶ୍ନଟି ନେଇ ଆଲୋଚନା ତଥା ଆଲୋଚକଙ୍କର କ୍ରମରେ ହୁଏତ କେତେ ପ୍ରକାର ମତଭେଦ କଦାପି ହେବନାହିଁ ଯେ ସେମାନେ ସର୍ବୋପରି ସମ୍ମାନ ଚାହାନ୍ତି, ସ୍ଵୀକୃତି ଚାହାନ୍ତି, ସେମାନେ ମଣିଷର ସମ୍ମାନ ଚାହାନ୍ତି; ମୁଁ ଯେପରି ସମ୍ମାନ ଓ ସ୍ଵୀକୃତି ଚାହେ, ମୋତେ ବୋହିନେଇ ଯାଉଥିବା ରିକ୍‌ସାବାଲା ମଧ୍ୟ ଠିକ୍ ସେହିପରି ସମ୍ମାନ ଓ ସ୍ୱୀକୃତି ଚାହେଁ, ମୋ’ ସହଧର୍ମିଣୀ ମଧ୍ୟ ସେଇଆ ଚାହାନ୍ତି । ମୋ ପ୍ରିୟା ବି ଠିକ୍ ସେଇଆ ଚାହେଁ । ସହଧର୍ମିଣୀ, ପ୍ରିୟା ଅଥବା ରିକ୍‌ସାବାଲା ବୋଲାଇବା ଆଗରୁ ହିଁ ଏମାନେ ସମସ୍ତେ ମଣିଷର ସମ୍ମାନ ଚାହାନ୍ତି । ମଣିଷ–ସଭାରେ ମଣିଷର ସ୍ଵୀକୃତି ଚାହାନ୍ତି, ସେଇଟିକୁ ଦେଇପାରିବା ପୂର୍ବରୁ ଯଦି ମୁଁ ତାର ହାତ ଦୁଇଟାକୁ କେଉଁ ସହକାର ତଳେ ମୋର ଗଳାପାଖକୁ ଭିଡ଼ ନେଇ ଆସେ, ତେବେ ତଦ୍ଦ୍ଵାରା ମୁଁ ତାକୁ ଗୋଡ଼ି ମାଟି ପରି ବ୍ୟବହାର କରିପାରିବି ସିନା ମାତ୍ର ତା’ ସହିତ କଦାପି ଆତ୍ମୀୟତା ଅର୍ଜନ କରି ପାରିବି ନାହିଁ । ଏବଂ ସାହିତ୍ୟ-ଚେତନାର ପୁରୁଣା ପ୍ରକାରଟି ପ୍ରଧାନତଃ ତାହାହିଁ କରି ଆସିଛି, କଣ୍ଢେଇଟିଏ ପରି କୁଣ୍ଢେଇ ଧରିଛି; ବୋଝଟିଏ କରି ମୁଣ୍ଡାଇ ଧରିଛି ବା ହାଣ୍ଡି ମାଠିଆ ପରି କଚାଡ଼ି ପକାଇଛି ସତ; ମାତ୍ର ସମ୍ମାନ ଦେଇ ଜାଣି ନାହିଁ, ତେଣୁ ଆପେ ଅସମ୍ମାନିତ ହୋଇ ରହିଛି ବହିଗୁଡ଼ାକର ଅଳିଆ ଏବଂ ପୁରସ୍କାରଗୁଡ଼ାକର ମାମଲତି ହୋଇ ରହିଛି, ଉପରେ ସହସ୍ର ପଗଡ଼ି ଛଡ଼ାଇ ହୋଇ ରହିଥିଲେ ମଧ୍ୟ ଭିତରେ ତଥାପି ଲାଜରା ହୋଇ ରହିଛି ।

 

ସାହିତ୍ୟ-ଚେତନାର ନବତରଙ୍ଗ ଆସନ ଉପରେ ଆଣି ବସାଇବା ପୂର୍ବରୁ ଆଗ ସମ୍ମାନ ଦେଇ ଜାଣିବ, ମନ୍ଥିଦେବା ବା ବଳି ପକାଇବା ପୂର୍ବରୁ ଆତ୍ମୀୟତା ଅର୍ଜନ କରିବ, ଗୋଡ଼ିମାଟି ପରି ବ୍ୟବହାର କରିବା ପୂର୍ବରୁ ଆଦରର ସ୍ଵୀକୃତି ଦେଇ ପାରିବ । ସେହି ନୂତନ ପ୍ରବର୍ତ୍ତନର କ୍ଷେତ୍ରଟିରେ ଯାବତୀୟ ରତି ଓ ଯାବତୀୟ ରୀତିର ବ୍ୟଞ୍ଜନା ହିଁ ବଦଳିଯିବ । ରୋଗଗୁଡ଼ାକ ଓ ଉନ୍ମାଦଗୁଡ଼ାକ ସ୍ପଷ୍ଟଭାବରେ ବୀର ହୋଇ ପଡ଼ିବ । ଜ୍ଵରଗୁଡ଼ାକ ଚିହ୍ନା ପଡ଼ିଯିବେ, ସଚେତନଟା ଅଚେତନର ଦର୍ପଣ ପରି କାର୍ଯ୍ୟ କରିବାକୁ ଆରମ୍ଭ କରିବ । ତେଣୁ ଲୁଚି ପଳାଇବାକୁ ବାଟ ନଥିବ, ମୁଖା ପିନ୍ଧି ବସିବାଟାକୁ ସେତେବେଳେ ସାହିତ୍ୟିକ ଶୃଙ୍ଗାରର ଏକ ଅଙ୍ଗ ବୋଲି କଦାପି କୁହାଯିବ ନାହିଁ ।

 

ସାହିତ୍ୟ-ଚେତନାର ଏହି ନୂତନ ତରଙ୍ଗଟି ଆମ ଚେତନାରେ ଆସି ବାଜି ପାରିଲେ ଆମ ନିଜେ ବି ନୂତନ ହୋଇଯିବା । ଚେତନା ଭିତରକୁ ସଂକ୍ରମିତ ହୋଇ ଆସିବା ହେଉଛି ଚେତନାର ଧର୍ମ । ନିଜ ରଙ୍ଗରେ ରଙ୍ଗାଇଦେବା ହେଉଛି ପ୍ରତ୍ୟେକ ରଙ୍ଗର ଧର୍ମ । ଭଲ ପାଇବାର ସ୍ପର୍ଶ ପାଇଲେ ଯେମିତି ଏହି ଶରୀରଟା ସମେତ ସବୁକିଛି ନୂଆ ପତରରେ କଅଁଳି ଉଠିଲା ପରି ଲାଗେ, ଅକାରଣରେ ପୁଲକିତ ହୋଇ ଉଠିଲାପରି ଓ ଅଣାଇ ହୋଇ ଗଲାପରି ଲାଗେ, ଠିକ୍ ସେହିପରି ଚେତନାର ସ୍ପର୍ଶ ଆସି ବାଜିଲେ ମଣିଷର ମନ ଆପଣାର ଅତ୍ୟନ୍ତ ଅଭ୍ୟସ୍ତ ସେହି ପୁରୁଣା ଘରଟିରୁ ଆପେ ଆପେ କାଢ଼ି ହୋଇ ଚାଲିଆସେ । ଚେତନାର ନବତରଙ୍ଗ ପୁରୁଣା ଭୂମିଗୁଡ଼ାକର ବଦ୍ଧ ବିଶ୍ଵାସ ଗୁଡ଼ାକରେ ମଧ୍ୟ ନବତରଙ୍ଗର ସୃଷ୍ଟି କରେ, ପୁରୁଣା ଛନ୍ଦଗୁଡ଼ାକୁ ମଧ୍ୟ ଭାଙ୍ଗି ଦେଇଯାଏ, ପୁରୁଣା ରୀତିଗୁଡ଼ାକୁ ଭାଙ୍ଗି ଦିଏ, ପୁରୁଣା ଦମ୍ଭଗୁଡ଼ାକୁ ମଧ୍ୟ ଭାଙ୍ଗି ଦେଇଯାଏ । ଯେଉଁଠି ଦମ୍ଭଥିଲା, ସେଠାରେ ଏକ ନୂଆ ପ୍ରକାରର ବିନୟ ଜନ୍ମଲାଭ କରେ ଏବଂ ସେହି ବିନୟ ଏକ ସମଗ୍ର ଜୀବନଦୃଷ୍ଟିରେ ପରିଣତ ହୋଇଯାଏ । ସେହି ବିନୟ ଆପଣାକୁ ଏକ ନୂଆ ବିସ୍ମୟର ରୂପରେ ଅଭିବ୍ୟକ୍ତ କରିବାକୁ ଆରମ୍ଭ କରେ । ମୋତେ କେହି ଭଲ ନପାଇ ଥିବା ପର୍ଯ୍ୟନ୍ତ, ଅର୍ଥାତ୍, ଏହି ବଣଟା ଭିତରେ ମୋତେ କେହିହେଲେ ଠାବ କରି ନଥିବା ପର୍ଯ୍ୟନ୍ତ ସିନା ମୁଁ ଫକର ଫକର ହୋଇ ବୁଲୁଥାଏ, ମାତ୍ର କେହି ମୋତେ ଭଲ ପାଇବାକୁ ଆରମ୍ଭ କଲା ମାତ୍ରକେ ଏବଂ ସେହି ସ୍ପର୍ଶଟି ମୋଠାରେ ଆସି ବାଜିବା ମାତ୍ରକେ ମୁଁ ସତେଅବା ଗୋଟାସୁଦ୍ଧା ଆନନ୍ଦ ହୋଇ ଆସେ, ଥିର ହୋଇ ଆସେ, ଅପେକ୍ଷା କରି ଶିଖେ; ଆପଣାର ପାତ୍ରଟିକୁ ପ୍ରସ୍ତୁତ ରଖି ଶିଖେ । ସତେଅବା କେଉଁ ଅଦ୍‌ଭୂତ ରସାୟନର ପ୍ରକ୍ରିୟା ଦ୍ଵାରା ମୋର ଜିଦ୍‌ଗୁଡ଼ାକ କେତେ ପ୍ରକାରର ନବନବ ସମର୍ପଣରେ ବ୍ୟକ୍ତ ହୋଇ ଉଠିବାକୁ ଆରମ୍ଭ କରନ୍ତି । ଠିକ୍ ସେହିପରି ସାହିତ୍ୟ-ଚେତନାର ନବତରଙ୍ଗଟି ଆସି ବାଜିବାକୁ ଆରମ୍ଭ କଲେ ଆମେ ନିଜେ ବି କ୍ରମେ ନୂଆ ହେବାକୁ ଆରମ୍ଭ କରୁ । ନବାଗତ ଦୃଷ୍ଟିଟି ଆମ ଭିତରେ ଏକ ଆଲୋଡ଼ନ ଘଟାଏ, ରୂପାନ୍ତର ଘଟାଏ । ଆମ ପୁରୁଣା ବୁଦ୍ଧିଗୁଡ଼ାକ ସତେଅବା ବେଅକଲ ହୋଇ ପଳାନ୍ତି, ପୁରୁଣା ସୂତ୍ରଗୁଡ଼ାକ ଆମ ବହି ଥାକର ପୁରୁଣା ବହି ହୋଇ ରହିଯାଏ, ଏବଂ ତା’ବଦଳରେ ଆମକୁ ଅଧିକ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରିବାକୁ ଆସୁଥିବା ଆଉକିଛି ଆମକୁ ଗୋଟାସୁଦ୍ଧା ଆବୋରି ନେଇଯାଏ ।

 

ତେଣୁ ଯୋଉଠି ଏହି ଅସଲ ସ୍ପର୍ଶଟି ପାଇବା ପୂର୍ବରୁ ନୂତନ ଶୈଳୀର ଖୋଜା ପଡ଼େ, ବିଦେଶୀ ବଜାରରୁ ନୂଆଘଡ଼ା ମଗାହୋଇ ପୁରୁଣା ଖଜୁରିଗଛଗୁଡ଼ାକରେ ବାନ୍ଧି ଦେବାର ଏକ ଉତ୍ସୁକତା ହିଁ ଧର୍ମର ପ୍ରବେଶପତ୍ର ଲାଭକରେ, ସେଠି ସବୁ ନୂଆ ଭଳି ଦିଶେ, ଅର୍ଥାତ୍ ଦାନ୍ତକୁ ନୂଆଚଣା ପରି ଲାଗେ ଅଥବା ପେଟରେ ଏକ ନୂଆ ବାଇ ହୋଇ ପଶେ ସିନା, ମାତ୍ର ତଦ୍ଦ୍ଵାରା ଆମର ବିବେକ ଏବଂ ବିଶ୍ଵାସଗୁଡ଼ାକ ତଥାପି ପୁରୁଣା ହୋଇ ରହିଥାଏ । ଆମ ଗୋଡ଼ତଳର ସେହି ପୁରୁଣା ମାଟିଗୁଡ଼ାକ କାଳେ ଧସକି ଯିବ ବୋଲି ଭୟ କରି ମଧ୍ୟ ଅନେକ ସମୟରେ ଆମେ କେବଳ ବାହାରର ଶୈଳୀ ଅର୍ଥାତ୍ ବାହାରର ଚକ୍ରୀ, ଚୁଚୁନ୍ଦ୍ରୀ ଓ ଚଡ଼ଚଡ଼ିଗୁଡ଼ାକୁ ଆନନ୍ଦରେ ସାଉଁଟି ଆଣି ସେଗୁଡ଼ାକୁ ହିଁ ଆମର ନବତମ ସମ୍ପଦ ଓ ନବତମ ସମ୍ପନ୍ନତା ବୋଲି ମନ ଭୁଲାଇ ହେବାରେ ଲାଗିଥାଉ । ମାତ୍ର ଆମର ପରିହିତ ସବୁଯାକ ଚିତ୍ରବିଚିତ୍ର ଖୋଳ ଏବଂ ଆମର ବ୍ୟବହୃତ ସବୁଯାକ ପ୍ରସାଧନ ଓ ପରିପାଟୀ ସତ୍ତ୍ୱେ ଅସଲ ଚେହେରାଟା ସେହି ଆଗପରି ପୁରୁଣା ଓ ଲାଜକୁଳା ହୋଇ ରହିଥାଏ; ଆମର ଆକୁତିଗୁଡ଼ାକ ସେହି ଆଗପରି ଭୀରୁ ଏବଂ ଯଶଲୋଭୀ ହୋଇ ରହିଥାନ୍ତି । ଯଶ ବି ଅନେକ ମିଳେ, ଯଶସ୍ଵୀତା ପାଇଁ ଅନେକ କିଛି ବରାଦ କରି ହୁଏ, ମାତ୍ର ତଥାପି ଅସଲ ରାଜପୁତ୍ର ଆସି ପହଞ୍ଚିବାକୁ ଆହୁରି ବେଳ ବାକି ଥାଏ, ଆମର ତଥାପି ଲୋଡ଼ା ପଡ଼ି ନଥାଏ, ଆମର ପାଞ୍ଜି ଫିଟି ନଥାଏ ।

 

ସମଗ୍ର ପୃଥିବୀରେ ଆଲୋଡ଼ନ ଆଣି ଆଜି ମଣିଷର ସମଗ୍ର ଚେତନାରେ ଯେଉଁ ନବତରଙ୍ଗଟି ପ୍ରାୟ ଆମ ଦ୍ଵାର ଦେଶରେ ଆସି ପହଞ୍ଚିଗଲାଣି, ତାହା ଆମର ସାହିତ୍ୟକୁ ମଧ୍ୟ କଦାପି ଅସଙ୍ଖୁଳା କରି ଛାଡ଼ି ଯିବନାହିଁ । ତାହାର ଆହ୍ଵାନ ଆମଲାଗି ମଧ୍ୟ ଏକ ସନ୍ଦେଶ ଆଣିଦେବ, ପୁରୁଣା ରକ୍ଷାବନ୍ଧ ଓ ଚତୁରତାଗୁଡ଼ାକୁ ଭାଙ୍ଗି ସେତେବେଳେ ଆମେ ସମସ୍ତେ ସତେଅବା ଏକ ପାହାଚଉଠାର ପର୍ବରେ ଜଣେ ଜଣେ ସକ୍ରିୟ ଅଂଶଗ୍ରହଣକାରୀ ହୋଇ ବାହାରି ପାରିବା । ସେହି ନବ ତରଙ୍ଗ ଆମ ଜୀବନାକାଙାକ୍ଷାର ହିଁ ଏକ ତରଙ୍ଗରେ ପରିଣତ ହୋଇଯିବ । ସେତେବେଳେ ଆମ ଯନ୍ତ୍ରଣାଗୁଡ଼ାକାର ମାନ ବଦଳିଯିବ, ସଂଜ୍ଞା ବଦଳିଯିବା; ଆମ ଛଦ୍ମବେଶଗୁଡ଼ିକର ଆଉ କୌଣସି ପ୍ରୟୋଜନ ରହିବ ନାହିଁ, ଆମ ସଂଖ୍ୟାଗୁଡ଼ାକରୁ ସକଳ ପ୍ରମତ୍ତତା ଦୂର ହୋଇଯିବ । ଆମର ନବପରିଣୟ ହୋଇଯିବ । ସାହିତ୍ୟର ତୀର୍ଥବେଦୀରେ ସମସ୍ତ ଜୀବନ ସହିତ ହିଁ ନବପରିଣୟ ହୋଇଯିବ ।

 

୮ । ୮ । ୭୫

[‘ନବ–ତରଙ୍ଗ’, ଦଶହରା, ୧୯୭୫]

Image

 

ସମୀକ୍ଷାର ଏଦେଶୀୟ ବ୍ୟାକରଣ

 

ସାହିତ୍ୟ ହେଉଛି ଜୀବନର ଏକ ଅଙ୍ଗ ଠିକ୍ ସେହିପରି ସାହିତ୍ୟର ସମୀକ୍ଷା ମଧ୍ୟ ସାହିତ୍ୟର ଏକ ଅଙ୍ଗ । ଯଥାର୍ଥ ଜୀବନ ପ୍ରଧାନତଃ ସୃଷ୍ଟିଧର୍ମୀ, ଏବଂ ଆମର ସାହିତ୍ୟ ମଧ୍ୟ ଆମକୁ ଆମର ସୃଷ୍ଟିଧର୍ମୀ ଆକାଙ୍‌କ୍ଷାଗୁଡ଼ିକ ଲାଗି ଏକ ବାଟ ଯୋଗାଇ ଦେଇଥାଏ । ଏବଂ ପୁଣି ସୃଷ୍ଟିଲାଗି ସମୀକ୍ଷାର ଦରକାର ହୋଇଥାଏ । ସମୀକ୍ଷା ସୃଷ୍ଟିଲାଗି ନୂତନତର ପ୍ରେରଣା ଦିଏ, ନୂତନତର ସମ୍ଭାବନାମାନ ଜାଗୃତ କରାଏ, ଏବଂ ଆମେ ଯାହାସବୁ ସୃଷ୍ଟି କରିଚୁ ବା କରୁଚୁ, ସେ ସବୁର ମର୍ମପ୍ରବେଶ କରିବାପାଇଁ ଆମକୁ ଗଭୀରତର ଅନ୍ତର୍ଦୃଷ୍ଟି ଆଣିଦିଏ । ସାହିତ୍ୟର ସମୀକ୍ଷା ସାହିତ୍ୟକୁ ନାନା ନୂତନ ଓ ଅନୁଦ୍‌ଘାଟିତ ସୀମା ଦେଇ ଦେଖିବାର ଅନୁରାଗ ସୃଷ୍ଟି କରିଥାଏ । ଯେ କୌଣସି କବି କିମ୍ବା ଲେଖକକୁ ତା'ର ଯୁଗ ଓ ତା'ର ଜୀବନଗତ ପ୍ରେରଣାର ଭୂମି ଉପରେ ସମଗ୍ରତର ଭାବେ ଦେଖିବା ସକାଶେ ଆମକୁ ଉଦ୍‌ବୋଧନ ଦେଇଥାଏ । ସମୀକ୍ଷା ଅଧିକତର ସୃଷ୍ଟି ଲାଗି ବାଟ କଢ଼ାଇନିଏ, ସମୀକ୍ଷକର ଆପଣା ଦୃଷ୍ଟିକୁ ମଧ୍ୟ ତାହା ଅଧିକ ସୃଷ୍ଟିମୂଳକ ହେବାରେ ଭାରି ସାହାଯ୍ୟ କରେ ।

 

ସାହିତ୍ୟ ନାମରେ ଆମ ସମାଜରେ ବା ସଂସାରରେ ଯେତେଯାହା ଲେଖାଯାଏ, ସେଗୁଡ଼ାକ ସବୁଯାକ କଦାପି ମୂଳତଃ ଏକ ସୃଷ୍ଟିମୂଳ ଆବଶ୍ୟକତାର ବୋଲମାନି ଲେଖା ଯାଏ ନାହିଁ । ଆପଣାର କ୍ଷେତ୍ରରୁ ପଳାଇ ଯିବାକୁ ହିଁ ଅନେକ ସାହିତ୍ୟ ଲେଖନ୍ତି, ଅଥବା ଆପଣା ଭିତରେ ରହିଥିବା କୌଣସି ମୂଳଭୂତ ଘୃଣା ବା ବିତୃଷ୍ଣାକୁ ଘୋଡ଼ାଇ ବା ଲୁଚାଇ ରଖିବାଲାଗି ମଧ୍ୟ ଅନେକେ ସାହିତ୍ୟ ଲେଖନ୍ତି । ଜୀବନପ୍ରତି ବି କୌଣସି ଶ୍ରଦ୍ଧା ନଥାଇ ମଧ୍ୟ ଥୋକେ ସାହିତ୍ୟ ଲେଖନ୍ତି, ହୁଏତ ଆପଣାପ୍ରତି ବି କୌଣସି ଶ୍ରଦ୍ଧା ନଥାଇ ମଧ୍ୟ କେହି କେହି ସାହିତ୍ୟିକ ହୋଇ ପାରନ୍ତି । ଆପଣାର ବିଳାପ, ବିଷାଦ ଏବଂ ବ୍ୟର୍ଥତାଗୁଡ଼ାକୁ ଜାହିର କରିବାର ମତଲବ ନେଇ ମଧ୍ୟ ଆତ୍ମପୀଡ଼ନ–ରତିଦ୍ଵାରା ପରିଚାଳିତ ହୋଇ କେହି ସାହିତ୍ୟ ଲେଖିପାରେ ଏବଂ ସେହିପରି ଅନ୍ୟପକ୍ଷରୁ ବିଚାର କଲେ, ଆପଣାର ଉଚ୍ଚ ଆସନ କିମ୍ବା ଉଚ୍ଚ ଆସ୍ଥାନଦ୍ଵାରା ଉତ୍ତେଜିତ ହୋଇ ପ୍ରଧାନତଃ ଏକ ପରପୀଡ଼ନ-ରତିଦ୍ଵାରା ପ୍ରେରିତ ହୋଇ ମଧ୍ୟ ଆଉ କେହି ବି ସାହିତ୍ୟ ଲେଖିପାରେ-। ଯଦି ବହି ଲେଖିଦେଲା ମାତ୍ରକେ ସାହିତ୍ୟର ସୃଷ୍ଟି ହୋଇ ଯାଉଥାନ୍ତା, ତେବେ ଯେଉଁ ଭାଷାରେ ସବୁଠାରୁ ଅଧିକ ସଂଖ୍ୟାରେ ବହି ଲେଖାଯାଉଛି, ଆମେ ସେହି ଭାଷାରେ ସାହିତ୍ୟକୁ ହିଁ ସବୁଠାରୁ ଅଧିକ ସମୃଦ୍ଧ ବୋଲି କହୁଥାନ୍ତି, କିମ୍ବା ଯିଏ ସବୁଠାରୁ ଅଧିକ ସଂଖ୍ୟାରେ ବହି ଲେଖୁଚନ୍ତି; ଆମେ ତାହାଙ୍କୁ ହିଁ ସବୁଠାରୁ ବଡ଼ ବା ସବୁଠାରୁ କୃତି ସାହିତ୍ୟିକ ବୋଲି କହୁଥାନ୍ତୁ-। ତେଣୁ ସାହିତ୍ୟର ସମୀକ୍ଷା ଏକାନ୍ତ ଆବଶ୍ୟକ, ସାହିତ୍ୟର ଗୁଣାତ୍ମକ ସମୀକ୍ଷା ଆବଶ୍ୟକ,–ଠିକ୍ ଯେପରି ଜୀବନକୁ ପରିପୂର୍ଣ୍ଣ ଭାବରେ ବଞ୍ଚିବାକୁ ହେଲେ ଜୀବନରେ ବି ସତତ ସମୀକ୍ଷା ଏକାନ୍ତ ଆବଶ୍ୟକ । ଏପରିକି ସବୁଠାରେ ପରିପୂର୍ଣ୍ଣ ହୋଇ ରହିଥିବା 'ପୂର୍ଣ୍ଣାତ୍ମା'ଙ୍କ ବିଷୟରେ ମଧ୍ୟ ଶଙ୍କାରାଚାର୍ଯ୍ୟ 'ସୁସମୀକ୍ଷତାମ୍' ବୋଲି କହୁଛନ୍ତି । ପୂର୍ଣ୍ଣଆତ୍ମାକୁ ସାର୍ଥକତର ଭାବରେ ଅନୁଭବ କରି ପାରିବାଲାଗି ଅର୍ଥାତ୍ ଆପଣାର ଜୀବନ ଭିତରେ ତାଙ୍କୁ ବଞ୍ଚିପାରିବା ଲାଗି ତାଙ୍କର ସତତ ସମୀକ୍ଷା କରିବାକୁ ହେବ-। ଠିକ୍ ସେହିପରି ସାହିତ୍ୟକୁ ମଧ୍ୟ ଆମ ଜୀବନପାଟଣାର ଏକ ଅନ୍ତରଙ୍ଗ ସମ୍ପଦରୂପେ ପ୍ରତିଷ୍ଠିତ କରି ରଖିବା ଲାଗି ସାହିତ୍ୟର ବି ସମୀକ୍ଷା କରିବାକୁ ହୁଏ-। ସାହିତ୍ୟକୁ ଆପଣା ଆଗରେ ଉନ୍ମୁକ୍ତ କରିଦେବାକୁ ହୁଏ ଓ ଆପଣାକୁ ବି ସାହିତ୍ୟ ଆଗରେ ଉନ୍ମୁକ୍ତ କରିଦେବାକୁ ହୁଏ । ଆପଣାର ସକଳ ଚକ୍ଷୁ ଓ ସକଳ ଲକ୍ଷଣଶକ୍ତିକୁ ନେଇ ସାହିତ୍ୟିକ ପାଖରେ ଯାଇ ଠିଆ ହେବାକୁ ପଡ଼େ ଓ ସାହିତ୍ୟିକକୁ ମଧ୍ୟ ଅତି ଅନ୍ତରଙ୍ଗ ଭାବରେ ଆପଣା ପାଖକୁ ଟାଣି ଆଣିବାକୁ ପଡ଼େ ।

 

ତେଣୁ ସୃଷ୍ଟି ଓ ସମୀକ୍ଷା,–ଏ ଦୁହେଁ ହେଉଛନ୍ତି ଉଭୟର ପରିପୂରକ, ଦୁହେଁ ଦୁହିଙ୍କର ଉତ୍‌ପ୍ରେରକ । ଆମ ଜୀବନର ଅନ୍ୟାନ୍ୟ ଯାବତୀୟ କ୍ଷେତ୍ରରେ ଯେପରି, ଆମର ସାହିତ୍ୟକ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି

 

ସାହିତ୍ୟ ମୂଳତଃ ପ୍ରେରକ ମୂଳକ ହେବା ଉଚିତ ଏବଂ ସାହିତ୍ୟର ଅଧ୍ୟୟନ ମୂଳତଃ ସମୀକ୍ଷାମୂଳକ ହେବା ଉଚିତ୍ । ବଞ୍ଚିବାର ମୂଳ ପ୍ରେରଣାଟି ସହିତ ଆମ ସାହିତ୍ୟିକ ପ୍ରେରଣାର ଏକ ଅନ୍ତର୍ଗତ ସମ୍ପର୍କ ସବୁବେଳେ ରହିଥିବା ଉଚିତ ଏବଂ ସାହିତ୍ୟର ଅଧ୍ୟୟନ କଲାବେଳେ ଅଧିକରୁ ଅଧିକ ସମଗ୍ର ଏକ ଜିଜ୍ଞାସା ନେଇ ଆମର ସେଥିରେ ପ୍ରବୃତ୍ତ ହେବା ଉଚିତ । ଅନେକେ ସାହିତ୍ୟକୁ ପ୍ରଧାନତଃ ଏକ ଉପଭୋଗର ସାମଗ୍ରୀ ରୂପେ ଗ୍ରହଣ କରନ୍ତି । ଯେଉଁମାନେ ସାହିତ୍ୟ ଲେଖନ୍ତି, ସେମାନେ; ଯେଉଁମାନେ ସାହିତ୍ୟ ପଢ଼ନ୍ତି, ସେମାନେ ବି ଏବଂ ଯେଉଁମାନେ ଏପରି କରନ୍ତି, ସେମାନେ ଉପଭୋଗକୁ ମଧ୍ୟ ଏକେ ବଡ଼ ଅସ୍ଵାଭାବିକ ଓ କିମ୍ଭୂତକିମାକାର ଅର୍ଥରେ ବୁଝନ୍ତି-। କେବଳ ଯାହାକୁ ହିଁ ଆମେ ଅନ୍ତରଙ୍ଗତମ ଭାବରେ ଅନୁଭବ କରିପାରୁ, ଅର୍ଥାତ୍‍ ଯାହା ଆମକୁ ଗୋଟାସୁଦ୍ଧା ଉନ୍ମୁକ୍ତ ହୋଇ ପାରିବାଲାଗି ପ୍ରବୁଦ୍ଧ କରାଏ, ତାହାକୁ ହିଁ ଯେ ଆମେ ଯଥାର୍ଥରେ ଉପଭୋଗ କରିଥାଉଁ, ସେମାନେ ସେକଥାଟି ଭୁଲିଯାଆନ୍ତି । ସମ୍ଭବତଃ ସତକଥା ହେଉଚି ଯେ, ସେମାନେ ଅନ୍ତରଙ୍ଗ ଭାବରେ କିଛିହେଲେ ଅନୁଭବ କରି ପାରନ୍ତି ନାହିଁ । ସେମାନେ ଅନ୍ତରଙ୍ଗ ହେବାକୁ ଡରନ୍ତି, ଅନ୍ତରଙ୍ଗତାର ଯୋଗ୍ୟ ହେବାକୁ ଡରନ୍ତି, ପାଖରେ ଯାଇ ବସିବାଲାଗି ଡରନ୍ତି-। ସାହିତ୍ୟର ଅନୁରକ୍ତି ଭିତରେ ସେମାନେ ଆହୁରି କେତେକ’ଣ ଖଣ୍ଡ-ଅନୁରକ୍ତିମାନ ଆଣି ପୂରାଇ ଦିଅନ୍ତି, ଆହୁରି କେତେକ’ଣ ଭଳି ହେବାକୁ ଯାଇ କିମ୍ବା ଦିଶିବାକୁ ଯାଇ ସେମାନେ ଆପଣାର ସୃଷ୍ଟିମୂଳକତାକୁ ପୋତି ଦିଅନ୍ତି ।

 

ସମୀକ୍ଷା କହିଲେ ଆମର ଏଠି ଅନେକ ସମୟରେ ଏହି ଜୁଗୁପ୍‍ସାକୁ ହିଁ ବୁଝାଇଥାଏ । ଆପଣାକୁ ଅନ୍ୟମାନଙ୍କଠାରୁ ଲୁଚାଇ ରଖିବା, ଅର୍ଥାତ ଅନ୍ୟମାନଙ୍କୁ ଆପଣା ଭିତରୁ ବହିଷ୍କୃତ କରି ରଖିବାକୁ ହିଁ ବୁଝାଇଥାଏ । ଏଠି ଆମେ ପରସ୍ପର ସହିତ ଏକାଠି ହୋଇ ବସିବାପାଇଁ ଲାଜ କରୁ; କାରଣ ଆମେ ହୁଏତ ପରସ୍ପରକୁ ଭୟ କରୁ, ଅନେକ ସମୟରେ ପ୍ରକୃତରେ ଘୃଣା ବି କରୁ । ପୁଣି ଅନେକ ସମୟରେ ଅନ୍ୟମାନଙ୍କ ଆଗରେ ଆପଣାର ବିନୟଗୁଡ଼ାକୁ ଦେଖାଇ ହେବାକୁ ଯାଇ ଆମେ ସତେଅବା ଆପଣାର ଉଗ୍ର ଅସହ୍ୟତାଗୁଡ଼ାକୁ ହିଁ ଭରି ପଦାରେ ପକାଇଦେଉ । ଆମର ଏଠି କବି କବିପାଖରେ ସହଜ ହୋଇ ବସି ପାରେ ନାହିଁ, ଅଧ୍ୟାପକ ଅଧ୍ୟାପକ ପାଖରେ ବି ସହଜ ହୋଇ ବସିପାରେ ନାହିଁ । ସହଜ ହୋଇ ପରସ୍ପର ସହିତ କଥା କହିବାର ଯୋଗ୍ୟତାଟି ପ୍ରାୟ ସୁଦୂରପରାହତ ହୋଇ ରହିଥାଏ । ଆମେ ପରସ୍ପରକୁ ଈର୍ଷା କରୁ, ଏବେ ସେହି କାରଣରୁ ପରସ୍ପର ପାଖରେ ଯାଇ ବସିଥିଲା ବେଳେ ସତେଅବା କେଉଁ ଶତ୍ରୁ ଦୁର୍ଗ ଭିତରେ ଯାଇ ପଶି ଯାଇଥିବା ପରି ଅନୁଭବ କରିଥାଉ । ହଁ, ଆପଣାର ଗୋଟିଏ ଗୋଟିଏ ଦଳବାନ୍ଧି କିମ୍ବା ଗୋଷ୍ଠୀ ଗଢ଼ି ଆମେ ହୁଏତ ତାହାରି ପାଖରେ ଆପଣାକୁ ଗୋଟାସୁଦ୍ଧା ବିକିଦେଉ, ଗୋଟାସୁଦ୍ଧା ସମର୍ପି ଦେଉଥାଉ । ସେପରି କରିବାଦ୍ଵାରାହିଁ ହୁଏତ ଆପଣାର ଅନ୍ତର୍ଗତ କୌଣସି ଦାରିଦ୍ର୍ୟଜନିତ ଲାଜରୁ ଆମେ ନିସ୍ତାର ପାଇବାର ପ୍ରୟାସ କରିଥାଉ । ଦଳସହିତ ଦଳର ଯୁଦ୍ଧ ହୁଏ, ଗୋଷ୍ଠୀ ସହିତ ଗୋଷ୍ଠୀର ଲଢ଼େଇ ହୁଏ । ଏ ଜାତିର ସାହିତ୍ୟ ସହିତ ସେ ଜାତିର ସାହିତ୍ୟକୁ ନେଇ ହାବୁଡ଼େଇ ଦିଆହୁଏ । ଆମର ନିଜ ଭାଷାଟିକୁ ପୃଥିବୀରେ ଶ୍ରେଷ୍ଠଭାଷା ବୋଲି କହି ଚିତ୍କାର କରାଯାଏ । ସମୀକ୍ଷାର ଦୁଆର ବନ୍ଦ ହୋଇଯାଏ, ସୃଷ୍ଟିମୂଳକ ବାସନାମାନ ଅପୃଷ୍ଟ ଓ ଅନାବିଷ୍କୃତ ହୋଇ ରହିଯାଆନ୍ତି । ସାହିତ୍ୟକୁ ନେଇ ପ୍ରବଳ ସଂକୀର୍ତ୍ତନ ହୁଏ ସତ, ମାତ୍ର ନାମଧାରୀମାନଙ୍କର ପ୍ରମତ୍ତତା ମଧ୍ୟରେ ସକଳ ନାମ କୁଆଡ଼େ ଉପେକ୍ଷିତ ହୋଇ ରହିଯାଏ ।

 

ଆମର ଏଠି ସାହିତ୍ୟସମୀକ୍ଷା ପ୍ରଧାନତଃ “ଜୟନ୍ତୀ” ସ୍ତରରେ ରହିଚି ବୋଲି କହିଲେ ଖୁବ୍‍ ବେଶୀ ଅତ୍ୟୁକ୍ତି ହେବନାହିଁ । ଜୟନ୍ତୀଗୁଡ଼ାକ ପାଳନ କରିବା ଏବେ ସତେ ଯେପରି ଆମ ସାହିତ୍ୟରସିକତାର ଏକ ବଡ଼ ସନ୍ତକରେ ପରିଣତ ହୋଇ ସାରିଲାଣି । କାବିସମ୍ରାଟଙ୍କଠାରୁ ଆରମ୍ଭ କରି କବି ଯଦୁମଣିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆମେ ଜୟନ୍ତୀର ମଣ୍ଡପଆଡ଼କୁ ଘୋଷାରି ଆଣି ସାରିଲୁଣି । ମାତ୍ର ସେମାନଙ୍କୁ ନେଇ ଆମେ ମଣ୍ଡପ ଉପରେ କ’ଣ ସବୁ କରୁଚୁ ? ସେଠାରେ ଯାହା ସବୁ ହେଉଚି, ତାହାକୁ ଆଉ ଯାହା କୁହାଯାଉ ପଛକେ, ଅନ୍ତତଃ ସମୀକ୍ଷା ବୋଲି କଦାପି କୁହାଯାଇ ପାରିବ ନାହିଁ । ସମ୍ୟକ୍ ଦର୍ଶନଲାଗି ସେଠାରେ ଆଦୌ କୌଣସି ସ୍ଥାନ ରଖା ଯାଇନାହିଁ-। ସେଠି ବକ୍ତୃତାରେ ବସି କେବଳ ଆଖି ଘୋଳିହୋଇ ଯାଉଚି ସିନା, ମାତ୍ର କାନଭିତରେ ହୁଏତ କିଛି ହେଲେ ପ୍ରବେଶ କରୁନାହିଁ । ଏବଂ ହୃଦୟରେ ପ୍ରବେଶ କରିବାର ପ୍ରସଙ୍ଗ ହିଁ କାହିଁକି ଉଠିବ-? ଗତ ପ୍ରାୟ କୋଡ଼ିଏ ବର୍ଷ ଭିତରେ କବି ଉପେନ୍ଦ୍ରଭଞ୍ଜଙ୍କର ଜୟନ୍ତୀରେ ତାଙ୍କ ବିଷୟରେ ବିଭିନ୍ନ ସ୍ଥାନରେ ଯାହାସବୁ କୁହାଯାଇଚି, ସାହିତ୍ୟସମୀକ୍ଷାର କୌଣସି ଆଗ୍ରହୀ ଛାତ୍ର ସେଗୁଡ଼ିକୁ ଏକାଠି କରି ବସିଲେ ସେଥିରୁ କାବିସମ୍ରାଟଙ୍କ ବିଷୟରେ ଆମେ ପ୍ରକୃତରେ କେତେ ଟିକିଏ ଚାଖିବାକୁ ପାଇବା ଓ କେତେ ଟିକିଏ ଦେଖିବାକୁ ପାଇବା ! ମାତ୍ର ଅଳପକୁ ନେଇ ବହୁତ କହିବାଲାଗି ବକ୍ତାମାନଙ୍କର ଉଦ୍ଦଣ୍ଡତା ବିଷୟରେ ଆମକୁ ସେଥିରୁ ହୁଏତ ଗାଡ଼ି ଗାଡ଼ି ଦୃଷ୍ଟାନ୍ତ ମିଳିବ ! ଆମର ଜୟନ୍ତୀ-ପାଳନ ଆମ ପୁରାତନ ସାହିତ୍ୟସ୍ଫୁରିମାନଙ୍କୁ ସମଗ୍ରତର ଭାବରେ ଦେଖିବାଲାଗି ଆମକୁ ହୁଏତ ଆଦୌ କୌଣସି ସାହାଯ୍ୟ କରିନାହିଁ, ଆମର ସାହିତ୍ୟ-ସମୀକ୍ଷା ମଧ୍ୟ ଆମକୁ ସେହି ଦିଗରେ ଖୁବ୍‍ବେଶୀ ପ୍ରେରିତ କରିପାରିନାହିଁ ।

 

ଆମର ଏଠି ମଲେ ସମୀକ୍ଷା ହୁଏ, ଅର୍ଥାତ୍ ସମୀକ୍ଷା ନାମରେ ମୃତବ୍ୟକ୍ତିର କେବଳ ପ୍ରଶଂସା ହିଁ କରାଯାଏ । ବଞ୍ଚିବାବେଳେ ଈର୍ଷା କରାଯାଏ, ବାଦ ଲଗାଇ ଦିଆଯାଏ,–ମାତ୍ର ମରି ସାରିଲେ ଏକେ ଲଜ୍ଜାବର୍ଜିତ ଅକୃପଣତା ସହିତ କେବଳ ପ୍ରଶଂସା ହିଁ କରାଯାଏ । ଅମୁକ ବ୍ୟକ୍ତି ଚାଲିଯିବାଦ୍ଵାରା ଆମ ସାହିତ୍ୟର ଏକ ଅପୂରଣୀୟ କ୍ଷତି ଘଟିଲା କିମ୍ବା ଆମର ସାହିତ୍ୟଗଗନରୁ ଯେ ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ ଅସ୍ତମିତ ହୋଇଗଲେ, ସିଏ ମରିସାରିଲେ ଯାଇ ଆମକୁ ତାଙ୍କ ବିଷୟରେ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ବାଦଟି ମିଳିଥାଏ । ମାତ୍ର ବଞ୍ଚି ଥିବାବେଳେ ସିଏ ଯେ ପ୍ରକୃତରେ କୌଣସି ଗଗନରେ କୌଣସି ଥାନକୁ ମୁଣ୍ଡାଇ ରଖିବାକୁ କିମ୍ବା ଏପରିକି ତାଙ୍କୁ ଥାନ ଦେଇପାରିବା ଭଳି କୌଣସି ଗଗନ ଯେ ଆଦୌ କେଉଁଠାରେ ରହିଚି, ସେସବୁ କଥା ଆମର ହୁଏତ ମୋଟେ ମନେ ପଡ଼େନାହିଁ । ସେଇଥିଲାଗି ଆମ ସାହିତ୍ୟିକମାନଙ୍କ ଲାଗି ହେଉଥିବା ତଥାକଥିତ ଶ୍ରାଦ୍ଧସଭାମାନ ଅଧିକାଂଶ ସମୟରେ ଏପରି ଭେସରା ବି ଲାଗିଥାଏ । ଉପରକୁ ଦେଖିଲାବେଳକୁ ହୁଏତ ବକ୍ତାମାନେ ବାହୁନି କାନ୍ଦିବାରେ ଲାଗିଥାନ୍ତି, ମାତ୍ର ସେମାନଙ୍କ ଅନ୍ତର୍ଗବାକ୍ଷ ବାଟେ ଭିତରକୁ ଅନାଇଦେବା ମାତ୍ରକେ ସେମାନେ ସତେଅବା ରହସ୍ୟ କରୁଥିବା ପରି ମନେ ହେଉଥାଏ । କେବଳ ଏକ ଜ୍ୟୋତିଷ୍କ ଖସି ପଡ଼ିଲାବେଳେହିଁ ଆମକୁ ସେହି ଜ୍ୟୋତିଷ୍କ ସେଠାରେ ଅବସ୍ଥିତ ରହିଥିଲେ ବୋଲି ଯେ ମାଲୁମ ପଡ଼େ, ଏଇଟାକୁ ଆମ ସାହିତ୍ୟଗଗନର ଏକ ଦୁର୍ଭାଗ୍ୟ ବୋଲି କହିବାକୁ ପଡ଼ିବ ।

 

ବିଗତ ଏତେଏତେ ବର୍ଷ ଭିତରେ ଏତେଏତେ କବିଙ୍କର ଜୟନ୍ତୀ ପାଳିତ ହେଲା, ତଥାପି ସେମାନଙ୍କୁ ସମ୍ୟକ ଭାବରେ ଦେଖିବାର ଓ ସେଇଥିରୁ ପ୍ରେରଣା ନେଇ ଆପଣାର ଉପସ୍ଥିତ ଆହ୍ଵାନଗୁଡ଼ିକୁ ମଧ୍ୟ ସମଗ୍ର ଭାବରେ ଅନୁଭବ କରିବାର ଖୁବ୍ ବେଶୀ ପ୍ରୟାସ ହୋଇପାରିଲା ନାହିଁ । ପାଞ୍ଚଜଣ ଏକାଠି ବସି କୌଣସି ବିଷୟରେ ପରସ୍ପର କଥା ଶୁଣି ପାରିଲେ ନାହିଁ । ପ୍ରାୟ ପ୍ରତ୍ୟେକ ସଭାରେ ଉଦ୍‍ଘାଟକ , ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଆପଣା ଆପଣାର ବକ୍ତୃତାମାନ ଉଦ୍‍ଗାରି ଦେଇଗଲେ ଓ ତା’ପରେ ଏକାଠି ଆଗରେ ବସି ପାଲାଗାୟନ ଶୁଣିଲେ ସତ, ମାତ୍ର ପରସ୍ପର ସହିତ କେବେ ମୁହାଁମୁହିଁ ହୋଇ ବସି ପାରିଲେ ନାହିଁ କି ପରସ୍ପର ସହିତ ମୁହାଁମୁହିଁ ବସି କିଛିହେଲେ ଭାବି ପାରିଲେ ନାହିଁ । ଏ ରୀତି କେବେ ବଦଳିବ ? ପୂଜା ଓ ପ୍ରଚାର ଅପେକ୍ଷା ଆମ ସାହିତ୍ୟରେ ସମୀକ୍ଷାକୁ କେବେ ଯାଇ ଅଧିକ ସ୍ଵୀକୃତି ମିଳିପାରିବ ? ଯେତେ ଦିନଯାଏ ଅଧ୍ୟାପକମନେ କେବଳ ଗାଇ ଯାଉଥିବେ ଓ ଅଧମର୍ଣ୍ଣ ଛାତ୍ରମାନେ ତାହାକୁ କେବଳ ଶୁଣିହିଁ ଯାଉଥିବେ, ସମ୍ଭବତଃ ସେତେଦିନ ଯାଏ ଏହି ତାମସା ଚାଲିଥିବ । ସୃଷ୍ଟିର ପଥକୁ ବଣା କରି ରଖା ଯାଇଥିବ, ‘ଜୟନ୍ତୀ’ର ମଉଜକୁ ହିଁ ସଭାର ନିୟମ ବୋଲି କୁହା ଯାଉଥିବ । ସକଳ ସମୀକ୍ଷା ଏକ ଅପ୍ରୀତିକର ଅନାବଶ୍ୟକତା ରୂପେ ବର୍ଜିତ ହୋଇ ରହିଥିବ । ପ୍ରଧାନତଃ ମାଷ୍ଟରମାନଙ୍କୁ ହିଁ ଖୁସୀ କରିବାଲାଗି ପିଲାମାନେ ପରୀକ୍ଷାଘରେ ଉତ୍ତର ଖାତାର ପୃଷ୍ଠା ଭରିବାରେ ଲାଗିଥିବେ ।

 

ମାତ୍ର ଯଥାର୍ଥ ସମୀକ୍ଷା ହେଉଚି ମୂଳତଃ ସୃଷ୍ଟିମୂଳକ । ଜଣେ କବି ବା ଲେଖକକୁ ଯଥାସମ୍ଭବ ସମଗ୍ରତର ଭାବରେ ଦେଖିବାକୁ ଏବଂ ବୁଝିବାକୁ ଚେଷ୍ଟାକଲାବେଳେ ଆମେ ନିଜକୁ ମଧ୍ୟ ସମଗ୍ରତର ଭାବରେ ଦେଖିବା ଓ ବୁଝିବାଲାଗି ଆପଣା ଭିତରେ କେତେ ନୂଆ ବାଟ ଖୋଲି ଦେଉଥାଉ । କେବଳ ଈର୍ଷା କଲେ ଅଥବା କେବଳ ପ୍ରଶଂସା ଭିତରେ ବୁଡ଼ାଇଦେଲେ ମଣିଷ ଅନେକ ସମୟରେ ଆପଣା ଭିତରେ ମଧ୍ୟ ଗୋଟାଏ ଅଂଶକୁ ଅତ୍ୟନ୍ତ ଲୁକ୍‍କାୟିତ ଓ ଗୋପନୀୟ କରି ରଖି ଆଉ ଗୋଟାଏ ଅଂଶକୁ ଅତିରିକ୍ତ ଭାବରେ ପ୍ରଚାର କରିବାର ଖଳ ବୁଦ୍ଧି କରିଥାଏ । ସେ ଆପଣାକୁ ଆପଣା ଆଗରେ କଦାପି ସମଗ୍ର ଭାବରେ ଠିଆ କରାଇ ପାରେନାହିଁ । ଏଣେ ଆପଣାକୁ ନେଇ ଲଜ୍ଜିତ ହୁଏ ଓ ତେଣେ ଆପଣାକୁ ଅତ୍ୟନ୍ତ ସ୍ଫୀତ କରି ଦେଖାଇ ହାସ୍ୟାସ୍ପଦ ହେବାରେ ଲାଗିଥାଏ । ସେତେବେଳେ ଆମର ସମୀକ୍ଷା ମଧ୍ୟ କେବଳ ଗୋଟାଏ ଆଖିରେ ଦେଖିବା ପରି ବଡ଼ ଅସ୍ଵାଭାବିକ ହୋଇ ରହେ । ଏବଂ ସମୀକ୍ଷା ଏକଆଖିଆ ହୋଇ ରହିଥିବା ପର୍ଯ୍ୟନ୍ତ ସୃଷ୍ଟି ବି ସକଳାଙ୍ଗ ହୋଇପାରେ ନାହିଁ । ଆମର ସାହିତ୍ୟ ପ୍ରଭାହୀନ ଓ ପାଣ୍ଡୁର ହୋଇ ରହେ ।

 

୧୮ । ୯ । ୭୦

[‘ଜୀବନ ରଙ୍ଗ’, ଶାରଦୀୟା ସଂଖ୍ୟା, ୧୯୭୦]

Image

 

ଦଶହରାର ଚିଠି

 

ପ୍ରିୟ କଣ୍ଡୁରି ବାବୁ,

 

ପ୍ରଣାମ । ଆପଣଙ୍କର ଚିଠି ପାଇଲି । ଦଶହରା ଉପଲକ୍ଷେ ‘କଳନା’ର ଏକ ବିଶେଷ ସଂଖ୍ୟା ବାହାରୁଚି । ସେଥିଲାଗି ଆପଣ ଲେଖାଟିଏ ମାଗିଛନ୍ତି । ଲେଖାଟିଏ ଲେଖିବାକୁ ଯାଇ ଶେଷରେ ଖଣ୍ଡେ ଚିଠି ଲେଖି ବସିଲି ବୋଲି ଆପଣ ଅନ୍ୟଥା ଭାବିବେ ନାହିଁ ।

 

ଦଶହରା କହିଲେ ନାନା ଲୋକ ନାନାପ୍ରକାର ବୁଝନ୍ତି । ଏହାକୁ କିଏ ପିଠାପଣା ଓ ନୂଆ ଲୁଗା ବୋଲି ବୁଝେ, ପିଲାଏ ଏହାକୁ ଇସ୍କୁଲରୁ ବେଶ୍ କେତେଦିନ ପାଇଁ ଛୁଟି ପାଇବା ବୋଲି ବୁଝନ୍ତି । କଲିକତାର ପ୍ରବାସୀ ଓଡ଼ିଆ ଏହାକୁ ଯେକୌଣସି ଉପାୟରେ ଛୁଟି ମଞ୍ଜୁର କରାଇ ସୁଦୂର ଓଡ଼ିଶାରେ ଥିବା ଆପଣା ଘରେ କେତେଦିନ ମୁହଁମାରି ଆସିବାକୁ ବୁଝନ୍ତି । ଧାର୍ମିକ ଲୋକେ ଏହାକୁ ଦୁର୍ଗାପୂଜା ବୋଲି ବୁଝନ୍ତି । ପଣ୍ଡିତମାନେ ଶାସ୍ତ୍ରର ଘୂମ ଭିତରେ ନାନାପ୍ରକାର ଯୁକ୍ତି ଓ ସ୍ଵକ୍ତି କାଢ଼ି ଦଶହରା-ଉତ୍ସବକୁ ହିନ୍ଦୁ ବା ଭାରତୀୟ ସଂସ୍କୃତିର ଏକ ମୂଲ୍ୟବାନ ସମ୍ପଦ ବୋଲି ପ୍ରମାଣ କରି ଦେଖାଇବାର ଏକେ ଉପାଦେୟ ଅବକାଶ ବୋଲି ବୁଝନ୍ତି ।

 

ଆଜି ବି ମନେ ପଡ଼ୁଚି, ମୋର ସାହିତ୍ୟିକ ଓ ବିଚାରଗତ ଜୀବନର ଅତି ପିଲାଦିନେ ମୁଁ ଦଶହରା ବିଷୟରେ ଭାରି ସଉକରେ କବିତାଟିଏ ଲେଖିଥିଲି । ସେତେବେଳେ ମୁଁ କଟକ ଜେଲରେ ରାଜନୀତିକ ବନ୍ଦୀ ହୋଇ ରହିଥାଏ । ସନ୧୯୪୩ ମସିହା, ବଙ୍ଗ ଦେଶରେ ଦାରୁଣ ଦୁର୍ଭିକ୍ଷ ଲାଗିଥାଏ । ଜେଲ ଭିତରେ ସରକାର ଆମକୁ ଆଇନ୍ ମୁତାବକ ଖାଇବାକୁ ଦେଉଥାନ୍ତି । ଘରେ ଯାହା ମିଳୁଥାନ୍ତା, ଆମକୁ ତାହାଠାରୁ ଯଥେଷ୍ଟ ଅଧିକ ଭଲ ଭୋଜନ ମିଳୁଥାଏ । କିଶୋର-ବୟସରେ ସେଦିନ ମୁଁ ଦଶହରା ବିଷୟକ ମୋର କବିତାଟିକୁ ଭୋକ ଦ୍ଵାରାହିଁ ଆରମ୍ଭ କରିଥିଲି । ପ୍ରଥମ ଧାଡ଼ିରେ ଲେଖିଥିଲି : ଭୋକର ବାଇଦ ବଜାଇ ଆସୁଛି ଅନ୍ନପୂର୍ଣ୍ଣାର ଉତ୍ସବ ପୂଜା । ଭୋକ କହିଲେ ସେତେବେଳେ ମୁଁ ପେଟର ଭୋକକୁ ହିଁ ବୁଝୁଥିଲି । ପେଟର ଭୋକ ବିଷୟରେ ମୋ’ ନିଜର କୌଣସି ଅନୁଭୂତି ନ ଥିଲା । କିଶୋର ମନ ଓ କିଶୋର ହୃଦୟର ତରଳ ଦରଦ କ୍ଷେତ୍ରରେ ଅନ୍ୟ ମଣିଷଙ୍କର ପେଟର ଭୋକ ବିଷୟରେ ମୁଁ ଯେତିକି ଅନୁଭବ କରି ପାରୁଥିଲି, ସେତିକି ପୁଞ୍ଜି ମୋର ସେତେବେଳେ ଯଥେଷ୍ଟ ଥିଲା । ଏହି ଘଟଣାର ପ୍ରାୟ ପାଞ୍ଚ ବର୍ଷ ପରେ ମୋର ନାମାଙ୍କିତ ପ୍ରଥମ ଛପାବହି ବାହାରିଲା । ଆଲୋଚିତ କବିତାଟି ମଧ୍ୟ ସେହି ବହିରେ ସ୍ଥାନ ପାଇଥିଲା । ସେଦିନ ମୋର ଖୁସି କହିଲେ ନ ସରେ । ମୋର ବହି ବା ମୋର କବିତା ଛପା ହେଲା, ସେଇଥିଲାଗି । ବହୁ ଅକ୍ଷର ସମ୍ବଳିତ ଏହି ଛପାଟି ଦେଖି ମୁଁ ସେଦିନ ଅନୁଭବ କଲି, ସତେ ଯେପରି ମୋ’ ଭିତରେ ଥିବା କେଉଁ ଭୋକର ଶତ ଉଦର ଓ ସହସ୍ର ଲାଳସାକୁ ପୂର୍ଣ୍ଣ କରି ସେଦିନ ମୋର ଇଚ୍ଛା ବୃକ୍ଷରେ ଫଳ ଧରିଲା, ମୋର ସ୍ଵପ୍ନ ସରୋବର ଭରିଗଲା । ଯାହା କାମନା କରି ମୁଁ ମୋ’ କବି ମନର ଅଣ୍ଟି ପ୍ରସାରି ସଂସାରର ଦାଣ୍ଡରେ ବାହାରିବି ବୋଲି ସୁଯୋଗ ଖୋଜୁଥିଲି, ସତେଯେପରି ସେହି କାମନା ପୂର୍ଣ୍ଣ ହୋଇଗଲା । ଯେଉଁ ମଣିଷମାନଙ୍କର ଭୋକ ବିଷୟରେ ମୁଁ କବିତା ଲେଖିଥିଲି, ଯେଉଁ ଜୀବନଗୁଡ଼ିକର ଭୋକ-ଉପାଖ୍ୟାନ କିଶୋର ବୟସରେ ମୋତେ ଏତେ ସଫଳତା ଆଣି ଦେଇଥିଲା, ସେମାନଙ୍କର ଭୋକ କେତେଦୂର ଗଲା ବା ରହିଲା, ସେତେବେଳେ ସେ କଥା ଭାବିବାର ଧୃତି ହିଁ ମୋର ନଥିଲା ।

 

କିଶୋର ବୟସ ଗଲା, ଯୌବନ ଆସିଲା । ମୋର ତାରୁଣ୍ୟରେ କେତେ ପଟବଦଳା, କେତେ କାୟାପଲଟ ହେଲା । ଏହି ତାରୁଣ୍ୟ କେତେ ଜାଗାରେ ଠିକିଲା, କେତେ ନୂଆ ନୂଆ କ୍ଷେତ୍ରକୁ ପ୍ରସାରିତ ହୋଇଗଲା, କେତେ ଘରେ ନୀଡ଼ ବାନ୍ଧିଲା, କେତେ ନୂତନ ପ୍ରକାରେ ବ୍ୟାକୁଳ ହେଲା ଓ କେତେ ନୂତନ ପ୍ରକାରେ ପାକଳ ହେଲା । ଭୋକ ବିଷୟରେ କବିତା ଲେଖି ଦେଲେ ଯେ ଭୋକ ଯାଏ ନାହିଁ,–ଭୋକିଲା ପେଟର ଭୋକ ଯାଏନାହିଁ, କ୍ରମେ ମୁଁ ଏହିକଥା ଅଙ୍ଗେ ନିଭାଇବାକୁ ଆରମ୍ଭ କଲି । ଭୋକର କବିତାକୁ ଛପା ଅକ୍ଷରରେ ବାହାର କରି ପାରିଲେ ଯେ କବି ସାହିତ୍ୟିକର କର୍ତ୍ତବ୍ୟ ସରିଯାଏ ନାହିଁ, ମୁଁ ସେକଥା ମଧ୍ୟ କ୍ରମେ ବୁଝିବାକୁ ଆରମ୍ଭ କଲି । ଭୋକ କହିଲେ ଆଗେ ମୁଁ କେବଳ ପେଟର ଭୋକକୁ ହିଁ ବୁଝୁଥିଲି । ସେତିକି ବୁଝିବାକୁ ପୁଣି କଳ୍ପନା ଓ ବ୍ୟଞ୍ଜନାର ନାନା ଯନ୍ତ୍ରପାତି ଧରି ମୋତେ ହୃଦୟକୁ ଠିକ୍ ଭାବରେ ପ୍ରସ୍ତୁତ ରଖିବାକୁ ପଡ଼ୁଥିଲା । କାରଣ ଆପେ ମୁଁ କେବେ ପେଟ ଭୋକର ଆଘାତ ସହି ନ ଥିଲି । ଏହି ଆଘାତ ସହିବାର କୌଣସି ଆଶଙ୍କା ମଧ୍ୟ ମୋ’ ଜୀବନରେ ନ ଥିଲା । ବର୍ତ୍ତମାନ ମୋ’ ଜୀବନ କ୍ଷେତ୍ରର ଚତୁର୍ଦ୍ଦିଗକୁ ଅନାଇ ମୁଁ ଦେଖିପାରୁଚି, ମୋର ଅଜାଣତରେ ଅଥଚ ଅତି ସ୍ଵାଭାବିକ ଓ ଅଭିଜ୍ଞତାଲବ୍‍ଧ ଭାବରେ ମୋ’ ଜୀବନରେ ଭୋକର ସଂଜ୍ଞାଟା ମଧ୍ୟ ଦିନକୁଦିନ ପ୍ରସାରିତ ହେବାରେ ଲାଗିଚି । ବଦଳି ଯାଉନାହିଁ, ପ୍ରସାରିତ ହେଉଚି ।

 

ମୁଁ ମଣିଷ, ଅପର ଲାଗି ମଧ୍ୟ ମୋ’ ହୃଦୟରେ ଭୋକ ରହିଚି । ସେ କେଉଁଠି ଅଛି, କଣ ଖାଉଚି, କେତେ କମାଉଚି, କେଉଁ ଭାଷାରେ କଥାବାର୍ତ୍ତା କରୁଚି, ବା କେଉଁ ଆଦର୍ଶବାଦ ଲାଗି ଲଢ଼ୁଚି, ସେକଥା ଅନୁସନ୍ଧାନ କରିବାକୁ ଏହି ଭୋକର ଫୁରସତ୍ ନାହିଁ । ମୁଁ ମଣିଷ । ମୋ’ ଭିତରେ ଦୁଃଖ ଅଛି, ସୁଖ ଅଛି, ବାସନା ଓ କାମନାମାନ ଅଛି । ଆଉ ଜଣକ ପାଖରେ ନିଶ୍ଚିତ ହୋଇ ବସି ମୋର କଥାଗୁଡ଼ାକ କହିପାରିବା ଭଳି ଆପଣା ଲୋକ ମୁଁ ଖୋଜି ବୁଲୁଚି । ଆଉ ସମସ୍ତେ ବି ମଣିଷ । ସେମାନଙ୍କର ଭିତରଟାବି ସେମିତି ହୋଇଥିବ । ସେମାନେ ବି କ୍ଷଣେ କାନ୍ଦୁଥିବେ, କ୍ଷଣେ ଆଶା କରି ଧାଉଁଥିବେ । କ୍ଷଣେ କୀଟାନୁକୀଟର ଦୁର୍ଗିତ ବହନ କରି କେଉଁ ଆତ୍ମ-ଅବଜ୍ଞାର ଧୂଳି ଭିତରେ ମନ୍ଥିଚକଟି ହେଉଥିବେ; ପୁଣି କ୍ଷଣେ ଆପଣା ଦିବ୍ୟରୂପର କେଉଁ ସିଂହାସନ ଉପରେ ବସିଥିବା ଆପଣାଆଡ଼କୁ ଅନାଇ ଚକିତ ବି ହେଉଥିବେ ଓ ସେହି ଚକିତ ହେବାର ପ୍ରେରଣାରେ ପାଞ୍ଚଖୋଜ ଆଗକୁ ଦଉଡ଼ି ଯାଉଥିବେ । ଏହି ମଣିଷଙ୍କ ସହିତ ସମ୍ମିଳିତ ହେବାର ଭୋକ କିଛି କମ୍ ପ୍ରବଳ ନୁହେଁ । ଏହି ଭୋକଟା ଆଗ କି ପେଟର ଭୋକଟା ଆଗ ମୁଁ ସେକଥା କହି ପାରିବି ନାହିଁ, ଭୋକର ରାମାୟଣ ଲେଖା ହେଲେ ସେଥିରେ କେଉଁ ଭୋକଟା କାହାର ଅଗ୍ରଜ ବ ଅନୁଜ, ତାହା ନିର୍ଣ୍ଣୟ କରିବା ଆଦୌ ସହଜ ହେବନାହିଁ ।

 

ଏହିପରି ଆହୁରି କେତେ ଭୋକ ଯେ କେତେ ପର୍ବର ଭଙ୍ଗୁର ଶରୀରଟା ଭିତରେ ରହିଚି, ମୁଁ ସୁମାରିକରି କଣ କହିବି ? ଏହାରି ଭିତରେ ଶାସ୍ତ୍ରର ଭୋକ ଅଛି, ବିଦ୍ୟାର ଭୋକ ଅଛି, ଦେବାର ଓ ପାଇବାର ଭୋକ ରହିଚି । କେତେପ୍ରକାର ହେବା ଓ ଆପଣାକୁ ବାରବାର ଆବିଷ୍କାର କରିବାର ଭୋକବି ରହିଚି । ଧର୍ମର ଭୋକ ରହିଚି, ଜୀବନର ଭୋକ ରହିଚି । ଏହି ଭୋକଗୁଡ଼ାକ ଠୁଳ କରି ମୋ’ରି ଭିତରେ ବହନ କରି ପାରିବାର ପ୍ରଚେଷ୍ଟା ଓ ପଥଝୁଣ୍ଟା, ମୁଁ ଏହାକୁ ମୋର ଜୀବନ ବୋଲି କହିବି । କିନ୍ତୁ ପେଟର ଭୋକକୁ ଭୁଲିଯାଇ ବା ଏହାର ତୀବ୍ର ଆହ୍ଵାନ ପାଖରୁ ପଳାଇଯିବା ଉଦ୍ଦେଶ୍ୟରେ ଯେ ମୁଁ ଆପଣା ଭୋକକୁ ପ୍ରସାରିତ କରିବାର ପେଖନା ନେଇ ବାହାରିଚି, ସେ କଥା କହିଲେ ମଧ୍ୟ ମୁଁ ଆପଣା ବିଷୟରେ କଦାପି ସତକଥା କହିବି ନାହିଁ । ମୋ’ ଜୀବନରେ ବରଂ ବିପରୀତ ହିଁ ଘଟିଚି । ଜେଲ ଭିତରେ ବସି ପୂର୍ଣ୍ଣ ପେଟରେ ଭୋକ ବିଷୟରେ କବିତା ଲେଖିଲାବେଳେ ଭୋକକୁ ମୁଁ ଯେପରି ଦେଖୁଥିଲି, ଆଜି ମୋର ପ୍ରସାରିତ ପିଠି ଉପରେ ମୁଁ ଭୋକକୁ ତା’ଠାରୁ ଅଧିକ ବାସ୍ତବ ଭାବରେ ଦେଖିବାକୁ ପାଉଚି, ମଣିଷ ମଣିଷ ହେବାକୁ ହେଲେ, ତା’ର ପେଟ ପୂରିବା ଉଚିତ, ଭଗବାନଙ୍କଠାରେ ଭୋଗ ଲାଗାଇବାକୁ ଧର୍ମ ବୋଲି ମଣିଲେ ଭୋକିଲା ମଣିଷର ଭୋକକୁ ମଧ୍ୟ ଅନବତ ମସ୍ତକରେ ସ୍ଵୀକାର କରିନେବା ଉଚିତ,–ଏହାକୁ ମୁଁ କ୍ରମେ ମୋର ଜୀବନ ଧର୍ମର ଉପଲବ୍‍ଧ ସତ୍ୟ ହିସାବରେ ଦେଖିବାକୁ ଆରମ୍ଭ କରୁଚି । ଯେତେ ଯୁଆଡ଼େ ଯେତେ ସୂକ୍ଷ୍ମ ଦିଗରେ ମୋର ଭୋକଗୁଡ଼ାକ ପ୍ରସାରିତ ହେଲେ ମଧ୍ୟ ପେଟର ଭୋକଟାକୁ ହିଁ ମୁଁ ସକଳ ସଂପ୍ରସାରଣର ଆଧାର ରୂପେ ହୃଦୟଙ୍ଗମ କରି ଶିଖୁଚି । ପେଟର ଭୋକଠାରୁ ପଳାଇ ଯାଇ ମୁଁ ଅନ୍ୟ କୌଣସି ଭୋକକୁ ଏକ ଆଳ ପରି ଗ୍ରହଣ କରି ନାହିଁ । ମଣିଷ, ଧର୍ମ, ଶାସ୍ତ୍ର, ସାହିତ୍ୟ ଓ ଜୀବନ ଲାଗି ମୋର ଭୋକ ମୋଟେ ଆଜି ସଂସାରବ୍ୟାପୀ ହୋଇ ରହିଥିବା ପେଟର ଭୋକ ଆଡ଼କୁ ଫେରାଇ ଆଣିବାରେ ହିଁ ଅଧିକରୁ ଅଧିକ ସାହାଯ୍ୟ କରିଚି ।

 

କୌଣସି ବଙ୍ଗଳା ପତ୍ରିକାରେ ମୁଁ ଥରେ ସିଦ୍ଧହସ୍ତ ଲେଖକ ଶ୍ରୀ ଅନ୍ନଦା ଶଙ୍କର ରାୟଙ୍କର ଏକ ପ୍ରବନ୍ଧ ପଢ଼ୁଥିଲି । ଶ୍ରୀଯୁକ୍ତ ରାୟ ପ୍ରବନ୍ଧଟିରେ କବି ବା ଲେଖକକୁ ସମାଜର ଚାରଣ ବା ଲିପିକାର ବୋଲି ବର୍ଣ୍ଣନା କରିଚନ୍ତି । ସ୍ଵାଧୀନତା-ଯୁଗରେ ଅର୍ଥାତ୍‍ ଭାରତବର୍ଷରେ ସ୍ଵାଧିନତାର ପ୍ରାପ୍ତି ଲାଗି ସଂଗ୍ରାମ ଚାଲିଥିବା ବେଳେ ଶ୍ରୀଯୁକ୍ତ ରାୟ ଜଣେ ଲେଖକ ହିସାବରେ ତଟସ୍ଥ ବୃତ୍ତି ଅବଲମ୍ୱନ କରି କେବଳ ଅବଲୋକନ କରିବାକୁ ହିଁ ଆପଣାର କର୍ତ୍ତବ୍ୟ ବୋଲି ଗ୍ରହଣ କରିଥିଲେ । ଲଢ଼ିବେ ଅନ୍ୟମାନେ, କବି ବା ଲେଖକ ତାହାର ଭାବ ପ୍ରକାଶ ଓ ଶବ୍ଦ ବସାଣର ଚାତୁରୀ ଦେଇ ସେହି ଲଢ଼େଇର ବର୍ଣ୍ଣନା କରିବ । କାରଣ ସେ ନିଜେ ଲଢ଼େଇରେ ପଶିଗଲେ ପୁଣି ବର୍ଣ୍ଣନା କରିବ କିଏ ? ମୋ’ ଭୋକର ପୃଷ୍ଠଭୂମି ଉପରେ ଠିଆ ହୋଇ ମୁଁ ଏହି ଯୁକ୍ତିକୁ ଆଦୌ ବୁଝିପାରେ ନାହିଁ । ସ୍ଵାଧୀନତା-ସଂଗ୍ରାମର ବର୍ଣ୍ଣନା କରିବାକୁ ମୁଁ ସଂଗ୍ରାମ ବାହାରେ ଏକ ନିରାପଦ ମଞ୍ଚା ଉପରେ ଯାଇ ଠିଆହେବି, ଭୋକର ବର୍ଣ୍ଣନା କରିବାକୁ ଯାଇ ମୁଁ ଖାଇପିଇ ପ୍ରକୃତିସ୍ଥ ହୋଇ ରହିଥିବି, ଜୀବନର ଉପଲବ୍‌ଧି ପଥରେ ମୁଁ ଏହାକୁ ଆଦୌ ଏକ ବଳିଷ୍ଠ ପରାମର୍ଶ ରୂପେ ଗ୍ରହଣ କରିବି ନାହିଁ । ସାଧାରଣ ବା ଅସାଧାରଣ କୌଣସି ମଣିଷ ପାଇଁ ନୁହେଁ ଲେଖକ ବା ସାହିତ୍ୟିକ ପାଇଁ ତ ଆଦୌ ନୁହେଁ ।

 

ମଣିଷର ସଂସାରକୁ ମଣିଷର ସଂସାର ପରି ଅନୁଭବ କରିବାର ଭୋକ ନେଇ ଏ ଦେଶରେ କେତେ ନେତା, କେତେ ସେବକ ଓ କେତେ ଲେଖକଙ୍କ ପାଖକୁ ଗଲେ ଯେ ସେହିପରି ଭୋକିଲା ହୋଇ ବାହୁଡ଼ି ଆସିବାକୁ ପଡ଼େ, ମୁଁ ସେକଥା ଭଲ କରି ଜାଣେ । ଭାରି ଲୋଭ କରି କୌଣସି ନେତାଙ୍କ ସହିତ କଥାବାର୍ତ୍ତା ହୁଅ, ସେ କହିବେ ତାଙ୍କରି ଖୁଆଡ଼ ଭିତରେ ପଶି ତାଙ୍କୁ ହିଁ ଅଭିଭାବକ ବୋଲି ମାନି ତାଙ୍କରି ବାନା ଧରିବାକୁ ପନ୍ଥା ବୋଲି ଧରିପାରିଲେ ଆଉ ଭୋକ ରହିବ ନାହିଁ । ଏ ଦେଶରେ ଏପରି ଅଧ୍ୟାପକ ଅନେକ ଅଛନ୍ତି, ଯେଉଁମାନଙ୍କ ପାଖରେ ସରାଗରେ ଘଡ଼ିଏ ବସିବାକୁ ଯାଅ, ଆପଣାର ଦରମା ବା ଦଳବଳ ବଢ଼ିବା ବ୍ୟତୀତ ତାଙ୍କଠାରୁ ହୁଏତ ଆଉ କିଛିହେଲେ ଶୁଣିବାକୁ ମିଳିବ ନାହିଁ । ସାହିତ୍ୟିକ ବା ଲେଖକ ପାଖକୁ ଯାଅ, ସେଠାରେ ଶୁଣିବ ଅମୁକ ସଭାରେ ଅମୁକ ମନ୍ତ୍ରୀଙ୍କୁ ଡକାଇ ଆଣି କିପରି ବାହାଦୁରୀ ଦିଆଗଲା ଓ ବାହାଦୁରୀ ନିଆମଧ୍ୟ ଗଲା । ଏ ଦେଶରେ ରାଜନୀତି ଚାଲୁଚି, ଅଧ୍ୟାପନା ଚାଲୁଚି, ସାହିତ୍ୟ ଓ ସଂସ୍କୃତି ମଧ୍ୟ ଚାଲୁଚି, ତଥାପି ଯେଉଁମାନେ ଏସବୁକୁ ଚାଲାଉଚନ୍ତି ବା ଏସବୁର ନାମରେ କେତେକେତେ ମଣିଷଙ୍କୁ ଚରାଉଚନ୍ତି, ସେମାନଙ୍କ ଭିତରେ ଯେପରି କୌଣସି ଭୋକ ହିଁ ନାହିଁ । ସେମାନେ ଯେପରି କିଛି ଚାହୁଁ ନାହାନ୍ତି । ସେମାନଙ୍କର ସଭାରେ ଯେପରି ମଣିଷ ଲାଗି କୌଣସି ବ୍ୟାକୁଳତା ହିଁ ନାହିଁ ! ବେଳେବେଳେ ବଡ଼ ବିସ୍ମୟର ସହିତ ମୁଁ ଭାବେ, ଏ ଦେଶରେ ମଣିଷକୁ ଦେଖିଲେ ଭୋକ ନ ହେବ ତ ଆଉ କେଉଁ ଦେଶରେ ହେବ ? ଆଖି ବୁଲାଇଦେଲେ ତ ଏଠି କଙ୍କାଳମାନ ସହିତ ଭେଟ ହୋଇଯିବ । କେତେ ପ୍ରକାରେ ହତଶିରୀ ହୋଇ ପଡ଼ିଥିବା ମଣିଷର ଜୀବନ କେତେ ପ୍ରକାର ଅଙ୍କୁଶ ମାରି ଆକୁଳ କରି ଦେବାକୁ ଆସିବ । ତଥାପି ଏ ଦେଶର ରାଜନୀତି, ଏ ଦେଶର ଅଧ୍ୟାପନା ଓ ଏ ଦେଶର ସାହିତ୍ୟ ଯେପରି ମଣିଷଠାରୁ ଏପର୍ଯ୍ୟନ୍ତ ଅନେକ ଦୂରରେ ରହିଚି ବୋଲି ମୋର ମନେହୁଏ । ଏବେ ତଥ୍ୟ ସଂଗ୍ରହ କରି କେଉଁ ପଣ୍ଡିତମାନେ କହିଚନ୍ତି ଯେ ଆମ ଦେଶରେ ତେୟାଳିଶି କୋଟି ଲୋକଙ୍କ ମଧ୍ୟରୁ ପଇଁତିରିଶି କୋଟିରୁ ଅଧିକ ମଣିଷ ଦିନକୁ ମାତ୍ର ଅଡ଼ଷଠି ପଇସା ରୋଜଗାର କରନ୍ତି । ଏମାନଙ୍କ ଭିତରେ ପ୍ରାୟ ଦଶକୋଟି ମଣିଷ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ କି ଦିନକୁ ବୟାଳିଶି ପଇସାର ଆୟରେ ବିପଣି ଚଳାଇବାକୁ ବାଧ୍ୟ ହୁଅନ୍ତି । ମଣିଷର ଭୋକଥିବା ସାହିତ୍ୟିକ ଓ ଲେଖକ କିପରି ଯେ ଏପରି ଏକ ଦେଶରେ ତଟସ୍ଥ ଓ ନିରାସକ୍ତ ହୋଇ ଚାରଣବୃତ୍ତି କରିବ, ମୁଁ ସେକଥା କଳ୍ପନା ମଧ୍ୟ କରିପାରେ ନାହିଁ । ମଣିଷର ଭେକଥିବା ଅଧ୍ୟାପକ କିପରି ଅଧ୍ୟାପନାରୂପକ କୁଚ୍ଛ୍ର ସାଧନାଦ୍ଵାରା ଏ ଦେଶରେ ପଇସା ଅର୍ଜନ କରି ଘର ତୋଳାଇ ସୁଖରେ ଓ ଶାନ୍ତିରେ ରହି ପାରିବ, ଭାବିଲାବେଳକୁ ହୃଦୟ କମ୍ପିଗଲା ପରି ଲାଗେ । ମଣିଷର ଭୋକ ଥିବା ରାଜନୀତିକ ନେତା କିପରି ଏ ଦେଶରେ ଦଳ ଭିତରେ କଳହ କରିବାରେ ଓ ଦଳ ବାହାରେ ବାହୁସ୍ଫୋଟ ମାରିବାରେ ହିଁ ଆପଣାର କର୍ତ୍ତବ୍ୟ ସାରିଦେବ, ସେହି କଥାଟା ମୋତେ ବଡ଼ ଅସ୍ଵାଭାବିକ ମନେ ହୁଏ । ମଣିଷର ଭୋକ ଥିବା ସମାଜସେବକ ସେବାକୁ ଜୀବନ ବ୍ୟବସାୟର ପୁଞ୍ଜି କରି କିପରି ଯେ କ୍ଷମତା ଓ ଲୋକପ୍ରିୟତାର ସୌଧ ତୋଳି ବୁଲିବାରେ ଉତ୍ସାହ ପ୍ରକାଶ କରିବ, ମୋତେ ପ୍ରକୃତରେ ବଡ଼ ଅସମ୍ଭବ ବୋଲି ଲାଗେ । ମୋର ଭୋକ ମୋ’ ଦେଶର ଏତେବଡ଼ ଘରଟା ଭିତରେ ମୋତେ ତଥାପି ଘରଛଡ଼ା ଓ ଆଲକ୍ଷଣା କରି ରଖେ । ସଫଳ ରାଜନୀତି, ସଫଳ ସାହିତ୍ୟ ବା ସଫଳ ଅଧ୍ୟାପନାର କୌଣସି ସଭାରେ ବୁଦ୍ଧିମାନ ଲୋକ ପରି ଶାନ୍ତ ଓ ସ୍ୱସ୍ତି ହୋଇ ବସିବା ଆଉ ମୋ’ଦେଇ ହୋଇପାରେ ନାହିଁ ।

 

ସେଥିଲାଗି ସାହିତ୍ୟ ଓ ସଂସ୍କୃତିକୁ ମୁଁ କଦାପି ତୁଚ୍ଛା ଅବସରବିନୋଦନ ରୂପେ ଦେଖିପାରେ ନାହିଁ । ସଭା ସମିତିରେ ନାନା ଭଳି ବିଳାସ ମଣ୍ଡନ ଭିତରେ ଭାଷଣ-ଆପ୍ୟାୟନ କରିବାକୁ ମଧ୍ୟ ମୁଁ ସାହିତ୍ୟ ଓ ସଂସ୍କୃତି ବୋଲି ବିଚାରି ପାରେ ନାହିଁ । ମୁଁ ଚାହେଁ, ସାହିତ୍ୟ ଓ ସଂସ୍କୃତି ପ୍ରଧାନତଃ ମଣିଷ ସହିତ ସମ୍ମଳିତ ହେବାର ଭୋକଦ୍ଵାରା ହିଁ ଉଜ୍ଜୀବିତ ଓ ଉଦବୋଧିତ ହୋଇ ରହିଥାନ୍ତା କି ! ପୁଣି ଏ ଯୁଗରେ, ବିଶେଷତଃ ଆମ ଦେଶରେ ଯିଏ ମଣିଷ ସହିତ ସମ୍ମଳିତ ହେବାରେ ଭୋକ ନେଇ ସାହିତ୍ୟ ଲେଖୁଚି ରାଜନୀତି କରୁଚି ବା ବିଦ୍ୟାଳୟରେ ଅଧ୍ୟାପକ ହେଉଚି, ସିଏ ପେଟର ଭୋକଟାକୁ ଏଡ଼ି ଦେଇ ଏଠିକି ସାହିତ୍ୟ, ରାଜନୀତି ବା ଅଧ୍ୟାପନା କରି ପାରିବ ? ଏହି ସମ୍ପର୍କରେ ଫରାସୀ ଲେଖକ ଜା ପଲ୍ ସାରତ୍ରଙ୍କର Commitment କଥାଟା ମୋର ଭାରି ମନେ ପଡ଼ି ଯାଉଚି । ସିଏ କହନ୍ତି ପ୍ରତ୍ୟେକ ଲେଖକ ବା ସାହିତ୍ୟିକ ମଣିଷ ଜୀବନର କୌଣସି ନା କୌଣସି କ୍ଷେତ୍ର ଲାଗି ଆପଣାକୁ ଉତ୍ସର୍ଗ କରି ରଖିଥାଏ । କିଏ ଜାତିକୁ ବଡ଼ କରି ଦେଖାଇବ ବୋଲି ସାହିତ୍ୟ ଲେଖେ, କିଏ ଅତୀତକୁ ଅନୁଶୀଳନୀୟ ଆଦର୍ଶ କରି ଦେଖାଇବାକୁ ସାହିତ୍ୟ ଲେଖେ । ଦରବାରରେ ବାହାବାହା ପାଇବାକୁ କିଏ ସାହିତ୍ୟ ଲେଖେ, ପୁଣି କିଏ ଶାସନ ଓ ସତ୍ତାର ସ୍ୱୀକୃତି ପାଇବାକୁ ମଧ୍ୟ ସାହିତ୍ୟ ଲେଖେ । କମ୍ୟୁନିଷ୍ଟମାନେ କମ୍ୟୁନିଷ୍ଟବାଦ ଅର୍ଥାତ୍‍ କମ୍ୟୁନିଷ୍ଟବାଦର ନାଗରା ପିଟୁଥିବା ଦଳ ଓ ସର୍ଦ୍ଦାରମାନଙ୍କର ପ୍ରଶସ୍ତି ଗାଇ ସାହିତ୍ୟ ଲେଖନ୍ତି । କିଏ ଆପେ ଭୁଲି ଅନ୍ୟକୁ ଭୁଲାଇ ରଖିବାକୁ ମଧ୍ୟ ସାହିତ୍ୟ ଲେଖେ । ସଂସାରର ଦୁଃଖ ଜଞ୍ଜାଳ ଓ ଜୀବନର ଆହ୍ଵାନାକୁ ଛାଡ଼ି ପଳାଇ ଯିବାର ପ୍ରରୋଚନା ଦେବା ଲାଗି କେହି ସାହିତ୍ୟ ଲେଖେ, କେହି ଆପଣାର ଖିଆଲଗୁଡ଼ାକୁ ଜାହିର କରିବାକୁ ମଧ୍ୟ ସାହିତ୍ୟ ଲେଖେ । ସାହିତ୍ୟ ସବୁ ଦେଶରେ ଓ ଭାଷାରେ ଲେଖା ହୋଇଚି ଓ ଲେଖା ହେଉଚି । ହିଟଲର-ପ୍ରଶାସିତ ଜର୍ମାନୀରେ ଲେଖାହୋଇଚି, ଋଷିଆ ଓ ଚୀନରେ କମ୍ୟୁନିଷ୍ଟ ସରକାରଙ୍କର ଲୋକ ସମ୍ମୋହନ-କାର୍ଯ୍ୟକ୍ରମର ଚରିତାର୍ଥତା ଲାଗି ମଧ୍ୟ ସାହିତ୍ୟ ଲେଖା ଯାଉଚି । ରାଜାମାନଙ୍କର ଦରବାରରେ ଘଡ଼ିକଲାଗି ଜୀବନବିସ୍ମରଣ ସୃଷ୍ଟି କରିବା ଲାଗି ସାହିତ୍ୟ ଲେଖା ଯାଉଥିଲା, ଏବେ ଆମର ଆଧୁନିକ ଓ ସମସ୍ୟା ବହୁଳ ଯୁଗରେ ବହ୍ଵାଶୀ ଅଥଚ ଅଳ୍ପ ଧୈର୍ଯ୍ୟ ମଣିଷକୁ ଏକ ଆତ୍ମବିସ୍ମରଣର ମାୟା ଭିତରେ ମଜ୍ଜାଇ ରଖିବାକୁ ମଧ୍ୟ ସାହିତ୍ୟ ଲେଖା ଯାଉଚି । ତେଣୁ ଆମେ ଜାଣୁ ବା ନଜାଣୁ, ମାନୁ ବା ନାମାନୁ–ସାହିତ୍ୟର କୌଣସି ଏକ ଉତ୍ସର୍ଗ ଭୂମି ଅବଶ୍ୟ ରହିଚି, ପ୍ରତ୍ୟେକ ସାହିତ୍ୟର ଏକ Commitment ଅବଶ୍ୟ ରହିଚି । ଶ୍ରୀଯୁକ୍ତ ସାରତ୍ର କହନ୍ତି, ବର୍ତ୍ତମାନର ପୃଥିବୀରେ ଯେଉଁଠି ଅଧେ ମଣିଷ ଭଲ କରି ମୁଠାଏ ଖାଇବାକୁ ପାଆନ୍ତି ନାହିଁ, ଯେଉଁଠାରେ ଶିକ୍ଷା ଅପେକ୍ଷା ଅଶିକ୍ଷା ହିଁ ମଣିଷକୁ ଅଧିକତର ଗ୍ରାସ କରି ରହିଚି, ଯେଉଁଠି ଏକ ଅହେତୁକୀ ଆଣବିକ ଯୁଦ୍ଧର ଭୟ ତଳେ ସକଳ ଜୀବନ ଓ ମନୁଷ୍ୟାକାଂକ୍ଷା ତ୍ରସ୍ତ ସଙ୍କୁଚିତ ହୋଇ ରହିଚି, ସେଠାରେ ସାହିତ୍ୟିକର Commitment ମୂଳତଃ ଏହି ମଣିଷ ଲାଗି ହେବା ଉଚିତ । ମଣିଷକୁ ଅଫିମ ଖୁଆଇ ଭୁଲାଇ ରଖିବା ଲାଗି ନୁହେଁ, ମଣିଷକୁ ପୋଷା ମନାଇବା ଲାଗି ନୁହେଁ । ମାତ୍ର ମଣିଷ ଲାଗି ଅର୍ଥାତ୍‍ ସବୁ ମଣିଷ ଲାଗି ଏକ ସୁନ୍ଦରତର ସଂସାରରେ ଏକ ଯୋଗ୍ୟତର ଜୀବନ ବଞ୍ଚିବାର ସମ୍ଭାବନା ବିଷୟରେ ମଣିଷକୁ ଅଧିକ ସାହସ ଓ ବିଶ୍ଵାସର ଉଦ୍‍ବୋଧନ ଦେଇ । ମୋ’ ଭାଷାରେ ମୁଁ ଏହପରି ଏକ ଉତ୍ସର୍ଗ ଆକାଂକ୍ଷାକୁ ମଣିଷ ସହିତ ସମ୍ମିଳିତ ହେବାର ଭୋକ ବୋଲି କହିବି । ଯେଉଁ ସାହିତ୍ୟିକର Commitment ଏହି ସମ୍ମିଳନେଚ୍ଛାକୁ ଅସ୍ଵୀକାର କରି କୌଣସି ଖଣ୍ଡାନୁରକ୍ତିରେ ବ୍ୟସ୍ତ ଓ ଭୋଳ ହୋଇ ରହିଚି, ସେହି ସାହିତ୍ୟିକ ଆଧୁନିକ ଯୁଗରେ କୌଣସି ସାର୍ଥକ ସ୍ପନ୍ଦନ ସମ୍ଭବ କରି ପାରିବ ନାହିଁ । ଯେଉଁ ସମାଜରେ ଏପରି ସାହିତ୍ୟିକ ରହିଚନ୍ତି ଓ ସାହିତ୍ୟର ଆତଯାତ କରାଉଚନ୍ତି, ସେହିପରି ସମାଜକୁ ସାରତ୍ର ପ୍ରଧାନତଃ ଏକ ରୋଗଗ୍ରସ୍ତ ବିକାର ପ୍ରମତ୍ତ ସମାଜ ବୋଲି କହିଚନ୍ତି ।

 

ଓଡ଼ିଶାରେ ଅଧ୍ୟାପକ, ସାହିତ୍ୟିକ ଓ ରାଜନୀତିକ ନେତାର ଉତ୍ସର୍ଗ କ୍ଷେତ୍ର କେଉଁଠି ? ଆପଣା ଭିତରେ ପ୍ରଧାନତଃ କିଭଳି ଲୋକ ନେଇ ସେ ଅଧ୍ୟାପକ, ସାହିତ୍ୟିକ ବା ରାଜନୀତିକ ନେତା ହୋଇ ବାହରିଚି ? ସାରତ୍ରଙ୍କର ଭାଷାରେ ତାର Commitment ପ୍ରଧାନତଃ କେଉଁ କ୍ଷେତ୍ରରେ ବା କାହାଲାଗି ? ଉପନିଷଦର ପ୍ରଶ୍ନରେ କହିବାକୁ ଗଲେ ସେ କେଉଁ ଦେବତାର ଆବାହନ କରିବା ଲାଗି ଆପଣାର ହବି ସଜାଡ଼ୁଚି ? ଏହି ଚିଠିରେ ମୁଁ ଅନ୍ତତଃ ଗୋଟିଏ ପ୍ରଶ୍ନର ଉତ୍‍ଥାପନ କରିବାକୁ ଚାହୁଁଚି : ଓଡ଼ିଶାରେ ବର୍ତ୍ତମାନ ସାହିତ୍ୟିକ ଓ ଲେଖକର Commitment କେଉଁଥିଲାଗି ? ଯେତେଥର ମୁଁ ଓଡ଼ିଶାଆଡ଼କୁ ଅନାଏ, ଅପଣାର ଘରଆଡ଼କୁ ଅନାଏ, ସବୁଥର ମୋତେ ଓଡ଼ିଶାର ସାହିତ୍ୟ-ମଣ୍ଡଳୀ ଦୁଇଟି ପରିପନ୍ଥୀ ଦଳରେ ବିଭକ୍ତ ହୋଇ ରହିଥିବା ପରି ଦେଖାଯାଆନ୍ତି । ଦଳେ ପଛକୁ ଟାଣନ୍ତି, ପଛଆଡ଼କୁ ଇସାରା କରନ୍ତି, ଅତୀତ ଭିତରେ ହିଁ ଭବିଷ୍ୟତଲାଗି ସବୁ ପ୍ରଶ୍ନର ଉତ୍ତର ଦିଆଯାଇ ସାରିଚି ବୋଲି କହିବାର ଦୁରଭିଳାଷ ମଧ୍ୟ ଦେଖାଇଥାନ୍ତି । ସେମାନେ ବହ୍ୱାଡ଼ମ୍ବର ସହିତ ଜୟନ୍ତୀ ପାଳନ୍ତି ପୂଜ୍ୟପୂଜାର ଧୁମ୍‍ଧାମ୍ କରନ୍ତି–କଳାର ଚତୁରଙ୍ଗ ବଜାଇ ବସାଇ ସାହିତ୍ୟର କ୍ଷେତ୍ରକୁ ଜମକାଣିଆ କରି ରଖିବାକୁ ଚେଷ୍ଟା କରନ୍ତି । ସମାନ୍ତର ଦଳଟି ହେଉଚି ଆଧୁନିକ ଦଳ । ଏମାନେ ପୁରୁଣାକୁ ସର୍ବସ୍ଵ ପୁଟୁଳା କରି ଗ୍ରହଣ କରନ୍ତି ନାହିଁ, ଏତିକି ହେଉଚି ଏମାନଙ୍କ ଭିତରେ ସୁସ୍ଥତାର ସଙ୍କେତ । କିନ୍ତୁ ପୁରୁଣା ସହିତ ଲଢ଼ି ମଞ୍ଚ ଜିଣିବାକୁ ହିଁ ଏମାନେ ସାହିତ୍ୟିକ Commitmentର ଯାବତୀୟ ପରିସୀମା ବୋଲି ଗ୍ରହଣ କରି ପକାନ୍ତି । ତେଣୁ ଆଧୁନିକ ସାହିତ୍ୟିକ ଅର୍ଥାତ୍ ଆଧୁନିକ ସମାଜ ଓ ମଣିଷଗୋଷ୍ଠୀର ସାହିତ୍ୟିକ ହିସାବରେ ଆପଣାକୁ ସଜକରିବା ଲାଗି ସେମାନଙ୍କ ପାଖରେ ଆଉ ବାରୁଦ ନଥାଏ, ଧୈର୍ଯ୍ୟ ବା ଶକ୍ତି ମଧ୍ୟ ନଥାଏ । ଫଳତଃ ଆଧୁନିକତା କହିଲେ ଏମାନେ Technique ବା ରଚନା କୌଶଳର ନବୀନତାକୁ ହିଁ ବୁଝନ୍ତି । ଆଉ କେଉଁ ଦେଶରେ କେଉଁଠି କବିତା ଲେଖିବାର ନୂଆ କୌଶଳ ପ୍ରୟୋଗ କରାଗଲାଣି, ଓଡ଼ିଶାରେ ମୁଁ ତାହାରି ପ୍ରଥମ ପ୍ରବେଶ କରାଇବି, ବା ନୂଆ ଶୈଳୀରେ ମୁଁ ଗୋଟାଏ ଉପନ୍ୟାସ ବା ଗୋଟାଏ ଡିଟେକ୍‍ଟିଭ୍ କାହାଣୀ ଲେଖିବି, ଆଧୁନିକତାର ଉତ୍ସାହ ଆଜି ଏତକିରେ ସରିଗଲା ପରି ମନେ ହେଉଚି । ତେଣୁ ଓଡ଼ିଶାର ସାହିତ୍ୟ ଦାଣ୍ଡରେ ଆଜି ଶୈଳୀ ନେଇ ଝଗଡ଼ା ଲାଗୁଚି, Technique ନେଇ ବାଡ଼ିଆପିଟା ଲାଗୁଚି । ତେଣୁ ମଣିଷ ହିସାବରେ ମଣିଷ ପ୍ରତି ଆମ ଭିତରେ ରହିଥିବା ଭୋକର ବିଳାପକୁ ବୁଝି ସେହି ଅନୁସାରେ ନିଜ ଧର୍ମର Commitment ନିରୂପଣ କରିବା ଲାଗି ଆମର ଆଉ ବେଳ କାହିଁ ?

 

ଆଉ ଗୋଟିଏ ଦୃଷ୍ଟିରୁ ମଧ୍ୟ ଓଡ଼ିଶାର ସାହିତ୍ୟିକ-କ୍ଷେତ୍ରରେ ଦଳ ବିଭାଗର ବିଚାର କରା ଯାଇପାରେ । ଗୋଟାଏ ହେଉଚି, ସଫଳ ବା ସନ୍ତୁଷ୍ଟ ଦଳ । ଦ୍ଵିତୀୟଟି ଅର୍ବାଚୀନ ଅସନ୍ତୁଷ୍ଟ ଦଳ । ପ୍ରଥମଟି ହେଉଚି ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ଗୁରୁଜନମାନଙ୍କର ଦଳ । ଆପଣାର ତାରୁଣ୍ୟ ଥିଲାବେଳେ ଏମାନେ କେତେଦୂର ତା’ର ଆହ୍ଵାନର ସମ୍ମୁଖୀନ ହୋଇଥିଲେ, ମୁଁ ସେକଥା କହି ପାରିବି ନାହିଁ । କିନ୍ତୁ ବର୍ତ୍ତମାନ ଏମାନେ କୁଳବୃଦ୍ଧ ଓ ସ୍ୱୀକୃତି ପରିପୁଷ୍ଟ । ସାହିତ୍ୟିକ ମେଳା ମଉଛବରେ ଏହିମାନେ ପୁରୋଧା ହୁଅନ୍ତି, ସାହିତ୍ୟ-ସଭାରେ ଏଇମାନେ ସଭାପତି ହୁଅନ୍ତି, ସାହିତ୍ୟର ମୁକ୍ତି ମଣ୍ଡପରେ ଏହିମାନେ ହିଁ ପଣ୍ଡିତ ହୋଇ ବସିବାର ଡାକରା ପାଆନ୍ତି, ଏହିମାନେ ପୁରସ୍କୃତ ହୁଅନ୍ତି, ଏକାଠି ବସି ଏହିମାନେ ହିଁ ସାହିତ୍ୟକ୍ଷେତ୍ରରେ ପୁରସ୍କାରର ବିଚାର ବିବେଚନା କରନ୍ତି । ଭଗବାନଙ୍କ କୃପାରୁ କେବଳ ମାନରେ ନୁହେଁ, ଅର୍ଥ ଧନରେ ମଧ୍ୟ ଏମାନେ ବେଶ୍ ପ୍ରତିଷ୍ଠା ଅର୍ଜନ କରି ପାରିଚନ୍ତି । ଅର୍ବାଚୀନ ଅର୍ଥାତ୍ ଅଳ୍ପ ବୟସ୍କ ଦଳର ଅସୁନ୍ତୁଷ୍ଟ ହେବାରେ ଅନେକ କାରଣ ରହିଚି । କାରଣ ସନ୍ତୁଷ୍ଟମାନଙ୍କର ଯାହା ଅଛି, ଏମାନଙ୍କ ପାଖରେ ତାହା ନାହିଁ, ଓ ଏହି ଅଭାବଜନିତ ଦାରିଦ୍ର୍ୟ ଏମାନଙ୍କୁ ପୀଡ଼ିତ କରି ରଖିଚି । ସଭାରେ ସଭାପତି ହେବା ତ ଦୂରର କଥା, ସଭା ସମିତିକୁ ଏମାନେ ପ୍ରଧାନତଃ ଚାଲି ଚାଲି ଯାଆନ୍ତି । ଭାଷଣ ଦେବାଲାଗି ଏମାନଙ୍କୁ କେହି ଅନୁରୋଧ କରିବେ ନାହିଁ ଜାଣି ଥିବାରୁ ଏମାନେ ସଭାରେ କଳହ କରି ଆପଣା ଲାଗି ଭାଷଣ ଦେବାରେ ଅଧିକାର ହାସଲ କରନ୍ତି । ଏମାନଙ୍କର ଅସଲ ଭୋକକୁ ମଣିଷର ଭୋକ ବୋଲି କହିବାର ଅନେକ ପ୍ରମାଦ ରହିଚି କାରଣ କାଲି ଏମାନେ ମଧ୍ୟ ପ୍ରବୀଣ ହେବେ, ବୟସର ଅଧିକାରରେ ଏମାନେ ମଧ୍ୟ ସ୍ଵୀକାର ପାଇବେ । ହୁଏତ ଏମାନେ ମଧ୍ୟ ପୁରସ୍କାର-ବିବେଚନା କରିବାର ସଭାରେ ବସି କାଲି କେବଳ ଆପଣା ବ୍ୟତୀତ ଆଉ କାହାରି ରଚନାକୁ ଯୋଗ୍ୟ ବୋଲି କହିବା ଲାଗି ଏକ ସ୍ଵଭାବଗତ କୁଣ୍ଠା ଓ କୃପଣତା ଅନୁଭବ କରିବେ । ଏମାନଙ୍କ ଭିତରେ ମଣିଷର ଭୋକ ରହିଥିଲେ ଏପରି ହୁଆନ୍ତା ନାହିଁ । ମଣିଷର ସୁନ୍ଦରତର ସମ୍ଭାବନା ଲାଗି ଏମାନଙ୍କର Commitment ଉଦ୍ଦିଷ୍ଟ ହୋଇଥିଲେ ଏପରି କଦାପି ହୁଅନ୍ତା ନାହିଁ ।

 

ଦେଶର ଦୁରବସ୍ଥା ଦେଖି ଅନଶନଦ୍ଵାରା ଜୀବନ ତ୍ୟାଗ କରିବା ଲାଗି ଆପାଣର ଏକ କବିତାରେ ପଣ୍ଡିତ ଗୋପବନ୍ଧୁ ଥରେ ଇଚ୍ଛା ପ୍ରକଟ କରିଥିଲେ । ମୁଁ ପ୍ରଧାନତଃ ଭୋକୀ, ତେଣୁ ଅନଶନ କରି ଜୀବନ ତେଜିବାରେ ମୋର କୌଣସି ଉତ୍ସାହ ନାହିଁ । ମୋ ଦେଶରୁ ମୁଁ ପଳାଇଯିବାକୁ ଚାହେଁ ନାହିଁ । ମୋର ସାହିତ୍ୟ ଲାଳସା ମୋତେ ମଣିଷଠାରୁ ହୁଡ଼ାଇ ଉଡ଼ାଇ ନେଇଯିବାର କୌଣସି ଫିକର ଦେଖାଏ ନାହିଁ । ମୋତେ ବରଂ ଅଧିକରୁ ଅଧିକ ଏଇଠି ଜଡ଼ାଇ ହୋଇ ରହିବାର ଉତପ୍ରେରଣା ଦିଏ । ଗୋପବନ୍ଧୁଙ୍କର ଜୀବନରେ ମଧ୍ୟ ଆମେ ପଳାଇ ଯିବାର କୌଣସି ଫିକର ଦେଖିବାକୁ ପାଇବା ନାହିଁ । ତାଙ୍କର ସାହିତ୍ୟ ଆଉ ଯାହା ହୋଇଥାଉ ପଛକେ, ପଳାୟନବାଦୀ ଆଦୌ ନୁହେଁ । ଗୋପବନ୍ଧୁ-ସାହିତ୍ୟ ବା ଗୋପବନ୍ଧୁ-ଜୀବନର ଉତ୍ସର୍ଗ ଭୂମି ବା Commitment ଯେତେଦୂର ବ୍ୟାପକ ଓ ପ୍ରଶସ୍ତ ଥିଲା, ଓଡ଼ିଶାର କୌଣସି ସାହିତ୍ୟିକ ସମ୍ଭବତଃ ସେହି ବ୍ୟାପକତାର ସ୍ପର୍ଦ୍ଧା ହିଁ କରି ପାରିବେ ନାହିଁ । ଗୋପବନ୍ଧୁଙ୍କର ସାହିତ୍ୟ ଓ ଜୀବନଗତ ଭୋକକୁ ବୁଝି ପାରିଲେ ଆମକୁ ଦୂର ଦେଶ ଫ୍ରାନ୍‍ସର ସାହିତ୍ୟିକ ସାରତ୍ରଙ୍କର ପ୍ରେରଣା ଲାଗି ଆଦୌ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

 

ଓଡ଼ିଶାରେ ସାହିତ୍ୟର Commitment କେଉଁଠି ? ଯୁଗର ଅନ୍ୟାୟ, ସମାଜର ଅନ୍ୟାୟ ଓ ମଣିଷ ପ୍ରତି ମଣିଷର ଅନ୍ୟାୟ ସମକ୍ଷରେ ସାହିତ୍ୟିକ ଆପଣାକୁ କିପରି ଭୂମିକାରେ ଅବତୀର୍ଣ୍ଣ କରାଇବ ? ସେ ଅନ୍ୟାୟକୁ ଅନ୍ୟାୟ ବୋଲି କହିବା ନା କେଉଁ ସ୍ଵୀକାର ଛତ୍ର ତଳେ ଠିଆ ହୋଇ ପାରିବାର ଲାଳସାରେ ସେ ଚୁପ୍ ହୋଇ ରହିଯିବ ? ବାଜସନେୟ ସଂହିତାରେ ଭଗବାନଙ୍କୁ ମନ୍ୟୁ ବୋଲି ସମ୍ଭୋଧନ କରାଯାଇଚି । ମନ୍ୟୁର ଅର୍ଥ ଅନ୍ୟାୟଦ୍ରୋହୀ । ମନ୍ୟୁରସି ମନ୍ୟୁଂ ମୟି ଧେହି–ତୁମେ ମନ୍ୟୁ, ଅର୍ଥାତ୍ ଅନ୍ୟାୟଦ୍ରୋହୀ, ମୋତେ ମଧ୍ୟ ତୁମେ ଅନ୍ୟାୟଦ୍ରୋହୀ କର । ଅନ୍ୟାୟଦ୍ରୋହୀ ହେବାକୁ ହେଲେ ସାହିତ୍ୟିକକୁ କେବଳ ଟେକ୍‌ନିକ୍‌ରେ ଭ୍ରମିଗଲେ ଚଳିବ ନାହିଁ, କେବଳ ଏଦଳର ଚାରଣଗିରି କରି ସେ ଦଳର କୁତ୍ସା ଗାଇଲେ ହେବ ନାହିଁ । ଆପଣା ଲାଗି ସତ୍ତା ଓ ସମ୍ପନ୍ନତା କମାଇବା ଲାଗି ସାହିତ୍ୟକୁ ଏକ କୌଶଳ ପରି ବ୍ୟବହାର କଲେ ଏହି ଅନ୍ୟାୟଦ୍ରୋହିତା ସମ୍ଭବ ହେବ ନାହିଁ । ମୁଁ ତ କହିବି, କେବଳ ଆପାଣର ଭୋକ ବଢ଼ାଇଲେ ଓ ପେଟର ଭୋକକୁ ସବୁ ଭୋକର ଆଧାର କରି ଗ୍ରହଣ କରି ପାରିଲେ ଏହା ହୋଇ ପାରିବ ।

 

କିନ୍ତୁ ଆଜି ଏତିକିରେ ଥାଉ । ଇତି ।

 

ଆପଣଙ୍କର

ଚିତ୍ତରଞ୍ଜନ

 

(‘କଳନା’ ସେପ୍‍ଟେମ୍ୱର-ଅକ୍‍ଟୋବର, ୧୯୬୫)

Image

 

ଉତ୍ସ-ନିରୂପଣର ରୋଗ

 

ଗବେଷଣା ଜ୍ଞାନ ଓ ବିଜ୍ଞାନର ନାନା ବିଭାଗରେ ରହିଚି । ଗବେଷଣା ଫଳରେ ହିଁ ବିଜ୍ଞାନ ଅଗ୍ରଗତି କରି ଆସିଚି । ଅର୍ଥାତ୍ ବିଜ୍ଞାନରେ ନୂଆ ନୂଆ ତଥ୍ୟର ଆବିଷ୍କାର ହୋଇପାରିଚି, ନୂତନ ନାନା ସମ୍ଭାବନାର ଉନ୍ମୋଚନ ହୋଇଚି । ପଦାର୍ଥବିଜ୍ଞାନଠାରୁ ଆରମ୍ଭ କରି କୃଷିବିଜ୍ଞାନ ପର୍ଯ୍ୟନ୍ତ ଗତ ମାତ୍ର କେତେଶହ ବର୍ଷ ଭିତରେ ଏହିପରି ନାନା ତଥ୍ୟରହସ୍ୟର ଉଦ୍‍ଘାଟନ ହୋଇଚି ଓ ନାନାବିଧ ନୂତନ ସମ୍ଭାବନାକୁ ବିଜ୍ଞାନୀ ମଣିଷ ଆପଣାର ବ୍ୟାବହାରିକ ସତ୍ୟରେ ପରିଣତ କରି ପାରିଚି । ସଫଳତାର ଉତ୍ସାହ-ପ୍ରବାହରେ ବିଜ୍ଞାନ-ଗବେଷଣାର ପରିସର ମଧ୍ୟ ଦିନକୁଦିନ ଅଧିକ ପ୍ରସାରିତ ହୋଇ ଯାଇଚି । ବିଜ୍ଞାନ କହିଲେ ଏକ କାଳରେ କେବଳ ପଦାର୍ଥବିଜ୍ଞାନ ଓ ରସାୟନବିଜ୍ଞାନକୁ ବୁଝାଉଥିଲା । ତା’ପରେ ଜୀବବିଜ୍ଞାନ ଆସିଲା । ଅର୍ଥାତ୍ ବିଜ୍ଞାନର ଗବେଷଣା ଫଳରେ ଯେ ଚଳନ୍ତି ଜୀବସଂସାର ବିଷୟରେ ବି ଆମେ ଅଧିକ ତଥ୍ୟ ଜାଣିପାରିବା ଓ ତାହାରି ଫଳରେ ଏହି ଜୀବସଂସାରକୁ ଅଧିକରୁ ଅଧିକ ପରିମାଣରେ ଆପଣାର ଅକ୍ତିଆର ଭିତରକୁ ମଧ୍ୟ ଆଣି ପାରିବା, କ୍ରମେ ମଣିଷ ଭିତରେ ଏହିପରି ଏକ ବିଶ୍ଵାସ ଆସିଲା । ଜୀବସଂସାର ମଧ୍ୟରେ ମଣିଷ ବି ଗୋଟାଏ ଜୀବ । ତେଣୁ ବେଙ୍ଗ, ମୂଷା ଓ ମାଙ୍କଡ଼ ପରି ମଣିଷକୁ ମଧ୍ୟ ଆମେ ଆମ ଗବେଷଣାଗାରର ସମାଧାନଗୁଡ଼ିକ ସାହାଯ୍ୟରେ ଅଧ୍ୟୟନ କରି ପାରିବା ଓ ମଣିଷ ବିଷୟରେ ଅଧିକ ଜ୍ଞାନ ହାସଲ କରି ପାରିବା । ବିଜ୍ଞାନର ଏହି ଅନୁସନ୍ଧିତ୍ସା କେବଳ ମଣିଷର ଶରୀର ଓ ଶାରୀରିକ ପ୍ରକ୍ରିୟା ଭିତରେ ସୀମାବଦ୍ଧ ହୋଇ ରହିଲା ନାହିଁ । ମଣିଷ ଜୀବନର ସବୁ ଡାଳ ଓ ସବୁ ପତ୍ରକୁ ବି ତାହା ହାତ ବଢ଼ାଇଲା, ତା’ର ସବୁ ଚେରକୁ ଉଖାରି ଦେଖିବାକୁ ମନକଲା । ବିଜ୍ଞାନର ସାମ୍ରାଜ୍ୟ ଆହୁରି ଅଧିକ ବିସ୍ତୃତ ହୋଇଗଲା । ଏହି ସାମ୍ରାଜ୍ୟ ଭିତରେ ମଣିଷ-ଜୀବନର ବିଭିନ୍ନ ଅନୁଧାବନ ଗୋଟିଏ ଗୋଟିଏ ତାଲିକା ହୋଇ ରହିଲା । ଏହି ପର୍ଯ୍ୟାୟରେ ପଡ଼ି ଅର୍ଥନୀତି ବିଜ୍ଞାନ ହେଲା, ରାଜନୀତି ମଧ୍ୟ ବିଜ୍ଞାନ ହେଲା । ତା’ପରେ ମନୋବିଜ୍ଞାନ ବାହାରିଲା, ସମାଜବିଜ୍ଞାନ ବି ବାହାରିଲା ।

 

ବିଜ୍ଞାନକୁ ହିଁ ଆମ ଜୀବନ-ପରିଚୟରେ ଏକମାତ୍ର ବୀକ୍ଷଣଯନ୍ତ୍ର ବୋଲି ମାନି ନିଆଯିବା ପରେ ସର୍ବବିଧ ବୀକ୍ଷଣ ଓ ସର୍ବବିଧ ଅନ୍ଵେଷଣର ସଂଜ୍ଞା ମଧ୍ୟ ବଦଳିଯିବାକୁ ବସିଲା । ବୈଜ୍ଞାନିକ ସାଧନର ନିକିତି ଉପରେ ପରଖି ଦେଖାଯାଇ ନପାରିଲେ କୌଣସି ଜ୍ଞାନକୁ ଆଉ ଜ୍ଞାନ ବୋଲି କୁହା ଗଲାନାହିଁ । ତେଣୁ ହୁଏତ ମହତ ହରାଇବାର ଲାଜରେ ପଡ଼ି ଆମ ଆଧୁନିକ ଜୀବନର ସକଳ ଜ୍ଞାନବିଭାଗ କ୍ରମେ ବିଜ୍ଞାନର ଅଡ଼ା ଭିତରକୁ ଆସିଲା, ବୈଜ୍ଞାନିକ ଅଧ୍ୟୟନ-କାଇଦାର ଖୁଣ୍ଟରେ ବନ୍ଧାହୋଇ ରହିଲା । ଯେତେବେଳେ ପ୍ୟାଣ୍ଟ୍ କୋଟ୍ ପିନ୍ଧିବାଟା ହିଁ ଫେଶନ ହୋଇଯାଏ, ଅର୍ଥାତ୍ ପ୍ୟାଣ୍ଟ୍‍କୋଟ ପିନ୍ଧିବାକୁ ସଭ୍ୟତାର ସନ୍ତକ ବୋଲି ମାନି ନିଆଯାଏ, ସେତେବେଳେ ତଥାପି ପ୍ୟାଣ୍ଟ୍‍କୋଟ୍ ପିନ୍ଧୁନଥିବା ମଣିଷଙ୍କୁ ଅସଭ୍ୟ ନ କୁହାଗଲେ ମଧ୍ୟ ଅନ୍ତତଃ ସଭ୍ୟତାବର୍ଜିତ ବୋଲି କୁହାଯାଏ । ସେମାନଙ୍କୁ ଛୋଟ ନଜରରେ ଦେଖାଯାଏ । ସେହିପରି ଯଦି କୌଣସି ଅଧ୍ୟୟନ ବିଜ୍ଞାନପଦ୍ଧତିର ଆୟତ୍ତ ମଧ୍ୟକୁ ନଆସି ପାରିଲା, ତେବେ ତାହା ବିଜ୍ଞାନର ଦୋଷ ନୁହେଁ, ତାହା ହେଉଚି ସେହି ଅଧ୍ୟୟନ-କ୍ଷେତ୍ରଟିର ହିଁ ଦୋଷ; ଏହିପରି ମାନି ନିଆଗଲା । କଟୁରୀକୁ ହିଁ କାଟିବାର ଏକମାତ୍ର ସାଧନ ବୋଲି ମାନି ନିଆଗଲେ, ଯଦି ତଥାପି କୌଣସି ପଦାର୍ଥ କଟୁରୀରେ ନଛିଡ଼ିଲା, ତେବେ ତାହା କଟୁରୀର ଦୋଷ ନ ହୋଇ ସେହି ପଦାର୍ଥର ଦୋଷ ବୋଲି ବିବେଚିତ ହୋଇଥାଏ । ତେଣୁ ସେହିଭଳି ଏକ ଉତ୍ସାହିତ ଅବସରରେ ଆଧୁନିକ ରଙ୍ଗମଞ୍ଚରେ ସ୍ଵୀକୃତି ପାଇବାଲାଗି ଜୀବନ-ଜ୍ଞାନର ପ୍ରତ୍ୟେକ ବିଭାଗକୁ ଆଗ ବୈଜ୍ଞାନିକ ନିହାଣବାରିସିର ଗ୍ରୀନ୍‍ରୁମ୍‍ ଭିତରେ ପ୍ରବେଶ କରିବାକୁ ପଡ଼ିଲା । ଶିକ୍ଷା ଶାସ୍ତ୍ର ଶିକ୍ଷାବିଜ୍ଞାନ ହେଲା । ସମାଜଦର୍ଶନ ମନକୁ ପାଇଲା ନାହିଁ, ତେଣୁ ସମାଜ ଜୀବନର ଅଧ୍ୟୟନ ନୂଆ ଜର୍ସୀ ପିନ୍ଧି ସମାଜବିଜ୍ଞାନ ହୋଇ ବାହାରିଲା । ବୈଜ୍ଞାନିକ ପଦ୍ଧତିରେ ଦର୍ଶନ, ନୀତିଶାସ୍ତ୍ର ଓ ଧର୍ମର ଆଲୋଚନା ଆରମ୍ଭ ହେଲା । ମଣିଷର ବୁଦ୍ଧି ମପାଗଲା, ଗୁଣ ଓ ଅବଗୁଣଗୁଡ଼ାକୁ ମଧ୍ୟ ମପାଗଲା । ହୃଦୟର ଭାବ ଓ ଅଭାବଗୁଡ଼ାକୁ ମାପିବା ଲାଗି ମଧ୍ୟ ନୂଆ ଯନ୍ତ୍ର ଓ ନୂଆ ଜରିବ-କୌଶଳ ବାହାରିଲା । ବିଜ୍ଞାନର ତଥ୍ୟଗୁଡ଼ାକୁ କାମରେ ଲଗାଇଲେ ତାହାକୁ ସାଧରଣତଃ ଇଞ୍ଜିନିଅରିଂ ବୋଲି କୁହାଯାଏ । ଆଗେ କେବଳ ମେକାନିକାଲ ବା ଇଲେଟ୍ରିକାଲ ଇଞ୍ଜିନିଅରିଂ ଥିଲା । କାଳର ନୂଆ ଫେଶନରେ କ୍ରମେ Health Engineering ବାହାରିଲା, ଏବଂ ଏହି ପ୍ରର୍ଯ୍ୟାୟରେ ମାତ୍ର ଆଉ କେତେ ପାହୁଣ୍ଡ ଆଗେଇଯାଇ ବିହିତ ଅନୁକ୍ରମରେ Social Engineering ଆସିଲା । Spiritual Engineeringକୁ ମଧ୍ୟ ଆଉ ବେଶୀ ବାଟ ନରହିଲା ପରି ମନେହେଲା ।

 

ସାହିତ୍ୟରେ ଗବେଷଣା ପଶିବା ଆଦୌ ବେଶୀ ଦିନର କଥା ନୁହେଁ । ବୈଜ୍ଞାନିକ ପ୍ରଣାଳୀରେ ସାହିତ୍ୟର ଗବେଷଣା କରିବା, ଏଇଟା ମଧ୍ୟ ଆହୁରି ଏବର କଥା । ଆଗେ ସାହିତ୍ୟରେ ଭାଷ୍ୟଲେଖା ହେଉଥିଲା । ଗୋଟାଏ ମୂଳଗ୍ରନ୍ଥ ଉପରେ ହୁଏତ ଦଶଜଣ ଭାଷ୍ୟକାର ଦଶଟା ଭାଷ୍ୟ ଲେଖୁଥିଲେ, ମାତ୍ର ସେଥିରେ କେହି କଦାପି ବିସ୍ମିତ ହେଉ ନଥିଲେ । ରୁଚି ଓ ଦୃଷ୍ଟିର ବୈଚିତ୍ର୍ୟ ଅନୁସାରେ ଗୋଟାଏ ଗ୍ରନ୍ଥରୁ ଯେ ଏକାଧିକ ନିହିତାର୍ଥ ବାହାରି ପାରିବ, ତାହାକୁ ସମସ୍ତେ ଅତି ସ୍ଵାଭାବିକ ବୋଲି ବିଚାରୁଥିଲେ । ଏସବୁ ପଦ୍ଧତିକୁ ଏବେ Subjective ବୋଲି କୁହାଯାଉଚି । ଆପଣା ଗବେଷଣା ଓ ଅଧ୍ୟୟନ ମଧ୍ୟଦେଇ ଆପଣାର ବିଶେଷ ଓ ସ୍ଵକୀୟ ଦୃଷ୍ଟି କିମ୍ବା ରୁଚିଟିକୁ ପ୍ରକାଶିତ କରିବାର ପଦ୍ଧତିକୁ ଆଉ ସ୍ଵାଭାବିକ ବୋଲି ବିଚାର କରାଯାଉ ନାହିଁ । ଜଣେ ବ୍ୟକ୍ତି ହିସାବରେ ଆମର ରୁଚି ବା ଦୃଷ୍ଟି ଯାହା ହୋଇଥାଉ ପଛକେ, କିମ୍ବା ଆପଣାର ବୋଲି କହିବା ସକାଶେ ଆମର ଆଦୌ କୌଣସି ରୁଚି ବା ଦୃଷ୍ଟି ନଥାଉ ପଛକେ, ସେଗୁଡ଼ାକୁ ପ୍ରଚ୍ଛନ୍ନ ରଖି ଯଥାଶକ୍ତି Objective ହେବାଟାହିଁ ଆଜିକାଲିର ସ୍ଵୀକୃତ ଫେଶନ ହେବାରେ ଲାଗିଚି । ଆଧୁନିକ ବିଜ୍ଞାନ ଆପଣାର ଆରମ୍ଭ ଯୁଗରେ ପଦାର୍ଥବିଦ୍ୟା ଓ ରାସାୟନ ଶାସ୍ତ୍ରକୁ ହିଁ ଘାଣ୍ଟୁଥିଲା ଓ ଖେଳାଉଥିଲା । Objective ହେବାକୁ ହିଁ ସେହିସବୁ ଘାଣ୍ଟିବାର ଆଚାରଧର୍ମ ବୋଲି ମାନି ନିଆ ଯାଇଥିଲା । Uniformity of Natureକୁ ମୂଳସୂତ୍ର ବୋଲି ମାନି ନିଆ ଯାଇଥିଲା । ମାତ୍ର ସାମାଜିକ ଓ ମାନବିକ ବିଜ୍ଞାନଗୁଡ଼ିକର କ୍ଷେତ୍ରରେ ଆମେ ଠିକ୍ ଫିଜିକ୍‌ସ ଓ କେମିଷ୍ଟ୍ରୀ ପରି Objective ହେବାଲାଗି ଚେଷ୍ଟା କରି ବଡ଼ ବିଡ଼ମ୍ବନାରେ ପଡ଼ିଚୁ, ସାମାଜିକ ତଥା ମାନବିକ ଜ୍ଞାନ ଓ ବିଜ୍ଞାନଗୁଡ଼ିକୁ ବଡ଼ ବିଡ଼ମ୍ବିତ କରି ରଖିଚୁ । ଫିଜିକ୍‌ସ ଓ କେମିଷ୍ଟ୍ରୀର ଆୟତନ ଭିତରେ ଧରାଦେଉଥିବା ଜଗତଟି ଯେଉଁ ସ୍ତରର ପ୍ରାକୃତିକ ନିୟମରୀତିଦ୍ଵାରା ପରିଚାଳିତ ହୁଏ, ଆମର ସାମାଜିକ ତଥା ମାନବିକ ଜୀବନ ସେହି ସ୍ତରର ରୀତିଦ୍ଵାରା କଦାପି ପରିଚାଳିତ ହୁଏ ନାହିଁ । ସେଠି Uniformity of Nature କୁ ସର୍ବମୂଳ ସୂତ୍ର ରୂପେ ମାନି ନିଆଗଲେ ଏଠି Uniqueness of Nature କୁ ସର୍ବମୂଳ ପ୍ରେରଣା ରୂପେ ମାନି ନିଆଯାଏ objective ହେବାକୁହିଁ ଆଦର୍ଶ ବୋଲି ମାନିନେଲେ ସାମାଜିକ ଏବଂ ମାନବିକ ଜ୍ଞାନକ୍ଷେତ୍ରର ଵଡ଼ ଗବେଷଣା ବଡ଼ ସଙ୍କୁଚିତ ହୋଇପଡ଼େ । ଗବେଷକର ଆଖିକୁ ମଧ୍ୟ ତାହା ବଡ଼ ସଙ୍କୁଚିତ କରି ରଖେ । ଗବେଷକର କାର୍ଯ୍ୟ ହୁଏତ ଅପେକ୍ଷାକୃତ ଅଧିକ ସହଜ ହୋଇଥାଏ, ମାତ୍ର ତା’ର ଗବେଷଣାଦ୍ଵାରା ସଂପୃକ୍ତ କ୍ଷେତ୍ରରେ କୌଣସି ପ୍ରକାର ଉଲ୍ଲେଖଯୋଗ୍ୟ ଉଦ୍‌ଘାଟନ ଓ ଉନ୍ମୋଚନ ସମ୍ଭବ ହୁଏ ନାହିଁ-। ପାଣ୍ଡିତ୍ୟର କର୍କଶତା ହୁଏତ ବଢ଼ିଯାଏ ଓ, ମାତ୍ର ବୁଝିବାର ଗଭୀରତା ବଡ଼ ନିର୍ମମ ଭାବରେ ବାରିତ ହୋଇ ରହେ । Objective ହେବାର ସୂତ୍ରବଦ୍ଧ ଜାଲଗୁଡ଼ାକୁ ମେଲାଇ ଦେଇ ଗବେଷକ ତାହାରି ଭିତରେ ଆପଣାକୁ ଲୁଚାଇ ରଖିବାରେ ହୁଏତ ଖୁବ୍ ସମର୍ଥ ହୁଏ; ତେଣୁ ତା’ର ଗବେଷଣା ପଢ଼ି ତା’ର ନିଜସ୍ଵ ରୁଚି ଓ ଦୃଷ୍ଟିଗୁଡ଼ିକ ସହିତ କୌଣସି ପ୍ରକର ସଂଯୋଗ ସମ୍ଭବ ହୁଏ ନାହିଁ-

 

ଗବେଷଣା ଜ୍ଞାନାନୁସନ୍ଧାନର ଯେଉଁ ପଦ୍ଧତି ପ୍ରାକୃତିକ ବିଜ୍ଞାନର ଅନ୍ଵେଷଣ-କ୍ଷେତ୍ରରେ ଆମଲାଗି ନାନା ନିଗୂଢ଼ ସତ୍ୟର ଉନ୍ମୋଚନ କରି ଦେଇଚି ଓ ଦେଉଚି, ସେହି ପଦ୍ଧତି ସାମାଜିକ ଓ ମାନବିକ ଜ୍ଞାନାନୁଶୀଳନର କ୍ଷେତ୍ରରେ ଆମକୁ ଆତ୍ମଗୋପନ କରି ରହିବାକୁ ହିଁ ଅଧିକ ପ୍ରରୋଚନା ଦେଇଚି । ପ୍ରାକୃତିକ ବିଜ୍ଞାନର ଗବେଷଣା ଆମକୁ ପ୍ରକୃତି ଉପରେ କେତେ କେତେ ବିଜୟ ହାସଲ କରିବାର ଶ୍ରେୟ ଦେଇ ଯାଇଚି, ଅଥଚ ସାମାଜିକ ଓ ମାନବିକ ବିଜ୍ଞାନର କ୍ଷେତ୍ରରେ ଆମର ତଥାକଥିତ ଗବେଷଣା ଆମକୁ ସତେ ଅବା କ୍ରମେ ଅଧିକରୁ ଅଧିକ ବଳହୀନ ଅର୍ଥାତ୍ ଅନ୍ତର୍ଦୃଷ୍ଟିହୀନ କରି ପକାଇଚି । ସାହିତ୍ୟର କ୍ଷେତ୍ରରେ ଏହି ଶ୍ରୀହୀନତା ଆମର ଦୃଷ୍ଟିଗତ ଜୀବନକୁ ହୁଏତ ସବୁଠାରୁ ଅଧିକ ଶୋଚନୀୟ ଭାବରେ ଗ୍ରାସକରି ପକାଇଚି । ଆମର ଆଗ୍ରହଗୁଡ଼ାକୁ ବଡ଼ ଦନ୍ଥରା କରି ପକାଇଚି, ଆମର ଅନୁଭବ ଶକ୍ତି ଓ ସଂବେଦନଶୀଳତାକୁ ବଡ଼ ଶୀତଳ ଓ ନିର୍ଜୀବ କରି ପକାଇଚି । ସାହିତ୍ୟର ଗବେଷଣା ସେହି କାରଣରୁ ପ୍ରଧାନତଃ ଇତିହାସ ଗବେଷଣା ଭିତରେ ପ୍ରାୟ ସୀମାବଦ୍ଧ ହୋଇ ରହିଚି । ଇତିହାସର କେତେଟା ଘଟଣାକୁ ଉଖାରି ଦେଖାଇବାରେ ହିଁ ଆମେ ସାହିତ୍ୟିକ ପ୍ରେରଣାକୁ ନିଃଶେଷିତ କରି ଦେଉଚୁ । ଅମୁକରୁ ଅମୁକ ଉଦ୍‌ଭୂତ ହେଲା, ତେଣୁ ଅମୁକ ହେଉଚି ଅମୁକର କାରଣ; ସାହିତ୍ୟର ସଂକ୍ରମଣ ବ୍ୟାପାରଟିକୁ ଆମେ ପ୍ରଧାନତଃ ଏହିପରି ଭାବରେ ଦେଖାଇବାକୁ ଏବେ ସତେ ଯେପରି ଅଧିକ ଆଗ୍ରହୀ ହୋଇ ବାହାରିଚୁ । ଅମୁକ ଆଉ ଅମୁକ ଘଟଣା ଦୁଇଟି ଏକାବେଳେକେ ଘଟିଥିଲା, ତେଣୁ ଦୁଇ ଦୁଇଟି ଘଟଣାକୁ ଆମେ ଏକ କାର୍ଯ୍ୟକାରଣ-ସମ୍ବନ୍ଧଦ୍ଵାରା ଯୋଡ଼ି ଦେଖାଇ ଦେବାକୁ ଭାରି ଡଗଡଗ ହୋଇ ଦଉଡ଼ି ଯାଉଚୁ । କାକ ବସିବା ମାତ୍ରକେ ତାଳ ପଡ଼େ ନାହିଁ ବା କାକ ବସିଲା ବୋଲି ତାଳ ପଡ଼େନାହିଁ, ଏକଥାଟି ଭଲ କରି ଜାଣିଥିଲେ ମଧ୍ୟ ଆମେ ତଥାପି ଏହି କାକତାଳୀୟ ଅନ୍ୟାୟଟିକୁ ଏକ ନ୍ୟାୟ ବୋଲି ଆବୋରି ନେଉ ଓ ତାହାକୁ ହିଁ ଆମର ସାହିତ୍ୟିକ ଗବେଷଣାଗତ ନ୍ୟାୟ ବୋଲି କହି ବାହାରୁ । କେବଳ ଆମ ଓଡ଼ିଆ ଭାଷାରେ ନୁହେଁ, ଭାରତୀୟ ଅନ୍ୟାନ୍ୟ ଭାଷାରେ ମଧ୍ୟ ଏପରି ଅନେକସଂଖ୍ୟକ ତଥାକଥିତ ଗବେଷଣାପୁସ୍ତକ ସାହିତ୍ୟ କ୍ଷେତ୍ରରେ ରହିଚି ଯେଉଁଠି ଗବେଷକ ପ୍ରଧାନତଃ ତିଥି, ବାର, ଚିଠିପତ୍ର ଓ ଘଟଣା-ଦୁର୍ଘଟଣାଗୁଡ଼ିକୁ ଅତ୍ୟନ୍ତ ପରିପାଟୀ ସହିତ ସଜାଇ ଦେଇ ଆମକୁ ତାହାରି ଭିତରୁ ହିଁ ସାହିତ୍ୟକୁ ବୁଝିବାଲାଗି ପରାମର୍ଶ ଦେଇଥାଆନ୍ତି । ସେମାନେ ଆମକୁ ଭାରି ଠକନ୍ତି, ଏବଂ ସେହି ଇତିହାସ-ଧର୍ମୀ ଆଲୋଚନା ଭିତରେ ଆତ୍ମଗୋପନ କରି ରହିବାଦ୍ୱାରା ସେମାନେ ଆପଣାକୁ ମଧ୍ୟ ଠକନ୍ତି । ଗବେଷଣାର ସକଳ ପରିଶ୍ରମ ସତ୍ତ୍ୱେ ତଥାପି ସେମାନଙ୍କ ଭିତରେ ଯଥାର୍ଥ ଆଗ୍ରହର ଆଖିଟି ଫିଟି ନଥିବା ପରି ମନେ ହେଉଥାଏ । ତେଣୁ ସେମାନେ ଅଆମ ପାଠକମାନଙ୍କ ଭିତରେ ମଧ୍ୟ ଯଥାର୍ଥରେ କୌଣସି ଆଖି ଫିଟାଇ ଦେଇ ପାରନ୍ତି ନାହିଁ ।

 

ମୁଁ ଇତିହାସର ନିନ୍ଦା କରୁନାହିଁ, ସାହିତ୍ୟିକ ଗବେଷଣା-କ୍ଷେତ୍ରରେ ଇତିହାସର ସୀମାଟିକୁ ହିଁ ସୁଚାଇ ଦେଉଚି । ସାହିତ୍ୟିକ ଗବେଷଣା ଲାଗି ଆପଣାର କ୍ଷେତ୍ର-ସମ୍ବନ୍ଧିତ ଇତିହାସ ଭିତରେ ଅବଗାହିବା ଗବେଷକର ଅବଶ୍ୟ କର୍ତ୍ତବ୍ୟ । କୌଣସି ସାହିତ୍ୟିକର ସାହିତ୍ୟକୁ ବୁଝିବାକୁ ହେଲେ ତା’ର ସମ-ସାମୟିକ ଯୁଗ ଓ ଇତିହାସକୁ ଆମେ ଅବଶ୍ୟ ବୁଝିବା । ତା’ନହେଲେ ଆମେ ଅନ୍ଧଙ୍କ ପରି ଖାଲି ବାଡ଼ି ବୁଲାଉଥିବା ସିନା, ମାତ୍ର କଦାପି ବାଟ ପାଇ ପାରିବା ନାହିଁ । କିନ୍ତୁ ଯୁଗ ଓ ଯୁଗର ଇତିହାସକୁ ଜାଣି ଆଲୋଚ୍ୟ ସାହିତ୍ୟିକ କିମ୍ବା ସାହିତ୍ୟକୁ କେବଳ ସେଇଥିରୁ ଉତ୍ପନ୍ନ ଏକ ପଦାର୍ଥ ବୋଲି ଦେଖାଇ ଦେଲେ ଆମର କାମ ସରିଯିବ ନାହିଁ, କାମ ଭଣ୍ଡୁର ହୋଇଯିବ । ଯୁଗ ତଥା ଇତିହାସ ଜରିଆମେ ଆମେ ସାହିତ୍ୟ ଓ ସାହିତ୍ୟିକକୁ ହିଁ ବୁଝିବା, ସାହିତ୍ୟ ଓ ସାହିତ୍ୟିକର ଅନନ୍ୟ ଅବଦାନଗୁଡ଼ିକୁ ବୁଝିଲାଗି ଚେଷ୍ଟା କରିବା । ଅର୍ଥାତ୍ ଯେକୌଣସି ସାହିତ୍ୟ–ଗବେଷଣାରେ ଇତିହାସର ଆଗ୍ରହ ଅର୍ଥାତ୍ ଘଟଣାବଳୀକୁ ଏକ ଯାନ୍ତ୍ରିକ କାର୍ଯ୍ୟକାରଣାବାଦ ଅନୁସାରେ ସଜାଇ ଉତ୍ସ ନିରୂପଣ କରି ଦେଖାଇ ଦେବାର ଆଗ୍ରହ ଅପେକ୍ଷା ଆମର ସାହିତ୍ୟିକ ଆଗ୍ରହଟା ହିଁ ଅଧିକ ରହିଥିବା ଉଚିତ । ଇତିହାସ ବଖାଣିବାର ସକଳ ବ୍ୟୁହରଚନା ପଛରେ ତଥାପି ଆଲୋଚ୍ୟ ବିଷୟଟି ଉପରେ ଗବେଷକର ନିଜସ୍ଵ ଦୃଷ୍ଟି ତଥା ରୁଚି ସର୍ବୋଦୌ ପରିସ୍ଫୁଟ ହୋଇ ପାରୁଥିବା ଉଚିତ । ଇତିହାସକୁ ମଧ୍ୟ କେବଳ ଘଟଣାବଳୀର ଏକ ପୂର୍ବପର-ସମ୍ବନ୍ଧିତ ସ୍ତୂପ ବୋଲି କୁହାଯାଇ ପାରିବନାହିଁ । ଫୋଟଗ୍ରାଫର୍ ଫଟୋ ଉଠାଇଲା ପରି ଇତିହାସକାର କଦାପି ଇତିହାସକୁ ଦେଖେନାହିଁ । ସିଏ ମଧ୍ୟ ଆପଣାର ରୁଚି ଓ ଦୃଷ୍ଟି ଅନୁସାରେ ଇତିହାସରୁ ଘଟଣାଗୁଡ଼ିକର ନିର୍ବାଚନ କରେ, ସେଗୁଡ଼ିକ ଉପରେ ନିଜସ୍ଵ ଆଲୋକପାତ କରି ସେଗୁଡ଼ିକୁ ଏକ ବିଶେଷ ଅର୍ଥ ଦେଇଥାଏ । ସେଥିଲାଗି ବିଭିନ୍ନ ଇତିହାସକାରଙ୍କୁ ପଢ଼ି ଆମେ ତଦ୍ଦ୍ଵାରା ଇତିହାସର ଘଟଣାବଳୀକୁ ଜାଣିବାକୁ ଯେତେ ଉପକୃତ ନହେଉ, ସେହି ଘଟଣାବଳୀ ଉପରେ ଏକ ସମଗ୍ର ସିଂହାବଲୋକନ କରି ସେଗୁଡ଼ିକରେ ଏକ ବିଶେଷ ଅର୍ଥ ଭରି ଦେଇଥିବା ଇତିହାସକାରର ଦୃଷ୍ଟିଦ୍ଵାରା ହିଁ ଅଧିକ ପରିମାଣରେ ଉଦ୍‌ବୁଦ୍ଧ ହୋଇଥାଉ । ସାଧାରଣତଃ ମିଉଜିଅମ୍‍ମାନଙ୍କରେ ସମୟ-ଅନୁକ୍ରମରେ ପ୍ରତ୍ନତତ୍ତ୍ଵର ସାମଗ୍ରୀମାନ ସଜାହୋଇ ରହିଥାଏ । ତଥାପି କେବଳ ସେହି ମିଉଜିଅମ୍ ଭିତରେ ପଶିଲାଭଳି ଏକ ଆଗ୍ରହ (ଶ୍ରୀ ଆନନ୍ଦ କୁମାର-ସ୍ଵାମୀ ଏହାକୁ museum interest ବୋଲି କହିଛନ୍ତି ।) ନେଇ କୌଣସି ସାର୍ଥକ ଇତିହାସକାର ଇତିହାସ ଦେଖିବାକୁ ଯାଏନାହିଁ । ଏକ ନିର୍ଦ୍ଦିଷ୍ଟ ମୂଲ୍ୟବୋଧର ଆହ୍ଵାନ ନେଇ ସେ ଇତିହାସ ପାଖକୁ ଯାଏ । ସାହିତ୍ୟରେ ମଧ୍ୟ ସେହି museum interest ଆଦୌ ପୋଷାଇବ ନାହିଁ । ତିଥି, ବାର ଏବଂ ଘଟଣାଗୁଡ଼ିକୁ କୁଶଳ କାରିଗରିରେ ସଜାଇ ଦେଇ ସାହିତ୍ୟର ପ୍ରେରଣାକୁ ଫୁଟାଇ ହେବନାହିଁ, ଗୋଟାକରୁ ଆଉ ଗୋଟାଏ ନିଷ୍ପନ୍ନ ହୋଇଥିବାର ଉତ୍ସବାଦୀ (Reductionistic) ଯୁକ୍ତିଦ୍ୱାରା ସାହିତ୍ୟର ପ୍ରାଣଟିକୁ ଉଦ୍‌ଘାଟିତ କରାଯାଇ ପାରିବନାହିଁ ।

 

ଓଡ଼ିଆସାହିତ୍ୟର ବିଭିନ୍ନ ପର୍ଯ୍ୟାୟ ଓ ବିଭିନ୍ନ ଉପାଙ୍ଗ ଉପରେ କରାଯାଇଥିବା ଆଲୋଚନା ସବୁ ପଢ଼ିଲାବେଳେ ଅନେକ ସମୟରେ ଇତିହାସର କୌଣସି ବଣ ଭିତରେ ଯାଇ ପଶିଥିଲା ପରି ମନେହୁଏ, ଉତ୍ସନିରୂପଣର ଝୁଙ୍କ ନେଇ ବାହାରିଥିବା ଗବେଷକ ସହିତ ଭୁଆ ବୁଲିବାପରି ଲାଗେ । ସାରଳାଦାସଙ୍କର ସାହିତ୍ୟ ବିଷୟରେ ପଢ଼ୁଥିବାବେଳେ ସ୍ରଷ୍ଟା ସାରଳାଦାସ ଓ ଦ୍ରଷ୍ଟା ସାରଳାଦାସଙ୍କୁ କୁଆଡ଼େ ପଛରେ ପକାଇ ଆସିଥିବା ପରି ଲାଗେ । ସାରଳାଦାସ ଅମୁକ ଜାତିର ଥିଲେ କି ନାହିଁ, ସେ ଜଣେ ଥିଲେ ନା ଦୁଇଜଣ ଥିଲେ, ସେ ଅମୁକ ଗାଁରେ ଜନ୍ମଗ୍ରହଣ କରିଥିଲେ କି ନାହିଁ, ସେଇଥିରେ ବାଉଳେଇ ବୁଲି ବୁଲି ବେଳଯାଏ । ଓଡ଼ିଶାର ପଞ୍ଚସଖାଙ୍କ ବିଷୟରେ ଗବେଷକମାନେ ଆମକୁ କମ୍ ଘୁଙ୍ଗୁଳେଇ ନାହାନ୍ତି । ସେମାନଙ୍କୁ କିଏ ବୈଷ୍ଣବ ବୋଲି କହିଚ ତ ଆଉ କିଏ ବୌଦ୍ଧ ବୋଲି କହିଚି । ଚୈତନ୍ୟ ମହାପ୍ରଭୁ ପୁରୀକୁ ଆସି ଲୀଳା କରୁଥିବାବେଳେ ପଞ୍ଚସଖା ପ୍ରକୃତରେ ଚମ ଆଖିରେ ସେହି ଦୃଶ୍ୟଟିକୁ ଦେଖିଥିଲେ କି ନାହିଁ, ସେ ବିଷୟରରେ ସନ୍ଦେହ ପ୍ରକାଶ କରି କେହି ଗବେଷକ ପରବର୍ତ୍ତୀ ଯୁଗର ଆଉ ଜଣେ ଅଚ୍ୟୁତାନନ୍ଦ ଆତ୍ମ-ପ୍ରଚାରର ମତଲବ ରଖି ଏସବୁ କାହାଣୀର ଭିଆଣ କରିଛନ୍ତି ବୋଲି ଦୋଷାରୋପ ବି କରିଥାଆନ୍ତି । ଏହି ଇତିହାସରେ ଓ ଉତ୍ସ-ନିରୂପଣର ଧନ୍ଦାକୁ ନେଇ ଜୟଦେବଙ୍କ ବିଷୟରେ ଓ ରାଜ୍ୟ ରାଜ୍ୟ ଭିତରେ ଏବେ ବି ବିବାଦ ଲାଗିଚି । ବୌଦ୍ଧଗାନ ଓ ଦୋହା ଭିତରେ ରମିବା ଆଗରୁ ଗବେଷକମାନେ ଯେମିତି ସେମାନଙ୍କୁ ଏ ରାଜ୍ୟର ବା ସେ ରାଜ୍ୟର ବୋଲି କହିବାରେ ଏକାବେଳକେ ରମି ଯାଇଥିଲେ, ବର୍ତ୍ତମାନ ଜୟଦେବ– ବ୍ୟାପାରଟା ମଧ୍ୟ ସେମିତ ଏକ ମଉଜିଆ ବିବାଦରେ ପରିଣତ ହେଲାଣି । ଯୋଗ୍ୟ ରସଗ୍ରାହୀର ହୃଦୟ ନେଇ ଜୟଦେବଙ୍କର ଗୀତଗୋବିନ୍ଦରେ ଅବଗାହିବାକୁ ଇଚ୍ଛା କରିଥିଲେ ହୁଏତ ତଦ୍ଦ୍ଵାରା ସାହିତ୍ୟର ମାନ ବଢ଼ିଥାନ୍ତା, ଆମେ ବି ଆମ ସାହିତ୍ୟର ଯୋଗ୍ୟ ହୋଇ ପାରିଥାନ୍ତୁ । ମାତ୍ର ଇତିହାସ ଉଖାରିବାର ଓ ଉତ୍ସନିରୂପଣର ରୋଗ ଆମକୁ ଏପରି ଚମତ୍କାର ଭାବରେ ଘାରିକରି ରଖିଚି ଯେ ସାହିତ୍ୟକୁ ଅନୁଭୂତିର ଏକ ସମ୍ପଦ କରି ରଖିବାକୁ ଆମ ପାଖରେ ଉତ୍ସାହର ଅଭାବ ଘଟୁଛି । ସାହିତ୍ୟର ଇତିହାସ କହିଲେ ଏବେ ଅନେକ କ୍ଷେତ୍ରରେ ଏକ ଦୀର୍ଘ ନାମ ତାଲିକା ଓ ସମୟମାଳିକାକୁ ହିଁ ବୁଝାଉଛି । ଓଡ଼ିଆ ଭକ୍ତିସାହିତ୍ୟର ଆଲୋଚନା କଲାବେଳେ ଆମେ ଗବେଷକମାନେ ଆମକୁ ଭକ୍ତିର କୌଣସି ସ୍ଵାଦ ଚଖାଇବା ପରିବର୍ତ୍ତରେ ଭକ୍ତି କେଉଁ ଶତାବ୍ଦୀରେ କେଉଁ ବିଦେଶୀ ସାହିତ୍ୟର ଗୁହାରୁ ବାହାରି–କେଉଁ ସୁଡ଼ଙ୍ଗର ବାଟ ଦେଇ ଓଡ଼ିଶା ଭିତରେ ଆସି ପ୍ରବେଶ କରିଚି, ଅତ୍ୟନ୍ତ ଧୈର୍ଯ୍ୟ ସହକାରେ ସ୍ଥାନେ ସ୍ଥାନେ ତାହାରି ଆଲୋଚନା ହିଁ କରାଯାଉଚି । ଓଡ଼ିଶାର ସାହିତ୍ୟ-ଗବେଷଣାର କ୍ଷେତ୍ରରେ ଜଣେ ପୁରୋଗାମୀଙ୍କର ମତ ଅନୁସାରେ ଭକ୍ତି ହେଉଚି ବଙ୍ଗାଳିଙ୍କର କଳଙ୍କ ଏବଂ ତାହା ବଙ୍ଗଳାରୁ ଓଡ଼ିଶା ଭିତରକୁ ଆସି ଆମ ଏ ଭୂଇଁଟିକୁ ମଧ୍ୟ କଳଙ୍କିତ କରି ପକାଇଚି । ଓଡ଼ିଆ ଭକ୍ତିଯୁଗର ସାହିତ୍ୟକାରମାନେ ଗବେଷଣାର ଏହି ରୀତି ଦେଖିଥିଲେ, ହୁଏତ ମର୍ମାହତ ହୋଇଥାନ୍ତେ । ଇତିହାସର ଗୋହରି ଧରି ଦଉଡ଼ିବା ପରିବର୍ତ୍ତେ ସାହିତ୍ୟ-ଗବେଷଣାକୁ ମୂଳତଃ ଏକ ଅନ୍ତର୍ଯ୍ୟାତ୍ରା ବୋଲି ବୁଝିଥିଲେ ଆମେ ହୁଏତ ସାହିତ୍ୟର ଆଲୋଚନାଦ୍ଵାରା ଅଧିକ ଉପକୃତ ହୋଇ ପାରୁଥାନ୍ତୁ ।

 

ଆମ ଦେଶରେ–ଏବଂ ଓଡ଼ିଶା ମଧ୍ୟ ଏହି ଅନ୍ତର୍ଗତ,–ଗବେଷଣା କ୍ଵଚିତ ହୁଏ । ଗବେଷଣା-ପ୍ରବୃତ୍ତିକୁ ବିକାଶିତ କରିବାଲାଗି ଯଥାସମ୍ଭବ କମ୍ ସୁଯୋଗ ଦିଆଯାଏ । ଅମ ଦେଶରେ ଯେପରି ଭାବରେ ପାଠ ଲଦାଯାଏ ଓ ପାଠର ପରୀକ୍ଷା ନିଆଯାଏ, ତଦ୍ଦ୍ଵାରା ମଣିଷର ସହଜାତ ଜିଜ୍ଞାସାବୃତ୍ତିଟି କ୍ରମେ ମରିମରି ଯାଏ ସିନା, ମାତ୍ର ଉଧେଇବାର କିମ୍ବା ଆଧିକ ସାହସ କରିବାର ପର୍ଯ୍ୟାପ୍ତ ପରିସର ହିଁ ପାଏନାହିଁ । ଏ ଦେଶରେ ଶହେରୁ ନବେ ଗବେଷକ ବାଧ୍ୟ ହୋଇ ଗବେଷଣା କରନ୍ତି, ଠିକ୍‍ ଯେମିତି ଶହେରେ ନବେଜଣ ଛାତ୍ର ବାଧ୍ୟ ହୋଇ ପାଠ ପଢ଼ନ୍ତି ଓ ଶହେରେ ନବେଜଣ ଶିକ୍ଷକ ବାଧ୍ୟ ହୋଇ ପାଠ ପଢ଼ାନ୍ତି । ପ୍ରଧାନତଃ ଡିଗ୍ରୀ ପାଇବା ଲାଗି ଗବେଷଣା କରାଯାଏ । ଡିଗ୍ରୀ ପାଇବାରେ ଆଗ୍ରହ ହିଁ ଗବେଷଣାର ଆଗ୍ରହ ଲାଗି ଉତ୍‌ପ୍ରେରକ ପରି କାର୍ଯ୍ୟ କରେ । ଡିଗ୍ରୀ ପାଇବା ପର୍ଯ୍ୟନ୍ତ ଆମର ଗବେଷକମାନେ ଗବେଷଣା କର୍ମକଷଣ ସହିବା ଲାଗି ନିଜକୁ ଯେକୌଣସି ପ୍ରକାରେ ପ୍ରସ୍ତୁତ କରି ନିଅନ୍ତି । ଏବଂ ଡିଗ୍ରୀ ପାଇବା ପରେ ସେମାନେ ଗବେଷଣାରୁ ଅବସର ଗ୍ରହଣ କରନ୍ତି । ଅନେକ ସମୟରେ ସକଳପ୍ରକାର ବିଦ୍ୟାର୍ଜନର ଆଗ୍ରହରୁ ମଧ୍ୟ ଅବସର ଗ୍ରହଣ କରନ୍ତି । ଆମ ଦେଶର ବିଶ୍ୱବିଦ୍ୟାଳୟମାନଙ୍କରେ ବୁଲି ଆସିଲେ ଏକଥା ଠିକ୍‍ ଏକ ସାଧାରଣ ନିୟମରୂପେ ହିଁ ଦେଖିବାକୁ ମିଳିବ । ଡିଗ୍ରୀ ଲାଭ କରିବା ଲାଗି ଡିଗ୍ରୀକାମୀକୁ ହୁଏତ ଆପଣା ଗବେଷଣାର ବିଷୟଟିକୁ ଆପେ ବାଛିବାକୁ ପଡ଼େନାହିଁ । ଶୁଭେଚ୍ଛୁ ଗୁରୁଜନମାନେ ହିଁ ତା’ଲାଗି ଏହି କାର୍ଯ୍ୟଟି କରି ଦିଅନ୍ତି ଓ ତା’ର ଧନ୍ଦାକୁ ବଡ଼ ସହଜ କରିଦିଅନ୍ତି । ତେଣୁ ବିଷୟଟି ପ୍ରତି ଆଗ୍ରହ ଅଛି ବୋଲି ଆମ ଦେଶରେ ସାଧାରଣତଃ ଗବେଷଣା କରାଯାଏ ନାହିଁ, ପରୀକ୍ଷକ ଗୁରୁଜନମାନଙ୍କର ଆଗ୍ରହ ଅର୍ଥାତ୍ ଫରମାସ ଅନୁସାରେ ଗବେଷଣା ହୁଏ । ଆପଣାର ଜିଜ୍ଞାସାକୁ ସନ୍ତୁଷ୍ଟ କରିବା ଅପେକ୍ଷା ପରୀକ୍ଷକମାନଙ୍କୁ ଖୁସୀ କରିବାଲାଗି ହିଁ ଗବେଷଣାର ମତି ଓ ଗତି ନିର୍ଦ୍ଧାରିତ ହୁଏ । ଆଜିକାଲି ମନୋବିଜ୍ଞାନରେ ମଣିଷର ଆଗ୍ରହ ପରୀକ୍ଷା କରିବା ଲାଗି ବିଧିମାନ ବାହାରିଲାଣି । ଏହି ବିଧିରେ ଆମ ଦେଶର ତଥାକଥିତ ଗବେଷଣାଗୁଡ଼ିକ ପଛରେ ରହିଥିବା ଆଗ୍ରହର ସ୍ଵରୂପକୁ ପରଖି ବସିଲେ ଗବେଷକମାନଙ୍କର ଅସଲ ଆଗ୍ରହଟି ବେଶ୍ ଧରାପଡ଼ି ଯାଆନ୍ତି । ସେହି ପରୀକ୍ଷାରୁ ଆମେ ଯେଉଁ ପ୍ରମାଣ ପାଆନ୍ତୁ, ତାହାକୁ ସଂକ୍ଷିପ୍ତ ଭାବରେ ହୁଏତ ଏହିଭଳି କୁହାଯାଇ ପାରନ୍ତା ଡିଗ୍ରୀ ଆବଶ୍ୟକ, ତେଣୁ ଗବେଷଣା ବି ଆବଶ୍ୟକ । ଏବଂ ଆପଣାର ଚାକିରୀପାହିଆରେ ଅର୍ଥାତ୍ ବେତନ–ପାହିଆରେ ଉପରକୁ ଉଠିପାରିବା ସକାଶେ ଡିଗ୍ରୀ ଆବଶ୍ୟକ । ଅର୍ଥାତ୍ ଅର୍ଥଲାଭ ପଦଲାଭର ସିଡ଼ିରେ ଉପରକୁ ଉଠିବାର ଆଗ୍ରହଟା ହେଉଚି ଅସଲ, ଆଗ୍ରହ, ତସ୍ମାତ୍ ଡିଗ୍ରୀର ଆଗ୍ରହ ଓ ତସ୍ମାତ୍ ଗବେଷଣାର ଆଗ୍ରହ । ଏହି କ୍ଷେତ୍ରରେ ଜ୍ଞାନର ଆଗ୍ରହଟି ଯେତେ ଅଧିକ ଦୂରରେ ରହେ, ଆମର ଲକ୍ଷ୍ୟପ୍ରାପ୍ତି ଲାଗି ତାହା ସେତିକି ବେଶୀ ନିରାପଦ । ମନୋବୈଜ୍ଞାନିକ Wertheimer ସୃଜନଶୀଳ ଯାବତୀୟ କାର୍ଯ୍ୟରେ ମଣିଷ ଆପେ ଆପଣାକୁ ଭୁଲିଯାଏ ବୋଲି ଖୁଞ୍ଚା ଦେଇ କହିଥିଲେ । ମାତ୍ର ଆମର ଡିଗ୍ରୀଧର୍ମୀ ଗବେଷଣାଗୁଡ଼ିକରେ ଏକ ଆତ୍ମସଚେତନତାଟାକୁ ହିଁ ଆପଣା ସୃଜନଶୀଳତାର ପଥ ଉପରେ ପଥରଖଣ୍ଡ ପରି ବସାଇ ରଖିବାକୁ ହୁଏ । ତେଣୁ ଇତିହାସ ଘାଣ୍ଟି କାମ ଚଳାଇ ନେବାକୁ ହୁଏ । ଉତ୍ସ-ସନ୍ଧାନର ମାୟା ଭିତରେ ଛାନ୍ଦି ହୋଇ ଯିବାକୁ ପଡ଼େ । ଆପଣାକୁ ଯଥାସମ୍ଭବ ଲୁଚାଇ ରଖିବାକୁ ହୁଏ । ଆପଣା ଗବେଷାଣରେ ଆପଣାର ଏକ ସ୍ଵକୀୟ ଦିଗ ନିର୍ଣ୍ଣୟ କରିବା ଅପେକ୍ଷା ପରୀକ୍ଷକ ହୋଇ ବସିଥିବା ଦିକ୍‌ପାଳମାନଙ୍କର ତୁଷ୍ଟିବିଧାନ କରିବାକୁ ହିଁ ଅଧିକ ବୁଦ୍ଧିର କାର୍ଯ୍ୟ ବୋଲି ବିଚାର କରାଯାଏ ।

 

କୌଣସି ପ୍ରସଙ୍ଗରେ ଶ୍ରୀଯୁକ୍ତ ଆଲଡ଼୍‌ସ୍ ହକ୍‌ସଲେ ଏହିପରି ‘ବିଜ୍ଞାସମ୍ମତ’ ସାହିତ୍ୟିକ ଗବେଷଣା ଓ ତାହକୁ ଆବୋରି ରହିଥିବା ଗବେଷକମାନଙ୍କର ଚର୍ଚ୍ଚା କରିଚନ୍ତି । ତାଙ୍କ ବିଚାରରେ ବିଶ୍ଵବିଦ୍ୟାଳୟରୁ ଡିଗ୍ରୀ ପାଇବାର କାମନାରେ ହିଁ ପ୍ରଧାନତଃ ଏହିସବୁ ଉତ୍ସାହିତ ଓ ଫଳଭାଲ ପ୍ରମତ୍ତ ଗବେଷଣାମାନ କରାଯାଇଥାଏ । ଗବେଷଣା ଲାଗି ବିଶ୍ଵବିଦ୍ୟାଳୟରୁ ଡିଗ୍ରୀ ମିଳିବାରେ ରୀତିଟିକୁ ଯଦି କୌଣସି କାରଣରୁ ବନ୍ଦ କରି ଦିଆଯାନ୍ତା, ତେବେ ତଥାକଥିତ ବୈଜ୍ଞାନିକ ଢଙ୍ଗରେ ସାହିତ୍ୟିକ ଗବେଷଣା କରୁଥିବା ଗବେଷକମାନଙ୍କର ଧାଡ଼ିଟା ବି ପ୍ରାୟ ସମ୍ପୂର୍ଣ୍ଣରୂପେ ଭାଙ୍ଗି ଯାଆନ୍ତା । ଆଜି ଆପଣାର ଅଯୋଗ୍ୟ ଆଗ୍ରହ ଓ ଅକାର୍ଯ୍ୟଦ୍ଵାରା ଏହି ଗବେଷକମାନେ ଉଚ୍ଚଶିକ୍ଷାର ସମ୍ମାନକୁ ଆଣି ତଳେ ପକାଇ ଦେଇଚନ୍ତି । ଡିଗ୍ରୀ ଦେବାର ରୀତି ବନ୍ଦ ହୋଇଗଲେ ସିଦ୍ଧି ଖୋଜି ଏମାନେ ଅନ୍ୟତ୍ର ଚାଲିଯାଆନ୍ତେ । ଅନ୍ତତଃ ଉଚ୍ଚଶିକ୍ଷା ଓ ଗବେଷଣାର ଇଲାକା ଛାଡ଼ି ଚାଲିଯାଆନ୍ତେ ଓ ଫଳରେ ଶିକ୍ଷା ତଥା ଗବେଷଣାର ମାନରେ ସତ୍ଵର ଅଭିବୃଦ୍ଧି ହୁଅନ୍ତା ବୋଲି ହକ୍‌ସଲେ ଆଶା ପ୍ରକାଶ କରିଚନ୍ତି । [Aldouf Huxley : Proper Studies, Chatto and Windus, London, 1957, ପୃଷ୍ଠା–୧୩୫] ଏକଥାଟି ଲେଖିବା ପୂର୍ବରୁ ଶ୍ରୀଯୁକ୍ତ ହକ୍‌ସଲେ ଭାରତୀୟ ବିଶ୍ଵବିଦ୍ୟାଳୟଗୁଡ଼ିକରେ ଡିଗ୍ରୀ ଏବଂ ସମାବର୍ତ୍ତନର ଏକ ବିରାଟ ଆଳଙ୍କାରିତାର ଉଢ଼ୁଆଳରେ ଚାଲିଥିବା ତଥାକଥିତ ଅନେକ ଗବେଷଣା ବିଷୟରେ ନିଶ୍ଚୟ କୌଣସି ଖବର ପାଇନଥିବେ । ଆମ ଦେଶରେ ବିଭିନ୍ନ କ୍ଷେତ୍ରରେ ରାଜତ୍ଵ କରୁଥିବା ଜ୍ଞାନଗତ ଅରାଜକତା ଓ ଆଗ୍ରହଗତ ଶୂନ୍ୟତାଗୁଡ଼ିକୁ ଠିକ୍ ଠିକ୍ ଠଉରାଇ ପାରିବାଲାଗି ହକ୍‌ସଲେଙ୍କ ପରି ସମୀକ୍ଷକ ହିଁ ଦରକାର । ଆମ ଦେଶର ଯେକୌଣସି ବିଶ୍ଵବିଦ୍ୟାଳୟକୁ ମଧ୍ୟ ଏହିପରି ଏକ ଅଧ୍ୟୟନ ସକାଶେ ‘ମଳୁ’ ବୋଲି ଗ୍ରହଣ କରାଯାଇ ପାରେ । ଗବେଷଣାର ପ୍ରଥମ ଡିଗ୍ରୀଟା ପାଇଲା ପରେ ଏଠି କେତେଜଣ ଗବେଷକ ଆପଣା କ୍ଷେତ୍ରରେ ଆହୁରି ଆଗକୁ ଗବେଷଣା କରିଚନ୍ତି କିମ୍ବା ଆପଣାର ବିଶେଷ ଅଧ୍ୟୟନକ୍ଷେତ୍ରଟି ବିଷୟରେ ଆପଣା ଆଗ୍ରହକୁ ଜୀବନ୍ତ ରଖି ପାରିଚନ୍ତି, ଏହାର ଏକ ମୂଲ୍ୟାଙ୍କନ କରି ବସିଲେ ହୁଏତ ଆମେ ଏଦେଶ ଲାଗି ଗବେଷଣାର ଏକ ସ୍ଥାନୀୟ ସଂଜ୍ଞା ନିରୂପଣ କରିବାଲାଗି ବାଧ୍ୟ ହେବା । ସାହିତ୍ୟର ଗବେଷଣା କ୍ଷେତ୍ରରେ ମଧ୍ୟ ଆମେ କୌଣସି ବିଶେଷ ଫରକ ଦେଖିବାକୁ ପାଇବା ନାହିଁ । ଆଦୌ କୌଣସି ଆଗ୍ରହ ନଥାଇ ଗବେଷକ ଗବେଷଣାରେ ପ୍ରବୃତ୍ତ ହୋଇଚନ୍ତି, ଭୋକ ନଥାଇ ସେ ତଥାପି ତଥ୍ୟାସାମଗ୍ରୀଗୁଡ଼ାକୁ ଚର୍ବଣ କରିବାଲାଗି ବାଧ୍ୟ ହୋଇଚନ୍ତି, ଇତିହାସର କୁଢ଼ ଭିତରୁ କେତେଟା ଘଟଣା ନେଇ କାର୍ଯ୍ୟ-କାରଣବାଦର ନ୍ୟାୟ ଅନୁସାରେ ସେଗୁଡ଼ାକୁ ଗୁନ୍ଥି ଗୁନ୍ଥି ଯେକୌଣସି ପ୍ରକାରେ କେତେଟା ଅନୁମାନକୁ ସିଦ୍ଧ କରି ଦେଖାଇ ଦେଇଚନ୍ତି । ପରୀକ୍ଷକ ଯାହା ଚାହାନ୍ତି । ସେଥିପ୍ରତି ବିଜ୍ଞ ନଜର ରଖି ସେ ଅତ୍ୟନ୍ତ ସନ୍ତର୍ପଣ ସହିତ ଆପଣାର କାର୍ଯ୍ୟଟିକୁ ସମ୍ପନ୍ନ କରିଛନ୍ତି । କର୍ମର ଅଧିକାରୀ ନ ହେଲେ ମଧ୍ୟ ଫଳରେ ଅଧିକାର ଯେ ତାଙ୍କୁ ନିଶ୍ଚୟ ମିଳିବ, ଏକଥା ଭଲ କରି ଜାଣି ସେ ଆପଣାର ମହତ୍ କର୍ମରେ ପ୍ରବୃତ୍ତ ହୋଇଚନ୍ତି । ଏହିପରି ଭାବରେ ଆମର ଏଠି ସାହିତ୍ୟ ଚାଲିଚି, ଗବେଷଣା ଚାଲିଚି ଓ ବିଶ୍ଵବିଦ୍ୟାଳୟ ବି ଚାଲିଚି ।

 

ଆଗେ ଆମ ଦେଶରେ ଡାକ୍ତର କମ୍‍ ଥିଲେ, ରୋଗ ବି କମ୍ ଥିଲା । ଏବେ ଡାକ୍ତର ବଢ଼ିଲେଣି, ରୋଗ ବି ବଢ଼ିବାରେ ଲାଗିଚି । ଔଷଧ ବଢ଼ୁଚି, ଚିକିତ୍ସାର ସାଧନମାନ ବଢ଼ୁଚି, ବିଲକୁଲ ସେ ତୀର୍ଥରୁ ଉତ୍ତୀର୍ଣ୍ଣ ହୋଇ ଆସିଥିବା ବିଶେଷଜ୍ଞମାନେ ଆମ ଡାକ୍ତରଖାନା ଭିତରେ ମାଳମାଳ ହେଉଚନ୍ତି । ତଥାପି ରୋଗ ବଢ଼ୁଚି, ରୋଗୀସଂଖ୍ୟା ବି ବଢ଼ୁଚି । ଆଗେ ଆମ ଦେଶରେ ଏତେବେଶୀ ସଂଖ୍ୟାରେ ଶାସକ ନଥିଲେ, ଏତେ ସଂଖ୍ୟାରେ ମନ୍ତ୍ରୀ ମଧ୍ୟ ନଥିଲେ । ଏତେଗୁଡ଼ାଏ ବିଭାଗ ନଥିଲା, ଏତେଗୁଡ଼ାଏ ଅଫିସ୍ ମଧ୍ୟ ନଥିଲା । ଏବେ ଗୁଣେ ଜାଗାରେ ଦଶଗୁଣ ଶାସକ ହେଲେଣି, ପାଞ୍ଚଟା ଜାଗାରେ ପଚିଶି ସରିକି ମନ୍ତ୍ରୀ ସରକାରୀ କଳର କାନରେ ନାକରେ ଗୁନ୍ଥାହୋଇ ରହିଲେଣି, ତଥାପି କୁଶାସନ ହିଁ ବଢ଼ୁଚି, ଶାସନହୀନତା ବଢ଼ୁଛି । ଶାସିତବର୍ଗର ଅସହାୟତା ବଢ଼ୁଚି, ଶାସକବର୍ଗର ପ୍ରମତ୍ତତା ବଢ଼ୁଚି, ଏବଂ ଉଭୟ ବର୍ଗର ଉତ୍‌ଶୃଙ୍ଖଳତା ମଧ୍ୟ ବଢ଼ୁଚି । ଆଗେ ଆମ ଦେଶରେ ଏତେ କଲେଜ ନଥିଲା, ଏକେ ଅଧ୍ୟାପକ ବି ନଥିଲେ । ଏବେ ଗୋଟାକ ଜାଗାରେ ଷାଠିଏଟା କଲେଜ ହେଲାଣି ସବୁଠାରୁ ତିନିଗୁଣ ଅଧିକ ସଂଖ୍ୟାରେ ଅଧ୍ୟାପକ ବି ଖଞ୍ଜାହୋଇ ରହିଲେଣି, ଗ୍ରନ୍ଥାଗାରରେ ଗୋଟାଏ ଥାକ । ଜାଗାରେ ଦଶଥାକ ବହି ଖଞ୍ଜାହୋଇ ରହିଲାଣି । ତଥାପି ପାଠଗୁଡ଼ାକ ଏମିତ କମିଯିବାରେ ଲାଗିଚି କାହିଁକି ? ଅପାଠଗୁଡ଼ାକ ଏଭଳି ବଢ଼ିବାରେ ଲାଗିଚି କାହିଁକି ? ଆଗେ ଦେଶରେ ଏତେ ପଇସା ନଥିଲା, ଏତେ କାରବାର ନଥିଲା, ଏତେ କଳକାରଖାନା ବି ନଥିଲା । ଏବେ ଏଗୁଡ଼ାକ ହୁ’ ହୁ’ ହୋଇ ବଢ଼ିବାରେ ଲାଗିଚି । ମାତ୍ର ଏଣେ ଆମର ଦାରିଦ୍ର୍ୟ ବଢ଼ିବାରେ ଲାଗିଚି କାହିଁକି, ଆମର ଅର୍ଥନୈତିକ ଜୀବନରେ ନାନାବିଧ ଶଙ୍କା ବି ବଢ଼ୁଚି କାହିଁକି ? ଗବେଷଣା ବଢ଼ିବା ସଙ୍ଗେ ସଙ୍ଗେ ଜ୍ଞାନର ଆଗ୍ରହ କମିଯିବାରେ ଲାଗିଚି, ଜିଜ୍ଞାସା କମିଯିବାରେ ଲାଗିଚି,–ଏଇଟାକୁ କ’ଣ ଆମେ ଠିକ୍ ଏହି ପର୍ଯ୍ୟାୟର ଏକ ଅନ୍ୟତମ ଦୃଷ୍ଟାନ୍ତ ବୋଲି ମାନିବାକୁ ବାଧ୍ୟ ଦେବା ? ଆମର ସାହିତ୍ୟସମୀକ୍ଷା ବି କ’ଣ ଠିକ୍ ସେହିଭଳି ପାର୍କିନ୍‌ସନଙ୍କ ନିୟମର ବଶବର୍ତ୍ତୀ ହୋଇ ରହିଚି ?

 

ମତ ବା ସମ୍ପ୍ରଦାୟ ବଢ଼ାଇବା ପାଇ ଧର୍ମର ସୃଷ୍ଟି ହୋଇ ନଥିଲା ଧର୍ମର ପ୍ରେରଣାକୁ ଆପଣାର ଜୀବନ-ପ୍ରେରଣାରେ ପରିଣତ କରିବା ଲାଗି ଆମକୁ ଆହ୍ଵାନ ଦେଇ ଧର୍ମର ଆବିର୍ଭାବ ହୋଇଥିଲା । ଭକ୍ତିର ବୟସ, ଜନ୍ମସ୍ଥାନ ବା ଚମଡ଼ାର ରଙ୍ଗ ନିରୂପଣ କରିବା ଲାଗି ଭକ୍ତିର ଉଦ୍‌ଭବ ହୋଇ ନଥିଲା । ସଂସାରରେ ଶ୍ରଦ୍ଧାଭାବ ବଢ଼ାଇବା ସକାଶେ ଭକ୍ତି ଆସିଥିଲା । ସେହିପରି ଆମକୁ ବଡ଼ ବଡ଼ ଡିଗ୍ରୀରେ ଭୂଷିତ କରି, ବେତନଭୋଗର ସିଡ଼ିରେ ଆମକୁ ଉଚ୍ଚ କରି ଦେଖାଇବା ଲାଗି ଜ୍ଞାନର ଅବତାରଣା ହୋଇନଥିଲା । ଜୀବନଦୃଷ୍ଟି ଓ ଜୀବନମାର୍ଗକୁ ଜ୍ଞାନଦୀପ୍ତ କରିବା ଲାଗି ହିଁ ଆମକୁ ଜ୍ଞାନସମ୍ପଦର ଅଧିକାର ଦିଆ ଯାଇଥିଲା । ଜ୍ଞାନ ଦୃଷ୍ଟିକୁ ଦୀପ୍ତ କରେ, ଦୀପ୍ତ ଦୃଷ୍ଟି ଅନ୍ତରକୁ ପ୍ରତିଭାତ କରିପାରେ, ଏବଂ ଅନ୍ତର ଦୀପ୍ତ ହୋଇ ପାରିଲେ ତାହା ଆମ ଜୀବନର ସମଗ୍ର ଆକାଂକ୍ଷା ଓ ସାଧନାର ଭୂମିଟିକୁ ମଧ୍ୟ ଏକ ନୂତନ ଅର୍ଥ ଓ ନୂତନ ବ୍ରତରେ ସମ୍ପନ୍ନ କରି ରଖେ । ସେଥିଲାଗି ଭାରତୀୟ ଜ୍ଞାନପରମ୍ପରାରେ ଜ୍ଞାନଦ୍ଵାରା ଆପଣାକୁ ଦୀକ୍ଷିତ କରିବାର ଆହ୍ଵାନଟି ବି ସବୁବେଳେ ରହି ଆସିଚି । Not information but transformation,–ଭାରତ ବିଦ୍ୟାବିତ୍ Herinrich zimmer ଏହିପରି ଭାବରେ ଭାରତୀୟ ଜ୍ଞାନ ଓ ଦର୍ଶନର ପ୍ରକୃତି ନିରୂପଣ କରିବାରେ ଆଗ୍ରହୀ ହୋଇଚନ୍ତି । ଆପଣା ଗବେଷଣାର କ୍ଷେତ୍ରଟି ସହିତ ଗବେଷକ ଏକାତ୍ମତା ଅର୍ଜନ କରିଥିବା ଉଚିତ । ଆପଣାର ଭିତରୁ ଅନୁଭୂତ ଏକ ଆଗ୍ରହଦ୍ୱାରା ପରିଚାଳିତ ହୋଇ ସେ ମୂଳତଃ ଗବେଷଣାରେ ପ୍ରବୃତ୍ତ ହେବା ଉଚିତ । ତେବେଯାଇ ସେ ନିଜ ଗବେଷଣାଟିର ମାଧ୍ୟମରେ ଆପଣା ଜିଜ୍ଞାସା ଓ ଆପଣା ଜ୍ଞାନ-ପରିଚିତିର ସ୍ଵକୀୟ ପ୍ରକୃତିଟିକୁ ପ୍ରକଟ କରିଦେଇ ପାରିବ । ତା’ହେଲେ କେବଳ ଇତିହାସ ଘାଣ୍ଟି କାମ ସାରିଦେବାକୁ ସେ କଦାପି ମନ ବଳାଇବ ନାହିଁ । ଉତ୍ସ-ସନ୍ଧାନର ରୋଗକୁ କଦାପି ଆପଣା ଜ୍ଞାନକାୟର ଭୂଷଣ କରି ରଖିନାହିଁ । ଖାଲି ସାହିତ୍ୟର ଗବେଷଣା କ୍ଷେତ୍ରରେ ନୁହେଁ, ଗବେଷଣାର ଯାବତୀୟ କ୍ଷେତ୍ରରେ ଏହାହିଁ ହେଉଚି ସର୍ବପ୍ରଧାନ ସୂତ୍ର-

 

ସାହିତ୍ୟ ଇତିହାସ ନୁହେଁ, ଠିକ୍ ଯେପରି ଦର୍ଶନ ଇତିହାସ ନୁହେଁ । ସାହିତ୍ୟ ହେଉଛି, ପ୍ରଧାନତଃ ସୃଷ୍ଟିଧର୍ମୀ, ତେଣୁ ସାହିତ୍ୟର ସମୀକ୍ଷା ବା ଗବେଷଣା ମଧ୍ୟ ମୂଳତଃ ସୃଷ୍ଟିଧର୍ମୀ ହେବା ଦରକାର । ସାହିତ୍ୟ ଗବେଷଣା ହେଉଚି ଏକ ଅନ୍ତଃପ୍ରବେଶ, ବିଷୟବସ୍ତୁର ତଥା ଆପଣାର ଅନ୍ତଃପ୍ରବେଶ । କେବଳ ଡିଗ୍ରୀର ବାସନାଦ୍ୱାରା ଏହି ଅନ୍ତଃପ୍ରଦେଶର ବାଟ ପାଇ ହୁଏନାହିଁ । କେବଳ କାଳ, ବୟସ ଓ ଐତିହାସିକ ସୂଚନାଖୁଣ୍ଟଗୁଡ଼ିକୁ ନିରୂପଣ କରିଦେଲେ ଅନ୍ତଃପ୍ରବେଶ ହୁଏନାହିଁ । ସେଥିଲାଗି ଆହୁରି ଭିତରକୁ ଯିବାକୁ ହୁଏ, ଆହୁରି ଅଧିକ ରମିବାକୁ ହୁଏ । ଗବେଷଣାର ଗୋଟିଏ ପାହାଚ ଟପିବା ମାତ୍ରକେ ସେଇଠି ଶେଷକଣ୍ଟାଟି ମାରିଦେଇ ବସିଯିବା ପରିବର୍ତ୍ତେ ଦ୍ଵିତୀୟ ପାହାଚକୁ ଗୋଡ଼ ବଢ଼ାଇବା ଲାଗି ମନ ଛନଛନ ହୁଏ । ଗୋଟାଏ ପ୍ରଶ୍ନର ସମାଧାନ ଆହୁରି ଏକାଧିକ ପ୍ରଶ୍ନାଆଡ଼କୁ ଆଙ୍ଗୁଳି ବଢ଼ାଇ ଦିଏ । ଭକ୍ତି-ପରମ୍ପରାର ଗବେଷଣା କରିଥିବା ଗବେଷକ ମଧ୍ୟ ଆଗକୁ ଯାଉଥିବା ସଙ୍ଗେ ସଙ୍ଗେ ଆପଣାର ଜୀବନ-ଦୃଷ୍ଟିରେ ବି ଅଧିକରୁ ଅଧିକ ଗଭୀରକୁ ଭକ୍ତିର ସଂକ୍ରମଣ କରାଇ ଚାଲିଥାଏ । କୃଷିର ଗବେଷକ କୃଷି ବିଦ୍ୟାକୁ ଭଲପାଏ । ସମାଜ-ଶାସ୍ତ୍ରର ଗବେଷକ ସମାଜଶାସ୍ତ୍ରକୁ ଭଲପାଏ, ସମାଜ ସହିତ ଏକାତ୍ମତା ଅର୍ଜନ କରେ । ମନୋବିଜ୍ଞାନର ସୁସ୍ଥ ଗବେଷକ ବି ସେହିପରି ମଣିଷର ରୋଗ ଅପେକ୍ଷା ତା’ର ସ୍ୱାସ୍ଥ୍ୟ ଉପରେ ଅଧିକ ଆସ୍ଥା ରଖିଥାଏ । ମଣିଷକୁ ମେସିନ୍‌ଟାଏ ପରି ନଦେଖି ମଣିଷ ପରି ଦେଖେ । ସାହିତ୍ୟର ଗବେଷଣା ବେଳକୁ ମଧ୍ୟ ଠିକ୍ ସେହି ରୀତି । ସାହିତ୍ୟର ଗବେଷଣା କରୁଥିବା ଗବେଷକର ରୁଚି ମୂଳତଃ ସାହିତ୍ୟିକ ହିଁ ହେବା ଉଚିତ, ଅର୍ଥାତ୍ ସୃଷ୍ଟିଧର୍ମୀ ହେବା ଉଚିତ । ସୃଷ୍ଟିଧର୍ମୀ ଶୃଙ୍ଖଳାର ରୀତିଗୁଡ଼ିକୁ ମାନୁଥିବା ପର୍ଯ୍ୟନ୍ତ ସେ ଇତିହାସର ସାହାଯ୍ୟ ନେଇ ମଧ୍ୟ ତଥାପି ମୂଳତଃ ସୃଷ୍ଟିଧର୍ମୀ ସାହିତ୍ୟ ସୃଷ୍ଟି କରିବାରେ ସମର୍ଥ ହୁଏ । ସେ କୌଣସି ସାଧନଟିକୁ ହତାଦର କରି ଫିଙ୍ଗି ଦିଏନାହିଁ, ତଥାପି ଆପଣାର ଗବେଷଣାଦ୍ଵାରା ସେ ଆପଣା ସୃଷ୍ଟି ଓ ରୁଚିର ହିଁ ପରିଚୟ ଦିଏ । ସେ ଆପଣାକୁ ଜଣେ ଜିଜ୍ଞାସୁ ହିସାବରେ ପ୍ରକଟ କରିଥାଏ ଓ ତାର ଆପଣାର ଅନୁରାଗ ସମାଜରେ ମଧ୍ୟ ଅନୁରୂପ ଅନୁରାଗ ବଢ଼ାଇବାରେ ସାହାଯ୍ୟ କରିଥାଏ । ଆମର ଯାବତୀୟ ଗବେଷଣା ଠିକ୍ ସେହିଭଳି ହେବା ଉଚିତ ।

 

୨୬ । ୧୧ । ୬୮

[‘ନବରବି’, ଜୁଲାଇ ୧୯୭୨]

Image

 

Unknown

ସର୍ବଭାରତୀୟ ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟର ସମସ୍ୟା

 

ମାନନୀୟ ସଭାପତି ମହୋଦୟ, ବନ୍ଧୁଗଣ

 

ଉତ୍କଳ ସାହିତ୍ୟ ସମାଜର ଏହି ବାର୍ଷିକ ସମାରୋହରେ କିଛି କହିବା ଲାଗି ଆପଣମାନେ ମୋତେ ନିର୍ଦ୍ଦେଶ ଦେଇଛନ୍ତି, ସେଥିଲାଗି ଆପଣମାନଙ୍କୁ ଅନ୍ତରର କୃତଜ୍ଞତା ଜଣାଉଛି । ମାତ୍ର ମୋ’ପରି ଜଣେ ଅପାଂକ୍ତେୟକୁ ଆପଣମାନେ ଏଭଳି ଏକ ଅବସରରେ କାହିଁକି ଯେ ଡାକିଲେ, ମୋତେ ବାରବାର ଆପଣାକୁ ସେହି ପ୍ରଶ୍ନଟି ପଚାରିବାକୁ ହେଉଛି । ଏଠାରେ ଉପସ୍ଥିତ ଆପଣମାନଙ୍କୁ ମଧ୍ୟ ମୁଁ ସେହି ପ୍ରଶ୍ନଟି ପଚାରୁଛି । ପ୍ରଧାନତଃ ଦୁଇଟି ଦୃଷ୍ଟିରୁ ବିଚାର କରି ଦେଖିଲେ ଏପରି ଗୋଟିଏ ଅବସର ଲାଗି ମୁଁ ନିଶ୍ଚୟ ଜେନ ଅପାଂକ୍ତେୟ ବୋଲି ହିଁ ପରିଗଣିତ ହେବି, ଏବଂ ଅପାଂକ୍ତେୟ ହୋଇଥିବାରୁ ଅଯୋଗ୍ୟ ବୋଲି ପରିଗଣିତ ହେବି ।

 

ପ୍ରଥମକଥା ହେଉଛି ଯେ ସାହିତ୍ୟର କୌଣସି ଜାତି ଅଛି ବୋଲି ମୁଁ ବିଶ୍ଵାସ କରିପାରେ ନାହିଁ । ଯେମିତି ପ୍ରେମର ଜାତି ନାହିଁ, ଭଗବତ୍‌ସାଧନାର ଜାତି ନାହିଁ ବା ଅନ୍ତଃପ୍ରେରିତ କୌଣସି ଯଥାର୍ଥ ସମର୍ପଣରେ ମଧ୍ୟ ଆଦୌ କୌଣସି ଜାତି ନାହିଁ, ସେହିପରି ସାହିତ୍ୟର ବି କୌଣସି ଜାତି ନାହିଁ । ତେଣୁ ଯେତେବେଳେ ପରମଔପଚାରିକତା, ବହୁଳ ଅନୁଷ୍ଠାନିକତା ଏବଂ ଉତ୍ସାହ ସହିତ ସାହିତ୍ୟରେ ଗୋଟାଏ ନିର୍ଦ୍ଦିଷ୍ଟମାର୍କାକୁ ଲଗାଇ ଦିଆହୋଇ ତାହାର ଆଲୋଚନା, ଅବଲୋକନ ଅଥବା ଅତିପ୍ରଦର୍ଶନମାନ କରାଯାଏ, ମୁଁ ସେଗୁଡ଼ାକରୁ କାହିଁକି ଖୁବ୍ ବେଶୀ ଉତ୍ସାହ ପାଇପାରେ ନାହିଁ, ସାହିତ୍ୟର ଘରେ ସାହିତ୍ୟର ଦାଣ୍ଡରେ ମୁଁ ସେତେବେଳେ ଆପଣାକୁ ସତେଅବା ଭାରି ଶଂକିତ ପରି ଅନୁଭବ କରେ । ଓଡ଼ିଶାରେ ଯେଉଁ ସାହିତ୍ୟର କର୍ଷଣା ହୁଏ ବା ସର୍ଜନା ହୁଏ, ତାହାକୁ ଆମେ ଓଡ଼ିଶାର ସାହିତ୍ୟ ବୋଲି ନିଶ୍ଚୟ କହିବା; ଓଡ଼ିଆ ଭାଷାକୁ ମାଧ୍ୟମ କରି ଯେଉଁ ସାହିତ୍ୟର ସୃଷ୍ଟି ଓ ପରିବେଷଣ ହୁଏ; ଆମେ ତାହାକୁ ଅକର୍ମା ଓଡ଼ିଆ ସାହିତ୍ୟ ବୋଲି ଚିହ୍ନିବା । ମାତ୍ର ତାକୁ ସର୍ବପ୍ରଥମେ ସାହିତ୍ୟ ବୋଲି କହିବା ବା ସାହିତ୍ୟ ବୋଲି ହିଁ ଚିହ୍ନିବା ଏବଂ ତାହା ଆମରି ବା ଆମ ଜାତିର ସାହିତ୍ୟ ବୋଲି ଆମେ କୌଣସି ପ୍ରକାର ଭାବପ୍ରବଣତାରେ କଦାପି ଭାସି ଯିବାନାହିଁ, ତାହା ମଧ୍ୟରେ ବିଚ୍ଛିନ୍ନତାଧର୍ମୀ କୌଣସି ଜାତିବାଦିତାର ଆରୋପ କରି କୌଣସି ପ୍ରକାରେ ତାତିବାକୁ ମନ କରିବା ନାହିଁ ।

 

ଦ୍ଵିତୀୟତଃ, ସାହିତ୍ୟର କ୍ଷେତ୍ରରେ ମୁଁ ସଂଗଠନକୁ ଖୁବ୍ ବେଶୀ ମହତ୍ତ୍ଵ ଦେଇପାରେ ନାହିଁ । ସାହିତ୍ୟ ଭିତରେ ସହଭୋଜନ ପୂରାମାତ୍ରାରେ ରହୁ ଏବଂ ସଂଗଠନ ତଥା ସାଂଗଠନିକ ଅନୁରାଗଟା ଯଥାସମ୍ଭବ କମ୍ ରହୁ ମୁଁ ସବୁବେଳେ ଏହିପରି ଇଚ୍ଛାକରେ । ପ୍ରାୟ ଯାବତୀୟ ପ୍ରକାରର ସାଧନା, କୃଷି ଓ ସଂସ୍କୃତିରେ ପ୍ରଥମତଃ ଓ ସର୍ବପ୍ରଧାନତଃ ସହଭୋଜନ ହିଁ ରହିବା ଦରକାର, ସଂଗଠନ ଯଥାସମ୍ଭବ କମ୍ ରହିବା ଦରକାର । ଇଂରାଜୀ ଭାଷାରେ ଯାହାକୁ sharing ବୋଲି କୁହାଯାଇଥାଏ, ଏଠାରେ ସହଭୋଜନ କହିଲେ ମୁଁ ତାହାକୁ ହିଁ ବୁଝୁଛି । ସଂଗଠନର ଉତ୍ସାହଗୁଡ଼ିକ କ୍ରମେ ଅତି ପ୍ରବଳ ହେବାକୁ ବସିଲେ ସାଧନା, କୃଷ୍ଟି ଏବଂ ସଂସ୍କୃତିରେ ଯେ ନାନା ବିପଜ୍ଜନକ ହାନି ଆସି ପହଞ୍ଚେ, ସଂଗଠନର ପଘା ଓ ଫାଶଗୁଡ଼ାକରେ ଆକାଙ୍‌କ୍ଷା ଅସଲ ମଣିଷଟା ଯେ କ୍ରମେ ଅଧିକରୁ ଅଧିକ ବାନ୍ଧି ହୋଇ ଯାଏ, ଆମ ପୃଥିବୀର ଇତିହାସରେ ତାହାର କେତେ କେତେ ଦୃଷ୍ଟାନ୍ତ ମିଳିବ । ଆମ ଆଧୁନିକ ଯୁଗରେ ଆମେ ଆପଣାର ମାନବୀୟ ଅସଲ ଆହ୍ଵାନଗୁଡ଼ିକରୁ ହୁଡ଼ିଯାଇ କ୍ରମେ ଗୋଟିଏ ଗୋଟିଏ ସଂଗଠନ-ସର୍ବସ୍ଵ ମଣିଷର (Organization Man) ଯେ ପରିଣତ ହେବାକୁ ବସିଲୁଣି, ସମାଜ ବିଜ୍ଞାନରେ ଏବେ ଏକଥା ମଧ୍ୟ କୁହାଗଲାଣି, ଶିକ୍ଷାରେ ଆଦୌ କୌଣସି ଅଭିରୁଚି ନଥାଇ ମଧ୍ୟ ଜଣେ ଯେପରି ଏତେବଡ଼ ଶିକ୍ଷାବିଦ୍‌ଟାଏ ହୋଇପାରେ, ଶିକ୍ଷା-ବିଭାଗରେ ଓଜନଦାର ହାକିମଟାଏ ବି ହୋଇପାରେ ଠିକ୍ ସେମିତି ସାହିତ୍ୟ ଭିତରକୁ କୌଣସି ଅଭୁରୁଚି ନଥାଇ ମଧ୍ୟ ଜଣେ ବଡ଼ ଚମତ୍କାର ଗୋଟିଏ ସାହିତ୍ୟ–ସଂଗଠନ ହୋଇପାରେ, ସାହିତ୍ୟକର ପରିଚ୍ଛଦ ଲଗାଇ ବିଚରଣ କରିପାରେ । ଏହି ଓଡ଼ିଶାରେ ସାହିତ୍ୟକୁ ନେଇ ଆମେ ସହଭୋଜନ ଲାଗି ବେଶୀ ଆଗ୍ରହ ରଖିବା ନା ନିଜକୁ ସାଂଗଠନିକତାର ନାନା ଅନୁକମ୍ପା ଭିତରେ ଗୋଟାସୁଦ୍ଧା ବୁଡ଼ାଇ କରି ରଖିବା ?

 

‘ସର୍ବଭାରତୀୟ ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟର ସମସ୍ୟା’–ଏହା ବିଷୟରେ ମୋତେ ଏଠାରେ କିଛି କହିବା ଲାଗି ଅବକାଶ ଦିଆଯାଇଛି । ‘ଉତ୍କଳ ସାହିତ୍ୟ ସମାଜ’ର କର୍ମକର୍ତ୍ତାମାନେ ମୋ’ଲାଗି ଏହି ବିଷୟଟିକୁ ଠିକ୍ କରିଦେଇଛନ୍ତି । ମୁଁ ଆଦେଶମୁତାବକ ଆପଣାଦୃଷ୍ଟି ଓ ଭାବନାର ଖିଅଗୁଡ଼ିକୁ ସଜାଡ଼ି ଓ ଗୁନ୍ଥି ମୋ’ ବକ୍ତବ୍ୟଟିକୁ ଠିକ୍ କରି ଆଣିଛି । ମୋର ମନ୍ତବ୍ୟଗୁଡ଼ିକ ଆପଣମାନଙ୍କ ଲାଗି ଗ୍ରାହ୍ୟ ହୋଇପାରେ, ଗ୍ରାହ୍ୟ ନହୋଇ ବି ପାରେ, ପ୍ରୀତିକର ହୋଇପାରେ, ପ୍ରୀତିକର ନ ହୋଇ ବି ପାରେ–ମୁଁ ସେଥିଲାଗି ପ୍ରଥମରୁ ହିଁ ଆପଣାମାନଙ୍କ ସହୃଦୟତା ପ୍ରାର୍ଥନା କରୁଛି ।

 

ଭାରତୀୟ ରାଜନୀତିରେ ନୁହେଁ, ଭାରତୀୟ ସାହିତ୍ୟରେ ହିଁ ଆମେ ଏହି ସର୍ବଭାରତୀୟ ପରିପ୍ରେକ୍ଷୀଟିକୁ ବିଚାର କରିବା ଲାଗି ଚେଷ୍ଟା କରିବା ଏବଂ ଭାରତବର୍ଷ ରାଜନୀତିକ ସ୍ଵାଧୀନତା ଲାଭ କରିବା ପରେ ବିଗତ ହୋଇ ଯାଇଥିବା ପ୍ରାୟ ପଚିଶ ବର୍ଷର ଅବଧିକୁ ଆମେ ଏହି ଆଲୋଚ୍ୟ ପରିପ୍ରେକ୍ଷୀଟିର ଅବଧି ବୋଲି ଗ୍ରହଣ କରିବା ଆମକୁ ପ୍ରଥମରୁ ହିଁ ସ୍ଵୀକାର କରି ନେବାକୁ ହେବ ଯେ ଗତ ପଚିଶବର୍ଷ ଭିତରେ ଭାରତୀୟ ରାଜନୀତିରେ ମୁଖ୍ୟତଃ ଯାହା ଘଟିଛି, ଭାରତୀୟ ସାହିତ୍ୟରେ ମଧ୍ୟ ସମଗ୍ରତଃ ପ୍ରାୟ ତାହାହିଁ ଘଟିଛି । ଅର୍ଥାତ୍, ସ୍ଵାଧୀନତା ଲାଭକରିବାର ପରବର୍ତ୍ତୀ ଏହି ପଚିଶ ବର୍ଷର ସମୟକୁ ଭାରତୀୟ ରାଜନୀତି ତଥା ଭାରତୀୟ ସାହିତ୍ୟ ଉଭୟ କ୍ଷେତ୍ରରେ ଆମେ ଏକ ଅବକ୍ଷୟର ଯୁଗ ବା ପର୍ଯ୍ୟାୟ ବୋଲି କହିବା । ଇଂରାଜୀ ପରିଭାଷାରେ ଏହି ଅବକ୍ଷୟକୁ Decadence ବୋଲି କୁହାଯାଇଥାଏ । ଯେତେବେଳେ ନାନା କୌଶଳ ଏବଂ ଫିସାଦରେ ଅସଲ ଆହ୍ଵାନଗୁଡ଼ିକୁ ଟଳାଇ ଦିଆଯାଏ, ଯେତେବେଳେ ନାନାପ୍ରକାର ମୁଗ୍‌ଧତା ଏବଂ ମିଛ ଅନୁରକ୍ତିଗୁଡ଼ାକ ଭିତରେ ପଡ଼ି ଅସଲ ଅଭ୍ୟୁଦୟଗୁଡ଼ାକୁ ଅଟକାଇ ରଖାଯାଏ, ସେତିକିବେଳେ ଯେକୌଣସି ସମୂହ ବା ଗୋଷ୍ଠୀର ଜୀବନରେ ଅବକ୍ଷଯର ଏକ ଦୁଃସମୟ ଆସି ପହଞ୍ଚେ । ମଣିଷକୁ ଦବାଇ ରଖି ସେତେବେଳେ କ୍ଷମତାକୁ ବାଟ ଛାଡ଼ି ଦିଆଯାଏ; ଯେକୌଣସି ପ୍ରକାରେ ସଫଳତା ହାସଲ କରିବାକୁ ହିଁ ସବୁଠାରୁ ବଡ଼ କରାମତି ବୋଲି ମାନି ନିଆଯାଏ । ସେତେବେଳେ ନେତୃତ୍ଵ ସ୍ଵୟଂ ପଥଛଡ଼ା ଓ ଧର୍ମଛଡ଼ା ହୋଇଯାଏ, ମଣିଷକୁ ବାଟର ପ୍ରେରଣା ଦେବା ପରିବର୍ତ୍ତେ ତାହା ମଣିଷର କାନ୍ଧ ଉପରେ ଯାଇ ସବାର ହୋଇ ବସିବାରେ ଆନନ୍ଦ ପାଏ । ଆମ ଦେଶର ରାଜନୀତିକ ଆକାଶକୁ ବର୍ତ୍ତମାନ ସେହିପରି ଏକ ଅବକ୍ଷୟ-ଯୁଗ ଘୋଟିକରି ରହିଛି-। ଗୋଟାଏ ବିପ୍ଳବ ଅର୍ଥାତ୍ ରାଜନୀତିକ କ୍ଷମତା-ଲାଭର ବିପ୍ଳବଟି ସିଦ୍ଧ ହୋଇଯିବା ପରେ ଏଠି ଆହୁରି ଅନେକ ବିପ୍ଳବ ହେବ ବୋଲି କେତେ ମସୁଧା ରହିଥିଲା, ଏହି ସମାଜକୁ ଭାଙ୍ଗି ନୂଆ କରି ଗଢ଼ିବାଲାଗି ଏବଂ ତାହାକୁ ଏହି ଦେଶର ସମସ୍ତଙ୍କ ଲାଗି ଅଧିକ ଯୋଗ୍ୟ ତଥା ଅନୁକୂଳ କରି ତିଆରି କରିବା ଲାଗି ଏଠି ଦିନେ କେତେ ସ୍ଵପ୍ନ ଦେଖା ହୋଇଥିଲା । କିନ୍ତୁ ତଥାପି ସେଗୁଡ଼ାକୁ ବଡ଼ ଚତୁରତା ସହିତ ଭୁଲାଇ ଦିଆଗଲା । ସଂଗ୍ରାମୀମାନେ ଦେଖୁ ଦେଖୁ ଭୋଗୀ ପାଲଟି ଗଲେ, କ୍ଷମତାର ବଶ୍ୟତା ମଧ୍ୟରେ କ୍ଷମତା ଜଡ଼ ହୋଇ ରହିଗଲା, ସମ୍ପଦ ବଢ଼ିଲା, ସମ୍ପନ୍ନତା ବଢ଼ିଲା, ସୌଧ ଉପରେ ସୌଧ ଉଠିଲା, ଦେଶର ସମରଶକ୍ତି ବଢ଼ିଲା, ଦଣ୍ଡଶକ୍ତି ବଢ଼ିଲା, ମାତ୍ର ମଣିଷକୁ ଗଧ କରି ରଖାଗଲା, ତାକୁ ସତେଅବା ଗୋଡ଼ି ପଥର ପରି ବ୍ୟବହାର କରାଗଲା-। ମାତ୍ର କେତେଜଣ ହିଁ ସାମନ୍ତ ହୋଇ ବସିଲେ, ଭାଗ୍ୟବନ୍ତ ହେଲେ ଏବଂ ଶହେରେ ପଞ୍ଚାନବେ ଜଣ ଅରକ୍ଷିତ ଓ ଅକିଞ୍ଚନ ହୋଇ ରହିଲେ, ଅଥବା ଖୁବ୍ ବେଶୀ ହେଲେ କ୍ଷମତାଧୀଶମାନଙ୍କର ଗୁହାରିଆ ହୋଇ ରହିଲେ ।

 

ଅଧିକରୁ ଅଧିକ ଉଦ୍ଧତ ହୋଇ କ୍ଷମତା କ୍ରମେ ଆଖି ହରାଇ ବସିବାକୁ ଯାଉଥିବାବେଳେ କଳା ଓ ସାହିତ୍ୟ ମୋହାନ୍ଧ ଉଗ୍ର ମଣିଷକୁ ତା’ର ଆଖି ଦେବାଲାଗି, ଅର୍ଥାତ୍ ତାକୁ ତା’ରି ସୀମାଗୁଡ଼ିକ ବିଷୟରେ ସାବଧାନ କରାଇ ଦେବା ଲାଗି, ଏକ ଆହ୍ଵାନ ଅନୁଭବ କରିଥାଏ ବୋଲି ଆମେରିକାର ଜଣେ ପୂର୍ବତନ ରାଷ୍ଟପତି ଶ୍ରୀଯୁକ୍ତ କେନେଡ଼ି ଥରେ ମତ ପ୍ରକାଶ କରିଥିଲେ-। ସ୍ଵାଧୀନ ଭାରତରେ ରାଜନୀତିକ କ୍ଷମତା ଏଠି କେବଳ ଗୋଟିଏ ମାତ୍ର ଭଗବାନ ହୋଇ ବସିବାର ଦମ୍ଭ କରିବାବେଳେ ଭାରତୀୟ ସାହିତ୍ୟ ହିଁ ସବା ଆଗ ତାହାର ପ୍ରତିବାଦ କରି ବାହାରି ଥାଆନ୍ତା । ଯେଉଁସବୁ ବିପ୍ଳବ ଏବଂ ପରିବର୍ତ୍ତନକୁ ଏଠାରେ ଅବହେଳିତ ଓ ବିସ୍ମୃତ କରି ରଖାଯାଇଛି, ଭାରତୀୟ ସାହିତ୍ୟ ଲୋକମାନସକୁ ତାହାରି ଲାଗି ତିଆରି କରି ଥାଆନ୍ତା-। କିନ୍ତୁ ତାହା ହୋଇପାରିଲା ନାହିଁ । ମଳୁର ନାଡ଼ୀ ଦେଖି ଯେଉଁ ବୈଦ୍ୟ ଅବକ୍ଷୟକୁ ହୁଏତ ଅବକ୍ଷୟ ବୋଲି କହି ପାରିଥାଆନ୍ତା, ସିଏ ସ୍ଵୟଂ ଅବକ୍ଷୟ ଭିତରେ ଆସି ପଡ଼ିଗଲା । ଭାରତୀୟ ସାହିତ୍ୟ ତାର ଅସଲ ପ୍ରଭାଟିକୁ ହରାଇ ବସିଲା । ଅସଲ ପ୍ରାଣଖିଅଟିକୁ ହାତଛଡ଼ା କରିପକାଇଲା-। ସ୍ଵାଧୀନତା ପରେ ଦେଶରେ ମୁଖ୍ୟତଃ ଯେଉଁ ବର୍ଗ ବା ଶ୍ରେଣୀ ରାଜନୀତି ଏବଂ ରାଷ୍ଟ୍ରକରଣାର ସବୁ କ୍ଷମତାଗୁଡ଼ିକୁ ଯାଇ ମାଡ଼ି ବସିଲେ, ହୁଏତ ସେହି ବର୍ଗ ବା ଶ୍ରେଣୀର ବ୍ୟକ୍ତିମାନେ ହିଁ ଆମର ସାହିତ୍ୟ ବ୍ୟାପାରରେ ମଧ୍ୟ ସର୍ବମାନୀ କାରପଟଦାର ହୋଇ ରହିଥିବାରୁ ହିଁ ସମ୍ଭବତ ସେପରି ଘଟିଲା । ସାହିତ୍ୟ ଭିତରେ ଆତ୍ମନ୍ୟୂନତା ପଶିଗଲା । ସାହିତ୍ୟ କ୍ଷମତା ପାଖରେ ତିରଣ ଧରି ବସିଲା, କ୍ଷମତାର ଅନୁଗ୍ରହକୁ ଅପେକ୍ଷା କରି ରହିଲା ଏବଂ କ୍ରମେ ସେହି ଅନୁଗ୍ରହ ଲାଭକୁ ହିଁ ସାହିତ୍ୟରେ ମଧ୍ୟ ଆପଣାର ଶ୍ରେୟଲାଭ ବା ବରପୁରସ୍କାର-ଲାଭ ବୋଲି ମନେ କରିବାକୁ ଲାଗିଲା-। ଆପଣାକୁ ଅନ୍ୟଧର୍ମୀ ଅନେକ ରଜ୍ଜୁର ବଶବର୍ତ୍ତୀ କରି ରଖି ସାହିତ୍ୟ ସ୍ଵୟଂ ଆପଣାର ରଜ୍ଜୁଟିକୁ ଆପଣା ହାତରୁ ହରାଇ ବସିଲା ।

 

ସାରା ଭାରତବର୍ଷରେ ସମସ୍ୟା ଯାହା, ସାନ ଓ ସ୍ଥାନୀୟ ଓଡ଼ିଶାରେ ମଧ୍ୟ ସମସ୍ୟା ଅନେକତଃ ସେଇଆ । ଆମର ଏଠି ସାହିତ୍ୟର ପ୍ରଧାନ ପ୍ରଧାନତଃ ସମସ୍ୟାଗୁଡ଼ିକ ପ୍ରକୃତରେ କ’ଣ ? ସାଧାରଣତଃ ଯେଉଁଗୁଡ଼ାକୁ ବଡ଼ ସମସ୍ୟାବୋଲି କୁହାହୋଇଥାଏ, ପ୍ରସଙ୍ଗ ପଡ଼ିଲାବେଳେ ଯେଉଁଗୁଡ଼ାକର ଚର୍ଚ୍ଚା ହୋଇଥାଏ, ସେଗୁଡ଼ାକ ଆମ ସାହିତ୍ୟର ପ୍ରକୃତ ସମସ୍ୟା ହୁଏତ ଆଦୌ ନୁହେଁ । ସାହିତ୍ୟର ପ୍ରଧାନ ପ୍ରଧାନ ଅସୁବିଧା ବା ସମସ୍ୟା ବୋଲି ଏଠି ସାଧାରଣତଃ ଯାହାସବୁ ଅଭିଯୋଗ କରାଯାଇଥାଏ, ପ୍ରକୃତ ସମସ୍ୟା ମୋଟେ ତାହା ନୁହେଁ । ଏଠାରେ ଅନେକ ସମୟରେ ଅଭିଯୋଗ କରାଯାଇଥାଏ ଯେ ଓଡ଼ିଶା ପାଠକେ ଓଡ଼ିଶାର ଲେଖକମାନଙ୍କୁ ମୋଟେ ଆଦରିଲେ ନାହିଁ, ଅର୍ଥାତ୍ ସେମାନେ ଲେଖକମାନଙ୍କର ବହିକୁ କିଣିଲେ ନାହିଁ ଅର୍ଥାତ୍ ସାହିତ୍ୟର ଆଦର କଲେନାହିଁ । ପ୍ରକାଶକମାନେ ବି କୁଆଡ଼େ ଲେଖକମାନଙ୍କୁ ପଚାରିଲେ ନାହିଁ ବୋଲି କୁହାଯାଇଥାଏ । ପ୍ରକାଶକମାନେ ମଧ୍ୟ ଆପଣାର ଦୁଃଖଗୁଡ଼ାକୁ ଗାଇ ଆପଣା ସମସ୍ୟାଗୁଡ଼ାକର ଆଦୌ କମ୍ ବୟାନ କରନ୍ତି ନାହିଁ । ସେମାନେ କହନ୍ତି ଯେ ସେମାନେ ଆଗେ ପାଠ୍ୟ ପୁସ୍ତକ ଓ ତଦାନୁଶଙ୍ଗିକ କେତେ ବହିପତ୍ର ଛପାଇ ବ୍ୟବସାୟ ଭରିବାଭଳି ଆୟ କରିପାରୁ ଥିଲେ ବୋଲି ସାହିତ୍ୟର ସେବା କରିବାକୁ, ଅର୍ଥାତ୍ ସାହିତ୍ୟିକମାନଙ୍କର ଲେଖା ବହିସବୁ ଖଣ୍ଡେ ଅଧେ ଛପାଇ ଦେବାକୁ ବି ମନ ବଳାଇ ପାରୁଥିଲେ । ସେତେବେଳେ ଗୋଟାଏ ପାଖରେ ହେଉଥିବା ପର୍ଯ୍ୟାପ୍ତ ଲାଭ ହେତୁ ଅନ୍ୟ ପାଖରେ ସହୁଥିବା କ୍ଷତିଗୁଡ଼ାକ ସେମାନଙ୍କୁ ଆଦୌ ବାଧୁ ନଥିଲା । ତେଣୁ ସଂସାରର ଭାଗମାପ ଠିକ୍ ରହୁଥିଲା । ମାତ୍ର ଏବେ ପାଠ୍ୟପୁସ୍ତକଗୁଡ଼ାକ ହାତକୁ ନେଇ ସରକାର ସବୁ ଭଣ୍ଡୁର କରି ଦେଲେ, ସାହିତ୍ୟ–ପ୍ରକାଶନର ଗୋଛି କାଟିଦେଲେ । ପାଠାଗାର ଆଦିକୁ ଦାନ କରିବାଲାଗି ସରକାର ଆଗେ କେତେ କେତେ ବାଜେ ବହି ଖରିଦ କରୁଥିଲେ । ସ୍କୁଲ କଲେଜରେ ପୁରସ୍କାର ବିତରଣ ସକାଶେ ବି ଟଙ୍କା ମଞ୍ଜୁର କରୁଥିଲେ । ଏବେ ସେଗୁଡ଼ାକ ମଧ୍ୟ ପ୍ରାୟ ବନ୍ଦ ହୋଇଗଲା । ଏବଂ ତେଣୁ ସାହିତ୍ୟିକ ପୁସ୍ତକର ମୋଟା କିଣାଳି ମଧ୍ୟ ଆଉ କେହି ରହିଲେ ନାହିଁ । ତେଣୁ ଓଡ଼ିଆ ବହିଗୁଡ଼ାକ ଆଉ ବିକ୍ରି ହେବ କିପରି ଏବଂ ଛପା ହେବ ମଧ୍ୟ କାହିଁକି ? ଏଗୁଡ଼ାକ ଯେ ସାହିତ୍ୟ-ଲେଖକ ଏବଂ ସାହିତ୍ୟ ପ୍ରକାଶକଙ୍କ ଲାଗି ଗୋଟାଏ ଗୋଟିଏ ବାସ୍ତବ ସମସ୍ୟା, ସେ କଥାକୁ କେହି କଦାପି ଅସ୍ଵୀକାର କରିବ ନାହିଁ । ମାତ୍ର ଏଗୁଡ଼ାକ ଆମ ସାହିତ୍ୟର ଆଦୌ ଅସଲ ସମସ୍ୟା ନୁହେଁ, ଏଗୁଡ଼ାକ ସାହିତ୍ୟିକ ସମସ୍ୟା ନୁହେଁ । ୧୯୭୧ ମସିହାର ଜନଗଣନା ଅନୁସାରେ ସାରା ଭାରତବର୍ଷରେ ଶହେରେ ମୋଟେ ତିରିଶିଜଣ ମଣିଷ ସାକ୍ଷର ବୋଲି ଘୋଷଣା କରାଯାଇଛି । ଓଡ଼ିଶାରେ ଆମେ ଏହି ସିଡ଼ିରେ ସାଧାରଣ ସ୍ତରର ଆହୁରି ତଳକୁ ରହିଛୁ । ଆମ ଏଠାରେ ଶହେରେ ମୋଟେ ଛବିଶି ଜଣ ସାକ୍ଷର ହୋଇ ପାରିଛନ୍ତି । ଆଉ ଟିକିଏ ଅଧିକ ଖେଳେଇ କରି ଦେଖିଲେ ଓଡ଼ିଶାର ତଫସିଲଭୁକ୍ତ ଜାତିମାନଙ୍କ ଭିତରେ ଶହେରେ ମାତ୍ର ପନ୍ଦର ଜଣ ଏବଂ ଆଦିବାସୀମାନଙ୍କ ମଧ୍ୟରେ ମୋଟେ ନଅଜଣ ଲୋକ ଲେଖିପଢ଼ି ଜାଣିଛନ୍ତି । ଅଳ୍ପ କେତେଟା ସହର ତୁଳନାରେ ଗାଆଁ ଗହଳରେ ଅକ୍ଷୌହିଣି ପ୍ରମାଣ ଜନସମୁଦ୍ରରେ ନିରକ୍ଷର ହିଁ ଅଧିକତର ସଂଖ୍ୟାରେ ରହିଛନ୍ତି, ପୁରୁଷମାନଙ୍କ ତୁଳନାରେ ସ୍ତ୍ରୀମାନଙ୍କ ମଧ୍ୟରେ ନିରକ୍ଷରତା ଅଧିକ ପରିବ୍ୟାପ୍ତ ହୋଇ ରହିଛି । ଯେଉଁ ଗାଆଁରେ ଶହେ ଘରରୁ ମୋଟେ ପଚିଶିଟି ଘରର ଜମିରେ ଧାନ ଫଳୁଛି, ସେଠି ସମସ୍ତଙ୍କର ଅମାର ଭର୍ତ୍ତି ହେବ କିପରି ? ତେଣୁ ଓଡ଼ିଆମାନଙ୍କ ଘରେ ଶହେରେ ପଞ୍ଚସ୍ତରିଜଣ ମଣିଷ ଏହି ରାଜ୍ୟର ବ୍ୟବସ୍ଥିତ ବରାଦ ଅନୁସାରେ ପଢ଼ି ଲେଖି ନଜାଣିଥିଲାବେଳେ ଆମେ ଯେ ତଥାପି ଏଠାରେ ଲେଖା ହେଉଥିବା ସାହିତ୍ୟକୁ ଓଡ଼ିଆ ସାହିତ୍ୟ ବୋଲି କହିପାରୁଛୁ ଏବଂ ଆମ ସାହିତ୍ୟ-ଧନକୁ ନେଇ ଉଲ୍ଲସିତ ଅନୁଭବ କରିପାରୁଛୁ, ହୁଏତ ତାହାକୁ ହିଁ ଆମର ପରମ ପ୍ରସାଦ ଲାଭ ବୋଲି କହିବାକୁ ହେବ ।

 

ତେଣୁ ଏହି ପ୍ରବନ୍ଧଟିରେ ଆମେ ସେହି ସମସ୍ୟାଗୁଡ଼ିକର କୌଣସି ଆଲୋଚନା କରିବା ନାହିଁ । ଆମେ ସାହିତ୍ୟିକ ସମସ୍ୟାଗୁଡ଼ିକର ହିଁ ଆଲୋଚନା କରିବା । କାରଣ ଏହି କ୍ଷେତ୍ରରେ ସମସ୍ୟା କହିଲେ, ବସ୍ତୁତଃ ସାହିତ୍ୟର ସମସ୍ୟାଗୁଡ଼ାକୁ ହିଁ ବୁଝାଇବ । ଅର୍ଥାତ୍ ଯାହାକିଛି ସାହିତ୍ୟର ପଥକୁ ଓଗାଳି ରହିଛି, ସାହିତ୍ୟର ସମାଜ–ଆୟତନଟିକୁ ଯାହାକିଛି ଅସାମାଜିକ କରି ରହିଛି, ସାହିତ୍ୟର ରୁଚିଗୁଡ଼ାକୁ ଏଠି ଯାହାକିଛି ଅରୁଚିକରତାରେ ପରିଣତ କରିରଖିଛି, ଏହି ସମସ୍ୟା ହେଉଛି ଧର୍ମତଃ ତାହାରି ସମସ୍ୟା ।

 

ଭାରତବର୍ଷର ସ୍ଵାଧୀନତାଲାଭ ପରେ ଏଠି ଲୋକଜୀବନର ଯାବତୀୟ ବ୍ୟାପାର ମଧ୍ୟରେ ରାଜନୀତିଟା ହିଁ ବ୍ରାହ୍ମଣ-ସ୍ଥାନ ଅଧିକାର କରି ବସିଛି । ରାଜନୀତି ଅର୍ଥାତ୍ କ୍ଷମତାପନ୍ନ ହୋଇ ରହିବାର ଅତିଲାଳସା ଓ ଅତ୍ୟୁଗ୍ରତାଗୁଡ଼ାକ ହିଁ ଆମର ସାମୂହିକ ଜୀବନକୁ ସତେଅବା ଗୋଟାସୁଦ୍ଧା ଗ୍ରାସ କରି ରହିବାକୁ ମନ ବଳାଇଛି । ଆମ ଓଡ଼ିଶାରେ ମଧ୍ୟ ସେହି ଘଟଣା ଘଟିଛି; ହୁଏତ ଅଧିକ ଦୟନୀୟ ଭାବରେ ଘଟିଛି । କ୍ଷମତାସୀନର ଅନୁଗ୍ରହ ନ ପାଇଲେ ନ ସେହି ଅନୁଗ୍ରହକୁ ଆଶ୍ରୟ କରି ରହି ନ ପାରିଲେ ଯେ ସାହିତ୍ୟ କେବେହେଲେ ତିଷ୍ଠି ପାରିବ ନାହିଁ, ଆମ ସାହିତ୍ୟିକମାନେ ଅଧିକରୁ ଅଧିକ ସଂଖ୍ୟାରେ ସତେଅବା ସେହିଭଳି ଏକ ଅପବିଶ୍ଵାସ ବା ଅନ୍ଧବିଶ୍ଵାସରେ ଆପାଣାକୁ ମଣ କରି ରଖିଛନ୍ତି । ଏହା ସେମାନଙ୍କୁ ଅନେକ ସମାୟରେ ଆଶାତୀତ ଓ ଯୋଗ୍ୟତାତୀତ ସଫଳତାମାନ ଆଣି ଦେଇଛି, ସେମାନଙ୍କୁ କେତେକେତେ ସଭାମଣ୍ଡପ ଉପରେ ରାଜାର ପାର୍ଶ୍ଵବର୍ତ୍ତୀ କରି ବସାଇଛି ଓ କୃତ୍ୟକୃତ୍ୟ କରି ଦେଇଛି ସତ, ମାତ୍ର ଓଡ଼ିଆ ସାହିତ୍ୟ ଲାଗି ତାହାହିଁ ପ୍ରାୟ ଏକ ଜୀବନର ସମସ୍ୟା ପରି ଆସି ଠିଆ ହୋଇଛି । ମନ୍ତ୍ରୀ ନହେଲେ ଏଠି ସାହିତ୍ୟ-ସଭାଗୁଡ଼ାକ ସତେଅବା ଅପୂରା ହୋଇ ରହିଛି । ମନ୍ତ୍ରୀ ଅର୍ଥାତ୍ ସରକାରଙ୍କର ଅନୁଗ୍ରହ ନହେଲେ ସାହିତ୍ୟର ଗଛରେ ଯେ ଆଦୌ କୌଣସି ଫଳ ଫଳି ପାରିବ ନାହିଁ, ଆମ ସାହିତ୍ୟ-ବଗିଚାର ଅନ୍ୟାଗ୍ରାହୀ ମାଳିମାନେ କ୍ରମେ ଏହିପରି ଏକ ବିଶ୍ଵାସ ପୋଷଣ କରିବାକୁ ଆରମ୍ଭ କରିଛନ୍ତି । ଉତ୍କଳର ନାନା ପ୍ରସଙ୍ଗ ପରି ଓଡ଼ିଶାର ସାହିତ୍ୟର ଓ ସଂସ୍କୃତି ମଧ୍ୟ କ୍ରମେ ଓଡ଼ିଶା ସରକାରଙ୍କର ଏକ ପ୍ରସଙ୍ଗ ଏବଂ ତେଣୁ ଏକ ପବିତ୍ର କର୍ତ୍ତବ୍ୟରେ ପରିଣତ ହୋଇ ଯାଇଛି । ତେଣୁ ସତେଅବା ପରିସ୍ଥିତିଦ୍ଵାରା ବାଧ୍ୟ ହେଲାପରି ଆମର ସାହିତ୍ୟ କ୍ରମେ ରାଜନୀତିମୁହାଁ ଓ ରାଜଧାନୀ ମୁହାଁ ହୋଇ ଯାଇଛି; ଆପଣାର ଅସଲ ମୁହାଟାକୁ ଲୁଚାଇ ରଖି ତାହା ରାଜନୀତିର ମୁଖାଟା ଦ୍ଵାରାହିଁ ଆପଣାକୁ ମଣ୍ଡାଇ ରଖିବା ଲାଗି କ୍ରମେ ଭାରି ସରାଗ ଦେଖାଇଛି । ସାହିତ୍ୟ-ସଭାରେ ରାଜନୀତିକ ବଳୁଆନେତାର, ପ୍ରଶସ୍ତି ଗାନ ହୋଇଛି, ସାହିତ୍ୟ-ମଞ୍ଚର ପୁଙ୍ଗବମାନେ ଭାରି ଆହ୍ଲାଦ ସହକାରେ ଏହି ସବୁ ପ୍ରଶସ୍ତିଗାନ କରିଛନ୍ତି, ଲାଜ ହରାଇଛନ୍ତି ଓ ବଡ଼ ସାହିତ୍ୟିକ ହେବାର ସ୍ଵୀକୃତି ଲାଭ କରିଛନ୍ତି । ରାଜନୀତି ସହିତ ଖାପ ଖାଇଲାପରି ଓ ରାଜନୀତିକ ନେତାର ମନକୁ ପାଇଲାରେ ସେମାନେ ଆପଣାର ବୁଦ୍ଧିଗୁଡ଼ାକୁ କ୍ରମେ ଅନୁରୂପ ଭାବରେ ମୋଟା କରି ରଖିବାକୁ ଚେଷ୍ଟା କରିଛନ୍ତି, ସାହିତ୍ୟର ସାମିଆନା ତଳେ ସ୍ଵୟଂ ଗୋଟାଏ ଗୋଟାଏ ନେତାପରି ଦିଶିଛନ୍ତି ଏବଂ ସେଇଥିରୁ ହିଁ ସର୍ବପ୍ରଶମନକାରୀ ଏକ ପରିତର୍ପଣ ଲାଭ କରିଛନ୍ତି । ସେମାନେ ସ୍ଵୟଂ ଝଟକି ଉଠିବା ସଙ୍ଗେ ସଙ୍ଗେ ସେମାନଙ୍କ ସହିତ ଓଡ଼ିଆ ସାହିତ୍ୟଟା ମଧ୍ୟ ଏକାବେଳେକେ ଝଟକି ଉଠିବାପରି ଅନୁଭବ କରି ସେମାନେ ହୃଷ୍ଟ ହୋଇ ଉଠିଛନ୍ତି । କୌଣସି ଭାଷାରେ ବା କୌଣସି ରାଜ୍ୟରେ ସରକାରୀ ମନ୍ତ୍ରୀ ଏକ କ୍ଷମତା-ସ୍ଥୂଳ ରାଜନୀତିକ ନେତା କେତେ ବେଶୀ ସଂଖ୍ୟାରେ ଓ କେତେ ସହଜ ଯୁକ୍ତିର ସହିତ ସାହିତ୍ୟର ସଭା ମଣ୍ଡାଇବାକୁ ଧରାହୋଇ ଆସିଛନ୍ତି, ଯଦି ତାହାର ଏକ ହିସାବ ସଂଗ୍ରହ କରାଯାଏ, ତେବେ ଓଡ଼ିଶା ରାଜ୍ୟ ଓ ଓଡ଼ିଆ ଭାଷାର ଏହି ଗତ ପଚିଶି ବର୍ଷର ପର୍ଯ୍ୟାୟଟାକୁ ନିଶ୍ଚୟ ସର୍ବପ୍ରଥମେ ସ୍ମରଣ କରିବାକୁ ପଡ଼ିବ ।

 

ଏପରି କାହିଁକି ହେଲା ? ଭାରତ ସ୍ଵାଧୀନତା ଲାଭ କରିବା ପୂର୍ବରୁ ଯେଉଁମାନେ ଓଡ଼ିଶା ସାହିତ୍ୟରେ ଏକ ସୁନ୍ଦରତର ଜୀବନ ଲାଗି କେତେ ଆକାଂକ୍ଷା ଓ ଉନ୍ମାଦନା ସୃଷ୍ଟି କରିଥିଲେ, ନୂତନ ଲାଗି କେତେ ପ୍ରକାରେ ଉଦ୍‌ବୁଦ୍ଧ କରିଥିଲେ ଓ ସାହସ ଆଣି ଦେଇଥିଲେ, ବିପ୍ଳବୀ ବୀଣା ବଜାଇଥିଲେ ବା ସବୁଜର ସ୍ଵପ୍ନ ଦେଖୁଥିଲେ, ସ୍ଵାଧୀନତା ହାସଲ ହୋଇଯିବା ପରେ ସେମାନେ ଏଡେ ତରତର ହୋଇ ଆପଣାର ଦୀପଗୁଡ଼ାକୁ ଏପରି ନିର୍ମମ ଭାବରେ ନିଭାଇ ଦେଇପାରିଲେ କିପରି ? ଭବିଷ୍ୟତରେ ସାହିତ୍ୟ ସମୀକ୍ଷକ ଦିନେ ନିଶ୍ଚୟ ସେହି କଥାଟିର ବିଚାର କରିବାକୁ ଆସିବ । ଦେଶ ରାଜନୀତିକ ସ୍ଵାଧୀନତା ପାଇଯିବା ପରେ ଏମାନେ “ସତେ ଯେପରି ଆଉ କିଛି ହେଲେ କରିବାକୁ ସମର୍ଥ ହୋଇ ପାରିଲେ ନାହିଁ, ଗୋଟାସୁଦ୍ଧା ବୁଢ଼ା ହୋଇଗଲେ, ହଳଦିଆ ପଡ଼ିଗଲେ । ନାନା ଅନ୍ୟାୟ, ଅହଂ ଜର୍ଜରତା ଏବଂ ଲଜ୍ଜାବର୍ଜିତ ଆଡ଼ମ୍ବର ସହିତ ସାଲିଶ୍ କରି ପକାଇଲେ–ସତେ ଯେପରି ଖାଲି ଫଳଗୁଡ଼ାକୁ ଭୁଞ୍ଜିବା ଲାଗିହିଁ ବଞ୍ଚି ରହିଲେ । ସେମାନଙ୍କର ଫଳ କାମନାଗୁଡ଼ାକ ଅବାଧ ଉତ୍ସାହପାଇ କ୍ରମେ ଏକ ଫଳ କାମୁକତାରେ ପରିଣତ ହେବାକୁ ବସିଲା । ସ୍ଵଧର୍ମକୁ ଭୁଲି ସେମାନେ ଗୋଟାସୁଦ୍ଧା ପୁରସ୍କାର-ଲୋଭୀ ହୋଇ ପଡ଼ିଲେ, ତେଣୁ ତଦନୁପ୍ରେରିତ ହୋଇ ଗୋଟିଏ ଗୋଟିଏ ମହାଜନ-ତୋଷୀ ସାହିତ୍ୟିକ ହୋଇ ବାହାରିଲେ । ଆମର ଏଠାରେ ଯେଉଁ ନ୍ୟାୟଦ୍ଵାରା ଚାଳିତ ହୋଇ ସାହିତ୍ୟରେ ପୁରଷ୍କାରଗୁଡ଼ାକ ଦିଆଯାଏ ବା ଦିଆନଯାଏ ଏବଂ ସେଥିଲାଗି ଆମର ପ୍ରତିଷ୍ଠା ତୃଷିତ ସୁଜ୍ଞ ସାହିତ୍ୟିକମାନେ ଯେପରି ହନ୍ତସନ୍ତ ଆଉ ଲଣ୍ଡଭଣ୍ଡ ହୋଇ କ୍ଷମତାଧାରୀମାନଙ୍କ ପାଖକୁ ଧାଇଁବାରେ ଲାଗିଥାନ୍ତି, କେତେ ଏକାଗ୍ର ନିଷ୍ଠାର ସହିତ କେତେ ପାଦ ଓ ଅପାଦ ଧରିବାକୁ ମଧ୍ୟ ତିଆରି ହୋଇ ପଡ଼ନ୍ତି, ସେଥିରୁ ସୂତାଟାଏ ଉଖାରି ଦେଖିଲେ ମଧ୍ୟ ଆମକୁ ଆମ ସାହିତ୍ୟଚର୍ଯ୍ୟାର ଏହି ଲାଜଟା ସତେ ଅବା ଭାରି ଜଳଜଳ ହୋଇ ଦିଶିଯିବ । ଆମର ସାହିତ୍ୟ-ସରାଗ ତଥା ସାହିତ୍ୟାୟୋଜନର ଯାବତୀୟ ଆଡ଼ମ୍ବର ଓ ଆବରଣ ଭିତରୁ ସବୁଠାରେ ଆମର ଏହି ନିର୍ଲଜ୍ଜ ଲଙ୍ଗଳାପଣଟା ହିଁ ଆଗେ ଧରା ପଡ଼ିଯାଏ ।

 

ସାହିତ୍ୟିକ ରାଷ୍ଟ୍ରର ସମ୍ପତ୍ତି ନୁହେଁ, ସାହିତ୍ୟ ଧନ ନୁହେଁ, ଅବଶ୍ୟ ଏକଥା ସତ ଯେ ଯୁଗେ ଯୁଗେ ଏକାଧିକ ଦେଶରେ ରାଷ୍ଟ୍ରମାନେ ସାହିତ୍ୟଟାକୁ ମଧ୍ୟ ଆପଣାର ଧନକରି ରଖିବା ଲାଗି ପ୍ରବଳ ପ୍ରୟାସ କରି ଆସିଛନ୍ତି ଓ ସାହିତ୍ୟିକକୁ ଆପଣାର ପୋଷା ମନାଇ ରଖିବାକୁ କେତେ ଠକ ରୀତିର ଆଚରଣ କରିଛନ୍ତି । ଖୋଦ୍ ସାହିତ୍ୟିକ ମଧ୍ୟ ସାମୟିକତାର କେତେ ପ୍ରଲୋଭନରେ ପଡ଼ି ଆପଣାକୁ ଗୋଟାସୁଦ୍ଧା, ରାଷ୍ଟ୍ରର ହିଁ ପରିଚାରକ କରି ରଖିଛି, କେତେଭଳି ମତ୍ତ ହୋଇ କେତେ ସ୍ଵର୍ଣ୍ଣଶୃଙ୍ଖଳ ପିନ୍ଧି ବସିଛି । ସିଏ ରାଷ୍ଟ୍ରର ମୁକୁଟ ଆଣି ପିନ୍ଧିଛି, ରାଷ୍ଟ୍ରର ସ୍ଵୀକୃତି ପାଇବ ବୋଲି କେତେଥର ଧର୍ମ ହରାଇ ବସିଛି, ମହତ ଭୁଲିଛି, ସରସ୍ଵତୀଙ୍କୁ ଲକ୍ଷ୍ମୀରୂପେ ପାରାୟଣ କରିଛି, ତଥାପି ସତ କଥା ହେଉଛି ଯେ, ଲେଖକ ରାଷ୍ଟ୍ରର ନୁହେଁ, ସିଏ ହେଉଛି ସମାଜର, ସିଏ ମଣିଷର । ତା’ର ସକଳ ସମର୍ପଣ ସମାଜଲାଗି, ସମ୍ପୂର୍ଣ୍ଣରେ ଜୀବନ ଲାଗି, ସୁନ୍ଦରତର ମଣିଷ ଲାଗି, ଯୁଗେ ଯୁଗେ କ୍ଷମତାକୁପିତ ତାର ନାନା ଅପଦମ୍ଭଦ୍ଵାରା ଜୀବନ ତଥା ଜନଭାଗ୍ୟକୁ ମଳିନ କରି ଆସିଥିବା ରାଷ୍ଟ୍ର ଲାଗି ନୁହେଁ । ଭାରତ ସ୍ଵାଧୀନ ହେବା ପୂର୍ବରୁ ଭାରତର ସାହିତ୍ୟିକ ପ୍ରଧାନତଃ ତା’ର ସମାଜ ଲାଗି ଓ ସେହି ସମାଜର ସମ୍ଭାବ୍ୟ ଭାଗ୍ୟ ଲାଗି ହିଁ ଆପଣାକୁ ସମର୍ପିତ କରି ରଖିଥିଲା ମାତ୍ର ଭାରତ ସ୍ଵାଧୀନ ହୋଇଯିବା ପରେ କେଉଁ ଦୁର୍ଭାଗ୍ୟ ହେତୁ ସେ କାହିଁକି ଅନ୍ୟ ମୁହାଁ ହୋଇଗଲା କେଜାଣି, ରାଷ୍ଟ୍ରୀୟ ପ୍ରମତ୍ତତା ପାଖରେ ମହତ ବିକି ବସିଲା । ସିଏ କେତେମନ୍ତେ ଶୋଭାପାଇଲା, ଦିଲ୍ଲୀଯାଏ ଡକରା ହୋଇଗଲା, କେତେ କୌଶଳରେ କେତେ ପାଦର ଆଶ୍ରାକରି କେତେ କେତେ ପଦ ଓ ମାନ୍ୟତାର ଲାଙ୍ଗୁଳଗୁଡ଼ାକୁ ଶିରବସ୍ତ୍ର କରି ବାନ୍ଧିଲା,– ମାତ୍ର ସ୍ଵାଧୀନତାପର ଭାରତର ରାଜନୀତିକ ନେତୃତ୍ଵ ପରି ସିଏ ମଧ୍ୟ ସ୍ଥାଣୁ ହୋଇଗଲା, ଆପଣାକୁ ଅଟକାଇ ରଖିଲା, ମନୁଷ୍ୟର ଉଦୟକୁ ଅଟକାଇ ରଖିବାରେ ସହାୟକ ପରି କାର୍ଯ୍ୟକଲା, ଯାବତୀୟ ନୂତନ ପ୍ରବର୍ତ୍ତନ ଲାଗି ବାଧକ ହୋଇ ରହିଲା ।

 

ଆମର ଦ୍ଵିତୀୟ ସମସ୍ୟା ହେଉଛି ଅସହିଷ୍ଣୁତାର ସମସ୍ୟା । ଭାରତର ଧର୍ମଶାସ୍ତ୍ରରେ ‘ପରସ୍ପରାନୁକଥନ’ ସକାଶେ ଏକ ସ୍ଥାନ ରହିଛି ସତ, ମାତ୍ର ଆମ ସାହିତ୍ୟ ଭିତରେ ପରସ୍ପର ସହିତ ଏକାଠି ବସି ସାହିତ୍ୟାଲୋଚନା କରିବା ଆମଲାଗି କ୍ରମେ ଦୁରୂହ ହୋଇ ପଡ଼ୁଛି । ନିଜର କ୍ଷୁଦ୍ର ଅର୍ଜନଗୁଡ଼ାକୁ ଏଡ଼େଏଡ଼େ ଆଖିରେ ଦେଖି ଏକାନ୍ତ ଜୀବନଭୀରୁ ହୋଇ ବସିଗଲେ ଯେଉଁ ଅସହିଷ୍ଣୁତା ଜନ୍ମଲାଭ କରିଥାଏ, ମୁଁ ଏଠାରେ ସେହି ଅସହିଷ୍ଣୁତାର କଥା କହୁଛି । ଆମ ସାହିତ୍ୟ ଭିତରେ ଆମେ ପରସ୍ପରକୁ ସତେ ଯେପରି ଆଦୌ ସହି ପାରୁନାହୁଁ । ଜ୍ୟେଷ୍ଠ କନିଷ୍ଠକୁ ସହିପାରୁ ନାହିଁ, କନିଷ୍ଠ ଜ୍ୟେଷ୍ଠକୁ ମଧ୍ୟ ସହିପାରୁନାହିଁ; ନବୀନ ପ୍ରବୀଣ ପରସ୍ପର ପ୍ରତି ସରାଗ ରଖି ପରସ୍ପର ମୁହଁ ଆଡ଼କୁ ଆଉ ମୋଟେ ସିଧା କରି ଅନାଇ ପାରୁନାହାନ୍ତି । ସେ ଯୁଗଟାକୁ ସବୁ କିଛି ବୋଲି ମନେ କରୁଥିବା ସେମାନେ ଏବଂ ସେ ଯୁଗଟାକୁ ଆଦୌ କିହି ନୁହେଁ ବୋଲି କହୁଥିବା ଏବଂ ଆଉ ଗୋଟିଏ ଯୁଗକୁ ସବୁକିଛି ବୋଲି ଆବୋରି ଧରିଥିବା ଏମାନେ ପରସ୍ପର ସହିତ ଆଦୌ ଏକାଠି ବସି ସାହିତ୍ୟିକ ସୁଖଦୁଃଖ ହୋଇପାରୁ ନାହାନ୍ତି । ବିଚାରର ବିନିମୟ କରିବାତ ଆହୁରି ପରକଥା ହୋଇ ରହିଛି । ପ୍ରାଚୀନ ବାଲା ଆଧୁନିକତାକୁ ଯେତିକି ନାକ ଟେକୁଛି । ଆଧୁନିକ ମଧ୍ୟ ପ୍ରାଚୀନବାଲାକୁ ସେତିକି ବଡ଼ ନାକ ଟେକୁଛି । ଆପଣା ଘରେ କେହି ଆଉ ଅନ୍ୟ କାହାରିକୁ ସ୍ଥାନ ନ ଦେବା ଲାଗି ସତେ ଅବା ବଦ୍ଧପରିକର ହୋଇ ବସିଛନ୍ତି । ଆଉ ଜଣକୁ ତଡ଼ି ନିକାଲି ଦେବା ଉପରେ ହିଁ ସାହିତ୍ୟ ଭିତରେ ଜଣକର ଅସ୍ତିତ୍ଵ ଧରି ରହିବାଟା ପୂର୍ଣ୍ଣମାତ୍ରାରେ ନିର୍ଭର କରି ରହିଛି । ଗୋଟାଏ ସାହିତ୍ୟ, ଗୋଟାଏ ଭୂଇଁ, ସେଇ ଗୋଟାଏ ବଗିଚାରେ ଆମେ ସମସ୍ତେ ମାଳି; ମାତ୍ର ତଥାପି ଆମ ଭିତରେ ଏତେ ଅସହିଷ୍ଣୁତା କାହିଁକି ? ଅନ୍ୟ ସମସ୍ତଙ୍କୁ ତଳକୁ ଖସାଇ ପକାଇଥିବା ଆଗ ଯାଇ ପିରାମିଡ଼ର ସବାଉପର ଶିଖ ଉପରେ ବସିବାକୁ ଆମର ଏ ବ୍ୟଗ୍ରତା କାହିଁକି ? ଏଇଟାକୁ ଆମେ ଉଗ୍ରମନ୍ୟତା କହିବା ନା ହୀନମନ୍ୟତା ବୋଲି କହିବା ? ନା ଭିତରେ ଆପଣା ପାଖରେ ହୀନମନ୍ୟ ଓ ଅସ୍ୱୀକୃତ ହୋଇ ରହିଥିବାରୁ ବାହାରେ ସତେଅବା ତାହାର ଏକ କ୍ଷତିପୂରଣ ସକାଶେ, ଉଗ୍ରମନ୍ୟ ହୋଇ ଲାଞ୍ଜ ବାଡ଼ୋଉଥିବା ଏକ ଦୁଃଖଗ୍ରସ୍ତତା ବୋଲି କହିବା, ଆପଣା ଅନୁରାଗର ଅନୁରୂପ କରି କିଛି ସୃଷ୍ଟି ନକରିପାରିବାର ଆତ୍ମକ୍ଷୁଣ୍ଣତାରୁ ଜାତ ହୋଇଥିବା ଏକ ଚରମ ଦୟନୀୟତା ବୋଲି କହିବା ?

 

ଯେଉଁଠାରେ ଅସହିଷ୍ଣୁତା ହିଁ ସର୍ବଭୂମିର ଅଧିପତି ହୋଇ ବସିଥାଏ, ସେଠି ଯଥାର୍ଥରେ କୌଣସି ସମୀକ୍ଷା ଅଥବା ସମାଲୋଚନା ସମ୍ଭବ ହୁଏ ନାହିଁ । ଆପଣାକୁ କିମ୍ବା ବାହାରଆଡ଼କୁ ଅନାଇ ଦେଖିବା ଲାଗି କୌଣସି ଲୋଚନ ଦାରକାର ହୁଏ ନାହିଁ, କୌଣସି ପ୍ରକାର ସଖ୍ୟ, ସହଚାରିତା ଅଥବା ସହଭୋଜନ ଲୋଡ଼ା ହୁଏ ନାହିଁ, ମୋ’ରି ସାହିତ୍ୟିକ ବିଗ୍ରହଟି ମଧ୍ୟକୁ କେହି ଅନାଇବାକୁ ଚେଷ୍ଟା କଲେ, ଅର୍ଥାତ୍ ମୋ’ ଚାରିପାଖରେ ଘେରି ରହିଥିବାର ପାଣି, ପବନ ଏବଂ ପରିବେଶଟି ମଧ୍ୟରେ ମୋତେ ସମସ୍ତ କରି କଳିବାଲାଗି ଚେଷ୍ଟା କଲେ, ତାହା ମୋର ଅଭିମାନଙ୍କୁ ବାଧେ, ତାକୁ ମୁଁ ସହିପାରେ ନାହିଁ । ଓଡ଼ିଆ ସାହିତ୍ୟର ସେଥିଲାଗି ସମୀକ୍ଷାର କ୍ଷେତ୍ରଟି ଆଜି ମଧ୍ୟ ଏପରି ଆଲୋଡ଼ା ହୋଇ ପଡ଼ିରହିଛି । ଏଠାରେ ସଭା ମଣ୍ଡାଇ କେତେ ପୂଜା ଓ ଅପୂଜ୍ୟର ପୂଜାମଣ୍ଡଣି କରାଯାଏ, କେତେ ଜୟନ୍ତୀ ପାଳନର ବୌଜୟନ୍ତୀ ଉଡ଼ାଯାଏ ଭାଷଣଗୁଡ଼ାକ ଗଛବାଣ ହୋଇ ସତେ ଅବା ଜ୍ଞାନ ଅତଡ଼ା ପକାଇବାରେ ଲାଗିଥାନ୍ତି । ତଥାପି ସମ୍ୟକ୍ ଆଲୋଚନା ହୋଇପାରେ ନାହିଁ, ଦିଅଁଙ୍କ ନାଆଁରେ ସବୁ ହୁଏ, ତଥାପି ଦିଅଁ ଦେଖା ହୋଇପାରେ ନାହିଁ । ଆଧୁନିକ ସାହିତ୍ୟ କେବଳ ମଲା ଓ ତେଣୁ ନିରାପଦମାନଙ୍କ ପାଖକୁ ଆସି ଅଟକି ଯାଏ, ଜୀଅନ୍ତା ବିଛାଙ୍କୁ ସ୍ପର୍ଶ କରିବା ଲାଗି ବି ଭୟ କରେ । ବଞ୍ଚିଥିବା ସାହିତ୍ୟିକମାନେ ଆପଣାର ସତୀର୍ଥ ଓ ସମସାମୟିକମାନଙ୍କୁ ହାତେ ହାତେ ଈର୍ଷା କରୁଥାନ୍ତି, ଏକଦନ୍ତ ହୋଇ ସାହିତ୍ୟର ସମ୍ପୂର୍ଣ୍ଣ ଭୂଇଁଟାକୁ ଏକା ତାଡ଼ିବା ଲାଗି ପ୍ରତ୍ୟେକେ ଆଣ୍ଟ କରୁଥାନ୍ତି, ଲୋଭାସକ୍ତ ହୋଇ ରହିଥାନ୍ତି ଏବଂ ମୃତମାନଙ୍କରେ ପ୍ରଶସ୍ତିଗାନ କରିବା ବ୍ୟତୀତ ଆଉ ପ୍ରାୟ କିଛିହେଲେ କରି ପାରନ୍ତି ନାହିଁ । ଦେହ ଛାଡ଼ିବା ମାତ୍ରକେ ଓଡ଼ିଆ ସାହିତ୍ୟର ବରପୁତ୍ର ହୋଇ ସମସ୍ତେ ଶୋଭା ପାଅନ୍ତି ଓଡ଼ିଆ ସାହିତ୍ୟର ସମସ୍ତେ ଜ୍ୟୋତିଷ୍କ ହୋଇ ଜଳନ୍ତି । ମାତ୍ର ଏହି ଯାବତୀୟ ସରାଗକୁ ଜଳକା କରିଦେଇ ଆମର ଆତ୍ମଗରୁ ଅଭିମାନଟାହିଁ ସବୁଠାରୁ ଅଧିକ ଦପଦପ ହୋଇ ଜଳୁଥାଏ ଓ କାନ୍ଥରେ ଧାଡ଼ି ହୋଇ ଟଙ୍କା ହୋଇଥିବାରୁ ଫଟୋଗୁଡ଼ାକୁ ସତେ ଅବା ଛିଗୁଲେଇବାରେ ଲାଗିଥାଏ ।

 

ତା’ପରେ ସାହିତ୍ୟର ପ୍ରକାଶନ ଓ ପ୍ରଚାରର ସମସ୍ୟା । ପଚିଶିବର୍ଷ ତଳେ ଓଡ଼ିଶାରେ ଯେତେ ପ୍ରକାଶକ ଏବଂ ପୁସ୍ତକ ବିକ୍ରେତା ଥିଲେ, ବର୍ତ୍ତମାନ ସେମାନଙ୍କର ସଂଖ୍ୟା ତା’ଠାରୁ ହୁଏତ ଦଶଗୁଣ କି ପଚିଶିଗୁଣ ଅଧିକ ହୋଇସାରିଥିଲା । କଟକର ବଜାର ବହିଦୋକାନରେ ଭର୍ତ୍ତି ହୋଇଗଲାଣି । ପ୍ରକାଶକମାନେ ବଡ଼ଲୋକ ହେଲେଣି; ଶୁଭ ଲାଭ, ଋଦ୍ଧି ଓ ସିଦ୍ଧିର କେତେବାଟ ଓ କେତେ ସୂତ୍ର ଜାଣିଲେଣି; କେତେ ପାହାଚ; ଗଳି ଆଉ ଗୋହିରୀବାଟ ଧରି ସେମାନେ; କେତେ ବଡ଼ ଜାଗାରେ ଯାଇ କାମ ହାସଲ କରିସାରିଲେଣି ଏବଂ ତେଣୁ ସେମାନେ ମଧ୍ୟ କେଉଁ କେଉଁ ଲେଖକଙ୍କର ବହିଗୁଡ଼ିକୁ ପ୍ରକାଶ କରିବା ଉଚିତ, ସେ କଥାର କ୍ରମେ ସ୍ଵୟଂନିର୍ବାଚନ କରି ଜାଣିଲେଣି । ସାହିତ୍ୟିକ ମୂଲ୍ୟର ମାନଦଣ୍ଡରେ ବିଚାର କରି କୌଣସି ପୁସ୍ତକକୁ ପ୍ରକାଶ କଲେ ତାହା ପ୍ରକାଶକ ଲାଗି ସର୍ବଦା ଯେ ଲାଭଜନକ ହେବ, ସେକଥା ଆଦୌ କୁହାଯାଇ ପାରିବ ନାହିଁ । ତେଣୁ ମଣିଷ ଦେଖି ଅର୍ଥାତ୍ କାହାଦ୍ୱାରା ବ୍ୟବସାୟଗତ ଅନ୍ୟ କାର୍ଯ୍ୟଗୁଡ଼ାକ କେତେ ପରିମାଣରେ ହାସଲ ହୋଇପାରିବ, ଅନେକ ସମୟରେ ସେହି କଥାଟିକୁ ହିଁ ପୁସ୍ତକ-ପ୍ରକାଶର ନିର୍ଣ୍ଣୟ କଲାବେଳେ ସର୍ବାଗ୍ର ସ୍ଥାନ ଦିଆ ଯାଇଥାଏ । ଯେଉଁମାନେ ପାଠ୍ୟପୁସ୍ତକ ନିର୍ବାଚନ କରୁଥିବା କମିଟିମାନଙ୍କରେ ଆପଣାଲାଗି ସ୍ଥାନ କରିପାରିଛନ୍ତି, କଲେଜର ବିଭିନ୍ନ ବିଭାଗରେ ଯେଉଁମାନେ ମହୁଡ଼ମଣି ହୋଇଛନ୍ତି, ଯେଉଁମାନେ କଥାରେ ବିଶ୍ଵବିଦ୍ୟାଳୟରେ କଳାଧଳା ହେଉଛି ଏବଂ ନକଲି ଅସଲି ହୋଇ ପାରୁଛି, ସରକାରଙ୍କର ମଣୋହିଘରମାନଙ୍କରେ ଯେଉଁମାନେ ସର୍ବାଧ୍ୟକ୍ଷ ସିଂହହାକିମ ହୋଇ ବସିଛନ୍ତି, ପ୍ରକାଶକର ଲାଳଗୁଡ଼ାକ ନିୟମତଃ ସେହିମାନଙ୍କ ଆଡ଼କୁ ଆଗ ବୋହିଯାଇଛି, କଳସଗୁଡ଼ାକ ପ୍ରୟୋଜନତଃ ସେହିମାନଙ୍କ ମୁଣ୍ଡ ଉପରେ ଢଳା ହେଉଛି । ଓଡ଼ିଆ ସାହିତ୍ୟରେ ଯୁଗାନ୍ତକାରୀ ଆଲୋଡ଼ନ ଏବଂ କାରୁଣ୍ୟ ସୃଷ୍ଟିରେ ସେହିମାନଙ୍କର ବହିଗୁଡ଼ାକ ସୁଦୃଶ୍ୟବଯୁ ହୋଇ ବାହାରୁଛନ୍ତି, ଓଡ଼ିଶା ସାହିତ୍ୟର ମହାରଣ୍ୟକୁ ଘଞ୍ଚ କରି ରଖିଛନ୍ତି । ସେମାନେ ଯାହାକିଛି ଲେଖୁଛନ୍ତି, ଗୁଣ ଓ ମୂଲ୍ୟର ନିର୍ବିଶେଷରେ ସେଡାକ, ସବୁତକ ଛପାବହି ହୋଇ ବାହାରି ପଡ଼ୁଛନ୍ତି । ଓଡ଼ିଆ ସାହିତ୍ୟର ଭଣ୍ଡାର କ୍ରମ-ସମୃଦ୍ଧ ହେବାରେ ଲାଗିଛି ।

 

ଭାରତବର୍ଷରେ ସମ୍ଭବତଃ ଦୁଇଟି ରାଜ୍ୟ–କେରଳ ଓ ବଙ୍ଗଳାକୁ ଛାଡ଼ିଦେଲେ ଆଉ ସବୁଯାକ ରାଜ୍ୟରେ ଅଳ୍ପବହୁତ ଏହିପରି ଘଟିଥାଏ ।

 

ଓଡ଼ିଶା ରାଜ୍ୟରେ ଏହା ବିଶେଷ ଭାବରେ ହୁଏ, ଏହି ଅପରୀତିଟାରେ ହିଁ ସାହିତ୍ୟ କର୍ମ ଚଳେ । ଏହାଦ୍ୱାରା ଯେଉଁ ଲେଖକମାନେ ଲାଭବାନ୍ ହୁଅନ୍ତି, ସେମାନେ ଏହି ରୀତିଟାକୁ ନେଇ ଖୁସୀ ହୋଇ ରାହୁଥାନ୍ତି, ସତତ ଉତ୍ପାଦନଶୀଳ ହୋଇ ରହିଥାନ୍ତି, ଏବଂ ଯେଉଁମାନେ ଲାଭବାନ୍ ନ ହୁଅନ୍ତି, ଅର୍ଥାତ୍ ପ୍ରକାଶକଙ୍କର ଉପକାର କରି ସ୍ଵୟଂ ଉପକୃତ ହୋଇ ପାରନ୍ତି ନାହିଁ, ସେମାନେ ରୋଦନ କରନ୍ତି, ଈର୍ଷା କରନ୍ତି ଏବଂ ଓଡ଼ିଆ ସାହିତ୍ୟରେ ଘୋର ଦୁର୍ଗତି ଏବଂ ଦୁର୍ଦ୍ଦଶାରେ କୋଧ ପ୍ରକାଶ କରନ୍ତି । କେରଳ ରାଜ୍ୟରେ ଲେଖକମାନଙ୍କର ହିଁ ଗୋଟିଏ ସମବାୟ-ସଂଗଠନ ରହିଛି, ପ୍ରବୀଣ ଓ ନବୀନ କେତେ ଲେଖକ ସେଥିରେ ସଭ୍ୟ ହୋଇ ରହିଛନ୍ତି । ସେହି ସଂଗଠନ ଜରିଆରେ ସେମାନେ ଆପଣାର ପୁସ୍ତକମାନ ପ୍ରକାଶ କରନ୍ତି ଏବଂ ତେଣୁ ପୁସ୍ତକପ୍ରକାଶରେ ସେଠାରେ ଗୁଣାତ୍ମକ ଯୋଗ୍ୟତାର ଅଧିକ ବିଚାର ହୋଇଥାଏ । ଆମ ଓଡ଼ିଶାରେ ମଧ୍ୟ ଥରେ ଅଧେ ଏହିଭଳି ଏକ ସଂଗଠନ ଗଢ଼ିବା ସକାଶେ କିଞ୍ଚିତ୍ ଉତ୍ସାହ ଅବଶ୍ୟ ପ୍ରକାଶ ପାଇଥିଲା, ମାତ୍ର ସେଥିରୁ କାର୍ଯ୍ୟତଃ କିଛି ସମ୍ଭବ ହେବା ପୂର୍ବରୁ ତାହା ଫସର ଫାଟିଗଲା । ଆବଶ୍ୟକତାଦ୍ଵାରା ବାଧ୍ୟ ହୋଇ ଆଫ୍ରିକାର ସିଂହମାନେ ଏବେ କୁଆଡ଼େ ଆଉ ଏକାକୀ ନ ରହି ଯୂଥ ବାନ୍ଧିବାକୁ ଆରମ୍ଭ କଲେଣି । ମାତ୍ର ଓଡ଼ିଆ ସାହିତ୍ୟର କେଶରୀମାନେ ‘ଏକ ସ୍ତରତି ଦୁର୍ଗାଣି’ ବାକ୍ୟଟି ଉପରେ ଏବେ ମଧ୍ୟ ଅଟଳ ବିଶ୍ଵାସ ରଖିଛନ୍ତି । ଦିନେ ଏହି ଓଡ଼ିଶା ଗଜପତିମାନଙ୍କର ରାଜ୍ୟଥିଲା । ସେହି ଓଡ଼ିଶାର ଜୀବନ-ଜଙ୍ଗଲରେ ଆଜି ଆମେ ପ୍ରତ୍ୟେକେ ଗୋଟାଏ ଗୋଟାଏ ଗଜପତି ହୋଇ ବିଚରଣ କରିବାଲାଗି ସ୍ଵଧର୍ମ ବୋଲି ଆବୋରି ନେଇଛୁ । ଓଡ଼ିଶାର ଲେଖକମାନଙ୍କୁ ଏହି ରୀତିଟା ହୁଏତ ସବୁଠାରୁ ଅଧିକ ଜବର ଭାବରେ କାମୁଡ଼ି ଧରିଛି ।

 

ଓଡ଼ିଶାର ସାହିତ୍ୟ ହେଉଛି ଅତିରିକ୍ତ ପରିମାଣରେ ଏକ ଅଧ୍ୟାପକ ଅଧ୍ୟୁଷିତ ସାହିତ୍ୟ, ଏଇଟା ହେଉଛି ଓଡ଼ିଆ ସାହିତ୍ୟର ଆଉ ଏକ ସମସ୍ୟା । ବେଳେବେଳେ ଏଠି ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କଲାବେଳେ ମନେହୁଏ, ସତେ ଯେମିତି ଅଧ୍ୟାପନା ନଥିଲେ ଓଡ଼ିଶାରେ ସାହିତ୍ୟ ହିଁ ହୋଇ ପାରନ୍ତାନାହିଁ, ଆମର ଏକ କଲେଜଗୁଡ଼ାକ ନ ଥିଲେ ହୁଏତ ଆମ ସାହିତ୍ୟର କୌଣସି ଚର୍ଚ୍ଚା ହିଁ ହୋଇପାରନ୍ତା ନାହିଁ । ଆମ କଲେଜମାନଙ୍କରେ ଅନ୍ୟାନ୍ୟ ନାନା ବିଷୟ ସହିତ ଓଡ଼ିଶା ମଧ୍ୟ ଗୋଟିଏ ବିଷୟ ରୂପେ ପଢ଼ାଯାଏ । ଓଡ଼ିଆ କାବ୍ୟ, କବିତା ଉପନ୍ୟାସ ନାଟକ ଓ ଗଦ୍ୟପଦ୍ୟ ମିଶାଇ ଆହୁରି କେତେ କଣ ପଢ଼ାଯାଏ । ନିୟମ ଅନୁସାରେ ଏସବୁ ବିଷୟରେ ପରୀକ୍ଷା ଦେବାକୁ ପଡ଼େ ଓ ପରୀକ୍ଷାରେ ସଫଳ ହୋଇ ଅଗ୍ରସର ହେବାକୁ ପଡ଼େ । ଏହି ପରୀକ୍ଷାଗୁଡ଼ାକୁ ପିଲାଏ ଯେପରି ଅଳ୍ପ ଆୟସରେ ପାର ହୋଇ ବାହାରିଯାଇ ପାରିବେ, ସେଥିପାଇଁ ଆମ ଗୁଣବାନ୍ ଅଧ୍ୟାପକମାନେ ସେମାନଙ୍କୁ କେତେମନ୍ତେ ସାହାଯ୍ୟ କରିବାଲାଗି ଆଗଭର ହୋଇ ଆସନ୍ତି । ପିଲାମାନଙ୍କୁ ପାଠ ପଢ଼ାଇବା ଅପେକ୍ଷା ସେମାନଙ୍କୁ ପରୀକ୍ଷାରେ ପାସ୍ କରାଇବାରେ ହିଁ ହୁଏତ ସେମାନେ ଆପଣାର ସେବାକୁ ଅଧିକତର ଭାବରେ ନିୟୋଜିତ କରି ରଖିଥାନ୍ତି । ସେମାନେ ସାହିତ୍ୟ-ସହଚରମାନ ଲେଖନ୍ତି । ସ୍କୁଲର ସହଚରଦ୍ଵାରା ସାହିତ୍ୟର ଦୁର୍ଗମ ପଥକୁ ଅତିକ୍ରମ କରିବାର ବାଟ ବତାଇ ଦିଅନ୍ତି । ଆପଣାର ତଥା ପିଲାମାନଙ୍କର ଶ୍ରମକୁ ଯଥାସମ୍ଭବ ଅଧିକ ଲାଘବ କରି ପାରିବାଲାଗି ସେମାନେ ଅନେକ ସମୟରେ ନିଜେ ଲେଖିଥିବା ବହିଗୁଡ଼ାକୁ ମଧ୍ୟ ପିଲାଙ୍କ ପାଠ୍ୟପୁସ୍ତକ ରୂପେ ମଞ୍ଜୁର କରାଇ ନିଅନ୍ତି । ଓଡ଼ିଆ ସାହିତ୍ୟର ଯେତିକି ଅଂଶ ବା ଯେତିକି ଇଲାକାକୁ ସେମାନେ ନିଜେ ହଜମ କରିଥାନ୍ତି, ପିଲାମାନଙ୍କୁ କେବଳ ସେତିକି ପଢ଼ାଇ ଦିଅନ୍ତି । ଅମଡ଼ା ଓ ଅଦେଖା ଭିତରକୁ ଯିବାଲାଗି ସ୍ଵୟଂ ଡରୁଥାନ୍ତି ଏବଂ ପିଲାମାନଙ୍କୁ ମଧ୍ୟ ସେହି ଗଞ୍ଜଣାରୁ ମୁକ୍ତ ଓ ନିରାପଦ କରି ରଖନ୍ତି । ଓଡ଼ିଆ ସାହିତ୍ୟର କୌଣସି ପ୍ରକାର ଆଲୋଚନା କଲାବେଳେ ମଧ୍ୟ ଏହି ଅଧ୍ୟାପକମାନେ ସତେଅବା ସେଇ କଲେଜପିଲାଙ୍କ ସକାଶେ ସହଚରମାନ ଲେଖୁଥିବା ଭଳି ହିଁ କଳ୍ପନା କରୁଥାନ୍ତି । ଓଡ଼ିଶା ଯାକର ଅନୁରାଗୀ ପାଠକମାନଙ୍କୁ ସତେଅବା କେଉଁ ପରୀକ୍ଷାରେ ପାସ୍ କରାଇଦେବା ଲାଗି ପଣ କରି ବାହାରିଥାନ୍ତି । ଆମର ଅସଲ ଅନୁରାଗଗୁଡ଼ାକୁ ସେମାନେ ଭାଙ୍ଗି ଦେବାରେ ହିଁ ଅଧିକ ସାହାଯ୍ୟ କରନ୍ତି, ଆମ ଆଗ୍ରହକୁ ଅନେକ ତଳକୁ ଖସାଇ ଆଣନ୍ତି । ଆମକୁ ଆପଣାଲାଗି ଗୋଟିଏ ଲୋଚନର ଅନୁଶୀଳନ କରିବାର ଆବଶ୍ୟକତା ବିଷୟରେ ଏକାବେଳକେ ବିସ୍ମୃତ କରାଇ ରଖନ୍ତି । ଆପଣାର ଆଲୋଚନାଗୁଡ଼ାକର ଉଢ଼ୁଆଳରେ ରହି ଏମାନେ ଆପଣା ଆପଣା ଭିତରେ କେତେ କଜିଆ କରନ୍ତି, କେତେ ବାଦ ଲଗାନ୍ତି, କୌଣସି ଅନ୍ତର୍ଗତ ଅନୁରାଗର ପରିଚୟ ଦେବା ପୂର୍ବରୁ ପାରସ୍ପରିକ ଅସୂୟାଗୁଡ଼ାକର ହିଁ ପ୍ରଚାର କରିବାରେ ଲାଗିଥାନ୍ତି, ଆପଣା ସରକାରୀ ବିଭାଗ ବା ଆପଣା କଲେଜର ବ୍ୟକ୍ତିଗତ ବିବାଦଗୁଡ଼ାକୁ ପଦାରେ ପକାଇ ନିଜେ ହାସ୍ୟାସ୍ପଦ ହୁଅନ୍ତି; ଏବଂ ଫଳରେ ବିବାଦଗୁଡ଼ାକର ହିଁ ସଂକ୍ରମଣ ହୁଏ, ଗୋଟାଏ ତୁଠର ବାର୍ତ୍ତା ଚାରିଟା ତୁଠକୁ ସଂକ୍ରମିତ ହୋଇଯାଏ, ସାହିତ୍ୟର ସର୍ବବିଧ ଜିଜ୍ଞାସା ଲାଜରା ହୋଇ ଲୁଚି ପଳାଏ । ଆମ ଦେଶର ସନ୍ଧିତ୍ସାହୀନ ଶିକ୍ଷାପରି ସନ୍ଧିତ୍ସାହୀନ ସାହିତ୍ୟଟା ମଧ୍ୟ ବଳୀୟାନ୍ ହୋଇ ରହିଥାଏ ।

 

ଆମ ଅଧ୍ୟାପକମାନେ ଯେଉଁ କାରଖାନମାନଙ୍କରେ କାମ କରନ୍ତି, ଯେଉଁଠି କୌଣସି କଳର ପେଚଟାଏ କି କବ୍‌ଜାଟାଏ ହୋଇ ସେମାନେ ସ୍ଵଜୀବନରେ ଫୁଲନ୍ତି ଓ ଫଳନ୍ତି, ସେହି କାରଖାନା ବା କଳର ଅନ୍ତଃରୀତି ଓ ବହିଃରୀତିଗୁଡ଼ାକ ଯେ ସେମାନେ ଅର୍ଥାତ୍ ସେମାନଙ୍କର ଜୀବନ-ଦୃଷ୍ଟି; ତଥା ଜୀବନାକାଂକ୍ଷାକୁ ମଧ୍ୟ ଅଳ୍ପବହୁତ ଗ୍ରାସ ନିକରି ଛାଡ଼ି ଦେଉଥିବ, ସେକଥା କଦାପି କୁହାଯାଇ ପାରିବ ନାହିଁ । ସେହି କାରଖାନଟି ଭିତରେ ବଡ଼ ଚାକିରିଆ ଥାଆନ୍ତି, ସାନ ଚାକିରିଆ ବି ଥାଆନ୍ତି । ବଡ଼ ଚାକିରିଆମାନେ ସାନ ଚାକିରିଆମାନଙ୍କ ଉପରେ ଘୋଡ଼ା ଚଢ଼ନ୍ତି । ରିଡ଼ର୍‌ମାନେ ଖାଲି ଲେକ୍‍ଚରର୍‌ମାନଙ୍କ ଉପରେ ଘୋଡ଼ା ଚଢ଼ନ୍ତି ଏବଂ ସମସ୍ତେ ମିଶି ସ୍ନାନାର୍ଥୀ ହୋଇ ଆସିଥିବା ଛାତ୍ରମାନଙ୍କ ଉପରେ ଘୋଡ଼ା ଚଢ଼ନ୍ତି । ଉପର ସମ୍ବନ୍ଧରେ ବଡ଼ମାନେ ସାନମାନଙ୍କୁ ଅବୋଧ ପୁତ୍ରତୁଲ୍ୟ ବ୍ୟବହାର କରନ୍ତି, ସାନମାନେ ବଡ଼ମାନଙ୍କର ତୋଷାମଦ କରନ୍ତି, ମାତ୍ର ଭିତରେ ସମସ୍ତେ ସମସ୍ତଙ୍କ ଭୟ କରନ୍ତି, ସମସ୍ତେ ସମସ୍ତଙ୍କ ପ୍ରତି ଦ୍ଵେଷ ରଖିଥାନ୍ତି ଏବଂ ଏହିଭଳି ଏକ ପ୍ରୀତି ଘୃଣାର ସମାହାର ବା ambivalence ଭିତରେ ବିଭାଗ ଚାଲିଥାଏ, ଅଧ୍ୟାପନା ମଧ୍ୟ ଚାଲିଥାଏ । ଛାତ୍ରମାନେ ଗୋରୁପଲପରି ଅଡ଼ାହେବାରେ ଲାଗିଥାନ୍ତି । ଗୁରୁ-ପ୍ରସାଦ-ଲାଭର ନ୍ୟାୟରେ ସେମାନଙ୍କରେ ପରୀକ୍ଷାରୂପୀ ଭାଗ୍ୟର ନିରୂପଣ କରାଯାଏ । କେହି ସେମାନଙ୍କୁ ବିକଶିତ ହୋଇ ଆସୁଥିବା ମଣିଷ ପରି ଦେଖେ ନାହିଁ ଏବଂ ପ୍ରୟୋଜନର ତାଡ଼ନାରେ ପଡ଼ି ସ୍ଵୟଂ ସେମାନେ ମଧ୍ୟ ସେମାନଙ୍କ ଭିତରେ କେଉଁଠି କଢ଼ିଟିଏ ଫୁଟିବାଲାଗି ଅପେକ୍ଷାକରି ରହିଛି ବୋଲି ଅନୁଭବ କରିବାକୁ ସାହସ ବି କରିପାରନ୍ତି ନାହିଁ । ବଡ଼ ନୈବ୍ୟକ୍ତିକ ଓ ଲୋଚନହୀନ ଭାବରେ ପାଠର ବିତରଣ ହୁଏ । ଏହାଦ୍ୱାରା ଚାକିରି ମିଳେ, ଚାଲାଖି ବଢ଼େ, ଯୁଗଟାକୁ ଚିତାକଟି ଚମତ୍କାର ସଫଳତା ହାସଲ କରାଯାଏ ସତ, ମାତ୍ର ସାହିତ୍ୟ ଭରିଯାଏ, ଫୁଲବଗିଚା ପଡ଼ିଆ ହୋଇ ରହେ, ସାହିତ୍ୟକୁ ନେଇ ସାମନ୍ତଗିରି କରିବାଟା ପ୍ରାୟ ବଂଶାନୁଗତ ହୋଇଯାଏ । ସାହିତ୍ୟ ଆଉ କୌଣସି ନୂତନ ଗବାକ୍ଷ ଖୋଲିପରେ ନାହିଁ, ଏକ ଦାମ୍ଭିକ ତୁଚ୍ଛା ବିଳାସରେ ପରିଣତ ହୋଇ ରହେ-। ଆପଣା ଅନ୍ନଗତତା, ଅଳ୍ପାୟନେତା ଏବଂ ଅହଂକାମିତାର ଦାସମାନେ କେବେହେଲେ କିଛି ସୃଷ୍ଟି କରି ପାରନ୍ତି ନାହିଁ । ଆମର ଓଡ଼ିଆ ସାହିତ୍ୟରେ ବର୍ତ୍ତମାନ ଯେଉଁ ଦୁର୍ଗତିଟା ସାର ହୋଇ ରହିଛି, କ୍ରମେ ସେଇଟାହିଁ ଅଭ୍ୟାସରେ ପଡ଼ିଯାଏ ।

 

ସାହିତ୍ୟ ପଢ଼ିବା ଏବଂ ସାହିତ୍ୟ ପଢ଼ାଇବା ଆମ ଦେଶରେ ଯେଉଁଭଳି ଏକ ଶିକ୍ଷାପଦ୍ଧତିର ଅନ୍ତର୍ଗତ ହୋଇ ରହିଛି, ଶିକ୍ଷାବିତ୍‌ମାନଙ୍କ ମତରେ ସେଥିରୁ ଶିକ୍ଷା ଅପେକ୍ଷା ଅପଶିକ୍ଷଟା ହିଁ ଅଧିକ ପରିମାଣରେ ଉପୁଜିବାରେ ଲାଗିଛି । ଏହି ଶିକ୍ଷା ମଣିଷର ସୃଷ୍ଟିଶୀଳତାକୁ ମାରି ଦେଉଛି, ମଣିଷ ଭିତରେ ନୂତନ ପିପାସାକୁ ମାରି ଦେଉଛି, ଆପଣାକୁ ସତେଅବା ଏକ ଯାନ୍ତ୍ରିକ ବୋଲକରା ଜୀବ ବୋଲି ବିଚାର କରିବାଲାଗି ତାକୁ ନିୟତ ପ୍ରରୋଚନା ଦେବାରେ ଲାଗିଛି-। ସେହି ଅପଶିକ୍ଷାର ଧନ୍ଦାଟାକୁ ଯେଉଁମାନେ ପରିପୂର୍ଣ୍ଣ ସନ୍ତର୍ପଣରେ ଚାଲୁରଖିବାକୁ ହିଁ ଆପଣା ଜୀବନର ଧନ୍ଦା ବୋଲି ଗ୍ରହଣ କରିଛନ୍ତି, ସେମାନଙ୍କ ନିଜର ସୃଷ୍ଟିଧର୍ମୀ ଆକ୍ଵତଗୁଡ଼ାକ ମଧ୍ୟ କ୍ରମେ ଖତରା ହୋଇଯାଉଛି । ଏବଂ ଯେଉଁ ସାହିତ୍ୟରେ ଏହିମାନଙ୍କର ହିଁ ପ୍ରାଦୁର୍ଭାବଟା ଏକ ବ୍ୟାଧିପ୍ରମାଣେ ମାଡ଼ି ରହିଛି, ସେହି ସାହିତ୍ୟର ଅନେକ ସମ୍ଭାବନା ତଥା ଅନେକ ସାହସିକତାର ଦ୍ଵାର ତଦ୍ଦ୍ଵାରା କେବଳ ଅବରୁଦ୍ଧହିଁ ହୋଇ ରହିଛି । ତେଣିକାର ଅନେକ ବ୍ୟାଧି ଏଠି ସାହିତ୍ୟର ସ୍ଵଭାବ-ଧର୍ମଟିକୁ ମଧ୍ୟ ଗ୍ରାସ କରି ରହିଛି, ତେଣିକାର କେତେ ଟଣାଘୋଷରା, କେତେ ବାଦବିବାଦ ଏବଂ କେତେ ଅହଂକାର ତଥା ପରଶ୍ରୀକାତରତା ଏଠି ସାହିତ୍ୟ ମଧ୍ୟରେ ବି ଆସି ପଶିଯାଇଛି-। ଆମ ସାହିତ୍ୟରେ ତାହା ଅନେକ ପ୍ରକାର ଦୂରତା ସୃଷ୍ଟି କରିଛି, ଅନେକ ଜାତିଗତ ସ୍ପୃଶ୍ୟତାକୁ ପ୍ରଶୟ ଦେଇଛି । ସାହିତ୍ୟର କ୍ଷେତ୍ରରେ ଅନେକ ଆରୋହଣକୁ ଭଣ୍ଡୁର କରି ରଖିଛି-। ଆମ ସାହିତ୍ୟଗତ ଅନେକ ସମ୍ମିଳନକୁ ରସଶୁଷ୍କ ଓ ଅସ୍ପୃହାବର୍ଜିତ କରି ରଖିଛି । ଆପଣା କଲେଜରେ ଆପଣାର ପଦ ଅନୁସାରେ ସାହିତ୍ୟ ଭିତରେ ମଧ୍ୟ ଆପଣା ଲାଗି ତଦନୁରୂପ ଏକ ପଦ ଦାବି କରିବାକୁ ଯାଇ ଅଧ୍ୟାପକ ସାହିତ୍ୟ କ୍ଷେତ୍ରରେ ଅନେକ ଅରାଜକତାର କାରଣ ହେଉଛି, ଅନେକ ପ୍ରକାରର ଅନ୍ୟ ଆଗ୍ରହକୁ ସାହିତ୍ୟ ଭିତରକୁ ଡାକି ନେଇ ଆସୁଛି । ଆମ ଦେଶରେ ଜନ୍ମ ହୋଇଥିବା ଏପରି ଅନେକ ଡାକ୍ତର, ଇଞ୍ଜିନିୟର ତଥା ଅନ୍ୟାନ୍ୟ ବିଶେଷବିତ୍ ବ୍ୟକ୍ତିମାନେ ଅଛନ୍ତି, ଯେଉଁମାନେ କି ନାନା କାରଣରୁ ଦେଶ ଛାଡ଼ି ବାହାରକୁ ଚାଲି ଯାଇଛନ୍ତି । ଆପଣାର ପିଲାଦିନେ ଏମାନେ ଏଇଠି ମଣିଷ ହୋଇଥିଲେ, ସାନରୁ ବଡ଼ ହେବାପାଇଁ ଏମାନଙ୍କର ଆଖି ପ୍ରଥମେ ଏହି ଦେଶରେ ହିଁ ଫିଟିଥିଲା । ମାତ୍ର ବଡ଼ ହୋଇ ଏମାନେ ଆପଣାର ଭୂଇଁଟିକୁ ଛାଡ଼ି ଅନ୍ୟ ଭୂମି ଲୋଡ଼ିଲେ । ଭାରତ ଛାଡ଼ି ଆମେରିକା ଗଲେ, ବିଲାତ ଗଲେ, କାନାଡ଼ା ଗଲେ ବା ଜର୍ମାନୀ ଗଲେ-। ସେଇଠି ଆହୁରି ବଡ଼ହେଲେ, ବଡ଼ ଚାକିରି କରି ବେଶୀ ପଇସା ପାଇଲେ, କିଛି ନଥିବା ବ କିଛି ସମ୍ଭବ ହେଉନଥିବା ଏହି ଦେଶଟାକୁ ଛାଡ଼ି ସେସବୁଦେଶକୁ ଚାଲି ଯାଇଥିବାରୁ ସେମାନେ ଆପଣାର ଭାଗ୍ୟକୁ ଧନ୍ୟବାଦ ଦେଲେ । ଓଡ଼ିଶାରୁ ମଧ୍ୟ ଏହିଭଳି ଅନେକ କୁଶଳୀ ବ୍ୟକ୍ତି ବିଲାତ ଓ ଆମେରିକା ଯାଇଛନ୍ତି । ସେଠାରେ ଉଚ୍ଚତର ଶିକ୍ଷା ଅର୍ଜନ କରିବାକୁ ଯାଇ ସିଆଡେ ରହିଯାଇଛନ୍ତି । ଏଠି କିଛି ହୋଇପାରିବ ନାହିଁ ବୋଲି ଜାଣି ଆପଣାକୁ ଗୋଟାସୁଦ୍ଧା ସିଆଡ଼ର ଦୀକ୍ଷାରେ ଦୀକ୍ଷିତ କରାଇ ନେଇଛନ୍ତି । ଏମାନେ ଯେତେବେଳେ ମଝିରେ ମଝିରେ ଓଡ଼ିଶା ଆସନ୍ତି, କିଛିଦିନ ସକାଶେ ଘର ସଙ୍ଖୋଳି ଆସନ୍ତି, ସେତେବେଳେ ଏଠି ଏମାନଙ୍କର କଥା ଖବରକାଗଜରେ ବାହାରେ । ଏମାନଙ୍କର ଫଟୋ ବାହାରେ । ଏମାନଙ୍କୁ ଓଡ଼ିଶାର ଗୌରବ ବୋଲି ବର୍ଣ୍ଣନା କରାଯାଏ, ଏମାନେ ଯାହା କରିଛନ୍ତି ତାହାକୁ ଜଣେ ଓଡ଼ିଆର କୃତିତ୍ଵ ବୋଲି କହି ଗର୍ବ ଅନୁଭବ କରାଯାଏ । ଏମାନେ କାହାର ପୁଅ, କାହାର ନାତି ବ କାହାର ଜାମାତା ବୋଲି ମଧ୍ୟ ଲେଖି ଦିଆ ଯାଇଥାଏ । ପଳାତକକୁ ତଥାପି ଆପଣାର ଗୌରବ ବୋଲି କହିବାର ଏହି ରୀତିଟିକୁ ଆମେ ଆମର ଏକ ସମ୍ପୂର୍ଣ୍ଣ ସ୍ଵକୀୟ ଏବଂ ଅନନ୍ୟ ରୀତି ବୋଲି କହିବା । ଓଡ଼ିଶାର ସାମ୍ପ୍ରତିକ ସାହିତ୍ୟରେ ମଧ୍ୟ ଠିକ୍ ସେହିପରି ଏକ ପଳତାକତା ବା truancy କ୍ରମେ ପ୍ରବଳ ହୋଇ ଉଠିବାକୁ ଆରମ୍ଭ କରୁଛି, ଯାହାକୁ କି ଆମେ ବେଶ୍ ଗୋଟିଏ ସାମସ୍ୟା ବୋଲି କହିପାରିବା ।

 

ଆଧୁନିକତା କହିଲେ ମୂଳତଃ କୌଣସିପ୍ରକାର ଆଧୁନିକ ଜୀବନ ଦୃଷ୍ଟି ଅର୍ଜନ କରିବାକୁ ଅବଶ୍ୟକ ବୋଲି ନସମଝି ଯେଉଁମାନେ ଖାଲି ଅନୁକରଣ ଏବଂ ଅନୁମଣ୍ଡନଦ୍ଵାରା ଆପଣାକୁ ଆଧୁନିକ କରିବାର ଫନ୍ଦି ଭିତରେ ପଡ଼ିଯାଆନ୍ତି, ସେମାନେ ଯେକୌଣସି ଭାଷା, ଭୂମି ଏବଂ ସାହିତ୍ୟ ଲାଗି ଅନେକ ସମୟରେ ଏକ ସମସ୍ୟା ହୋଇ ଠିଆ ହୁଅନ୍ତି । ସେମାନେ ବସ୍ତୁତଃ ଆଧୁନିକ ହୋଇ ପାରନ୍ତି ନାହିଁ କିମ୍ବା ସାଂପ୍ରତିକ ବି ହୋଇ ପାରନ୍ତି ନାହିଁ । କାରଣ ଯେଉଁ ଭୂମି ଊପରେ ଠିଆ ହୋଇ ସେମାନେ ସାହିତ୍ୟ କରନ୍ତି, ସେହି ଭୂମିରେ ସାଂପ୍ରତିକ ସ୍ଥିତିଟି ସହିତ ସେମାନଙ୍କର ପ୍ରାୟ କୌଣସି ଚେର ଲାଗି ନ ଥାଏ । କୌଣସି ପ୍ରକାର ଆକ୍ତରିକତା ଅର୍ଜନ କରିବାର ଉଦ୍ୟମ କରିବା ପୂର୍ବରୁ ଏମାନେ ଆକ୍ତର୍ଜାତିକ ହେବାର ବିଡ଼ମ୍ବନା ଭିତରେ ପଡ଼ିଯାଇଥାନ୍ତି । ଅନ୍ଧଦେଶରେ ଭଳି ଭଳି ବିଲାତି ଦର୍ପଣ ବିକି ବାହାରନ୍ତି, ଅର୍ଥାତ୍ ଏଠି ଆମ ସମସ୍ତଙ୍କୁ ଅନ୍ଧ କରି ରଖିଥାନ୍ତି । ସେମାନେ ସିଆଡ଼ୁ ଶୈଳୀ ଆଣନ୍ତି, ସିଆଡ଼ୁ ଭାଷା ଆଣନ୍ତି, ସିଆଡ଼ର ଛନ୍ଦ, ଜମକ ଓ ଭାବର ତିଅଣ ମାଗିଆଣି କେତେ ନୂଆ କବିତା, ନୂଆ ଗପ ଓ ନୂଆ ନାଟକର ଅବତାରଣା କରନ୍ତି । ସିଆଡ଼େ ଯାହାସବୁ ହୋଇଛି ବା ହେଉଛି, ଆମର ଏଠାକୁ ମଧ୍ୟ ସେଗୁଡ଼ାକୁ ବୋହିଅଣି ଏଠାରେ ଅବସ୍ଥାପିତ କରାଇ ପାରୁଛନ୍ତି ବୋଲି ସେମାନେ ଭାରି ପୁଲକ ଅନୁଭବ କରନ୍ତି, ସେଇଟାକୁ ସେମାନେ ଆପଣାର ସବୁଠାରୁ ବଡ଼ ଅଭିକ୍ରମ ବୋଲି ଧରି ନିଅନ୍ତି । ଗହଣା ଓ ଭରଣାଗୁଡ଼ାକ ସହିତ ଅନେକ ସମୟରେ ବୋହୂ ମଧ୍ୟ ସିଆଡ଼ୁ ପସନ୍ଦ ହୋଇ ଆସିଥାଏ, ଅର୍ଥାତ୍ ସାହିତ୍ୟର ଆଙ୍ଗିକ ସହିତ ଆତ୍ମିକ ଅର୍ଥାତ୍ ସର୍ବମୂଳ ବକ୍ତବ୍ୟଟି ମଧ୍ୟ ସିଆଡ଼ୁ ଆସିଯାଏ । ବିଲାତ ଓ ଆମେରିକାର ଅବକ୍ଷୟ, ଅନାବଶ୍ୟକ ଆହୁରି ଅନେକ କ୍ଷୟ ଏବଂ କ୍ଷୟବାଦ ତଥା ଆହୁରି କେତେ କେତେ ବାଦ ଓ ବିସମ୍ବାଦକୁ ସେମାନେ ଏଠି ଆମ ସାହିତ୍ୟଟା ଉପରେ ଆଣି ଲଦି ଦିଅନ୍ତି । ଆମର ଏଠି ଚହଳ ପକାଇ ଦିଅନ୍ତି । ଏହି ଚହଳଟାକୁ ହିଁ ପରମସତ୍ୟ ବୋଲି ଗ୍ରହଣ କରି ନ ହେଲେ ବିଲାତ ବା ଆମେରିକାର ସେର ମାଣ ଅନୁସାରେ ଆମକୁ ସେହି କଦାପି ଆଧୁନିକ ବୋଲି କହିବ ନାହିଁ ବୋଲି ସେମାନେ କେତେ ଉତ୍ସାହରେ କହିବାରେ ଲାଗିଥାନ୍ତି । ଏଠି ଯେ ପବପବ କରି ଆପଣାର ଭୂଇଁଟିକୁ ତିଆରି କରିବାର ଏକ ଆହ୍ଵାନ ରହିଛି, ଆଗ ଆପଣାର ଘରଟିକୁ ତିଆରି କରି ସେହି ଘରର ଝରକାବାଟେ ହିଁ ବାହାରର ସବୁ ପବନକୁ ଭିତରକୁ ଆମନ୍ତ୍ରଣ କରାଯାଇ ପାରିବାର ଯେ ଏକ ସୁସ୍ଥ ଓ ସ୍ଵାଭାବିକ ରୀତି ରହିଛି, ଏ କଥାଟିକୁ ସେମାନେ ମୋଟେ ଶୁଣିବାକୁ ଚାହାଁନ୍ତି ନାହିଁ, ଏମାନେ ଏହି ଭୂମିରୁ ପଳାଇଯାଇ ତଥାପି ଏହି ଭୂମିର ଗୌରବ ହୋଇ ରହିବାର ଦାବି କରନ୍ତି, ହିରୋ ହେବାର ଉଚ୍ଚ ଆଶା ଧରି ବସିଥାନ୍ତି । ଆପଣା ଆପଣା ଭିତରେ ସଭା ମଣ୍ଡାଇ ସେମାନେ ଆପଣା ଆପଣାର ପ୍ରଶସ୍ତି ଗାନ କରନ୍ତି, ପରସ୍ପରର ପ୍ରଚାରଧର୍ମୀ ଆଲୋଚନାମାନ ଖବରକାଗଜକୁ ଲେଖି ପଠାନ୍ତି ଏବଂ ଓଡ଼ିଆ ସାହିତ୍ୟରେ ପୁରୁଣା ଆଉ ମସିଆ ଅନେକ ପରମ୍ପରାକୁ ଭାଙ୍ଗି ତାହାକୁ ଏକ ନୂତନ ମୋଡ଼ ଏବଂ ଏକାବେଳକେ ଏକ ନୂତନ ଭାଙ୍ଗ ଦେଇ ଗୋଟାସୁଦ୍ଧା କୃତକୃତ୍ୟ କରିଦେଲେ ବୋଲି ଦମ୍ଭୋକ୍ତିମାନ କରୁଥାନ୍ତି । ଶୈଳୀ, ଶବ୍ଦ ବସାଣର କୌଶଳ (ଯାହାକୁ ଅନେକ ସମୟରେ ଚିତ୍ରକଳ୍ପର ନୂତନ ପରୀକ୍ଷା ବୋଲି ଦାବି କରାଯାଇଥାଏ) ଏବଂ ଦୃଷ୍ଟି ବର୍ଜିତ କେତେଟା ପ୍ରୟୋଗ ବିଷୟରେ ଏହିପରି ଦମ୍ଭୋକ୍ତିକୁ ହିଁ ସେମାନେ ସାହିତ୍ୟରେ ନୂତନ ସମୀକ୍ଷା ବୋଲି ପ୍ରତ୍ୟୟ ଦେବାକୁ ଚେଷ୍ଟା କରୁଥାନ୍ତି ।

 

ଆପଣାର ଲେଖାଗୁଡ଼ାକୁ ଯେତେଶୀଘ୍ର ସମ୍ଭବ ଇଂରାଜୀରେ ଉତୁରାଇ ଦେବାଲାଗି ଏମାନେ ସତତ ଉଦ୍‌ବ୍ୟଗ୍ର ହୋଇ ରହିଥାନ୍ତି । ଓଡ଼ିଶାରେ କେହି ସେସବୁକୁ ପଢ଼ିଲେ ବା ସମଝିଲେ କି ନାହିଁ, ସେବିଷୟରେ କୌଣସି ଖବର ନରଖି ସେମାନେ ଆଗ ଆପଣାକୁ ଇଂରାଜୀ ବଜାରରେ ଚାଲୁ କରିଦେବାକୁ ଏବଂ ମୁକ୍ତି ପାଇଯିବାକୁ ହିଁ ଜୀବନର ଏକ ଖାସ୍ ସାର୍ଥକତା ବୋଲି ଧରି ନେଇଥାନ୍ତି ଏବଂ ସେହି ଇଂରାଜୀ ବଜାରରୁ ପ୍ରଖ୍ୟାତି ଲାଭ କରିପାରିଲେ ଏଠାରେ ସମସ୍ତେ ସେମାନଙ୍କୁ ଅଲବତ୍ ସ୍ଵୀକୃତି ଦେବେ ଓ ଓଡ଼ିଆ ସାହିତ୍ୟରେ ଗୌରବ ବୋଲି କହିବେ ବୋଲି ଆଣ୍ଟ କରି ବସିଥାନ୍ତି । ଇଂରେଜ ଶାସନ ଅମଳରେ ଇଂରାଜୀ ଭାଷାକୁ ନେଇ ସୃଷ୍ଟି କରା ଯାଇଥିବା ଅନେକ ଅନ୍ଧବିଶ୍ଵାସ ଓ ଅରସିକ ମୋହରୁ ଫାଇଦା ଉଠାଇ ଏମାନେ ଏଭଳି କଳ୍ପନା କରିଥାନ୍ତି । ଆପଣାର ଗୌରବଲାଭକୁ ଦ୍ରୂତତର କରିବାଲାଗି ଏମାନେ ଅନେକ ସମୟରେ ସିଧା ଇଂରାଜୀରେ ମଧ୍ୟ ଲେଖନ୍ତି । ଏଠି ଘରେ କାହା ଆଗରେ ଚିହ୍ନା ଦେବା ଆଗରୁ ଆପଣାର ଫଟୋଟିକୁ ସିଧା ବିଦେଶୀ ଚଉପାଢ଼ିକୁ ପଠାଇ ଦିଅନ୍ତି । ଓଡ଼ିଶା ବା ଭାରତ ବାହାରେ ଏବଂ ବିଶେଷତଃ ବିଲାତରେ ବା ଆମେରିକାରେ କିଏ ଆଗ ଏକ ବିଦେଶୀ ଭାଷାରେ ସାହିତ୍ୟ ଲେଖେ ଓ ସେହି ବିଦେଶରୁ ମୂଲହୋଇ ଘରକୁ ଆସେ ଓ ଘରର ଗୌରବ ବଢ଼ାଏ, ସାହିତ୍ୟ-ଜଗତର ହିସାବ ରଖୁଥିବା ଗଣକମାନେ ଆମକୁ ହୁଏତ ସେ କଥାଟିର ବି ହିସାବ ଦେଇ ପାରିବେ । ମାତ୍ର ଏପରି ଏକ ପ୍ରବୃତ୍ତିଦ୍ଵାରା ଆମର ଏହି ସାନ ଘରଟିରେ ଅନେକ ଅସ୍ଵାଭାବିକତାକୁ ପ୍ରଶ୍ରୟ ଦିଆଯାଏ । ଅନେକ ଅସୁସ୍ଥ ଉତ୍ସାହକୁ ସାହିତ୍ୟିକ ଉତ୍ସାହ ବୋଲି ପ୍ରଚାର କରିଦିଆଯାଏ । ଏହି ଘର ଭିତରେ ବି ଘର–ଉଦାସ ହୋଇ ରହିବାର ଅପସଉକଟାକୁ ଅନେକ ଉଦ୍ଧତ ହେବାର ଅବକାଶ ମିଳେ । ଏଇଟାକୁ ହିଁ ଆଧୁନିକତା ବୋଲି ପ୍ରଘଟ କରି ଦିଆଯାଏ । ଅସଲ ଆଧୁନିକତା ତଥା ଅସଲ ଆନ୍ତରିକତାର ବେକ ମୋଡ଼ି ଦିଆଯାଏ । ସାହିତ୍ୟ ମଧ୍ୟରେ ନାନାପ୍ରକାର ବିଚ୍ଛିନ୍ନତା ଆସି ପହଞ୍ଚେ, ତେଣୁ ସାହିତ୍ୟିକ ନିବେଦନର କ୍ଷେତ୍ରରେ ଅନେକ ପ୍ରମାଦ ବି ଆସି ପହଞ୍ଚେ, ଅନାବଶ୍ୟକ ଭାବରେ ଅନେକ ଅବଜ୍ଞା, ଅନେକ ଅସୂୟା ଏବଂ ଅନେକ ଦୂରତା ଆସି ପହଞ୍ଚେ, ଅନେକ ଅନ୍ୟପ୍ରେରଣା ଆସି ସାହିତ୍ୟ’ର ଅସଲ ପ୍ରେରଣାଗୁଡ଼ାକୁ ମୁଣ୍ଡା ଓ ଦନ୍ଥଡ଼ା କରିପକାଏ ।

 

ତେଣୁ ସମଗ୍ରଭାବରେ ବିଚାର କଲେ ଆମ ସାହିତ୍ୟର ସର୍ବମୂଳ ସମସ୍ୟାଟି ହେଉଛି ଚେତନାର ଏକ ସମସ୍ୟା, ଚେତନାର ସ୍ତରଟିକୁ ସମ୍ପ୍ରସାରିତ କରିବାର ସମସ୍ୟା । ଏପର୍ଯ୍ୟନ୍ତ ଚେତନାର ଯେଉଁ ସ୍ତରରେ ରହି ଆମେ ସାହିତ୍ୟର ଯାବତୀୟ କାରବାର କରି ଆସିଛୁ, ସେହି ସ୍ତରଟିରେ ଏକ ପରିବର୍ତ୍ତନ, ଅର୍ଥାତ୍ ଏକ ଉତ୍‌କ୍ରମଣ ଘଟାଇବାର ସମସ୍ୟା । ନାନା କାରଣରୁ ଅଥବା ନାନା ପ୍ରଲୋଭନରେ ପଡ଼ି ଆମେ ଆପଣାକୁ ସେହି ଉତ୍‌କ୍ରମଣ ବା ପରିବର୍ତ୍ତନ ଲାଗି ପ୍ରସ୍ତୁତ କରି ପାରୁନାହୁଁ ବୋଲି ସତେଅବା ଆପଣାର ସେହି ଅସଲ ଲଜ୍ଜା ଓ ଗ୍ଳାନିଟିକୁ ଭୁଲି ରହିବା ସକାଶେ ଆମେ ଅସହିଷ୍ଣୁ ହେଉଛୁ, ପୁରସ୍କାର ପଛରେ ଆତୁର ହୋଇ ଧାଉଁଛୁ, କ୍ଷମତାସ୍ଥମାନଙ୍କର ଗୋଡ଼ାଣିଆ ହୋଇ ଇଜ୍ଜତ ହରାଉଛୁ, ମିଛ ଆଧୁନିକତାର ବାଣ ମାରି ଓ ବାଣ ଦେଖାଇ ମିଛ ନିଶଦାଢ଼ି ଲଗାଇ ବାହାରୁଛୁ । ଆପଣା ଜୀବନଟାକୁ ଓ ଆପଣାର ଆକୁତିଗୁଡ଼ାକୁ ଆଗେ ଯେଉଁ ସ୍ତରରେ ବାଡ଼ ଦେଇ ରଖିବାରେ ଅଭ୍ୟସ୍ତ ରହି ଆସିଛୁ, ସେହି ସ୍ତରରେ ଏକ ଉତ୍ତରୋତ୍ତର ଉତ୍ତୋଳନ ଲାଗି ଆମର ଜୀବନରେ ଏକ ସତତ ପ୍ରୟାସ ଲାଗି ରହିଥିଲେ ଆମେ ଆପଣାଜୀବନରେ ଓ ଆମ ସାହିତ୍ୟରେ ଆମର ବାଟକୁ ଘୁଂଘାଳି ରଖିଥିବା ଅନେକ ସମସ୍ୟାକୁ ହୁଏତ କାଟି ଦେଇ ବାହାରିଯାଇ ପାରନ୍ତେ । ଆମର ସମ୍ବନ୍ଧ, ସାହଚର୍ଯ୍ୟ ଏବଂ ସହାନୁଭୂତିର କ୍ଷେତ୍ରରେ ଆମେ ବର୍ତ୍ତମାନ ଆପଣାର ଜୀବନକୁ ଯେତିକି ବଡ଼ ଆୟତନଟିଏ ବୋଲି ସଂସ୍କାରପ୍ରବୃତ୍ତ ଭାବରେ ଗ୍ରହଣ କରି ନେଇଛୁ, ତାହାକୁ ଉତ୍ତରୋତ୍ତର ଅଧିକ ବ୍ୟାପ୍ତି ଓ ଅଧିକ ପ୍ରସାରଣ ଦେବାଲାଗି ଆମଭିତରେ ଏକ ନିତ୍ୟପ୍ରୟାସ ଜାରି ରହିଥିଲେ ଆମେ ଆମର ଅନେକ ସମସ୍ୟାକୁ ଆକ୍ରମଣ କରିଯାଇ ପାରନ୍ତେ, ଆହୁରି ଅନେକ ସମ୍ଭାବନା ଲାଗି ବାଟ ଫିଟାଇ ଦେଇ ପାରନ୍ତେ, ବୃହତ୍ତର ଜୀବନ ଏବଂ ବୃହତ୍ତର ମନୁଷ୍ୟ–ସଂସାର ସହିତ ଆହୁରି କେତେକେତେ ଅନୁରାଗର ସେତୁ ବାନ୍ଧି ପାରିବାଲାଗି ଅଧିକ ସାହସୀ ହୋଇ ପାରନ୍ତେ । ଆମର ଜୀବନ-ସୃଜନ ଓ ସାହିତ୍ୟ-ସର୍ଜନା ମଧ୍ୟରେ ବର୍ତ୍ତମାନ ବଳବତ୍ତର ରହିଥିବା ଦୂରତାଗୁଡ଼ିକ ସେତେବେଳେ ଅନେକ କମ୍ ହୋଇ ଯାଆନ୍ତା । ମଣିଷଗୁଡ଼ାକ ମୋଟେ ଗନ୍ଧାନ୍ତେ ନାହିଁ, ଦେଶଟାକୁ କେବଳ କେତକ ଭାଗ୍ୟବନ୍ତଙ୍କ ସକାଶେ ଏକ ହୃଦୟଶୂନ୍ୟ ବିଳାସଘର କରି ରଖିବାକୁ ସେତେବେଳେ ଆଉ କୌଣସି ଖଳ ଆଗ୍ରହ ଆମର ବିବେକଗୁଡ଼ାକୁ କଦାପି ଗ୍ରାସ କରି ରହନ୍ତା ନାହିଁ । ଏସବୁ ହୁଅନ୍ତା, ଯଦି ଆମେ ଅନ୍ତର୍ଲୋକନକୁ ହିଁ ସର୍ବୋଚ୍ଚ ଲୋକନ ବୋଲି ଗ୍ରହଣ କରି ନେଇ ପାରନ୍ତେ, ସମର୍ପଣ–ବୁଦ୍ଧିକୁହିଁ ସର୍ବୋଚ୍ଚ ବୁଦ୍ଧି ବୋଲି ଆଦରି ପାରନ୍ତେ ।

 

ମଣିଷମାନଙ୍କର କାହାରି ଭିତରେ କୌଣସି ତୃଷା ନାହିଁ, ସମସ୍ତେ କେବଳ ପିଇକରି ମତ୍ତ ହୋଇ ବସିଛନ୍ତି’–ମିଶର-ସଭ୍ୟତାର ଅତି ପ୍ରାଚୀନ କାଳର ଏକ ପୋଥିରେ ଏହିପରି ଗୋଟିଏ ଉକ୍ତି ଲିପିବଦ୍ଧ ହୋଇ ରହିଛି । ଆଜି ମଧ୍ୟ ସତେଅବା ଠିକ୍ ସେହିପରି ପିଇକରି ମତ୍ତ ହୋଇ ବସିଛୁ, କେତେ କଅଣ ପିଇ କେତେ ପ୍ରକାରେ ଉନ୍ମତ୍ତ ହୋଇ ବସିଛୁ । କିଏ କ୍ଷମତା ପିଇଛି, କିଏ ପଇସା ପିଇଛି, କିଏ ସାନ ଥାଇ ତଥାପି ବଡ଼ ହୋଇ ଦିଶିବାର ଜିଦ୍‌ଗୁଡ଼ାକୁ ପିଇ ଦୁଃଶାସନ ହୋଇ ବାହାରିଛି, କିଏ ଅଧିକ ବୟସର, ଅଧିକ ଖ୍ୟାତିର କିମ୍ବା ଅଧିକ ସ୍ଵୀକୃତିର କେତେ କେତେ ମଦ ପିଇ ଆମ ଦାଣ୍ଡରେ କେତେ ପ୍ରକାର ମାତଲାମି କରୁଛି । କିଏ ରାଜନୀତିର ମଦ ପିଇଛି, ଭୋଟ ଲଢ଼ୁଛି ଓ ଭୋଟ ଜିତୁଛି ଏବଂ ଆମ ଘରଟାକୁ କେତେ ପ୍ରକାର ଦୁର୍ଗନ୍ଧରେ ବଡ଼ ଉତ୍କଟ କରି ରଖିଛି । କିଏ ଜାତୀୟତାର ମଦ ପିଇଛି, ଜଗନ୍ନାଥ ମହାପ୍ରଭୁଙ୍କୁ ମଦଠେକି ପରି ବ୍ୟବହାର କରୁଛି, ଜାତିଗତ ଓ ପ୍ରାନ୍ତଗତ ବିଚ୍ଛିନ୍ନତାକୁ ଏକ ଧର୍ମର ପୁଟ ଦେଇ ସେ ଆମ ସମସ୍ତଙ୍କର ଚେତନାକୁ ଏଇଠି ଏତିକି ଭିତରେ କିଳି ରଖିବା ଲାଗି ଭାରି ପ୍ରୋତ୍ସାହନ ଦେଉଛି । ଆମ ଆରୋହଣର ବାଟଟାକୁ ବଣା କରି ରଖିଛି । କିନ୍ତୁ ତୃଷା କାହିଁ ? ଆହୁରି ଅଧିକ ଅନ୍ତରଙ୍ଗ ହୋଇ ପାରିବାର ତୃଷା କାହିଁ, ଆହୁରି ଅଧିକ ଡୋର ଲଗାଇ ପାରିବାର ତୃଷା କାହିଁ ? ଆହୁରି ଅଧିକ ସଖ୍ୟ ଓ ସମ୍ମିଳନର ବା ତୃଷା କାହିଁ ? ଅତ୍ୟନ୍ତ ବିଚାର-ଶୂନ୍ୟ ଭାବରେ ଆମେ ସତ୍ୟ ବୋଲି ମାନି ନେଇଥିବା ଏହି ବିଜ୍ଞାପନଗୁଡ଼ାକୁ ସତେଅବା ଆମର ସକଳ ତୃଷାକୁ ଦାବି କରି ରଖିଛି । ଆମର ସାହିତ୍ୟ ଆମକୁ ପୁରସ୍କାର ନଦେଉ ପଛକେ, ଆମ ଭିତରେ ଏହି ତୃଷାଗୁଡ଼ାକୁ ହିଁ ସଂଜୀବିତ କରି ରଖିଥିଲା । ଚେତନାର ଅଭିବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ଆମ ଆତ୍ମୀୟତାର ଆୟତନଗୁଡ଼ାକରେ ମଧ୍ୟ ଏକ ଅଭିବୃଦ୍ଧି ଘଟିଥାଏ, ଆମ ଜୀବନରେ ମଧ୍ୟ ଏକ ଉତ୍ତୋଳନ ବା ରୂପାନ୍ତର ଘଟିଥାଏ । ଯାହା ଆଜି ଆମଲାଗି ଆଦର୍ଶ ହୋଇ ରହିଛି, ସେସବୁ କ୍ରମେ ଜୀବନର ଗୋଟିଏ ଗୋଟିଏ ଉପଲବ୍‌ଧ ସତ୍ୟରୂପେ ଅନୁଭୂତ ହୋଇ ଆସୁଥାଏ । ଚେତନାର ଏହି ଅଭିବୃଦ୍ଧି ହିଁ ଆମ ସାହିତ୍ୟର ସର୍ବପ୍ରଧାନ କଷଟି ହୋଇ ରହୁ, ଆତ୍ମୀୟତାର ସଂପ୍ରସାରଣ ହିଁ କଷଟି ହୋଇ ରହୁ । ଏପରି ଦୃଷ୍ଟିରୁ ସାହିତ୍ୟକୁ ମଧ୍ୟ ଆମେ ଏକ ସାଧନା ବୋଲି କହି ପାରିବା । ସାହିତ୍ୟ ହେଉଛି ଚେତନାକୁ ଉତ୍ତୋଳିତ କରିନେବାର ସାଧନା । ଶ୍ରୀ ଅରବିନ୍ଦଙ୍କର ଭାଷାରେ କହିଲେ, ଏହା ହେଉଛି ଏକ ମନ୍ତ୍ରର ସାଧନା । ମନ୍ତ୍ରକୁ ସିଦ୍ଧ କରିବାକୁ ହୁଏ, ମନ୍ତ୍ରକୁ ଦେଖିପାରିବାକୁ ହୁଏ, ଆମର ଆକୁତିମୟ ଏହି ଜୀବନର ଏକ ପ୍ରେରକରେ ପରିଣତ କରିଦେବାକୁ ହୁଏ । ସେତେବେଳେ ସାହିତ୍ୟର ଡେଣା ଧରି ଜୀବନରୁ ଖସି ପଳାଇବା ଲାଗି ଆଉ କୌଣସି ଆବଶ୍ୟକତା ରହେ ନାହିଁ । ପଳାୟନପରତାର ଫିସାଦଗୁଡ଼ାକୁ ଆପଣାଛାଏଁ ତଳକୁ ଖସିପଡ଼େ ।

 

ଓଡ଼ିଶାରେ ସ୍ଵାଧୀନତାକାଂକ୍ଷାର ପ୍ରଥମ ପ୍ରଣୋତ୍ସାହର ସଞ୍ଚାର କରିଥିବା ଉତ୍କଳର ମଣି ଗୋପବନ୍ଧୁ ଦାସ ସେତେବେଳେ ‘ଆଧ୍ୟାତ୍ମିକ ଭାବେ ଲାଗିଛି ଲଢ଼ାଇ, ଭାଙ୍ଗିବାକୁ ପଶୁବଳର ବଡ଼ାଇ’ ବୋଲି ଗାଇଥିଲେ । ସେତେବେଳେ ଭାରତବର୍ଷରେ ତାହା ହିଁ ସଂଗ୍ରାମର ସରବମୂଳ ଉତ୍‌ପ୍ରେରକ ହୋଇ ରହିଥିଲା । ବର୍ତ୍ତମାନ ସତେଅବା ଠିକ୍ ଓଲଟା ସଂଗ୍ରାମଟା ହିଁ ଚାଲିଛି, ସତେଅବା ଓଲଟା ପବନଟା ହିଁ ବୋହିବାରେ ଲାଗିଛି । ବର୍ତ୍ତମାନ ଆଧ୍ୟାତ୍ମିକ ଭାବରେ ବଡ଼ାଇଟାକୁ ଭାଙ୍ଗି ସାବାଡ଼ କରି ଦେବାପାଇଁ ସତେଅବା ପଶୁବଳରେ ହିଁ ଲଢ଼ାଇ ଚାଲିଛି, ମାଲଗୋଦାମଠାରୁ ମାର୍କଣ୍ଡେଶ୍ଵରଙ୍କ ପର୍ଯ୍ୟନ୍ତ ସବୁଠାରେ ସତେଅବା ସେହି ଲଢ଼ାଇଟା ହିଁ ତୁମୂଳ ହୋଇ ଲାଗି ରହିଛି । ଓଲୁ ସାହିତ୍ୟିକ ବି ଭେରୀତୁରୀ ବଜାଇ ଅନେକ ସମୟରେ ସେଇଥିରେ ହିଁ ବେଶ୍ ସାମିଲ୍ ହୋଇଯାଉଛି । ପଶୁବଳର ଅନୁକମ୍ପା ଲାଭକରି କେଉଁ ଉଚ୍ଚପଦରେ ଘଡ଼ିଏ ଯାଇ ବସିଯିବ ବୋଲି କେଉଁଠି ପ୍ରମୋଶନ୍‌ଟାଏ ପାଇଯିବ ବୋଲି ସିଏ ବିଚରା ମହତ ହରାଇ ପକାଉଛି । ଓଲୁ ସାହିତ୍ୟିକ ସବୁ ଯୁଗରେ ଓ ସବୁ ଭୂଖଣ୍ଡରେ ରହିଥିଲେ, ଆମର ଏହି ଯୁଗରେ ଓ ଏହି ଖଣ୍ଡଟାରେ ମଧ୍ୟ ରହିଛନ୍ତି । ତଥାପି ସବୁ ସାହିତ୍ୟିକ ସବୁ ଯୁଗରେ ଓ ସବୁ ଦେଶରେ କଦାପି ଓଲୁ ହେବାକୁ ଯିବେନାହିଁ । ସେମାନେ ଆପଣା ଭିତରେ ଅପେକ୍ଷା କରି ରହିଥିବା ନୂତନ ଚେତନାଟିର ସ୍ପନ୍ଦନଟିକୁ ନିଶ୍ଚୟ ଅନୁଭବ କରିବେ, ପଶୁବଳ ଯେଡ଼େ ଚଣ୍ଡ ବା ପ୍ରଚଣ୍ଡ ହେଲେ ମଧ୍ୟ ସେମାନେ ତଥାପି ସେହି ଅସଲ ସ୍ପନ୍ଦନଟିକୁ ଅନୁଭବ କରିବେ ଓ ସେହି ଅନୁଭବଟି ଦ୍ଵାରାହିଁ ଅନୁପ୍ରେରିତ ହେବେ । ଯାବତୀୟ ଅବକ୍ଷୟ ଏବଂ ଅବକ୍ଷୟ-ସ୍ତୁତିର ଏହି ବହଳ ବରଫ ତଳେ ସେମାନେ ବୀଜ ପରି ସଂରକ୍ଷିତ ହୋଇ ରହିବେ । ଇତାଲୀର ପ୍ରଖ୍ୟାତ ଉପନ୍ୟାସକାର Ignazio Silone ତାଙ୍କର ଏକ ଉପନ୍ୟାସର ନାମକରଣ ‘The Seed beneath the Snaco’ ବୋଲି କରିଛନ୍ତି । ପଶୁବଳ ସବୁକାଳରେ ହିଁ ଅଳ୍ପବଳର ଶକ୍ତି ହୋଇ ରହି ଆସିଛି । ତେଣୁ ଅସଲ ଜୀବନଟି ସହିତ ଯୁକ୍ତ ହୋଇପାରି ନଥିବା ସାହିତ୍ୟିକ ହିଁ ପଶୁବଳକୁ ଯଥାର୍ଥରେ ଏକ ବଳ ବୋଲି ମାନିବ, ମାତ୍ର ଅଳ୍ପ କେତେଜଣଙ୍କର ସୌଖିନ୍ ଦମ୍ଭଦର୍ପଗୁଡ଼ାକୁ ହିଁ ସେ ଯଥାର୍ଥ ମୂଲ୍ୟ ବୋଲି ସ୍ୱୀକାର କରିବ । ପଶୁବଳ ସଂସାରର ସବୁଠାରେ ଯେମିତି ହାରିଛି, ଏଠି ମଧ୍ୟ ତାହା ଠିକ୍‍ ସେହିପରି ହାରିଯିବ । ବହୁ ମଣିଷଙ୍କର ଅସଲବଳଟି ପାଖରୁ ହିଁ ସେ ହାରିବ, ଏବଂ ସବୁଠି ସାହିତ୍ୟ ଭିତରେ ହିଁ ଯେ ପଶୁବଳକୁ ହରାଇବାର ପ୍ରଥମ ପ୍ରସ୍ତୁତ ହୋଇ ଆସିଛି ଓ ପ୍ରଥମ ଶପଥ ନିଆଯାଇଛି, ପୃଥିବୀର ଇତିହାସରୁ ଆମେ ତାହାର ଭୁରିଭୁରି ପ୍ରମାଣ ପାଇ ପାରିବା ।

 

(ସାହିତ୍ୟିକ ଅଭିଭାଷଣ : ସଂକଳନ–ଉତ୍କଳ ସାହିତ୍ୟ ସମାଜ, ୧୯୭୫)

Image

 

ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା

 

The opposite of Poetry is not prose but Science: The Opposite of prose is not poetry but verse–Coleridge.

 

ପ୍ରତ୍ୟେକ ଦେଶର ସାହିତ୍ୟରେ ଗଦ୍ୟ ଓ ପଦ୍ୟ ପ୍ରଧାନତଃ ଏହି ଦୁଇଟି ଭାଗର ବିଚାର କରାଯାଇଥାଏ । ପଦ୍ୟଲେଖକ ଅର୍ଥାତ୍‍ କବିକୁ ଗଦ୍ୟ ଲେଖକଠାରୁ ସ୍ୱତନ୍ତ୍ର କରି ବିଚାର କରାଯାଇଥାଏ । ଯେଉଁମାନେ କବିତା ଲେଖନ୍ତି, ସେମାନେ ସାଧାରଣତଃ ଉପନ୍ୟାସ ଓ ଗଳ୍ପ ପ୍ରଭୃତି ଲେଖି ପାରନ୍ତି ନାହିଁ । ଯେତେବେଳେ କବି-ସମ୍ମିଳନୀମାନ ଡକାଯାଏ, ସେତେବେଳେ କେବଳ କବିତାକାରମାନଙ୍କୁ ହିଁ ଡକାଯାଇଥାଏ । ମୋଗଲ ସମୟରୁ ଯେଉଁ ମୁଶାୟରା ବା କବି ସମ୍ମିଳନୀର ପ୍ରଚଳନ ଉତ୍ତର ଭାରତରେ ରହି ଆସିଚି, ସେଥିରେ କେବେ କୌଣସି ଗଦ୍ୟ ଲେଖକଙ୍କୁ ଡକାଯାଏ ନାହିଁ । ଆମର ମନ ଭିତରେ ମଧ୍ୟ କବିତା ଓ ଗଦ୍ୟକୁ ଆମେ ଦୁଇ ସ୍ୱତନ୍ତ୍ର ଭାବରେ ବିଚାର କରିଥାଉ । ଅତି ପୂର୍ବକାଳରେ ସାହିତ୍ୟର ଜନ୍ମ କବିତାର ଆକାରରେ ହିଁ ହୋଇଥିଲା । ସବୁ ଦେଶର ସାହିତ୍ୟରେ ପ୍ରଥମେ କବିତା ଓ କାବ୍ୟ ଆସିଛି, ଗଳ୍ପ ଓ ଉପନ୍ୟାସ ନୁହେଁ । ଭାରତୀୟ ସାହିତ୍ୟକୁ ନିରୀକ୍ଷଣ କଲେ ମନେହୁଏ ଯେପରି ଆମ ଦେଶରେ ସାହିତ୍ୟର ଜାତିଆଣସତ୍ତାର ଆଗେ ଗଦ୍ୟଲାଗି କୌଣସି ସ୍ଥାନ ହିଁ ନଥିଲା । ସାହିତ୍ୟର ଭାଷ୍ୟକାରମାନେ କାବ୍ୟକୁ ବ୍ରହ୍ମାନନ୍ଦ–ସହୋଦର ବୋଲି କହୁଥିଲେ, କିନ୍ତୁ ଏହି ସହୋଦରତାରେ ଗଦ୍ୟର କୌଣସି ଦାୟଭାଗ ନଥିଲା । ସାଧାରଣ ଜୀବନଦାଣ୍ଡରେ ଆମେ ଯେଉଁ ଗଦ୍ୟଶୈଳୀରେ କଥାବାର୍ତ୍ତା କରୁ, ତାହାକୁ ସାହିତ୍ୟର ଅନ୍ତଃପୁରକୁ ଡାକିନେଇ ଆସିଲେ ସାହିତ୍ୟର ଶାଳୀନତାରେ ବାଧା ଆସିବ, ଜୀବନର ଦାଣ୍ଡଧୂଳି ସାହିତ୍ୟର ସ୍ପର୍ଶକାତରତାକୁ ବାଧିବ, ହୁଏତ ଏହିପରି ଏକପ୍ରକାର ଶଙ୍କା ସେହି ଯୁଗରେ ଜୀବନକୁ ଓ ଗଦ୍ୟକୁ ସାହିତ୍ୟଠାରୁ ପରିଚ୍ଛନ୍ନ କରି ରଖିଥିଲା ।

 

ଏବେ ଗଦ୍ୟର ଯୁଗ । ମଣିଷ ତା’ର ସାମାଜିକ ଓ ଭାବଗତ ଭୂମି ଭିତରେ ଏକ ସ୍ଵାଭାବିକ ସୂତ୍ରାତ୍ମକତା ରହିଚି ବୋଲି ଯେତିକି ଉପଲବ୍‌ଧି କରିପାରିଲା, ମଣିଷର ସାହିତ୍ୟରେ ଗଦ୍ୟଲାଗି ସେତିକି ବେଶି ବାଟ ଫିଟିଲା । ଏହି ବାସ୍ତବ ଜୀବନ ବିଷୟରେ ତାର ଆଗ୍ରହ ଯେତିକି ବଢ଼ିଲା, ଗଦ୍ୟତାକୁ ସେତିକି ଗ୍ରହଣୀୟ ବୋଲି ମନେ ହେଲା । ସୌନ୍ଦର୍ଯ୍ୟ, ସତ୍ୟ ଓ ଶିବ,–ଏସବୁ ସ୍ଵର୍ଗର ନିର୍ବାସିତ ସମ୍ପଦ ନୁହେଁ, ଏହି ଜୀବନକୁ ମଧ୍ୟ ସୁନ୍ଦର, ସତ୍ୟମୟ ଓ ଶୁଭଦାୟକ କରିବା ସମ୍ଭବ, ଏହି ବିଶ୍ଵାସକୁ ହିଁ ଆମେ ଗଦ୍ୟର ପ୍ରେରଣାଭୂମି ବୋଲି କହିପାରିବା । ଆଧୁନିକତା ଓ ଆଧୁନିକ ବିଚାରର ଏହାହିଁ ହେଉଚି ସ୍ଵତନ୍ତ୍ର ପରିଚୟ । ସେଥିପାଇଁ ପ୍ରାଚୀନ ଓ ମଧ୍ୟଯୁଗରେ ମଣିଷ ସ୍ଵରଚିତ ସାହିତ୍ୟରେ ଇହ-ଜୀବନର ବିଶେଷ ଉଲ୍ଲେଖ କରୁନଥିଲା, କେବଳ ଗୁଣର ବିଚାର କରୁଥିଲା । ଏହିସବୁ ଗୁଣର ବିଚାର କରିବାକୁ ଯାଇ ସେ ସ୍ଵର୍ଗରାଜ୍ୟରୁ କାଳ୍ପନିକ ପାତ୍ରପାତ୍ରୀଙ୍କୁ ଆମଦାନୀ କରି ଆଣୁଥିଲା, ଏବଂ କାବ୍ୟ ଓ କବିତାର ବନ୍ଧନୀ ଦେଇ ସେମାନଙ୍କୁ ଏହି ପୃଥିବୀ ଓ ଏହି ଜୀବନରୁ ଏକାବେଳେକେ ଅଲଗା କରି ରଖୁଥିଲା । ଐହିକକୁ ଛାଡ଼ି ପାରତ୍ରିକର ବିଚାର, ବର୍ତ୍ତମାନକୁ ଛାଡ଼ି ବିଗତ ପୁରାତନର ବିଚାର, ବାସ୍ତବକୁ ଛାଡ଼ି ଆଦର୍ଶର ବିଚାର, ମଣିଷକୁ ଛାଡ଼ି ଆଦର୍ଶର ବିଚାର, ମଣିଷକୁ ଛାଡ଼ି ଦେବତାର ବିଚାର, ଏହା ହେଉଚି ପୁରାତନ ଯୁଗର ଲକ୍ଷଣ, କାବ୍ୟ-ଯୁଗର ଲକ୍ଷଣ । ଏହି ଜୀବନକୁ ନେଇ ମଣିଷର ଆଗ୍ରହ ବଢ଼ିବା ସହିତ ସାହିତ୍ୟରେ ଗଦ୍ୟର ଆବିର୍ଭାବ ହେଲା । ଆମର କଳ୍ପନା ଆମଠାରୁ ଭିନ୍ନ ନୁହେଁ, ଆମର ଆଦର୍ଶ ଆମର ବସ୍ତୁସ୍ଥିତିଠାରୁ ଭିନ୍ନ ନୁହେଁ, ଏହାହିଁ ଆଧୁନିକତାର ଲକ୍ଷଣ । କବିତାକୁ ଆସନଚ୍ୟୁତ କରି ଗଦ୍ୟର ଆବିର୍ଭାବ ହୋଇନାହିଁ । ସାହିତ୍ୟକୁ ଜୀବନର ଭୂମି ଉପରେ ଅବସ୍ଥାପିତ କରିବାକୁ ହିଁ ଗଦ୍ୟର ଦୁଃସାହସ । ଏ ପୃଥିବୀ ମାୟା, ତେଣୁ ଏଠାରୁ ପଳାଇବାରେ ହିଁ ମୋକ୍ଷ ନିହିତ ରହିଚି,–ଏହା ହେଉଚି ପଳାୟନବାଦୀ ପଦ୍ୟାଭିଳାଷୀର ଉକ୍ତି । ଗଦ୍ୟ ପଳାଇଯିବାକୁ ଚାହେଁ ନାହିଁ । ଜୀବନରେ ଧୂଳିମାଟିକୁ ସମ୍ୟକ୍ ଆଲୋଚନାଦ୍ଵାରା ତାହା ଅର୍ଥମୟ ଓ ମୂଲ୍ୟମୟ ଚେଷ୍ଟା କରେ । ସତ୍ୟ, ଶିବ ଓ ସୁନ୍ଦର ବିଷୟରେ ତା’ର ସମସ୍ତ ସ୍ଵପ୍ନକୁ ଏହି ଜୀବନର ପ୍ରୟୋଗଶାଳାରେ ଲଗାଇ ଜୀବନକୁ ଅଧିକ ସୁନ୍ଦର ଓ ସାରଗର୍ଭ କରିବାକୁ ଚାହେଁ ।

 

ପ୍ରବନ୍ଧ ଗଦ୍ୟସାହିତ୍ୟର ଅନ୍ତର୍ଗତ, କବିତା, ନାଟକ ଓ ଉପନ୍ୟାସପରି ଆଧୁନିକ ସାହିତ୍ୟରେ ପ୍ରବନ୍ଧର ମଧ୍ୟ ଏକ ସ୍ଵୀକୃତ ସ୍ଥାନ ରହିଚି । କବିତା, ନାଟକ ଓ ଉପନ୍ୟାସ ଲେଖିବାର କଳାପରି ଏବେ ପ୍ରବନ୍ଧ ଲେଖିବାର କଳା ବିଷୟରେ ମଧ୍ୟ ଚର୍ଚ୍ଚା ହେଉଚି । ପ୍ରବନ୍ଧର ପ୍ରକାରଭେଦ ବିଷୟରେ ମଧ୍ୟ ବିଚାର କରାଯାଉଚି । ତଥାପି ପ୍ରବନ୍ଧର ଚାରିସୀମା ନିରୂପଣକରି ଏହାକୁ ସାହିତ୍ୟର ଅନ୍ୟାନ୍ୟ ବିଭାଗଗୁଡ଼ିକଠାରୁ ସ୍ଵତନ୍ତ୍ର କରି ଦେଖାଇଦେବା ଆଦୌ ସହଜ ନୁହେଁ । ସାହିତ୍ୟରେ ଆଧୁନିକତାର ଦୃଷ୍ଟି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଏହାର ବିଭିନ୍ନ ବିଭାଗ ମଧ୍ୟରେ ରହି ଆସିଥିବା ଅନ୍ତର୍ଗତ ପାର୍ଥକ୍ୟ କ୍ରମେ ହ୍ରାସ ହୋଇଯାଉଚି । ବହିରାବରଣ ଦୃଷ୍ଟିରୁ ଆମେ କବିତା, ଉପନ୍ୟାସ ଓ ପ୍ରବନ୍ଧକୁ ପରସ୍ପରଠାରୁ ଯେତେ ଅଲଗା ବୋଲି କହିଲେ ମଧ୍ୟ ପ୍ରତ୍ୟେକେ ସେହି ଏକ ସାହିତ୍ୟର ବିଭିନ୍ନ ପ୍ରକାଶଧାରା ମାତ୍ର । କବି ହେଉ, ଉପନ୍ୟାସକାର ହେଉ ବା ପ୍ରବନ୍ଧଲେଖକ ହେଉ, ଜୀବନକୁ ନିରୀକ୍ଷଣକରି ପ୍ରତ୍ୟେକେ ସାହିତ୍ୟିକ ସୃଷ୍ଟି ଲାଗି ଅନୁପ୍ରାଣିତ ହୋଇଥାନ୍ତି । ରୁଚିର ବୈଶିଷ୍ଟ୍ୟ ଅନୁସାରେ କେହି କବି ହୁଏ, କେହି ଉପନ୍ୟାସକାର ହୁଏ, ବା ଆଉ କେହି ପ୍ରବନ୍ଧ ଲେଖେ ।

 

ପ୍ରବନ୍ଧ ବିଷୟରେ ଅନେକ ସାହିତ୍ୟ-ସମାଲୋଚକ କହିଥାନ୍ତି ଯେ ପ୍ରବନ୍ଧ ଅତି ଦୀର୍ଘ ନହୋଇ ସଂକ୍ଷିପ୍ତ ହେବା ଉଚିତ । କିନ୍ତୁ କେତେ ସଂକ୍ଷିପ୍ତ ବା କେତେ ଦୀର୍ଘ ହେବା ଉଚିତ, ତାହା ସମ୍ପୃକ୍ତ ଯୁଗର ରୁଚି ଓ ସାହିତ୍ୟିକ ମାନ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରେ । ନାଟକରେ କେତୋଟି ଅଙ୍କ ରହିବା ଉଚିତ, ଆଗେ ନାଟ୍ୟଶାସ୍ତ୍ର ଲେଖିଲାବେଳେ ପଣ୍ଡିତମାନେ ତାହାର ସଂଖ୍ୟା ନିରୂପଣ କରି ଦେଉଥିଲେ । ଆଜି ମଧ୍ୟ ଅଙ୍କ ଦୃଶ୍ୟର ସଂଖ୍ୟା ଗଣି ନାଟକର ବିଚାର କରିବା ପଣ୍ଡିତ ଆଦୌ ବିରଳ ହେବେନାହିଁ । ସେହିପରି କୌଣସି ଲେଖାକୁ ପ୍ରବନ୍ଧ କୁହାଯାଇ ପାରିବ କି ନାହିଁ, ତାହା ନିର୍ଣ୍ଣୟ କରିବାକୁ ହୁଏତ କେତେକ ପଣ୍ଡିତ ପ୍ରଥମେ ପୃଷ୍ଠାସଂଖ୍ୟା ଗଣିବାକୁ ଉତ୍ସାହିତ ହୋଇପାରନ୍ତି । କିନ୍ତୁ ଆମେ ଏହି ଆଚରଣକୁ ଏକ ପ୍ରଧାନ ସାହିତ୍ୟିକ ଆଚରଣ ବୋଲି ଗ୍ରହଣକରି ପାରିବାନାହିଁ ।

 

ଶ୍ରୀଯୁକ୍ତ ବେକନ୍ ପ୍ରବନ୍ଧକୁ ‘ବିଚ୍ଛୁରିତ ଚିନ୍ତା’ (Dispersed Meditation) ବୋଲି କହିଚନ୍ତି । କୌଣସି ଏକ ବିଷୟକୁ ଅବଲମ୍ବନ ରୂପେ ବ୍ୟବହାର କରି ଯେଉଁ ମାଧ୍ୟମରେ ଆମେ ଆପଣାର ବିକ୍ଷିପ୍ତ ଓ ବିଭିନ୍ନ ଚିନ୍ତାରାଶିକୁ ପ୍ରକାଶ କରିବାକୁ ଚେଷ୍ଟା କରୁ, ତାହା ହେଉଚି ପ୍ରବନ୍ଧ । ଏହି ବିସ୍ତାରିତ ଅର୍ଥରେ ଦେଖିଲେ ପ୍ଳୋଟୋଙ୍କର ରଚନାବଳୀ ଓ ବାଇବେଲ୍‌ରେ ଲିପିବଦ୍ଧ ହୋଇଥିବା ଯୀଶୁଙ୍କର ଉକ୍ତିଗୁଡ଼ିକ ମଧ୍ୟ ଅନେକ ସମୟରେ ପ୍ରବନ୍ଧ କୁହାଯାଇପାରିବ । ଶ୍ରୀ ବେନ୍‌ସନ୍‌ଙ୍କ ମତରେ ପ୍ରବନ୍ଧ ହେଉଚି ଏକ ବ୍ୟକ୍ତିଗତ ରଚନା । ବିଷୟ ପ୍ରବନ୍ଧର ସବୁଠାରୁ ବଡ଼କଥା ନୁହେଁ । ଯେକୌଣସି ବିଷୟ, ପାରମ୍ପରିକ ଆଖିରେ ତାହା ଯେତେ ଗଣ୍ୟ ବା ନଗଣ୍ୟ ହୋଇଥାଉ ପଛକେ, ପ୍ରବନ୍ଧର ବିଷୟବସ୍ତୁ ହୋଇପାରିବ, ପ୍ରବନ୍ଧର ମାଧ୍ୟମରେ ପ୍ରବନ୍ଧକାରର ବ୍ୟକ୍ତିତ୍ଵ ଆପଣାକୁ ପ୍ରକାଶିତ କରିଥାଏ । ତେଣୁ ପ୍ରବନ୍ଧକାରର ବ୍ୟକ୍ତିତ୍ଵ ଯେତିକି ଗଭୀର ହୋଇଥିବ, ଯେତିକି ଜୀବନ ସରସ ହୋଇଥିବ, ତାର ଲିଖିତ ପ୍ରବନ୍ଧ ମଧ୍ୟ ସେତିକି ଆସ୍ଵାଦନୀୟ ହୋଇପାରିବ । ବ୍ୟକ୍ତିତ୍ଵର ଆକର୍ଷଣୀୟତା ହେଉଚି ପ୍ରବନ୍ଧର ସର୍ବଶ୍ରେଷ୍ଠ ମାନଦଣ୍ଡ । [An essay is a thing which someone does himself, and the point of the essay is not the subject; for any subject will suffice, but the charm of personality–A.C. Benson]

 

ଜୀବନ ପ୍ରତି ଆମ ପ୍ରତ୍ୟେକଙ୍କର ଏକ ସ୍ଵତନ୍ତ୍ର ଦୃଷ୍ଟିକୋଣ ରହିଛି । ଜୀବନର ନାନା କ୍ଷେତ୍ରରେ ଜଗତ ଓ ଆପଣାର ସମ୍ମୁଖୀନ ହୋଇ ଆମେ ଏହି ଦୃଷ୍ଟି ଅର୍ଜନ କରିଥାଉ, ଆମର ଅଭିଜ୍ଞତା ଓ ଅନୁଭବ କରିବାର ଶକ୍ତି ବଢ଼ିବା ସଙ୍ଗେ ସଙ୍ଗେ ଏହି ଜୀବନ ଦୃଷ୍ଟି ମଧ୍ୟ ସମୃଦ୍ଧ ହେବାରେ ଲାଗିଥାଏ । ଜର୍ମାନ ଭାଷା ଓ ଦର୍ଶନରେ ଏହାକୁ weltanschauung ବୋଲି କୁହାଯାଇଚି । ବିଭିନ୍ନ ଅବସରରେ ଆମେ ଯାହା କରୁ, କହୁ, ଅନ୍ୟମାନଙ୍କ ସହିତ ଯେପରି ସମ୍ପର୍କ ସ୍ଥାପନ କରୁ, ତାହା ଆମର ଏହି ମୌଳିକ ଜୀବନ-ଦୃଷ୍ଟିଦ୍ଵାରା ନିଶ୍ଚିତ ହୋଇଥାଏ । ଆମ ଜୀବନର ନୂତନ ଅଭିଜ୍ଞତା, ଅନୁଭବ ଓ ସମ୍ପର୍କ କ୍ଷେତ୍ରମାନ ମଧ୍ୟ ଏହି ଜୀବନଦୃଷ୍ଟିକୁ ସତତ ସମୃଦ୍ଧ କରିବାରେ ଲାଗିଥାଏ ସତତ ନୂତନ ଆୟତନ ଓ ନୂତନ ଅର୍ଥବ୍ୟଞ୍ଜକତା ଦେବାରେ ଲାଗିଥାଏ । ଆମର ମତ ଓ ମନକୁ ବୁଝିବାକୁ ହେଲେ ପ୍ରଥମେ ଆମର ଜୀବନଦୃଷ୍ଟିକୁ ବୁଝିବା ଆବଶ୍ୟକ ପଡ଼େ-। ଏକ ସୀମାବଦ୍ଧ ଅର୍ଥରେ ଏହି ଜୀବନଦୃଷ୍ଟିକୁ ଆଲଫ୍ରେଡ଼୍ ଆଡ଼ଲର୍ ‘ଜୀବନ ଶୈଳୀ’ (Style of Life) ବୋଲି କହିଚନ୍ତି । ଯିଏ ପ୍ରବନ୍ଧ ଲେଖେ, ପ୍ରବନ୍ଧକୁ ହିଁ ଯିଏ ଆପଣାର ସାହିତ୍ୟିକ ପ୍ରକାଶର ମାଧ୍ୟମ ବୋଲି ଗ୍ରହଣ କରେ, ସିଏ ଆପଣାର ଜୀବନଦୃଷ୍ଟିକୁ ହିଁ ସମସ୍ତଙ୍କର ସମକ୍ଷରେ ଆଣି ଉପସ୍ଥିତ କରିବାକୁ ଚେଷ୍ଟା କରିଥାଏ । ମନର ଗ୍ରହଣଶୀଳ ଭୂମି ଉପରେ ସେ ଜୀବନର ଉତ୍ସବରୁ ଯାହାସବୁ ସାଉଁଟି ନେଇଥାଏ, ସେହିଗୁଡ଼ିକୁ ସାଧନରୂପେ ବ୍ୟବହାର କରି ସେ ଜଗତରେ ଆପଣାର କଥା କହିବାକୁ ପ୍ରୟାସୀ ହୁଏ । ଏହି ପ୍ରୟାସକୁ ସେ ଆପଣା ଜୀବନର ଅତ୍ୟାବଶ୍ୟକ ପ୍ରୟାସ ବୋଲି ମନେ କରିଥାଏ । ପ୍ରବନ୍ଧ ଜରିଆରେ ପାଠକ ପ୍ରବନ୍ଧ ଲେଖକର ସମୀପବର୍ତ୍ତୀ ହୁଏ, ତାର ଜୀବନଦୃଷ୍ଟି ସହିତ ପରିଚିତ ହୁଏ, ତେଣୁ ପ୍ରବନ୍ଧ ଲେଖକ ଭିତରେ କେତେ ପୃଷ୍ଠାବ୍ୟାପୀ କି କି କଥା କହିଛି, ତାର ପରିମାଣ ସୁମାରି କରି ଆମେ ପ୍ରବନ୍ଧର ବିଚାର କରିବାକୁ ଯିବାନାହିଁ-। ପ୍ରବନ୍ଧ ଲେଖିବା ଅର୍ଥ ଜ୍ଞାନର ପରୀକ୍ଷା ଦେବା ନୁହେଁ ତା’ ହୋଇଥିଲେ ପ୍ରବନ୍ଧ ହୁଏତ ବିଶ୍ଵକୋଷର ସମସରି ହୋଇଥାନ୍ତା, କିନ୍ତୁ ତଥାପି ସାହିତ୍ୟର ପଦବାଚ୍ୟ ହୋଇପାରି ନ ଥାନ୍ତା । ପ୍ରବନ୍ଧ ଭିତରେ ପ୍ରବନ୍ଧ ଲେଖକର ଜୀବନ ଦୃଷ୍ଟି ପ୍ରକଟିତ ହୋଇଥାଏ, ଏହି ଜୀବନ ଦୃଷ୍ଟିର ବ୍ୟାପକତା ଓ ଶକ୍ତିମତ୍ତା ଉପରେ ହିଁ ପ୍ରବନ୍ଧର ବିଚାର କରାଯାଇଥାଏ । ଜୀବନଦୃଷ୍ଟି ହିଁ ପ୍ରବନ୍ଧର ସର୍ବପ୍ରଧାନ ଆଲୋଚ୍ୟ ବସ୍ତୁ ବୋଲି ବୋଧହୁଏ ଏହାକୁ ଶ୍ରୀ ବେନ୍‌ସନ୍ ବ୍ୟକ୍ତିଗତ ରଚନା ବୋଲି କହିଚନ୍ତି । ସାଧାରଣ ଭାବରେ ବିଚାର କଲେ ସାହିତ୍ୟପର୍ଯ୍ୟାୟର ଯାବତୀୟ ରଚନା ବ୍ୟକ୍ତିଗତ, ତଥାପି ସାହିତ୍ୟର ଅନ୍ୟାନ୍ୟ ବିଭାଗ ଅପେକ୍ଷା ପ୍ରବନ୍ଧରେ ବ୍ୟକ୍ତିଗତ ଉପାଦାନ ଅଧିକ-। ସେକସ୍‌ପିଅର୍‌ଙ୍କର ନାଟକରେ ଆମେ ସେକସ୍‌ପିଅର୍‌ଙ୍କର ବ୍ୟକ୍ତିତ୍ଵର ଖୁବ୍ ବେଶୀ ପରିଚୟ ପାଉନାହିଁ । କବିତା, ଉପନ୍ୟାସ ଓ ଗଳ୍ପରେ ସାହିତ୍ୟିକ ଆଢ଼ୁଆଳରେ ରହିଯାଇପାରେ-। କିନ୍ତୁ ପ୍ରବନ୍ଧରେ ପ୍ରବନ୍ଧକାର ଆପଣାର ପରୀକ୍ଷା ଦିଏ, ଆପଣା ବ୍ୟକ୍ତିତ୍ଵର ସମସ୍ତ ସୁଷମା ଓ ସମ୍ପଦ ନେଇ ସେ ଆମ ଆଗରେ ଉପସ୍ଥିତ ହୁଏ, ଆପଣା ଜୀବନଦୃଷ୍ଟିର ପରିଚୟ ଦିଏ ।

 

ତେବେ ପ୍ରବନ୍ଧକାରର ବ୍ୟକ୍ତିତ୍ଵ ଓ ପ୍ରବନ୍ଧକାରର ଜୀବନଦୃଷ୍ଟି ହେଲା ପ୍ରବନ୍ଧକାରର ସବୁଠାରୁ ଅସଲ କଥା । ପ୍ରବନ୍ଧର ଶୈଳୀ ଓ ଶରୀର ମଧ୍ୟରୁ ଆମେ ସବୁବେଳେ ପ୍ରବନ୍ଧକାରର ବ୍ୟକ୍ତିତ୍ଵଟିକୁ ଖୋଜି ବାହାର କରିବାକୁ ଚେଷ୍ଟା କରିଥାଉ । ଶୈଳୀ ସାହିତ୍ୟର ବୃହତ୍ତର ସାମଗ୍ରୀ ନୁହେଁ; ସାହିତ୍ୟର ଅନ୍ୟାନ୍ୟ ବିଭାଗ ପରି ଏହା ପ୍ରଧାନତଃ ଏକ ଆଭୂଷଣମାତ୍ର । ଯାହା ଘରେ ରେଡ଼ିଓ ବାଜୁଥାଏ, ତା ଘରର ଛାତ ଉପରେ ଦୁଇଖଣ୍ଡ ବାଉଁଶ ଉପରେ ଖଣ୍ଡେ ତାର (aerial) ବନ୍ଧା ହୋଇ ରହିଥାଏ । ନଜାଣିବା ଲୋକ ମନେ କରେ ହୁଏତ ଏହି ବାଉଁଶ ଦୁଇଖଣ୍ଡ ଓ ତାରଟି ଯୋଗୁ ଘର ଭିତରେ ରେଡ଼ିଓ ବାଜୁଚି । କିନ୍ତୁ ଶବ୍ଦତରଙ୍ଗ ଗ୍ରହଣକରିବାର ଯନ୍ତ୍ର ଯାହାଘରେ ନ ଥାଏ, ଛାତ ଉପରେ କେବଳ ଦୁଇଖଣ୍ଡ ବାଉଁଶ ଆଉ ଖଣ୍ଡେ ତାର ବାନ୍ଧିଦେଲେ ସେ କୁଆଡ଼ୁ ରେଡ଼ିଓଦ୍ଵାରା ପ୍ରଚାରିତ ସଙ୍ଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଶୁଣିପାରିବ ? ଶ୍ରୀଯୁକ୍ତ ୱାର୍ଡ଼ ଶୈଳୀକୁ ଏରିଆଲ ସହିତ ତୁଳନା କରିଚନ୍ତି । ଘର ଭିତରେ ଥିବା ଶବ୍ଦଗ୍ରହଣର ଯନ୍ତ୍ର ହେଉଚି ସାହିତ୍ୟିକର ବ୍ୟକ୍ତିତ୍ଵ । ପ୍ରବନ୍ଧକାର ଜଗତ ଓ ଜୀବନ ସହିତ ଏକାତ୍ମତା ଅର୍ଜନ କରେ । ସହାନୁଭୂତି ସହିତ ଜଗତ ଓ ଜୀବନକୁ ସେ ବୁଝିବାକୁ ଚେଷ୍ଟା କରେ, ସେ କିଛି କହିବାକୁ ଚାହେ, ଜଗତ ଓ ଜୀବନର ମର୍ମ ଭେଦକରି ସେ ମଣି ଆହରଣ କରେ, ତାହାକୁ ହିଁ ଆପଣାର ପରମ ସମ୍ପଦ କରି ସେ ସବୁରି ପାଇଁ ପରଷି ଦେବାକୁ ଚାହେ । ଆପଣାର କଥାକୁ ସେ ସବୁରି ଆଗରେ ଶୁଣାଇବାକୁ ଚାହେ । ତାର ଶୈଳୀ ତାର ଏହି ଅତ୍ୟାବଶ୍ୟକ ନିବେଦନ–କ୍ଷେତ୍ରରେ ପ୍ରଧାନ ସାଧନରୂପେ ବ୍ୟବହୃତ ହୁଏ [A.C. Ward : Twentieth Century Literature, Methuen, London, 1945 P. 209]

 

ପ୍ରବନ୍ଧକୁ ସାଧାରଣତଃ ଦୁଇ ପ୍ରଧାନ ଭାଗରେ ବିଭକ୍ତ କରାଯାଇଥାଏ, ବ୍ୟକ୍ତିଗତ ଓ ସାମ୍ବାଦିକ । ବ୍ୟକ୍ତିଗତ ପ୍ରବନ୍ଧର ଆଲୋଚନା କଲାବେଳେ ଇଂରାଜୀ ସାହିତ୍ୟର ଚାର୍ଲ୍‌ସ୍ ଲ୍ୟାମ୍ବ୍‌ଙ୍କର କଥା ସ୍ଵତଃ ମନେ ପଡ଼ିଯାଏ, ତାଙ୍କର ପ୍ରବନ୍ଧାବଳୀ ବ୍ୟକ୍ତିଗତ । ଆପଣା ଜୀବନର ଦର୍ପଣକୁ ନିରୀକ୍ଷଣ କରି ତାହାରି ଜରିଆରେ ସାମାଜିକ ଜୀବନକୁ ନିରୀକ୍ଷଣ କରିବା ଏବଂ ଆପଣା ଜୀବନର ନଗଣ୍ୟତା ଓ କରୁଣତାକୁ ଏକ ନିରୀହ ପରିହାସପୂର୍ଣ୍ଣ ଦୃଷ୍ଟିରେ ଦେଖିବାର ଜରିଆରେ ସମଗ୍ର ଜୀବନର ସରଳ ଓ ଅକିଞ୍ଚନ ଆନନ୍ଦ ଓ ନିରାନନ୍ଦ ସହିତ ପାଠକମାନଙ୍କୁ ପରିଚିତ କରାଇଦେବା, ଏହା ହେଉଛି ଶ୍ରୀଯୁକ୍ତ ଲ୍ୟାମ୍ବ୍‌ଙ୍କର ଲିଖିତ ପ୍ରବନ୍ଧଗୁଡ଼ିକର ମୂଳକଥା । ସମାଜର ବିଭିନ୍ନ ସମସ୍ୟାର ଆଲୋଚନା କରି ସାଧାରଣତଃ ସାମ୍ବାଦିକ ପ୍ରବନ୍ଧ (Periodical Essay) ଲେଖା ଯାଇଥାଏ, ଇଂରାଜୀ ସାହିତ୍ୟରେ ଷ୍ଟିଲ (Steel) ଓ ଆଡ଼ିସନ [Addison] ଲେଖିଥିବା ଅଧିକାଂଶ ପ୍ରବନ୍ଧକୁ ଆମେ ସାମ୍ବାଦିକ ପ୍ରବନ୍ଧ ବୋଲି କହି ପାରିବା । ଏମାନଙ୍କର ପ୍ରବନ୍ଧଗୁଡ଼ିକ ଭିତରେ ଆମକୁ ତତ୍କାଳୀନ ସାମାଜିକ ଓ ରାଜନୀତିକ ବିଚାର ଆଭାସ ମିଳିଥାଏ ।

 

ସର୍ଜନାତ୍ମକ ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା, ଅନେକ ସମୟରେ ପ୍ରବନ୍ଧ-ସାହିତ୍ୟରେ ଏହିପରି ଏକ ଶ୍ରେଣୀ-ବିଭାଗ କରାଯାଇଥାଏ । ମୌଳିକ ଚିନ୍ତା ଓ ମୌଳିକ ଦିଗ୍‌ନିର୍ଦ୍ଦେଶପୂର୍ଣ୍ଣ ପ୍ରବନ୍ଧକୁ ସର୍ଜନାତ୍ମକ ପ୍ରବନ୍ଧ କୁହାଯାଏ, ସାହିତ୍ୟର କୌଣସି ଯୁଗର ଅଥବା କୌଣସି ସାହିତ୍ୟିକଙ୍କର ତଥ୍ୟପୂର୍ଣ୍ଣ ଆଲୋଚନା ସାହିତ୍ୟ-ସମାଲୋଚନାରେ ହୋଇଥାଏ । ସମାଲୋଚନା ଅର୍ଥାତ୍ ସମ୍ୟକ୍ ଆଲୋଚନା । ତେଣୁ ସମାଲୋଚନା ଆଉ ଇତିହାସ ସମାନ କଥା ନୁହେଁ । ଅନେକ ସମୟରେ ସାହିତ୍ୟର ଆଲୋଚନା କରିବାକୁ ଯାଇ ପଣ୍ଡିତମାନେ ତଥ୍ୟ, ତାରିଖ ଓ ଘଟଣାବଳୀରେ ଆପଣା ଗ୍ରନ୍ଥଗୁଡ଼ିକୁ ବଡ଼ ଦୁର୍ଗମ କରି ପକାଇଥାନ୍ତି । ସେମାନଙ୍କର ଆଲୋଚନାରୁ ଖବର ଅନେକ ମିଳେ କିନ୍ତୁ ସାହିତ୍ୟିକ ଆନନ୍ଦ ଓ ଅନ୍ତର୍ଦୃଷ୍ଟି ଅନ୍ଵେଷଣ କରି ବୁଲୁଥିବା ଛାତ୍ର ଓ ରସିକକୁ ସେଠି ନିରାଶ ହେବାକୁ ପଡ଼େ । ତେଣୁ ସମାଲୋଚନା-ଶାସ୍ତ୍ର ଲେଖିଥିବା ପଣ୍ଡିତକୁ ସେତିକିବେଳେ ସାହିତ୍ୟିକ ଓ ପ୍ରବନ୍ଧକାରର ଅନ୍ତର୍ଭୁକ୍ତ କରିବାକୁ ହେବ, ଯେତେବେଳେ ତାହାର ସର୍ବପ୍ରଧାନ ଆବେଦନ ତଥ୍ୟଗତ ନ ହୋଇ ସାହିତ୍ୟିକ ହୋଇଥିବ । ହିନ୍ଦୀ ସାହିତ୍ୟରୁ ଏକ ଦୃଷ୍ଟାନ୍ତ ଦେଇ ମୁଁ ମୋର କଥନକୁ ଅଧିକ ସ୍ପଷ୍ଟ କରିବି । ଶ୍ରୀଯୁକ୍ତ ହଜାରୀପ୍ରସାଦ ଦ୍ଵିବେଦୀଙ୍କର “ହିନ୍ଦୀ ସାହିତ୍ୟିକୀ ଭୂମିକା” ହିନ୍ଦୀ ସାହିତ୍ୟର ଏକ ସମାଲୋଚନା–ପୁସ୍ତକ । ଏଥିରେ ଇତିହାସ ଅଛି, ତଥ୍ୟ ଅଛି–ତଥାପି ଏହାର ସାହିତ୍ୟିକ ଓ ସର୍ଜନାତ୍ମକ ଅବଦାନ ଏତେ ଅଧିକ ଯେ ତାହା ପୁସ୍ତକରେ ବ୍ୟବହୃତ ସମସ୍ତ ଇତିହାସ ଓ ସମସ୍ତ ତଥ୍ୟକୁ ଏକ ସାହିତ୍ୟିକ ସ୍ତରକୁ ଉନ୍ନୀତ କରି ନେଇଚି । ସମାଲୋଚକ ଓ ପ୍ରବନ୍ଧକାରର ଅନ୍ତର୍ଗତ ଯେତିକି ଅଧିକ ଓ ଗଭୀର ହୋଇଥିବ, ସେହି ଅନୁପାତରେ ସେ ତାହାର ସମାଲୋଚନାକୁ ସର୍ଜନାତ୍ମକ ମଧ୍ୟ କରିପାରିବ ।

 

ପ୍ରବନ୍ଧ ଲେଖିବାର ଶୈଳୀ ବିଷୟରେ ମୁଁ ଏଠାରେ କୌଣସି ବିଶେଷ ଆଲୋଚନା କରିବି ନାହିଁ । ତଥାପି ଯିଏ ପ୍ରବନ୍ଧ ଲେଖିବ ବା ପ୍ରବନ୍ଧ ପଢ଼ି ସାହିତ୍ୟର ରସ ଆସ୍ଵାଦନ କରିବାକୁ ଆଗ୍ରହ କରିଥିବ, ତାହାକୁ ତିନୋଟି ପ୍ରଧାନ କଥା ସ୍ମରଣ ରଖିବାକୁ ହେବ । ପ୍ରଥମ ଏବଂ ସବୁଠାରୁ ବଡ଼କଥା ହେଉଛି ଯେ ପ୍ରବନ୍ଧକାର ସହିଷ୍ଣୁ ହେବ । ତା’ଭିତରେ କୌଣସି ପ୍ରକାର ପକ୍ଷାଗ୍ରାହୀ ଉତ୍ତେଜନା ନ ଥିବ, କୌଣସି ପ୍ରକାର ଘୃଣା ନଥିବ । ତରଙ୍ଗ ବିକ୍ଷୋଭର ବାହାରେ ରହି ସେ ସମଗ୍ର ଭାବରେ ବିଚାର କରି ପାରୁଥିବ, ତାତ୍‌କାଳିକ ପ୍ରୟୋଜନ ଓ ଫଳଦାୟକତାର ଅଶୁଭକୁ ଅତିକ୍ରମ କରି ସେ ସମଗ୍ର ଭାବରେ ସବୁ କଥାକୁ ଦେଖିପାରୁଥିବ । ଶ୍ରୀଯୁକ୍ତ ବେନ୍‌ସନ୍‌ଙ୍କ ଭାଷାରେ କହିବାକୁ ଗଲେ, “The Social reformer, the fanatic, the crank, the puritan,–these are not the stuff of which the essayist is made; he may have ethical preferences but he must not indulge in moral indignation; he must be essentially tolerant, and he must discern quality rather then solidity.” ଉତ୍ତେଜିତ ସମାଜ-ସୁଧାରକ ଉଗ୍ର ନୀତିବାଦୀ ବା ଆଦର୍ଶ ନାମରେ ଆପଣାର ସମସ୍ତ ମାନସିକ ସ୍ଥିରତାକୁ ହରାଇବସି ଏକା ଘେରାକେ ସଂସାରଯାକର ମୁଣ୍ଡକୁ କିଣି ଆଣିବାକୁ ବାହାରିଥିବା ବିକୃତ-ହୃଦୟ ବ୍ୟକ୍ତି ପ୍ରବନ୍ଧକାର ହୋଇପାରିବ ନାହିଁ । ମୁଁ ତ କହିବି, ଏପରି ବ୍ୟକ୍ତି ସାହିତ୍ୟର ଦୁଆର ମଧ୍ୟ ମାଡ଼ି ପାରିବ ନାହିଁ । ପ୍ରବନ୍ଧକାର ଅବଶ୍ୟ ନୀତି ଓ ଅନୀତି ଭିତରେ ତାରତମ୍ୟ ରଖିବ, ନିଜର ନିର୍ଦ୍ଦିଷ୍ଟ ନୀତି ଉପରେ ଦୃଢ଼ ବିଶ୍ଵାସ ରଖିବ, କିନ୍ତୁ ସେଥିପାଇଁ ସେ ଅନ୍ୟ ନୀତିର ଅନୁଚାରୀକୁ ଭ୍ରଷ୍ଟାଚାରୀ ବୋଲି କହିବାର ଉତ୍ସାହ ବା ଉଷ୍ଣତା ପୋଷଣ କରିବ ନାହିଁ । ସହିଷ୍ଣୁ ହେବା ଓ ତଟସ୍ଥ ଦୃଷ୍ଟି ଅର୍ଜନ କରିବା ଯେ ବୁଝିବାର ପ୍ରଥମ ସୋପାନ, ସେ ଏକଥା ସବୁବେଳେ ମନେ ରଖିଥିବ ।

 

ଦ୍ଵିତୀୟଟି ହେଉଚି ସ୍ଵଭାବରସିକତା । ଏହି ଗୁଣଟି ପ୍ରଥମଟିର ଆନୁଷଙ୍ଗିକ । ଇଂରାଜୀରେ ଏହାକୁ Humour ବୋଲି କୁହାଯାଏ । ଯିଏ କାରଣ ଅକାରଣରେ ହସେ ଓ ହସାଏ, ଯିଏ ପାତ୍ର ଅପାତ୍ରରେ ହାସ୍ୟାସ୍ପଦ ହୁଏ ଓ ହାସ୍ୟାସ୍ପଦ କରାଏ, ତାହାକୁ ଆମେ ସାହିତ୍ୟିକ ଅର୍ଥରେ ସ୍ଵଭାବରସିକ ବୋଲି କହିପାରିବା ନାହିଁ । ପ୍ରାଚୀନ ଗ୍ରୀସ୍‌ରେ ହିପୋକ୍ରାଟିସ୍ (Hippocrates) ମନୁଷ୍ୟ ଶରୀରରେ ଚାରିପ୍ରକାର Humour ଥିବାର କଳ୍ପନା କରିଥିଲେ । Humourର ମୂଳ ବ୍ୟୁତ୍ପତ୍ତିଗତ ଅର୍ଥ ହେଉଚି ଆର୍ଦ୍ରତା । ଯେଉଁପରି ସ୍ଵଭାବ ମନୁଷ୍ୟକୁ ଶୁଷ୍କ ଓ ଉତ୍ତେଜିତ ହେବାରୁ ବଞ୍ଚାଇ ରଖେ, ସମସ୍ତ ପ୍ରକାର ବିପତ୍ତି ଓ ବିଫଳତା ସତ୍ତ୍ୱେ ତଥାପି ଯିଏ ମଣିଷକୁ ସହଜ, ସରଳ ଓ ଧୃତି ସମ୍ପନ୍ନ ହେବାରେ ସାହାଯ୍ୟ କରେ, ଆପଣାର ସମସ୍ତ ପ୍ରକାର ଆୟୋଜନ ଓ ଆଡ଼ମ୍ବର ପ୍ରତି ଯିଏ ଏକ ମୋହମୁକ୍ତ ଅନୁଦ୍‌ବିଗ୍ନ ମନୋଦୃଷ୍ଟି ରଖିବାକୁ ଶିଖାଏ ତାହାକୁ ହିଁ ସାହିତ୍ୟରେ Humour ବୋଲି କୁହାଯାଇଛି । ଡେନ୍‌ମାର୍କର ଦାର୍ଶନିକ Hoeffding ଏହାକୁ ସମଗ୍ରାନୁଭୂତି (Total Foelelse) ବୋଲି ଅର୍ଥ କରିଚନ୍ତି । ଜୀବନରେ ସବୁବେଳେ ହସିପାରିବା ସହଜ ନୁହେଁ, ଆପଣାର ସମସ୍ତ ବିଫଳତା ଓ ଅକିଞ୍ଚନତା ସତ୍ତ୍ୱେ ଶାନ୍ତ ଓ ଅନୁତ୍‌କ୍ଷିପ୍ତ ରହିପାରିବା ଆଦୌ ସହଜ ନୁହେଁ । ଏଥିପାଇଁ ଅହଂରୁ ଉପରକୁ ଉଠିବାକୁ ପଡ଼ିବ, ଏଥିପାଇଁ ଅହଂର ସକଳ ପ୍ରକାର ସମୂହୀକରଣରୁ ଉପରକୁ ଉଠିବାକୁ ପଡ଼ିବ, ଏଥିପାଇଁ ସମସ୍ତ ତାତ୍କାଳିକ ଆସକ୍ତିର ଫାଶ କାଟି ଉପରକୁ ଉଠିବାକୁ ପଡ଼ିବ । ମଧ୍ୟଯୁଗର ୟୁରୋପୀୟ ଇତିହାସରୁ ଦୁଇଟି ଚରିତ୍ରର ତୁଳନାତ୍ମକ ଆଲୋଚନା କଲେ ସମ୍ଭବତଃ ମୋର କହିବା ଅଧିକ ସ୍ପଷ୍ଟ ହୋଇପାରିବ । ଗୋଟିଏ ପାଖରେ ଜର୍ମାନୀର ମାର୍ଟିନ୍‌ଲୁଥର୍‌, ଅପର ପାଖରେ ରୁଟର୍‌ଡ଼ାମ୍‌ର ରରାସ୍‌ମୁସ୍–ଦୁହେଁ ଧର୍ମର ସଂସ୍କାର ଚାହୁଁଥିଲେ । ଦୁହେଁ ପୋପ୍‌ଙ୍କର ଏକାଧିପତ୍ୟର ଅନ୍ତ ହେବା କାମନା କରୁଥିଲେ । କିନ୍ତୁ ଲୁଥର୍‌ଙ୍କ ହୃଦୟରେ ଧର୍ମ ଅପେକ୍ଷା ଉଗ୍ର ଘୃଣାର ଆବେଦନ ଅଧିକ ଥିଲା । ଏହାରି ଫଳରେ ସେ ଗୋଟିଏ ପ୍ରକାର ଧର୍ମାନ୍ଧତାର ମୂଳତ୍ପାଟନ କରିବାକୁ ଯାଇ ଆଉ ଗୋଟିଏ ଧର୍ମାନ୍ଧତାର ବୀଜବପନ କରିବାର ଅଧାର୍ମିକ କାର୍ଯ୍ୟରେ ନେତୃତ୍ଵ ଗ୍ରହଣ କଲେ । କିନ୍ତୁ ସମସ୍ତ ଚଞ୍ଚଳତା ଓ ଜ୍ଵରାକ୍ରାନ୍ତତାରୁ ଦୂରରେ ରହି ଏରାସ୍‌ମୁସ୍ ଅତି ସ୍ଥିର ଓ ନମ୍ର ଭାବରେ ଲୁଥର୍‌ଙ୍କର ସମସ୍ତ ଦିଗ୍‌ବିଜୟର ନିଷ୍ଫଳତା ପ୍ରତି ଅଙ୍ଗୁଳି-ନିର୍ଦ୍ଦେଶ କରିଦେଉ ଥିଲେ । ଇତିହାସରେ ଲୁଥର୍ ଜିତିଲେ, ଏରାସ୍‌ମୁସ୍ ହାରିଗଲେ । କିନ୍ତୁ ସାହିତ୍ୟିକ ଲୁଥର୍‌ଙ୍କର ଏହି ଜିତିବାକୁ କଦାପି ଜିତିବା ବୋଲି ସ୍ଵୀକାର କରିବନାହିଁ । ପରନ୍ତୁ ଏରାସମୁସ୍‌ଙ୍କର ନିର୍ଲିପ୍ତତା, ସ୍ଥୈର୍ଯ୍ୟ ଓ ବୁଝିବାର ଶକ୍ତି ସାହିତ୍ୟିକର ଅନୁକରଣୀୟ ହୋଇ ରହିଥିବ । ଏରାସ୍‌ମୁସ୍‌ଙ୍କର ପ୍ରବନ୍ଧମାନ ଯିଏ ପଢ଼ିଥିବ, ତାଙ୍କର ଅନ୍ତର୍ଗତ ସ୍ଵଭାବରସିକତାର ପରିଚୟ ସେ ଅବଶ୍ୟ ପାଇଥିବ ।

 

ପ୍ରବନ୍ଧକାର ଅଳ୍ପଭାଷୀ ହେବ, ସ୍ଵଭାବତଃ ସେ ମୌନ ହେବ । ମୌନ ଓ ମୂକ ଭିତରେ ଯଥେଷ୍ଟ ପ୍ରଭେଦ ରହିଚି । ଯେତିକି ଆବଶ୍ୟକ, କେବଳ ସେତିକି କହିବା ଏବଂ ତାହାକୁ ସୁନ୍ଦର ଓ ହୃଦୟଗ୍ରାହୀ କରି କହିବା ଏହା ହେଉଚି ମୌନ ହେବାର ଗୁଣ । ଅତିରଞ୍ଜନ ପ୍ରବନ୍ଧରେ ଶୋଭା ପାଏନାହିଁ । ଅତିରିକ୍ତ ଓ ଅତ୍ୟଧିକ କହିବାକୁ ଆଗ୍ରହ ପ୍ରକାଶ କରୁଥିବା ପ୍ରବନ୍ଧକାର ପାଠକ ପାଖରେ ଅସହ୍ୟ ହୋଇ ପଡ଼ିବାର ଆଶଙ୍କା ଥାଏ । ଯିଏ ଉପଦେଶ ଦିଏ, ଯିଏ ପ୍ରଚାର କରେ, ଯିଏ ସାରା ସଂସାରକୁ ଆପଣା ସହିତ ହୁରୁଡ଼ାଇ ନେବାକୁ ଚାହେଁ, ଯିଏ ଆଦର୍ଶକୁ ପିତୁଳା କରି ତାହାରି ନାମରେ ଦିଗ୍‌ବିଜୟ କରିବାକୁ ବାହାରେ, ଅଧିକ କହିବା ତାହାକୁ ହିଁ ସୁହାଏ, ବିସ୍ଫାରିତ କରି କହିବାକୁ ସ୍ଵଭାବତଃ ସେଇ ଭଲପାଏ । କିନ୍ତୁ ପ୍ରବନ୍ଧକାରର କୌଣସି ଗଡ଼ ଜିତିବାକୁ ନଥାଏ । ତେଣୁ ସେ ଶବ୍ଦମୈଥୁନର ସମସ୍ତ ଉପଚାରରୁ ଦୂରରେ ରହିବାକୁ ଚେଷ୍ଟାକରେ ।

 

ପ୍ରବନ୍ଧକାର ହେଉଚି ତା’ର ଆପଣା ମାର୍ଗରେ ଜୀବନର ଜଣେ ବ୍ୟାଖ୍ୟାକାର, ଜଣେ ସମ୍ୟକ୍ ଆଲୋଚକ । ସାହିତ୍ୟକୁ ଅନେକ ସ୍ଥଳରେ ଜୀବନର ବ୍ୟାଖ୍ୟା ବୋଲି କୁହାଯାଇଚି । ପ୍ରବନ୍ଧର ଉଦ୍ଦେଶ୍ୟ ସାହିତ୍ୟର ଏହି ସାଧାରଣ ଉଦ୍ଦେଶ୍ୟଠାରୁ ଆଦୌ ଭିନ୍ନ ହୋଇନପାରେ । ଜୀବନର ସମସ୍ତ ରୁକ୍ଷତା ଓ ବ୍ୟର୍ଥତା ସତ୍ତ୍ୱେ ତଥାପି ମଣିଷକୁ ଜୀବନଆଡ଼କୁ ଆକର୍ଷିତ କରି ନେଇଆସିବା, ଜୀବନର ଉପରିଭାଗରେ ଉତ୍‌ଥିତ ହେଉଥିବା ସମସ୍ତ ପ୍ରକାର ଆନ୍ଦୋଳନ ଓ ଆକୁଳତାକୁ ଭେଦକରି ଜୀବନର ମର୍ମକୁ ବୁଝିବାକୁ ଓ ଅନୁଭବ କରିବାକୁ ଏକ ଶ୍ରଦ୍ଧାପୂର୍ଣ୍ଣ ଦୃଷ୍ଟି ଅର୍ଜନ କରାଇଦେବା, ନିରାନନ୍ଦ ଓ ଆନନ୍ଦମୟ ଏହି ବିଚିତ୍ର ଜୀବନର ସମଗ୍ରତା ସହିତ ପରିଚିତ କରାଇଦେବା, ଏହାହିଁ ହେଉଚି ପ୍ରବନ୍ଧାକାରର ଉଦ୍ଦେଶ୍ୟ ।

 

ଓଡ଼ିଆ ସାହିତ୍ୟରେ କିଏ ପ୍ରଥମେ ପ୍ରବନ୍ଧ ଲେଖିବା ଆରମ୍ଭ କଲେ, ସାହିତ୍ୟରେ ଏହି ନୂତନ ଶୈଳୀକୁ ନେଇ ଓଡ଼ିଶାରେ ପ୍ରୟୋଗ କରିବାକୁ ଆରମ୍ଭ କଲାବେଳେ କିଏ କାହାଠାରୁ କେତେ ଗ୍ରହଣ କରିଥିଲେ ବା କାହାଦ୍ୱାରା କେତେ ପ୍ରଭାବିତ ହୋଇଥିଲେ, ଏହିସବୁ ତଥ୍ୟ ଉଖାରିବା ଆରମ୍ଭ କରି ପ୍ରବନ୍ଧଟିକୁ ଗୁରୁ କରିଦେବା ମୋର ଆଦୌ ଇଚ୍ଛା ନୁହେଁ । ସାହିତ୍ୟ ଭିତରେ ଇତିହାସ ଅବଶ୍ୟ ରହିବ, କିନ୍ତୁ ଇତିହାସକୁ ହିଁ ମୁଁ କଦାପି ସାହିତ୍ୟ–ସମାଲୋଚନା ବୋଲି କହି ପାରିବି ନାହିଁ । ଓଡ଼ିଆ ସାହିତ୍ୟରେ ପ୍ରବନ୍ଧର ଇତିହାସ ଗତ ପଚାଶବର୍ଷ ଭିତରର ଇତିହାସ, ଏହି ସମୟ ମଧ୍ୟରେ ଓଡ଼ିଆ ଛାପାଖାନାରୁ ଯେଉଁସବୁ ପ୍ରବନ୍ଧପୁସ୍ତକ ବାହାରିଚି, ତାହାର ଏକ ତାଲିକା ପ୍ରସ୍ତୁତ କରିବାରେ ଖୁବ୍ ବେଶୀ ଲାଭ ନାହିଁ ବୋଲି ମୁଁ ବିଚାର କରେ । କାରଣ ଏଥିରେ ପ୍ରମାଦ ହିଁ ଅଧିକ, ସମ୍ୟକ ଆଲୋଚନାର ପରିସର ଅତ୍ୟନ୍ତ କମ୍ । ହୁଏତ ପୋଥି ଘାଣ୍ଟି ମୁଁ ଯାହାକୁ ଓଡ଼ିଶାରେ ପ୍ରଥମ ପ୍ରବନ୍ଧ ଲେଖକ ବୋଲି କହିବାକୁ ବସିବି, ଗୋଟିଏ ବଡ଼ ଆବିଷ୍କାର କରି ପକାଇଲି ବୋଲି ହୁଏତ ଆତ୍ମପ୍ରସାଦ ଅନୁଭବ କରିବି, କାଲି ଯେ ଆଉ କେହି ଅଧିକ ପୋଥି ଘାଣ୍ଟି ଆଉଜଣକୁ ପ୍ରଥମ ପ୍ରବନ୍ଧଲେଖକ ବୋଲି ଘୋଷଣା କରିବେ, ସେଥିରେ ବା ଅସମ୍ଭବ କଣ ଅଛି ? ଓଡ଼ିଶାରେ ଅପ୍ରଶସ୍ତ ସାହିତ୍ୟ-ସମାଲୋଚନାର କ୍ଷେତ୍ରରେ ଏହାର ଯଥେଷ୍ଟ ଦୃଷ୍ଟାନ୍ତ ଦେଖିବାକୁ ମିଳିବ । ତେଣୁ ଏ ବିଷୟରେ କେବଳ କେତୋଟି ସାଧାରଣ କଥା କହି ମୁଁ ମୋର କର୍ତ୍ତବ୍ୟ ସମାପ୍ତ କରିବି ବୋଲି ଭାବୁଚି ।

 

ଇଉରୋପୀୟ ସଂସ୍କୃତି ସହିତ ଭାରତୀୟ ସଂସ୍କୃତିର ସମ୍ପର୍କ ଓ ସଂଘର୍ଷ–ଏହାକୁ ହିଁ ଭାରତୀୟ ସାହିତ୍ୟରେ ଆଧୁନିକ ଯୁଗର ଭୂମି ବୋଲି କୁହାଯାଏ । ଏହି ସମ୍ପର୍କ ଓ ସଂଘର୍ଷଜନିତ କ୍ରିୟା ଓ ପ୍ରତିକ୍ରିୟାରୁ ଓଡ଼ିଶାରେ ପ୍ରବନ୍ଧ ସାହିତ୍ୟ ଆରମ୍ଭ ହୋଇଥିଲା । ଇଂରେଜ ଓଡ଼ିଶାକୁ ଆସିଲେ, ଓଡ଼ିଶା ଲୋକେ ଇଂରେଜୀ ସଭ୍ୟତା ଓ ଇଂରେଜୀ ଆଚରଣର ସମ୍ପର୍କରେ ଆସିଲେ, ଯୁଗଯୁଗର ପରମ୍ପରା ଉପରେ ଆଘାତ ଲାଗିଲା, ପରମ୍ପରାଗତ ସତ୍ୟ ଓ ଜୀବନମୂଲ୍ୟର ସଂଜ୍ଞାମାନ ବଦଳିବାକୁ ଲାଗିଲା । ଦେଶରେ ଆମର ପଡ଼ୋଶୀମାନଙ୍କ ଭିତରେ ଏଥିଲାଗି ଯେଉଁ ଚାଞ୍ଚଲ୍ୟ ଦେଖା ଯାଇଥିଲା । ଓଡ଼ିଶାରେ ମଧ୍ୟ ସେହି ଚାଞ୍ଚଲ୍ୟ ହିଁ ଅନୁଭୂତ ହୋଇଥିଲା । ଏହି ଚାଞ୍ଚଲ୍ୟ ଆସି ଆମର ଆବଦ୍ଧ ଜାତୀୟ ଜୀବନର ଦ୍ଵାର ଫିଟାଇଦେଲା । ଆମକୁ ନୂତନ ଧାରାରେ ଓ ନୂତନ ସଚେତନତାରେ ଚିନ୍ତା କରିବାକୁ ଶିଖାଇଲା । ଏହାର ପ୍ରତିକ୍ରିୟା ଦୁଇ ପ୍ରକାରର ହୋଇଥିଲା । ଇଉରୋପୀୟ ରୀତିନୀତିର ପ୍ରଭାବରେ ଆସି ଆମର ଦେଶ ଓ ସଂସ୍କୃତି କିପରି ମୂଳଛିଣ୍ଡା ହୋଇ ଯାଉଚି, ଏହି ନୂତନ ସଂସ୍କୃତି କିପରି ଆମକୁ ଆମ ଆପଣା ଦେଶରେ ପ୍ରବାସୀ କରି ପକାଉଚି, ଏହି ବିଷୟରେ ସଚେତ କରିଦେବାପାଇଁ ଯେଉଁ ବ୍ୟଗ୍ରତା ପ୍ରକାଶ ପାଇଥିଲା, କେତେକ ସାହିତ୍ୟକାର ତାହାକୁ ହିଁ ଆପଣା ପ୍ରବନ୍ଧର ପାଠ୍ୟ ସାମଗ୍ରୀ ରୂପେ ବ୍ୟବହାର କଲେ । ଇଂରେଜ ଶାସନ ଦେଶକୁ ଆସିଲା, ତେଣୁ ଇଂରାଜୀ ଶିକ୍ଷା ଆମର ପାଠଶାଳାକୁ ଆସିଲା, ଇଂରାଜୀ ଫେଶନ ଓ ଇଂରେଜୀ ମନୋଭାବ ଆମର ସମାଜ ଭିତରେ ପଶିବାକୁ ଲାଗିଲା । ପୁରୁଣା ସମାଜର ଗଠନମାନ ଗୋଟି ଗୋଟି ହୋଇ ଭାଙ୍ଗି ପଡ଼ିଲା, ଆମ ଦେଶର ପୁରୁଣା ଆଚାରସୂତ୍ରଗୁଡ଼ାକ ଦୁର୍ବଳ ହୋଇ ପଡ଼ିଲା । ନୂଆ ଓ ପୁରୁଣାର ସନ୍ଧି ସ୍ଥଳରେ ଠିଆହୋଇ ବାଇ ମାହାନ୍ତି ଆପଣା ମନର ପ୍ରତିବେଦନକୁ ପାଞ୍ଜି ଆକାରରେ ଲେଖି ବସିଲେ । ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ପ୍ରହରାଜ, ଫକୀର ମୋହନଙ୍କର ଗଦ୍ୟଲିଖନଭଙ୍ଗୀରେ ପ୍ରବନ୍ଧ ଲେଖିଲେ । ତାଙ୍କର ଶୈଳୀ ସରଳ, ସହଜ, ସହଜ ଅଥଚ ଶ୍ଳେଷପୂର୍ଣ୍ଣ । ପୃଷ୍ଠାଏ ପଢ଼ିଲେ ମନେହୁଏ ଯେପରି ବହିରେ ପ୍ରତ୍ୟେକ ଧାଡ଼ି ଓ ପ୍ରତ୍ୟେକ ଶବ୍ଦ ହସିବାର ଉପକ୍ରମ କରୁଛନ୍ତି ଓ ପାଠକକୁ ହସାଇବାର ସମସ୍ତ ଉପକରଣ ପ୍ରସ୍ତୁତ କରି ରଖିଚନ୍ତି ।

 

ତଥାପି ଶବ୍ଦ ଓ ଧାଡ଼ିଗୁଡ଼ିକର ପଛରେ ଏକ କରୁଣତା ପ୍ରବଣ ହୋଇ ରହିଚି । ଶ୍ରୀଯୁକ୍ତ ପ୍ରହରାଜ କୌଣସି ଉପଦେଶ ଦେବାକୁ ଚେଷ୍ଟା କରିନାହାନ୍ତି, କୌଣସି ପକ୍ଷର ପହିଲିମାନ ହେବାର ଅଭିଳାଷ କରିନାହାନ୍ତି, ବାଇ ମାହାନ୍ତିଙ୍କ ଜରିଆରେ ସେହି ସମୟର ଯାବତୀୟ ପରିବର୍ତ୍ତନ ପ୍ରତି ଏକପ୍ରକାର ବ୍ୟଙ୍ଗ ଓ ସଂଶୟପୂର୍ଣ୍ଣ ଦୃଷ୍ଟି ପୋଷଣ କରିଛନ୍ତି । ତାଙ୍କର ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ରୁ ମଧ୍ୟ ଠିକ୍ ଏହି ବିଚାରଦୃଷ୍ଟିର ପରିଚୟ ମିଳିଥାଏ ।

 

‘ପ୍ରବନ୍ଧସାର’ [ଶ୍ରୀ ଜଗବନ୍ଧୁ ସିଂହ ପ୍ରଥମ ସଂସ୍କରଣରେ] ପ୍ରକାଶିତ ହୋଇଥିବା ଦୃଷ୍ଟି ଟିକିଏ ଭିନ୍ନ ପ୍ରକାରର, ଆଧୁନିକ ଯୁଗର ଏହି ସଂସ୍କୃତି-ପରିବର୍ତ୍ତନକୁ କେବଳ ଏକ ସଂଶୟ ବା ବ୍ୟଙ୍ଗଦୃଷ୍ଟିରେ ଦେଖିବାକୁ ସେ ଯଥେଷ୍ଟ ମନେ କରିନାହାନ୍ତି । ନୂତନ ଭିତରେ ସେ ଏକ ପ୍ରମାଦର ଆଶଙ୍କା କରିଛନ୍ତି । ଭାରତ ବର୍ଷର ଦ୍ଵାରଦେଶରେ ସମାଗତ ସଭ୍ୟତା ପ୍ରବାହକୁ ସେ ଏହି ଦେଶ ଉପରେ ବିଦେଶୀର ଆକ୍ରମଣ ବୋଲି ଭୟ ପ୍ରକାଶ କରିଚନ୍ତି । ପୁରୁଣା ହିଁ ଭଲ, କାରଣ ତାହା ଆମର, ଏହି ଦେଶର, ଯାହା ନୂତନ, ତାହା ବହିରାଗତ ତେଣୁ ବର୍ଜନୀୟ । ପୁରୁଣା ପ୍ରତି ମୋହ ଏବଂ ଅପର ଅର୍ଥାତ୍ ପାଶ୍ଚାତ୍ୟ ସଂସ୍କୃତିପ୍ରତି ସଂଶୟ ପ୍ରଦର୍ଶନ,–ଏହାହିଁ ହେଉଚି ଜଗବନ୍ଧୁଙ୍କର ପ୍ରଧାନ ଦୃଷ୍ଟିକୋଣ । ତାଙ୍କର ପ୍ରାୟ ସମସ୍ତ ପ୍ରବନ୍ଧ ଭିତରେ ଏହି ଦୃଷ୍ଟିକୋଣ ହିଁ ପ୍ରକାଶ ପାଇଚି । ଆପଣା ଜାତି ବିଷୟରେ ତାଙ୍କର ବିଚାର ଏତେଦୂର ମୁଗ୍‌ଧ ହୋଇପଡ଼ିଚି ଯେ ସେ ଲୋକହିତ ଓ ଜାତିହିତକୁ ପରସ୍ପର ସହିତ ଗୋଳେଇ ଘାଣ୍ଟି ଦେଇଚନ୍ତି । ଜାତି ହିତ ଯେ କେବେ ଲୋକହିତର ପ୍ରତିସ୍ପର୍ଦ୍ଧୀ ହୋଇପାରେ, ଏ ବିଷୟରେ କୌଣସି ଆଶଙ୍କା ମଧ୍ୟ କରିନାହାନ୍ତି । ଜାତିବିଷୟରେ ଆପଣାର ଆଗ୍ରହ ପ୍ରକାଶ କରିବାକୁ ଯାଇ ସେ ଦଧୀଚି ଓ ବଶିଷ୍ଠଙ୍କୁ ମଧ୍ୟ ଜାତୀୟ ଜୀବନର ଜ୍ଵଳନ୍ତ ଉଦାହରଣ ବୋଲି ଦେଖାଇଚନ୍ତି [ପୃ ୪୪], କିନ୍ତୁ ଜାତି ଓ ଜାତୀୟତାର ଭାବନା ଯେ ପାଶ୍ଚାତ୍ୟ ସଂସ୍କୃତିର ତରଙ୍ଗ ଉପରେ ସେହି ‘ଅପର’ ଦେଶରୁ ଏ ଦେଶକୁ ଆସିଥିଲା ଏକଥା ସେ ସନ୍ଦେହ ମଧ୍ୟ କରି ପାରିନାହାନ୍ତି । ‘ହାତ ପାଇଟି’ ଓ ‘ସ୍ତ୍ରୀ ଶିକ୍ଷା’, ଏହି ଦୁଇଟି ବିଷୟକୁ ଛାଡ଼ିଦେଲେ ‘ପ୍ରବନ୍ଧ ସାର’ର ପ୍ରାୟ ପ୍ରତ୍ୟେକଟି ବିଷୟ ଆମକୁ କେବଳ ପୁରାତନଆଡ଼କୁ ଟାଣିନେବାର ଓ ପୁରାତନକୁ ଚିହ୍ନାଇ ଦେବାର ଅଭିଳାଷ ରଖିଚି । ଦୃଷ୍ଟାନ୍ତ ସ୍ୱରୂପ ଆୟୁର୍ବେଦ, ଜ୍ୟୋତିର୍ବିଦ୍ୟା, ପୁରାଣ, ପୁରାତନ ଭାରତର ବୈଦେଶିକ ବାଣିଜ୍ୟ, ଭାଗବତଘର ପ୍ରବନ୍ଧମାନ ନିଆଯାଇପାରେ ।

 

ଓଡ଼ିଆ ପ୍ରବନ୍ଧର ଇତିହାସରେ ଶ୍ରୀଯୁକ୍ତ ବିଶ୍ଵନାଥ କରଙ୍କର ଏକ ସମ୍ମାନାସ୍ପଦ ସ୍ଵତନ୍ତ୍ର ସ୍ଥାନ ଚିରଦିନ ରହିଥିବ । ତାଙ୍କର ‘ବିବିଧ ପ୍ରବନ୍ଧ’ (୪ର୍ଥ ସଂସ୍କରଣ, ୧୯୩୦) ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟରେ ସବୁଦିନ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଥିବ । ଶ୍ରୀଯୁକ୍ତ ବିଶ୍ଵନାଥ କାର୍ଲାଇଲ ଓ ଇମର୍ସନ୍ ପ୍ରଭୃତି ଚିନ୍ତାଶୀଳ ବ୍ୟକ୍ତିମାନଙ୍କଦ୍ଵାରା ଯଥେଷ୍ଟ ପ୍ରଭାବିତ ହୋଇଥିଲେ । ସେମାନଙ୍କର ବିଚାର ଓ ଶୈଳୀ ତାଙ୍କର ପ୍ରବନ୍ଧଗୁଡ଼ିକରେ ଅତି ସ୍ପଷ୍ଟ ଭାବରେ ପ୍ରଭାବିତ ହୋଇଥାଏ । ପ୍ରବନ୍ଧକାର ହିସାବରେ ବିଶ୍ଵନାଥଙ୍କର ଦୃଷ୍ଟିକୁ କେବଳ ଜାତୀୟ ଦୃଷ୍ଟି ବୋଲି କୁହାଯାଇ ପାରିବ ନାହିଁ । ଏହି ଦୃଷ୍ଟି ଏକ ଦାର୍ଶନିକ ଦୃଷ୍ଟି । ଏଠାରେ ଜାତୀୟତାର ବେଦୀ ପାଖରେ ସମସ୍ତ ଦର୍ଶନ, ସମସ୍ତ ସତ୍ୟ ଓ ବିଚାର ବଳି ପଡ଼ି ନାହିଁ । ‘My Country, right or wrong’–ଏଠି ଏହି ଅବିଜ୍ଞାନୀ ମନର କୌଣସି ଗନ୍ଧ ନାହିଁ । ଅଧିକନ୍ତୁ ଦର୍ଶନ, ସତ୍ୟ ଓ ମାନବିକ ବିଚାର ଜାତୀୟତାକୁ ନୂତନ ଅର୍ଥ ଆୟତନରେ ଅଧିକ ସମୃଦ୍ଧମନ୍ତ କରି ପାରିଛି । ପାଖ ପାଶ୍ଚାତ୍ୟକୁ ଭୟ କରିବ ନାହିଁ, ପାଶ୍ଚାତ୍ୟର ଭଲ ଜିନିଷକୁ ଚିହ୍ନି ଶିଖିବ, ଆଦର କରି ଶିଖିବ, ଅପର ସଂସ୍କୃତିର ଆଦର ଓ ସ୍ଵୀକାର ତାକୁ ଆପଣାର ସ୍ଥାୟୀ ସମ୍ପଦଗୁଡ଼ିକୁ ଅନୁଭବ କରି ପାରିବାକୁ ଅଧିକ ପ୍ରେରଣା ଦେବ–ଏହି ଉଦାରତା ଓ ସହଜ ସମ୍ମିଳନେଚ୍ଛା ହେଉଛି ବିଶ୍ଵନାଥଙ୍କର ପ୍ରବନ୍ଧଗୁଡ଼ିକର ମର୍ମକଥା । କେତୋଟି ଉଦାହରଣରୁ ଆମେ ତାଙ୍କର ଉଦାର ଓ ଦାର୍ଶନିକ ମନୋଭୂମିର ସୂଚନା ପାଇ ପାରିବା, “ସ୍ଵାଧୀନତାର ପ୍ରକୃତ ଅର୍ଥ ଆତ୍ମାର ସ୍ଵାଧୀନତା” (ପୃ–୧୫) । “ସକଳ ବିଧି ତାହାର ହୃଦୟରେ । ଯାହା ସେ ହୃଦୟର ନିଭୃତ ସ୍ଥାନରେ ନପାଏ, ସମସ୍ତ ପୃଥିବୀ ତାହା ସମସ୍ଵରରେ ପ୍ରଚାର କଲେ ସୁଦ୍ଧା ସେ ତାହା ଗ୍ରହଣ କରିବ ନାହିଁ । ପ୍ରକୃତ ମନୁଷ୍ୟ ଏହିଠାରେ” (ପୃ–୧୬) । ‘ସ୍ଵାଧୀନତାର ଯୋଗ୍ୟ ହେବାର ଲକ୍ଷଣ–ଆତ୍ମସମ୍ମାନ-ବୋଧ’ (ପୃ–୨୨) । “ଜାତୀୟ ଗୌରବ ସର୍ବଥାଶ୍ଳାଘ୍ୟ–ଜାତୀୟତା ଶୂନ୍ୟ ମନୁଷ୍ୟ ପଶୁଠାରୁ ଅଧମ । କିନ୍ତୁ ବିକୃତ ଜାତୀୟତା ଦେଖିଲେ ଆମ୍ଭମାନଙ୍କର ସର୍ବାଙ୍ଗ ଜଳି ଉଠେ” (ପୃ–୯୬) । “ରକ୍ଷଣଶୀଳତା ଯେବେ ବର୍ତ୍ତମାନ ଏବଂ ଭବିଷ୍ୟତ ପ୍ରତି ଅନ୍ଧ ହୁଏ, ତେବେ ଏହା ସମାଜର ଶତ୍ରୁ” (ପୃ–୯୮) । “ଏପରି ହେବାର ହେତୁ କଣ ? ହେତୁ ଆଉ କିଛି ନୁହେଁ, କେବଳ ଔଦାସୀନ୍ୟ । ....ଜଗଦୀଶ୍ଵର ଏ ପତିତ ବିକାରଗ୍ରସ୍ତ ଜାତିକୁ ଉଦ୍ଧାର କରନ୍ତୁ” (ପୃ–୧୦୧) । “ମାତ୍ର ଅନେକ ସ୍ଥଳରେ ଏକ ପ୍ରକାର ବିକୃତ ସ୍ଵଜନପ୍ରିୟତା ଦେଖାଯାଏ, ଏହା ସଂକୀର୍ଣ୍ଣତା ଓ ପରଜାତି–ବିଦ୍ଵେଶରେ ନାମାନ୍ତର ମାତ୍ର” (ପୃ–୧୪୧) । ଏହି ସବୁ ଉକ୍ତିରେ ସ୍ପର୍ଶକାତର ପ୍ରାଚ୍ୟ ବା ପାଶ୍ଚାତ୍ୟର କୌଣସି ଗନ୍ଧ ନାହିଁ । ପୁରୁଣା ପ୍ରତି ମୋହ ନାହିଁ ବା ନୂଆ ପାଇଁ କୌଣସି ଭୟ ନାହିଁ । ଅଥଚ ମଣିଷ ଉପରେ ଏକ ବଳିଷ୍ଠ ବିଶ୍ଵାସ ପ୍ରକଟିତ ହୋଇଛି ।

 

‘ସାହିତ୍ୟ ଚର୍ଚ୍ଚାରେ’ ଶ୍ରୀଯୁକ୍ତ ବିଶ୍ଵନାଥ କହିଚନ୍ତି; “ମାନବ ଜାତି ମଧ୍ୟରେ କବି ସ୍ପର୍ଶ ମଣି-। ସେ ଯହିଁରେ ହାତ ଦେବ ସେ ସୁନା ହେବ । ....ଆମ୍ଭମାନଙ୍କ ଚକ୍ଷୁ ଯେଉଁଠାରେ ଜଡ଼ ଦେଖେ, କବି ସେଠାରେ ଚୈତନ୍ୟ ଦେଖନ୍ତି । ଆମ୍ଭେମାନେ ପଦାର୍ଥର ବହିର୍ଭାଗ ଦେଖୁ, କବି ବହିରାବରଣ ଭେଦ କରି ନିଗୂଢ଼ତମ ପ୍ରଦେଶର ସମ୍ବାଦ ଆଣି ଲୋକଙ୍କ ନିକଟରେ ପ୍ରକାଶ କରନ୍ତି” (ପୃ–୬୭), “ଭଞ୍ଜ-ସାହିତ୍ୟ ବିକୃତ ସାହିତ୍ୟର ଉଜ୍ଜ୍ଵଳ ଛବି, ପ୍ରୀତିଆ ଦଳ ବିକାର ଗ୍ରସ୍ତ ପାଠକର ଆଦର୍ଶ ସ୍ଵରୂପ” (ପୃ–୮୨) । “ଚିନ୍ତା ହିଁ ସାହିତ୍ୟର ସର୍ବସ୍ଵ” (ପୃ–୮୬) ତିରିଶି ବର୍ଷ ପରେ ମଧ୍ୟ ଆଜି ଏହି ସବୁ ମତ ଓ ବିଚାରର ଯଥେଷ୍ଟ ମହତ୍ତ୍ଵ ରହିଚି । ପାଶ୍ଚାତ୍ୟକୁ ଆମେ ଅନ୍ଧ ହୋଇ ଗ୍ରହଣ କରିବା ନାହିଁ ବା ପ୍ରାଚ୍ୟକୁ ଅନ୍ଧ ଭାବରେ ଫିଙ୍ଗି ଦେବା ନାହିଁ, ବିଶ୍ଵନାଥଙ୍କର ‘ଅନନ୍ତ ପ୍ରେମ’ (ପୃ–୪୪) ଓ ‘ହିତବାଦନୀତି’ (ପୃ–୫୩) ପ୍ରବନ୍ଧ ଦୁଇଟି ପଢ଼ିଲେ ଏକଥା ସ୍ପଷ୍ଟ ହୋଇଯାଏ-

 

ଏହାର ପରବର୍ତ୍ତୀ ଯୁଗରେ ଆଜି ପର୍ଯ୍ୟନ୍ତ ଓଡ଼ିଆରେ ଅନେକ ପ୍ରବନ୍ଧ–ପୁସ୍ତକ ପ୍ରକାଶ ପାଇଚି । କବିବର ରାଧାନାଥ ଓ ଭକ୍ତକବି ମଧୁସୂଦନ ମଧ୍ୟ ପ୍ରବନ୍ଧ ଲେଖିବାର ଚେଷ୍ଟା ଆଗରୁ କରିଥିଲେ । ଶ୍ରୀଯୁକ୍ତ ଶଶୀଭୂଷଣ ରାୟ, ନୀଳକଣ୍ଠ ଦାସ, ରତ୍ନାକର ପତି, ବିପିନ ବିହାରୀ ରାୟ ଓ ଡାକ୍ତର ବ୍ରଜବିହାରୀ ମହାନ୍ତିଙ୍କର ନାମ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଉଲ୍ଲେଖଯୋଗ୍ୟ । ‘ଉତ୍କଳ ସାହିତ୍ୟ’, ‘ସହକାର ଓ ‘ନବ ଭାରତ’ରେ ଅନେକ ପ୍ରବନ୍ଧକାର ପ୍ରବନ୍ଧ ଲେଖିବାର ସଫଳ ଓ ଅସଫଳ ଚେଷ୍ଟାମାନ କରିଚନ୍ତି । ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ରଥ ଓ ଶ୍ରୀଯୁକ୍ତ କାଳିଆ ପାଣିଗ୍ରାହୀ ଏହି ସବୁ ପତ୍ରିକାର ଜରିଆରେ ଆପଣାର ପ୍ରବନ୍ଧମାନ ପ୍ରକାଶିତ କରିଚନ୍ତି । ଏ ଯୁଗରେ ପ୍ରବନ୍ଧର ସଂଖ୍ୟା ନିଶ୍ଚୟ ଅନେକ ବଢ଼ିଚି । ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ମାୟାଧର ମାନସିଂହ ମଧ୍ୟ ପ୍ରବନ୍ଧ ଲେଖିଛନ୍ତି । କିନ୍ତୁ ଏ ସବୁର କେତେଦୂର ସାହିତ୍ୟିକ ମୂଲ୍ୟ ରହିଚି, ଏହି ସବୁ ପ୍ରବନ୍ଧ ଲେଖକମାନଙ୍କର ସ୍ଵତନ୍ତ୍ର ଜୀବନ ଦୃଷ୍ଟିକୁ କେତେଦୂର ପ୍ରକଟ କରିଛି, ତାହା ଏତେ ଶୀଘ୍ର କହି ପାରିବା ବଡ଼ କଷ୍ଟକର । ଆଜିକାଲି ପ୍ରବନ୍ଧ ପୁସ୍ତକମାନ ହାଇସ୍କୁଲ ଓ କଲେଜମାନଙ୍କରେ ସାହିତ୍ୟ-ବିଷୟରେ ଅତିରିକ୍ତ ପାଠ୍ୟ ହୋଇ ରହିଚି; ଅନେକ ପ୍ରବନ୍ଧ ପୁସ୍ତକ ପଢ଼ି ବେଳେବେଳେ ମନେହୁଏ, ଯେପରି ଓଡ଼ିଆ ଛାତ୍ରମାନଙ୍କୁ ଭଲ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ହିଁ ପ୍ରଧାନତଃ ଏହି ପ୍ରବନ୍ଧଗୁଡ଼ିକ ଲେଖାଯାଇଛି । De Quincey ସାହିତ୍ୟକୁ ପ୍ରଧାନତଃ ଦୁଇଟି ଭାଗରେ ବିଭକ୍ତ କରିଚନ୍ତି । ତଥ୍ୟ ଯୋଗାଇ ଦେବା ସାହିତ୍ୟ ଓ ପ୍ରେରଣା ଯୋଗାଇ ଦେବା ସାହିତ୍ୟ । ତାଙ୍କ ମତରେ ପ୍ରଥମ-ଶ୍ରେଣୀୟ ସାହିତ୍ୟ କେବଳ ତଥ୍ୟ ଯୋଗାଇ ଦିଏ, କେବଳ ଜ୍ଞାନ ଦିଏ । କିନ୍ତୁ ଦ୍ଵିତୀୟ ଶ୍ରେଣୀର ସାହିତ୍ୟ ଅନୁପ୍ରେରିତ କରେ, ନୂତନ ଭାବର ଉଦ୍ଦୀପନା ଦିଏ, ନୂତନ ବିଚାର ସ୍ତରକୁ ଉତ୍ତୋଳିତ କରି ନିଏ । ବିଜ୍ଞାନ ସାହିତ୍ୟକୁ ସେ ପ୍ରଥମ ଶ୍ରେଣୀର ଅନ୍ତର୍ଭୁକ୍ତ କରିଚନ୍ତି । ଅବଶ୍ୟ ବର୍ତ୍ତମାନ ସାହିତ୍ୟକୁ ଆମେ ଏପରି ଦୁଇଟି ଅସଂଲଗ୍ନ ଶ୍ରେଣୀରେ ବିଭକ୍ତ କରିବାକୁ ରାଜି ହେବା ନାହିଁ । ଭାରତରେ ବିଜ୍ଞାନର ଚର୍ଚ୍ଚା ଓ ବିଜ୍ଞାନ ପ୍ରତି ଆଗ୍ରହ ଯଥେଷ୍ଟ ବଢ଼ାଇବାକୁ ହେବ । ସେଥିପାଇଁ ବିଜ୍ଞାନକୁ ମଧ୍ୟ ଆକର୍ଷଣୀୟ ସରସ ଶୈଳୀରେ ପରିବେକ୍ଷଣ କରି ଶିଖିବାକୁ ହେବ । ବୈଜ୍ଞାନିକ ପ୍ରବନ୍ଧକୁ ସରସ କରି ଲେଖିବା ଦିଗରେ ବଙ୍ଗଳା ଓ ହିନ୍ଦୀ ଭାଷାରେ ଅତି ଚମତ୍କାର ପ୍ରଚେଷ୍ଟାମାନ ହୋଇଛି । ଅତି ସୁଖର କଥା, ଓଡ଼ିଶାରେ ଅଧ୍ୟାପକ ରାଧାନାଥ ରଥ, ଗୋକୁଳାନନ୍ଦ ମହାପାତ୍ର ଏବଂ ବିନୋଦ କାନୁନ୍‌ଗୋ ଏହି ଦିଗରେ ଆଗ୍ରହ ପ୍ରକାଶ କରୁଛନ୍ତି ।

 

ପ୍ରବନ୍ଧ ପରେ ସାହିତ୍ୟ-ସମାଲୋଚନା । ହିନ୍ଦୀ ସାହିତ୍ୟରେ ଗତ ଦଶବର୍ଷ ଭିତରେ ଯେତେ ସମାଲୋଚନା-ଗ୍ରନ୍ଥ ପ୍ରକାଶ ପାଇଚି, ତାହା ତୁଳନାରେ ଓଡ଼ିଆ ସାହିତ୍ୟର ଭଣ୍ଡାର ଅତି ଦରିଦ୍ର ବୋଲି ମନେହୁଏ । ଓଡ଼ିଆ ସମାଲୋଚନା ପୁସ୍ତକ ଆଙ୍ଗୁଠି ଅଗରେ ଗଣି ହୋଇଯିବ । ଓଡ଼ିଆ ସାହିତ୍ୟର ଏକ ଧାରାବାହିକ ଓ ସାଧାରଣ ତଥ୍ୟମୂଳକ ଇତିହାସ ମଧ୍ୟ ଏପର୍ଯ୍ୟନ୍ତ ଲେଖା ଯାଇନାହିଁ । ସେ ଦିଗରେ ହୁଏତ ଖୁବ୍‌ବେଶୀ ଆଗ୍ରହ ମଧ୍ୟ ପ୍ରକାଶ ପାଇନାହିଁ । ପିଲାଙ୍କର ପାଠପରୀକ୍ଷା ନେଇ ସେମାନଙ୍କୁ ଖଣ୍ଡେ ଖଣ୍ଡେ ଡିଗ୍ରୀ ଧରାଇଦେବାର ବ୍ୟାପାର ଓଡ଼ିଆ ବିଶ୍ଵବିଦ୍ୟାଳୟର ଏତେ ଶକ୍ତି ଓ ସମୟ ନେଉଚି ଯେ ଗବେଷଣାଆଡ଼କୁ ଧ୍ୟାନ ଦେବାପାଇଁ କାହାରି ବେଳ ନାହିଁ ।

 

ବେଳେବେଳେ ମନେହୁଏ, ଉଚ୍ଚକୋଟିର ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ସୃଷ୍ଟି କରିବା ଲାଗି ଓଡ଼ିଶାରେ ଏ ପର୍ଯ୍ୟନ୍ତ ଯୋଗ୍ୟ ଅନୁକୂଳ କ୍ଷେତ୍ର ପ୍ରସ୍ତୁତ ହୋଇପାରି ନାହିଁ । ସମ୍ୟକ୍ ଆଲୋଚନାର ବିକାଶ ଲାଗି ସମ୍ୟକ୍ ଦୃଷ୍ଟି ରହିଥିବା ଦରକାର । ସମ୍ୟକ୍ ଦୃଷ୍ଟି ସହିଷ୍ଣୁତାରୁ ଆସେ-। ବିଜ୍ଞ ଲୋକର ସଂଜ୍ଞା ନିରୂପଣ କରିବାକୁ ଯାଇ ଦାର୍ଶନିକ ସ୍ପିନୋଜା ଥରେ କହିଥିଲେ, ବିଜ୍ଞ ଲୋକ ବାହୁନି କାନ୍ଦେ ନାହିଁ, ନିନ୍ଦା କରେନାହିଁ ବା ଗାଳି ଦିଏନାହିଁ; ସେ ବୁଝିବାକୁ ଚେଷ୍ଟାକରେ-। ଓଡ଼ିଶାର ସାହିତ୍ୟ-ସମାଲୋଚନା କ୍ଷେତ୍ରରେ ଆମେ ଅଧିକାଂଶ ସ୍ଥଳରେ କାନ୍ଦି ଥାଉ, ଅପରକୁ ଭର୍ତ୍ସନା କରିଥାଉ ଓ ବୁଝିବାର ଧୈର୍ଯ୍ୟହରାଇ ବସିଥାଉ । ଓଡ଼ିଆ ପ୍ରାଚୀନ ସାହିତ୍ୟର ଆଲୋଚନା କରିବାକୁ ଯାଇ ଓଡ଼ିଶାରେ ସବୁ ଥିଲାବୋଲି ପାଟିକରି ଆମେ ଭାଷାରେ ତାଳ ଦେଇ ବାହୁନିବାରେ ଲାଗିଯାଉ । ଭୀମଭୋଇ ଭକ୍ତର ଗୁଣ ଭିତରେ ସମତାଗୁଣକୁ ପ୍ରଧାନ ବୋଲି ମାନିଥିଲେ । ଆମେ ସମାଲୋଚନା-କ୍ଷେତ୍ରରେ ସମତା ପରିବର୍ତ୍ତରେ ମମତାକୁ ଭେଳାକରି ଧରି ଥିଲାପରି ମନେହୁଏ । ଏପରିକି ଓଡ଼ିଆ ସାହିତ୍ୟରେ ସେହି ଏକ ଘରେ ଥାଇ ମଧ୍ୟ ଆମେ ଭାଇବଣ୍ଟରା କରି ମମତାତିଶଯ୍ୟରେ କଳି ନକରି ଛାଡ଼ୁନାହିଁ । ହୁଏତ ମୁଁ ପଞ୍ଚସଖାଙ୍କ ବିଷୟରେ ଦି’ପଦ ପଢ଼ିଚି ବା ଲେଖିଚି, ତେଣୁ ପଞ୍ଚସଖାଙ୍କ ବ୍ୟତୀତ ଓଡ଼ିଆ ସାହିତ୍ୟରେ ଆଉ କେଉଁଠି କିଛି ଅଛି ବୋଲି ମୁଁ ସ୍ଵୀକାର କରିବାକୁ ନାରାଜ । ଆଉ କିଏ ହୁଏତ ଭଞ୍ଜଯୁଗର ଆଲୋଚନା କରୁଚି, ସଭାମଣ୍ଡପ ପାଲା ସୁଆଙ୍ଗ ଓ ଗୋଟିପୁଅନାଚାର ସାହିତ୍ୟ-ରୋଷନି ଖଞ୍ଜି ଦେଇ ସେ ଘୋଷଣା କରୁଚି ଯେ ଭଞ୍ଜଯୁଗ ହିଁ ଓଡ଼ିଆ ସାହିତ୍ୟର ଏକମାତ୍ର ଯୁଗ । ଚାଲ, ସମସ୍ତେ ଭଞ୍ଜଙ୍କ ପାଖକୁ ଫେରିଯିବା ବୋଲି ସେ ମଣ୍ଡପ ଉପରେ ଥାଇ ଆହ୍ଵାନ ଦେଉଚି । ଓଡ଼ିଆ ସାହିତ୍ୟ ବିଷୟରେ ଆଗ୍ରହ ରଖୁଥିବା ପ୍ରତ୍ୟେକ ଏହିକଥା ଅଳ୍ପେବହୁତେ ଜାଣିଥିବେ । ଏହା ଏକ ଅସାହିତ୍ୟିକ ଦଶା, ପ୍ରବନ୍ଧ ଓ ସମାଲୋଚନା ଲାଗି ଆଦୌ ଅନୁକୂଳ ନୁହେଁ । ଏହାଦ୍ୱାରା ପାଟିତୁଣ୍ଡ ବେଶ୍ ହୁଏ, ଭାବପ୍ରବଣତାର କଲ୍ଲୋଳ ସୃଷ୍ଟି ହୁଏ । ମୋ’ଛଡ଼ା ଉତ୍କଳରେ ଆଉ କେହି ଜଣେ ହେଲେ ବାଣୀର ଆରାଧନା କରୁନାହାନ୍ତି ବୋଲି କହି ହୁଏତ ମୋତେ ବେଶ୍ ସାନ୍ତ୍ଵନା ମିଳେ; କିନ୍ତୁ ସମାଲୋଚନା ଲାଗି ବାୟୁମଣ୍ଡଳ ସୃଷ୍ଟି କରିବା ସମ୍ଭବ ହୋଇପାରେ ନାହିଁ ।

 

ଓଡ଼ିଶାରେ ଏପର୍ଯ୍ୟନ୍ତ ସ୍ପର୍ଶକାତରତା-ରୋଗ ଅତ୍ୟନ୍ତ ପରିମାଣରେ ଭରି ରହିଚି । ସ୍ଵାଧୀନତା ପରେ ଭାରତର ଅନ୍ୟାନ୍ୟ ପ୍ରାନ୍ତ ଓ ବୃହତ୍ତର ପୃଥିବୀର ଭାଷା ଓ ସାହିତ୍ୟ ସହିତ ଯେତେ ସମ୍ପର୍କ ବଢ଼ିବା ଉଚିତ, ଓଡ଼ିଶାର ମାନସିକ ବାଯୁମଣ୍ଡଳରେ ସେତେ ସମ୍ପର୍କ ବଢ଼ିଥିବାର କୌଣସି ଲକ୍ଷଣ ପରିଲକ୍ଷିତ ହୁଏନାହିଁ । ଯିଏ ଆପଣାକୁ ଅପର ସମସ୍ତଙ୍କଠାରୁ ବିଚ୍ଛିନ୍ନ କରି ରଖେ, ସେ ଆପେ ଆପେ ଅସ୍ପୃଶ୍ୟ ହୋଇଯାଏ । ତା’ର ମନ ଅପରଠାରୁ କିଛି ଗ୍ରହଣ କରିପାରେ ନାହିଁ । ମଣିଷର ସମ୍ମିଳନ–ପାରାବାର ମଧ୍ୟରେ ସେ ଆପେ ଏକ ଦରିଦ୍ର ଦ୍ଵୀପ ହୋଇ ପଡ଼ିରହେ । ଏକ ପ୍ରକାର ସଂସ୍କାରଗତ ହୀନଭାବ ବାହ୍ୟ ଜୀବନରେ ତାହାକୁ ଆପଣା ଘରେ ଭାରି ଉଗ୍ର କରିରଖେ । ଓଡ଼ିଶା ଅନେକ ଦିନ ପର୍ଯ୍ୟନ୍ତ ବଙ୍ଗଳା ଓ ବିହାରର ପୁଚ୍ଛରେ ବନ୍ଧା ହୋଇ ରହିଥିଲା । ବୋଧହୁଏ ଏଥିପାଇଁ ଆମେ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ଏକ ବ୍ୟାଧିତ ଆତ୍ମସଚେତ ଭାବ ଯେପରି ଏପର୍ଯ୍ୟନ୍ତ ଆମର ହୃଦୟକୁ କାମୁଡ଼ି ଧରିଚି । କିନ୍ତୁ ଏହା କେବଳ ଦରିଦ୍ର ମନର ଲକ୍ଷଣ । ଏଥିପାଇଁ ସାହିତ୍ୟ-ସମାଲୋଚନାରେ ମଧ୍ୟ ଆମର ଏହି ଦାରିଦ୍ର୍ୟ ପ୍ରକଟ ହୋଇପଡ଼େ । ଭକ୍ତି ବଙ୍ଗଳାର ଭାବସ୍ରୋତ ଓଡ଼ିଶାର ଶୁଦ୍ଧ ସଂସ୍କୃତିରେ ଅନେକ ଅଶୁଦ୍ଧି ପୂରାଇ ଦେଇଚି, ଯେତିକି ଗମ୍ଭୀର ହୋଇ ଆମେ ଏକଥା କହୁ, ଆମର ଦାରିଦ୍ର୍ୟ ସେତିକି ଅଧିକ ହୋଇ ପ୍ରକାଶିତ ହୋଇଯାଏ । ତୁଳନାତ୍ମକ ସାହିତ୍ୟ-ସମାଲୋଚନାର ଯୁଗରେ ଆତ୍ମସଚେତ ସାହିତ୍ୟିକ କାହାରି କାର୍ଯ୍ୟରେ ଲାଗି ପାରେନାହିଁ-। ସାହିତ୍ୟ ଓ ସମାଲୋଚନା ବର୍ତ୍ତମାନ ଏକ ଅସଂଲଗ୍ନ ବିଷୟ ହୋଇ ରହିନାହିଁ । ମନୋବିଜ୍ଞାନ, ବିଜ୍ଞାନ, ସମାଜଶାସ୍ତ୍ର, ଧର୍ମ, ଦର୍ଶନ ଓ ଇତିହାସ ଆଜି ସାହିତ୍ୟର ପରିସରକୁ ଆସିଲାଣି-। ଓଡ଼ିଶାରେ ଆମକୁ ମଧ୍ୟ ଏହି ପରିବର୍ତ୍ତନ ଅନୁସାରେ ପ୍ରସ୍ତୁତ ଓ ଯୋଗ୍ୟ ହେବାକୁ ପଡ଼ିବ ।

 

ପୃଥିବୀରେ ଆଜି ସବୁକଥା ଘନଘନ ପରିବର୍ତ୍ତନ ହୋଇ ଚାଲିଚି । ମନୁଷ୍ୟର ବିଚାର ଓ ବିଚରଣ ଭୂମି ନିତି ନବ ନବ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଚାଲିଚି । ଆଧୁନିକ ସାହିତ୍ୟିକକୁ ଏସବୁ ଖବର ରଖିବାକୁ ହିଁ ପଡ଼ିବ । ସାହିତ୍ୟ ଆଉ କେବଳ ସାହିତ୍ୟ ହୋଇ ରହିବ ନାହିଁ, ମଣିଷର ଜୀବନପରି ଏହା ବ୍ୟାପକ ହେବ । ଆମ ଓଡ଼ିଶାର ସାହିତ୍ୟ-ସମାଲୋଚନା କ୍ଷେତ୍ରରେ ମଧ୍ୟ ଆମକୁ ସମସ୍ତ ବିଶ୍ଵର ସମ୍ବାଦ ରଖିବାକୁ ପଡ଼ିବ, ଆମର ବିଶେଷାୟ ତନକୁ ବିଶ୍ୱାୟତନର ଅନୁପୂରକ କରି ପ୍ରସ୍ତୁତ କରିବାକୁ ପଡ଼ିବ । ଏଯୁଗର ବିଜ୍ଞାନ, ଏଯୁଗର ଦାରିଦ୍ର୍ୟ ଓ ଅନ୍ୟାୟ, ଏ ଯୁଗର ସଙ୍କଟ ଓ ଏ ଯୁଗର ସମ୍ଭାବନା,–ଆପଣାର ଦୃଷ୍ଟିଭୂମି ଭିତରେ ସମାଲୋଚକକୁ ଏ ସବୁଯାକକୁ ଅନୁଭବ କରିବାକୁ ହିଁ ହେବ । ସମାଲୋଚନା ସାହିତ୍ୟକୁ ବାଟ ଦେଖାଇବ । ତେଣୁ ସମସ୍ତ ପୃଥିବୀର ସାହିତ୍ୟ ଆଜି ମଣିଷକୁ ଜାତୀୟତାର ଅଡ଼ା ଭିତରୁ ମାନବିକ ମୂଲ୍ୟର ହୃଦ୍‍ବନ୍ଧନ ଭିତରକୁ ଚାଲିଆସିବାକୁ ଆହ୍ଵାନ ଦେଉଥିବାବେଳେ ଯଦି ଜଗନ୍ନାଥଙ୍କର ଦେଶରେ ଥାଇ ତଥାପି ଆମେ ଆମ ଜାତିର ତଡ଼ାଗଟାକୁ ଆବୋରି ପଡ଼ିଥିବା, ତେବେ ଆମରି ଦେହରେ ହିଁ କଳଙ୍କି ଲାଗିଯିବ । ଆମେ ପଛରେ ପଡ଼ି ରହିଥିବା, ସଂସାର ଆଗକୁ ଚାଲିଯିବ ।

 

ଓଡ଼ିଆ ସାହିତ୍ୟ-ସମାଲୋଚନା କ୍ଷେତ୍ରରେ ଜଣ ଜଣ କରି ପ୍ରତ୍ୟେକଙ୍କର ଆଲୋଚନା କରିବା ଏହି ପ୍ରବନ୍ଧର ପରିସରର ବାହାରେ, କେବଳ ନାଆଁଗୁଡ଼ାକର ଗୋଟାଏ ତାଲିକା ବାଢ଼ିଦେଲେ ସମାଲୋଚନାର ବିଶେଷ କିଛି ଉପକାର ହେବ ନାହିଁ । କେବଳ କେତେଟା ନାଆଁ ଦେଇ ଓ ଆଉ କେତେଟା ନାଆଁକୁ ବାଦ୍‌ଦେଇ ମୁଁ କାହାରିକୁ ପ୍ରସନ୍ନ ଓ କାହାରିକୁ ଅପ୍ରସନ୍ନ କରିବାକୁ ଚାହୁଁନାହିଁ । ତେଣୁ ସମାଲୋଚନା ଉପରେ ସାଧାରଣ ଭାବରେ କେତେକ ମତବ୍ୟକ୍ତ କରି ମୁଁ କେତୋଟି ସୂଚନା ଦେଇଚି ମାତ୍ର । ମୋର କହିବା କଥା, ବର୍ତ୍ତମାନର ସମାଲୋଚନା-କ୍ଷେତ୍ର ଅଧିକ ପ୍ରଶସ୍ତ ହେବା ଦରକାର, ପରିମାଣାତ୍ମକ ଓ ଗୁଣାତ୍ମକ ଉଭୟ ଦୃଷ୍ଟିରୁ ପ୍ରଶସ୍ତ ହେବା ଦରକାର । ପକ୍ଷର ଆଗ୍ରହ କମ୍ ହୋଇ ଆଲୋଚନାର ଆଗ୍ରହ ବୃଦ୍ଧିପାଇବା ଦରକାର । ସମାଲୋଚନା ଆମକୁ ଅଧିକ ସମ୍ୟକ୍ ଆଲୋଚନା ଲାଗି ପ୍ରବୃତ୍ତ କରିବା ଦରକାର । ବିଭିନ୍ନ ଚିନ୍ତା ଓ ବିଭିନ୍ନ ଦୃଷ୍ଟିକୋଣ ପ୍ରତି ଅଧିକ ସହିଷ୍ଣୁତା ବଢ଼ିବା ଦରକାର ।

 

ସାହିତ୍ୟକୁ ଯିଏ ଏକ ଅସ୍ପଷ୍ଟ ଭାବପ୍ରବଣ ସ୍ତରରୁ ଉନ୍ନୀତ କରିବାକୁ ଚେଷ୍ଟାକରେ, ତାହାକୁ ନାନାଆଡ଼ୁ ନାନାପ୍ରକାର ବିରୋଧର ସମ୍ମୁଖୀନ ହେବାକୁ ପଡ଼େ ବୋଲି ଶ୍ରୀ ହରବର୍ଟ୍ ରୀଡ଼ (Herbert Read : The Nature of Literature–Evergreen Books, 1958, P. 124) କହିଚନ୍ତି । ମୋର ଏହି ପ୍ରବନ୍ଧଟି ଆଉ କାହାରିକୁ ଅଧିକ ଚିନ୍ତା କରିବାକୁ ଖାଦ୍ୟ ଯୋଗାଇ ପାରିଲେ ମୁଁ କେବଳ ସୁଖୀ ହିଁ ହେବି । ଶ୍ରୀଯୁକ୍ତ ବିଶ୍ଵନାଥ କରଙ୍କର ‘ବିବିଧ ପ୍ରବନ୍ଧ’ରୁ ସାହିତ୍ୟ-ସମାଲୋଚନା ବିଷୟରେ କେତୋଟି କଥା ଉଦ୍ଧାର କରି ମୁଁ ଏହି ପ୍ରବନ୍ଧଟି ଶେଷ କରିବି ।

 

“ସାହିତ୍ୟ-ସମାଲୋଚନା ସଭ୍ୟତାର ଗୋଟିଏ ପ୍ରଧାନ ଓ ଅପରିହାର୍ଯ୍ୟ ଅଙ୍ଗ । ...ଆମ୍ଭମାନଙ୍କ ଦେଶରେ ସେପରି ସାହିତ୍ୟ ନାହିଁ, କି ସେପରି ସମାଲୋଚନା ନାହିଁ । ଯାହା ଟିକିଏ ଅଧେ ସାହିତ୍ୟ ବାହାରୁଅଛି ତାହାର ସମାଲୋଚନାରେ ଲୋକଙ୍କର ପ୍ରବୃତ୍ତି ନାହିଁ । ଏହି ଉଦାସୀନତା ସାହିତ୍ୟ ପ୍ରତି ଅବଜ୍ଞାର ଉଜ୍ଜ୍ଵଳ ପ୍ରମାଣ । ଯେଉଁମାନଙ୍କର ପୁସ୍ତକ ପାଠର ଅଭ୍ୟାସ ଅଛି, ସେମାନେ ଇଂରାଜୀ ପୁସ୍ତକ ପଢ଼ନ୍ତି ଅଥବା ବଙ୍ଗଳା ପୁସ୍ତକ ପଢ଼ନ୍ତି । ସେମାନେ ଜାଣନ୍ତି ଯେ ଓଡ଼ିଆ ଲେଖକଙ୍କ କଥାରେ ଶିକ୍ଷଣୀୟ ବା ଗ୍ରହଣୀୟ ବିଷୟ ପ୍ରକୃତ ପକ୍ଷେ କିଛି ନାହିଁ । ସୁତରାଂ ତାହା ପଠନର ଅଯୋଗ୍ୟ,–ତାହାହେଲେ ସମାଲୋଚନା କରିବାର କିଛିମାତ୍ର ପ୍ରୟୋଜନ ରହିଲା ନାହିଁ । ଆଉ ଏକ ଶ୍ରେଣୀର ଲୋକ ଅଛନ୍ତି, ସେମାନେ ଭଲ ବା ମନ୍ଦ କିଛି ବିଚାର କରନ୍ତି ନାହିଁ । ଯାହା ପାଇଲେ କେତେଗୁଡ଼ିଏ ପଢ଼ି ପକାଇଲେ,–ତାହା ମଧ୍ୟରୁ କିଛି ସାର ପାଇଲେ କି ନାହିଁ,–ଯାହା ପାଠକଲେ ସେଥି ସଙ୍ଗେ ସଙ୍ଗେ ସେମାନଙ୍କ ମତ କେତେଦୂର ମିଳିଲା, ଇତ୍ୟାଦି କିଛି ସେମାନଙ୍କ ମନରେ ପ୍ରବେଶ କରେ ନାହିଁ । ଏହିପରି ଯେ କୌଣସି ରୂପେ ଧରିଲେ ଓଡ଼ିଆ ସାହିତ୍ୟର ହୀନାବସ୍ଥା ଓ ତାହାପ୍ରତି ସାଧାରଣଙ୍କର ଅନାଦର ସହଜରେ ପ୍ରତିପନ୍ନ ହେବ-

 

ଯେଉଁମାନଙ୍କର ଓଡ଼ିଆ ସାହିତ୍ୟ ପ୍ରତି ଅନୁରାଗ ଅଛି, ସେମାନଙ୍କର ଏହି ଦିଓଟି ବିଷୟ ପ୍ରତି ମନୋଯୋଗୀ ହେବା ଏକାନ୍ତ ଆବଶ୍ୟକ । ଅର୍ଥାତ୍ ଯାହା ଦେଖିଲେ, ନିରପେକ୍ଷ ଭାବରେ ତାହାର ସମାଲୋଚନା କରିବା ଏବଂ କେହି ଦୋଷ ଦେଖାଇଲେ ସ୍ଥିର ଚିତ୍ତରେ ତାହା ବିଚାର କରିବା । ତାହା ନ ହେଲେ ବର୍ତ୍ତମାନ ଓଡ଼ିଆ ସାହିତ୍ୟର ଗତି ଯେପରି ଭାବରେ ହେଉଅଛି, ଅଳ୍ପକାଳ ମଧ୍ୟରେ ତାହା ଗୋଟିଏ କିମ୍ଭୂତକିମାକାର ପଦାର୍ଥ ହୋଇଉଠିବ ।।।”

 

(ପୃ ୯୦–୯୩)

[ଆଧୁନିକ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା : ଓଡ଼ିଶା ସାହିତ୍ୟ ଏକାଡେମୀ.୧୯୬୨]

Image

 

Unknown

ପ୍ରବନ୍ଧ, ଆଲୋଚନା ଓ ସମାଲୋଚନା

 

ଯଦି ସାହିତ୍ୟ ଖାଲି ଫଟୋଗ୍ରାଫ ହୋଇଥାନ୍ତା, ତେବେ ଏଥିରେ ଆଲୋଚନା ବା ସମାଲୋଚନା ଲାଗି ଆଉ କୌଣସି ସ୍ଥାନ ନଥାନ୍ତା । ହୁଏତ ପ୍ରବନ୍ଧ ଲାଗି ମଧ୍ୟ କୌଣସି ସ୍ଥାନ ନଥାନ୍ତା । ଯଦି ସାହିତ୍ୟ ଖାଲି ଭାବପ୍ରବଣତା ହୋଇଥାନ୍ତା, ତେବେ ସେହି ସାହିତ୍ୟର ମର୍ମପ୍ରବେଶ କରିବା ଲାଗି ଆଦୌ କୌଣସି ଲୋଚନ ଆବଶ୍ୟକ ହେଉ ନଥାନ୍ତା । ଭାବଗତ ଲୋଚନକୁ ବନ୍ଦକରିଦେଲେ ହିଁ ଭାବପ୍ରବଣତାର ଦୌରାତ୍ମ୍ୟ ଆରମ୍ଭ ହୋଇଥାଏ । ଭାବରେ ରମି ପାରିବାର ସରାଗ, ସାହସ ଓ ଧୈର୍ଯ୍ୟ ଯେତିକି ଊଣା ହେବାରେ ଲାଗିଥାଏ, ଭାବାତୁରତାର ଗ୍ରାସରେ ପଡ଼ିଯିବାଟା ସେତିକି ସହଜ ହୋଇଯାଏ । ଭାବାତୁର ମଣିଷ ଯଥାର୍ଥରେ ଖୁବ୍ ବେଶୀ ସୃଷ୍ଟି କରିପାରେ ନାହିଁ । ଭାବପ୍ରବଣ ହେଲେ ମଣିଷ ଆପଣାର ଲୋଚନ ହରାଇ ବସେ । ନାନା କାରଣରୁ ଯେଉଁ ଯୁଗରେ ଭାବପ୍ରବଣତା କ୍ରମେ ଅତ୍ୟଧିକ ହେବାରେ ଲାଗିଥାଏ, ସେହି ଯୁଗ ମଧ୍ୟ କ୍ରମେ ଆପଣାର ଲୋଚନ ହରାଇ ଦେଉଥିବା ପରି ମନେ ହେଉଥାଏ । ଭାବାତୁର ହୋଇ ବସିବାକୁ ହିଁ ଯେଉଁ ଜାତି ଆପଣାର ପବିତ୍ର କର୍ତ୍ତବ୍ୟ ବୋଲି ବିଶ୍ଵାସ କରୁଥାଏ, ସେହି ଜାତି ସବୁ ଦେଖୁଥିଲେ ମଧ୍ୟ ତଥାପି କିଛି ହେଲେ ଦେହି ପାରେନାହିଁ ଏବଂ ଯେଉଁ ସାହିତ୍ୟ-ମଣ୍ଡପରେ ଖାଲି ଭାବାତୁରତାରହିଁ କୀର୍ତ୍ତନ ଓ ଉଦ୍‌ଗୀରଣ ହୁଏ, ସେଠାରେ ଆଦୌ କୌଣସି ପ୍ରକାର ଲୋଚନ ନଥିଲେ ମଧ୍ୟ ବେଶ କାମ ଚଳିଯାଏ ।

 

ଯେଉଁ ଯୁଗରେ ରାଜସଭା ଅର୍ଥାତ୍ ରାଜତୃଷ୍ଟି ଲାଗି ସାହିତ୍ୟ-ରଚନା ହେଉଥିଲା, ସେତେବେଳେ ଆଲୋଚନା କିମ୍ବା ସମାଲୋଚନା ଲାଗି ଆଦୌ କୌଣସି ଆବଶ୍ୟକତା ନଥିଲା । ଯେଉଁ ସଭାରେ ବୈଦେହୀଶ-ବିଳାସ ବା ରସକଲ୍ଲୋଳରୁ ଆନନ୍ଦପାନ କରାଯାଉଥିଲା, ସେହି ସଭାରେ କେହି ଆଉଜଣେ ସେହିସବୁ କାବ୍ୟଗ୍ରନ୍ଥର ସମାଲୋଚନା କରିବାକୁ ଯିବାଟା ନିତାନ୍ତ ଅପ୍ରାସଙ୍ଗିକ ହୋଇ ରହିଥିଲା । ରାଜକବି ଯାହା ଲେଖିବେ, ସମସ୍ତେ ତାହାକୁହିଁ ସାହିତ୍ୟ-ସଭାର ପରମ ପ୍ରସାଦ ଗ୍ରହଣ କରିବେ; ମାତ୍ର ତାହାର ଆଲୋଚନା ବା ସମାଲୋଚନା କଲେ ତଦ୍ଦ୍ଵାରା କେବଳ କବିଙ୍କର ନୁହେଁ, ମାତ୍ର ରାଜାଙ୍କର ଚକ୍ଷୁଶୂଳ ହେବାକୁ ପଡ଼ିବ, ସେତେବେଳେ ଏହିଭଳି ରୀତି ଚଳୁଥିଲା ।

 

ତେଣୁ ଆଲୋଚନା ବା ସମାଲୋଚନା ହେଉଛି ସାହିତ୍ୟରେ ବସ୍ତୁତଃ ଏ ଯୁଗର କଥା । ସାହିତ୍ୟର ଏକ ଆଙ୍ଗିକ ରୂପେ ସାହିତ୍ୟ-ସମାଲୋଚନାକୁ ଆମେ ହୁଏତ ପାଶ୍ଚାତ୍ୟ ପରମ୍ପରାରୁ ହିଁ ଏ ଦେଶକୁ ସ୍ଵୀକାରକରି ଆଣିଛୁ । ଆମ ଭିତରୁ ଯେଉଁମାନେ ପ୍ରଥମେ ପାଶ୍ଚାତ୍ୟ ସାହିତ୍ୟ-ପରମ୍ପରାଟି ସହିତ ପରିଚିତ, ହୁଏତ ସେଇମାନେ ହିଁ ଆଲୋଚନା ଓ ସମାଲୋଚନାକୁ ସାହିତ୍ୟ ଅଗଣାରେ ପ୍ରବେଶ କରାଇବାର ଚେଷ୍ଟା କରିଛନ୍ତି । ଆଗେ ଗୀତା ସହିତ ଗୀତାର ମହାତ୍ମ୍ୟ ଲେଖା ଯାଉଥିଲା । କବିର କାବ୍ୟସୃଷ୍ଟି ଓ କାବ୍ୟଦକ୍ଷତା ଲାଗି କବି ପ୍ରଶସ୍ତିଗାନ କରାଯାଉଥିଲା । ଆମେ ସାହିତ୍ୟ ସମାଲୋଚନାକୁ କଦାପି ପ୍ରଶସ୍ତି ଗାଇବା ବୋଲି କହିପାରିବା ନାହିଁ । ଯେକୌଣସି ସାହିତ୍ୟିକ ସୃଷ୍ଟିକୁ ଯଥାସମ୍ଭବ ପ୍ରଶସ୍ତ ଓ ସମଗ୍ର ଭାବରେ ଦେଖାଇ ଦେଇପାରିବା ହେଉଛି ସମାଲୋଚନା । କେବଳ ସରସ୍ଵତୀଙ୍କଠାରୁ ବର ପାଇ ସାହିତ୍ୟିକ ସାହିତ୍ୟ ଲେଖେ ବୋଲି ଦାବି କରୁଥିବା ପର୍ଯ୍ୟନ୍ତ ଆଉ ସାହିତ୍ୟ ସମାଲୋଚନା ଲାଗି କୌଣସି ବାଟ ରହିବନାହିଁ । ମୂଳତଃ ସାହିତ୍ୟିକ ପ୍ରେରଣାରୁହିଁ ସାହିତ୍ୟର ସୃଷ୍ଟି ହୁଏ ସତ, ମାତ୍ର ସେହି ପ୍ରେରଣା କେବଳ ସରସ୍ଵତୀଙ୍କଠାରୁ ଆସେନାହିଁ । ପ୍ରେରଣା ପାଇବା ଅର୍ଥାତ୍ ପ୍ରକୃତ ଆହ୍ଵାନଗୁଡ଼ିକ ଶୁଣିବାରେ ସମର୍ଥ ହେବା । ଏହି ଆହ୍ଵାନ ସମାଜରୁ ଆସେ, ଆମ ଚାରିପାଖର ଆତଯାତ ହେଉଥିବା ମାନବିକ ଜୀବନଯାତ୍ରାରୁ ବି ଆସିଥାଏ । ଯିଏ ଏହି ଆହ୍ଵାନକୁ ଯେଉଁଭଳି ଶୁଣେ, ତା’ ଭିତରେ ତାରି ଅନ୍ତର୍ଗତ ଅସନ୍ତୋଷଗୁଡ଼ାକ ମଧ୍ୟ ସେହିଭଳି ରୂପ ନିଏ । ସେହିଭଳି ସ୍ତରରେ ବିଚରଣ କରେ । ସାହିତ୍ୟିକର ସୃଜନାତ୍ମକ ଅସନ୍ତୋଷ ସାହିତ୍ୟ ସୃଷ୍ଟିର ମାଧ୍ୟମରେ ଆତ୍ମପ୍ରକାଶ କରେ । ଅନ୍ୟମାନଙ୍କର ଅନ୍ତରରେ ମଧ୍ୟ ତାହା ନୂତନ ଅନୁଭୂତିର ସ୍ପନ୍ଦନ ଆଣିଦିଏ, କେତେ ନୂତନ ଦିଗ୍‌ବଳୟର କେତେ ସମ୍ଭାବନା ଉକୁଟାଇ ଦିଏ । ପ୍ରେରଣାର ସଂକ୍ରମଣ ହୁଏ, ବୃଷ୍ଟିର ସଂକ୍ରାମଣ ହୁଏ, ଗୋଟିଏ ପ୍ରଦୀପରୁ ଆଲୋକ ନେଇ ସତେଅବା ଅନେକ ପ୍ରଦୀପ ଆଲୋକିତ ହୋଇ ଉଠନ୍ତି । ଏହିପରି ଭାବରେ ସାହିତ୍ୟ ନୂଆ ଯୁଗର ମୂଳଦୁଆ ପକାଏ, ନୂତନ ପବନର ସଞ୍ଚାର କରାଏ । ନୂଆ ପୁଲକ ଆଣି ଦେଇଥାଏ । କବିତା, କାବ୍ୟ, ନାଟକ, ଉପନ୍ୟାସ, ଗଳ୍ପ ବା ପ୍ରବନ୍ଧ ଯାହା କହ, ସେଗୁଡ଼ିକଦ୍ଵାରା ଏହାହିଁ ଘଟିଥାଏ ।

 

ତେଣୁ ସାହିତ୍ୟିକକୁ ତାର ଯୁଗ ଓ ସାମାଜିକ ଆହ୍ଵାନଗୁଡ଼ିକର ଭୂମି ଉପରେ ଦେଖିବା, ତାର ପ୍ରେରଣା ଓ ପ୍ରକାଶର ସ୍ତରଗୁଡ଼ିକୁ ପରଖି ଦେଖିବା, ତା’ ଅସନ୍ତୋଷଗୁଡ଼ିକର ଜାତି ନିରୂପଣ କରିବା,–ଆମେ ସାହିତ୍ୟରେ ମୂଳତଃ ଏହାକୁ ହିଁ ସମାଲୋଚନା ବୋଲି କହିବା । ଅର୍ଥାତ୍ କୌଣସି ସାହିତ୍ୟ ବା ସାହିତ୍ୟିକକୁ ସମଗ୍ରତର ଭାବରେ ଦେଖିବାକୁ ଚେଷ୍ଟା କରିବା,–ଏହା ହିଁ ସାହିତ୍ୟ-ସମାଲୋଚନା । କୌଣସି ସାହିତ୍ୟିକର ସାହିତ୍ୟ-ଭୂମି ଉପରେ ତାର ବିଶିଷ୍ଟ ଦୃଷ୍ଟିଟିକୁ ଠଉରାଇ ନେବାକୁ ଚେଷ୍ଟା କରିବା ହେଉଛି ତା’ ସାହିତ୍ୟର ସମାଲୋଚନା କରିବା । ତେଣୁ ପ୍ରଶଂସା ବା ନିନ୍ଦା ସାହିତ୍ୟ ସମାଲୋଚନାର ଯଥାର୍ଥ ମାନଦଣ୍ଡ ନୁହେଁ । ଅମୁକ କବି ଜାତିର ମୁଖକୁ ଉଜ୍ଜ୍ଵଳ କରିଦେଇ ଯାଇଛନ୍ତି କିମ୍ବା ଅମୁକ ଲେଖକ ବିଶ୍ଵର ଦରବାରରେ ଆମ ସାହିତ୍ୟରେ ଗୌରବକୁ ସୁ-ପ୍ରତିଷ୍ଠିତ କରି ରଖିଛନ୍ତି ଭାଷାର ନାନା ଚାତୁରୀ ଓ ଚଟୁଳତା ସହିତ ଦଶଥର କେବଳ ଏତିକି କହିଲେ ମଧ୍ୟ ତାହା ସମାଲୋଚନା ହେବନାହିଁ । ସମାଲୋଚନାରୁ ସମ୍ୟକ୍ ଦୃଷ୍ଟିର ପରିଚୟ ମିଳିବ । ସମାଲୋଚନା ସମ୍ୟକ ଭାବରେ ପରିଚିତ କରାଇ ଦେବ । ଲେଖକ ଓ ତାର ସାହିତ୍ୟ ସହିତ ପରିଚିତ କରାଇଦେବ, ତାର ଯୁଗ ଓ ପ୍ରେରଣାର ଭୂମିଟି ସହିତ ପରିଚିତ କରାଇ ଦେବ ଏବଂ ସେହି ପ୍ରେରଣାର ଜୀବନମୂଳ ଶାଶ୍ଵତ ଆବେଦନଟି ସହିତ ମଧ୍ୟ ପରିଚିତ କରାଇ ଦେବ । ସମାଲୋଚନା ଜରିଆରେ ସମାଲୋଚକର ଆପଣା ଦୃଷ୍ଟିଟିର ବି ପରିଚୟ ମିଳିବ । ତା’ର ଦେଖିବା, ଚିହ୍ନିବା ଓ ବୁଝିବାର ଗଭୀରତାଟିକୁ ଠଉରାଇ ପାରିବା ସମ୍ଭବ ହେବ । ତାର ଚେତନା ଓ ଶ୍ରଦ୍ଧାର ପ୍ରସାରଟି ବିଷୟରେ ମଧ୍ୟ ଏକ ସମଗ୍ର ପରିଚୟ ମିଳିବ । ଶ୍ରଦ୍ଧା ନ ହେଲେ ଯେପରି ସାହିତ୍ୟ ସୃଷ୍ଟି ହୁଏନାହିଁ, ସେହିପରି ସାହିତ୍ୟର ଯଥାର୍ଥ ସମାଲୋଚନା ମଧ୍ୟ ହୋଇ ପାରେ ନାହିଁ । ଶ୍ରଦ୍ଧାହୀନ ବ୍ୟକ୍ତି ଲୋଚନ ହରାଇ ବସିଥିବାର ପ୍ରମାଦ ଭୋଗୁଥାଏ । ଅର୍ଥାତ୍, ଉଦାହରଣ ଦେଇ କହିଲେ ଓଡ଼ିଆ ସାହିତ୍ୟର ସମାଲୋଚନା ଆମକୁ ଓଡ଼ିଆ ସାହିତ୍ୟ ସହିତ ଅଧିକ ଅନ୍ତରଙ୍ଗ ଭାବରେ ପରିଚିତ କରାଇ ଦେବ । ଜଣକୁ ବଡ଼କରି ଆଉଜଣକୁ ଖର୍ବକରି ଦେଖିବାର ନିର୍ବୋଧତା ଦେଖାଇବ ନାହିଁ । ଏ ଯୁଗକୁ ବଡ଼ କରିବା ଲାଗି ସେ ଯୁଗକୁ କାଟି ପକାଇବା ନାହିଁ କିମ୍ବା ଜଣକୁ ସମ୍ରାଟ ରୂପେ ବସାଇବାର ଅଲିଅଳପଣରେ ଆଉ ଜଣକ ଉପରକୁ ଛେପ ପକାଇବା ନାହିଁ । ଓଡ଼ିଆ ସାହିତ୍ୟର ବିଗତ ଯାବତୀୟ ଯୁଗକୁ ଆମେ ଯେତିକି ସମ୍ୟକ ଓ ସମଗ୍ର ଭାବରେ ଦେଖିବା ଲାଗି ସମର୍ଥ ହେବା, ଏହାର ବର୍ତ୍ତମାନ ଯୁଗଟିକୁ ବି ଆମେ ସେତିକି ସମ୍ୟକ ଓ ସମଗ୍ର ଭାବରେ ଅନୁଭବ କରିବାର ଯୋଗ୍ୟତା ଅର୍ଜନ କରି ପାରିବା; ଆମ ଏ ଯୁଗର ଆହ୍ଵାନ ଏବଂ ପ୍ରେରଣାଗୁଡ଼ିକୁ ଆମେ ସେତିକି ଆପଣାର କରି ଗ୍ରହଣ କରି ପାରିବା ଓ ସେତିକି ଶ୍ରଦ୍ଧାର ସହିତ ସେଗୁଡ଼ିକର ସମ୍ମୁଖୀନ ହେବାଲାଗି ଅଗ୍ରସର ହୋଇ ପାରିବା । ତେଣୁ ତଥାକଥିତ ଆଧୁନିକମାନେ ଯେ କେବଳ ଆଧୁନିକକୁ ଧରି ପଡ଼ିରହିବେ ଓ ପ୍ରାଚୀନ ସାହିତ୍ୟରୁ ଆପଣାକୁ ନିର୍ବାସିତ କରି ରଖିବେ, ସାହିତ୍ୟର ଆଲୋଚନାତ୍ମକ ଦୃଷ୍ଟିରେ ଏହାକୁ ଏକ ସୁସ୍ଥ ଆଚରଣ ବୋଲି କଦାପି କୁହା ଯିବନାହିଁ । କେବଳ ପ୍ରାଚୀନର ସରାଗ ଓ ସଉକ ଭିତରେ ଲଟର ପଟର ହୋଇ ଆଧୁନିକକୁ ନାକ ଟେକିଲେ ବି ସେହିପରି ଲୋଚନ ହରାଇବାକୁ ପଡ଼ିବ ।

 

ଓଡ଼ିଆ ସାହିତ୍ୟର ଏକ ପ୍ରାଚୀନ ଇତିହାସ ଓ ଗତିପଥ ରହିଛି । ଭାରତୀୟ ଅନ୍ୟ ଯେ କୌଣସି ସାହିତ୍ୟର ସମକକ୍ଷ ହୋଇ ପାରିବାକୁ ଓଡ଼ିଆରେ ମଧ୍ୟ ସୃଷ୍ଟି ଓ ସମୃଦ୍ଧିରେ କେଉଁଠି କିଛି ହେଲେ ଊଣାହୋଇ ରହିନାହିଁ । ଏଥିରେ କାବ୍ୟ ରହିଛି, ପୁରାଣ ରହିଛି, ଗଦ୍ୟ ରହିଛି ଓ ପଦ୍ୟ ରହିଛି, ନାଟକ ରହିଛି, ଉପନ୍ୟାସ ରହିଛି । ତଥାପି ଏଠି ଆମର ସାହିତ୍ୟ କ୍ଷେତ୍ରରେ ଆଲୋଚନା ଓ ସମାଲୋଚନା ବଡ଼ ଅପରିପକ୍ଵ ଅବସ୍ଥାରେ ରହିଛି । ଆଲୋଚନା ଓ ସମାଲୋଚନା ଲାଗି ସାଧାରଣତଃ ଯେଉଁଭଳି ଏକ ଜଳବାୟୁ ରହିବା ଉଚିତ, ଆମ ଘରେ ଆମେ ସେପରି ଏକ ଜଳବାୟୁ ସୃଷ୍ଟି କରିବାରେ ଖୁବ୍ ବେଶୀ ସମର୍ଥ ହୋଇନାହୁଁ । ସାହିତ୍ୟର ସମ୍ୟକ ଆଲୋଚନା ଲାଗି ସଚରାଚର ଯେଉଁ ସମଗ୍ର ଦୃଷ୍ଟିଭଙ୍ଗୀଟି ଦରକାର, ଆମେ ହୁଏତ ଏପର୍ଯ୍ୟନ୍ତ ସେହି ସମଗ୍ରତାଟିକୁ ଅର୍ଜନ କରିବାର ସାହସ ସଂଗ୍ରହ କରି ପାରିନାହୁଁ । ଓଡ଼ିଶାରେ ସାହିତ୍ୟ-ସମାଲୋଚନା କ୍ଷେତ୍ରକୁ ଅବଲୋକନ କଲେ ମନେହୁଏ, ସତେ ଯେପରି ଆମେ ଆପଣାଆଡ଼କୁ ମଧ୍ୟ ସମଗ୍ର ଭାବରେ ଅନାଇବାକୁ କେବେହେଲେ ମନ କରିନାହୁଁ । ତେଣୁ ଆମ ଭିତରେ ପରସ୍ପରଆଡ଼କୁ ସମଗ୍ରଭାବରେ ଅନାଇ ପାରିବାର ଆଗ୍ରହଟି ମଧ୍ୟ ଖୁବ୍ ବେଶୀ ବିକଶିତ ହୋଇ ପାରିନାହିଁ । ଆମେ ଏଠି ହୁଏତ ବେଶ୍‍ ପୂଜାକରି ଜାଣିଛୁ, ମାତ୍ର ଆଲୋଚନା କରି ଜାଣିନାହୁଁ । ପୂଜ୍ୟ ପୂଜାର ହାସ୍ୟାସ୍ପଦ ଆଡ଼ମ୍ବରମାନ କରି ଆମେ ହୁଏତ ସତେଅବା ଆପଣାର ପୂଜାକରି ଆପଣାର ପ୍ରସାଦ ଖାଉଥିବା ପରି ଅନୁଭବ କରୁଛୁ, ମାତ୍ର ପାଞ୍ଚଜଣଙ୍କ ସହିତ ଏକାଠି ବସି ସହଜ ଓ ସ୍ଵାଭାବିକ ଭାବରେ ସାହିତ୍ୟର ଆଲୋଚନା କରି ଜାଣିନାହୁଁ । ଏବଂ ଯେଉଁଠାରେ ଆଲୋଚନା କରିବାକୁ ଏତେ ଡର, ସେଠି ସମାଲୋଚନା ଲାଗି ଉପଯୁକ୍ତ ଆସ୍ଥାନ ରହିବ କୁଆଡ଼ୁ ? ତେଣୁ ସାହିତ୍ୟାଲୋଚନା କରାଯାଇଥିବା କୌଣସି ପୁସ୍ତକର ବିଚାର କଲାବେଳେ ଆମେ ସେହି ପୁସ୍ତକ ଭିତରୁ କେଉଁ କେଉଁ ନାମ ସବୁ ବାଦ ପଡ଼ିଗଲା, ହୁଏତ ଆଗ ସେଇ କଥାକୁ ନେଇ ହୋ ହୋ ହେବାକୁ ମନ କରୁଛୁ । ଆପଣାର ନାମଟା ବାଦ ପଡ଼ି ଯାଇଥିଲେ ଆପଣା ପଟର ସାହିଭାଇମାନଙ୍କୁ ଏକଜୁଟ କରି ଆମେ ଅପର ପକ୍ଷକୁ ମନଇଚ୍ଛା ଗାଳି ବି ଦେଉଛୁ । ଆମ ନିଜର ଅପମାନବୋଧଟାକୁ ଓଡ଼ିଆ ଜାତିର ଅପମାନ ବୋଲି କହୁଛୁ । ପରସ୍ପରର ଦୃଷ୍ଟି ପ୍ରତି ଶ୍ରଦ୍ଧା ରଖି ଓ ପରସ୍ପରର ଦୃଷ୍ଟିକୋଣକୁ ବୁଝିବାର ଚେଷ୍ଟାକରି ସେଥିରୁ ଯଥାର୍ଥ ଅନ୍ତର୍ଦୃଷ୍ଟି ଲାଭ କରିବା ଲାଗି ଆମର ଆଉ ବେଳ ହେଉନାହିଁ । ଦେଶ ସ୍ଵାଧୀନ ହେବା ଆଗରୁ ଓଡ଼ିଶାରେ ଏସବୁ ହୁଏତ ଅଳ୍ପ ହେଉଥିଲା, ଏବେ ଅତିରିକ୍ତ ପରିମାଣରେ ହେଉଚି ।

 

ସାହିତ୍ୟରେ ଆଲୋଚନା ବା ସମାଲୋଚନା କହିଲେ ଓଡ଼ିଶାରେ ପ୍ରଧାନତଃ ସାହିତ୍ୟର ଇତିହାସ ଲେଖିବାକୁ ବୁଝାଏ ଥାଏ । କଲେଜମାନଙ୍କରେ ଓଡ଼ିଆକୁ ଏକ ବିଶେଷ ବିଷୟରୂପେ ନେଇଥିବା ପିଲାଏ ସାହିତ୍ୟର ଇତିହାସକୁ ଏକ ପାଠ୍ୟ ବିଷୟ ରୂପେ ପଢ଼ନ୍ତି । ହୁଏତ ସେହି ଚାହିଦାଟା ମେଣ୍ଟୋଇବା ସକାଶେ ଆମର ଏଠି କେତେକ ଲେଖକ ସାହିତ୍ୟ ସମାଲୋଚନାଆଡ଼କୁ ମନ ବଳାଇ ଥିଲେ । କହିବା ବାହୁଲ୍ୟ ଯେ, କଲେଜର ଅଧ୍ୟାପକମାନେ ହିଁ ପ୍ରଥମେ ଏହି ଦିଗରେ ଆଗଭର ହୋଇଥିଲେ । ପାଠ୍ୟପୁସ୍ତକରୁ ଜୀବିକା ନିର୍ବାହ କରୁଥିବା ପ୍ରକାଶକମାନେ ହିଁ ସେମାନଙ୍କୁ ଏହି କାର୍ଯ୍ୟରେ ହୁଏତ ସବୁଠାରୁ ଅଧିକ ଉତ୍ସାହ ଦେଇଥିବେ । ମୁଖ୍ୟତଃ କଲେଜ ପିଲାଙ୍କର ଅଭାବ ମେଣ୍ଟାଇବାକୁ ଯେ, ସେତେବେଳେ ସାହିତ୍ୟ ସମାଲୋଚନା ଲେଖା ଯାଉଥିଲା, ସେତେବେଳର କେତୋଟି ତଥାକଥିତ ସମାଲୋଚନା ପୁସ୍ତକରୁ ତାହାର ବେଶ୍‍ ପ୍ରମାଣ ମିଳିଥାଏ । କଲେଜର ପାଠ୍ୟକ୍ରମରେ କୌଣସି କାବ୍ୟଗ୍ରନ୍ଥର କେବଳ ଯେତିକିଟି ସର୍ଗ ବା ଅଧ୍ୟାୟ ଅନ୍ତର୍ଭୁକ୍ତ ହୋଇ ରହିଥିଲା, ଅର୍ଥାତ୍ କେବଳ ଯେତିକି ପାଇଁ ପିଲାକୁ ପରୀକ୍ଷାରେ ବସିବାକୁ ହେଉଥିଲା, କେତେକ ଅଧ୍ୟାପକ କେବଳ ସେତିକି ସର୍ଗ ବା ଅଧ୍ୟାୟର ସମାଲୋଚନା-ମୂଳକ ଅଧ୍ୟୟନମାନ ଲେଖି ବହି ଛପାଉଥିଲେ ଓ ତାହା ସମସ୍ତ ଗ୍ରନ୍ଥଟିର ସମାଲୋଚନା ବୋଲି ଅଭିହିତ ହେଉଥିଲା । କଲେଜପିଲାଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ ଏବେ ମଧ୍ୟ ସମାଲୋଚନା ଲେଖା ଯାଉଛି । ତଥାପି ଏକ ସାହିତ୍ୟିକ ଆଗ୍ରହ ନେଇ ମଧ୍ୟ ସମାଲୋଚନା ପୁସ୍ତକମାନ ଲେଖା ଗଲାଣି । ସମାଲୋଚନା କହିଲେ କେବଳ ସାହିତ୍ୟର ଇତିହାସଠାରୁ ଯେ ଅଧିକ କିଛି ବୁଝାଏ, ଓଡ଼ିଆ ସାହିତ୍ୟରେ ମଧ୍ୟ ସେଭଳି ଏକ ସତ୍ୟୋପଲବ୍‍ଧିର ସୂଚନା ମିଳିଲାଣି । ଶ୍ରୀଯୁକ୍ତ ବିନାୟକ ଆଚାର୍ଯ୍ୟ ଓ ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ସମ୍ଭବତଃ ଆଗ୍ରଣୀ ହିସାବରେ ଓଡ଼ିଆ ସାହିତ୍ୟର ଇତିହାସ ଲେଖିଛନ୍ତି । ତାହାକୁ ପଢ଼ିଥିବା ଲୋକ ପ୍ରାୟ ପ୍ରତ୍ୟେକେ କହିବେ ଯେ ଏଥିରେ ଇତିହାସ ବେଶୀ ରହିଛି ଓ ଆଲୋଚନା କମ୍‍ ଅଛି । ପଣ୍ଡିତ ନୀଳକଣ୍ଠଙ୍କର ମଧ୍ୟ ଏହି କ୍ଷେତ୍ରରେ ଏକ ସ୍ଵତନ୍ତ୍ର ଅବଦାନ ରହିଛି । ମାତ୍ର ନାନାକାରଣରୁ ତାଙ୍କର ଦୃଷ୍ଟି ବଡ଼ ଏକାଦଶୀ ହୋଇଥିବାରୁ ତାଙ୍କର ଆଲୋଚନାମାନ ମଧ୍ୟ ଅନେକ ସ୍ଥାନରେ ଆଦୌ ସମକ୍ୟ ହୋଇ ପାରିନାହିଁ । ତାଙ୍କର ଏକଦେଶୀୟତା ଅନେକ ସମୟରେ ହୁଏତ ଅସୂୟାଦ୍ଵାରା ସଂକ୍ରମିତ ହୋଇ ପଡ଼ିଥିଲାପରି ମନେ ହେଉଛି । ତଦ୍ୱାରା ସାହିତ୍ୟ ଆଲୋଚନାର ସ୍ଵାଭାବିକ ଭାରସାମ୍ୟଟି ପ୍ରାୟ ବ୍ୟାହତ ହୋଇପଡ଼ିଛି । ପ୍ରଧାନତଃ ଇତିହାସ ଉପରେ ଅବଲମ୍ବନ କରି ରହିଥିବା ସାହିତ୍ୟାଲୋଚନାରେ ଲେଖକ ବେଳେବେଳେ ଆତ୍ମଗୋପନ କରି ରହିବା ସକାଶେ ସେତେଅବା ବେଶ ସୁବିଧା ପାଏ । ସିଏ କେତେକଣ ତଥ୍ୟ ବାଢ଼ିଦେଇ କେତେକଣ କୁହାଏ, ମାତ୍ର ଆପେ ସେତେଅବା କିଛିହେଲେ କହେନାହିଁ । ତାର ଆପଣା ଦୃଷ୍ଟିକୋଣଟିକୁ ଲୁଚାଇ ରଖେ । ଏହି ଦୃଷ୍ଟିରୁ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତିଙ୍କର ଉଦ୍ୟମଟିକୁ ଆମେ ଅଭିନନ୍ଦନୀୟ ବୋଲି କହିପାରିବା । ତାଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଭିଭିନ୍ନ ପର୍ବର ଆଲୋଚନାଗୁଡ଼ିକରେ ତଥ୍ୟ ଅବଶ୍ୟ ରହିଛି, ତଥାପି ସେଗୁଡ଼ିକରେ ସେ ନିଜେ ମଧ୍ୟ ଅତି ସ୍ପଷ୍ଟ ଭାବରେ ରହିଛନ୍ତି । ଏକ ସ୍ଵତନ୍ତ୍ର ଦୃଷ୍ଟିଭଙ୍ଗୀ ରହିଛି, ମୂଲ୍ୟନିରୂପଣ ଏକ ସ୍ଵତନ୍ତ୍ର ରୀତି ବି ରହିଛି । ଶ୍ରୀଯୁକ୍ତ ମାୟାଧର ମାନସିଂହ ଗତ ପାଞ୍ଚବର୍ଷ ଭିତରେ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ଓଡ଼ିଆ ସାହିତ୍ୟର ଯେଉଁ ଇତିହାସ ପ୍ରଣୟନ କରିଛନ୍ତି, ଓଡ଼ିଶାର ସାହିତ୍ୟ-ଦାଣ୍ଡରେ ତାହାକୁ ନେଇ ଅନେକ ଧୂଳି ଉଡ଼ିଛି; ଅନେକ କାଦୁଅ ଫୋପଡ଼ା ଯାଇଛି । ମାତ୍ର ତଥାପି ସାହିତ୍ୟର ଇତିହାସ ଲେଖିବାରେ ଡାକ୍ତର ମାନସିଂହଙ୍କର ଆନ୍ତରିକତାଟିକୁ କଦାପି ଭୁରୁଡ଼ାଇ ଦେଇ ହେବନାହିଁ । ଏକ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ସାହିତ୍ୟ ଇତିହାସ ଲେଖିବାଟା ଏକ ସ୍ଵୀକୃତି ଫେସନ ହୋଇ ରହିଥିବା ବେଳେ ଶ୍ରୀଯୁକ୍ତ ମାନସିଂହ ବହିଦିଓଟି ଲେଖି ଏକ ବ୍ୟତିକ୍ରମ ସୃଷ୍ଟି କରିଛନ୍ତି । ତାଙ୍କର ଲେଖା ଏହି ବହିଗୁଡ଼ିକ ପାଠ୍ୟପୁସ୍ତକ ରୂପେ କଦାପି ବ୍ୟବହୃତ ହୋଇ ପାରିବନାହିଁ ସତ, ମାତ୍ର ଓଡ଼ିଆ ସାହିତ୍ୟ ପ୍ରତି ଅଧିକ ଆଗ୍ରହ ଓ ଅନୁରାଗ ରଖିବା ଲାଗି ତାହା ଆମକୁ ଏକ ପ୍ରବେଶଦ୍ୱାର ଅବଶ୍ୟ ଯୋଗାଇ ଦେବ ।

 

ଆଲୋଚନା ଓ ସମାଲୋଚନା ବେଳକୁ ଯାହା, ପ୍ରବନ୍ଧ ବେଳକୁ ମଧ୍ୟ ସେଇଆ । ଅନେକ ଦୃଷ୍ଟିରୁ ବିଚାର କଲେ, ଓଡ଼ିଆ ପ୍ରବନ୍ଧ–ସାହିତ୍ୟ ହୁଏତ ସେହି ପାଠ୍ୟପୁସ୍ତକର ସ୍ତରରେ ହିଁ ବାନ୍ଧିହୋଇ ରହଛି । ଓଡ଼ିଆ ପତ୍ରପତ୍ରିକାମାନଙ୍କରେ ପ୍ରାୟ ପ୍ରତ୍ୟେକ ସଂଖ୍ୟାରେ ପ୍ରବନ୍ଧ ବାହାରେ । ଦୈନିକ କାଗଜଗୁଡ଼ିକର ବିଶେଷ ସଂଖ୍ୟାମାନଙ୍କର ବି ପ୍ରବନ୍ଧ ଛପାହୁଏ । ଏବେ କେତେକ ପ୍ରବନ୍ଧ ଲେଖକ ଆପଣା ପ୍ରବନ୍ଧଗୁଡ଼ିକର ସଂକଳନମାନ ବି ବାହାର କରିବାକୁ ଆରମ୍ଭ କଲେଣି । ତଥାପି ଆଧୁନିକ ପ୍ରବନ୍ଧର ଶ୍ରେଣୀରେ ଗଣାହେବା ଲାଗି ପ୍ରବନ୍ଧକାରର ଦୃଷ୍ଟିକ୍ଷେତ୍ର ଯଡ଼େ ବ୍ୟାପକ ଓ ସମଗ୍ର ହେବା ଉଚିତ, ଆମ ଓଡ଼ିଆ ପ୍ରବନ୍ଧରେ ଅଧିକାଂଶତଃ ତାହା ହୋଇ ପାରିନାହିଁ । ଆଧୁନିକ ସାହିତ୍ୟ କହିଲେ ହୁଏତ ଅନେକ କେବଳ ଆଧୁନିକ କବିତାଟାକୁ ହିଁ ବୁଝନ୍ତି । ମାତ୍ର ଏକଥା ତଥାପି ସତ ଯେ ଆଧୁନିକ ମନ ଓ ଆଧୁନିକ ଆକୃତିଗୁଡ଼ିକୁ ନେଇ କେବଳ କବିତା ବ୍ୟତୀତ ଅଧୁନିକ ଗଳ୍ପ ଲେଖା ଯାଇପାରେ, ଉପନ୍ୟାସ ଓ ନାଟକ ଲେଖା ଯାଇପାରେ, ଆଧୁନିକ ପ୍ରବନ୍ଧ ମଧ୍ୟ ଲେଖା ଯାଇପାରେ । ଅଧୁନିକ କବିତା କହିଲେ ଯେପରି ଅନେକ ଲୋକ ନୂଆ ଅର୍ଥାତ୍ ଅବାଗିଆ ଶୈଳୀରେ ହିଁ କବିତା ଲେଖିବାକୁ ବୁଝନ୍ତି, ସେହିପରି କୌଣସି ଏକ ଆଧୁନିକ ବିଷୟବସ୍ତୁକୁ ନେଇ ପ୍ରବନ୍ଧଟିଏ ଲେଖିଦେଲେ ଅନେକ ହୁଏତ ତାହାକୁ ହିଁ ଆଧୁନିକ ପ୍ରବନ୍ଧ ହୋଇଗଲା ବୋଲି ଭାବି ଶାନ୍ତି ପାଆନ୍ତି । ମାତ୍ର କୌଣସି ପୁରାତନ ବିଷୟକୁ ନେଇ ମଧ୍ୟ ଆଧୁନିକ ପ୍ରବନ୍ଧ ଲେଖାଯାଇ ପାରେ ଏବଂ କୌଣସି ଅତ୍ୟାଧୁନିକ ବିଷୟକୁ ନେଇ ପୁରୁଣା ଓ କଳଙ୍କିଲଗା ମନୋଦୃଷ୍ଟିର ପ୍ରଚାର ବି କରାଯାଇପାରେ । ଆଧୁନିକ ପ୍ରବନ୍ଧ ଲେଖିବାକୁ ହେଲେ ଆମର ମନ ବି ଆଧୁନିକ ହେବା ଉଚିତ । ଅର୍ଥାତ୍ ଆଧୁନିକ ମଣିଷ ଆଧୁନିକ ପୃଥିବୀ ତଥା ଆଧୁନିକ ଆଗ୍ରହ ଓ ଆକାଂକ୍ଷାଗୁଡ଼ିକୁ ଆମର ବୁଝିପାରିବା ଉଚିତ । ଆଧୁନିକ ବିଜ୍ଞାନ ଓ ବିଚାରର ବ୍ୟଞ୍ଜନାଗୁଡ଼ିକୁ ଠଉରାଇ ପାରିବା ଉଚିତ । ଆମ ଓଡ଼ିଶାରେ ଆଧୁନିକ ବିଜ୍ଞାନର ନାନା ବିଷୟକୁ ନେଇ ଯେଉଁସବୁ ପ୍ରବନ୍ଧ ଲେଖାଯାଏ, ସେଗୁଡ଼ିକ ପଢ଼ିଲା ବେଳେ ଅନେକ ସମୟରେ ସ୍କୁଲରେ ପିଲାଙ୍କ ସହିତ ବସି କୌଣସି ମାଷ୍ଟରଙ୍କ ଭାଷଣ ଶୁଣୁଥିବା ପରି ମନେହୁଏ । ବୈଜ୍ଞାନିକ ପ୍ରବନ୍ଧ ଲେଖି ପାରିବା ଲାଗି ବୈଜ୍ଞାନିକ ଅବଧାରଣା ଦରକାର, ସେହିପରି ଆଧୁନିକ ପ୍ରବନ୍ଧ ଲେଖି ପାରିବ ଲାଗି ମଧ୍ୟ ଆଧୁନିକ ଅବତାରଣା ଦରକାର, ତା’ ନହେଲେ ଆମେ ଲେଖୁଥିବା ଅନେକ ପ୍ରବନ୍ଧ ଆଜିର ଖବରକାଗଜ ପରି କାଲିକୁ ଅଲୋଡ଼ା ହୋଇ କୁଆଡ଼େ ପଡ଼ି ରହିବ ଏବଂ ସେଥିରେ ଦୁଃଖ କରିବା ଲାଗି ମଧ୍ୟ କୌଣସି କାରଣ ନଥିବ ।

 

ଓଡ଼ିଶାରେ ସାଧାରଣତଃ ଅଧ୍ୟାପକମାନେ ହିଁ ପ୍ରବନ୍ଧ ଆଲୋଚନା ଓ ସମାଲୋଚନାରେ ମନ ଦେଇଥାଆନ୍ତି । ସେମାନେ ଅଧ୍ୟାପନା କରୁଥିବା କଲେଜମାନଙ୍କରେ ଯଦି ସମାଲୋଚନା ଅର୍ଥାତ୍ ଆଲୋଚନାର ଏକ ଅନୁକୂଳ ବାୟୁମଣ୍ଡଳ ରହିଥାନ୍ତା, ତେବେ ସମ୍ଭବତଃ ତାହା ଆମର ସାହିତ୍ୟରେ ମଧ୍ୟ ଆଲୋଚନାତ୍ମକ ପରିସର ତଥା ସମାଲୋଚନାତ୍ମକ ଦୃଷ୍ଟିକୋଣ ଆଣିଦେବାରେ ଭାରି ସାହାଯ୍ୟ କରନ୍ତା । ଆମର ସାନ ଓ ବଡ଼ ବିଦ୍ୟାଶାଳାମାନଙ୍କରେ ଚାଲିଥିବା ଯେଉଁ ରୀତିକୁ ଏବେ ଆମେ ଶିକ୍ଷା ବୋଲି କହୁଛୁ, ଜୀବନ ପ୍ରତି ଏକ ସମାଲୋଚନାମୂଳକ ଦୃଷ୍ଟିର ବିକାଶ କରାଇବା ଲାଗି ସେଥିରେ ପ୍ରାୟ କିଛି ହେଲେ ନଥାଏ । ମାଷ୍ଟ୍ରେ ଆଗରୁ ଯାହା ପାଢ଼ିଥାନ୍ତି ସେତିକି ପଢ଼ାଇ ଦିଅନ୍ତି, ଅର୍ଥାତ୍ ଘୋଷି ଆସିଥିବା ପରି ଗାଇଦିଅନ୍ତି । ପିଲାଏ ଶୁଣନ୍ତି ଏବଂ ଆଉକେତେଟା ବହି ଘୋଷି ପରୀକ୍ଷାରେ ବସନ୍ତି, ପରୀକ୍ଷା ପାସକରି ଶିକ୍ଷିତ ବୋଲାନ୍ତି । ଆମର ଶିକ୍ଷାଳୟମାନଙ୍କରେ ପାଠ ପଢ଼ାଇବାକୁ କିମ୍ବା ପାଠୁଆ ହବାକୁ ଆଦୌ କିଛିହେଲେ ଭାବିବାକୁ ପଡ଼େନାହିଁ କିମ୍ବା କିଛିହେଲେ ହଜମ କରିବାକୁ ପଡ଼େନାହିଁ । ସେଠାରେ ରାଜତ୍ଵ କରୁଥିବା ନାନ ସମ୍ବନ୍ଧ ଓ ଶାସନ ମଣିଷକୁ ମଣିଷ ପରି ଦେଖେ ନାହିଁ । ସେହି ଘୃଣା ଭିତରେ ପଡ଼ି ଅନ୍ତର୍ଦୃଷ୍ଟି ମରିଯାଏ, ଜିଜ୍ଞାସା ମରିଯାଏ, ଆପଣାଲାଗି ଏକ ଲୋଚନର ବିକାଶ କରିବା ସକାଶେ ଆବଶ୍ୟକ ଆଗ୍ରହ ମଧ୍ୟ ମରିମରି ଯାଏ । ଅସହିଷ୍ଣୁତା ବଢ଼େ, ପରସ୍ପର ପ୍ରତି ଶଙ୍କା ବଢ଼େ । ପିଲାଏ ପ୍ରଶ୍ନ ପଚାରିଲେ ଶିକ୍ଷକ ତାହାକୁ ପିଲାର ଔଦ୍ଧତ୍ୟ ବୋଲି ବିଚାରନ୍ତି ତେଣୁ ପାଟି ନ ଖୋଲିବାକୁହିଁ ପିଲାଏ ସବୁଠାରୁ ଅଧିକ ନିରାପଦ ମଣି ଗଧଧର୍ମରେ ଦୀକ୍ଷିତ ହୁଅନ୍ତି । ଏପରି ଏକ ବାତାବରଣରେ ସମଗ୍ର ଜୀବନ ସମଗ୍ର ନିରୀକ୍ଷଣ ଓ ସମଗ୍ର ଅବଧାରଣ ଲାଗି ସାରାଗ ରହିବ କୁଆଡ଼ୁ ?

 

ଆମର ବିଦ୍ୟାଳୟମାନଙ୍କରେ କିଛି କିଛି ଗବେଷଣା ଅବଶ୍ୟ ହୁଏ । ମାତ୍ର ମୂଳତଃ ଏଷଣାଦ୍ଵାରା ପ୍ରଣୋଦିତ ହୋଇ ଏସବୁ ଗବେଷଣା ହୁଏ ନାହିଁ । ଆବଶ୍ୟକତାଦ୍ଵାରା ବାଧ୍ୟ ହୋଇ ଏସବୁ ହୁଏ, ଅର୍ଥାତ୍ ଜୀବିକାର ସିଡ଼ିରେ ଉପରକୁ ଉଠିବା ପାଇଁ ହୁଏ । ତେଣୁ ଯେତେ ଦୂର ସମ୍ଭବ ସେଠାରେ ଅଧିକ ଜାଣିବା, ଅଧିକ ଅନୁସନ୍ଧାନ କରିବା, ଅଧିକ ପ୍ରଶ୍ନର ଉତ୍‌ଥାନ କରିବା କିମ୍ବା ଅଧିକ ସମଗ୍ର ଭାବରେ ଦେଖିବାର ଆଗ୍ରହ ରହିବାଠାରୁ ଦୂରରେ ରହିବାକୁହିଁ ମହତ୍‌ଜନପଥ ବୋଲି ଧରି ନିଆଯାଏ । ଓଡ଼ିଶାର ଯେତେ ଯେତେ ଜାଗାରେ ଓଡ଼ିଆ ଭାଷା ଓ ସାହିତ୍ୟରେ ଉଚ୍ଚତମ ଅଧ୍ୟାପନାର ଆନୁଷ୍ଠାନିକ ବ୍ୟବସ୍ଥା ରହିଛି, ସେଠାରେ ଆମ ସାହିତ୍ୟର ଆଧୁନିକ ଯୁଗଟି ବିଷୟରେ ଆଦୌ କିଛି ହେଲେ ପଢ଼ା ଯାଏ ନାହିଁ । କିଛି ହେଲେ ଆଲୋଚନା ହୁଏନାହିଁ । ପ୍ରବୀଣ ଅଧ୍ୟାପକମାନେ ତାଙ୍କ ଅମଳରେ ଯେତିକି ଯାଏ ପଢ଼ିଥାନ୍ତି, ଅର୍ଥାତ୍ ସାହିତ୍ୟରେ ଯେତିକି ଦୂର ଖବର ରଖିଥାନ୍ତି, ତାହାକୁ ହିଁ ସାହିତ୍ୟର ସର୍ବସ୍ଵ ରୂପେ ବିତରଣ କରାଯାଏ । ସାହିତ୍ୟର ଆଧୁନିକ ଭୂମିଟି ସେଠାରେ ପ୍ରାୟ ଅସ୍ପୃଶ୍ୟ ହୋଇ ରାହିଯାଏ ଏବଂ ହୁଏତ ସେହି କାରଣରୁ ଗୁରୁଜନମାନଙ୍କର ସକଳ ବାରଣ ଓ ନିଷେଧ ସତ୍ୱେ ଯେଉଁମାନେ ଆପଣାକୁ ସାହିତ୍ୟରେ ଆଧୁନିକ ରୂପେ ପରିଚିତ କରାନ୍ତି, ସେମାନେ ମଧ୍ୟ ସତେ ଅବା କେଉଁ ଗଡ଼ ଜୟକରି ବାହାରି ଥିବାପରି ଆଚରଣ କରିଥାନ୍ତି । ସଂକୀର୍ଣ୍ଣତା ଓ ରକ୍ଷଣଶୀଳତା ବିରୁଦ୍ଧରେ ଠିଆ ହେବାକୁ ଯାଇ ସେମାନେ ଆପେ ମଧ୍ୟ ସଂକୀର୍ଣ୍ଣ ଓ ରକ୍ଷଣଶୀଳ ହୋଇ ପଡ଼ିଥାନ୍ତି । ବଡ଼ମାନଙ୍କର ସହାନୁଭୂତିରୁ ବଞ୍ଚିତ ହୋଇ ରହିବା ପିଲା ବଡ଼ ହୋଇ ବଡ଼ମାନଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣାକରି ଯେପରି ଠେଙ୍ଗା ଉଠାଇ ବାହାରେ, ଅନେକ ପରିମାଣରେ ପ୍ରାୟ ସେହିପରି ।

 

ପ୍ରବନ୍ଧ, ଆଲୋଚନା ଓ ସମାଲୋଚନା ଲାଗି ଏକ ଅନୁକୂଳ ପରିବେଶର ସୃଷ୍ଟିଲାଗି ଆମ ଅଧ୍ୟୟନ ଓ ଆଧ୍ୟାପନା କ୍ଷେତ୍ରରେ ମଧ୍ୟ ଅନୁକୂଳ ଉଦାରତା ଲାଗି ଯଥେଷ୍ଟ ସ୍ଥାନ ରହିପାରିବା ଉଚିତ । ବଡ଼ ଓ ସାନ ଏକାଠି ହୋଇ ଜିଜ୍ଞାସୁର ମନଦେଇ ବସିପାରିବା ଉଚିତ । ଅନ୍ୟର କଥା ଶୁଣିବା ଲାଗି ଅଧିକ ପ୍ରସ୍ତୁତ ହୋଇ ପାରିବା ଉଚିତ । ନିଜର ଗ୍ରହଣପାତ୍ରଟିକୁ ସକଳପ୍ରକାର ସମ୍ଭାବ୍ୟ ଉତ୍ସଆଡ଼କୁ ପ୍ରସାରିତ କରି ରଖିପାରିବା ଉଚିତ । ଆମ ଚୈତନ୍ୟ ଭିତରେ ସଂପ୍ରସାରିତ ହୋଇ ପାରିବାର ସାହସ ରହିଥିବା ଉଚିତ । ଆମ ହୃଦୟ ଭିତରେ ଆହୁରି ଅନେକ ହୃଦୟକୁ ସ୍ପର୍ଶକରି ପାରିବାର ଉତ୍ସୁକତା ରହିଥିବା ଉଚିତ । ଆମର ଅନ୍ତର୍ଗତ ଜୀବନ ଭାବପ୍ରବଣ ନହୋଇ ମୂଳତଃ ମନନମୂଳକ ହୋଇ ପାରିବା ଉଚିତ । କେବଳ ଓଡ଼ିଆ ସାହିତ୍ୟର ଉନ୍ନତି କଳ୍ପେ ଏଗୁଡ଼ାକ ଆମର କର୍ତ୍ତବ୍ୟ ନୁହେଁ, ଏସବୁ ହେଉଛି ଆମ ଏ ଯୁଗର ମୂଳଭୂତ ଆହ୍ଵାନ । ଏହି ଯୁଗରେ ମଣିଷ ପରି ବଞ୍ଚି ଆପଣାର ସୃଜନାତ୍ମକ ଅବଦାନଦ୍ଵାରା ଏହାକୁ ସମୃଦ୍ଧ କରିବାକୁ ହେଲେ ଆମେ ଏହି ଆହ୍ଵାନଗୁଡ଼ିକୁ ଶୁଣିବା ଲାଗି ଅବଶ୍ୟ ଯୋଗ୍ୟ ହେବା । ନହେଲେ ଆମଘରେ ଆମେ ଜୟନ୍ତୀ ପାଳିବାର ବାହାନା କରି ପାଲା କରିବାରେ ଲାଗିଥିବ ଓ ତେଣେ ଆମର ଯୁଗ ଆମକୁ ଛାଡ଼ିଦେଇ ଆଗକୁ ଚାଲିଯିବ । ସେପରି ହେଲେ ଆମେ ଏହି ଯୁଗଟିକୁ ଗଢ଼ିବାର ସକଳ ଅଧିକାର ହରାଇ ବସିବା ଏବଂ ଯୁଗର ହାତରେ କ୍ରୀଡ଼ନକମାତ୍ର ହୋଇ ରହିଯିବା । ଯୁଗର ଚକ ତଳେ ଆମେ ପେଷି ହୋଇଯିବା ।

 

୧୯ । ୮ । ୭୦

[‘ନବରବି’ ଦଶହରା ସଂଖ୍ୟା,୧୯୭୦]

Image

 

ସ୍ଵାଧୀନତା-ପର ଓଡ଼ିଆ ସାହିତ୍ୟାଲୋଚନା

 

ସ୍ଵାଧୀନତା-ପରେ ଭାରତବର୍ଷରେ ଆଉ ଯାହା ହୋଇଥାଉ ବା ନହୋଇଥାଉ ପଛକେ, କିନ୍ତୁ ଏବିଷୟରେ କଦାପି କାହାରି ଦ୍ଵିମତ ହେବ ନାହିଁ ଯେ ସ୍ଵାଧୀନତା ପୂର୍ବରୁ ଯେଉଁ ସବୁ ଦ୍ରବ୍ୟ ଆମ ଦେଶରେ ଗୁଣେ ଥିଲା, ବର୍ତ୍ତମାନ ତାହା ବହୁଗୁଣ ହୋଇଛି । ଲୋକସଂଖ୍ୟା ବହୁଗୁଣ ହୋଇଛି, ଲୋକ ପ୍ରତିନିଧିମାନେ ବି ବହୁଗୁଣ ହୋଇଛନ୍ତି । ଅର୍ଥାତ୍ ପ୍ରତ୍ୟେକଙ୍କର ସଂଖ୍ୟା ବଢ଼ିଛି, ରାଜାମାନଙ୍କର ସଂଖ୍ୟା ବି ବଢ଼ିଛି । ବଜାରରେ ସାମଗ୍ରୀଗୁଡ଼ାକ ବଢ଼ିଛି, ସାମଗ୍ରୀଗୁଡ଼ାକାର ଦର ବି ବଢ଼ିଛି । ପାଠୁଆଙ୍କର ସଂଖ୍ୟା ବଢ଼ିଛି ଏବଂ ଅପାଠୁଆମାନଙ୍କର ସଂଖ୍ୟା ମଧ୍ୟ ସେହି ଅନୁପାତରେ ପ୍ରାୟ ସେତିକି ଗୁଣ ହୋଇଛି । ଦୋକାନ ବଢ଼ିଛି, ରାସ୍ତାଗୁଡ଼ାକ ଅଧିକ ଚଉଡ଼ା ହୋଇଛି । ସେହି ରାସ୍ତା ଉପରେ ଯାତାୟତ କରୁଥିବା ପଦାତିକମାନଙ୍କଠାରୁ ଆରମ୍ଭକରି ମଟରଗାଡ଼ିଗୁଡ଼ାକର ସଂଖ୍ୟା ଅନେକ ଗୁଣରେ ବଢ଼ିଛି । ରାସ୍ତାର ପରିମାଣ ବଢ଼ିଛି, ଅଧିକ କୋଠାବାଡ଼ି ବଢ଼ିଛି, ଚାଳ ଥାନାରେ ଟାଇଲିଖପର ବଢ଼ିଛି । ଇସ୍କୁଲ ବଢ଼ିଛି, କଲେଜ ବଢ଼ିଛି, ବିଶ୍ଵବିଦ୍ୟାଳୟ ବଢ଼ିଛି । ସେସବୁ ଥାନକୁ ମଙ୍ଗୁଳା ହୋଇ ଯିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କର ସଂଖ୍ୟା ବି ବଢ଼ିଛି । ଯେଉଁ ଦଶଜଣ ଥିଲେ କି ପଚାଶ ଜଣ ଥିଲେ, ସେଠାରେ ପଲପଲ ହେଲେ । ଆଗେ କେବଳ କଟକ ବା ସମ୍ବଲପୁରରେ କଲେଜ ଥିଲା, ଏବେ ସୁଜନପୁର ଓ ଦୁର୍ଜନପୁରରେ ମଧ୍ୟ କଲେଜ ହେଲା ଏବଂ ସେହି ଅନୁପାତରେ ଅଧ୍ୟାପକମାନେ ମଧ୍ୟ ବରଣି ହୋଇ ଆସିଲେ । ସେମାନେ ଯେପରି ବିଘ୍ନମୁକ୍ତ ହୋଇ ସେମାନଙ୍କର ଧର୍ମପାଳନ କରିପାରିବେ, ସେଥିପାଇଁ ସେମାନଙ୍କ ଲାଗି ଆଖିଦୃଶିଆ ଖାସ୍ ବିହାରମାନ ତିଆରି ହେଲା । ଏହିସବୁ ବଢ଼ିବାର ହିସାବଗୁଡ଼ାକ ଆମକୁ ସରକାରୀ ଖାତାପତ୍ରମାନଙ୍କରୁ ହିଁ ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ଭାବରେ ସବୁବେଳେ ମିଳିପାରିବ ।

 

ସବୁ ବଢ଼ିବାର ଏହି ସୁଅରେ ଆମ ସାହିତ୍ୟ ମଧ୍ୟ ବଢ଼ିଲା । ଅର୍ଥାତ୍, ବହି ଗୁଡ଼ିକର ସଂଖ୍ୟା ବଢ଼ିଲା । ସାହିତ୍ୟକୁ ନେଇ ଆଗେ ପ୍ରାୟ ମୋଟେ ସଭା ହେଉ ନଥିଲା । ଏବେ ଅର୍ଥାତ୍ ସ୍ଵାଧୀନତା ପରେ ମାସକୁ ପ୍ରାୟ ଛଅପୁଞ୍ଜା କରି ସଭା ହେଲା । ସେଗୁଡ଼ାକ ବିଷୟରେ ସମସ୍ତଙ୍କୁ ସଚେତ କରିଦେବା ଉଦ୍ଦେଶ୍ୟରେ ଖବରକାଗଜରେ ସୁସମାଚାରମାନ ବାହାରିଲା । ଜୟନ୍ତୀଗୁଡ଼ାକ ପ୍ରାୟ ଛଅଗୁଣ ହୋଇ ଫୁଟିବାରେ ଲାଗିଲା । ହଁ, ଏକ ବିଶେଷ ବିଷୟରୂପେ କଲେଜମାନଙ୍କରେ ସାହିତ୍ୟ ପଢ଼ାଇବାକୁ ବି ଲାଗିଲା । ସ୍ଵାଧୀନତା ପୂର୍ବରୁ ଭାରତୀୟ ଭାଷାଗୁଡ଼ିକ ଇଂରାଜୀ ଭାଷା ଓ ସାହିତ୍ୟ ପାଖରେ ପୋଇଲୀ ପ୍ରାୟ ହୋଇ ରହିଥିଲେ । ସ୍ଵାଧୀନତା ପରେ ସେମାନଙ୍କୁ ଯାଆ ହୋଇ ରହିବାର ଅଧିକାର ଦିଆଗଲା । ଭାରତୀୟ ସାହିତ୍ୟରେ ସ୍ନାତକ ବାହାରିଲେ ଏବଂ ସ୍ନାତକେତ୍ତର ବାହାରିଲେ । ଇଂରାଜୀ ବିଭାଗରେ ଯାହାଅଛି, ଆମ ବିଭାଗରେ ମଧ୍ୟ ତାହାହିଁ ରହିଛି, ତାଙ୍କ ବାଣ୍ଟରେ ଯେତିକି ବଖରା ଏବଂ ଯେତିକି ଚାକିରି ପଡ଼ିଛି, ଆମ ବାଣ୍ଟରେ ମଧ୍ୟ ଠିକ୍ ସେତିକିଟି ବଖରା ଓ ସେତିକିଟି ଚାକିରି ପଡ଼ିଛି, ଏହିପରି ଉତ୍ସାହ କଥାମାନ ଭାବି ଭାରତୀୟ ଭାଷାର ଅଧ୍ୟକ୍ଷ ଓ ଅଧୀକ୍ଷକମାନେ ଉତ୍ସାହିତ ହେଲେ । ଭାରତୀୟ ଭାଷାର ଉନ୍ନତି କଳ୍ପେ ମୁଠା ମୁଠା ପଇସା ବିଞ୍ଚାହେଲା, ସାହିତ୍ୟ-କରବାରର ବିଶେଷ ଦାୟିତ୍ଵଟିକୁ ବହନ କରିବାଲାଗି ଏକାଡେମୀଗୁଡ଼ିକ ମହାସମାରୋହରେ ପ୍ରତିଷ୍ଠିତ ହୋଇ ରହିଲେ । ସେମାନେ ବାଛି ବାଛି ବହି ଛାପିଲେ, ବାଛି ବାଛି ପୁରସ୍କାର ବାଣ୍ଟିଲେ, ବାଛି ବାଛି ସମ୍ମାନିତ କଲେ, ଶାଢ଼ି ପିନ୍ଧାଇଲେ ।

 

ସ୍ଵାଧୀନତା ପରେ ଏଇ ପ୍ରାୟ ତିରିଶ ବର୍ଷ ଭିତରେ ଆମ ଓଡ଼ିଶାରେ ପ୍ରକୃତରେ କେତେକେତେ ବହି ଛପା ନହୋଇଛି । ବାଙ୍କାବଜାର, ବିନୋଦବିହାରୀ କିମ୍ବା ବାଲୁବଜାର ବହିଦୋକାନଗୁଡ଼ାକର ସଂଖ୍ୟାର ଏକ ତୁଳନାତ୍ମକ ଅଧ୍ୟୟନ କଲେ ଏକଥା ମାନିବାକୁ ସମସ୍ତେ ନିଶ୍ଚୟ ବାଧ୍ୟ ହେବ । ଏଇ କେତୋଟା ବର୍ଷ ଭିତରେ କବିତା କ'ଣ କମ୍ ବାହାରିଛି ? ଉପନ୍ୟାସ ବି କମ୍ ବାହାରିଛି ? ଆଗେ ଲେଖକଙ୍କର ସ୍ଵର୍ଗବାସ ପରେ ଯାଇ ତାଙ୍କର ଗ୍ରନ୍ଥାବଳୀ ବାହାରୁଥିଲା । ଏବେ ସେମାନଙ୍କର ଜୀବଦ୍ଦଶାରେ ମଧ୍ୟ ସେମାନଙ୍କର ସୁଦୃଶ୍ୟ ଗ୍ରନ୍ଥାବଳୀଗୁଡ଼ାକ ବହୁଖଣ୍ଡ ହୋଇ ବାହାରିଲାଣି ଓ ସେମାନଙ୍କୁ ସେତେଅବା ସ୍ଵର୍ଗସୁଖର ଅନୁଭୂତି ଆଣିଦେଲାଣି । ପତ୍ରପତ୍ରିକା କ'ଣ କମ୍ ବାହାରୁଛି ? ସଞ୍ଜବୁଡ଼ିବା ବେଳକୁ ଭେଡ଼ରେ ଜହ୍ନିଫୁଲଗୁଡ଼ାକ ହଠାତ୍ ଫୁଟି ଉଠିଲେ ସେଗୁଡ଼ାକୁ ଯେପରି ମୋଟେ ଗଣି ହୁଏ ନାହିଁ, ସେହିପରି ଏହି ପତ୍ରିକାଗୁଡ଼ିକୁ ମଧ୍ୟ ଆଦୌ ଗଣି ହେବନାହିଁ । ତେଣୁ ସ୍ଵାଧୀନତା ପରେ ଓଡ଼ିଆ ସାହିତ୍ୟର ଯେ ଆନେକ ଅଗ୍ରଗତି ଓ ବପୁବୃଦ୍ଧି ହୋଇଛି, ସେକଥା କେହି କଦାପି ଅସ୍ଵୀକାର କରିପାରିବେ ନାହିଁ । ଓଡ଼ିଶାରେ ଇଂରାଜୀ ବିଭାଗର ଅଧ୍ୟାପକମାନେ ମଧ୍ୟ ସେହି କଥାଟିକୁ ଅସ୍ଵୀକାର କରିପାରିବେ ନାହିଁ । ବେଗ ଯେପରି ଉନ୍ନତିର ଲକ୍ଷଣ, ସଂଘ ମଧ୍ୟ ସେହିପରି ଉନ୍ନତିର ଲକ୍ଷଣ ତଥା ବେଗର ଲକ୍ଷଣ । ସ୍ଵାଧୀନତା ପୂର୍ବରୁ ଆମ ଓଡ଼ିଶାରେ ସାହିତ୍ୟକୁ ନେଇ ଆଦୌ ସେତେବେଶୀ ସଂଘ ନଥିଲା । ହୁଏତ ଗୋଟାଏ ସବୁଜ ସାହିତ୍ୟ ସମିତି ଥିଲା, ଗୋଟାଏ ନବଯୁବ ସାହିତ୍ୟ ସଂପଦ ଥିଲା ଅଥବା ଗୋଟାଏ ମାତ୍ର କଳିଙ୍ଗ ଭାରତୀ ରହିଥିଲା । ଏସବୁ ସେହି ଗୋଟାଏ ସହର ଭିତରେ ଓ ମାତ୍ର କେତେଜଣ ଉତ୍ସାହଦାତା ଏବଂ ଉତ୍ସାହିତଙ୍କ ମଧ୍ୟରେ ଆବଦ୍ଧ ହୋଇ ରହିଥିଲା । ଏବେ ତ ସଂଘଗୁଡ଼ାକ ଯାହାକୁ ଯେତେ ହେଲେଣି । ସାହିତ୍ୟ ଭିତରେ ପଶିବା ମାତ୍ରେକେ ସଂଘ କରିବାକୁ ଇଚ୍ଛା କରୁଛନ୍ତି । ସଂଘ ନହେଲେ ଶକ୍ତି ହେବନାହିଁ ବା ଅନ୍ତତଃ ଶକ୍ତି ଅଛି ବୋଲି ଜଣା ପଡ଼ିବ ନାହିଁ ବୋଲି ସେମାନେ ଦୃଢ଼ ଭାବରେ ବିଶ୍ଵାସ କରୁଛନ୍ତି । ସାହିତ୍ୟ-କ୍ଷେତ୍ରରେ ଯଥାର୍ଥରେ ଯାହାକିଛି ସୃଷ୍ଟିହୁଏ, ତାହା ଯେ କୌଣସି ପ୍ରକାର କୋଳାହଳ ନକରି ହୁଏ ଏବଂ ସୃଷ୍ଟି ହୋଇଗଲା ପରେ ତାହା ଯେ ଆପଣାର ସଂଘଟିକୁ ଆପେ ଜନ୍ମ ଦିଏ ଅର୍ଥାତ୍ ଆପଣାର ମଣ୍ଡଳଟିକୁ ଆପେ ଆମନ୍ତ୍ରିତ କରି ନେଇଆସେ, ଆମେ ଆଜିକାଲି ଏହି ସବୁ କଥା ଉପରେ ଆଉ ଆଦୌ ବିଶ୍ଵାସ କରିପାରୁନାହୁଁ । ଆମେ କହୁଛୁ, ଚାଲ, ଆଗ ସଂଘ କରିବା–ତାପରେ ହୁଏତ ସୃଷ୍ଟି ଆପେ ଆପେ ହୋଇଯିବ ଏବଂ ସୃଷ୍ଟି ନହେଲେ ମଧ୍ୟ ଆମେ ଆମେ ଆମ ସଂଘଟିର ଜରିଆରେ ବଞ୍ଚି ରହିବା, ଅଲବତ୍ ବଞ୍ଚି ରହିବା ।

 

ଆଗ ସୃଷ୍ଟି ତା'ପରେ ଆଲୋଚନା ଏପରିକି ସୃଜନାତ୍ମକ ଆଲୋଚନା ସମ୍ଭବ ହୋଇପାରିବା ଲାଗି ଆଗ ସୃଜନାତ୍ମକ ସାହିତ୍ୟ ଲୋଡ଼ା ହୋଇଥାଏ । ସୃଜନାତ୍ମକତା ନଥିଲେ ମଧ୍ୟ ସାହିତ୍ୟ ଗଦାଗଦା ହୋଇ ଲେଖା ହୋଇପାରେ ସତ, ମାତ୍ର ତଥାପି ତଦ୍ଦ୍ଵାରା ଐତିହାସିକ ଆଲୋଚନା ହୁଏତ ବେଶ୍ ସମ୍ଭବ ହୁଏ ଏବଂ ସାହିତ୍ୟର ଆଲୋଚନା ନାମରେ ସାହିତ୍ୟର ତୁଚ୍ଛା ଇତିହାସଗୁଡ଼ାକ ଲେଖା ହେଉଥାଏ ସତ, ମାତ୍ର ସୃଜନାତ୍ମକ ଆଲୋଚନା ତଥାପି ସାମଗ୍ରୀର ଅଭାବ ରହିଥାଏ । ଆହ୍ଵାନ ବା ଆବଶ୍ୟକତାର ଅଭାବ ରହିଥାଏ । ଆମ ସାହିତ୍ୟାଲୋକନର ରୀତିଟି ମଧ୍ୟରୁ ସୃଜନାତ୍ମକ ଦୃଷ୍ଟିଟିକୁ ସେତେଅବା ବାସନ୍ଦ କରି ରଖାଯାଏ । କୋଉ ମସିହାରେ କିଏ କେଉଁ କବିତାଟି ଲେଖିଥିଲେ । କେଉଁ ମସିହା କେଉଁ ମାସ କେଉଁ ତାରିଖରେ ଓଡ଼ିଶାରେ କେବେ ଛପାକଳ ବସିଲା, ଅମୁକ ସମ୍ମିଳନୀରେ କିଏ କେଉଁ ବିଷୟରେ ଭାଷଣ ଦେଉଥିଲେ । ସେହିଗୁଡ଼ାକରୁ ହିଁ ସାହିତ୍ୟର ଆଲୋଚନାଟିକୁ ଗୁନ୍ଥି ନିଆଯାଏ । ଆଲୋଚନାକୁ ଯଥାଇଚ୍ଛା ପୃଥୁଳ ଓ ତେଣୁ ସୁଦୃଶ୍ୟ କରାଯାଇପାରେ ଏବଂ ଆଲୋଚନାଗୁଡ଼ିକ ପ୍ରକୃତରେ ଭାରି ବିଷୟନିଷ୍ଠ ହେଲା ବୋଲି ଦାବି କରାଯାଇପାରେ । ସାହିତ୍ୟର ଆଲୋଚନାରେ ବିଷୟନିଷ୍ଠ ହେବା ଲାଗି ଯେ ଦୃଷ୍ଟିନିଷ୍ଠ ହେବାକୁ ହୁଏ, ସେ କଥାଟି ସତେଅବା ଏକ ଅପାଂକ୍ତେୟ ଅନ୍ୟକଥା ବୋଲି ମନେହୁଏ । ଏବେ ତୁଚ୍ଛା ଇତିହାସ ଲେଖିଲାବେଳେ ମଧ୍ୟ ଦୃଷ୍ଟିନିଷ୍ଠ ହେବା ଦରକାର ପଡ଼ିଲାଣି, ଇତିହାସର କ୍ଷେତ୍ରରେ ଏକାବେଳେକେ ଅନେକ ଦୃଷ୍ଟି ନିଶ୍ଚୟ ସମ୍ଭବ ବୋଲି ଆମେ ଅନୁଭବ କରି ସାରିଲୁଣି । ଆଗେ ଇତିହାସକୁ ଯେତେଦୂର ବିଷୟ ପ୍ରଧାନ ବା ବିଷୟ ସର୍ବସ୍ଵ ବୋଲି ବିଚାର କରାଯାଉଥିଲା, ଏବେ ତାହା ସେତେ ବିଷୟସର୍ବସ୍ଵ ବୋଲି ଆଦୌ ବିଚାର କରାଯାଉ ନାହିଁ । ଏପରିକି, ଇତିହାସର କେଉଁ କଥାଟିକୁ ଆମେ ଅଧିକ ମହତ୍ତ୍ଵପୂର୍ଣ୍ଣ ବୋଲି ଗ୍ରହଣ କରିବା ଓ ଆଉ କେଉଁ କଥାଗୁଡ଼ିକୁ ଅପେକ୍ଷାକୃତ କମ୍ ମହତ୍ଵପୂର୍ଣ୍ଣ ଅଥବା ଏକାବେଳେକେ ମହତ୍ଵହୀନ ବୋଲି କହି ବର୍ଜନ କରିବା, ସେଇଟିର ନିଶ୍ଚୟ କରିବାରେ ମଧ୍ୟ ଆମଠାରୁ ଏକ ବିଶେଷ ସୃଜନାତ୍ମକତା ଓ ସୃଜନାତ୍ମକ ଦୃଷ୍ଟିର ପ୍ରତ୍ୟାଶା କରାଯାଉଛି । ତେଣୁ ସେହି ଗୋଟିଏ ଘଟଣାର ବା ସେହି ଗୋଟିଏ ଯୁଗର ଇତିହାସ ଲେଖୁଥିଲେ ମଧ୍ୟ ଜଣେ ଐତିହାସିକର ଭାଷା ଆଉ ଜଣେ ଐତିହାସିକର ଭାଷା ସହିତ ଆଦୌ ସମାନ ହେଉନାହିଁ । ତଦ୍ଦ୍ଵାରା ଗୋଟିଏ ଇତିହାସକୁ ମଧ୍ୟ ଆମେ ବିଭିନ୍ନ ଦୃଷ୍ଟିରେ ଦେଖି ପାରିବାର ସୁଯୋଗ ପାଇ ପାରୁଛୁ, ସେଇଟିଦ୍ଵାରା ଭିନ୍ନ ଭିନ୍ନ ଭାବରେ ଅନୁପ୍ରାଣିତ ହେବାର ଅବସର ମଧ୍ୟ ଲାଭ କରୁଛୁ । ଇତିହାସର ତଥାକଥିତ ଘଟଣାଗୁଡ଼ିକ ଅପେକ୍ଷା ସେହି ଘଟଣାଗୁଡ଼ିକୁ ଗୋଟିଏ କ୍ରମ ଓ ଗୋଟିଏ ସମଗ୍ର ମଧ୍ୟରେ ବାନ୍ଧି ରଖିଥିବା ବ୍ୟଞ୍ଜନାଗୁଡ଼ିକ ହିଁ ଏବେ ଅନେକ ସମୟରେ ଅଧିକ ମହତ୍ତ୍ଵପୂର୍ଣ୍ଣ ବୋଲି ଅନୁଭୂତି ହେଲାଣି ।

 

ସାହିତ୍ୟର ଆଲୋଚନା ଇତିହାସ ନୁହେଁ, ତେଣୁ ସେଥିରେ ଇତିହାସଟିକୁ ଘାଣ୍ଟିବା ଅପେକ୍ଷା ଅନ୍ତର୍ନିହିତ ସ୍ଵଭାବ, ଆବେଦନର ପରିସର, ନିର୍ବାଚନର ପରିବେଶ ତଥା ସୃଜନ ପ୍ରେରଣାର ବିଶିଷ୍ଟ ଆକୁତିଟିକୁ ନିର୍ଦ୍ଦିଷ୍ଟ କରି ଦେଖାଇବା ଲାଗି ହିଁ ଅଧିକ ମହତ୍ତ୍ଵ ରହିଛି । ଆମେ ଯେଉଁମାନେ ସାହିତ୍ୟ ବୋଲି ଇତିହାସଟାର ହିଁ ସର୍ବାଗ୍ର ଆଲୋଚନା କରିବା ଲାଗି ଉତ୍ସାହ ଦେଖାଇଥାଉ, ସେମାନେ ହୁଏତ ଏକ ବିଶେଷ ତାତ୍କାଳିକତାଦ୍ଵାରା ବାଧ୍ୟ ହୋଇ ସେପରି କରିବାକୁ ଯାଇଥାଉ । ସମାଲୋଚନାର ଅବସର ବୃଦ୍ଧି କରିବାକୁ ଆମେ ସାହିତ୍ୟର ସମାଲୋଚନା ଆଦୌ ଲେଖୁନାହିଁ । ଆମ ପିଲାଙ୍କର କାମରେ ଲାଗିବ ବୋଲି ଆମେ ସାହିତ୍ୟ-ସମାଲୋଚନାଆଡ଼କୁ ଆଗ୍ରହୀ ହୋଇଥାଉ । ଅଥବା, ସାହିତ୍ୟର ସମାଲୋଚନା କରି ଆମେ କୌଣସି ବିଶେଷ ଡିଗ୍ରୀଟିଏ ପାଇବାଲାଗି ଅତ୍ୟନ୍ତ ଔପଚାରିକ ଏବଂ ଆନୁଷ୍ଠାନିକ ଭାବରେ କୌଣସି ଏକ ବିଷୟ ସହିତ ସମ୍ପର୍କ ରଖୁଥିବା ଗାଡ଼ିଏ କୋଇଲିସୂତା ସଂଗ୍ରହ କରିଥାଉ ଓ ତାହାକୁ ଐତିହାସିକତାର ନାନା ଗଣ୍ଠିଦ୍ଵାରା ଗଅଁଠାଇ ଏକ ନିବନ୍ଧ ଲେଖିଥାଉ । ସେହି ନିବନ୍ଧ ମଧ୍ୟରେ ସୃଜନଶୀଳତାର ଲାଗି ଆଦୌ କୌଣସି ଅବକାଶ ହିଁ ନଥାଏ । ସେହି କ୍ଷେତ୍ରରେ ସୃଜନଶୀଳତାକୁ ହୁଏତ ଗୁଡ଼ାଏ ଅଯଥା ପ୍ରମାଦର କାରଣ ବୋଲି ହିଁ ବିଚାର କରାଯାଏ । ବଡ଼ ଚାକିରିଟା ସକାଶେ ଯେଉଁ ଡିଗ୍ରୀ ଓ ତଦର୍ଥେ ଯେଉଁ ଅଧ୍ୟୟନ ଅଥବା ଗବେଷଣା ଲୋଡ଼ା, ସେଥିଲାଗି ସୃଜନଶୀଳତା ଲାଗିବା କାହିଁକି କୌଣସି ଆବଶ୍ୟକତା ରହିବ ? କାରଣ ସେଠି ଗବେଷଣାକୁ ଆପଣା ଅଭିବୃଦ୍ଧିର ହିଁ ଏକ ଅଙ୍ଗ ବୋଲି କଦାପି ଗ୍ରହଣ କରା ଯିବନାହିଁ, ବ୍ୟାବହାରିକ କ୍ଷେତ୍ରର ଆପାତ ସଫଳତା ଲାଗି ଆବଶ୍ୟକ ବୋଲି କୁହାଯାଉଥିବା କେବଳ ଗୋଟିଏ ଅନର୍ଥ ବା ଅନାବଶ୍ୟକତା ବୋଲି ହିଁ କୁହାଯାଇ ପାରିବ । ତେଣୁ ଇତିହାସ ନାମରେ କୌଣସି ଅଧ୍ୟବସାୟୀ ଉଦ୍ଦେଶ୍ୟନିଷ୍ଠ ଜୀବ ପରି କେତେଗୁଡ଼ାଏ ନଥିପତ୍ରକୁ ଘାଣ୍ଟି ଗୋଟାଏ ଐତିହାସିକ ବିବରଣ ପ୍ରସ୍ତୁତ କରିଦେଇ ପାରିଲେ ହିଁ ତାହା ଯଥେଷ୍ଟ ହେବ, ନିରାପଦ ହେବ, ନିରାପଦ ହେବ ଏବଂ ତଥାକଥିତ ପରୀକ୍ଷକମାନଙ୍କର ମନୋଗ୍ରାହୀ ମଧ୍ୟ ହୋଇପାରିବ । ଯିଏ ଏକ ସୃଜନଶୀଳ ଦୃଷ୍ଟି ନେଇ କୌଣସି ଗବେଷଣା ବା ଆଲୋଚନା ଆରମ୍ଭ କରେ, ସିଏ ତଦ୍ଦ୍ଵାରା ତା’ର ଶୁଭକାରୀ ପରୀକ୍ଷକମାନଙ୍କୁ ମଧ୍ୟ ସୃଜନଶୀଳ ହେବାକୁ ବାଧ୍ୟ କରାଏ, ତେଣୁ ଅନେକ ସମୟରେ ସେମାନଙ୍କୁ ଅକାରଣରେ ବିରକ୍ତ କରାଏ ଓ ସେମାନଙ୍କର ବିଭାଗଭାଜନ ହୋଇଥାଏ । ହାତର ବାଳିଆଟି ହାତରୁ ଖସି ପୁଣି ପାଣିକୁ ଡେଇଁ ପଡ଼ିବାର ଭୟଟି ରହିଥାଏ । ଆମ ବଣିଜଗୁଡ଼ାକ ନିର୍ବୋଧ ବୋଲି ସାବ୍ୟସ୍ତ ହୁଏ ।

 

ସ୍ଵାଧୀନତା ପରେ ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଭାଷାରେ କରା ହୋଇଥିବା ଅଧିକତର ଗବେଷଣା ଓ ଆଲୋଚନା ଏହିପରି ଗୋଟିଏ ସୀମାବିରୁଦ୍ଧ ପରିବେଶ ଭିତରେ ହିଁ କରାହୋଇଛି । ତେଣୁ ସୃଜନାତ୍ମକ ଦୃଷ୍ଟିଟିର ଅନୁଶୀଳନ କରିବା ପୂର୍ବରୁ ଅନେକ ସମୟରେ ଅନେକ ବ୍ୟକ୍ତି ସାହିତ୍ୟାଲୋଚନା କରିବାକୁ ବାଧ୍ୟ ହୋଇଛନ୍ତି । ସେମାନଙ୍କର ତଦ୍ଦ୍ଵାରା ବଡ଼ ଲାଭ ହୋଇଛି; ଅର୍ଥାତ୍ ତୃଣୀରରୁ ଗୋଟିଏ ହେଲେ ବାଣ ସରିନାହିଁ ଅଥଚ ଶିକାରପକ୍ଷୀ ମୁଣି ଭିତରକୁ ଆସିଯାଇଛି । ଜିଜ୍ଞାସାର କ୍ଷେତ୍ରରେ ଶ୍ରଦ୍ଧାର କ୍ଷେତ୍ରରେ ହୁଏତ କୌଣସି ଯାଚଜ୍ଞା କରିବାକୁ ପଡ଼ିନାହିଁ, କୌଣସି ପ୍ରକାରର ସ୍ଵପ୍ନ ବା ଦୃଷ୍ଟିକୁ ଉଖାରିବାକୁ ପଡ଼ିନାହିଁ, ଅଥଚ ରତ୍ନଲାଭ ହୋଇ ଯାଇଛି । ମାତ୍ର ଆଲୋଚନା ଓ ଆଲୋଚନାତ୍ମକ ଦୃଷ୍ଟି ଭାରି ଉପହସିତ ହୋଇ ରହିଛନ୍ତି । ସାହିତ୍ୟାଲୋଚନାର ସୃଜନାତ୍ମକତା ଚୁଲିକୁ ଯାଇଛି; ଆଲୋଚକ ଓ ଗବେଷକମାନେ ଫଳପ୍ରାପ୍ତିର ଗୋଟିଏ ସୋପାନ ହାସଲ କରିବା ପରେ ଆହୁରି ଅଧିକ ଆଲୋଚନା ଓ ଗବେଷଣା ଲାଗି ପ୍ରବୃତ୍ତ ହୁଅନ୍ତେ ସିନା, ମାତ୍ର ସେମାନେ ଗବେଷଣାଦ୍ଵାରା ଆକାଙ୍‌କ୍ଷିତ ଉଚ୍ଚଥାନଟିକୁ ଭଲ କରି ସାରିବା ପରେ ସତେଅବା କୋଉ କମ୍ପାନୀ ଅଫିସର ଏକ୍‌ଜିକୁଟିଭ ପରି ଦେଖା ଯାଇଛନ୍ତି, ଠିକ୍ ସେହିମାନଙ୍କ ପରି ଧପ୍‌ପାବାଜି ମାରିଛନ୍ତି ବା ବାହାଦୁରି କାଢ଼ିଛନ୍ତି । ଓଡ଼ିଆ ସାହିତ୍ୟ କୃତକୃତ ହୋଇଛି, କର୍ମ ଆଦରି ରହିଛି । ଘର-କଳିଗୁଡ଼ାକ ସାହୀ-କଳି ବା ସାହିତ୍ୟର କଳିକୁ ପଦୋନ୍ନତ ହୋଇ ଆସିଛନ୍ତି । ପ୍ରବୀଣମାନଙ୍କୁ ଦେଖି ନବୀନମାନେ ମଧ୍ୟ ଆପଣାଙ୍କୁ ଅନୁରୂପ ଭାବରେ ମଣ କରି ରଖିବାକୁ ହିଁ କାଳଧର୍ମ ବୋଲି ମଣିଛନ୍ତି ।

 

ସମାଲୋଚନାର ପର୍ଯ୍ୟୟଟି ହେଉଛି ଯେ କୌଣସି ସାହିତ୍ୟରେ ଓ ତେଣୁ ଆମ ଓଡ଼ିଆ ସାହିତ୍ୟରେ ମଧ୍ୟ ଏକ ଆଧୁନିକ ପର୍ଯ୍ୟୟ । ସ୍ଵାଧୀନତା ଲାଭ କରିବା ପୂର୍ବରୁ ଆମ ଦେଶ ଆମ କାଳର ଏହି ଆଧୁନିକ ପର୍ଯ୍ୟୟଟିରେ କାର୍ଯ୍ୟତଃ ଓ ନ୍ୟାୟତଃ ଭାଗୀ ହୋଇ ପାରି ନଥିଲା । ସ୍ଵାଧୀନତା ଲାଭ କରିବାର ପରେ ହିଁ ଆମର ସେହି ନୂତନ ହାରଟି ଫିଟିଯାଇ ପାରିଲା; ଆଧୁନିକ ସଂସାରରେ ଆଧୁନିକ ମଣିଷକୁ ଆଖି ଆଗରେ ରହି ବିଶ୍ଵସାହିତ୍ୟ ତା’ର ଆଧୁନିକ ସୃଜନ କଳନାରେ ଯେଉଁ ପ୍ରୟାସଟି କରୁଛି, ଭାରତବର୍ଷ ମଧ୍ୟ ତାହାରି ଭିତରେ ଆପଣାର ନ୍ୟାୟୋଚିତ ଭୂମିକାଟିକୁ ଗ୍ରହଣ କରିପାରିବ ବୋଲି ପ୍ରତ୍ୟାଶା କରାଯାଇ ପାରିଲା । ଆଧୁନିକ ଯୁଗର ପୂର୍ବତନ ଯୁଗଟିରେ ବିହ୍ଵଳତାର ଯୁଗ ଥିଲା, ଖାଲି କଲ୍ଲୋଳିତ ହୋଇଯିବାର ଯୁଗ ଥିଲା । ସେତେବେଳେ ରସାସ୍ଵାଦନ ହିଁ ମଧୁରସିକମାନଙ୍କର ସର୍ବପ୍ରଧାନ ଅଭିରୁଚି ହୋଇ ରହିଥିଲା । ସଭାରେ ଶୁଣି, ନିଜେ ଆବୃତ୍ତି କରି ବା ନିଜେ ଗାଇ ଆମେ ସେତେବେଳେ ସାହିତ୍ୟ ଗୋଳାହୋଇ ରହିଥିବା, କୁଣ୍ଡଟିର ଗଭୀରତା, ମହନୀୟତା ଓ ବଦାନ୍ୟତାକୁ ମାପିବାକୁ ଯାଉଥିଲୁ । ସମୀକ୍ଷା ନଥିଲା, ହୁଏତ ଗୋଟିଏ ସହଜପ୍ରେରିତ ଏକାତ୍ମକତା ହିଁ ରହିଥିଲା । ସେତେବେଳେ ସାହିତ୍ୟ ଜୀବନକୁ ସ୍ପର୍ଶ କରି ନଥିଲା । ସଭାରେ ଅବସର-ବିନୋଦନ କରିବାଲାଗି, ରାଜ୍ୟରେ ତଥାପି ଏକ ମଧୁରତା ଆଣିଦେବା ଲାଗି ସାହିତ୍ୟ ସତେ ଏକ ମଣ୍ଡନ ହୋଇ ରହିଥିଲା । ପ୍ରାୟ ଜଣକର ବରାଦରେ ଏଗୁଡ଼ାକ ହେଉଥିଲା, ମାତ୍ର ଥୋକାଏ ତାକୁ ଶୁଣୁଥିଲେ ଓ ଉପଭୋଗ କରୁଥିଲେ ।

 

କଲ୍ଲୋଳିତ ହେବାର ଯୁଗ ପରେ ଜାତୀୟତାର ଯୁଗ ଆସିଲା । ପାରାମାନେ ଗୋଡ଼ରେ ମୁଦି ପିନ୍ଧିଲାପରି ସାହିତ୍ୟଗୁଡ଼ାକ ମଧ୍ୟ ମୁଦିପିନ୍ଧି ବାହାରକୁ ବାହାରିଲେ, ସେହି ମୁଦିରୁ ହିଁ ଆପଣାର ଚିହ୍ନଟ ଦେଲେ, ସେହି ଚିହ୍ନଟିରୁ ହିଁ ବଡ଼ ବା ସାନ ବୋଲି ପରିଚିତ ହେଲେ । ଇଂରାଜୀ ସାହିତ୍ୟକୁ ଇଂଲଣ୍ଡର ସାହିତ୍ୟ ବୋଲି କୁହାଗଲା, ଫରାସୀ ସାହିତ୍ୟକୁ ଫ୍ରାନ୍‌ସର ସାହିତ୍ୟ ବୋଲି କୁହାଗଲା । ଜାତୀୟ ପୁଞ୍ଜିବାଦ ଓ ଜାତୀୟ ସାମ୍ରାଜ୍ୟ ପ୍ରସାରର ଯୁଗରେ ଜାତି ଜାତିର ଲାଳସା, ଲିପ୍‌ସା ଓ ଲାଭପରିମାଣଗୁଡ଼ାକୁ ନେଇ ବର୍ବର ପ୍ରତିଯୋଗିତା ଲାଗିଲା ପରି ସତେଅବା ତାଳ ଦେଲାପରି ସାହିତ୍ୟ ସାହିତ୍ୟ ଭିତରେ ପ୍ରତିଯୋଗିତା ଚାଲିଲା । ଜର୍ମାନୀରେ ହିଟ୍‌ଲର ଅମଳରେ ସେହି ପ୍ରବୃତ୍ତିଟି ଏକ ଦୟନୀୟ ହାସ୍ୟାସ୍ପଦତାର ତୁଙ୍ଗ ଶିଖରକୁ ସ୍ପର୍ଶ କରିଥିଲା । ଆମ ଦେଶରେ ସେହି ହାଉଆଗୁଡ଼ାକ ଟିକିଏ ଡେରିରେ ଆସି ପହଞ୍ଚିଲା । କଲିକତା ବା ମାନ୍ଦ୍ରାଜ ତୁଳନାରେ ଆହୁରି ଡେରିରେ ଆମର ଏଠି ଆସି ପହଞ୍ଚିଲା । ଖୁବ୍ ସମ୍ଭବ ଆମେ ରାଜନୀତିକ ସ୍ଵାଧୀନତା ପାଇ ସାରିବା ପରେ ହିଁ ତାହା ଆମର ଏଠି ତୁଙ୍ଗତାର ହାସ୍ୟାସ୍ପଦ ସୀମାଟିକୁ ଆସି ସ୍ପର୍ଶ କଲା । ସ୍ଵାଧୀନତା ପୂର୍ବରୁ ଦେଶର ମାନସିକ ଓ ଭଗବତ ବାତାବରଣଟି ଭିତରେ ହୁଏତ ଅନେକ ଶ୍ରଦ୍ଧା ଥିଲା, ଅନେକ ସମର୍ପଣ ବୃଦ୍ଧି ଥିଲା,– ଶାଳୀନତା ଓ ସହିଷ୍ଣୁତା ମଧ୍ୟ ଥିଲା । ସତେଅବା ଜଣେ ସୈନିକର ଉତ୍ସର୍ଗଭାବ ନେଇ ଆମେ ସମସ୍ତେ ତତ୍କାଳୀନ ଜାତୀୟ ସଂଗ୍ରାମରେ ଆପଣାର ଅବଦାନଟିକୁ ମିଶାଇ ଦେଇ ଧନ୍ୟ ହେବାକୁ ହିଁ ପରମଭାଗ୍ୟ ମଣୁଥିଲୁ । ସ୍ଵାଧୀନତା ପରେ ଭୂମିକା ବଦଳିଗଲା, ରଙ୍ଗ ବଦଳିଗଲା, ଲାଜ ବି ବଦଳିଗଲା । ସ୍ଵାଧୀନତାର ପ୍ରାପ୍ତ ଫଳଟିକୁ ଭୋଗ କରିବା ଯେପରି ସ୍ଵାଧୀନତା-ପର ରାଜନୀତିର ପରମଧନ୍ଦା ହୋଇ ରହିଲା, ସେହିପରି ସାହିତ୍ୟରେ ମଧ୍ୟ ଫଳପ୍ରାପ୍ତିକୁ ହିଁ ପରମଲାଭ ବୋଲି କୁହାଗଲା । ସାହିତ୍ୟିକର ଦୃଷ୍ଟି ସମାଜଆଡ଼ୁ ଓହରିଗଲା, ମଣିଷଆଡ଼ୁ ଓହାରିଗଲା ଓ ଜୀବନଆଡ଼ୁ ଓହରିଗଲା;– ସାହିତ୍ୟ ସଭାଆଡ଼କୁ ଧାଇଁଲା, ସଭାଘରେ ରୁଖାଟି ପରି ଥୁଆହେବାକୁ ହିଁ ସାହିତ୍ୟ ଆପଣାର ଅହୋଭାଗ୍ୟ ମଣିଲା, ସାହିତ୍ୟିକ ଉଲ୍ଲାସ ଓ ଉପଲବ୍‌ଧିଗୁଡ଼ାକ ତୋଷାମଦ ଭିତରେ ହିଁ ଆପଣାର ଇଜ୍ଜତ ସାରିଲା । ଭାରତରେ ପ୍ରାୟ ସବୁଠାରେ ଏପରି ହେଲା, ମାତ୍ର ଓଡ଼ିଶାରେ ସମ୍ଭବତଃ ସବୁଠାରୁ ଅଧିକ ପରିମାଣରେ ହେଲା । ଜାତୀୟ କବିମାନେ ବି ଆପଣାର ପୂର୍ବ ଧନ୍ଦା ପାସୋରି ସରକାରଙ୍କ ଘରେ ଅନ୍ୟ ଧନ୍ଦା ଆବୋରିଲେ । ସେମାନେ ଘର କଲେ, ଦୁଆର କଲେ, ମାଲିକମାନଙ୍କର ଦାଣ୍ଡରେ ବଳଦପରି ବନ୍ଧାହୋଇ ରହିଲେ । ସ୍ଵାଧୀନତା ପରେ ଆମ ସାହିତ୍ୟ ସର୍ବଜନର ହୋଇ ପରିଥାନ୍ତା, ମାତ୍ର ତାହା ନାନା କାରଣରୁ ବଡ଼ଲୋକଙ୍କର ହୋଇ ରହିଲା । ଥୋକେ ଲୋକ ହିଁ ସାହିତ୍ୟକୁ ବେଉସା କଲେ, ସେମାନେ ଆପଣାର ଦୁର୍ଗଟା ଭିତରେ ବନ୍ଦୀ ହୋଇ ରହିଲେ, ସାହିତ୍ୟର ଘରଟିକୁ ସତେଅବା ଗୋଟିଏ ସଉକିନି ଯନ୍ତାରେ ପରିଣତକରି ରଖିଲେ । ସାହିତ୍ୟ ଏକଚାଟିଆ ହୋଇଗଲା, ଜୀବନ ଆଦୌ ଏକଚାଟିଆ ହୋଇ ନଥିଲେ ମଧ୍ୟ ସାହିତ୍ୟ ଏକଚାଟିଆ ହୋଇଗଲା । ପ୍ରେମିକମାନେ ନୁହନ୍ତି, ମାତ୍ର ସତେଅବା ବିଶେଷଜ୍ଞମାନେ ହିଁ ସାଆନ୍ତବେଶ ପିନ୍ଧି ସାହିତ୍ୟ ମଧ୍ୟକୁ ଆସିଲେ, ସାହିତ୍ୟକୁ ଚରାଇଲେ, ସାହିତ୍ୟକୁ କେବଳ ଆପଣାଲାଗି ମଙ୍ଗୁଳାଇ ରଖିଲେ, ଆମ୍ବତୋଟାରୁ କୋଇଲିମାନେ ଉଡ଼ିଗଲେ, ଫୁଲବଗିଚାରୁ ପ୍ରଜାପତିମାନେ ଲାଜରା ହୋଇ ପଳାଇଲେ । ଝିଙ୍କାରି ଆଉ ଝିଁ ଝିଁ କଲାନାହିଁ କି ଜହ୍ନରାତିରେ କେହି ଗହୀର-କାନ୍ଥର ବଇଁଶୀ ବଜାଇଲା ନାହିଁ । କୋଇଲି, ପ୍ରଜାପତି, ଝିଙ୍କାରି ଓ ବଇଁଶୀ-ବଜାଳି ସମସ୍ତଙ୍କୁ ବାହାରକୁ ନିକାଲିଦେଇ ବିଶେଷଜ୍ଞମାନେ ବିଶେଷ ଦିନମାନଙ୍କରେ ସାହିତ୍ୟ ପାଳିଲେ, ପରସ୍ପରର ଆସ୍ଫାଳନା କଲେ, ବାଜା ବାଜାଇଲେ, ଚତୁର-ବିନୋଦଗୁଡ଼ାକୁ ବାସ୍ତବ ବିନୋଦ ବୋଲି ଘେନିଲେ ।
 

 

ଏହିପରି ଏକ ବିଗଳିତ ଅଥଚ ଧୂର୍ତ୍ତ ପର୍ଯ୍ୟାୟରେ ଓଡ଼ିଆ ସାହିତ୍ୟରେ ହୁଏତ ସବୁ ହେଲା; ମାତ୍ର ସମାଲୋଚନା ଅର୍ଥାତ୍ ସମୀକ୍ଷାର ଆଖି ବୁଜି ହୋଇଗଲା । ସମାଲୋଚନା ବିଦା ହୋଇଗଲା । ପ୍ରଥମତଃ ସମାଲୋଚନା କରିବାଲାଗି କିମ୍ବା ସମାଲୋଚନା ଶୁଣିବାଲାଗି ଆଉ କାହାର ସମୟ ରହିଲା ନାହିଁ । ଜୀବନକୁ ଏକ ଶ୍ରଦ୍ଧାବନ୍ତ ସମ୍ପୂର୍ଣ୍ଣ ଆଖିରେ ଅନାଇ ପାରିବା ଲାଗି ବି ଆଉ କାହାରି ସମୟ ଅଣ୍ଟିଲା ନାହିଁ । ଏଥିଲାଗି ହୁଏତ ଆଉ କୌଣସି ଆବଶ୍ୟକତା ହିଁ ରହିଲା ନାହିଁ । ସମୀକ୍ଷା କରିବାଲୋକ ସଭାକୁ ଯିବ କାହିଁକି, ଏବଂ ଗୁଡ଼ହାଣ୍ଡି ଭିତରେ ଜନ୍ଦାଟିଏ ପରି ଡେଇଁ ପଡ଼ିବାକୁ ଯାଉଥିବା ମଣିଷ ଆଡ଼କୁ ମନ ବଳାଇବାର ନିର୍ବୋଧତା ବା କରିବାକୁ ଯିବ କାହିଁକି ? ସମାଲୋଚନା ଥାନରେ ଏଣିକି ପ୍ରଶସ୍ତିର ବେଳ ଆସିଲା, ସାହିତ୍ୟକୃତି ବା ସାହିତ୍ୟ-ସୃଷ୍ଟିର ପ୍ରଶସ୍ତି ସହିତ ଆସନରେ ପ୍ରଶସ୍ତି ଆସି ସଙ୍ଗକୁ ଜୁଟିଲା, ଏବଂ ତେଣୁ ପ୍ରଶସ୍ତି ପାଇବା ସକାଶେ ଅନେକ ସମୟରେ ଅମଣିଷଗୁଡ଼ାକ ବି ଆସି ପହଞ୍ଚିବାକୁ ଲାଗିଲେ । ପ୍ରଶସ୍ତିକାରକୁ ଅଗତ୍ୟା ମୁଖା ପିନ୍ଧିବାକୁ ହେଲା,–ଅନ୍ୟମାନଙ୍କୁ ଆପଣାର ଏକ ପରିଚୟ ଦେବାଲାଗି ନୁହେଁ, ମାତ୍ର ଆପଣାର ଅସଲ ମହତ ଓ ଅସଲ ମାନଟିକୁ ଭୁଲି ଘଡ଼ିକଲାଗି ନିର୍ବିବେକ ଭାବରେ ଅଭିନୟ କରି ସାହିଠାକୁରମାନଙ୍କ ପାଖରେ ଅଳଙ୍କୃତ ମୂଷିକଟିଏ ପରି ବସି ପାରିବାକୁ ହିଁ ତାକୁ ଏହି ମୁଖାଟିକୁ ଲଗାଇବାକୁ ପଡ଼ିଲା । ଏବଂ ଆପଣାକୁ ଏହି ମୁଖା ଲଗାଇବାର ଅଭ୍ୟାସଟି ମଧ୍ୟରେ ପକାଉ ପକାଉ ସେ କ୍ରମେ ସେଇଟାକୁ ତାର ସମୁଦାୟ ସାହିତ୍ୟକାରିତାର ଧର୍ମ, ଅର୍ଥ, କାମ ଓ ମୋକ୍ଷ ବୋଲି ଗ୍ରହଣ କରି ନେଲା । ମୁଖା ପିନ୍ଧି ବାହାରିଥିବା ମଣିଷର ପୁଣି ଲୋଚନର କାହିଁକି ଲୋଡ଼ା ହୁଅନ୍ତା ?

 

ଜୀବନକୁ ଅବଲୋକନ କରିବା ଅପେକ୍ଷା ଯେଉଁଠାରେ ପ୍ରଶସ୍ତି ଗାଇବା ଏବଂ ତାହାରିଦ୍ଵାରା ହିଁ ଆପଣାକୁ ସୁପ୍ରଶସ୍ତ ବୋଲି ଅନୁଭବ କରିବାଟା ହିଁ ଅଧିକ ଅନୁରକ୍ତି ପାଉଥାଏ ଓ ଯେଉଁଠି ଆତ୍ମ-ଉଦ୍‌ଘାଟନ ଅପେକ୍ଷା ମୁଖା ଲଗାଇବାଟା ହିଁ ସାହିତ୍ୟରେ ସୁଲଭତର ଧନ୍ଦାରେ ପରିଣତ ହୁଏ, ସେଠି ବିବାଦଗୁଡ଼ାକ ମଧ୍ୟ ଭାରି ଜବର ହୋଇ ତିଆରି ହୋଇଆସେ । ପ୍ରଶସ୍ତିଲାଭ ଏବଂ ପ୍ରଶସ୍ତିଲୋଭରୁ ପ୍ରତିଯୋଗିତାର ସୂତ୍ରପାତ ହୁଏ ଏବଂ ପ୍ରତିଯୋଗିତାରେ ଆଉଟି ନ ହୋଇ ପାରୁଥିଲେ ସାହିତ୍ୟର ପଡ଼ିଆରେ ଆପଣାକୁ ସତେଅବା ଅପାରଗ ବୋଲି ମନେହୁଏ, ସାହିତ୍ୟର ପ୍ରସୂତିଶାଳାରେ ଆପଣାକୁ ଗୋଟାସୁଦ୍ଧା ବନ୍ଧ୍ୟା ବୋଲି ମନେହୁଏ । ଆଧୁନିକବାଲାଙ୍କର ପୁରାତନବାଲାଙ୍କ ସହିତ ବିବାଦ ଲାଗେ, ଏ ଜୟନ୍ତୀବାଲାଙ୍କର ସେ ଜୟନ୍ତୀବାଲାଙ୍କର ସହିତ ବିବାଦ ଲାଗେ, ନବୀନଙ୍କର ପ୍ରବୀଣଙ୍କ ସହିତ ବିବାଦ ଲାଗେ, ଏପରିକି ପଶ୍ଚିମ ଓଡ଼ିଶା ସହିତ ପୂର୍ବ ଓଡ଼ିଶାର ମଧ୍ୟ ବିବାଦ ଲାଗେ । ଉପକୂଳବାଲା ଉପକୂଳିଆ ଇଲାକାଟିର ସୀମା ଡେଇଁ ଯିବା ମାତ୍ରେକେ ସଙ୍ଗେ ସଙ୍ଗେ ଜାଗା ବାରିବାକୁ ଆରମ୍ଭ କରନ୍ତି, ଏବଂ ସେପାଖରୁ କେହି ଏପାଖରେ ଥିବା ଉପକୂଳ ଅଞ୍ଚଳଟିକୁ ଆସିଲେ ତଥାପି ଗଣ୍ଠିଗୁଡ଼ାକୁ ଫିଟାଇ ନପାରି ବଡ଼ ଅଶ୍ଵସ୍ତି ବୋଧ କରୁଥାଏ । ବିବାଦର ଭାଷା ସାହିତ୍ୟର ଭାଷାକୁ ଗିଳିପକାଏ, ପାଣ୍ଡିତ୍ୟଗୁଡ଼ାକ ବିବାଦର ବେଢ଼ଣ ପିନ୍ଧି ସମ୍ମାନ ହରାଏ, ଧିକୃତ ହୁଏ । ଏବଂ ଯେତେବେଳେ ସମୀକ୍ଷର ଏହି ଅପଉପଚାରଗୁଡ଼ାକୁ ଆମର ଏଠି ସାହିତ୍ୟସମୀକ୍ଷା ବା ସାହିତ୍ୟର ଆଲୋଚନା ବୋଲି କୁହାଯାଏ, ଯେତେବେଳେ ଏହିଗୁଡ଼ାକ ନେଇ ଶିବଗଣ ଓ ଇନ୍ଦ୍ରଗଣଙ୍କ ଭିତରେ ଲଢ଼େଇ ଲାଗେ, ସେତେବେଳେ ଆମେ ସମସ୍ତେ ଧିକୃତ ହେଉ, ଆମର ଦାୟାଦପଣଗୁଡ଼ାକ ଅପମାନିତ ହୋଇ ରହନ୍ତି ।

 

ସ୍ଵାଧୀନତା ପରେ ଆମର ସାହିତ୍ୟକ୍ଷେତ୍ରରେ ଆଧୁନିକତା ବୋଲି ଆହୁରି ଗୋଟିଏ ଅପଶକୁନ ପ୍ରବେଶ କରି ଆମ ସମୀକ୍ଷାତ୍ମକ ଆକୁତି ଏବଂ ଅଭିରୁଚିଗୁଡ଼ିକୁ ଅଧିକ ଧୂମଳ ଅଥଚ ଅଧିକ ଦାମ୍ଭିକତା ଗ୍ରସ୍ତ କରି ରଖିବାରେ ଆଦୌ କମ୍ ସାହାଯ୍ୟ କରିନାହିଁ । ଅଧିକ ଯଥାର୍ଥ ଭାବରେ କହିଲେ, ସ୍ଵାଧୀନତା ପରେ ଆଧୁନିକତା ନାମରେ ଯେଉଁ ଅପଶକୁନଟି ଆମ ସମଗ୍ର ଜାତୀୟ ଜୀବନର ଶରୀରଟିକୁ ଗ୍ରାସ କରି ପକାଇଛି, ଆମ ସାହିତ୍ୟ କ୍ଷେତ୍ରକୁ ମଧ୍ୟ ତାହାରି ବିଷୟଗୁଡ଼ାକୁ ଏବଂ ତାହାର ଅନ୍ଧବିଶ୍ଵାସଗୁଡ଼ାକୁ ଅଗତ୍ୟା ଭୋଗ କରିବାକୁ ହୋଇଛି । ଏହା ସାରା ଭାରତବର୍ଷକୁ ଆସିଛି, ତେଣୁ ଓଡ଼ିଶାକୁ ମଧ୍ୟ ଆସିଛି । ସ୍ଵାଧୀନତା ପରେ ଯଥାର୍ଥ ଆଧୁନିକତାର ଭାଜନ ହୋଇ ପରିଥିଲେ ତାହା ହୁଏତ ଆମର କେତେ କେତେ ଅନୁଦ୍‌ଘାଟିତ କରାଇ ପାରିଥାନ୍ତା, ଆମକୁ କେତେକେତେ ନୂତନ ସମ୍ମିଳନଦ୍ଵାରା ସମୃଦ୍ଧ କରାଇ ପାରିଥାନ୍ତା । ମାତ୍ର ଆମ ବର୍ତ୍ତମାନ ଜୀବନର ବ୍ୟକ୍ତିଗତ ତଥା ସାମୂହିକ ଅନ୍ୟ ସକଳ କ୍ଷେତ୍ର ପରି ଆମ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଆମର ଆଧୁନିକତା ଆମର ନାନାବିଧ ପଳାୟନ ତଥା ନାନାବିଧ ଉଦ୍ଧତ ପଣିଆ ଲାଗି ଏକ “ମେକ୍ ଅପ୍” ପରି କାର୍ଯ୍ୟ କରୁଛି । ଏହି ଆଧୁନିକତାକୁ ନିଶ ଓ କଲି କରି ପିନ୍ଧି ଆମେ ଆମ ଚତୁଃପାର୍ଶ୍ୱସ୍ଥ ଆହ୍ଵାନଗୁଡ଼ାକୁ ଛାଡ଼ି ପଳାଇବାରେ ବେଶ୍ ବାଗ ପାଇଯାଇଛୁ । ଏହି ଦେଶରେ ରହି ମଧ୍ୟ ଏହି ଦେଶକୁ ବେଶ୍ ଫାଙ୍କିଦେଇ ଯାଇଛୁ, ଏଠି ମଣିଷ ମେଳରେ ରହି ମଧ୍ୟ ତଥାପି ମଣିଷଙ୍କର ବାଣଟାଏ ତୁଚ୍ଛା ମୃଗୟା କରି ବାହାରିଥିବା ଗେହ୍ଲା ରାଜପୁତ ବିନି ରହିବା ବ୍ୟତୀତ ଆମଦ୍ଵାରା ଏଠି ଆଉ କୌଣସି ଧନ୍ଦା ସମ୍ଭବ ହୋଇ ପାରିନାହିଁ । ଆମର ଏହି ପ୍ରସାଧନ-ପ୍ରମତ୍ତ ଆଧୁନିକତା ଆମକୁ ସାହିତ୍ୟ ବୋଲି ତୁଚ୍ଛା ଶୈଳୀଗୁଡ଼ାକୁ ଆଣି ଧରାଇଦେଇ ଯାଉଛି, ଭିତରେ ଅସଲ ଶ୍ରଦ୍ଧା ଓ ଅସଲ ଦୃଷ୍ଟିଟି ନଥିଲେ ଶୈଳୀଟି ମଧ୍ୟ ଯେ ଶୀଳଯୁକ୍ତ ହୋଇ ପାରେ ନାହିଁ, ସେହି କଠୋର କଥାଟି ବିଷୟରେ ଆମକୁ ଗୋଟାସୁଦ୍ଧା ବିସ୍ମୃତ କରି ରଖିଛି । ଜୀବନ ପ୍ରତି ଶ୍ରଦ୍ଧା ନଥିଲେ ସମୀକ୍ଷା ସମ୍ଭବ ହୁଏ ନାହିଁ, ଜୀବନରେ ଆରୋହଣ ନଥିଲେ କୌଣସି ସମୀକ୍ଷାର ଆବଶ୍ୟକତା ହିଁ ରହେନାହିଁ, ଏବଂ ଭୀରୁତାଗୁଡ଼ାକୁ ହିଁ ଆମର ନାନା ପ୍ରୀତି ବୋଲି କାମୁଡ଼ି ଧରିଥିବା ପର୍ଯ୍ୟନ୍ତ ଆମେ କୌଣସି ପ୍ରକାର ଅବଲୋକନ ଲାଗି ବସ୍ତୁତଃ ପ୍ରସ୍ତୁତ ବି ହୋଇ ପାରୁନାହିଁ । ଆମେ ପଇଟାଇ ଓ ପାକୁଳି କରି ରଖିଥିବା ଆଧୁନିକତା ଭିତରେ ଆଉ ଯାହାକିଛି ଥାଉ ବା ନଥାଉ ପଛକେ, ଏଥିରେ ଶ୍ରଦ୍ଧା ଅପେକ୍ଷା ଅଶ୍ରଦ୍ଧା ହିଁ ଅଧିକ ରହିଛି, ଏହା ମଧ୍ୟରୁ ଆରୋହଣର ସକଳ ଅନ୍ତର୍ବିଶ୍ଵାସ ଅନ୍ତର୍ହିତ ହୋଇ ରହିଛି ଏବଂ ନିର୍ଭୀକତା ଅପେକ୍ଷା ଭୀରୁ ଓ ବାଧ୍ୟ ହେବାକୁ ଓ ତେଣୁ ମୁଖା ପିନ୍ଧିବାକୁ ଏବଂ ନିଜକୁ ଖାପ ଖୁଆଇ ନେବାକୁ ହିଁ ବାସ୍ତବତା ବୋଲି କୁହାଯାଉଛି ଏବଂ ଏହିଭଳି ଏକ ଯୁଗରେ ଯାବତୀୟ ସମୀକ୍ଷା ମଧ୍ୟରୁ ତା’ର ଅନ୍ଵେଷଣାତ୍ମକ ବିଭାବଟି କ୍ରମଶଃ ଅନ୍ତର୍ହିତ ହୋଇ ଯାଇଛି; କହିବା ବାହୁଲ୍ୟ ଯେ ଏପରି ଏକ ଅନୁର୍ବରତା ଏବଂ ରସଦ୍ରୋହିତାର ଯୁଗରେ ବୁଦ୍ଧିର ସୂତ୍ରଗୁଡ଼ାକ ହିଁ ସମୀକ୍ଷାର ପରମ ଭୂଷଣ ହୋଇ ରହିଛି । ବୁଦ୍ଧିଦେଇ ନଦେଖିଲେ ଆଉ ଦେଖିବା ହୋଇ ପାରୁନାହିଁ, ଏବଂ ବାହାରେ ବୁଦ୍ଧିଆ ବୋଲି ପରିଚୟ ଦେବାକୁ ଆପଣାର ଅସଲ ମୁହଁ ଓ ଅସଲ ଆଞ୍ଜୁଳାଗୁଡ଼ାକୁ କେତେ ବାଗରେ ଲୁଚାଇକରି ରଖିବାକୁ ପଡ଼ୁଛି; ସାହିତ୍ୟ ବୋଲି ଯେତିକି କୁହାଯାଇ ପାରୁଛି, ତାହାକୁ କେତେକେତେ ବାଗରେ କେତେ ବୁଲାଇକାରି ହିଁ କହିବାକୁ ପଡ଼ୁଛି ।

 

ଆମ ଦେଶ ରାଜନୀତିକ ସ୍ଵାଧୀନତା ହାସଲ କରିବାପରେ ନାନା କାରଣରୁ ଆମ ସଂଗ୍ରାମୀମାନେ ଶୀତଳ ହୋଇଗଲେ ଏବଂ ଅଧିକତଃ ତାହାରି ପ୍ରକୋପଗୁଡ଼ାକ ବାଜି ଆମର ସାହିତ୍ୟ ମଧ୍ୟ ପ୍ରାୟ ଶୀତଳ ହୋଇ ଆସିଲା ଓ ଏକ ଶୀତଳ ସାହିତ୍ୟ ଏବଂ ଶୀତଳତାକୁ ହିଁ ସ୍ୱାଭାବିକତା ବୋଲି ମନେ କରୁଥିବା ସାହିତ୍ୟିକମାନଙ୍କ ଲାଗି ସମାଲୋଚନା ବା ସମୀକ୍ଷା ଯେ ଖୁବ୍ ବେଶୀ ଆବଶ୍ୟକ ହୁଏନାହିଁ, ଆମର ଏହି ଦୁଇ ଦଶନ୍ଧିର ସାହିତ୍ୟ ବିଷୟରେ କୌଣସି ଖବର ରଖି ଆସିଥିବା ଆମେ ସମସ୍ତେ ଏହି କଥାଟିକୁ ବଡ଼ ସ୍ପଷ୍ଟ ଭାବରେ ଜାଣିବାଲାଗି ନିଶ୍ଚୟ ସମର୍ଥ ହୋଇଥିବା । ରାଜନୀତି ସତ୍ତାବଦଳ ଯେ କୌଣସି ଦେଶର ଯଥାର୍ଥ ସ୍ଵାଧୀନତା ଓ ଯଥାର୍ଥ ଆତ୍ମୋପଲବ୍‌ଧି ଲାଗି ଯଥେଷ୍ଟ ନୁହେଁ, ସ୍ଵାଧୀନତା ଓ ଯଥାର୍ଥ ଆତ୍ମୋପଲବ୍‌ଧି ଲାଗି ଯଥେଷ୍ଟ ନୁହେଁ, ସ୍ଵାଧୀନତା ପୂର୍ବରୁ ଆମର ରାଜନୀତିକ ନେତାମାନେ ସେ କଥା ସବୁବେଳେ କହି ଆସିଥିଲେ । ଏବଂ ସେତେବେଳେ ଯେଉଁ ସାହିତ୍ୟିକମାନେ ଆପଣାକୁ ଆମ ସ୍ଵାଧୀନତା ସଂଗ୍ରାମରେ ଶିବିର ମଧ୍ୟରେ ଅନ୍ତର୍ଭୁକ୍ତ କରି ରଖିଥିଲେ, ସେମାନେ ମଧ୍ୟ ସେହିକଥା କହି ଆସିଥିଲେ । ଆମ ଓଡ଼ିଶାର ସାହିତ୍ୟରେ ମଧ୍ୟ ‘ଅରି ଫେରିନାହିଁ, ଯୁଦ୍ଧ ସରିନାହିଁ’ ବୋଲି ଭେରୀ ସହିତ କେତେଥର ଦୁନ୍ଦୁଭି ବାଜି ଉଠିଥିଲା । କିନ୍ତୁ ସ୍ଵାଧୀନତା ପରେ ଦେଶର ପ୍ରଥମ ଯୁଦ୍ଧଟି ସରିଯିବା ପରେ ଓ ପ୍ରଥମ ଅରି ଫେରିଯିବା ପରେ ଆମର ରାଜନୀତିକ ନେତୃତ୍ଵ ଯେପରି ତା’ର ପୂର୍ବ ସୂତ୍ରଗୁଡ଼ାକୁ ପାସୋରି ପକାଇଲା ଓ ନବଲବ୍‌ଧ ଆସ୍ଥାନଗୁଡ଼ାକ ଉପରେ ବିଶ୍ରାମ ନେବାକୁ ଆରମ୍ଭ କଲା, ଆମ ସାହିତ୍ୟରେ ମଧ୍ୟ ଠିକ୍ ସେହିପରି ଏକ ବିଶ୍ରାମ-ଯୁଗ ଆରମ୍ଭ ହୋଇଗଲା । ରାଜନୀତିରେ ବିଶ୍ରାମ-ଯୁଗକୁ ହୁଏତ ଅନେକ ସ୍ଥଳରେ ଏକ ଆରମ-ଯୁଗ ବୋଲି କୁହାଯାଇପାରେ, ମାତ୍ର ସାହିତ୍ୟରେ ଏଭଳି ଯେକୌଣସି ଯୁଗକୁ କେବଳ ଏକ ଅବକ୍ଷୟ-ଯୁଗ ବା ଦୁର୍ବିପାକର ଯୁଗ ବୋଲି ହିଁ କୁହାଯାଇ ପାରିବ । ସାହିତ୍ୟ ଯେ ଜନମାନସକୁ ନେତୃତ୍ଵ ଦିଏ, ସାହିତ୍ୟ ଯେ ଶ୍ଳଥତା ଭଙ୍ଗାଏ ଆହୁରି ଅନେକ ଅଭ୍ୟର୍ଥନା ଏବଂ ଆବାହନ ଲାଗି ସମାଜକୁ ପ୍ରସ୍ତୁତ କରେ, ସ୍ଵାଧୀନତା ପରେ ଆମର ସାହିତ୍ୟିକମାନେ ଏହି ସତ୍ୟଟିକୁ ସତେ ଅବା ଏକାବେଳେକେ ପାସୋରି ଦେଲେ, ସେମାନେ ଏକ ଅବସରୀୟ ଦୃଷ୍ଟିକୋଣର ବାହକ ବା ସ୍ତାବକ ହୋଇ ରହିଲେ, ଭୁବନମୟ ଅନ୍ଧାର ଭିତରେ ଆପଣାଲାଗି ସତେ ଅବା ଏକ ଅଲଗା ନୁର୍-ମହଲ ତିଆରି କରି ରଖିଲେ । ସେହି ମହଲଟିର ଆଲୋକଦ୍ଵାରା ଆପେ ଜଳକା ହୋଇ ବସିଲେ; ସେମାନଙ୍କର ଧର୍ମ ସେମାନଙ୍କୁ ଯେଉଁ ଗ୍ରହଣଶୀଳତା ସକାଶେ ସବାଆଗେ ଆହ୍ଵାନ ଦେଇଥାନ୍ତା, ସେମାନେ ସେହି ଗ୍ରହଣଶୀଳତାକୁ ହରାଇ ବସିଲେ ।

 

ସାହିତ୍ୟ-ସମାଲୋଚନା ମଧ୍ୟ ସାହିତ୍ୟର ସେହି ନିରାପଦ ଏବଂ ଆହ୍ଵାନଶୂନ୍ୟ ପଥଟିକୁ ଆଦରିନେଲା । ପିଲାଏ ଯାହାକୁ ପଢ଼ି ପରୀକ୍ଷାରେ ପାସ୍‌କରି ପାରିବେ, ଅର୍ଥାତ୍ ଯେଉଁସବୁ ଆଲୋଚନା ପରୀକ୍ଷାଖାତା ଦେଖୁଥିବା ଦ୍ଵୀପବାସୀ ଅଧ୍ୟାପକମାନଙ୍କର ସ୍ଥବିର ଛାଞ୍ଚଗୁଡ଼ିକ ସହିତ ଖାପ ଖାଇ ପରିବ ଓ ତେଣୁ ଯାହା ସେମାନଙ୍କର ମନକୁ ଘେନାଇ ପାରିବ, ଆମ ସାହିତ୍ୟରେ ସମାଲୋଚନା କହିଲେ କ୍ରମଶଃ ସେଇଟା ହିଁ ଚଳିବାକୁ ଆରମ୍ଭ କଲା । ତେଣୁ ସାହିତ୍ୟ-ସମାଲୋଚନା ପଡ଼ିବା ସମୟରେ ସତେ ଅବା କୌଣସି ସ୍ନାତକୋତ୍ତର କ୍ଲାସ୍‌ରେ ବସି ନୋଟ୍‍ଖାତାଗୁଡ଼ାକୁ ପଡ଼ୁଥିବା ପରି ମନେହେଲା । ଏହି ସମାଲୋଚନା କୌଣସି ଦ୍ୱାର ଖୋଲିଲା ନାହିଁ, କୌଣସି ନୟନକୁ ସତୁଷ୍ଣ କାଲାନାହିଁ, ବରଂ ଲୋଚନଗୁଡ଼ାକୁ କ୍ରମଶଃ କାଉଁଦା କରିଦେବାରେ ହିଁ ଅଧିକ ସହାୟତା କଲା । ବଡ଼ ଅଧ୍ୟାପକ ଯାହା କହିଛନ୍ତି, ସାନ ଅଧ୍ୟାପକ ତା’ ଉପରେ ଭରସିକରି କିଛି ନ କହିବାକୁ ହିଁ ସାଧୁପଥ ବୋଲି ଜ୍ଞାନ କଲେ । ସେମାନେ ପରସ୍ପରକୁ ଆପ୍ୟାୟିତ କଲେ, ପରସ୍ପରକୁ ହୁଏତ ଉପକୃତ ବି କଲେ । ନାନା କାରଣରୁ ଓଡ଼ିଆ-ଦେଶର ପ୍ରକାଶକମାନେ ସେହିମାନଙ୍କଦ୍ଵାରା ପ୍ରସ୍ତୁତ ସମାଲୋଚନା-ପୁସ୍ତକଗୁଡ଼ାକୁ ହିଁ ଲୋକଲୋଚନର ଗୋଚରକୁ ଆଣିବାରେ ଅଧିକ ପ୍ରୟାସୀ ହେଲେ । ତେଣୁ ଯାହା ଅବଶ୍ୟମ୍ଭାବୀ ଥିଲା, ତାହାହିଁ ଘଟିଲା । ସାହିତ୍ୟରେ ଆଲୋଚନା କମିଗଲା, ସମୀକ୍ଷଣ କମିଗଲା । ଆଲୋଚନା ମଧ୍ୟରେ ଯେ ନାନା ଦୃଷ୍ଟି ଓ ନାନା ସୋପାନର ଏକ ସ୍ଥାନ ରହିଛି, ସେ କଥା ସ୍ଵୀକାର କରିବାକୁ ମଧ୍ୟ ଆମେ କ୍ରମେ ଭାରି ଅପାଙ୍ଗ ହୋଇ ଉଠିଲୁ । ଏଗୁଡ଼ାକ ଆମକୁ ଭାରି ଅସହିଷ୍ଣୁ କରି ପକାଇଲା, ଅତିରିକ୍ତ ପରିମାଣରେ ଆତ୍ମଛିଦ୍ର-ସଚେତନ ଓ ତେଣୁ ପରିଛିଦ୍ର-ଆଗ୍ରହୀ କରି ପକାଇଲା ।

 

ଅସହିଷ୍ଣୁ ତାର ଅନ୍ୟ ନାମ ଅଶ୍ରଦ୍ଧା ଏବଂ ଅଶ୍ରଦ୍ଧା ରହିଥିବା ପର୍ଯ୍ୟନ୍ତ କୌଣସି ପ୍ରକାରର ସମକ୍ୟ୍ ଆଲୋଚନା ସମ୍ଭବ ହୁଏ ନାହିଁ, କୌଣସି ପ୍ରକାରର ସମୀକ୍ଷାତ୍ମକ ଦୃଷ୍ଟିର ଅଭିବୃଦ୍ଧି ହୁଏନାହିଁ । ଶିବିର ଗଢ଼ାହୁଏ, ଛତ୍ରପତିମାନେ ପରସ୍ପର ସହିତ ଲଢ଼ି ବାହାରନ୍ତି, ଆପଣାର ସାନ ସୌଖିନ୍‍ ପଟାଳିଟି ଉପରେ ସେମାନେ କେଡ଼େ ଗାମ୍ଭୀର୍ଯ୍ୟ ସହକାରେ କେତେ ଗଡ଼ାଗଡ଼ି ହୁଅନ୍ତି, କେତେ କେତେ ହାସ୍ୟାସ୍ପଦତାର ସୃଷ୍ଟି କରନ୍ତି । ମାତ୍ର ପାଠକ ଅଥବା ଛାତ୍ର କାହାରି ହୃଦୟରେ ସେମାନେ କୌଣସି ଉନ୍ମୋଚନ ଘଟାନ୍ତି ନାହିଁ । ନିତି ଦ୍ଵୀପର ତିନୋଟିଯାକ ବିହାରରେ ପରମ ପ୍ରସନ୍ନତା ସହିତ ଏହି ଫାସିଆରା ପାଲାଟି ଲାଗି ରହିଥିବା ସମୟରେ ତେଣେ ବୃହତ୍ତର ଲୋକଜୀବନ ସାହିତ୍ୟଠାରୁ ଯାହା ପାଇବ ବୋଲି ଅପେକ୍ଷା କରି ରହିଥାଏ, ସେଇଟି ଅଦେୟ ହୋଇ ରହିଯାଏ । ସାହିତ୍ୟ-ସମାଲୋଚନା ତେଣିକି ସାହିତ୍ୟକୁ ନେଇ ଜୀବନ ସହିତ ଗଅଁଠାଇ ପାରିବାରେ ଅସମର୍ଥ ହୋଇ ରହେ, ସାହିତ୍ୟ-ଚେତନାର ପରବର୍ତ୍ତୀ ସୋପାନଟି ଲାଗି ତାହା ଆମକୁ ପ୍ରସ୍ତୁତ କରିବାକୁ ଆଉ ସମର୍ଥ ହୁଏନାହିଁ; ତାହା ଆପଣାର ସ୍ଵଭାବଟିକୁ ଚିହ୍ନି ପାରେନାହିଁ, ତେଣୁ ସ୍ଵଧର୍ମଟିକୁ ହରାଇବସେ ।

 

୨୬ । ୮ । ୭୫

Image